ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ
ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ
ଓଡିଶା ପ୍ରଦେଶର ଏକ ସ୍ଵତନ୍ତ୍ର ଓ ବିଶିଷ୍ଟ ପର୍ବ 'ଓଢ଼ଣ ଷଷ୍ଠୀ' ବା 'ପ୍ରାବରଣ ଷଷ୍ଠୀ' । ଏହି ପର୍ବ ଆମ ରାଜ୍ୟରେ ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପାଳନ କରାଯାଏ । ମାର୍ଗଶିର ମାସ ହେଉଛି ସବୁ ମାସମାନଙ୍କ ମଧ୍ୟରେ ଶ୍ରେଷ୍ଠୋତ୍ତମ ମାସ ବୋଲି ଶ୍ରୀମଦ୍ ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି - " ମାସାନାଂ ମାର୍ଗଶୀର୍ଷୋ ଅହମ୍ "। ଏହି ଶ୍ରେଷ୍ଠୋତ୍ତମ ମାସରେ ଆମ ଓଡ଼ିଆ ଜାତିର ପ୍ରାଣ ଦେଵତା, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳିତ ହୁଏ ଓଢ଼ଣ ଷଷ୍ଠୀ ଯାତ୍ରା। ଏ ଯାତ୍ରା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଗୋଟିଏ ଯାତ୍ରା। ଉକ୍ତ ଦିନ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଶୀତରୁ ରକ୍ଷା କରିବା ପାଇଁ ସେବକମାନେ ସ୍ୱତନ୍ତ୍ର ଶୀତବସ୍ତ୍ର ବା 'ଘୋଡ଼' ପରିଧାନ କରାଇଥାନ୍ତି। ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପ ଭଳି ହୋଇଥାଏ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ଓ ଧାର୍ମିକ ପରମ୍ପରାର ଦର୍ଶାଏ ଯେ ସାକ୍ଷାତ ପରଂବ୍ରହ୍ମ ଭାବେ ପୂଜିତ ହେଉଥିଲେ ମଧ୍ୟ, ଶ୍ରୀଜୀଉମାନେ ଜଣେ ଜଣେ ସାଧାରଣ ମନୁଷ୍ୟ ଭଳି ଋତୁ ପରିବର୍ତ୍ତନର ପ୍ରଭାବକୁ ଅନୁଭବ କରିଥାନ୍ତି । ଓଢ଼ଣ ଷଷ୍ଠୀ ପୂର୍ବ ରାତ୍ରରେ ମହାପ୍ରଭୁ ବଡ଼ସିଂହାର ବେଶରେ ଶୀତ ସହ କସରଥ କରିଥିଲେ। ଏଥିରେ ଶୀତ ଭୟଭୀତ ହୋଇ ଦାରୁବ୍ରହ୍ମଙ୍କୁ କୁହେ, ହେ ନାଥ ! ଆପଣ ଯଦି ମତେ ପରାସ୍ତ କରନ୍ତି ତେବେ ଏ ସଂସାରରେ ମୋର ମହତ୍ତ୍ଵ ରହିବ ନାହିଁ। ପ୍ରକୃତିର ନିୟମକୁ ଉଲ୍ଲଂଘନ କଲେ ମହାବାହୁ ଆପଣଙ୍କ କିର୍ତ୍ତିରେ କଳଙ୍କ ଲାଗିବ। ଏଣୁ ହେ ଦୟାମୟ ! ଦୟାକରି ମୋତେ ଦୟାକରନ୍ତୁ। ମୁଁ ମୋ' କର୍ତ୍ତବ୍ୟ ସମ୍ପାଦନ କରିବି। ଏଥିରେ ଜଗନ୍ନାଥ ସନ୍ତୋଷ ହୋଇ ଶୀତଠାରୁ ସେ ପରାସ୍ତ ହୋଇଥିଲେ।
ମହାପ୍ରଭୁ ହେଉଛନ୍ତି ଆଭୂଷଣ ପ୍ରିୟ ଠାକୁର। ଏଣୁ ଶାସ୍ତ୍ରରେ ବର୍ଣ୍ଣିତଅଛି - " ଆଭୂଷଣ ପ୍ରିୟ ବିଷ୍ଣୁଃ " । ସେହି ବିଷ୍ଣୁ ଦାରୁମୂର୍ତ୍ତି ଧାରଣ କରି ମଧ୍ୟ ନିଜର ଭକ୍ତଙ୍କୁ ପ୍ରୀତି ଦେବା ପାଇଁ ନାନାବିଧ ବେଶ ହୋଥାଆନ୍ତି। ତେଣୁ କୁହାଯାଇଛି -
ବ୍ରହ୍ମାଣ୍ଡ ଠାକୁର ହୋଇଲେ ସାକାର
ଧରିଲେ ଦାରୁ ମୂରତି
ମାନବ ପରାଏ ଲୀଳା ଖେଳା କଲେ
ଭକ୍ତଙ୍କୁ ଦେବାକୁ ପ୍ରୀତି
ଭଣଇ ହେମନ୍ତ ମତି
ମାର୍ଗଶିର ମାସେ ଘୋଡ଼ଲାଗି ବେଶେ
କରନ୍ତି ଅନନ୍ୟ ରୀତି।।
ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଅଙ୍ଗ ଗୁଡ଼ିକୁ ଭୂଷିତ କରାଯାଏ । ଏ ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ପ୍ରସ୍ତୁତ କରାଯାଇଥାଏ। ଯାହା ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ତିଆରି କରିଥାନ୍ତି। ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ପରିଧାନ କରନ୍ତି।ଯଥା:- ରବିବା'ରେ ନାଲି ,ସୋମବା'ରେ କଳାଛିଟା ମିଶା ଧଳା, ମଙ୍ଗଳବା'ରେ ବାର ପଟିଆ (ପଞ୍ଚ ରଙ୍ଗ ମିଶା) ,ବୁଧବା'ରେ ନୀଳ , ଗୁରୁବା'ରେ ହଳଦିଆ, ଶୁକ୍ରବା'ରେ ଧଳା ଓ ଶନିବାରରେ କଳା ରଙ୍ଗର ଲାଗି ହୋଇଥାନ୍ତି । ତିନିଠାକୁରଙ୍କ ପାଇଁ ଚଉଦହାତ ଲମ୍ବ ଓ ତିନିହାତ ଓସାରର ଚାରିଖଣ୍ଡ ପାଟ ବ୍ୟବହାର କରାଯାଇଥାଏ । ଏହି ବେଶରେ ଠାକୁରମାନଙ୍କୁ ନବାଙ୍କ ଚୂଳ ଓ ମକର ଚୂଳ ଲାଗି କରାଯିବା ସହ ଦୁଇଟି ତ୍ରିଶାଖା, ଚାରୋଟି କୁଣ୍ଡଳ ଓ ଦୁଇଟି ତଡ଼ଗି ଏପରି ମୋଟ ଆଠଟିମୂର୍ତ୍ତି ସୁନା ଅଳଙ୍କାରାଦି ଲାଗି କରାଯାଏ । ମହାପ୍ରଭୁଙ୍କ ବତିଶି ଗୋଟି ବେଶ ଭିତରୁ ଏହା ଏକ ବିଶେଷ ବେଶ। ଏହି ମନୋରମ ବେଶକୁ ଦର୍ଶନ କରି ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କ ଭକ୍ତମାନେ ମଧ୍ୟ ଆନନ୍ଦିତ ହେଉଥିଲେ।
'ଓଢ଼ଣ' ଶବ୍ଦର ଅର୍ଥ ହେଉଛି ଘୋଡ଼ାଇବା ବା ଆବୃତ କରିବା ଏବଂ 'ଷଷ୍ଠୀ' ହେଉଛି ଚନ୍ଦ୍ର ଗଣନାର ଏକ ଦିନ ବା ତିଥି । ଏହି ପଵିତ୍ର ଓଢ଼ଣ ଷଷ୍ଠୀ ଉତ୍ସଵ ମାର୍ଗଶିର ଶୁକ୍ଳଷଷ୍ଠୀ ଠାରୁ ଫାଲ୍ଗୁନ ମାସର ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରାୟ ଦୁଇ ମାସ ଧରି ପାଳିତ ହୋଇଥାଏ। ଏ ସମୟରେ ମହାପ୍ରଭୁମାନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଉଷ୍ମ ବସ୍ତ୍ର, ଯାହାକୁ 'ଘୋଡ଼' ବା 'ଘୋଡ଼ଲାଗି' କରାଯାଇଥାଏ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରର ଦୈନିକ ପୂଜା ନୀତିରେ କିଛି ପରିବର୍ତ୍ତନ ଦେଖାଯାଏ। ସାଧାରଣତଃ ପୂଜାପଣ୍ଡା ସେବକମାନେ ଅନ୍ୟ ଦିନ ମାନଙ୍କରେ ରତ୍ନସିଂହାସନ ଉପରେ ବସି ପୂଜା କରନ୍ତି, କିନ୍ତୁ ଓଢ଼ଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ, ସେମାନେ ଠାକୁରମାନଙ୍କୁ ଶୀତ ଲାଗିବା କାରଣରୁ ରତ୍ନସିଂହାସନ ତଳେ ବସି ପୂଜା କରନ୍ତି। ଏହି ପର୍ବ ଦର୍ଶାଏ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅନାବିଳ ସମ୍ପର୍କକୁ । ଯହିଁରେ ଠାକୁରଙ୍କୁ ନିଜ ପରିବାରର ସଦସ୍ୟ ଭଳି ଯତ୍ନ ନେବା, ତାଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା , ଏପରି ଭାବ ହିଁ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର। ଏହି ପର୍ବ ମାଧ୍ୟମରେ ସେବକ ଓ ଭକ୍ତମାନେ ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ଅନୁଭବ କରିଥାନ୍ତି। ଏହି ପରମ୍ପରା ଓଡ଼ିଶାର ଭକ୍ତି ଭାବନାର ଏକ ଅନନ୍ୟ ଦୃଷ୍ଟାନ୍ତ।
ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆସିକା, ଗଞ୍ଜାମ ।
