ତମସୋ ମା ଜ୍ୟୋତିର୍ଗମୟ
ତମସୋ ମା ଜ୍ୟୋତିର୍ଗମୟ
ଭାରତୀୟ ବୈଦିକ ଶାସ୍ତ୍ର ଯୁଗ ଯୁଗ ଧରି ମାନବ ସମାଜ ତଥା ସମଗ୍ର ସଂସାରର କଲ୍ୟାଣ ସାଧନ କରି ଆସୁଅଛି। ଏହି ଜ୍ଞାନାମୃତ ଶାସ୍ତ୍ର ସମୂହ ଜାତି - ଧର୍ମ - ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ମଙ୍ଗଳ ପାଇଁ ନିଜର ଦିବ୍ୟବାଣୀ ଦ୍ଵାରା ଅଜ୍ଞାନ ହରଣ ପୂର୍ବକ ଜ୍ଞାନ ପ୍ରଦାନ କରି ଚାଲିଛି। ସେହି ଦିବ୍ୟବାଣୀ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି " ତମସୋ ମା ଜ୍ୟୋତିର୍ଗମୟ" । ଏହି ଖଣ୍ଡ ବାକ୍ୟଟି ବୃହଦାରଣ୍ୟକ ଉପନିଷଦର " ଓଁ ଅସତୋ ମା ସଦ୍ଗମୟ,ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ " ମନ୍ତ୍ରରୁ ଆନୀତ। ଯା'ର ସାମାନ୍ୟ ଅର୍ଥ ହେଉଛି - ଅସତ୍ୟରୁ ସତ୍ୟ, ଅନ୍ଧକାରରୁ ଆଲୋକ ଓ ମୃତ୍ୟୁରୁ ଅମୃତ ଦିଗକୁ ଗମନ କରିବା ସହ ତ୍ରିବିଧ ତାପରୁ ମୁକ୍ତି ବା ଶାନ୍ତି ପ୍ରାପ୍ତ କରିବା।
ଜୀବର ଦୁଃଖର କାରଣ ହେଉଛି ନିଜର ଅଜ୍ଞାନତା । ଏଥି ଯୋଗୁଁ ସେ ଯାତନା ଭୋଗିଥାଏ। ଏହି ଅଜ୍ଞାନକୁ ଶାସ୍ତ୍ରରେ ବିଭିଧ ରୂପରେ କୁହାଯାଇଛି ଯଥା - କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଆତ୍ମ ପ୍ରବଞ୍ଚନା, ଧନ, ପଦ, ପ୍ରତିଷ୍ଠା ଓ ଅହିତ ଚିନ୍ତନାଦି। ଏହା ଦ୍ବାରା ଜୀବ ବନ୍ଧନ ପ୍ରାପ୍ତକରି ଅନ୍ଧକାର ମାନସ କୋଠରୀରେ ଆବଦ୍ଧ ହୋଇ ରହିଯାଏ। ଯାହାଫଳରେ ସେ ନିତ୍ୟ ଆନନ୍ଦ ତତ୍ତ୍ୱକୁ ଅନୁଭବ କରିପାରେ ନାହିଁ। ଉପରୋକ୍ତ ଅଜ୍ଞାନ ରୂପି ଅନ୍ଧକାରରୁ ଜ୍ୟୋତିର୍ମୟ ସ୍ବରୂପ ସମୀପକୁ ଅଗ୍ରସର ହେବାର ସଙ୍କଳ୍ପବଦ୍ଧ ମନ୍ତ୍ର ହେଉଛି " ତମସୋ ମା ଜ୍ୟୋତିର୍ଗମୟ "। ଯେତେବେଳେ ମନୁଷ୍ୟ ସଙ୍କଳ୍ପରେ ସିଦ୍ଧ ହୋଇ ଅଜ୍ଞାନରୂପି ଅନ୍ଧକାରରୁ ମୁକ୍ତିପାଏ ସେତେବେଳେ ସେ ଶାନ୍ତି ଓ ସନ୍ତୋଷକୁ ହୃଦୟଙ୍ଗମ କରିଥାଏ। ଏହାପରେ ଆନନ୍ଦରୁ ପରମାନନ୍ଦ ଦିଗକୁ ଗତିକରେ। ଅନ୍ତତୋଗତ୍ୱା ସେ ଅକ୍ଲେଶରେ ବ୍ରହ୍ମାନନ୍ଦ ପ୍ରାପ୍ତ କରିଥାଏ।
ସେ'ପରି ଭକ୍ତି ମାର୍ଗରେ ମନୁଷ୍ୟ ଯେତେବେଳେ ଈଶ୍ୱରୀୟ ଜ୍ଞାନାଞ୍ଜନ ଚକ୍ଷୁରେ ପ୍ରଲେପନ କରେ ସେତେବେଳେ ଅଜ୍ଞାନ ରୂପକ ଅନ୍ଧକାର ସ୍ୱତଃ ପ୍ରବୃତ୍ତ ଭାବେ ବିନଷ୍ଟ ହୋଇଯାଏ। ତତ୍ ସହିତ ମୁକ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ। ତତ୍ ପଶ୍ଚାତ ସେ ସଂସାରର ସମସ୍ତ ଜଡ ଓ ଚେତନ ପଦାର୍ଥ ଠାରୁ ମୋହ ତ୍ୟାଗ ପୂର୍ବଜ ପଦ୍ମ ଦଳରେ ଜଳପରି ଜୀବନ ନିର୍ବାହ କରେ। କେବଳ ହିଁ କେବଳ ପରମେଶ୍ବରଙ୍କ ଅଧୀନ ହୋଇ ତାଙ୍କରି ନିରନ୍ତର ସ୍ମରଣ, ଭଜନ ଓ କୀର୍ତ୍ତନ କରିଚାଲେ। ଶେଷରେ ସେହି ମନୁଷ୍ୟ ସାମିପ୍ୟ ପ୍ରାପ୍ତି କରିଥାଏ। କିନ୍ତୁ ଯଦି କେହି ଜ୍ଞାନୀ ତତ୍ତ୍ଵକୁ ଜାଣି ମଧ୍ୟ ଶ୍ରଦ୍ଧା ରଖେନାହିଁ ଏଵଂ ନିବୃତ୍ତି ମାର୍ଗରେ ଗମନ କରେନାହିଁ ତେବେ ସେହି ବ୍ୟକ୍ତିକୁ ଅଜ୍ଞାନ ମାନବ କୁହାଯାଏ। ଜ୍ଞାନକୁ ବୋଧଗମ୍ୟ କରିବା ଜ୍ଞାନୀର ଲକ୍ଷଣ ! ଏଣୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି -" ଶ୍ରଦ୍ଧାବାନ୍ ଲଭତେ ଜ୍ଞାନମ୍" । ଏହି ଜ୍ଞାନ ହିଁ ଅସତ୍ ର ଧ୍ଵଂସକାରୀ। ଯେତେବେଳେ ଅସତରୂପି ତମସ ଦୂରୀଭୂତ ହୋଇଯିବ ସେତେବେଳେ ଜ୍ୟୋତିର୍ମୟ ସ୍ୱରୂପକୁ ଜୀବ ପ୍ରାପ୍ତ କରିବ।
ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆସିକା ,ଗଞ୍ଜାମ ।
