ଧନୁ ମାସର ମହତ୍ତ୍ଵ ଓ ଶ୍ରୀମନ୍ଦିରରେ ପହଲି ଭୋଗର ବିଧାନ
ଧନୁ ମାସର ମହତ୍ତ୍ଵ ଓ ଶ୍ରୀମନ୍ଦିରରେ ପହଲି ଭୋଗର ବିଧାନ
ଭରତୀୟ ଜ୍ୟୋତିଷ ଶାସ୍ତ୍ର ମତ ଅନୁଯାୟୀ ଦୁଇବିଧ କାଳ ଗଣନା ରହିଛି। ଗୋଟିଏ ହେଉଛି ସୌର ଗଣନା ଏବଂ ଅପରଟି ହେଲା ଚନ୍ଦ୍ର ଗଣନା। ସୌର ମାସର ପ୍ରଥମ ଦିନକୁ ସଂକ୍ରାନ୍ତି ଓ ଚନ୍ଦ୍ର ମାସର ଅନ୍ତିମ ଦିନକୁ ପୂର୍ଣ୍ଣିମା କୁହାଯାଏ। ଉଭୟ ଗ୍ରହ ଯେଉଁ ଯେଉଁ ରାଶିକୁ ଗମନ କରନ୍ତି ତାହାକୁ ନେଇ ମାସ ଓ ଋତୁ ନିର୍ଣ୍ଣୟ କରାଯାଏ। ଯେପରି ଗ୍ରହରାଜ ସୂର୍ଯ୍ୟ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ ରାଶିକୁ ଚଳନ କଲେ ଏକ ଏକ ସଂକ୍ରାନ୍ତି ଏବଂ ମାସ ହିସାବରେ ବୈଶାଖ ଠାରୁ ଚୈତ୍ର ମାସ ହୋଇଥାଏ। ସେପରି ଚନ୍ଦ୍ର ଗଣନା ବି ରହିଛି। ଏହି ଗଣନା ଦ୍ଵାରା ଆମର ଧାର୍ମିକ ପର୍ବପର୍ବାଣୀ ଓ ତିଥିକୁ ନିର୍ଦ୍ଧାରଣ କରିଥାଏ ଏଵଂ ସୌର ଗଣନା ବିଶେଷତଃ ଋତୁ ଆଦି ବାସ୍ତବ ବର୍ଷକୁ ସ୍ଥିର ରଖିଥାଏ । ଉକ୍ତ ବାରଗୋଟି ସଂକ୍ରାନ୍ତିର ବିଶେଷତା ଆମ ଜଗନ୍ନାଥ ସଂସ୍କୃତିରେ ଦେଖିବାକୁ ମିଳେ। ସେଥିମଧ୍ୟରୁ ଧନୁ ସଂକ୍ରାନ୍ତିର ମହତ୍ତ୍ୱ ଓ ରୀତି-ନୀତିମାନ ଶ୍ରୀମନ୍ଦିରରେ ପରିଲକ୍ଷିତ ହୁଏ। ଏହି ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ବୃଷ୍କିକ ରାଶିରୁ ଧନୁ ରାଶିକୁ ଆଗମନ କରିଥାନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କ ନିକଟରେ ମୁଖ୍ୟତଃ ଦୁଇବିଧ ନୀତି ଅନୁଷ୍ଠିତ ହେଇଥାଏ । ଗୋଟିଏ ଦୈନିକ ନୀତି , ଯାହା ଠାକୁର ମାନଙ୍କ ମଙ୍ଗଳ ଆଳତୀ ଠାରୁ ଆରମ୍ଭ ହୋଇ ପହୁଡ଼ ପର୍ଯ୍ୟନ୍ତ ଏବଂ ଦ୍ବିତୀୟଟି ହେଉଛି ବିଶେଷ ନୀତି, ଯାହା ବର୍ଷର ବିଭିନ୍ନ ପର୍ବପର୍ବାଣୀ ସମୟରେ ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ ଧନୁ ସଂକ୍ରାନ୍ତିରେ ବିଶେଷ ନୀତି ଅନୁଷ୍ଠିତ ହୁଏ। ଏହି ସଂକ୍ରାନ୍ତି ନିମନ୍ତେ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିରେ କିଛି ପରିବର୍ତ୍ତନ କରାଯାଇଥାଏ । ସାଧାରଣତଃ ଦ୍ୱାର ଫିଟା ନୀତି ଭୋର ଦୁଇଟାରୁ ତିନିଟା ମଧ୍ୟରେ ଏବଂ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି ଆଦି ଅନ୍ୟାନ୍ୟ ନୀତିମାନ ବଢିଥାଏ। ସକାଳ କାଉ କା ନ କବିବା ପୂର୍ବରୁ ଗୋପାଳବଲ୍ଲଭ ସହିତ ପହିଲି ଅମୁଣିଆଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଲାଗି କରାଯାଏ। ମହାପ୍ରଭୁ କାଳିଆ ସାଆନ୍ତ ଅଟନ୍ତି ଜୀବନ୍ତ ଠାକୁର। ସେ ନୀଳାଚଳ ଧାମରେ ମାନବୀୟ ଲୀଳା କରି ଚାଲିଛନ୍ତି। ମନୁଷ୍ୟମାନେ ଯେପରି ସୁସ୍ୱାଦୁ ଖାଦ୍ୟ ପ୍ରିୟ ,ସେପରି ଜଗନ୍ନାଥ ମଧ୍ୟ ବ୍ୟଞ୍ଜନ ପ୍ରିୟ ଠାକୁର। ଏଣୁ ଧନୁମାସର ପ୍ରଥମ ଦିନ ଠାରୁ ମକର ସଂକ୍ରାନ୍ତିର ପୂର୍ବ ଦିନ ଅର୍ଥାତ୍ ମାସନ୍ତ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହଲି ଭୋଗର ହୋଇଥାଏ। ଏସବୁ ଦ୍ରବ୍ୟ ପ୍ରାୟତଃ ବିରି , ଗହମ , ଗୁଡ଼ ଓ ଗାଈ ଘିଅ ମିଶ୍ରଣରେ - ଝିଲି,ଆରିସା,କାକରା, ମଣ୍ଡା ,ବିରି ଲଡ଼ୁ, ବିରି ବଡ଼ା,ଚଡ଼େଇ ନେଦା, ଛତୁ ( ଲିଆ ଓ ଘିଅ ମିଶ୍ରିତ), ଗଇଁଠା , ମୁଗେଇ ଓ କଣ୍ଟେଇ ଇତ୍ୟାଦି ତେଇଶି ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ ଏଵଂ ସ୍ଵତନ୍ତ୍ର ଧନୁ ମୁଆଁ ମଧ୍ୟ ଅର୍ପଣ କରାଯାଏ। ଏହି ଧନୁ ମୁଆଁ ଖଇ, ଗୁଡ଼, ଘିଅ, ନଡ଼ିଆ ଖଣ୍ଡ, କାଜୁ ଓ ଅନ୍ୟାନ୍ୟ ସୁଗନ୍ଧିତ ଦ୍ରବ୍ୟ ସହିତ ମିଶାଇ ପ୍ରସ୍ତୁତ କରାଯାଇଥାଏ। ବିଶ୍ବାସ ରହିଛି ମହାପ୍ରଭୁ ଧନୁ ମୁଆଁ ଗ୍ରହଣ କରିବା ପରେ ଜାଡର ପ୍ରକୋପ ହ୍ରାସ ଘଟେ।
ଏହି ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମାସନ୍ତ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ଉକ୍ତ ଅବଧି ମଧ୍ୟରେ ଜଗଜ୍ଜନନୀ ମା' ମହାଲକ୍ଷ୍ମୀ ନିଜ ବାପଘରକୁ ଗମନ କରିଥାନ୍ତି , ତେଣୁ ବାତ୍ସଲ୍ୟମୟୀ ମା ' ଯଶୋଦା ନିଜ ହସ୍ତରେ ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପ୍ରଦାନ କରନ୍ତି। ମହାପ୍ରଭୁ କାଳିଆ ସାଆନ୍ତ ମାତାଙ୍କ ପରଷା ପାଇବା ପାଇଁ କିପରି ଅପେକ୍ଷା ରତ , ଏ ଭାବକୁ ନେଇ ମୁଁ ମୋ'ର କ୍ଷୁଦ୍ର ମତିରେ ଏକପଦୀ କବିତାରେ ପ୍ରକାଶ କରିଛି :
ବଡଖିଆ ଆମ କାଳିଆ ଠାକୁର
ବଡ଼ ଦେଉଳରେ ରହି
ମାସ ମାସ ଧରି ଚାହିଁ ରହିଥାନ୍ତି
ମାତାଙ୍କ ପରଷା ପାଇଁ
ଆସେ ଯେବେ ଧନୁ ମାସ
ପହଲି ବ୍ୟଞ୍ଜନ କରିଣ ଭୋଜନ
ଲଭନ୍ତି ଆତ୍ମ ସନ୍ତୋଷ।।
ଏହି ପହଲି ବ୍ୟଞ୍ଜନମାନ କୋଟି କୈବଲ୍ୟ ନାଥ କାଳିଆ ସାଆନ୍ତ ତଥା ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜା ପଣ୍ଡା ସାମନ୍ତମାନେ ରତ୍ନବେଦୀ ତଳେ ଲାଗି କରିବା ପରେ ମା' ଆଦ୍ୟାଶକ୍ତି ବିମଳାଙ୍କୁ ଅର୍ପଣ କରାଯାଇଥାଏ। ଏହା ପରେ ମହାପ୍ରଭୁଙ୍କ ଉଚ୍ଛିଷ୍ଟ ମହାପ୍ରସାଦରେ ପରିଣତ ହୁଏ। ଏହି ମହାପ୍ରସାଦର ମହିମା ଅତି ଅପାର। ଏହାର ମହିମାକୁ ବର୍ଣ୍ଣନା କରିବାକୁ ଯାଇ ସ୍କନ୍ଦପୁରାଣରେ କୁହାଯାଇଛି :
ତଦୁଚ୍ଛିଷ୍ଟୋଭୋଗୋ ହି ସର୍ବାଘକ୍ଷୟକାରକଃ।
ନ ତାଦୃଶସମଂ ପୁଣ୍ୟଂ ବସ୍ତ୍ଵସ୍ତି ପୃଥିବୀତଳେ।।
ଅର୍ଥାତ୍ ମହାପ୍ରଭୁଙ୍କ ଉଚ୍ଛିଷ୍ଟ ଭୋଗ ବା ମହାପ୍ରସାଦ ହିଁ ସମସ୍ତ ପାପକୁ ନାଶ କରିଥାଏ। ଏପରି ପବିତ୍ର ବସ୍ତୁ ସମ ଅନ୍ୟ ବସ୍ତୁ ସମଗ୍ର ପୃଥିବୀ ପୃଷ୍ଠରେ ଆଉ କିଛି ନାହିଁ। ଏହାକୁ ଦର୍ଶନ ମାତ୍ରେ ପ୍ରଣାମ କରି ଗ୍ରହଣ କରିବା ଆବଶ୍ୟକ। ଏଥିରେ ସୁଚି ଓ ଅସୁଚି ଦେଖା ଯାଏନାହିଁ । ପୁନଃ ସ୍କନ୍ଦପୁରାଣରେ କୁହାଯାଇଛି :
ବିଷ୍ଣ୍ବାଳୟଗତଂ ତଦ୍ଧି ନିର୍ମାଲ୍ୟଂ ପତିତାଦୟଃ ।
ସ୍ପୃଶନ୍ତ୍ଯନ୍ନଂ ନ ଦୁଷ୍ଟମ୍ ତଦ୍ ଯଥା ବିଷ୍ଣୁସ୍ତଥୈଵ ତତ୍ ।।
ଏହାର ଅର୍ଥ ଶ୍ରୀମନ୍ଦିରରୁ ବା ବିଷ୍ଣୁଙ୍କ ଆଳୟରୁ ଆସିଥିବା ପବିତ୍ର ନିର୍ମାଲ୍ୟକୁ ଯଦି ପତିତ ଜନାଦି ବ୍ୟକ୍ତିମାନେ ସ୍ପର୍ଶ କରିଦିଅନ୍ତି ତେବେ ମଧ୍ୟ ତାହା ଅପବିତ୍ର ହୁଏ ନାହିଁ। କାରଣ ତାହା ସାକ୍ଷାତ୍ ଭଗବାନ ବିଷ୍ଣୁଙ୍କ ସ୍ବରୂପ ଅଟେ। ଏଣୁ ଏହି ପାବନ ମହାପ୍ରସାଦକୁ ସମସ୍ତ ବ୍ୟକ୍ତି ସମୂହ ଅବିଚାରରେ ଗ୍ରହଣ କରିବା ବିଧେୟ। ମହାପ୍ରଭୁଙ୍କ ପହିଲି ଭୋଗ ନୀତି ମହାପ୍ରଭୁଙ୍କର "ବାତ୍ସଲ୍ୟ ଲୀଳା"ର ଏକ ଅଂଶ ବିଶେଷ ଯାହା ଶ୍ରୀମନ୍ଦିରର ମାଧୁର୍ଯ୍ୟ ଭାବକୁ ପ୍ରକାଶ କରେ। ଏ ସମୟରେ ହଜାର ହଜାର ଭକ୍ତ ପୁରୀକୁ ଆସି ଏହି ବିଶେଷ ନୀତି ଦର୍ଶନ କରିବା ସହ ପହିଲି ଭୋଗ ପ୍ରସାଦ ଲାଭ କରିଥାନ୍ତି।
ଧନୁ ସଂକ୍ରାନ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବରଗଡ ଠାରେ ବିଶ୍ୱ ପ୍ରସିଦ୍ଧ 'ଧନୁଯାତ୍ରା' ମହୋତ୍ସବ ଆରମ୍ଭ ହୋଇଥାଏ। ଯାହା ପୃଥିବୀର ସର୍ବବୃହତ୍ତମ ଖୋଲା ରଙ୍ଗମଞ୍ଚ ଭାବରେ ଜଣାଶୁଣା । ଯେଉଁଠାରେ ସମଗ୍ର ସହରକୁ ମଥୁରାକଟକ ଭାବରେ ସୁସଜ୍ଜିତ କରା ଯାଇଥାଏ। ଏହି ଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ବିଶେଷକରି କଂସ ବଧର କାହାଣୀ ଏଗାର ଦିନ ଧରି ଅଭିନୀତ ହୋଇଥାଏ। ଏ ପବିତ୍ର ମାସରେ ପ୍ରତି ଓଡ଼ିଆଙ୍କ ଘରେ ଘରେ ସ୍ୱତନ୍ତ୍ର ପୂଜା ପାଠର ବିଧାନ ମଧ୍ୟ ରହିଛି। ଭକ୍ତମାନେ ଉକ୍ତ କାଳରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ଏହା ବ୍ୟତୀତ ନଦୀରେ ପବିତ୍ର ବୁଡ଼ ପକାଇବା, ଦାନ ଧର୍ମ କରିବା ଏବଂ ବିଷ୍ଣୁ ସହସ୍ରନାମ ପାଠନର ବିଧାନ ମଧ୍ୟ ରହିଛି। ଧନୁ ସଂକ୍ରାନ୍ତି ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା ଓ ଭକ୍ତିଭାବର ଏକ ଜ୍ୱଳନ୍ତ ଉଦାହରଣ। ଏହି ପର୍ବ ସମଗ୍ର ଓଡ଼ିଆ ଜାତିକୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ଆମ ଜଗନ୍ନାଥ ସଂସ୍କୃତିର ମହାନତାକୁ ପ୍ରତିପାଦିତ କରି ଚାଲିଛି।
ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆସିକା, ଗଞ୍ଜାମ।
