ଯୋଗୀ
ଯୋଗୀ
ନିଜ ଘର ଆଗରେ ଗ୍ୟାରେଜ କରିଛି ଯୋଗୀ . ଭଗବାନଙ୍କ ଦୟାରୁ ଯିବା ଆସିବା ରାସ୍ତାରେ ଘର ଖଣ୍ଡକ ମୁଣ୍ଡ ଟେକିଛି ତ ଲୋକଙ୍କ ଦୃଷ୍ଟି ଗୋଚରରେ ଆସି କାମ ମିଳିଯାଏ ଯୋଗୀକୁ ଖୁବ. ଭଲ ଦି ପଇସା ରୋଜଗାର ହୁଏ ସାଇକେଲ ଓ ବାଇକ ସହ ବଡ଼ ବଡ଼ ଗାଡି ଲାଗେ ତା ଗ୍ୟାରେଜରେ. ମାଲବାହି ଟ୍ରକ ଚକାସବୁକୁ ତତକ୍ଷଣାତ ସଜାଡି ଦିଏ ଯୋଗୀ . ତା ହାତର ଯାଦୁ ସ୍ପର୍ଶରେ ସାଇକେଲଠୁ ଆରମ୍ଭ କରି ବଡ଼ ଗାଡି ଚକ ହେଉ ଅବା କୌଣସି ଗାଡିର ପାର୍ଟ ହେଉ ସଜାଡି ହୋଇଯାଏ ତା ହାତରେ ତ ସ୍ତ୍ରୀ କହେ କୋଉ ଇଞ୍ଜିନିଅର ବି ପଡିବେନି ତୁମ ପାସଙ୍ଗରେ. କୁଣ୍ଢେମୋଟ ହୋଇଯାଏ ଯୋଗୀର ମନ. ସ୍ତ୍ରୀ କିନ୍ତୁ ମନ ଊଣା କରେ କେଵେ ଆଉ ତୁମକୁ ବେଳ ହେବ ଯେ ଟିକେ ବୁଲେଇବାକୁ ନେବ ଆମ ମାଆ ଝିଅଙ୍କୁ କହେ ସ୍ତ୍ରୀ ମାଳ. ହସିଦିଏ ଯୋଗୀ ଆଉ କହୁଥାଏ ଦୁଇ ପଇସା ହାତକୁ ନଆସିଲେ କିଛି ହୋଇପାରିବ ନାହିଁ ଲୋ ବା୍ୟାଣୀ. ଉଭୟ ଉଭୟଙ୍କ ସ୍ନେହ ପୂର୍ଣ୍ଣ କଥାରେ ବିଗଳିତ ହୋଇ ଯିଏ ଯାହାର କାମରେ ଲାଗିପଡ଼ନ୍ତି.
ଛୋଟ ଝିଅର ମନ ବୁଝେନା. ଦାରୋଟି କଥା ସାଙ୍ଗକୁ ଠୁକୁ ଠୁକୁ ଚାଲି ପକେଇ ଥରକୁ ଥର ପଶିଆସେ ବାପା ବାପା ଡାକି ଗ୍ୟାରେଜ ଭିତରକୁ. ମାଳ ଆସି ଛୁଆ ଝିଅଟାକୁ କାଖେଇ ନେଇଯାଏ. ଆଜି ଗୋଟେ ବଡ଼ କାମ ମିଳିଛି ଯୋଗୀକୁ . ଚକ ସହିତ ଯାନ୍ତ୍ରିକ ତ୍ରୁଟି ସଜାଡିବାକୁ ମୁଣ୍ଡ ଲଗେଇବାକୁ ପଡିବ ତାକୁ. ବାପା ବୋଉ ସୋମନାଥଙ୍କୁ ପୂଜି ପୁଅ ପାଇଥିଲେ ବୋଲି ନାମ ରଖିଛନ୍ତି ଯୋଗୀ . ସେଇ ସୋମନାଥଙ୍କୁ ଭକ୍ତି ଓ ଭାବରେ ସ୍ମରି ସେ ହାତ ଲଗାଏ କାମରେ ତ ହାରିନି ଏଯାଏଁ ହେଲେ ଆଜି ଅବୁଝା ଝିଅ ଜମା ବୁଝୁନି. ବାପା ବାପା କହି ଥରକୁ ଥର ଗ୍ୟାରେଜ ଘରକୁ ପଶିଆସୁଛି. ମାଳ ଯେତେ ଚେଷ୍ଟା କଲେ ବି ପାରୁନି.ଝିଅକୁ ରଖି ସେପଟୁ ଦୁଆର ଦେଇଦେଲେ ମଧ୍ୟ କୁନି କୁନି ଦୁଇ ଯୋଡ଼ା ହାତରେ ଦୁଆର ବାଡେଇ ବାଡେଇ ବାପା ବାପା ଡାକି ରାହା ଧରି କାନ୍ଦୁଛି କୁନି ଝିଅ. ମାଳ ଦେଖିଲା ବେଳକୁ ଝିଅର ହାତ ଫାଟି ରକ୍ତ ବାହାରି ଆସିଲାଣି. ଆଜି ସମ୍ଭାଳି ପାରିଲାନି ସିଏ. ଦୁଆର ଫିଟାଇ ଠିଆ ହେଲା ସ୍ୱାମୀ ପାଖରେ.
ଯୋଗୀ କିଛି ବୁଝିବା ପୂର୍ବରୁ ମାଳ କହିଚାଲିଥିଲା ଯୋଗୀ ହୋଇଗଲନି!ସଂସାର ବାନ୍ଧୁଥିଲ କଣ ପାଇଁ! ଝିଅ ଏଡ଼େ ବିକଳରେ ଡାକୁଛି. ସେ କଣ ବୁଝେ ଏ ଦୁନିଆଁ କଥା. ବୁଝିଲା ବେଳକୁ ସେ କେତେଦୂରେ ଥିବ. ବାପା ବୋଲି ଡାକିଲେ ମଧ୍ୟ ଶୁଭୁନଥିବ ତୁମକୁ. ବଡ଼ ହୋଇ ଯେତେ ପାଠ ଶାଠ ପଢିଲେ ମଧ୍ୟ ଝିଅ ଦିନେ ପରଘରୀ ହେବ. ସେଠି ସେ ଭଲରେ ଥିଲେ ବାପାବୋଲି ଡାକିଲେ ଶୁଭିବ ନା ମନ୍ଦରେ ଥିଲେ ବାପା ବୋଲି ଡାକିଲେ ଶୁଭିବ? ଏଇ ପିଲାଦିନ ତାର ଆଉ ନଥିବ.ବାପା ମାଆ ପାଖେ ଅଳି ଅଝଟ କରି ତାଙ୍କ ସମୟରୁ ତା ପାଇଁ କିଛି ମାଗିବାକୁ. ସେ କଣ ବୁଝେ ବାପା ମାଆଙ୍କ ନିଅଣ୍ଟିଆ ସଂସାରରେ ଦୁର୍ମୁଲ୍ୟ ସମୟ କଥା!ତାକୁ ଗୋଟେ ମିନିଟ କୋଳକୁ ନେଇ କିଛି ଟିକେ ସ୍ନେହରେ ପଦେ କହିଦେଲେ ସେ ବୁଝିଯାଇଥାଆନ୍ତା. ସେସବୁ ବାପା ହୋଇ ବୁଝିନପାରିଲେ ବୁଝେଇବ କିଏ!ସ୍ତମ୍ବିଭୂତ ଯୋଗୀ ଆଜି ସ୍ତ୍ରୀ ମାଳ କଥାରେ. ଝିଅକୁ କୋଳକୁ ନେଇ ବୋକ ଦେଲାବେଳେ ଲୁହ ଦୁଇଧାର ଗଡି ପଡୁଥିଲା ଦୁଇ ଆଖିରୁ ଯୋଗୀର . ମନେ ପଡୁଥିଲା ପିଲାଦିନର ବାପା ମାଆଙ୍କ ସଙ୍ଗେ ବିତାଇଥିବା ସେ ଅଭୁଲା ଦିନ. ବୋଉ ବୋଲି କି ବାପା ବୋଲି ପଦେ ଡାକିଲେ ଆଉ ଶୁଣିବାକୁ କେହି ନାହିଁ. ଯୋଗୀ ଝିଅକୁ ଶାନ୍ତ କରି କହିଲା ବାହାର ବାହାର ଯିବା. କୁଆଡେ? ମାଳ ପଚାରୁଥିଲା ଏବଂ କାମ ଅଛି ସାର କହିଲା ବେଳେ ଯୋଗୀ କହୁଥିଲା କାମ ରାତିରେ ହୋଇପାରିବ ଚାଲ ଚାଲ ଟିକେ ତୁମ ଘରେ ତୁମ ବାପା ମାଆଙ୍କୁ ଦେଖିଆସିବା. ମାଳର ପାଦ ପଡୁଥିଲା ଚାରି କି ପାଞ୍ଚ ହାତରେ ।
