STORYMIRROR

Sachidananda Kar

Romance

3  

Sachidananda Kar

Romance

ଉଡାଣଖୋର ପକ୍ଷୀ

ଉଡାଣଖୋର ପକ୍ଷୀ

2 mins
187


             ମୁଁ ଗୋଟେ ଉଡାଣଖୋର ପକ୍ଷୀ ପାଲଟି ଯାଇଥିଲି।ଯୌବନରେ ପାଦ ଦେଉଣୁ ନ ଦେଉଣୁ ଇଏ ଯେମିତି ଥିଲା ମୋର ଗୋଟେ ନିଶା - ଉଡି ବୁଲିବାର ନିଶା। 

             ଲୁହା ପଞ୍ଜୁରୀ ଠାରୁ ଆରମ୍ଭ କରି ସୁନା ପଞ୍ଜୁରୀଯାଏ - କିଏ କେତେ ଦେଖାଉଥିଲେ ମୋତେ।ସ୍ନେହ,ଶ୍ରଦ୍ଧା ଯାଚୁଥିଲେ।ମୋ ପାଇଁ ଖୁବ୍ ଆଦର,ଆଗ୍ରହ ରଖୁଥିଲେ।ମୋତେ ଫଶାଇବାକୁ ବଶୀକରଣର ଫାଶ ବସାଉଥିଲେ।ହେଲେ ସେସବୁକୁ ଫୁ କରି ଦେଉଥିଲି ମୁଁ।ନାକ ଟେକି,ମୁହଁ ମୋଡି ଚାଲି ଯାଉଥିଲି। 

            ଝର୍କା ଖୋଲିଲେ ମୋତେ ଦିଶୁଥିଲା ଚେନାଏ ନୀଳ ଆକାଶ।ପାଚିଲା ଫସଲ, ବଗିଚାର ଫୁଲ, ପ୍ରବହମାନ ନଦୀ - ଏସବୁ ମଧ୍ୟ ଦେଖି ପାରୁଥିଲି ମୁଁ।ମୋର କୁଆଁରୀ ମନଟା କ୍ଷିପ୍ର ଗତିରେ ଗତିଶୀଳ ହୋଇ ଯାଉଥିଲା।ସେତେବେଳେ ଅମାନିଆ ହେବାକୁ ମୁଁ ଯେମିତି ଥିଲି ବାଧ୍ୟ। 

            ସମୟ ତ ଏଠି ସବୁବେଳେ ଚାଲିଥାଏ ନିଜ ଇଚ୍ଛାରେ, ଆପଣା ବାଟରେ।ଦିନେ ଜଣେ ତାଙ୍କ ନିଜର ଦୁଇହାତର ପାପୁଲି ଭିତରେ ବାନ୍ଧିରଖିଲେ ମୋତେ।ପାପୁଲି କେବେ ପଞ୍ଜୁରୀ ହୋଇପାରେନା।ନା,କେବେ ନୁହେଁ - ମୁଁ ମନେକଲି।ହେଲେ ତା' ଭିତରେ ବାନ୍ଧି ହୋଇ ଅନୁଭବ କଲି ଯେମିତି ମୋର ଉତ୍ତାପ ଓ ଉତ୍ତେଜନା ବଢି ବଢି ଚାଲିଛି।ତାହା ମୋ ପାଇଁ ପଞ୍ଜୁରୀ ନୁହେଁ,ଆକାଶ ପାଲଟିଛି। 

            ଏବେ ସେହି ଆକାଶରେ ମନଭରି ଉଡିବାକୁ ଲାଗିଲି ମୁଁ।ସେଇଠି ଖୋଜିବୁଲିଲି ମୋ ସ୍ବପ୍ନକୁ,ମୋ ଇଚ୍ଛାକୁ।ହଜିଗଲି ତା' ଭିତରେ। 

            ନା,ଆଉ ଏ ଆକାଶ ମୋର ଲୋଡାନାହିଁ।ଲୋଡା ମୁକ୍ତି।ଦିନେ ପ୍ରକୃତିସ୍ଥ ହୋଇ ମନକୁମନ କହିଲି।ସ୍ବାଧୀନ ମୁଁ, ସଂପୂର୍ଣ୍ଣ ସ୍ବାଧୀନ ହୋଇ ରହିବାକୁ ଚାହେଁ।ଏପରି ଭାବିଲି ଓ ମୋର ପୂର୍ବର ଆକାଶକୁ ପୁଣି ଫେରିବାକୁ ଚାହିଁଲି। 

            - " ମୁକ୍ତି ଦିଅ।ମୋର ମୁକ୍ତି ଲୋଡା।ମୁକ୍ତ ବିହଙ୍ଗର ଜୀବନ ଚାହେଁ ମୁଁ।ମୋତେ ଏ ପାପୁଲିର ବନ୍ଧନରୁ ମୁକ୍ତି କର। " ମୁଁ ଖୋଲି କହିଲି।ଦାବି କଲି। 

            ମୋତେ ନ ଶୁଣି ସେ ମୋ ଆଡ଼କୁ ଚୁଡି ବଢାଇଲେ।ମୋ ହାତକୁ ଧରି ନେଇ ମୋତେ ଯତ୍ନରେ ପିନ୍ଧାଇଦେଲେ।ମୁଁ ଉଡିଯିବାକୁ ବ୍ୟାକୁଳ ହେଉଥିବାବେଳେ ମୋ କପାଳରେ ଟିକିଲିଟେ ବସାଇଦେଲେ।ମୋ ମଥାରେ ଢାଳିଦେଲେ କିଛି ସିନ୍ଦୂର। 

            ହଠାତ୍ ମୋ ଆଖିରେ ହରିଣୀ ଆଖିର ନିଶା ଭରିଗଲା।ମୋ ଦେହଟା ବି ମୋତେ ଗୋଟେ ଲୁହାର ପଞ୍ଜୁରୀ ଭଳି ଲାଗିଲା।ଯିବି ଯିବି ବୋଲି ଯେତେ ହେଲେ ବି ଆଉ ଉଡି ଯାଇ ପାରିଲିନି।ଉଡାଣ ଭୁଲିଗଲା ମୋର ଡେଣା।ଗୋଟେ ସ୍ଥିର ଆକାଶରେ ଥିଲା ଭଳି ମୋତେ ଲାଗିଲା।ଯେଉଁଠି ଥିଲି ସେଇଠି ବେଶ୍ କିଛି ସମୟ ପାଇଁ ରହିଗଲି। 

            ସୁଖାନୁଭବରେ ଆପେ ବୁଜି ହୋଇଗଲା ମୋର ଆଖି।ଅନ୍ଧାର ବ୍ୟାପିଗଲା ପୃଥିବୀରୁ ଆକାଶ ପର୍ଯ୍ୟନ୍ତ।ସବୁ ଏକାକାର ହୋଇଗଲା।ଶୂନ୍ୟରେ ଭାସିଗଲା ମୋର ଉଡାଣ ସ୍ବପ୍ନ।ମୋର କୁଆଁରୀ କଳ୍ପନା କାରାରୁଦ୍ଧ ହୋଇଗଲା। 

            ଓଃ!ଇଏ କି ପଞ୍ଜୁରୀ ତେବେ!କେଉଁଠି ଅଛି ତାହା ଜାଣି ପାରୁ ନ ଥିଲି।ବିଭୋର ହୋଇ ମିଠା ମିଠା ସ୍ବପ୍ନରେ ମସଗୁଲ୍ ହେବାରେ ଲାଗିଲି।ମାଗିଲି - ଦିଅ,ମୋତେ ଆହୁରି ପଞ୍ଜୁରୀ ଦିଅ।ଦିଅ ମୋତେ ଆକାଶ ଭର୍ତ୍ତି ଶୂନ୍ୟତା।ତୁମରି ଭିତରେ ହଜିଯିବାକୁ ଚାହେଁ ମୁଁ।ତୁମର ଏଇ ବାନ୍ଧି ପାରି ନ ଥିବା ବନ୍ଧନ ମୋତେ ଆଉ କେଉଁଠି ମିଳିବ ଯେ! 

            ସଙ୍ଗେ ସଙ୍ଗେ ମନ ଖୋଲି, ହୃଦୟ ଖୋଲି ମୋର ଇଚ୍ଛା ପୂରଣ କରିଦେଲେ ସେ।ଏବେ ସେ ମୋର ଆକାଶ ଓ ମୁଁ ସେହି ଆକାଶର ଗୋଟେ ଉଡାଣଖୋର ପକ୍ଷୀ।ହଁ,ଉଡାଣଖୋର ପକ୍ଷୀ।


Rate this content
Log in

Similar oriya story from Romance