STORYMIRROR

Sabita Tripathy

Abstract

4  

Sabita Tripathy

Abstract

ସ୍ମୃତି ସେତ ଜନ୍ମଭୁମିର

ସ୍ମୃତି ସେତ ଜନ୍ମଭୁମିର

1 min
334


ସମୟ ସୁଅରେ ଭାସି ମୁଁ ଯାଉଛି

କେମିତି କହିବି ତତେ,

କେତେ ମୁଁ ହଜିଛି

    କେତେ ମୁଁ ଖୋଜିଛି

ଜୁଆର ଆଉ ଭଟ୍ଟାରେ।

ଅନେକ ସ୍ମୃତି ସାଇତି ରଖିଛି

ଏଇ ହୃଦୟ ଭିତରେ,

ପାଖକୁ ଆସିଲେ ଭାବୁଛି

କହିଦେବି ସବୁ ଏକାନ୍ତ ନିର୍ଜନରେ।

ମୋ କୁନି ପ୍ରତିବିମ୍ବ ବୋଧ ହୁଏ

ହଜି ଯାଇଛି ତୋର ସେ

ସରୁ ରାସ୍ତା କଡରେ

ଫୁଟିଥିବା ଫୁଲେଇ କାଶତଣ୍ଡୀରେ।

ଫେରି ଯାଆନ୍ତି କି ସତେ

ସ୍ମୃତିରେ ସାଇତି ଥିବା ନିର୍ଜନ ବେଳା

ଯେଉଁଠି ତୁ ଥିବୁ ଆଉ ମୁଁ ଥିବି

ସାଥିରେ ଥିବ ମୋ ପିଲାବେଳ,

ଦାଦା ଖୁଡି ଭାଇ ଭଉଣୀ

  ସଙ୍ଗାତ ମିତ,

କଳି ଝଗଡା ସ୍ନେହ ଶ୍ରଦ୍ଧା

ଭାରି ଆପଣାର ସେତ।

ବୟସର ପାହାଚ ତ ଚଢିଗଲି

ତତେ ଛାଡି ସହରକୁ ଚାଲି ଆସିଲି

କିନ୍ତୁ ନାହିଁ ଏଠି

   ମୋ ଗ୍ରାମ ଦେବତୀ ପୀଠ

   ମୋ ଗାଁ ମନ୍ଦିର

   ମୋ ଗାଁ ନଈ ତୁଠ।

ଜନ୍ମଭୂମି ତୁ ମୋର

ଲାଗୁ ତୁ ସବୁବେଳେ ନିଜର,

ବର୍ଷକୁ ବର୍ଷ ପାହାଚ ଚଢୁଛି ବୟସର

କିନ୍ତୁ ଖୋଜିଚାଲେ ମୁଁ

    ତୋ ସହ ବିତିଥିବା ସ୍ମୃତି

    ମୋ ପିଲାବେଳର।

ତୋର ସେ ବିଲ ବଣ ଜଙ୍ଗଲ

ଡାକୁଛି ମତେ ଠାରି ହାତ,

ମିଛ ମାୟା ମୋହର ସଂସାରେ

ତୋହରି ସ୍ନେହ ଖାଲି ସତ।

ତୋରି କୋଳେ କେତେ ଯେ ଖେଳ

ବୋହୂଚୋରି ଲୁଚକାଳି

ପୁଣି ମକର ମେଳ

ମନେପଡିଲେ ଲାଗୁଛି ମତେ

ଦୁନିଆରେ ସବୁଠୁ ସୁନ୍ଦର

ମୋ ଜନ୍ମଭୂମି ଆଉ ମୋ ପିଲାବେଳ।

ସ୍ମୃତି ନାମକ ସଜ ଫୁଟା ଫୁଲଟିଏ ହୋଇ

ରହିଯାଇଛୁ ମୋ ହୃଦୟେ ଭରି

କେମିତି ଅବା ଭୁଲିବି,

ସ୍ମୃତି ସେତ ମୋ ଜନ୍ମଭୂମିର।


.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract