STORYMIRROR

Hemant Kumar Gantayat

Classics

4  

Hemant Kumar Gantayat

Classics

~ ଚିତ୍ତଶୁଦ୍ଧି ଆନନ୍ଦର ପଥ ~ ଶ୍ରୀହେମନ୍ତ କୁମାର ଗନ୍ତାୟତ

~ ଚିତ୍ତଶୁଦ୍ଧି ଆନନ୍ଦର ପଥ ~ ଶ୍ରୀହେମନ୍ତ କୁମାର ଗନ୍ତାୟତ

4 mins
4

       ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ରର ଗୋଟିଏ ମାତ୍ର ଲକ୍ଷ୍ୟ ; ଜୀବକୁ ଚରମ ପଥର ପଥିକ କରିବା ସହ ନିତ୍ୟ ଆନନ୍ଦ ପ୍ରଦାନ କରିବା। ସାଧାରଣତଃ କିଛ ମନୁଷ୍ୟ ଭାବିଥାନ୍ତି ଇନ୍ଦ୍ରିୟ ଓ ଅନ୍ତକରଣ ମାନଙ୍କ ଦ୍ଵାରା ଯେଉଁ ସୁଖ ଅନୁଭବ ହୁଏ ତାହା ହିଁ ପ୍ରକୃତ ଆନନ୍ଦ। ଏହା ସମ୍ପୂର୍ଣ୍ଣ ରୂପେ ଠିକ୍ ନୁହେଁ। କାରଣ ଆନନ୍ଦ ଏପରି ଏକ ତତ୍ତ୍ଵ ଯେ କି, ପ୍ରକୃତିରୁ ପ୍ରାପ୍ତ ହୋଇ ନଥାଏ । ପ୍ରକୃତି କେବଳ ସୁଖ ଓ ଦୁଃଖ ଦେଇଥାଏ କିନ୍ତୁ ଆନନ୍ଦ ପ୍ରଦାନ କରିପାରେ ନାହିଁ। ଆନନ୍ଦ ଓ ସୁଖ ଭିନ୍ନ ଭିନ୍ନ ପଦାର୍ଥ। ଆନନ୍ଦ ଇନ୍ଦ୍ରିୟଗ୍ରାହ୍ୟ ନୁହେଁ ଏହା ଅନୁଭବର ବିଷୟ। ଏହି ଆନନ୍ଦକୁ ଅନୁଭବ କରିବା ପାଇଁ ଶାସ୍ତ୍ରକାରମାନେ ଯୋଗ, ଭକ୍ତି ଓ ଜ୍ଞାନାଦିର ଅନେକ ମାର୍ଗ ଦର୍ଶାଇଛନ୍ତି। ସେହି ମାର୍ଗକୁ ଅବଲମ୍ବନ କରି ସାଧକମାନେ ଚିତ୍ତଶୁଦ୍ଧି କରିଥାନ୍ତି। ଯାହା ଫଳରେ ପ୍ରକୃତ ତତ୍ତ୍ଵକୁ ପ୍ରାପ୍ତ କରିବା ସହ ମୁକ୍ତି, ମୋକ୍ଷ, କୈବଲ୍ୟ ଓ ପରମାନନ୍ଦ ପାଇଥାନ୍ତି।


      ଈଶ୍ୱର ସାକ୍ଷାତକାର କରିବା ସହ ପ୍ରକୃତ ଆନନ୍ଦ ଲାଭ ପାଇଁ ଚିତ୍ତ ଶୁଦ୍ଧିର ନିତ୍ୟାନ୍ତ ଆବଶ୍ୟକ ବୋଲି ଯୋଗ ଦର୍ଶନର ରଚୟିତା ମହର୍ଷି ପତଞ୍ଜଳି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଇନ୍ଦ୍ରିୟମାନଙ୍କ ଠାରୁ ଗ୍ରହଣ କରାଯାଉଥିବା ବିଷୟମାନ ମନ ଦ୍ଵାରା ଚିତ୍ତରେ ବୃତ୍ତି ଉତ୍ପନ୍ନ କରିଥାନ୍ତି। ଏଥି ଯୋଗୁଁ ଚିତ୍ତରେ ସାମ୍ୟ ଅବସ୍ଥା ରହେନାହିଁ। ଯାହା ଫଳରେ ମନ ଅସ୍ଥିର ରହେ। ଏହି କାରଣରୁ ମନୁଷ୍ୟ ଈଶ୍ୱର ସାକ୍ଷାତକାର କରିପାରେ ନାହିଁ। ଏହାର ସମାଧାନ ପାଇଁ ପତଞ୍ଜଳି ଯୋଗ ଦର୍ଶନର ସମାଧି ପାଦର ଦ୍ୱିତୀୟ ସୂତ୍ରରେ କହିଛନ୍ତିଯେ - ‘ଯୋଗଶ୍ଚିତ୍ତ ବୃତ୍ତି ନିରୋଧଃ’ ଅର୍ଥାତ୍ ଯୋଗ ମାଧ୍ୟମରେ ଇନ୍ଦ୍ରିୟମାନଙ୍କ ଠାରୁ ନିଗ୍ରହ କରି ମନକୁ ଅନ୍ତର୍ମୁଖୀ କରିବା। ଯାହାଫଳରେ ଚିତ୍ତରେ ବୃତ୍ତି ଉତ୍ପନ୍ନ ହେବନାହିଁ। 


      ପତଞ୍ଜଳି ଯୋଗ ଦର୍ଶନରେ ଯୋଗର ଅର୍ଥ ହେଉଛି ଜୀବ ସହ ଈଶ୍ବରଙ୍କ ସଂଯୋଗ। ତାହା ସମାଧି ଅବସ୍ଥାରେ ପ୍ରାପ୍ତ ହୋଇଥାଏ। ସମାଧି ମୁଖ୍ୟତଃ ଦୁଇ ପ୍ରକାର- ସଂପ୍ରଜ୍ଞାତ ଓ ଅସଂପ୍ରଜ୍ଞାତ। ସ୍ଥୂଳ ତତ୍ତ୍ୱରୁ ମହାତତ୍ତ୍ୱ ପର୍ଯ୍ୟନ୍ତ ପ୍ରାକୃତିକ ପଦାର୍ଥ ତଥା ଚେତନ ଆତ୍ମା ସମ୍ବନ୍ଧରେ ଯଥାର୍ଥ ଜ୍ଞାନକୁ ଅସଂପ୍ରଜ୍ଞାତ ସମାଧି କୁହାଯାଏ। ଏହି ସମାଧି ଅବସ୍ଥାରେ ଅବିଦ୍ୟାଦି କ୍ଲେଶ ଅନେକ ମାତ୍ରାରେ ବିନଷ୍ଟ ହୋଇଥାଏ। ତଥାପି ସାଧକଠାରେ ସୂକ୍ଷ୍ମ କ୍ଲେଶ ରହିଯାଏ। ଯେତେବେଳେ ଈଶ୍ୱର ପ୍ରଦତ୍ତ ଜ୍ଞାନ ଦ୍ୱାରା ଜୀବାତ୍ମା ବ୍ରହ୍ମ ସାକ୍ଷାତ୍‌କାର କରେ, ସେତେବେଳେ ଜୀବାତ୍ମା ନିଜ ସ୍ବରୂପରେ ଅବସ୍ଥାନ କରିଥାଏ । ଏହା ହିଁ ସଂପ୍ରଜ୍ଞାତ ସମାଧି ଅବସ୍ଥା। ନିର୍ଜୀବ ବା ସଂପ୍ରଜ୍ଞାତ ସମାଧି ହିଁ ଯୋଗ ଦର୍ଶନର ଅନ୍ତିମ ଲକ୍ଷ୍ୟ। 


      ଭକ୍ତିମାର୍ଗର ପରମ ଶାସ୍ତ୍ର ଭାଗବତରେ ଭାଗବତକାର ଅତିବଡି ଜଗନ୍ନାଥ ଦାସ କହିଛନ୍ତି ଯେ, " ଏଣୁ ନିଶ୍ଚଳ ବୃତ୍ତି ଚିତ୍ତେ ଯେ ତାକୁ ଚିତ୍ତେ ଅବିରତେ " ଅର୍ଥାତ୍ ଯେତେବେଳେ ଭକ୍ତ ଭଗବତ୍ ସ୍ୱରୂପକୁ ଚିନ୍ତନ କରି ହୃଦକନ୍ଦରରେ ସ୍ଥାପନ କରିଦିଏ ସେତେବେଳେ ଚିତ୍ତରେ ବୃତ୍ତି ଉତ୍ପନ୍ନ ହୁଏ ନାହିଁ। ଏହି ଅବସ୍ଥାକୁ ନିଶ୍ଚଳ ଚିତ୍ତ ବୃତ୍ତି ବୋଲି କହିଛନ୍ତି। ଅବିରତ ଭାବେ ଚିତ୍ତରେ ଭଗବତ୍ ସ୍ୱରୂପ ପ୍ରତିବିମ୍ବିତ ହେବା କାରଣରୁ ଅନ୍ତକରଣ ଶୁଦ୍ଧ ହୋଇଯାଏ। ଯାହାଫଳରେ ଭକ୍ତକୁ ମୁକ୍ତି ମିଳିଥାଏ।


        ସେହିପରି ଜ୍ଞାନ ମାର୍ଗର ଶାସ୍ତ୍ର ବେଦାନ୍ତ ଦର୍ଶନରେ ପଞ୍ଚକୋଷ ନିବୃତ୍ତି ଦ୍ଵାରା କିପରି ଆନନ୍ଦକୁ ଉପଲବ୍ଧି କରାଯାଏ , ତାହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ପଞ୍ଚକୋଷ ଗୁଡ଼ିକ ହେଲେ ଯଥା - ୧. ଅନ୍ନମୟ ,୨. ପ୍ରାଣମୟ,୩. ମନୋମୟ,୪. ବିଜ୍ଞାନମୟ ଓ ୫. ଆନନ୍ଦମୟ କୋଷ । ଏମାନେ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଆମର ସ୍ୱରୂପ ଅର୍ଥାତ୍ ଆତ୍ମାକୁ ଆବୃତ କରି ରଖିଥାନ୍ତି। ଯଦ୍ୱାରା ମନୁଷ୍ୟ ଆତ୍ମ ସାକ୍ଷାତକାର କରି ପାରେନାହିଁ। ଏହି ପଞ୍ଚକୋଷ ମଧ୍ୟରୁ ପ୍ରଥମଟି ହେଉଛି ଅନ୍ନମୟ କୋଷ । ଏହାକୁ ତତ୍ତ୍ବବୋଧରେ ଏପରି କୁହାଯାଉଛି - ଅନ୍ନରସେନୈବ ଭୂତ୍ଵା ଅନ୍ନରସେନୈବ ବୃଦ୍ଧିଂ ପ୍ରାପ୍ୟ ଅନ୍ନରୂପପୃଥିବ୍ୟାଂ ଯଦ୍ ବିଲୀୟତେ ତଦ୍ ଅନ୍ନମୟ କୋଷଃ। ଅର୍ଥାତ୍ ଏ କୋଷ ପଞ୍ଚ ମହାଭୂତ (ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ) ଦ୍ୱାରା ଗଠିତ । ଏହା ଖାଦ୍ୟରୁ ପୁଷ୍ଟ ହୋଇଥାଏ। ଅତଃ ଏହାକୁ ସ୍ଥୂଳଶରୀର ମଧ୍ୟ କୁହାଯାଏ। ଦ୍ୱିତୀୟଟି ହେଲା ପ୍ରାଣମୟ କୋଷ - ପ୍ରାଣାଦ୍ୟାଃ ପଞ୍ଚ ବାୟବଃ ବାଗାଦି ଇନ୍ଦ୍ରିୟପଞ୍ଚକଂ ପ୍ରାଣମୟଃ କୋଷଃ ( ତତ୍ତ୍ବବୋଧ)। ଏହା ପଞ୍ଚ ପ୍ରାଣବାୟୁ ( ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ) ଓ ପଞ୍ଚ କର୍ମେନ୍ଦ୍ରିୟ ( ବାକ୍, ପାଣି, ପାଦ, ପାୟୁ ଓ ଉପସ୍ଥ ) ଦ୍ଵାରା ଗଠିତ। ଯେକି ଆମ' ଶ୍ୱାସକ୍ରିୟା, ରକ୍ତ ସଞ୍ଚାଳନ ଏବଂ ସମସ୍ତ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ତୃତୀୟଟି ହେଉଛି ମନୋମୟ କୋଷ - ମନଶ୍ଟ ଜ୍ଞାନେନ୍ଦ୍ରିୟପଞ୍ଚକଂ ମିଳିତ୍ଵା ଯୋ ଭବତି ସ ମନୋମୟଃ କୋଷଃ ( ତତ୍ତ୍ବବୋଧ)। ଏହା ମନ ଓ ଜ୍ଞାନେନ୍ଦ୍ରିୟ ( ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ୱା ଏଵଂ ତ୍ୱକ୍ ) କୁ ନେଇ ସୃଷ୍ଟି। ଯାହା ଆମର ମନ, ଭାବନା ଏବଂ ଇନ୍ଦ୍ରିୟଗୁଡ଼ିକ ସହିତ ଜଡ଼ିତ ହୋଇ ଇଚ୍ଛା, ଆବେଗ ଏବଂ ଚିନ୍ତାଧାରାର କାର୍ଯ୍ୟକଳାପାଦି ଘଟାଇଥାଏ। ଏହା ମନୁଷ୍ୟକୁ ଜଗତ ସହିତ ଯୋଡ଼ିଥାଏ ଏବଂ ବାହ୍ୟ ଜଗତର ଅନୁଭୂତିକୁ ପ୍ରକ୍ରିୟାକରଣ କରିଥାଏ। ସେ'ପରି ଚତୁର୍ଥଟି ହେଉଛି ବିଜ୍ଞାନମୟ କୋଷ - ବୁଦ୍ଧିଜ୍ଞାନେନ୍ଦ୍ରିୟପଞ୍ଚକଂ ମିଳିତ୍ଵା ଯୋ ଭବତି ସ ବିଜ୍ଞାନମୟଃ କୋଷଃ ( ତତ୍ତ୍ବବୋଧ) । ଯେ ମନୋମୟ କୋଷ ଠାରୁ ଅତ୍ୟନ୍ତ ସୂକ୍ଷ୍ମ ଅଟେ। ଏହା ବୁଦ୍ଧି ଏବଂ ପଞ୍ଚ ଜ୍ଞାନେନ୍ଦ୍ରିୟକୁ ନେଇ ଗଠିତ। ଏହି କୋଷ ବିବେକ ବା ବୁଦ୍ଧିକୁ ପ୍ରତିନିଧିତ୍ୱ କରେ। ଯଦ୍ୱାରା ମନୁଷ୍ୟ ଭଲ-ମନ୍ଦ, ସତ୍ - ଅସତ୍ ମଧ୍ୟରେ ପାର୍ଥକ୍ୟ ଜାଣିପାରେ। ଏ ହେଉଛି ଜ୍ଞାନର ଆବରଣ । ଅନ୍ତିମ ହେଲା ଆନନ୍ଦମୟ କୋଷ - ଏବମେବ କାରଣଶରୀରଭୂତାବିଦ୍ୟାସ୍ଥମଳିନସତ୍ତ୍ଵଂ ପ୍ରିୟାଦିବୃତ୍ତିସହିତଂ ସତ୍ ଆନନ୍ଦମୟଃ କୋଷଃ ( ତତ୍ତ୍ବବୋଧ) । ଯେକି ଆନନ୍ଦର ସୂକ୍ଷ୍ମ ଆବରଣ । ଯାହା ଅବିଦ୍ୟାରେ ପ୍ରତିଷ୍ଠିତ କାରଣଶରୀର ରୂପକ ମଳିନ ସତ୍ତ୍ଵପ୍ରଧାନ (ଅର୍ଥାତ୍ ଅଶୁଦ୍ଧ) ଏବଂ ପ୍ରିୟ ଆଦି ବୃତ୍ତି ସହିତ ଥାଏ (ଅର୍ଥାତ୍ ଯିଏ ପ୍ରିୟ, ସୁଖ, ଆଦିର ଧାରଣାର ବଶ) ତାହା ଆନନ୍ଦମୟ କୋଶ। ଏହା ତ୍ରିଗୁଣାତ୍ମିକା ଚିତ୍ତ ଅଟେ। ଏହି ଆବରଣ କଟିଗଲେ ବ୍ୟକ୍ତି ନିଜର ପ୍ରକୃତ ସ୍ୱରୂପ ଅର୍ଥାତ୍ ଆତ୍ମା ସହିତ ଏକତା ଅନୁଭବ କରେ ଓ ସୁଷୁପ୍ତି (ଗଭୀର ନିଦ୍ରା) ଏବଂ ସମାଧି ଅବସ୍ଥାରେ ନୀରତିଷୟ ଆନନ୍ଦ ସହିତ ଜଡ଼ିତ ରହି କେବଳ ପରମ ଶାନ୍ତି ପ୍ରାପ୍ତ କରିଥାଏ।#ସଂଗୃହିତ 

ଆସିକା, ଗଞ୍ଜାମ।


Rate this content
Log in

Similar oriya story from Classics