Kulamani Sarangi

Classics

3  

Kulamani Sarangi

Classics

ଉଦିତ ସୂର୍ଯ୍ୟର ଅକାଳ ମୃତ୍ୟୁ

ଉଦିତ ସୂର୍ଯ୍ୟର ଅକାଳ ମୃତ୍ୟୁ

4 mins
168



ତ୍ରୟୋଦଶ ଦିନର ଲୋମହର୍ଷଣକାରୀ ଯୁଦ୍ଧ ଦେଖିବାପାଇଁ ଦେବତା ମାନେ ଆକାଶରୁ ଚାହିଁ ରହିଛନ୍ତି। ଦୁର୍ଯ୍ୟୋଧନ, ଦୁଃଶାସନ, ଦ୍ରୋଣାଚାର୍ଯ୍ୟ, ଅଶ୍ଵତ୍ଥାମା,କର୍ଣ୍ଣ, ଶକୁନି,କୃପାଚାର୍ଯ୍ୟ ଆଦି କୌରବ ପକ୍ଷର ସପ୍ତ ମହାରଥୀଙ୍କ ସହିତ ଏକାକୀ ଯୁଦ୍ଧ କରୁଥିଲା ଅର୍ଜୁନ ପୁତ୍ର ଅଭିମନ୍ୟୁ। ତେଣେ ସଂସପ୍ତକ ଯୁଦ୍ଧରେ ମଧ୍ୟମ ପାଣ୍ଡବ ଅର୍ଜୁନ କୁରୁ କ୍ଷେତ୍ରରୁ ବହୁ ଦୂରରେ ମଗ୍ନ ରହି ରଣକ୍ଷେତ୍ରକୁ ଆସିବା ପାଇଁ ଅବସର ପାଉ ନଥିଲେ। ସଂସପ୍ତକ ମାନଙ୍କ "ଯୁଦ୍ଧମ୍ ଦେହି" ଆହ୍ବାନ ଶୁଣିବା ପରେ ପାର୍ଥସାରଥୀଙ୍କ ଦ୍ବାରା ପରିଚାଳିତ ନନ୍ଦିଘୋଷ ସଂସପ୍ତକ ବାହିନୀକୁ ଚିରି ମେଘ ଭିତରେ ଚନ୍ଦ୍ର ପ୍ରବେଶ କଲାଭଳି ପ୍ରବେଶ କଲା। 


ମାୟାବୀ ସଂସପ୍ତକ ମାନେ"ମହାମେଘ" ବାଣ ପ୍ରୟୋଗ କରି ବାଣର ଘୋର ଘନଘଟା ସୃଷ୍ଟି କରିଥିଲେ।ଦୁର୍ଭେଦ୍ୟ ମେଘମାଳାରୁ ନନ୍ଦିଘୋଷ ଉପରେ ବର୍ଷା ହେଉଥିଲା କୁଢକୁଢ ବାଣ।ସେ ସମସ୍ତ ପ୍ରତିହତ କରିବା ପାଇଁ ବିଜୁଳି ବେଗରେ ନନ୍ଦିଘୋଷ ଚାଳନା କରୁଥିଲେ ଶ୍ରୀକୃଷ୍ଣ।ବାଣ ଆଘାତରେ ରକ୍ତରଞ୍ଜିତ ଅର୍ଜୁନଙ୍କ ଶରୀର। ହସିଦେଇ ଶ୍ରୀକୃଷ୍ଣ କ‌ହିଲେ.. ଏହା ତ କ୍ଷତ୍ରିୟର ଭୂଷଣ ପାର୍ଥ !ବିବ୍ରତ ହୁଅନାହିଁ ଧନଞ୍ଜୟ ! ତୁମର ଏହି ସମସ୍ତ ସଂସପ୍ତକ ଶତ୍ରୁ ତୁମ ହାତରେ ନିହତ ହେବେ।"


ଶ୍ରୀକୃଷ୍ଣଙ୍କ ପ୍ରେରଣା ଅର୍ଜୁନଙ୍କ ମନରେ ଅପୂର୍ବ ଉନ୍ମାଦନା ଭରିଦେଲା।ଗାଣ୍ଡିବରେ ବାୟବ୍ୟ ଶର ଖଞ୍ଜିଲେ ଅର୍ଜୁନ।ପ୍ରଳୟ ବେଗରେ ଆକାଶରେ ସେ ବାଣ ସମସ୍ତ ମେଘ-ବାଣଙ୍କୁ ଦୂରକୁ ଭସାଇ ନେଲା।ସମ୍ମୁଖରେ ଦୃଶ୍ୟମାନ ହେଲେ ସୁଶର୍ମା ସହିତ ତାଙ୍କର ଅଗଣିତ ସଂସପ୍ତକ ସେନା।ଦଳ ଦଳ ହୋଇ ଆତ୍ମଘାତୀ ସଂସପ୍ତକ ସୈନ୍ୟ ବଳିପଶୁ ଭଳି ଅର୍ଜୁନଙ୍କ ବାଣରେ ଯମପୁର ଚାଲିଗଲେ।କୁଢ଼ କୁଢ଼ ମୃତ ଶବ ପଡ଼ିଥିଲା ଯୁଦ୍ଧକ୍ଷେତ୍ରରେ ଏବଂ ସେହି ରକ୍ତ ମେଦ ମାଂସ ଉପରେ ଗଡ଼ି ଚାଲିଲା ନନ୍ଦିଘୋଷ ରଥ।ବିଜୟ ଗର୍ବରେ ଫେରି ଯାଉଥିଲା ନନ୍ଦିଘୋଷ କୁରୁ କ୍ଷେତ୍ରକୁ; କିନ୍ତୁ ଆହୁରି ଅନେକ ସଂସପ୍ତକ ଆସି ଅର୍ଜୁନଙ୍କ ପଥରୋଧ କଲେ।


ଏଣେ କୁରୁକ୍ଷେତ୍ରରେ ଚକ୍ରବ୍ୟୁହ ମଧ୍ୟରେ ଏକାକୀ ଯୁଦ୍ଧରତ ଅଭିମନ୍ୟୁ।ଭୀମ,ସାତ୍ୟକି, ବିରାଟ,ଧୃଷ୍ଟଦ୍ୟୁମ୍ନ ଆଦି ଯୋଦ୍ଧା ମାନେ ତାକୁ ସହାୟତା ଦେବାପାଇଁ ବ୍ୟୁହ ମଧ୍ୟରେ ପ୍ରବେଶ କରିପାରୁନଥିଲେ।ବ୍ୟୁହଦ୍ବାରରେ ଥାଇ ସିନ୍ଧୁରାଜ ଜୟଦ୍ରଥ ସେମାନଙ୍କ ପଥରୋଧ କରୁଥିଲା।ବ୍ୟୁହ ମଧ୍ୟରେ ଏକାକୀ ସିଂହଶିଶୁ ଅଭିମନ୍ୟୁ ଗର୍ଜନ କରୁଥାଏ। କର୍ଣ୍ଣ, ଦୁର୍ଯ୍ୟୋଧନ, ଦୁଃଶାସନ, ଶଲ୍ୟ ଆଦି ଯେଉଁ ବୀର ମାନେ ଅଭିମନ୍ୟୁ ଦ୍ବାରା ପରାସ୍ତ ହୋଇ ଜୀବନ ନେଇ ପଳାୟନ କରିଥିଲେ, ସେମାନେ ପୁଣି ଥରେ ଆସି ଯୁଦ୍ଧ ଆରମ୍ଭ କରିଦେଲେ।


 ଏହି ସମୟରେ ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣ କୁମାର ଅଭିମନ୍ୟୁ ଉପରେ ବାଣ ବର୍ଷଣ କଲା।ସେ ବାଣକୁ ପ୍ରତିହତ କରି ପାଲଟା ବାଣରେ ଅଭିମନ୍ୟୁ ଲକ୍ଷ୍ମଣ କୁମାରକୁ ସେପାରିକୁ ପଠାଇ ଦେଲା। ସମ୍ମୁଖରେ ପ୍ରିୟ ପୁତ୍ରର ମୃତ୍ୟୁ ଦେଖି କ୍ରୋଧରେ ଜ୍ଞାନ ଶୂନ୍ୟ ହୋଇ ଦୁର୍ଯ୍ୟୋଧନ କହିଲା...ଶୀଘ୍ର ନିହତ କର ଏ ଦୁଷ୍ଟ ବାଳକକୁ,ମୋ ପୁତ୍ରହନ୍ତାକୁ ଶୀଘ୍ର ମୃତ୍ୟୁ ଦଣ୍ଡ ଦିଅ।"


ଦ୍ରୋଣ କହିଲେ..ଏକକ ଯୁଦ୍ଧରେ ଅଭିମନ୍ୟୁକୁ ବଧ କରିବା ସମ୍ଭବ ନୁହେଁ,ସମସ୍ତେ ମିଳିତ ହୋଇ ତାକୁ ବଧ କର।" ଯୁଦ୍ଧର ସମସ୍ତ ନୀତି ନିୟମକୁ ଶୂନ୍ୟକୁ ଫିଙ୍ଗିଦେଇ,କୌରବ ପକ୍ଷର ସପ୍ତରଥି ଅଭିମନ୍ୟୁକୁ ଆକ୍ରମଣ କଲେ।ପୃଷ୍ଠ ଭାଗରୁ ବାଣ ପ୍ରହାର କରି କର୍ଣ୍ଣ ଅଭିମନ୍ୟୁକୁ ଅସ୍ତ୍ରହୀନ କଲେ।ଅନ୍ୟ ଏକ ବାଣରେ କର୍ଣ୍ଣ ତାର ରଥ ଧୂଳିସାତ କରି ଅଶ୍ବଙ୍କୁ ଯମପୁରକୁ ପଠାଇଲେ।


ଭୂମିରେ ଅଭିମନ୍ୟୁ ଖଡ୍ଗହସ୍ତରେ ଉଭା ହେଲା। ଦ୍ରୋଣାଚାର୍ଯ୍ୟ ଏକ ବାଣ ପ୍ରୟୋଗ କରି ଖଡ୍ଗକୁ ଖଣ୍ଡବିଖଣ୍ଡିତ କରିଦେଲେ। ସପ୍ତରଥିଙ୍କ ମିଳିତ ଆକ୍ରମଣ ଦେଖି ଅଭିମନ୍ୟୁ ପ୍ରଶ୍ନ କଲା..ହେ ଗୁରୁ ଦ୍ରୋଣାଚାର୍ଯ୍ୟ ! ଆପଣ ପରା ଶାସ୍ତ୍ରରେ ପାରଙ୍ଗମ ? କେଉଁ ଶାସ୍ତ୍ରରେ ଲେଖା ଅଛି ଏଭଳି ମିଳିତ ଭାବରେ ଜଣେ ଅସ୍ତ୍ରହୀନ ରଥୀକୁ ହତ୍ୟା କରିବା ପାଇଁ ?ହେ ଆଚାର୍ଯ୍ୟ କୃପ ! ତୁମେ ପରା ଆଚାରଶ୍ରେଷ୍ଠ !! କେଉଁ ଆଚାରବିଧି ଅନୁଯାୟୀ ତୁମେ ମିଳିତ ଭାବେ ଜଣେ ନିରସ୍ତ୍ର ରଥୀ ସହିତ ଯୁଦ୍ଧ କରୁଛ ?ହେ ଅଙ୍ଗରାଜ କର୍ଣ୍ଣ ! ଅର୍ଜୁନଙ୍କ ପରେ ଶ୍ରେଷ୍ଠ ବୀର ଭାବରେ ତୁମେ ଆର୍ଯ୍ୟାବର୍ତ୍ତରେ ପରିଗଣିତ;ଏହା କଣ ତୁମ ବୀରତ୍ବର ନମୁନା !! ତୁମେମାନେ ସମସ୍ତେ ମିଳିତ ଭାବରେ ମୋତେ ଆକ୍ରମଣ କରୁଛ ଜାଣି ମୋ ପିତା ତୁମ୍ଭମାନଙ୍କର ଅବସ୍ଥା କଣ କରିବେ ଚିନ୍ତା କରି ପାରୁଛ ତ ?"


ସେଦିନ କିନ୍ତୁ କୌରବ ପକ୍ଷର ମହାରଥୀ ମାନେ ସମସ୍ତ ଲଜ୍ଜା,ସବୁ ଯୁଦ୍ଧନୀତିକୁ ଶୂନ୍ୟକୁ ଫିଙ୍ଗି ଦେଇଥିଲେ।ଅସ୍ତ୍ରହୀନ ମତ୍ତହସ୍ତୀ ଅଭିମନ୍ୟୁ ଉପରେ ସେମାନେ ବାରମ୍ବାର ବାଣ ପ୍ରହାର କଲେ।ଦୁଇ ହାତରେ ଭଗ୍ନ ରଥ ଚକ୍ର ଧରି ଉଭା ହେଲା ଅଭିମନ୍ୟୁ।ଜଣାଗଲା ସତେ ଯେପରି ଦ୍ଵାରକା କେଶରୀ ସୁଦର୍ଶନ ଚକ୍ର ଧରି ରଣକ୍ଷେତ୍ରରେ ଦଣ୍ଡାୟମାନ।ଘୋର ଘର୍ଘର ଗତିରେ ସୁଦର୍ଶନ ଚକ୍ର ପରି ରଥ ଚକ୍ର ଘୂରାଇ ଅଭିମନ୍ୟୁ ଶତ୍ରୁ ପକ୍ଷରୁ ପ୍ରେରିତ ସମସ୍ତ ବାଣର ପ୍ରତିରୋଧ କଲା। କିନ୍ତୁ ଶେଷରେ ନିରସ୍ତ ହୋଇ ଧରାଶାୟୀ ହେଲା। ଦୁଃଶାସନର ପୁତ୍ର ଦୁର୍ମାଶନ ଆସି ପ୍ରଚଣ୍ଡ ଗଦା ପ୍ରହାର କଲା ଅଭିମନ୍ୟୁ ଉପରେ।ଦୁଇ ବୀର ଧରାଧରି ହୋଇ ଧରଣୀ ଉପରେ ଗଡା ଗଡ଼ି ହୋଇ ଯୁଦ୍ଧ କଲେ। କିନ୍ତୁ ଅସ୍ତ୍ରହୀନ ଅଭିମନ୍ୟୁଶିରରେ, ଶେଷରେ ଦୁର୍ମାଶନ ଗଦା ପ୍ରହାର କରି ତାକୁ ହତ୍ୟା କଲା।


ଅଭିମନ୍ୟୁର ପ୍ରାଣବାୟୁ ଉଡିଯାଇ ପରମାତ୍ମାଙ୍କ ସ୍ଥିତିରେ ଲୀନ ହୋଇ ଗଲା; ନିଶ୍ଚଳ ହୋଇ ପଡ଼ିରହିଲା ମୃତ ଶରୀର।

ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ ..ମହାରାଜ ! ପଦ୍ମବନକୁ ହସ୍ତୀ ଦଳନ କଲାଭଳି ଯେଉଁ ଅଭିମନ୍ୟୁ ଏକାକୀ କୌରବ ପକ୍ଷରେ ଆତଙ୍କ ସୃଷ୍ଟି କରିଥିଲା ତାକୁ ଆପଣଙ୍କ ପୁତ୍ର ଓ ମହାରଥୀମାନେ ଏହିପରି ଅନ୍ୟାୟ ଯୁଦ୍ଧରେ ହତ୍ୟା କଲେ;ଏହାପରେ ନିର୍ଲଜ ବ୍ୟାଧମାନେ ଯେଉଁପରି ଶିକାର ଚାରିପଟେ ଘୂରିବୁଲି ନର୍ତ୍ତନ କରନ୍ତି ସେହିପରି ଆପଣଙ୍କ ଯୋଦ୍ଧାମାନେ ହର୍ଷୋଲ୍ଲାସ କରୁଥିଲେ।ଏହା ଦେଖି ସ୍ବର୍ଗରୁ ଦେବତା ମାନେ ଲଜ୍ଜା ଲଜ୍ଜା ବୋଲି ଚିତ୍କାର କରୁଥିଲେ ମଧ୍ୟ ଅନ୍ୟାୟ-ବିଜୟରେ ଉନ୍ମତ୍ତ ଆପଣଙ୍କ ମହାରଥୀ ମାନେ ତାହା ଶୁଣି ପାରୁନଥିଲେ।ଆକାଶରେ ଘୂରି ବୁଲୁଥିବା ଗୃଦ୍ଧ୍ରପକ୍ଷୀମାନେ ମଧ୍ୟ "ଏହା ଅନ୍ୟାୟ,ଏହା ଅନ୍ୟାୟ"ବୋଲି ଚିତ୍କାର କରୁଥିଲେ।ହେ ମହାରାଜ! କୁରୁକ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇ ଥିବା ଯୁଦ୍ଧରେ ଏଭଳି ଅନ୍ୟାୟ ଆଚରଣ ବୀର ମାନଙ୍କ ଦ୍ବାରା କଦାପି ହୋଇନାହିଁ।"


 ଯେଉଁମାନେ ପାଷଣ୍ଡ ଓ ହୃଦୟହୀନ ସେମାନଙ୍କ ଆଖିରେ ଥିଲା ଆନନ୍ଦ, କିନ୍ତୁ ଉତ୍ତମ ବ୍ୟକ୍ତି ମାନଙ୍କ ଆଖିରେ ଥିଲା ଅଶ୍ରୁ ହିଁ ଅଶ୍ରୁ। ବିଜୟ ଉଲ୍ଲାସରେ ଯେତେବେଳେ କୌରବପକ୍ଷ ଆନନ୍ଦ ଉତ୍ସବ ପାଳନ କରୁଥିଲେ,ଯୁଯୁତ୍ସୁ ନାମକ ଧୃତରାଷ୍ଟ୍ରଙ୍କ ଏକ ପୁତ୍ର ସେମାନଙ୍କୁ ତିରସ୍କାର କରି କହିଲା..ଏହା ଘୋର ଅନ୍ୟାୟ, କ୍ଷତ୍ରିୟ ହୋଇ ଏଭଳି ଘୃଣ୍ୟ କାର୍ଯ୍ୟ କରିବା ପାଇଁ ତୁମ୍ଭମାନଙ୍କର ବିବେକ ବାଧା ଦେଲା ନାହିଁ !! ଏଭଳି ଘୃଣ୍ୟ କର୍ମକରି ତୁମେମାନେ ପୁଣି ଆନନ୍ଦ ଉତ୍ସବ ପାଳନ କରୁଛ !! ଏହାର ଭୟାବହ ପରିଣତି ନିଶ୍ଚୟ ଭୋଗ କରିବ।"ଏହାକହି ଯୁଯୁତ୍ସୁ ଅସ୍ତ୍ର ଫିଙ୍ଗିଦେଇ, ଯୁଦ୍ଧ କ୍ଷେତ୍ର ତ୍ୟାଗକରି ଚାଲିଗଲା।



Rate this content
Log in

Similar oriya story from Classics