Sachidananda Kar

Tragedy Romance

2.5  

Sachidananda Kar

Tragedy Romance

ଯାତ୍ରା

ଯାତ୍ରା

2 mins
433


ଝୁରୁଝୁରୁ ବର୍ଷା । ଗୋଟିଏ ରଙ୍ଗୀନ ଛତା ତଳେ ଥିଲା ସରିତା । ବେଶ୍ କିଛି ବର୍ଷ ପରେ ତାକୁ ଦେଖୁ ଦେଖୁ ସୁମନ୍ତର ପରସ୍ତେ ଝାଳ ବୋହିଗଲା । ହଠାତ୍ କିଛି ପ୍ରଶ୍ନ ତା' ମୁଣ୍ଡକୁ ଆସିଲା । ପର ମୁହୂର୍ତ୍ତରେ ସେସବୁକୁ ଅଦରକାରୀ ମନେକଲା ସେ । କୋଉ ଗୋଟେ କଥା ହଠାତ୍ ସରିତାର ମନେ ପଡିଲା । ସେ ପଚାରିବାକୁ ପ୍ରସ୍ତୁତ ହେଲା ।

- ' ଯା'ହେଉ, ଶେଷ ଜୀବନରେ ଦେଖା ହୋଇଗଲା । ଭଲ ହେଲା । ଗପସପରେ କିଛି ଆପତ୍ତି ନାହିଁ । କ'ଣ କହିବ ? ' ଏତିକିବେଳେ ସୁମନ୍ତ କହିଲା ।

- ' ମୋ ଟିକେଟ୍ ତୁମ ପାଖରେ ରହିଯାଇଛି । ' ସରିତା କହିଲା ।

- ' କୋଉ ଟିକେଟ୍ କଥା କହୁଛି ସରିତା ! ' ମନକୁମନ କହିଲା ସୁମନ୍ତ ।ପଛ କଥା ଭାବିଲା ।

- ' ସାଙ୍ଗ ହେଲେ । ସାଙ୍ଗ ହୋଇ ବଞ୍ଚିବା । ସାଙ୍ଗ ହୋଇ ମରିବା । '

ମନେପଡିଲା ସରିତାର ଏଇ କଥା ।

- ' ସହଯାତ୍ରୀ ଥିଲେ ଯାତ୍ରାର ମଜା ବେଶ୍ ନିଆରା । ଚାଲ, ସାଙ୍ଗ ହୋଇ ଟିକେଟ୍ କରି ନେବା । ' ସେଦିନ କହିଥିଲା ସୁମନ୍ତ ।

- ' ଶୁଣ, ତୁମ ବିନା ମୁଁ ବଞ୍ଚି ପାରିବିନି । ମୋ ବିନା ବଞ୍ଚି ପାରିବକି ତୁମେ? ' କହିଥିଲା ସରିତା । ବଞ୍ଚିପାରିବି  । ସତରେ ସେଦିନ କହି ପାରି ନ ଥିଲା ସୁମନ୍ତ । ଧୀରେଧୀରେ ସଂପର୍କ ଏପରି ନିବିଡ଼ ହୋଇଗଲା ଯେ ଟିକେଟ୍ ପାଇଁ ଦୁହେଁ ଧାଡିରେ ଠିଆ ହୋଇଗଲେ । କିଣି ନେଲେ ବି । ସବୁ ଏବେ ସୁମନ୍ତର ମନେପଡିଲା । ଆଉ ସେ ସମୟ ନାହିଁ କି ସେଦିନର ସଂପର୍କ ନାହିଁ । ସାଙ୍ଗରେ ରହୁଥିବା ମଣିଷଟା ବି ସାଙ୍ଗରେ ଯାତ୍ରା କରିବାକୁ ବାଧ୍ୟ ନୁହେଁ । ତେଣୁ ତା'ର ଟିକେଟ୍ ତାକୁ ଫେରାଇ ଦିଆଯିବା ଉଚିତ । ଏମିତି ଭାବିଲା ସୁମନ୍ତ । ସଙ୍ଗେସଙ୍ଗେ ନିଜର ଝୁଲା ବ୍ୟାଗ୍ ଅଣ୍ଡାଳିଲା । ଝୁରୁଝୁରୁ ବର୍ଷା ହେଉଥିଲା । ଗୋଟିଏ ଛତା ତଳେ ସରିତା । ଆଉ ଗୋଟିଏ ଛତା ତଳେ ଥିଲା ସୁମନ୍ତ ।

- ' ତୁମକୁ ଫେରାଇ ପାରି ନ ଥିଲି ।ଏଇ ନିଅ ତୁମ ଟିକେଟ୍ । ' ଫେରାଇଲା ବେଳେ କହିଲା ସୁମନ୍ତ । ସରିତାର ମୁହଁଟି କାନ୍ଦ କାନ୍ଦ ଦିଶୁଥିଲା ।

ସୁମନ୍ତ କହିଲା - ' ବାହାଘର ଆଗରୁ ତୁମେ ମତେ ବହୁତ ଖୋଜିଥିଲ । ପରେ ଜାଣିଲି । '

ସରିତାର କୋହ ଫାଟି ପଡିଲା । ମୁହଁ ବୁଲାଇ ଆଗକୁ ପାଦ ପକାଇ ଚାଲିଗଲା ସେ । ସେତିକି ସରିତା ସହିତ ସୁମନ୍ତର ଶେଷ ଦେଖା । ଆଉ ଦେଖା ହେବ ଭାବି ନ ଥିଲା ସେ । ସମୟ ଆସିଗଲା । ସୁମନ୍ତ ତା'ର ଟିକେଟ୍ ଖଣ୍ଡିକ ଧରି ଯାତ୍ରା ଆରମ୍ଭ କଲା ।

ସରିତା ! ବାଟରେ ସରିତାକୁ ଦେଖି ଚମକି ପଡିଲା ସେ ।

- ' ଶେଷ ଯାତ୍ରା ତୁମ ସହିତ ! ' ସରିତା କହିଲା ।

- ' ବୋଧହୁଏ ଏହା ହେବାର ଥିଲା । ' କହିଲା ସୁମନ୍ତ ।

- ' ଭଲ ହେଲା । ଶେଷ ଯାତ୍ରାରେ ତୁମକୁ ସାଥି ରୂପେ ପାଇଲି । ' ସରିତା କହିଲା ।

- ' ଜୀବନ ଯାତ୍ରାରେ ମୁଁ ତୁମ ସହିତ ଥିଲେ ଆହୁରି ଭଲ ହୋଇଥାନ୍ତା ନିଶ୍ଚୟ । ' ସୁମନ୍ତ କହିଲା ।

- ' ହଁ,ହୁଏ ତ । ' କହିଲା ସରିତା ।ଆନମନା ଦିଶିଲା ।

ଆଜି ବି ଝୁରୁଝୁରୁ ବର୍ଷା ହେଉଥିଲା । ଦୁହେଁ ସେଇଠିକି ଯାଉଥିଲେ, ଯେଉଁଠି ପହଞ୍ଚିଗଲେ ଆଉ ଫେରି ପାରେନାହିଁ ମଣିଷ ।


Rate this content
Log in

Similar oriya story from Tragedy