ଶ୍ରେୟ ମାର୍ଗ ଓ ପ୍ରେୟ ମାର୍ଗ
ଶ୍ରେୟ ମାର୍ଗ ଓ ପ୍ରେୟ ମାର୍ଗ
ମର୍ତ୍ତ୍ୟ ଲୋକରେ ମନୁଷ୍ୟଙ୍କ ପାଇଁ ଦ୍ୱିବିଧ ମାର୍ଗ ରହିଛି। ଗୋଟିଏ ହେଉଛି ଶ୍ରେୟ ମାର୍ଗ ଏବଂ ଅପରଟି ହେଲା ପ୍ରେୟ ମାର୍ଗ। ଜୀବନ ଯାତ୍ରା ନିମନ୍ତେ ଉଭୟ ମାର୍ଗ ମଧ୍ୟରୁ କୌଣସି ଏକ ମାର୍ଗକୁ ବାଛି ନେଇଥାଏ ମନୁଷ୍ୟ। ଆମ ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ରରେ ଶ୍ରେୟ ମାର୍ଗକୁ ଶ୍ରେଷ୍ଠ ବା କଲ୍ୟାଣପ୍ରଦ ଓ ପ୍ରେୟ ମାର୍ଗକୁ ପ୍ରିୟ ବା ସୁଖପ୍ରଦ ବୋଲି କୁହାଯାଇଛି। ଯେଉଁମାନେ ଜଗତ ଓ ଜାଗତିକ ପଦାର୍ଥକୁ ଅନିତ୍ଯ ମାନନ୍ତି ସେହିମାନେ ଶ୍ରେୟ ମାର୍ଗକୁ ଅନୁସରଣ କରିଥାନ୍ତି। କିନ୍ତୁ ଯେଉଁମାନଙ୍କ ଦୃଷ୍ଟିରେ ସାଂସାରିକ ଦ୍ରବ୍ୟ ନିତ୍ୟ ଓ ସୁଖପ୍ରଦ ସେ'ମାନେ ପ୍ରେୟ ମାର୍ଗକୁ ଶ୍ରେୟସ୍କର ମଣି ଏହି ପଥର ପଥିକ ହୋଇଥାନ୍ତି।
ଉପରୋକ୍ତ ଦୁଇ ମାର୍ଗକୁ ସ୍ପଷ୍ଟ କରିବାକୁ ଯାଇ କଠୋପ ଉପନିଷଦରେ କୁହାଯାଇଛି ଯେ -
ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତଃ ତୌ ସଂପରୀତ୍ୟ ବିବିନକ୍ତି ଧୀରଃ।
ଶ୍ରେୟୋ ହି ଧୀରଽଭିପ୍ରେୟସୋ ବୃଣୀତେ ପ୍ରେୟୋ ମନ୍ଦୋ ଯୋଗ କ୍ଷେମାଦବୃଣୀତେ।।
ଏହାର ଅର୍ଥ ମନୁଷ୍ୟ ସମ୍ମୁଖରେ ଦୁଇଗୋଟି ମାର୍ଗ ରହିଛି । ଯଥା - ଶ୍ରେୟ ଓ ପ୍ରେୟ । ବିବେକ ସମ୍ପନ୍ନ ବ୍ୟକ୍ତି ବିଚାର ପୂର୍ବକ ଶ୍ରେୟ ମାର୍ଗକୁ ଗ୍ରହଣ କରିଥାଏ କିନ୍ତୁ ଅବିବେକୀ ବା ମୃଢବ୍ୟକ୍ତି ଅନୃତ ଜଗତକୁ ସତ୍ୟ ଭାବି ପ୍ରେୟ ପଥକୁ ଅନୁସରଣ କରେ। ଯାହା ଫଳରେ ସେ ତତ୍କାଳିକ ସୁଖ ପ୍ରାପ୍ତି କରିଥାଏ।
ଚାର୍ବକ ଦର୍ଶନରେ କୁହାଯାଇଛି ଯେ ପ୍ରେୟ ମାର୍ଗ ହିଁ ସର୍ଵ ଶ୍ରେଷ୍ଠ ମାର୍ଗ। ଜାଗତିକ ସୁଖ ହିଁ ପ୍ରକୃତ ସୁଖ । ତତ୍ ବ୍ୟତିରିକ୍ତ ଅନ୍ୟ କୌଣସି ସୁଖ ଏ ସଂସାରରେ ନାହିଁ । ନିଜ ମତକୁ ଦୃଢ଼ କରିବାକୁ ଯାଇ କହିଛନ୍ତି ଯେ -
‘ଯାବତ୍ ଜିବେତ୍ ସୁଖଂ ଜିବେଦ୍, ଋଣଂ କୃତ୍ବା ଘୃତଂ ପିବେତ୍; ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ।
ଏହାର ତାତ୍ପର୍ଯ୍ୟ ହେଲା ମନୁଷ୍ୟ ଶରୀରର ନଶ୍ଵର ଅଟେ। ଏଣୁ ଏ ସଂସାରରେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବ ସେତେ ଦିନ ପର୍ଯ୍ୟନ୍ତ ସୁଖରେ ରୁହ ଏଵଂ ଋଣ କରି ମଧ୍ୟ ନିଜର କାମନା ପୂର୍ତ୍ତିକର। କାରଣ ସଂସାରରେ ଥରେ ମାତ୍ର ଶରୀର ଜନ୍ମ ନେଇଥାଏ। ଯେତେବେଳେ ଦେହର ଅବସାନ ଘଟେ ଏ ଦେହକୁ ଅଗ୍ନିରେ ଦହନ କରିଦିଆଯାଏ । ଯାହା ଫଳରେ ଏ ଶରୀର ଆଉ ଫେରେ ନାହିଁ କି ,ପୁନର୍ଜନ୍ମ ମଧ୍ୟ ହୁଏ ନାହିଁ। ଅତଃ କାମିନୀ ଓ କାଞ୍ଚନ ଉପଭୋଗ ହିଁ ପରମ ପୁରୁଷାର୍ଥ।
ଉପୋରକ୍ତ ଚାର୍ବାକ ମତକୁ କିଞ୍ଚିତ୍ ଗୋଷ୍ଠୀ ସମର୍ଥନ କରୁଥିବା ବେଳେ ଅଧିକାଂଶ ମତରେ ଶ୍ରେୟ ମାର୍ଗ ହିଁ ଶ୍ରେୟସ୍କର କହିଛନ୍ତି । ଯେପରି ନିଗମ ଶାସ୍ତ୍ରର ନିର୍ଯ୍ୟାସ ପରମ ପାବନ ଶ୍ରୀମଦ୍ଭାଗବତ ମହାପୁରାଣରେ ଅତିବଡ଼ି ଜଗନ୍ନାଥ ଦାସ ଶ୍ରେୟ ମାର୍ଗକୁ ଶ୍ରେଷ୍ଠ ବୋଲି ଅଭିହିତ କରି କହିଛନ୍ତି ଯେ - " ଶ୍ରେୟ ସାଧନ ଯୋଗ ଏତେ ପ୍ରାଣୀଙ୍କ ଜନ୍ମ ସିଦ୍ଧି ଅର୍ଥେ " । ସେ'ପରି ଗୀତାରେ ମଧ୍ୟ କୁହାଯାଇଛି , ଶ୍ରେୟ ମାର୍ଗ ଏପରି ଏକ ମାର୍ଗ ଯେଉଁ ମାର୍ଗରେ ମନୁଷ୍ୟକୁ ଜ୍ଞାନ, କର୍ମ ଓ ଭକ୍ତି ମାଧ୍ୟମରେ ଆତ୍ମ ସାକ୍ଷାକ୍ତାକାର ହୋଇଥାଏ ଏବଂ ତତ୍ ସହିତ ଚିରକାଳ ପର୍ଯ୍ୟନ୍ତ ଆନନ୍ଦ ଦିଗକୁ ଯାତ୍ରା କରାଏ। ପ୍ରେୟ ପଥ ତତ୍କାଳିକ ସୁଖ ଦେଇଥାଏ କିନ୍ତୁ ଭବ ବନ୍ଧନରୁ ମୁକ୍ତି ଦେଇପାରେନା। ପରନ୍ତୁ ଶ୍ରେୟ ମାର୍ଗ ତତ୍କାଳିକ ସୁଖ ପ୍ରସବ କରେନା କିନ୍ତୁ କାଳାନ୍ତରେ ଆନନ୍ଦ ପ୍ରଦାନ କରିବା ସହ ମୁକ୍ତି ଦେଇଥାଏ । ସାଧାରଣତଃ ମାୟା ଭ୍ରମରେ ଭ୍ରମିତ ହୋଇ ଅଜ୍ଞ ବା ବଦ୍ଧ ପୁରୁଷ ପ୍ରେୟ ମାର୍ଗ ପ୍ରତି ଆକୃଷ୍ଟ ହୋଇଥାଏ ଏବଂ ବୁଦ୍ଧିମାନ ବ୍ୟକ୍ତି ଅଳିକ ପ୍ରେୟ ମାର୍ଗକୁ ତ୍ୟାଗକରି ନିତ୍ୟାନନ୍ଦ ବା ଶ୍ରେୟ ମାର୍ଗକୁ ଶ୍ରେୟସ୍କରମଣି ଗମନ କରିଥାଏ।
ଶ୍ରେୟ ମାର୍ଗ ଓ ପ୍ରେୟ ମର୍ଗକୁ ଆଧାର କରି କଠପୋନିଷଦରେ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି। ଦିନେ ନଚିକେତାଙ୍କ ପିତା ଉଦ୍ଦାଳକ ଋଷି ସ୍ବର୍ଗସୁଖ ପ୍ରାପ୍ତି ପାଇଁ ବିଶ୍ୱଜିତ୍ ନାମକ ଏକ ଯଜ୍ଞର ଆୟୋଜନ କରିଥିଲେ। ସେହି ଯଜ୍ଞରେ ଋଗ୍ନା ଓ ଦୁର୍ବଳା ଗାଈଗୁଡ଼ିକୁ ପିତା ଦାନ କରିବାର ଦେଖି ନଚିକେତାଙ୍କ ମନରେ ଦୁଃଖ ଜାତ ହେଲା। କାରଣ, ଯେଉଁ ଦାନ ଦ୍ୱାରା ଦାତା ଓ ଗ୍ରହୀତା କାହାର ଉପକାର ହୁଏ ନାହିଁ, ସେହି ଦାନ ମୂଲ୍ୟହୀନ ଅଟେ। ଏହି କାରଣରୁ ନଚିକେତା ପିତାଙ୍କୁ କହିଥିଲେ ମୋତେ ଆପଣ କାହାକୁ ଦାନ କରିବେ ବୋଲି ! ଏପରି ବାରମ୍ବାର ପ୍ରଶ୍ନ କରିବା ଫଳରେ ; ପିତା ବିରକ୍ତି ପ୍ରକାଶ କରି କହିଥିଲେ ଯେ ମୁଁ ତୁମକୁ ମୃତ୍ୟୁର ଦେବତା ଯମଙ୍କୁ ଦାନ କରୁଛି । ଏହା ଶୁଣି ନଚିକେତା ଯମାଳୟକୁ ପ୍ରସ୍ଥାନ କଲେ। ସେଠାରେ ସେ ଭୋକ ଉପାସରେ ତିନିଦିନ ଅପେକ୍ଷା କରିଥିଲେ ; ଯମରାଜାଙ୍କ ଦର୍ଶନ ପାଇଁ । ଏହି କାରଣରୁ ଯମଦେବ ପ୍ରସନ୍ନ ହୋଇ ନଚିକେତାଙ୍କୁ ତିନୋଟି ବର ମାଗିବାକୁ କହିଥିଲେ । ନଚିକେତା ପ୍ରଥମ ବରରେ ପିତାଙ୍କ ସନ୍ତୁଷ୍ଟି, ଦ୍ୱିତୀୟ ବରରେ ସ୍ବର୍ଗସୁଖ ପ୍ରଦାୟିନୀ ‘ଅଗ୍ନିବିଦ୍ୟା’ ଓ ତୃତୀୟ ବରରେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ‘ଆତ୍ମବିଦ୍ୟା’ ପ୍ରାପ୍ତି ପାଇଁ ଇଚ୍ଛା ପ୍ରକାଶ କଲେ। ଯମଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସାରିକ ପ୍ରେୟ ବସ୍ତୁର ପ୍ରଲୋଭନ ସତ୍ତ୍ୱେ ନଚିକେତା ନିଜ କଥାରେ ସ୍ଥିର ରହିବା ଦେଖି; ଯମଦେବ ଅନ୍ତିମରେ ପରମାତ୍ମାଙ୍କ ସର୍ବବ୍ୟାପକତା, ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ସମ୍ବନ୍ଧ ବିଷୟକ ଜ୍ଞାନ ପ୍ରଦାନ କଲେ। ସଂସାରର ନଶ୍ୱରତା, ଯଜ୍ଞ ଦ୍ୱାରା ସ୍ବର୍ଗପ୍ରାପ୍ତି ତଥା ଯୋଗ ସାଧନ ଓ ଈଶ୍ୱର ବିଶ୍ୱାସ ଦ୍ୱାରା ମୋକ୍ଷ ପ୍ରାପ୍ତିର ଶ୍ରେୟ ମାର୍ଗ ସମ୍ବନ୍ଧୀୟ ତତ୍ତ୍ଵ ମଧ୍ୟ କହିଥିଲେ।
ଅନେକ ସତ୍ ଶାସ୍ତ୍ରରେ କୁହାଯାଉଛି ଯେ, ସୁଖ ଦୁଇପ୍ରକାର- ଭୌତିକ ଓ ଆଧ୍ୟାତ୍ମିକ ଏବଂ ଏହି ସୁଖପ୍ରାପ୍ତି ପାଇଁ ମାର୍ଗ ମଧ୍ୟ ଦୁଇ ପ୍ରକାର- ଶ୍ରେୟ ଓ ପ୍ରେୟ ମାର୍ଗ। ସାଂସାରିକ ବିଷୟ ବାସନାଦି ଉପଭୋଗରୁ ମିଳୁଥିବା ସୁଖ ଭୌତିକ, ମାତ୍ର ସଂସାରରୁ ମୁକ୍ତ ହୋଇ ବ୍ରହ୍ମ ସାକ୍ଷାତ୍କାର କରିବା ଦ୍ୱାରା ଯେଉଁ ସୁଖ ମିଳେ ତାହା ଶାଶ୍ୱତ ସୁଖ। ଶ୍ରେୟ ମାର୍ଗ କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ ହେଉଥିବା ବେଳେ ପ୍ରେୟ ମାର୍ଗ ପ୍ରୀତି ସାଧନ ପାଇଁ ଉଦ୍ଦିଷ୍ଟ। ପ୍ରେୟ ମାର୍ଗରେ ଗତି କରୁଥିବା ବ୍ୟକ୍ତି ସାଂସାରିକ ସୁଖକୁ ଉପଭୋଗ କରି ଜନ୍ମ-ମୃତ୍ୟୁ ଚକ୍ରରେ ଘୂରୁଥିବା ବେଳେ ପ୍ରେୟ ମାର୍ଗ ଅନୁସରଣ କରୁଥିବା ବ୍ୟକ୍ତି ବ୍ରହ୍ମ ସାକ୍ଷାତକାର ଦ୍ୱାରା ଜୀବନ୍ମୁକ୍ତ ଅବସ୍ଥାକୁ ପ୍ରାପ୍ତ କରିଥାଏ।
ହେମନ୍ତ କୁମାର ଗନ୍ତାୟତ,ଆସିକା, ଗଞ୍ଜାମ।
Show quoted text
