ଯୋଡ଼ା ଶ୍ରାବଣ
ଯୋଡ଼ା ଶ୍ରାବଣ
ବର୍ଷା କମୁ ନ ଥିଲା।
ଶ୍ରାବଣର ବର୍ଷା।
ସଂଜ ହୋଇ ଆସୁଥିଲା।ଘରକୁ ଫେରିବାକୁ ତରତର ହେଉଥିଲା ରାକୁଲ୍।
ଅନୁରାଗର ଦୁଷ୍ଟାମି କମୁ ନ ଥିଲା।
- ' ଅନୁପମ ବ୍ୟସ୍ତ ହୋଇଯିବେ।ତୁମେ ମୋତେ ଛାଡୁନ କାହିଁକି ? ' ରାକୁଲ୍ କହିଲା।
- ' ବର୍ଷାରେ ଓଦା ହୋଇଯିବ।ଛତା ଆଣିଛ ? ' ଅନୁରାଗ ଓଲଟି ପ୍ରଶ୍ନ କଲା।
- ' ମୁଁ ତ ପୂରାପୂରି ଓଦା।ଦେଖିପାରୁନ ବୋଧେ। ' ରାକୁଲ୍ କହିଲା।
- ' ଏଇଟା ଶ୍ରାବଣର ଦୋଷ।ଦେଖୁଛି - - - ଦେଖୁଛି।ସେଥିପାଇଁ ତ ଛାଡିପାରୁନି। ' ଅନୁରାଗ କହିଲା।
- ' ଏଇ ଶ୍ରାବଣଟା କେବେ ସରିବ କେଜାଣି ! ' ରାକୁଲ୍ ଟିକେ ବିରକ୍ତ ହୋଇ କହିଲା।
- ' ଶ୍ରାବଣ ପରେ ପୁଣି ଶ୍ରାବଣ ଆସୁଛି।ଏ ବର୍ଷ ଯୋଡ଼ା ଶ୍ରାବଣ।ହେଲେ ତୁମେ ଶ୍ରାବଣ ସରିବା କାହିଁକି ଖୋଜୁଛକି ? ' ଅନୁରାଗ ହସିଦେଇ କହିଲା।
- ' ଅନ୍ତତଃ ତୁମ ଦୁଷ୍ଟାମି ଟିକେ କମିଯାଆନ୍ତା। ଏ ଶ୍ରାବଣ ତୁମକୁ ଭାରି ଦୁଷ୍ଟ କରିଦେଉଛି। ' ରାକୁଲ୍ କହିଲା।
ଅନୁରାଗ ମୁର୍କି ହସିଲା।
- ' ବର୍ଷାରେ ଓଦା ହେଲେ ଅନୁପମ ଗାଳି କରୁଛନ୍ତି। ' ରାକୁଲ୍ କହିଲା।
ଅନୁରାଗ କହିଲା - ' ତୁମକୁ ବା କୋଉ ମିଛ କହି ନ ଆସେ ! ଛତା ନେବାକୁ ଭୁଲିଗଲି।ଅଚାନକ ବର୍ଷା ଆସିଗଲା।ସ
ଂଜ ହୋଇ ଯାଇଥାନ୍ତା।ତୁମେ ବ୍ୟସ୍ତ ହୋଇ ପଡିଥାନ୍ତ ଇତ୍ୟାଦି ଇତ୍ୟାଦି। '
- ' ଓହୋ ଅନୁରାଗ ! ତୁମେ ଆଉ ଏତେ କଟାକ୍ଷ କରନା।ସବୁ ତୁମରି ପାଇଁ। ' ରାକୁଲ୍ ଗେହ୍ଲେଇ ଗେହ୍ଲେଇ କହିଲା।
ଅନୁରାଗ ଠୋ ଠୋ ହସିଲା।
ରାକୁଲ୍ ପୁଣି କହିଲା - ' ଏତେ ମିଛ ବାହାନା କରି ପାରିବିନି।ମୁଁ ଝିଅ ପିଲା।ତୁମେ ଦୁଷ୍ଟାମି କମ୍ କର। '
- ' ଉଁ - - - , କହୁଛ ଯଦି ଦେଖିବା।ତୁମ ପାଇଁ ଆଉ କ'ଣ କରିପାରିବି କୁହ। ' ଅନୁରାଗ ଅନ୍ୟମନସ୍କ ଭଙ୍ଗୀରେ କହିଲା।
ରାକୁଲ୍ କହିଲା - ' ତୁମେ ବାହା ହୋଇଯାଅ।କହିବ ତ ଗୋଟେ ସୁନ୍ଦରୀ ଝିଅ ଯୋଗାଡ଼ କରିଦେବି। '
- ' ସେ ଝିଅ ତୁମେ ତ ନୁହଁନା ! ତା' ଛଡ଼ା ତୁମେ ଆସୁଛ।ମୁଁ ତ ସବୁଦିନେ ବାହା ହେଉଛି।ଆଉ ବାହା ହେବି କ'ଣ ! ' ଅନୁରାଗ ହସିଦେଇ କହିଲା।
ରାକୁଲ୍ କହିଲା - ' ନା,ଆଉ ନୁହେଁ। ପ୍ରେମିକା ଥିଲି, ଏବେ ପରନାରୀ।ତୁମକୁ ବୁଝିବାକୁ ହେବ।ଜିଦି କଲେ ଭଲ ହେବନି।ସବୁଦିନେ କେତେ ମିଛ କହିବି ଆଉ ? '
ଥମ୍ ହୋଇ ରହିଗଲା ଅନୁରାଗ। କାନ୍ଦି ପକେଇଲା।
ରାକୁଲ୍ କହିଲା - ' ଅବୁଝା ହୁଅନି, ଅନୁରାଗ।ମୋ କଥା ମାନ।ତୁମେ ମୋର ଭଲ ବନ୍ଧୁଟିଏ ତ ହୋଇପାରିବ ! '
ଅନୁରାଗ କହିଲା - ' ସତରେ ଏ ବର୍ଷ ଯୋଡ଼ା ଶ୍ରାବଣ।ଏହି ଶ୍ରାବଣଟା ସବୁବେଳେ ଅବୁଝା ନୁହେଁକି ! '
ଅନୁରାଗର ଦୁଇ ଆଖିରୁ ଲୁହ ଝରୁଥିଲା।
ରାକୁଲ୍ ଆଖିରେ ଲୁହ ଆସିଗଲା।