STORYMIRROR

Hemant Kumar Gantayat

Inspirational

4  

Hemant Kumar Gantayat

Inspirational

ଅଭ୍ୟାସେନ ତୁ କୌନ୍ତେୟ.....

ଅଭ୍ୟାସେନ ତୁ କୌନ୍ତେୟ.....

2 mins
41


    ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ର ମାନଙ୍କରେ ମନକୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଉଛି। କାରଣ ମନ ହିଁ ମଣିଷକୁ ବନ୍ଧନ ଓ ମୁକ୍ତି ଦେଇଥାଏ। ଏଣୁ ବ୍ରହ୍ମବିନ୍ଦୁ ଉପନିଷଦରେ କୁହାଯାଇଛି ଯେ " ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ । ବନ୍ଧାୟ ବିଷୟାସକ୍ତଂ ମୁକ୍ତୈ ନିର୍ବିଷୟଂ ସ୍ମୃତମ୍।। " ଅର୍ଥାତ୍ ବିଷୟାସକ୍ତ ମନ ମନୁଷ୍ୟକୁ ବନ୍ଧନ ଦେଇଥାଏ ଏବଂ କାମନା, ବାସନା ଓ ସଂକଳ୍ପ ରହିତ ମନ ମନୁଷ୍ୟକୁ ମୁକ୍ତି ପ୍ରଦାନ କରେ। ସାଧାରଣତଃ ଏହି ମନର ଦୁଇଗୋଟି ସ୍ଵରୂପ ରହିଛି ଯଥା: ଶୁଦ୍ଧ ଓ ଅଶୁଦ୍ଧ। ଯେତେବେଳେ ମନ ତାମସିକ ଓ ରାଜସିକ ଗୁଣକୁ ଆଶ୍ରୟ କରିଥାଏ ସେତେବେଳେ ଏହି ମନ ଅଶୁଦ୍ଧ ହୋଇଯାଏ। ତେଣୁ ସେ ବିଭିନ୍ନ ପ୍ରକାରର କୁକର୍ମ ଓ କାମନା ସଙ୍କଳ୍ପାଦିରେ ଲିପ୍ତ କରିଥାଏ। ଏହା ଦ୍ବାରା ମାନବ ଅହଙ୍କାରୀ ତଥା ଦୁରାଚାରୀ ହୋଇଯାଏ । ପରନ୍ତୁ ଯେବେ ସାତ୍ତ୍ୱିକ ଗୁଣକୁ ଆଶ୍ରୟ କରିନିଏ ସେତେବେଳେ ଏହି ମନ ଶୁଦ୍ଧ କର୍ମମାନ କରିବା ସକାଶେ ପ୍ରେରଣା ଦେଇଥାଏ। ଏଣୁ କୁହାଯାଇଛି: ମନୋ ହି ଦ୍ଵିବିଧଂ ପ୍ରୋକ୍ତଂ ଶୁଦ୍ଧଂ ଚାଶୁଦ୍ଧମେବ ଚ। ଅଶୁଦ୍ଧଂ କାମସଙ୍କଳ୍ପ° ଶୁଦ୍ଧଂ କାମ୍ବିବର୍ଜିତମ୍।।

     ଏହି ମନ ହେଉଛି ସ୍ଵଭାବରେ ଅତି ଚଞ୍ଚଳ। ସେ କ୍ଷଣ କ୍ଷଣରେ ବିବିଧ ରୂପକୁ ଧାରଣ କରିଥାଏ। ଏହାକୁ ଆୟତ୍ତ କରିବା କଠିନ ବ୍ୟାପାର ତଥାପି ଅସମ୍ଭବ ନୁହେଁ ବୋଲି ଶ୍ରୀମଦ୍ଭଗବଦ୍ ଗୀତାରେ କୁହାଯାଇଛି । ଯେତେବେଳେ ମୋହଗ୍ରସ୍ତ ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କୁ କହିଥିଲେ ହେ ସଖା!

   " ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍‌ଦୃଢମ୍ । ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍ ।।" ଏହାର ଅର୍ଥ - ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍‌ଖୋର ଅଟେ । ମୋ' ମତରେ ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ । ଅର୍ଜ୍ଜୁନଙ୍କର ଏପରି ବାକ୍ୟ ଶୁଣି ଭଗବାନ ଶ୍ରୀକୃଷ୍ଣ କହିଥିଲେ ହେ ପାର୍ଥ ! ବାସ୍ତବରେ ମନକୁ ବଶ କରିବା ଅତ୍ୟନ୍ତ କଠିନ । କିନ୍ତୁ ସଂସାରରେ କୌଣସି ବିଷୟ ହାସଲ କରିବାକୁ ହେଲେ, ଅନେକ କଷ୍ଟ କରିବାକୁ ପଡିଥାଏ । ତଥାପି ତୁମେ ନିରାଶ ନ ହୋଇ ଆଗକୁ ବଢିବା ଆବଶ୍ୟକ। ତେଣୁ ହେ କୌନ୍ତେୟ ! ମୁଁ ଏବେ ଯାହା କହୁଛି ତୁମେ ଧ୍ୟାନ ସହକାରେ ଶ୍ରବଣ କର - " ଅସଂଶୟଂ ମହାବାହୋ ମନୋଦୁର୍ନିଗ୍ରହଂ ଚଳମ୍ । ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ ।। " ଅର୍ଥାତ୍ ହେ ମହାବାହୁ କୁନ୍ତୀ ପୁତ୍ର! ନିଃସନ୍ଦେହ ଭାବରେ ଏ ମନକୁ ଦମନ କରିବାକୁ ହେଲେ ପ୍ରଥମେ ଅଭ୍ୟାସ ଏବଂ ବୈରାଗ୍ୟ (ଅନାସକ୍ତି) ଦ୍ୱାରା ହିଁ ନିୟନ୍ତ୍ରଣ କରିପାରିବ । ଏହା ହିଁ ସର୍ବ ଶ୍ରେଷ୍ଠ ମାଧ୍ୟମ ଅଟେ। ଅଭ୍ୟାସ ଏପରି ଏକ ଅସ୍ତ୍ର ଯାହା ବଳରେ ସାଧନ କରିହେବ। ତେଣୁ ନିତ୍ୟ ପ୍ରୟାସ କରିବା ଆବଶ୍ୟକ। ସାଂସାରିକ ବିଷୟ ପ୍ରତି ମନକୁ ନିବୃତ କରୁ କରୁ, ଧିରେ ଧିରେ ବୈରାଗ୍ୟ ଆସିଯିବ। ଏହାପାରେ ମନ ସ୍ଵତଃ ଅନ୍ତକରଣରେ ବିଲୀନ ହୋଇଯିବ।

    ସାଂସାରିକ ବିଷୟ ବାସନାକୁ ଭୋଗ କରିବା ପାଇଁ ଅଶୁଦ୍ଧ ମନ ସଦା ସଂକଳ୍ପ କରୁଥାଏ। ଏଣୁ ମୁକ୍ତିକାମୀ ପୁରୁଷ ସର୍ବଦା ମନକୁ ବିଷୟ ଠାରୁ ଦୁରେଇ ରଖିଥାଏ। ଏପରି ଅଭ୍ୟାସ କରୁ କରୁ ଆସକ୍ତି ଧିରେ ଧିରେ ସମାପ୍ତ ହୋଇଯାଏ। ଏହାପରେ ମନ ବିଶୁଦ୍ଧ ସ୍ଥିତିକୁ ପ୍ରାପ୍ତ କରିନିଏ। ଯଦ୍ଦ୍ୱାରା ମୁକ୍ତିକାମୀ ପୁରୁଷ ପରମ ପଦକୁ ପ୍ରାପ୍ତ କରିଥାଏ।

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଖମ୍ବେଶ୍ଵରୀ ପାଟଣା 

ଆସିକା ଗଞ୍ଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational