STORYMIRROR

Hemant Kumar Gantayat

Classics

4  

Hemant Kumar Gantayat

Classics

~ ଶ୍ରୀଜୀଉଙ୍କ ବିମ୍ୱସ୍ନାନ , ମହାସ୍ନାନ ଓ ଦେବସ୍ନାନ ~

~ ଶ୍ରୀଜୀଉଙ୍କ ବିମ୍ୱସ୍ନାନ , ମହାସ୍ନାନ ଓ ଦେବସ୍ନାନ ~

4 mins
12

       ମହାପ୍ରଭୁ ଶ୍ରୀଜଗନ୍ନାଥ ବୈଚିତ୍ରମୟ ଠାକୁର । ଯାହାଙ୍କର ବିଚିତ୍ରତା ଅନେକ ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି ଏବଂ ତତ୍ ସଙ୍ଗେ ସଙ୍ଗେ " ଶ୍ୱେତାଶ୍ୱେତର ଉପନିଷଦ " ରେ ମଧ୍ୟ ଏପରି ଦେଖିବାକୁ ମିଳେ - ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟ କର୍ଣ୍ଣଃ । ସ ବେତ୍ତିବିଦ୍ୟଂ ନ ଚ ତସ୍ୟ ବେତ୍ତା ତମାହୁରଗ୍ରମ° ପୁରୁଷ° ମହାନ୍ତମ୍ ।। ଯେଉଁ ପ୍ରଭୁ ପାଦ ନଥାଇ ମଧ୍ୟ ଯୋଜନ ଯୋଜନ ଯାଇ ପାରନ୍ତି । ଚକ୍ଷୁ ଓ କର୍ଣ୍ଣ ନଥାଇ ବି ଦେଖିବା ସଙ୍ଗେ ସଙ୍ଗେ ଶ୍ରବଣ କରି ପାରନ୍ତି ମଧ୍ୟ । ସେ ସମସ୍ତଙ୍କୁ ଜାଣନ୍ତି କିନ୍ତୁ ତାହାଙ୍କୁ କେହି ବି ଜାଣି ପାରନ୍ତି ନାହିଁ । ଜ୍ଞାନୀ ବ୍ୟକ୍ତିମାନେ ଏପରି ପ୍ରଭୁଙ୍କୁ ବିରାଟ ପୁରୁଷ ରୂପରେ ଅଭିହିତ କରିଛନ୍ତି । ସେ ସ୍ରଷ୍ଟା, ସୃଷ୍ଟି , ସ୍ଥିତି ,ଆନନ୍ଦ,ମୁକ୍ତି ଓ ସେ ହିଁ ସର୍ଵକାରଣ କାରଣ l ଯାହାଙ୍କୁ ବେଦ ନେତି ନେତି ନୀତିରେ ନିର୍ଣ୍ଣୟ କରିବାରେ ନିଷ୍ପ୍ରଭ ହୁଏ । ଯେ ଭାତି ଭାତି ନ୍ୟାୟରେ ଉଦ୍ଭାସିତ ହୁଅନ୍ତି । ଯାହାଙ୍କ ସମ୍ମୁଖରେ ସର୍ବେନ୍ଦ୍ରିୟ ସୁପ୍ତ ହୁଅନ୍ତି । ଯାହାଙ୍କ ପ୍ରକାଶରେ ମୁଙ୍କାର ଆକାର ହରାଏ । ଯାହାଙ୍କ ନିର୍ଦ୍ଦେଶରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପରିଚାଳିତ  । ଯାହାଙ୍କ ଇଚ୍ଛାରେ ମାୟା ପ୍ରକାଶିତ କିନ୍ତୁ ସେହି ଭାବ ବିନୋଦିଆ କାଳିଆ ଠାକୁର ନିଜ ଭକ୍ତଙ୍କ ଲାଗି  ପୁଣ୍ୟ ଲୀଳାଚଳ ଧାମରେ ମାନବୀୟ ଲୀଳା କରନ୍ତି ।


       ମନୁଷ୍ୟ ଯେପରି ନିତ୍ୟ ନୈମିତ୍ତିକ କର୍ମ କରେ ସେ'ପରି ମହାପ୍ରଭୁ ଶ୍ରୀବଳଭଦ୍ର, ଆଦ୍ୟାଶକ୍ତି ଦେବୀ ସୁଭଦ୍ରା, ଜଗତର ନାଥ ଶ୍ରୀଜଗନ୍ନାଥ ଓ ଭକ୍ତରାଜ ଶ୍ରୀସୁଦର୍ଶନଙ୍କ ଦୈନନ୍ଦିନ କର୍ମମାନ ବିଭିନ୍ନ ସେବକମାନେ ନିଷ୍ଠା ସହକାରେ କରନ୍ତି। ସେଥି ମଧ୍ୟରୁ ଅନ୍ୟତମ ବିଧି ହେଉଛି ସ୍ନାନ ନୀତି । ଏହାଙ୍କୁ ଅବକାଶ ନୀତି ମଧ୍ୟ କୁହାଯାଏ। ଏହି ସମୟରେ ଠାକୁରମାନଙ୍କ ସମ୍ମୁଖ ଭାଗରେ ତିନିଗୋଟି ପିତ୍ତଳ ନିର୍ମିତ ଦର୍ପଣ ସଦୃଶ୍ୟ ବସ୍ତୁ ରଖାଯାଏ ଏବଂ ତିନୋଟି ପାତ୍ରରେ ରଖା ଯାଇଥିବା କର୍ପୂର, ବାସଚନ୍ଦନ ଓ ଅଁଳା ମିଶ୍ରିତ ସୁଶୀତଳ ଜଳରେ ସେହି  ଦର୍ପଣ ସଦୃଶ୍ୟରେ, ପ୍ରତିମ୍ବିତ ଠାକୁରମାନଙ୍କୁ ମନ୍ତ୍ର ସ୍ନାନ କରାଯାଏ। ଏହାକୁ ବିମ୍ୱ ସ୍ନାନ ମଧ୍ଯ କୁହାଯାଏ। ଏତତ୍ ବ୍ୟତୀତ ମହାସ୍ନାନ,ଛୁଆଁ ମହାସ୍ନାନ,ପର୍ବତିଆ ମହାସ୍ନାନ , ପାହାଡ ଉଠା ମହାସ୍ନାନ,ବଡ଼ ମହାସ୍ନାନ ଓ ଯାତ୍ରାଙ୍ଗୀ ମହାସ୍ନାନ ମଧ୍ୟ ହେଇଥାଏ ।

 

      ମହାସ୍ନାନ- ଏହି ସ୍ନାନ ବିଶେଷ ସ୍ଵତନ୍ତ୍ରତା ରହିଛି । ଏହାକୁ ସାଧାରଣତଃ ମହାସ୍ନାନ ବା ମାଘ ସ୍ନାନ ବୋଲି କୁହାଯାଏ । ଛୁଆଁ ମହାସ୍ନାନ - ଠାକୁରଙ୍କ ସାହାଣମେଲା ଓ ଅନ୍ୟାନ୍ୟ ସମୟରେ ପାଳିଆ, ପୁଷ୍ପାଳକ ଓ ପୂଜାପଣ୍ଡାଙ୍କ ବ୍ୟତୀତ ଅନ୍ୟ କେହି ଯଦି ଠାକୁରଙ୍କ ଶ୍ରୀଅଙ୍ଗକୁ ଛୁଇଁ ଦିଏ ତେବେ ଏହି ମହାସ୍ନାନ ବିଧି କରାଯାଏ । ବଡ଼ ଦେଉଳ ପରିସର ମଧ୍ୟରୁ ଶବ ଏବଂ  କୁକୁର ଦେଖାଦେଲେ ମହା ପ୍ରଭୁଙ୍କ ପର୍ବତିଆ ମହାସ୍ନାନ ହୁଏ । ଏଥିରେ ସମ୍ପୂର୍ଣ୍ଣ ମନ୍ଦିର ଶୋଧ କରାଯିବା ସହ ଠାକୁରମାନଙ୍କ ବସ୍ତ୍ର ବଦଳାଇ ପୁନର୍ବାର ବେଶ କରାଯାଏ । ପାହାଡ ଉଠା ମହାସ୍ନାନ ସେତେବେଳେ ହୁଏ ଯେତେବେଳେ ଠାକୁରଙ୍କ ପୂଜା ଠା ହେବା ପରେ ବା ବସିଥିବା ସମୟରେ ରତ୍ନ ସିଂହାସନ ଠାରୁ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ସ୍ଥାନରେ ଯଦି ମଇଳା , ପରିସ୍ରା ଓ ପାନଛେପାଦି ଦେଖିବାକୁ ମିଳେ ତେବେ ଏହି ମହାସ୍ନାନ କରାଯାଏ । ଏଥିରେ ମଧ୍ୟ ବଡ଼ ଦେଉଳ ଶୋଧ କରା ଯାଇଥାଏ ଏବଂ ମହାପ୍ରଭୁଙ୍କ ନୀତି ବନ୍ଦ ରୁହେ  ତତ୍ପଶ୍ଚାତ  ମହା ସ୍ନାନ ବିଧି ପରେ ପୁନର୍ବାର ନୀତି  ବଢେ । ସେ'ପରି ଭିତର ପୋଖରିଆ ଠାରୁ ଜୟବିଜୟ ଦ୍ୱାର ମଧ୍ୟଭାଗରେ ଝାଡା, ରକ୍ତବାନ୍ତି ଓ ଛେପଖଙ୍କାରାଦି ପଡିଥିଲେ ଏହି ବଡ଼ ମହାସ୍ନାନ କରାଯାଏ । ଅନ୍ୟ ଏକ ମହାସ୍ନାନ ହୁଏ ଯାହାର ନାମ ଯାତ୍ରାଙ୍ଗୀ । ଏହା ବିଶେଷ ଯାତ୍ରାଦି ମାନଙ୍କରେ ଅନୁଷ୍ଠିତ ହୁଏ। ରଥଯାତ୍ରା ସମୟରେ ଠାକୁରମାନେ ଯେତେବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରନ୍ତି ଏବଂ ସେଠାରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ସେହି କାଳରେ  ଯାତ୍ରାଙ୍ଗୀ ମହାସ୍ନାନ ନୀତି ହୋଇଥାଏ।


    ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ବିଧି । ଏହା ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ନୀଳାଚଳ ଧାମରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ନୀତି ବଢିବା ପରେ ସ୍ୱଳ୍ପ ସମୟ ପାଇଁ ଠାକୁରମାନଙ୍କ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ବିଧାନ ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧିଥାନ୍ତି । ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହେବା ସହ ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । ଏହାପରେ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କୁ ଦଇତାପତିମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହାଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୋଇଥାନ୍ତି । ଏହି ସାତପାହାଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା'ପରେ ବନ୍ଦାପନା ହୋଇ ରାଘବଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ । ଏହା ପରେ ପରେ ପନ୍ତି ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରିଥାନ୍ତି । ସୁଆର ବଡୁ ଅମୁଣିଆ ପାଣି ସିଞ୍ଚନ କରିବା ସହ ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ସ୍ୱର୍ଣ୍ଣକୂପରୁ  ଜଳ ଅଣାଯାଇ ଥାଏ। ଏହି କୂପଟି ବର୍ଷତମାମ ଅବ୍ୟବହୃତ ହୋଇ ରହିଥାଏ । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂପକୁ ‘ପ୍ରଣୀତାକୂପ' ବୋଲି କୁହାଯାଏ । 


     ଅଭିମନ୍ତ୍ରିତ ହୋଇଥିବା ୧୦୮ ଜଳ  କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ମଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଜଗନ୍ନାଥଙ୍କୁ  ୩୫ ଗରା , ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟକ୍ଷ ଅବକାଶ" କୁହାଯାଏ । ଏହି ଦିନ ଚତୁର୍ଦ୍ଧାମୂର୍ତ୍ତି ଭକ୍ତ ଗଣପତି ଭଟ୍ଟଙ୍କ ଉଦ୍ଦେଶ୍ୟରେ  ଗଜାନନ ବେଶ ହୋଇଥାନ୍ତି । ମହାପ୍ରଭୁଙ୍କ ଲାଗି ଉକ୍ତ ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ଲାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ହୋଇଥାଏ । 

     

    ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ। ସେହି ସମୟରେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ କରାଯାଉଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହାକୁ ମଞ୍ଚସ୍ନାନ ବୋଲି ଉଲ୍ଲେଖ ରହିଛି । 

🙏 ଜୟ ଜଗନ୍ନାଥ 🙏

ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ 

ଆସିକା , ଗଞ୍ଜାମ ।




Rate this content
Log in

Similar oriya story from Classics