ଭାବଂ ଇଚ୍ଛନ୍ତି ଦେଵତା
ଭାବଂ ଇଚ୍ଛନ୍ତି ଦେଵତା
ଯୁଗ ଯୁଗ ଧରି ଭକ୍ତର ଭକ୍ତି ଭାବରେ ବନ୍ଧା ଭଗବାନ । ସେ ସଦା ସର୍ବଦା ଭକ୍ତ ହୃଦୟର ଭାବକୁ ହିଁ ଦେଖିଥାନ୍ତି। ଯଦି ଭକ୍ତ ଭାବ ସହକାରେ କିଛି ଦ୍ରବ୍ୟ ଅର୍ପଣ କରେ ତେବେ ଭଗଵାନ ତାହାକୁ ସାଦରେ ଗ୍ରହଣ କରିଥାନ୍ତି। ଯେପରି ହସ୍ତିନାପୁରେ ଶ୍ରୀକୃଷ୍ଣ ବିଦୁରଙ୍କ କୁଟୀରକୁ ଯାଇ ଅତି ଆନନ୍ଦରେ ଖୁଦଭଜା ଖାଇଥିଲେ କିନ୍ତୁ ଭାବ ବିହୀନ ଦୁର୍ଯ୍ୟୋଧନର କ୍ଷୀର ଖଣ୍ଡରେ ପ୍ରସ୍ତୁତ ଛପନ ବ୍ୟଞ୍ଜନକୁ ସୁଦ୍ଧା ସେ ଗ୍ରହଣ କରି ନଥିଲେ। କାରଣ ଭଗବାନ ଭକ୍ତ ଭାବର ଭୋକିଲା , ସେ ଦ୍ରବ୍ୟର ଭୋକିଲା ନୁହଁନ୍ତି। ଏଣୁ ଶ୍ରୀମଦ୍ ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି :
ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।
ତଦହଂ ଭକ୍ତ୍ୟୁପହୃତଂ ଅଶ୍ନାମି ପ୍ରୟତାତ୍ମନଃ ।।
ଅର୍ଥାତ୍ ମୋର ଭକ୍ତ ଯଦି ପ୍ରେମଯୁକ୍ତ ହୋଇ ବିଶୁଦ୍ଧ ମନରେ ମୋତେ ଗୋଟିଏ ପତ୍ର, ପୁଷ୍ପ, ଫଳ ଏପରିକି ଜଳ ମଧ୍ୟ ଅର୍ପଣ କରେ ତେବେ ମୁଁ ତାହାକୁ ସହର୍ଷେ ଗ୍ରହଣ କରିଥାଏ ।
ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଏକ କଳା ବିଶେଷ। ଅତଃ କୁହାଯାଇଛି : ଜଗନ୍ନାଥ ଯେ ଷୋଳ କଳା,ତହିଁରୁ କଳାଏ ନନ୍ଦବଳା। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବକୁ ନିକଟ ଅଭାବକୁ ସେ ଦୂର । ଏଣୁ ଦାରୁଦିଅଁଙ୍କୁ ଭାବଗ୍ରାହୀ ପୁରୁଷୋତ୍ତମ ବୋଲି କୁହାଯାଏ। ସେହି ଭାବଗ୍ରାହୀଙ୍କ ସାନିଧ୍ୟ ପାଇବା ପାଇଁ ବିଭିନ୍ନ ସମୟରେ ବହୁ ସାଧୁ, ସନ୍ଥ, ପଣ୍ଡିତ,କବି, ଭକ୍ତ ଓ ମହାତ୍ମାମାନେ ପୁଣ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିଛି ବ୍ୟକ୍ତି ବିଶେଷ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲିଯାନ୍ତି ତ ଅନ୍ୟ କିଛି ଭକ୍ତ ଶ୍ରୀକ୍ଷେତ୍ରରେ ହିଁ ଶେଷ ଜୀବନ ବିତେଇଥାନ୍ତି । ସେହିମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ଆଖ୍ୟାନ, ଆଖ୍ୟାୟିକା ଓ କିମ୍ବଦନ୍ତୀ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭକ୍ତା ଶିରୋମଣି "କରମାବାଈ"। ସେ ମୀରାବାଈଙ୍କ ପରି ଥିଲେ ଶ୍ରୀକୃଷ୍ଣ ପାଗଳିନୀ ଏଵଂ କୃଷ୍ଣପ୍ରେମୀ । କରମାବାଈଙ୍କ ସେ ସମୟରେ ବାଲ୍ୟ ବିବାହ ହୋଇଥିଲା। ପରନ୍ତୁ କିଛି ଦିନ ପରେ କରମାଙ୍କ ସ୍ୱାମୀ ମୃତ୍ୟୁ ବରଣ ହେବାରୁ ସେ ବାଲ୍ୟବିଧବା ହୋଇ ଯାଇଥିଲେ । ଏହାପରେ କରମାଙ୍କ ଶାଶୁଘର ଲୋକେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବାକୁ ଲାଗିଲେ। ସେଥିରେ ସେ ଅତିଷ୍ଟ ହୋଇ ଦିନେ ଘରଛାଡି ଚାଲି ଆସିଲେ । କିଛି ଦିନ ପରେ କରମାବାଈ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ସେଠାରେ ଗୋଟିଏ ମଠରେ ଆଶ୍ରୟ ନେବାପରେ ମହନ୍ତ ଇନ୍ଦ୍ରସ୍ୱାମୀଙ୍କୁ ଗୁରୁରୂପେ ପାଇଥିଲେ। ଗୁରୁଙ୍କ ଆଜ୍ଞାରେ କରମାବାଈ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ସମର୍ପିତ କରିଦେଲେ ।
ଏହି କରମାବାଈଙ୍କୁ ପୂର୍ବରୁ ଗୁରୁ କହିଥିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ଖିଆ ଠାକୁର। ମହାପ୍ରଭୁ ଜମା ଭୋକ ସମ୍ଭାଳି ପାରନ୍ତିନି, ଏଣୁ ତାଙ୍କୁ ସକାଳୁ ସକାଳୁ କିଛିନା କିଛି ଭୋଗ ଲଗାଇବା ପରେ ଅନ୍ୟ କିଛି ସେବା କରିବ । ଯେପରି ଗୁରୁ କହିଥିଲେ ସେପରି କରମା ପ୍ରତିଦିନ ସକାଳୁ ଉଠି ପ୍ରଭୁଙ୍କ ପୂଜା ଅର୍ଚ୍ଚନା କରନ୍ତି ଏବଂ କିଛି ନା କିଛି ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କୁ ଭୋଗ ଲଗାନ୍ତି। ଦିନ ସେ ଭାବିଲେ ଆଜି ଗୋଟିଏ ସ୍ଵାଦିଷ୍ଟ ମିଷ୍ଟାନ୍ନ ଦ୍ରବ୍ୟ ମହାପ୍ରଭୁଙ୍କୁ ଅର୍ପଣ କରିବି । ଏଣୁ ସବୁ ସାମଗ୍ରୀ ଯୋଗାଡ କରି ସେ ଗୋଟିଏ ମାଟି ହାଣ୍ଡିରେ ଖେଚୁଡ଼ି ରାନ୍ଧିଲେ ଏବଂ ତାକୁ ନେଇ ପ୍ରଭୁଙ୍କୁ ଅର୍ପଣ କରିବା ପାଇଁ ଶ୍ରୀମନ୍ଦିରକୁ ଚାଲିଗଲେ । ସେଠାରେ ପଣ୍ଡାମାନେ କରମାଙ୍କ ହାତରେ ଖେଚୁଡ଼ି ଅନ୍ନ ଦେଖି ତାଚ୍ଛଲ୍ୟ କରି କହିବାକୁ ଲାଗିଲେ "ତୋ ହାତ ରନ୍ଧାକୁ ମହାପ୍ରଭୁ କଅଣ ଖାଇବେ ବୋଲି ଅନେଇ ବସିଛନ୍ତି?" ଏମିତି ନାନାକଥା କହି ତାଙ୍କର ଖେଚୁଡ଼ି ହାଣ୍ଡିଟିକୁ ଫିଙ୍ଗି ଦେଲେ । କରମା ବାଈ ମନ ଦୁଃଖରେ ସେଠାରୁ ମଠକୁ ଫେରି ଆସିଲେ । କିଛି ସମୟ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଲାଗି ହେବାର ବେଳ ଆସିଲା , ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କୁ ଭୋଗ ଲଗାଇଲେ । କିନ୍ତୁ ଏ କଅଣ ଯେ ! ମହାପ୍ରଭୁ ଚଳୁରେ ଦେଖା ଗଲେ ନାହିଁ ! ପଣ୍ଡା ମହାଶୟ ଚିନ୍ତିତ ହୋଇପଡ଼ିଲେ । ମନରେ ସନ୍ଦେହ ଉପୁଜିଲା !କ'ଣ କିଛି ଅଘଟଣ ଘଟି ନାହିଁ ତ? କିଛି ଅନୀତି ହେଲା କି ? ଏମିତି କେତେ କେତେ ପ୍ରଶ୍ନବାଚୀ ମନକୁ ବିଚଳିତ କରିବାକୁ ଲାଗିଲା। ସମସ୍ତେ ହତ ଚକିତ ହୋଇ ଏକ ଆରକୁ ଅନାଇବାକୁ ଲାଗିଲେ।
ଏହି କଥାଟି ପବନ ବେଗରେ ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ଗଜପତି ଅନନ୍ୟୋପାୟ ହୋଇ ଅଧିଆ ପଡିଲେ ମହାପ୍ରଭୁଙ୍କ ନିକଟରେ । ମହାରାଜାଙ୍କୁ ସ୍ୱପ୍ନରେ ଜଗନ୍ନାଥ କହିଲେ ହେ ନରେଶ ! ପରମଭକ୍ତା କରମାବାଇର ହାତ ପ୍ରସ୍ତୁତ ଖେଚୁଡ଼ିରେ ମୋର ଭାରି ଶ୍ରଦ୍ଧା, ସେ ଖେଚୁଡ଼ି ନେଇ ଆସିଥିଲା ମୋ ପାଇଁ କିନ୍ତୁ ସେବକମାନେ ସେହି ଖେଚୁଡ଼ି ହାଣ୍ଡି ଭାଙ୍ଗି ଦେଇ ତାଙ୍କୁ ବଡ଼ଦେଉଳରୁ ଘଉଡ଼ାଇ ଦେଇଛନ୍ତି । ତୁମେ ଯାଇ ତାଙ୍କ ହାତରନ୍ଧା ଖେଚୁଡ଼ି ମୋ ପାଖରେ ପହଞ୍ଚାଅ । ଏପରି ସ୍ୱପ୍ନାଦେଶ ପାଇବା ପରେ ଚାରି ଆଡେ ଚହଳ ପଡ଼ିଗଲା କିଏ ସେହି ଭକ୍ତା ? କିଏ ସେ କରମାବାଈ? ଯାହାଙ୍କ ନିମନ୍ତେ ବ୍ରହ୍ମାଣ୍ଡ ଠାକୁର ଗଜପତିଙ୍କୁ ସ୍ୱପ୍ନାଦେଶ କରିଛନ୍ତି । ଏପଟେ ଖୋଜି ଖୋଜି ଯାଇ କରମାବାଇଙ୍କ ନିକଟରେ ପହଞ୍ଚିଲେ ମହାରାଜ ଏବଂ ତାଙ୍କୁ ଯୋଡ଼ ହସ୍ତରେ କ୍ଷମା ପ୍ରାର୍ଥନା କରି ତାଙ୍କ ହାତ ରନ୍ଧା ଖେଚୁଡ଼ି ଆଣି ମହାପ୍ରଭୁଙ୍କୁ ସମର୍ପଣ କଲେ । ତା'ପରେ ଦେଖାଗଲା ମହାପ୍ରଭୁଙ୍କ ରଙ୍ଗାଧରରେ ଲାଗି ରହିଥିଲା ସେହି ଖେଚୁଡ଼ି । ଏହା ଜାଣି ଜୟ ଜୟକାର ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା । ସମସ୍ତେ ଏକ ସ୍ୱରରେ ଗାଇ ଉଠିଲେ , ଜୟ ଜଗନ୍ନାଥ,ଜୟ ଭକ୍ତା କରମା ବାଈ ! ଜୟ ପ୍ରଭୁ ଭକ୍ତ ବତ୍ସଳ କାଳିଆ ସାଆନ୍ତ ! ଏହାପରେ ମହାରାଜ ଘୋଷଣା କଲେ ମା' କରମାଙ୍କ ନାଁରେ ଏଣିକି ମଣିମାଙ୍କୁ ଲାଗିହେବ ଭୋଗ । ଆଉ ଯେଉଁ ମାଟି କୁଡୁଆ ସବୁ ଠାରୁ ବଡ଼ ହୋଇଥିବ ତା ନାଁ ହେବ 'ବାଇହାଣ୍ଡି'। ସେବେଠାରୁ କେତେଦିନ ବିତି ଗଲାଣି । କିନ୍ତୁ କଥା ରହିଛି କରମା ବାଇର, ରହିଛି କରମା ବାଇ ଖେଚୁଡ଼ିର ଓ ବାଇହାଣ୍ଡିର କଥା। ଆଜି ବି ବାଇହାଣ୍ଡିରେ ମହାପ୍ରଭୁଙ୍କୁ ଭୋଗ ଲାଗୁଛି ।
ଏପରି ଅନେକ ଭକ୍ତଙ୍କ ଭାବ ଆମ ସଂସ୍କୃତିରେ ଦେଖିବାକୁ ମିଳେ। ଯେଉଁମାନେ କି କରମାବାଇଙ୍କ ପରି ହୃଦୟର ସମର୍ପଣ ଭାବ ଦ୍ଵାରା ଈଶ୍ୱରଙ୍କୁ ପାଇ ପାରିଛନ୍ତି। ଈଶ୍ୱର ବା ଦେବତାମାନେ କେବଳ ଆନ୍ତରିକ ବିଶୁଦ୍ଧ ଭାବକୁ ଗ୍ରହଣ କରିଥାନ୍ତି। ଏଣୁ ଶାସ୍ତ୍ରରେ କୁହାଯାଇଛି: -
ନ ଭୂମିର୍ ନ ଜଳଦାନଂ ନ ବସ୍ତ୍ରଂ ନ ଚ ଚନ୍ଦନମ୍
ନ ପୁଷ୍ପମ୍ ନ ଫଳଂ ନାନ୍ୟାତ୍ ଭାବଂ ଇଚ୍ଛନ୍ତି ଦେଵତା।।
ଅର୍ଥାତ୍ ଦେବତାମାନେ ଭୂମିଦାନ, ଜଳଦାନ, ବସ୍ତ୍ରଦାନ, ଚନ୍ଦନ ଅର୍ପଣ, ପୁଷ୍ପ ଓ ଫଳ ଇତ୍ୟାଦି ଦାନାକୁ କେବେ ବି ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଦେଵତାମାନେ ସଦା ସର୍ବଦା କେବଳ ଭକ୍ତର ପ୍ରେମ ଓ ସମର୍ପଣର ଭାବକୁ ଗ୍ରହଣ କରିଥାନ୍ତି। ସେପରି ମୋ ନିଜ କବିତାରୁ -
ଭାବର ଠାକୁର ଭାବରେ ବିଭୋର ଭକ୍ତ ହୃଦେ ଅଛି ରହି ।
ଭାବକୁ ନିକଟ ଭକ୍ତିରେ ପ୍ରକଟ ଭାବ ଜାଣେ ଭାବଗ୍ରାହୀ ।।
ଦେବତାମାନେ ବାହ୍ୟ ଆଡମ୍ବର ପ୍ରଦର୍ଶନରେ ସନ୍ତୋଷ ଲଭନ୍ତି ନାହିଁ। ବରଂ ମନୁଷ୍ୟର ସତ୍ ଉଦ୍ଦେଶ୍ୟ, ସାଧୁତା, ନିଷ୍କପଟତା, ପବିତ୍ର ଭାବନା ଓ କୃତ୍ରିମ ପ୍ରେମରେ ହିଁ ତୃପ୍ତ ହୋଇଥାନ୍ତି।
ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ।
ଖମ୍ବେଶ୍ଵରୀ ପାଟଣା
ଆସିକା,ଗଞ୍ଜାମ।
