STORYMIRROR

Hemant Kumar Gantayat

Classics

3  

Hemant Kumar Gantayat

Classics

~ ତ୍ୟାଗ ~

~ ତ୍ୟାଗ ~

2 mins
30

         ଭାରତର ଅମୂଲ୍ୟ ସମ୍ପଦ  ହେଉଛି  ତା'ର ସନାତନ ଶାସ୍ତ୍ର ବେଦ । ଏହି ଶାସ୍ତ୍ରରେ ଦୁଇବିଧ ମାର୍ଗ ରହିଛି । ପ୍ରଥମଟି ଶ୍ରେୟ ମାର୍ଗ ଏବଂ ଅପରଟି ହେଉଛି ପ୍ରେୟ ମାର୍ଗ । ଶ୍ରେୟର ଅର୍ଥ ଶ୍ରେଷ୍ଠ ପଥ ବା ମୁକ୍ତି ମାର୍ଗ ଏବଂ ପ୍ରେୟର ଅର୍ଥ ପ୍ରାପ୍ତି ମାର୍ଗ । ଶ୍ରେୟମାର୍ଗ ସଦା ସର୍ବଦା ସୁଖ, ଶାନ୍ତି ଓ ଆନନ୍ଦ ଦେଇଥାଏ । ଏଣୁ ଈଶାବାସ୍ୟ ଉପନିଷଦର ପ୍ରଥମ ମନ୍ତ୍ରରେ କୁହାଯାଇଛି ଯେ -

" ଈଶା ବାସ୍ୟମିଦଂ ସର୍ଵଂ ଯତ୍କିଞ୍ଚ ଜଗତ୍ୟାଂ ଜଗତ୍ 

ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କଷ୍ୟସ୍ଵିଦ୍ଧନମ୍ ।। "

      ସମଗ୍ର ସଂସାର ହେଉଛି ଈଶ୍ୱରଙ୍କର । ସଂସାରର ସମସ୍ତ ବସ୍ତୁ ଭୋଗ ନିମିତ୍ତ ନୁହଁ , ଏହା ତ୍ୟାଗ ପୂର୍ବକ ଈଶ୍ୱରଙ୍କ ପ୍ରୀତି ପାଇଁ ବିନିଯୋଗ କରିବା ବିଦେହ । ଏଣୁ ମନୀଷୀମାନେ କହି ଯାଇଛନ୍ତି -" ଦେବାରେ ଯେତେ ଆନନ୍ଦ ଥାଏ ତାହା ନେବାରେ ନଥାଏ " । ତଥାପି ବଦ୍ଧ ମନୁଷ୍ୟ ମାୟାରେ ବଶୀଭୂତ ହୋଇ ସାଂସାରିକ ଦ୍ରବ୍ୟକୁ ଭୋଗ ନିମିତ୍ତ ପ୍ରବୃତ୍ତ ହୋଇଥାଏ  । ଯାହା ଫଳରେ ସେ ଅଶାନ୍ତରେ କାଳାତିପାତ କରେ।

     ମାନବ ଜୀବନରେ ତ୍ୟାଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତ୍ୟାଗ ମାତ୍ର କେବଳ ଏକ କର୍ମ ନୁହେଁ ପରନ୍ତୁ ଏହା ଏକ ଆନ୍ତରିକ ବିଶୁଦ୍ଧ ଭାବ ଅଟେ। ଯେପରି ମନୁଷ୍ୟକୁ ବଞ୍ଚିବା ପାଇଁ , ଖାଦ୍ୟ,ପାଣି, ଶରୀର ନିମିତ୍ତ ବସ୍ତ୍ର ଏଵଂ ରହିବା ପାଇଁ ଘର ନିତାନ୍ତ ଆବଶ୍ୟକ ସେପରି ଆମକୁ ଜୀବନରେ ଆଗକୁ ବଢିବା ପାଇଁ ତ୍ୟାଗର ବିଶେଷତ୍ଵ ରହିଛି। ତ୍ୟାଗ ବିନା ଆମେ ଆଗକୁ ବଢି ପାରିବା ନାହିଁ। ଭାରତୀୟ ସଂସ୍କୃତି ହେଉଛି ତ୍ୟାଗର ସଂସ୍କୃତି। ଏ ସଂସ୍କୃତିରେ ତ୍ୟାଗର ଅନେକ ଦୃଷ୍ଟାନ୍ତ ରହିଛି।

       ମହାଭାରତର ଶାନ୍ତି ପର୍ବରେ କୁହାଯାଉଛି " ତ୍ୟାଗର ସଦୃଶ୍ୟ କୌଣସି ସୁଖ ନାହିଁ "। ସ୍ବାମୀ ରାମତୀର୍ଥ ମଧ୍ୟ କହିଛନ୍ତି ଯେ," ତ୍ୟାଗ ବିନା ଏ ସଂସାରରେ ଦ୍ଵିତୀୟ କିଛି ଶକ୍ତି ନାହିଁ "। ଲୋକୋକ୍ତି ରହିଛି ଯେ, ସନ୍ଥ ତୁଳସୀ ଦାସ ନିଜର ଧର୍ମପତ୍ନୀଙ୍କ ଠାରୁ ଭର୍ତ୍ସନା ପାଇ ତା'ଙ୍କର ବୈରାଗ୍ୟ ଆସି ଯାଇଥିଲା ଏଣୁ ସେ ସ୍ତ୍ରୀ ମୋହ ପରିତ୍ୟାଗ କରି ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇ ଯାଇଥିଲେ। କୁହାଯାଏ ଯେ, ରାମ ଯେତେବେଳେ ରାଜ ମହଲରେ ଥିଲେ ସେତେବେଳେ ତା'ଙ୍କୁ ରାଜ କୁମାର କୁହା ଯାଉଥିଲା କିନ୍ତୁ ଯେତେବେଳେ ସେ ରାଜ ମହଲ ପରିତ୍ୟାଗ କଲେ ସେତେବେଳେ ତା'ଙ୍କୁ ପୁରୁଷୋତ୍ତମ ଭଗବାନ ଶ୍ରୀରାମ କୁହାଗଲା। ସେ'ପରି ସିଦ୍ଧାର୍ଥ ମଧ୍ୟ ତ୍ୟାଗ ପରେ ଭଗବାନ ବୁଦ୍ଧ ରୂପେ ପରିଚିତ ହେଲେ। ଏ ସମୟରେ ମହାତ୍ମା ବୁଦ୍ଧଙ୍କ କଥା ସତ୍ୟ ଅନୁଭୂତ ହୁଏ। ନିଜ ଜୀବନରେ ଅନାବଶ୍ୟକ ଇଚ୍ଛା ତ୍ୟାଗ କରିବା ଆବଶ୍ୟକ ଏଵଂ ଏ ଜୀବନରେ ଶାନ୍ତି ପାଇବାକୁ ହେଲେ, ଯାହା ପ୍ରାପ୍ତି ହେଉଛି ସେଥିରେ ସନ୍ତୋଷ ହେବା  ଜରୁରୀ। ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଲା ନିଜର ଅବଗୁଣ ତଥା ତୃଷ୍ଣାକୁ ତ୍ୟାଗ କରିବା ପ୍ରଥମେ ଆବଶ୍ୟକ। ଏହାରି ଉପରେ ସନ୍ଥ କବୀର ଦାସ କହିଛନ୍ତି -

ମାୟା ମରୀ ନ ମନ ମରା, ମର ମର ଗଏ ଶରୀର 

ଆଶା ତୃଷ୍ଣା ନା ମରୀ , କହ ଗଏ ଦାସ କବୀର।।

      ମାୟା ରୂପୀ ଶରୀର ସବୁ ନଷ୍ଟ ହୋଇଯାଏ କିନ୍ତୁ ମନରେ ଉତ୍ପନ୍ନ ହେଉଥିବା ତୃଷ୍ଣା କେବେ ବି ଶେଷ ହୁଏ ନାହିଁ। ଏହାହିଁ ଦୁଃଖର କାରଣ ଅଟେ। ଅତଃ ଅତ୍ୟାଧିକ ମୋହ ନ ରଖି ତ୍ୟାଗର ଭାଵନା ରଖିବା ଆବଶ୍ୟକ। କାରଣ ଯେଉଁଠି ତ୍ୟାଗ ସେଠିହିଁ ସୁଖ ଓ ଶାନ୍ତି।

🙏 ଜୟ ଜଗନ୍ନାଥ 🙏

✍️ ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ 

                       ଆସିକା , ଗଞ୍ଜାମ l




Rate this content
Log in

Similar oriya story from Classics