ଛାୟା କଳ୍ପ
ଛାୟା କଳ୍ପ
ହୃଦୟକୁ ଯଦି ପରସ୍ତ ପରସ୍ତ
ଦେଇପାରନ୍ତି ଖୋଲି
ତେବେ ତୁମେ ଶୁଣି ପାରନ୍ତ
ଦେଖି ପାରନ୍ତ ଅବ୍ୟକ୍ତ ଶବ୍ଦର
ନିଃଶବ୍ଦ ସେ ଛାୟାର ଆକାଶ ।
ଫିଟାଇ ପାରନ୍ତ ଯଦି
ମନ ବନ୍ଧନର ଗଣ୍ଠି
ଅକୁହା ସମ୍ପର୍କର ଖିଅ ସବୁ
ମୁକ୍ତ ବିହଙ୍ଗର ମୁକ୍ତି ଚାଖି
ଉପଭୋଗ କରନ୍ତେ
ସେହିସବୁ ନିରୋଳା ମୁହୂର୍ତ୍ତ ।
ଖୋଲି ଦିଅନ୍ତା ସେ ତୋ ଆଗରେ
ପୁଞ୍ଜା ପୁଞ୍ଜା ରୁଦ୍ଧଦ୍ୱାର ପଥ
ପଶି ଆସନ୍ତେ ଶବ୍ଦ ସହ
ବିମର୍ଶ ଆକାଶ
ଫାଳେ ଫର୍ଚ୍ଚା ତ ଫାଳେ
କଳାହାଣ୍ଡିଆ ବୌଦର
ରାକ୍ଷସୀ ଫଉଜ ।
ତଥାପି ତ ଲାଗିରହେ
ଝଡ଼ ଝଞ୍ଝା ଶୀତଳ ଯୁଦ୍ଧ
ନାହିଁ ନ ଥିବା ଧର୍ମ ଯୁଦ୍ଧ
ମନର ଆତ୍ମାର
ଦେଶୀ ପରଦେଶୀର
ସାଧୁ ଆଉ ଅସାଧୁ ଆତ୍ମାର।
ସବୁକିଛି ପରକ୍ରିୟା
ଆତ୍ମକ୍ରିୟାର ନିଶ୍ଚଳ ଯୋଗ
ସେଥିରେ ବି ନାହିଁ
ସଂଯୋଗ ବିଯୋଗ
ଏ ଘଟକୁ ଆବୋରି ବସିଥିବା
ଅଧୈର୍ଯ୍ୟ ଲୋଭ
ମୋହ ମାୟାର ହଳାହଳ ବିଷ ।
ତଥାପି କାହିଁକି ଖୋଜେ
ଏ ବୀଜଗଣିତର ସରଳ ସୂତ୍ର
ସ୍ନେହ ସଂପ୍ରୀତିର
ମଧୁର ସ୍ପନ୍ଦନ
ଆତ୍ମା ପରମାତ୍ମାର
ପରମ ସ୍ୟନ୍ଦନ ।
ଏପଟେ ଟାଣୁଛି ବାତ
ସେପଟେ ଟାଣୁଛି ଭାତ
ଏହି ଟଣାଟଣିରେ ହାତାହାତି
ହୋଇଯାଏ ବ୍ରହ୍ମ ବିଚ୍ୟୁତିର
ସତ୍ତାପୁରୁଷର ସନ୍ଧାନ ଆଲୋକ ।
ଏ ଦ୍ବନ୍ଦ୍ୱର ନାହିଁ ଅବସାନ
ଯେ ପାରୁନି ଚଢି
ଶାପ ଶିଢିର ଆକାଶ
ତାପାଇଁ କଲୋପ ପଡେ
ସ୍ୱର୍ଗ ଅବା ବୈକୁଣ୍ଠ ପୁରର
ବନ୍ଧାପଡ଼େ ସାରା ଜୀବନ
ଏହି ମରଣବାସ ମଞ୍ଚପୁର ।
ମୁଁ ଚାହୁଁଚି ପ୍ରାଣର ବୈକଲ୍ୟ
ନିଥର ଶରୀର ମୋର
ଦିବ୍ୟତାର ଜ୍ୱର
ସେ ନିଶାରେ ମୁଁ ପଡିଛି
ଥରଥର କମ୍ପୁଛି ଶରୀର
ସମ୍ଭାବନା ଯହିଁ ମୂର୍ତ୍ତ ଆଶା
ନିରାଶାର ସେହି ଛାୟାକଳ୍ପ ଖେଳ ।
