Parameswar Ojha

Classics

2  

Parameswar Ojha

Classics

ଉଆଁସୀ

ଉଆଁସୀ

7 mins
260


ଉଆଁସୀ

_______

                     . ପରମେଶ୍ବର ଓଝା



            

    ଦିନବନ୍ଧୁ ଙ୍କ ଘରେ ଯେତେବେଳେ ଝିଅ ଟିଏ ଜନ୍ମ ହେଲା ଖୁସି ରେ ଆତ୍ମହରା ହୋଇ ପଡ଼ିଥିଲେ ପରିବାର । ଯାହା ହେଉ ବହୁତ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷରେ ସୁଲୋଚନା ଙ୍କ କୋଳ ପୂର୍ଣ୍ଣ କରି ଘରକୁ ଲକ୍ଷ୍ମୀ ଆସିଛନ୍ତି । ମିଠା ବାଣ୍ଟିଥିଲେ ଦିନ ବନ୍ଧୁ ସାହି ପଡିଶା । ସୁଲୋଚନା ର କାନ ଭଗାରୀ ପାଟିରୁ ବାର ବାର ଶୁଣୁଥିବା ସେ ବାଞ୍ଝ ଶବ୍ଦ ରୁ ତ୍ରାହି ପାଇଗଲା ସବୁଦିନ ପାଇଁ ।


 କିନ୍ତୁ ସବୁ ଖୁସି ଭିତରେ ସେଦିନ ଦୁଃଖ ର କଳା ବାଦଲ ଘୋଟି ଯାଇ ସମ୍ପୂର୍ଣ୍ଣ ପରିବାର କୁ ସ୍ତବ୍ଧ କରି ଦେଇଥିଲେ । ଯୋଉ ଦିନ ଝିଅ ର ଜାତକ ତିଆରି କରେ ନାହାକ । ପଣ୍ଡିତେ କୋଷ୍ଠୀ ତିଆରୀ ସାରି ଘଡିଏ କୁନି ଝିଅ ମୁହଁ କୁ ଆଉ ଘଡ଼ିଏ ଦିନବନ୍ଧୁ ସୁଲୋଚନା ଙ୍କ ମୁହଁ କୁ ଚାହିଁ କହିଲେ - " ତମ ଝିଅ କୋଷ୍ଠୀ ଭାରି ଖରାପ କୋଷ୍ଠୀ ଏ ଝିଅ ଉଁଆସୀ ।" 


ଦିନ ବନ୍ଧୁ ଆଁ କରି ଚାହିଁ ଉତ୍ତର ଦେଇଥିଲେ - ମାନେ ? 


ପଣ୍ଡିତେ କହିଲେ - " ଏ ଝିଅ କୋଷ୍ଠି ରେ ବିଧବା ଯୋଗ ଅଛି । 

ସୁଲୋଚନା ଆଖି ଲୁହରେ ଭରିଗଲା - ତେବେ କ'ଣ କରିବା ଗୋସେଇଁ କୁହନ୍ତୁ ?"


ପଣ୍ଡିତେ - " କିଛି କରିବାର ନାହିଁ , ଏ ଝିଅ ଅଶୁଭ ବେଳରେ ଜନ୍ମ ନେଇଛି ଯାହାକୁ ବାହା ହେବ ସବୁଦିନ ପାଇଁ ସେ ଆଖି ବୁଜିବ । ଏ ଝିଅ ଉଆଁସୀ କନ୍ୟା , ଅଶୁଭ ବି କୁହା ଯାଇ ପାରେ ।


 ସୁଲୋଚନା ନିଜ କାନ୍ଦ କୁ ଆଉ ରୋକି ପାରିଲେନି - " ଏମିତି କୁହନ୍ତୁ ନାହିଁ ଗୋସେଇଁ , ଭାରି ଡର ଲାଗୁଛି ।" 


ପଣ୍ଡିତେ - " ମୁଁ ମନରୁ କିଛି କହୁନି ଯାହା ତମ ଝିଅ ର କୋଷ୍ଠୀ କହୁଛି ସେୟା ହିଁ ମୁଁ କହୁଛି। ତେବେ ଏଥିରେ ଡରିବାର କିଛି ନାଇଁ । ତମ ଝିଅର କିଛି କ୍ଷତି ହେବନି । ହେଲେ ସେ ଯାହାକୁ ବାହା ହେବ ତା'ର କ୍ଷତି ହେବା ସାର । 


 ଦିନବନ୍ଧୁ ଅତି କରୁଣ ଦୃଷ୍ଟିରେ ଚାହିଁ କହିଲେ ପଣ୍ଡିତ କୁ - ଏହାର କ'ଣ କିଛି ପ୍ରତିକାର ନାହିଁ ନନା ?" 


ପଣ୍ଡିତେ କିଛି ସମୟ ଚୁପ୍ ରହିବା ପରେ ଉତ୍ତର ଦେଲେ - " ହଁ ଅଛି ।


ପତି ପତ୍ନୀ ଙ୍କ ମୁହଁ ଉଜ୍ଜ୍ବଳ ଦିଶିଲା ପଣ୍ଡିତ ଙ୍କ ଉତ୍ତର ଶୁଣି । ଏକା ସାଙ୍ଗେ ପଚାରିଲେ - ସେଇଟା କଣ ? 


ଯୋଉ ପୁଅର ଏହି ଭଳି କୋଷ୍ଠି ଥିବ , ଅର୍ଥାତ୍ ତା କୋଷ୍ଠି ରେ ବି ସ୍ତ୍ରୀ ହରେଇବାର ଯୋଗ ଥିବ ତା ସହିତ ହିଁ ତମ ଝିଅର ବାହାଘର ହେବା ଉଚିତ । ଏମିତି କଲେ ଉଭୟ ଙ୍କ କୋଷ୍ଠି ପରସ୍ପର ଲଢ଼ିବେ , ଆଉ କୋଷ୍ଠି ଟାଣ ପଡ଼ିବ । ଏତେ ଶିଘ୍ର କାହାର ବି ମୃତ୍ୟୁ ହେବନି ।


 ଦିନ ବନ୍ଧୁ ଆଉ ସୁଲୋଚନା ଟିକେ ଶାନ୍ତ ପଡ଼ିଲେ । ଝିଅ ହସି ଖେଳି ବଡ ହେବା ସହିତ ପତି ପତ୍ନୀ ଉଭୟଙ୍କୁ ଗୋଟିଏ ଚିନ୍ତା ବେଳକୁ ବେଳ ଘାରି ହେଉଥିଲା । 


 ଝିଅ କଲେଜ ବେଳୁ ଗୋଟେ ପିଲା କୁ ଭଲ ପାଉଛି ଏ କଥା ଦିନ ବନ୍ଧୁ ଙ୍କ କାନ କୁ ଆସିଲା । ଝିଅ କୁ ନିରୋଳାରେ ଘରେ ବସେଇ ଦିନବନ୍ଧୁ ସୁଲୋଚନା ଯେତେ ପ୍ରକାରେ ବୁଝାଇଲେ ସେ ବୁଝିବାକୁ ନାରାଜ ହେଲା । ଯଦି ବାହା ହେବି ତାକୁ ହିଁ ବାହା ହେବି ବୋଲି ସଫା ସଫା କହିଦେଲା । 


 ପତି ପତ୍ନୀ ଙ୍କ ମୁଣ୍ଡ ଉପରେ ଯେମିତି ବଜ୍ର ପଡ଼ିଲା । ସେମାନେ ଝିଅ କୁ ତାଙ୍କ ର ଶେଷ ଆଉ ଚରମ ନିଷ୍ପତ୍ତି ଶୁଣେଇ ଦେଲେ । ଯଦି ଝିଅ ତାଙ୍କ କଥାରେ ରାଜି ନ ହୋଇ ସେ ପିଲା କୁ ମନରୁ ପୋଛି ନଦିଏ । ତେବେ ସେ ଦୁହେଁ ବିଷ ଖାଇ ଦେବେ ।


 ଶୁଭଦ୍ରା ଆଉ କିଛି ଉପାୟ ନପାଇ ରାତି ରାତି କାନ୍ଦି କାନ୍ଦି ଆଖି ର ଲୁହରେ ୪ ବର୍ଷ ର ପ୍ରେମ କୁ ଧୋଇ ଦେଲା । ଝିଅ କୁ ଏବେ ୧୮ ପୁରି ୧୯ ଚାଲିଲା । ଦିନବନ୍ଧୁ ଯେତେ ପୁଅ ଦେଖୁ ଯାଆନ୍ତି ପ୍ରଥମ ପ୍ରସ୍ତାବ ଥାଏ ଯାତକ ମିଳେଇ କୋଷ୍ଠି ମିଳିଲା ପରେ ଯାଇ ବାହାଘର ହେବ । 

ପ୍ରସ୍ତାବ କିଛି ମନ୍ଦ ନୁହେଁ କଥା ଆଗକୁ ବଢିବା ପରେ ସମସ୍ତେ ପୁଅର ଯାତକ ଦେଇ ଦିଅନ୍ତି । କିନ୍ତୁ ଦୁର୍ଭାଗ୍ୟ କୁ ଗୋଟେ ବି ଜାତକ ଝିଅ ଶୁଭଦ୍ରା ସହ ମେଳ ଖାଏନି । ଗୋଟେ କି ଦୁଇଟି ନୁହଁ ଦଶ ବାର ଟି କୋଷ୍ଠି ଦେଖି ସାରି ହତାସ୍ ହେଲେଣି ଦିନବନ୍ଧୁ ।


 ସୁଲୋଚନା ସ୍ବାମୀ ଙ୍କ ସହ ପରାମର୍ଶ କରି କହିଲେ -" ଶୁଣ ଏମିତି ତମେ ଯଦି ଖାଲି କୋଷ୍ଠି ପରେ କୋଷ୍ଠି ମେଳଉଥିବ । ତେବେ ଝିଅର ବାହା ବୟସ ଗଡିଯିବ । ଚାଲ ଆମେ ସେମିତି ବିନା ଜାତକ ରେ ସର୍ବ ମଙ୍ଗଳେ ଜଗନ୍ନାଥ କହି ବାହାଘର କରିଦେବା ।


 ଦିନ ବନ୍ଧୁ କହିଲେ - ଜାଣି ସୁଣି ଏମିତି ଗୋଟେ ଅଶୁଭ ଅଘଟଣ କୁ ଡ଼ାକି ଆଣିବା ? 


 ସୁଲୋଚନା ଆଖି ଛଳ ଛଳ କରି କହିଲେ - ତମେ ଏତେ ସବୁ କଥା ଚିନ୍ତା କରନି । କାଲି ସକାଳେ କ'ଣ ହେବ କିଏ କହିବ ? ଠାକୁର ଙ୍କ ଦୟାରୁ ସବୁ ଭଲ ହେବ ଦେଖିବ । ଏମିତି ଚିନ୍ତା କରି ପୁଅ ଖୋଜି ଖୋଜି ନ ପାଇ ଶେଷରେ ଝିଅଟାକୁ ଅଭିଆଡୀ ରଖିବା ନାଁ କ'ଣ ? ତମେ କିଛି ଚିନ୍ତା କରନି ଏତେ ଆଉ ଖୋଜା ଖୋଜି ବି କରନି । ଝିଅ ଜାତକ କୁ ଲୁଚାଇ ଦିଅ ଆଖି ବୁଜି ଜଣକ ସହିତ ବାହାଘର କରିଦିଅ । ଯାହା ତା ଭାଗ୍ୟ ରେ ଥିବ ହବ , ଆମେ କଣ ତାକୁ କବଦଳେଇ ଦେବା ? 


 ଦିନବନ୍ଧୁ ବି ପୁଅ ଖୋଜି ଖୋଜି ଥକି ପଡିଥିଲେ , ସତକଥା ହେଉଛି ପୁଅ ଖୋଜା ଖୋଜି ରେ ଯେତିକି ଥକି ନଥିଲେ । ଯାତକ ମିଳେଇ ମିଳେଇ ଢେର୍ ହତାସ୍ ହୋଇଥିଲେ । 


 ଶେଷରେ ସିବିନିପୁର ନିର୍ମାଲ୍ୟ ସହ ବାହାଘର ହୋଇଗଲା ଝିଅର । ଘରକୁ ସାନ ପୁଅ ଏ ପେଶାରେ ରାଜ ମିସ୍ତ୍ରୀ ଭଲ ଦି ପଇସା କମାଏ । ଜଣେ ନାମକରା ମିସ୍ତ୍ରୀ ଭାବରେ ତାର ଭଲ ନାଁ ଅଛି । ଭଉଣୀ ବିଭାଘର ସରିଛି ବଡ ଭାଇ ଘରେ ଚାଉଳ ଅଟା କଳ ପକାଇଛନ୍ତି ।ଏବେ ବେଶ୍ ଖୁସି ରେ ଅଛି ନିଜ ସ୍ବାମୀ ସହ ଶାଶୁ ଶ୍ୱଶୁର ଙ୍କ ସହ ଶୁଭଦ୍ରା । ଦେଢ଼ ବର୍ଷ ହେଇଗଲାଣି ଏବେ ଗୁଲୁଗୁଲିଆ ଝିଅ ଟିଏ ହୋଇଛି ତାର । 


 ଦିନ ବନ୍ଧୁ ମନେ ମନେ ବହୁତ ଧନ୍ୟବାଦ ଦେଉଥିଲେ ପତ୍ନୀ ସୁଲୋଚନା ଙ୍କୁ ଯାହା ହେଉ । ସୁଲୋଚନା ଙ୍କ ପରାମର୍ଶ ମାନି ସେ ଯଦି ଏ ବାହାଘର କରି ନଥାନ୍ତେ ତେବେ ଆଜି ପର୍ଯ୍ୟନ୍ତ ବି ଝିଅ ତାଙ୍କର ଅଭିଆଡୀ ରହି ଯାଇ ଥାନ୍ତା ବୋଧ‌ ହୁଏ ।


 ସତରେ ଈଶ୍ୱର ଙ୍କ ଇଛା ଆଗରେ କିଛି ବି ତିଷ୍ଠି ପାରେନି । ନାହାକର ଗଣନା କିଛି ଭୁଲ୍ ହୋଇ ଯାଇଥିଲା ବୋଧେ । ସେଥିପାଇଁ ସେ ୟାଡୁ ସ୍ୟାଡୁ ଗପୁଥିଲା ।


 କିନ୍ତୁ ତାଙ୍କର ଏସବୁ ଭାବନା କୁ ଭୁଲ୍ ପ୍ରମାଣିତ କରି । ଯେତେବେଳେ ଗୋଟେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନିର୍ମାଲ୍ୟ ଙ୍କ ର ମୃତ୍ୟୁ ହୋଇଗଲା ସେତେବେଳେ ଦୁଇଟା ପରିବାର ପୁରା ଉଚ୍ଛନ୍ନ ହୋଇଯାଇ ଥିଲା । 


 ଏଥିପାଇଁ ଶୁଭଦ୍ରା କୁ ଦାୟୀ କରି ନାନା ପ୍ରକାର ଅକଥନୀୟ ଅତ୍ୟାଚାର କରି ଚାଲିଲେ ଶାଶୁ ଘର ଲୋକେ । ପ୍ରତିଦିନ ସୁଭଦ୍ରା କୁ ତିରସ୍କାର ଛି ଛାକର , ଅପମାନିତ କରି ଢେର୍ କଥା କହିଲେ ।


-" ବାହାଘର କୁ ବର୍ଷ ଦିଇଟା ପୁରିନି ସ୍ବାମୀ କୁ ଖାଇଲୁ ? କୋଉ ଖଡିମୁଳେ ତୋ ବୋପା ତତେ ଜନ୍ମ କରିଥିଲା କେଜାଣୀ ? ଏଡେ ଅଲକ୍ଷଣି ଏଡେ କୁଳବୁଡୀ ଲୋ ତୁ ?ତୋ ନିଆଁଲଗୀ କୁ ଆଉ କେହି ମିଳିଲେନି ? ଶେଷରେ ଆମ ଛୁଆଟାକୁ ଖାଇବାକୁ ଚାଲି ଆସିଲୁ ? ଏତେ ହତଭାଗିନୀ ବୋଲି ଆମେ ଆଗରୁ ଯଦି ଜାଣିଥାନ୍ତୁ କେବେବି ତୋ ପରି ପୋଡ଼ା ମୁହିଁ କୁ ଏ ଘରକୁ ଆଣି ନଥାନ୍ତୁ ............"  

 

 ଖାଲି ଏତିକି ରେ କଥା ସରି ନଥିଲା । କେତେବେଳେ ବେଲଣା କାଠି ରେ ପିଠି ସିଝି ଯାଉଥିଲା ତ କେତେବେଳେ ଥାପଡ୍ ରେ ଗାଲ । ଯଦି ଛୋଟିଆ ପ୍ରତିବାଦ ବି ମୁହଁ ରୁ ବାହାରି ଯାଉଥିଲା ଗଲା , ଅନ୍ୟ ମାନଙ୍କ ଗୋଡ଼ ବି ତା ଉପରକୁ ଉଠିବାକୁ ସମୟ ନେଉନଥିଲା ଯମା । 


କେତେ ବା ସହିବ ଛୁଆ ଟା । ସବୁ ସହି ସହି ଅତିଷ୍ଠ ହେଲା ପରେ ଶେଷରେ ଘରେ ଜଣେଇ ବାପା ବୋଉ ଙ୍କ ପାଖରେ ଆସି ରହିଲା । ଶାଶୁ ଘର ଲୋକ ଛଅ ମାସ ର ଛୁଆଟାକୁ ବି ଦେଲେନି ତାଙ୍କ ପାଖରେ ରଖିଲେ ।


ଦିନବନ୍ଧୁ ଜାଣିଶୁଣି ଝିଅର ସୁନାର ସଂସାର କୁ ଚୁନା କରି ଦେଲେ ଭାବି ନିଜକୁ ଧିକ୍କାରିବାକୁ ଲାଗିଲା ସବୁବେଳେ ।

ଶୁଭଦ୍ରା ବି ଏକଦମ୍ ଚୁପ୍ ହୋଇ ଯାଇଥିଲା , ମଥାର ସିନ୍ଦୂର ଲିଭିବା ସହିତ ଯେମିତି ସବୁ ଖୁସି ସବୁ ଶାନ୍ତି ଲିଭି ଯାଇଥିଲା ତା ଜୀବନରୁ , ଆଉ କୋଉ ବିଭବ ବା ଥାଏ ଗୋଟେ ସଧବା ସିନ୍ଥିରୁ ସିନ୍ଦୂର ଲିଭିବା ପରେ ? ଆଉ କୋଉ ଐଶ୍ୱର୍ଯ୍ୟ ବା ଝଟକେ ଗୋଟେ ମା ଠାରୁ ଛୁଆ ଟି ସବୁଦିନକୁ ଦୂରେଇ ଗଲା ପରେ ?  ଶୁଭଦ୍ରା ଏବେ ଖାଇକି ବଞ୍ଚି ରହିଛି ଯାହା ଖାଲି ଗୋଟେ ଜୀବ ଭଳି । ପରିବାର ସାଙ୍ଗ ସାଥି ଗହଣରେ ରହିବି ତା ଜୀବନ ତାକୁ ଖାଲି ଖାଲି ଶୁନ ଶାନ୍ ରାତି ଭଳି ଲାଗୁଛି ।

  

 ଘରକୁ ଆସିବାର ଛଅ ମାସ ହୋଇଗଲାଣି ୟା ଭିତରେ ।

ନିଜ ଭାଗ୍ୟ କୁ ନିନ୍ଦି ଆଖି ଲୁହରେ ମନ କୋହରେ ଓଦା ହୋଇ ସମୟ କାଟୁଥିବା ବେଳେ । ଆଉ ଗୋଟେ ପ୍ରସ୍ତାବ ଆସି ପହଞ୍ଚିଲା ଶୁଭଦ୍ରା ପାଇଁ । 

 ଘରକୁ ବଡ ପୁଅ ତାର ଡାଲି ଚାଉଳ ବେପାର ଅଛି । ଭଲ ପିଲାଟେ ରୋଜଗାର ପତ୍ର ଅତି ଭଲ, ନିଶା ପାଣି କିଛି ନାଇଁ । ବିବାହ ର ଚାରିବର୍ଷ ପରେ ସ୍ତ୍ରୀ ହଠାତ୍ ଆଖି ବୁଜି ଦେବାରୁ ଦ୍ବିତୀୟ ବିବାହ ପାଇଁ ମନ ବଳେଇଛନ୍ତି । ଯଦି ଦିନବନ୍ଧୁ ଙ୍କ ର କିଛି ଆପତ୍ତି ନଥାଏ ସେ ଶୁଭଦ୍ରା କୁ ବିବାହ କରିବା ପାଇଁ ରାଜି । 


 ଦିନ ବନ୍ଧୁ ମନା କଲେ । ଗୋଟିଏ ଦୁଃଖ ର ବୋଝ କୁ ତ ବୋହି ସେ ଚାଲି ପାରୁ ନାହାଁନ୍ତି । ପୁଣି ଜାଣି ଶୁଣି ଆଉ ଗୋଟେ ସମ୍ଭାବନାମୟ କ୍ଷତି କୁ ସାମ୍ନା କରିବାକୁ ସେ ଚାହିଁଲେନି । ସିଧା ସିଧା ମନା କରିଦେଲେ ।


 ସୁଲୋଚନା ଝିଅର ଖାଲି ସିନ୍ଥି ଖାଲି କପାଳ ଆଉ ସବୁବେଳେ ଉଦାସ ରହୁଥିବା ଶୁଖିଲା ମୁହଁ ଆଉ ଏକଦମ୍ ଭିତରେ ରହି ଯାଇଥିବା ତାଙ୍କ ଛୁଆଟାକୁ ଦେଖି ଆଉ ସହି ପାରିଲେନି ଜମା । ଯଦି ଏମିତି ଦୁଃଶ୍ଚିନ୍ତା ରେ ରହି ଛୁଆଟା କିଛି ଭୁଲ୍ ପଦକ୍ଷେପ ନେଇଯିବ ତେବେ ? ସେ ଦୁହେଁ ଜିଇଁ ଥାଉ ଥାଉ ମରିଯିବେ । ଏଣୁ ସୁଲୋଚନା ଦିନବନ୍ଧୁ ଙ୍କୁ ଦିନ ରାତି ବୁଝେଇ ସୁଝେଇ ରାଜି କରାଇ ଆସିଥିବା ପ୍ରସ୍ତାବ ରେ ବାହା କରାଇ ଦେଲେ ଝିଅକୁ ଭଲରେ ମନ୍ଦରେ ।


 ପୁରୁଣା ଦୁଃଖ ଯନ୍ତ୍ରଣା କୁ ଧିରେ ଧିରେ ମନରୁ ପୋଛି ନୁଆ ସାଥି ସହ ସୁରୁଖୁରୁ ରେ ସମୟ କୁ ଗଡେଇ ନେଉଥିଲା ଆଗକୁ ଶୁଭଦ୍ରା । ସତରେ ସେ ହତଭାଗିନୀ ଥିଲା କି ଈଶ୍ୱର ତା ପାଇଁ ଆଖି ବୁଜି ଦେଇଥିଲେ ସେ ଜାଣିନଥିଲା । ପୁଣି ତା ସିନ୍ଥିର ସିନ୍ଦୂର ପୋଛି ହୋଇଗଲା , କର୍କଟ ରୋଗରେ ପ୍ରାଣ ହରାଇଲେ ଦ୍ବିତୀୟ ସ୍ବାମୀ , ଶୁଭଦ୍ରା ହାତ ଧରିବାର ୩ ବର୍ଷ ପରେ ।


 ଏଥର ଦିନ ବନ୍ଧୁ ସୁଲୋଚନା ଉପରେ ବର୍ଷିଗଲେ ।

- " ସବୁ ତମରି ପାଇଁ, ସବୁ ତମରି ପାଇଁ । ପ୍ରଥମରୁ ମନା କରିଛି ଏମିତି ରିକ୍ସ୍ ନନେବା ପାଇଁ । ଦେଖିଲ ଏଇନେ କଣ ହେଲା । ତମ କଥା ମାନି ବାହାଘର କରେଇଛି ଦୁଇ ଦୁଇଥର କ'ଣ ଏଥର ଶାନ୍ତି ତ ? କଣ ଅସୁବିଧା ହେଇଥାନ୍ତା ଝିଅ ଅଭିଆଢୀ ରହି ଯାଇ ଥିଲେ । ଘରେ ଖାଇ ପିଇ ଆମ ପାଖରେ ରହିଥାନ୍ତା ତ ସବୁବେଳେ ଆଖି ସାମ୍ନାରେ । ଏବେ ? କଣ ଯେ ତା ଉପରେ ହେଉଥିବ ? କେମିତି ଥିବ ଛୁଆଟା ? ମାଡ଼ ଗାଳି ଗଞ୍ଜଣା ରେ ଶୁଖି ଯିବନି ଛୁଆଟା ଆମର । କଥା କଥାକେ ବିଧା ଗୋଇଠା ଚାପୁଡ଼ା ରେ ସହିତ ଶୋଧା ସମ୍ପା ଶୁଣୁଥିବ ସେ । ଏବେ ଶାନ୍ତି ଲାଗୁଛି ତ ତମକୁ ? ବାହା କରିବାକୁ ସକ ସକ ହେଉଥିଲ । ଏବେ ଫଳ କ'ଣ ହେଲା ? "

 

 ସୁଲୋଚନା ଲୁହ ଛଳଛଳ ଆଖିରେ ଦିନ ବନ୍ଧୁ ଙ୍କ ହାତ ଧରି ପକାଇଲେ - " ଯାଅ ଆଗ ଭଳି ଏଠି ବି ଯଦି ଛୁଆ ଟା ଉପରେ ଅନ୍ୟାୟ ଅତ୍ୟାଚାର କରିବେ ତେବେ ମରିଯିବ ଛୁଆଟା । ରହୁ ପଛେ ସାରା ଜୀବନ ବିଧବା ହୋଇ , ଆମ ପାଖରେ ହିଁ ରହୁ , ସୁଖରେ ନ ରହିଲେ ନାଇଁ ଭଲରେ ରହୁ । 

 କିଛି ଅଘଟଣ ଘଟିବା ପୂର୍ବରୁ ଯାଅ ନେଇ ଆସ ଶୁଭ କୁ ଯାଅ । "

 ଦିନବନ୍ଧୁ ସାହସ ସଂଚୟ କରି ଝିଅ ଶାଶୁଘର କୁ ଯିବା ପାଇଁ ମନୋନୀତ କଲେ । ଆଉ ସବୁଦିନ ପାଇଁ ଝିଅକୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ସ୍ଥିର କରି ଦିନବନ୍ଧୁ ଯେତେବେଳେ ଝିଅ ଶାଶୁ ଘରେ ଯାଇ ପହଞ୍ଚିଲେ । ସମୁଦୁଣୀ ପ୍ରତିବାଦ କଲେ -" କୁଆଡେ ଆସିଛ ? ସେ ଏ ଘର ର ବୋହୂ ଏଇଟି ହିଁ ରହିବ । "


 ଦିନବନ୍ଧୁ ଜାଣି ନଥିଲେ ମିଠା ମିଠା କଥା କହୁଥିବା ତାଙ୍କ ସମୁଦୁଣୀ ବି ଏତେ କଡ଼ା ମିଜାଜ୍ ର ବୋଲି । କ'ଣ ‌କହି କଥା ଆରମ୍ଭ କରିବେ ହଠାତ୍ କିଛି ବୁଝି ପାରିଲେନି ସେ ।

ଯାହା ବି ହେଉ ଝିଅ କୁ ସାଙ୍ଗରେ ନେବାର ଅଛି , ତେଣୁ ନିଜ ସ୍ବର କୁ ଅତି ନରମ କରି ଆଖି ଛଳ ଛଳ କରି ସମୁଦୁଣୀ କୁ କହିଲେ - " ଦେଖ ସମୁଦୁଣୀ , ସିବିନିପୁର ରେ ସେ ଜ୍ବାଇଁ ଆଖି ବୁଜିବା ପରେ ଆମ ଶୁଭ କୁ ଦୋଷ ଦେଇ ସେମାନେ ବହୁତ ମାର ଧର କଲେ ଛୁଆଟା ଆମର କଣ୍ଟା ହୋଇ ଯାଇଥିଲା । ତେଣୁ ଆମେ ବହୁତ ଭୟ ପାଇ ଯାଇଥିଲୁ ଏ ବାହାଘର ରେ ଆମେ ବି ରାଜି ନଥିଲୁ ବିଲକୁଲ , ତୁମେ ବାଧ୍ୟ କରିବାରୁ ଆମେ କଥା ଆଗକୁ ବଢେଇଲୁ । ହେଲେ ତାର ଫଟା କପାଳରେ ଏୟା ଥିଲା କିଏ ଜାଣିଛି । ସମୁଦୁଣୀ , ମୁଁ ଚାହେଁନା ଝିଅଟା ତମ ଘରେ ବୋଝ ହୋଇ ରହୁ ବୋଲି । ମୋ ସାଙ୍ଗରେ ତାକୁ ଯିବାକୁ ଦିଅ ତା ଭାଗ୍ୟ କୁ ଆଦରି ସେ ପଡ଼ି ରହିବ ......."


 ଦିନବନ୍ଧୁ ଆଉ କ'ଣ କହିବାକୁ ଯାଉଥିଲେ କଥା ମଝିରୁ କାଟି ଦେଇ ସମୁଦୁଣୀ କହିଲେ 

-" ଏଠୁ କୁଆଡେ ବି ସେ ଯିବନି " 


ଦିନବନ୍ଧୁ ଉଛୁଳି ପଡ଼ିଲେ ଏକବାର -" ଦେଖ ସମୁଦୁଣୀ ସେ ଆମର ଗୋଟିଏ ବୋଲି ଛୁଆ ତାର ଯଦି କିଛି ହେଇଯାଏ ? ତେବେ ଆମେ ଦୁହେଁ ଜିଇଁ ଥାଉ ମରିଯିବୁ ..."


ଦିନବନ୍ଧୁ ଙ୍କ ହାତକୁ ଧରି ସୋଫା ରେ ବସାଇ ଦେଲେ ସମୁଦୁଣୀ ।  

 ଶୁଭଦ୍ରା ଉଦ୍ଦେଶ୍ୟ ରେ କହିଲେ - " ଯା' ମା , ବାପା ଙ୍କ ପାଇଁ ଚା କରି ଆଣେ ।  

ଶୁଭଦ୍ରା ପଚାରିଲା , " ବୋଉ ଆପଣଙ୍କ ପାଇଁ ?"


- " ନାଇଁ , ସକାଳୁ ପିଇଥିଲି ପରା ?"

ଶୁଭଦ୍ରା ଚା କରିବାକୁ ଭିତରକୁ ଚାଲିଯିବା ପରେ । ଦିନବନ୍ଧୁ ଙ୍କୁ କହିଲେ ସମୁଦୁଣୀ -" ବ୍ୟସ୍ତ ହୁଅନି ସମୁଦି , ମୁଁ ଜାଣେ ତୁମେ ଆଗ କଥାକୁ ନେଇ ଭୟ ପାଇ ଯାଇଛ ସେଥିପାଇଁ ଆସିଛ ଶୁଭ କୁ ନେବାକୁ । ଶୁଭ ଠାରୁ ମୁଁ ସବୁ ଶୁଣିଛି ସେ ମୋତେ ସବୁ ଖୋଲିକି କହିଛି । ତା ଜାତକ ବାବଦରେ ନାହାକ କହିଥିବା କଥା ବି ସେ ମୋତେ ଲୁଚାଇନି । ଶୁଭ ଖୁବ୍ ଭଲ ଝିଅ ।  ଚିନ୍ତା କରନି ଆମ ଝିଅ ଖୁବ୍ ଭଲରେ ରହିବ ଏଠି । ଏକଥା ଭୁଲି ଯାଅନି ଯେ ତମ ଦୁହିଁଙ୍କ ବ୍ୟତୀତ ଶୁଭ ର ଯତ୍ନ‌ ନେବାକୁ ଏ ଘରେ ବି କେହି ଅଛନ୍ତି । "

  

 ଦିନବନ୍ଧୁ ଙ୍କ ଆଖି ଲୋତକ ରେ ଭରି ଯାଇଥିଲା ।

 ସମୁଦୁଣୀ ଙ୍କ ଏଇ କଥା ପଦକ ତାକୁ କେତେ ଯନ୍ତ୍ରଣା ରୁ ଲାଘବ ଦେଇଛି ସେ କଥା ବୟାନ କରିବାକୁ ସେ ଭାଷା ପାଉନଥିଲେ ।



  _______________୦________________

✍️..ପରମେଶ୍ବର ଓଝା

ମହାକାଳପଡ଼ା

କେନ୍ଦ୍ରାପଡ଼ା

ମେଲ୍ - ojhaparameswar@gmail.com

ମୋ-- ୬୩୫୫୧୩୩୩୦୧






Rate this content
Log in

Similar oriya story from Classics