ଜୀବଭୂତଃ ସନାତନଃ ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ।
ଜୀବଭୂତଃ ସନାତନଃ ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ।
ସନାତନ ଧର୍ମର ଆଧ୍ୟାତ୍ମିକ ଶାସ୍ତ୍ରାଦି ସଦା ସର୍ବଦା ମାନବ ସମାଜକୁ ଦିଗ୍ଦର୍ଶନ ଦେଇ ଆସିଛି। ଯାହା ଫଳରେ ମନୁଷ୍ୟ ନିଜର ଆତ୍ୟାନ୍ତିକ ଦୁଃଖ ଦୂରକରିବା ସହ ପରମାର୍ଥିକ ଆନନ୍ଦ ଲାଭ କରିପାରିଛି। ଏହି ଆନନ୍ଦ ହିଁ ଜୀବର ଚରମ ଲକ୍ଷ୍ୟ ଅଟେ। ପରନ୍ତୁ ଏଥିରେ ବାଧକ ହେଉଛି ଜୀବର ଅଜ୍ଞାନତା। ଏହି ଅଜ୍ଞାନକୁ ଦୂର କରିବା ପାଇଁ ଜୀବ ଓ ବ୍ରହ୍ମ ମଧ୍ୟରେ ଅଭେଦ ଏବଂ ଜୀବକୁ ଈଶ୍ୱରଙ୍କର ଅଂଶ ବିଶେଷ ବୋଲି ବୋଧ କରିବା ପାଇଁ ଅନେକ ହିନ୍ଦୁ ଧାର୍ମିକ ଗ୍ରନ୍ଥ ରଚନା ହୋଇଅଛି। ସେଥିମଧ୍ୟରୁ ଶ୍ରୀମଦ୍ ଭଗବଦ୍ ଗୀତା ,ଶ୍ରୀମଦ୍ ଭାଗବତ ମହାପୁରାଣ,ଦର୍ଶନ ଶାସ୍ତ୍ର ଓ ଶ୍ରୀରାମ ଚରିତ ମାନସାଦି ଅନ୍ୟତମ । ଯହିଁରେ ଜୀବାତ୍ମା ଓ ପରମାତ୍ମା ତତ୍ତ୍ଵକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଆତ୍ମତତ୍ତ୍ଵ ହେଉଛି ଏପରି ଏକ ତତ୍ତ୍ୱ ଯାହାକୁ ଥରେ ପ୍ରାପ୍ତି କରିବା ପରେ ଅନ୍ୟ କୌଣସି ତତ୍ତ୍ଵର ଆବଶ୍ୟକତା ରହେ ନାହିଁ।
ଶାସ୍ତ୍ରଜ୍ଞାନର ଜ୍ଞାତାମାନେ ଭଗବତ୍ ଗୀତାକୁ ସମସ୍ତ ଉପନିଷଦର ସାର ବୋଲି ଅଭିହିତ କରିଛନ୍ତି। ଯେପରି ଶୁଦ୍ଧାଦ୍ବୈତ ବାଦରେ ଜୀବ ଓ ବ୍ରହ୍ମକୁ ଏକ ବା ଅଂଶ ବୋଲି ଦର୍ଶାଯାଇଛି ଯାଇଛି, ସେ'ପରି ଗୀତାର ପଞ୍ଚଦଶ ଅଧ୍ୟାୟ ସପ୍ତମ ଶ୍ଳୋକରେ ମଧ୍ୟ ପୂର୍ବରୁ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି -
ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।
ମନଃଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ॥
ଏହାର ଅର୍ଥ ଏ ସଂସାରରେ ପ୍ରତ୍ୟେକ ଜୀବ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ସନାତନ ବା ନିତ୍ୟ ଅଂଶ ଓ ଅବିନାଶୀ ତତ୍ତ୍ଵ ଅଟେ କିନ୍ତୁ ଷଷ୍ଠ ଅତିନ୍ଦ୍ରିୟ ମନ ଜୀବକୁ ଭୌତିକ ଜଗତରେ ପ୍ରକୃତିସ୍ଥ କରି ଆକର୍ଷଣକରି ଚାଲିଛି। ଯା'ଫଳରେ ଏ ମନୁଷ୍ୟ ( ଜୀବ ) ସେହି ନିତ୍ୟତାକୁ ଭୁଲିଯାଇଛି। ପ୍ରକୃତ ପକ୍ଷରେ ଅନନ୍ତ ବସ୍ତୁ ଅବୟବ ରହିତ ଓ ଅଖଣ୍ଡ ଏବଂ ଅବିଭକ୍ତ ଅଟେ । ପରନ୍ତୁ ଉପାଧି ସମ୍ବନ୍ଧରେ ସେହି ଅଖଣ୍ଡ ବସ୍ତୁର ବିଭାଗ ହେବାର ଦୃଶ୍ୟମାନ ହୁଏ। ଯେପରି ବ୍ୟାବହାରିକ ଅବସ୍ଥାରେ ଅନନ୍ତ ଆକାଶର କୌଣସି ଆକାର ନଥିଲେବି ଘଟ ମଧ୍ୟରେ ଥିବା ଆକାଶକୁ ଘଟାକାଶର ଆଖ୍ୟା ଦିଆଯାଇଛି। ପରନ୍ତୁ ସେହି ଘଟାକାଶ ମହାକାଶ ଠାରୁ ଭିନ୍ନ ନୁହେଁ। ସେପରି ଦେହ ଓ ଇନ୍ଦ୍ରିୟ ଅବିଚ୍ଛିନ୍ନ ( ସୀମିତ) ହୋଇ ଆତ୍ମା ଜୀବ ରୂପରେ ଆତ୍ମା ଠାରୁ ଭିନ୍ନ ପ୍ରତୀତ ହୋଇଥାଏ। ତତ୍ତ୍ଵତଃ ଜୀବାତ୍ମା ଓ ପରମାତ୍ମା ଉଭୟ ନିତ୍ୟ ଏବଂ ଅବିନାଶୀ ଅଟନ୍ତି।
ଆମ ଭାରତୀୟ ଦର୍ଶନ ହେଉଛି ସର୍ବଶ୍ରେଷ୍ଠ ଦର୍ଶନ । ଏଣୁ ଏହାକୁ ଜ୍ଞାନ ଶାସ୍ତ୍ର ବୋଲି କୁହାଯାଏ। ଜ୍ଞାନ ହିଁ ମନୁଷ୍ୟକୁ ମୁକ୍ତି ଦେଇଥାଏ। ଅତଃ ନୀତିବାଣୀରେ କୁହାଯାଇଛି " ଜ୍ଞାନେନ ମୁକ୍ତିଃ ନତୁ ମଣ୍ଡନେନ " । ଏହି ଜ୍ଞାନର ପରାକାଷ୍ଠା ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ। ସେ ନିଜର ବେଦାନ୍ତ ଭାଷାରେ କହିଛନ୍ତି ଯେ " ଜୀବହ୍ମୈବ ନାପରଃ "। ଅର୍ଥାତ୍ ଜୀବ ଓ ବ୍ରହ୍ମଙ୍କ ମଧ୍ୟରେ କିଞ୍ଚିତ୍ ବି ପାର୍ଥକ୍ୟ ନାହିଁ। ଅଜ୍ଞାନ ବଶତଃ ଜୀବ ନିଜକୁ ବ୍ରହ୍ମଙ୍କ ଠାରୁ ଭିନ୍ନ ବୋଧ କରେ। ଯେତେବେଳେ ବ୍ରହ୍ମନିଷ୍ଠ ଗୁରୁଙ୍କ ବାଣୀ ବା ବେଦାନ୍ତ ବାକ୍ୟ ଶ୍ରବଣ କରେ ସେତେବେଳେ ତା'ର ଐକ୍ୟବୋଧ ହୋଇଥାଏ। ସେ'ପରି ଶୁଦ୍ଧାଦ୍ବୈତ ବାଦର ପ୍ରବର୍ତ୍ତକ ପ୍ରାତଃ ସ୍ମରଣୀୟ ଶ୍ରୀବଲ୍ଲଭାଚାର୍ଯ୍ୟ ଭଗବାନ୍ କୃଷ୍ଣଦ୍ବୈପାୟନବ୍ୟାସଙ୍କ ମତାନୁଯାୟୀ "ଶୁଦ୍ଧାଦ୍ବୈତ ସାକାର ବ୍ରହ୍ମବାଦ" ପ୍ରତିପାଦିତ କରିଛନ୍ତି। ସେ କହିଛନ୍ତି ଯେ, " ବ୍ରହ୍ମସତ୍ୟଂ ଜଗତ୍ସତ୍ୟଂ ଅଂଶୋ ଜୀବୋହି ନାପରଃ" । ଏହାର ତାତ୍ପର୍ଯ୍ୟ ହେଲା ବ୍ରହ୍ମ ସତ୍ୟ ଅଟନ୍ତି, ଜଗତ ମଧ୍ୟ ସତ୍ୟ ଅଟେ ଏବଂ ସେହି ଅବିନାଶୀ ବ୍ରହ୍ମଙ୍କ ଅଂଶ ବିଶେଷ ହେଉଛି ଜୀବ।
ସମଗ୍ର ବିଶ୍ଵବ୍ରହ୍ମାଣ୍ଡରେ ଯେତେ ଗୁଡ଼ିଏ ଜଡ ଓ ଚେତନ ପଦାର୍ଥ ରହିଛି ସେ ସମସ୍ତ ପରମାତ୍ମାଙ୍କ ସ୍ଵରୂପ । ଅଜ୍ଞାନ ବଶତଃ ମନୁଷ୍ୟ ଏହାକୁ ଭିନ୍ନ ଭିନ୍ନ ବୋଲି ମତବ୍ୟକ୍ତ କରିଥାଏ। ପରନ୍ତୁ ତାହା ଭିନ୍ନ ନୁହେଁ ତାହା ଏକ ଓ ଅଭିନ୍ନ । ଏହାକୁ ଦୃଢ଼ କରିବାକୁ ଯାଇ ପରମ ବୈଷ୍ଣବ ଅତିବଡ଼ି ଜଗନ୍ନାଥ ଦାସ ସ୍ବବିରଚିତ ଭାଗବତ ପୁରାଣରେ ଲେଖିଲେ -" ମାଟିର ବିକାର ଘଟ ପ୍ରାୟେ ତୋ ତହୁଁ କେହି ଆନ ନୁହେଁ " ଅର୍ଥାତ୍ ମାଟି ହିଁ ଏକ ଦ୍ରବ୍ୟ କିନ୍ତୁ ତା' ଦେହରୁ ନିର୍ମିତ ଘଟ, ସରା ଓ ପାତ୍ରାଦି ଆକାରରେ ପରିବର୍ତ୍ତନ ହେତୁ ଭିନ୍ନ ଭିନ୍ନ ନାମକରଣ କରାଯାଇଛି। ସେ'ପରି ଜୀବାତ୍ମା ଓ ପରମାତ୍ମା ଦୃଷ୍ଟି ଭେଦରେ ପୃଥକ୍ ପୃଥକ୍ ହେଲେବି ଉଭୟ ନିତ୍ୟ ଏବଂ ଅବିନାଶୀ ଅଟନ୍ତି।
ଉପରୋକ୍ତ ଜୀବାତ୍ମାକୁ ଈଶ୍ବରଙ୍କ ( ପରମାତ୍ମା ) ଅଂଶୀ ବୋଲି ଅଭିହିତ କରିବାକୁ ଯାଇ ଗୋସ୍ୱାମୀ ତୁଳସୀ ଦାସ ସ୍ଵ ରଚିତ ରାମଚରିତମାନସରେ କହିଛନ୍ତି ଯେ - " ଈଶ୍ୱର ଅଂଶ ଜୀବ ଅବିନାଶୀ । ଚେତନ ଅମଲ ସହଜ ସୁଖ ରାଶି "।। ଅର୍ଥାତ୍ ପରମାତ୍ମା ବା ଈଶ୍ବରଙ୍କର ଏକ ଅଂଶ ହେଉଛି ଏ ଜୀବାତ୍ମା। ଏହି ଜୀବାତ୍ମା ଅବିନାଶୀ, ଚେତନ,ନିର୍ମଳ ଓ ସ୍ୱଭାବରେ ସୁଖ ରାଶି ଅଟେ । ଯେହେତୁ ପରମାତ୍ମା ଅଜର, ଅମର ଓ ଅବିନାଶୀ ଅଟନ୍ତି। ତେଣୁ ଜୀବର ମଧ୍ୟ ନାଶ ହୋଇନଥାଏ। ଦୃଷ୍ଟାନ୍ତ - ଯେପରି ସୂର୍ଯ୍ୟଙ୍କ କିରଣ ସୂର୍ଯ୍ୟଙ୍କର ହିଁ ପ୍ରକାଶ। ସେ'ପରି ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ। ପରନ୍ତୁ ଶରୀର ନଶ୍ଵର କିନ୍ତୁ ଆତ୍ମା ନୁହେଁ। ବ୍ରହ୍ମ (ଆତ୍ମା) ହେଉଛନ୍ତି ଚେତନ , ଅମଲ ( ବିକାର ରହିତ ବା ଅବିକାରୀ) ଓ ସହଜ ସୁଖ (ଆନନ୍ଦ) ର ସ୍ବରୂପ ଅଟନ୍ତି। ହେଲେବି ମାୟାର ପ୍ରଭାବରୁ ଜୀବ ନିଜ ମୂଳ ସ୍ୱରୂପକୁ ଭୁଲି ଶରୀର ଓ ଜାଗତିକ ବସ୍ତୁକୁ ସତ୍ୟ ଭାବିଥାଏ। ସମସ୍ତ ଶ୍ରୀମଦ୍ ଭଗବଦ୍ ଗୀତା ,ଶ୍ରୀମଦ୍ ଭାଗବତ ମହାପୁରାଣ ,ଦର୍ଶନ ଶାସ୍ତ୍ର ଓ ଶ୍ରୀରାମ ଚରିତ ମାନସାଦିରେ କେଉଁଠି ଜୀବ ଓ ବ୍ରହ୍ମ(ପରମାତ୍ମା) ଅଭିନ୍ନ ତ କେଉଁଠି ପରମାତ୍ମାଙ୍କ ଅଂଶ ଜୀବାତ୍ମା ନିତ୍ୟ କୁହାଯାଇଛି । ତତ୍ତ୍ୱ ଦର୍ଷି ପୁରୁଷମାନେ ସେହି ପରମପୁରୁଷଙ୍କୁ ଯେପରି ଭାବରେ ଅନୁଭବ କରିଛନ୍ତି; ସେମାନେ ସେପରି ଭାବରେ ତାହାଙ୍କୁ ବ୍ୟକ୍ତ କରିଛନ୍ତି। ସମସ୍ତ ବିଷୟକୁ ବୋଧଗମ୍ୟ କଲେ ଜଣାଯାଏ ଯେ ଉଭୟ ତତ୍ତ୍ଵ ଅଜର, ଅମର ଓ ଅବିନାଶୀ ଅଟନ୍ତି । ସେହି ଆତ୍ମ ତତ୍ତ୍ବକୁ ବୋଧ କରିବା ପରେ ଜୀବ କେବଳ ହିଁ କେବଳ ଅଖଣ୍ଡ ଅନନ୍ଦକୁ ପ୍ରାପ୍ତି କରିଥାଏ। ତତ୍ ସହିତ ଏ ଜୀବ ଜୀବନମୁକ୍ତି ବା ଵିଦେହମୁକ୍ତି ମଧ୍ୟରୁ କୌଣସି ଏକ ମୁକ୍ତି ଲାଭକରି ସଂସାର ବନ୍ଧନରୁ ମୁକ୍ତ ହୋଇଯାଇଥାଏ।
ଅସିକା, ଗଞ୍ଜାମ।
