ଶ୍ରୀପୁରୁଷୋତ୍ତମ ଧାମ ମାହାତ୍ମ୍ୟ
ଶ୍ରୀପୁରୁଷୋତ୍ତମ ଧାମ ମାହାତ୍ମ୍ୟ
ପରମ ପାବନ ଭୂଖଣ୍ତ ହେଉଛି ଆମ' ଓଡ଼ିଶା ପ୍ରଦେଶ। ଯା'ର ପୂର୍ବ ନାମ ଥିଲା ଉତ୍କଳ ଦେଶ। ଏହି ଉତ୍କଳ ଦେଶ ସଦୃଶ ଅଦ୍ୱିତୀୟ ଭୂଖଣ୍ତ ସମଗ୍ର ପୃଥିବୀ ପୃଷ୍ଠ ମଧ୍ୟରେ ଦେଖିବା ବିରଳ। ତେଣୁ କପିଳ ସଂହିତାରେ କୁହାଯାଇଛି ଯେ: "ଉତ୍କଳସ୍ୟ ସମୋ ଦେଶୋ, ଦେଶଃ ନାସ୍ତି ମହୀତଳେ"। ଏ ଭୂମି ସାଧାରଣ ଭୂମି ନୁହେଁ , ଏହାର ସଂସ୍କୃତି ଓ ପରମ୍ପରା ଅତୀବ ପବିତ୍ର ଏବଂ ପ୍ରଚୀନତମ। ଯା'ର ଦୃଷ୍ଟାନ୍ତ ମହର୍ଷି ବେଦବ୍ୟାସଙ୍କ ବିରଚିତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଦେଖିବାକୁ ମିଳେ: "ଉତ୍କଳୋନାମ ଦେଶୋଽସ୍ତି ଖ୍ୟାତଃ ପରମପାବନଃ" । ଅର୍ଥାତ୍ ଉତ୍କଳ ନାମରେ ଏ'ପରି ଏକ ଦେଶ ରହିଛି", ଯା'ର ଖ୍ୟାତି ଚତୁର୍ଦ୍ଦିଗରେ ସୁବିଦିତ। ତେବେ ଏପରି କାହିଁକି ଉତ୍କଳର ଯଶ ପୁରାଣାଦିରେ କୁହାଯାଉଛି? ଏବଂ ତା' ପଛରେ କ'ଣ ବା କାରଣ ରହିଛି? ଯା' ନିମନ୍ତେ ଏ ଭୂମିର ମାହାତ୍ମ୍ୟ ଏତେ ଗରିୟାନ ବୋଲି ବର୍ଣ୍ଣନା କରାଯାଇଛି! ଏହାକୁ ସ୍ପଷ୍ଟ କରିବାକୁ ଯାଇ ତନ୍ତ୍ରଯାମଳରେ କୁହାଯାଇଛି ଯେ:
ଭାରତେ ଚୋତ୍କଳେ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମେ ।
ଦାରୁରୂପୀ ଜଗନ୍ନାଥୋ ଭକ୍ତାନାମଭୟପ୍ରଦଃ ।।
ଅର୍ଥାତ୍ ଭାରତବର୍ଷର ଉତ୍କଳ ଦେଶ ହେଉଛି ପୃଥିବୀର ଭୂସ୍ୱର୍ଗ।କାରଣ ଏହି କ୍ଷେତ୍ରରେ ପୁରୁଷୋତ୍ତମ ଧାମ ରହିଛି ଏବଂ ଏଠାରେ ସ୍ବୟଂ ପରଂବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ ଦାରୁ ରୂପରେ ବିରାଜମାନ
ହୋଇ ମାନବୀୟ ଲୀଳା କରିଚାଲିଛନ୍ତି । ସେ ନିଜର ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିବା ସହ ମୁକ୍ତି ଦେଇଥାନ୍ତି ଏବଂ ସଂସାର ବାସୀଙ୍କ ସମସ୍ତ ଜାଗତିକ ଦୁଃଖକୁ ହରଣ କରିଥାନ୍ତି। ଏଣୁ ମହାପ୍ରଭୁଙ୍କୁ ହେ ସର୍ବଲୋକେଶ୍ୱର!, ହେ ଭକ୍ତବତ୍ସଳ!, ହେ ପଦ୍ମଲୋଚନ!, ହେ ପୁଣ୍ଡରୀକାକ୍ଷ! ଏବଂ ହେ ପୁରୁଷୋତ୍ତମ! ଆପଣଙ୍କୁ ପ୍ରଣାମ ବୋଲି ପୁରାଣରେ କୁହାଯାଇଛି:
ନମସ୍ତେ ସର୍ବଲୋକେଶ ନମସ୍ତେ ଭକ୍ତବତ୍ସଳ ।
ନମସ୍ତେ ପୁଣ୍ଡରୀକାକ୍ଷ ପୁରୁଷୋତ୍ତମ ନମୋଽସ୍ତୁତେ ।।
ପୁରୁଷୋତ୍ତମ ଧାମ ବା ଶ୍ରୀକ୍ଷେତ୍ର ଏକ ସୁବିସ୍ତୃତ ସ୍ଥାନ। ଏହାର ପରିମାଣ ବିଷୟରେ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ:
ପଞ୍ଚକ୍ରୋଶମିଦଂ କ୍ଷେତ୍ର ସମୁଦ୍ରାନ୍ତବ୍ୟବସ୍ଥିତମ୍ ।
ତ୍ରିକୋଶଂ ତୀର୍ଥରାଜସ୍ୟ ତଟଭୂମୌ ସୁନିର୍ମଳମ୍ ॥
ଅର୍ଥାତ୍ ଏହି କ୍ଷେତ୍ରର ପରିମିତ ହେଉଛି ପଞ୍ଚ କ୍ରୋଶ। ତେଣୁ ଏହାକୁ 'ପଞ୍ଚକ୍ରୋଶୀ କ୍ଷେତ୍ର' ବୋଲି କୁହାଯାଏ । ଏ କ୍ଷେତ୍ରର ତଟରେ ବିଶାଳ ସମୁଦ୍ର ବା ମହୋଦଧି ଅବସ୍ଥିତ । ଯାହା ପଞ୍ଚତୀର୍ଥଙ୍କ ମଧ୍ୟରେ ଅନ୍ୟତମ ବା ଶ୍ରେଷ୍ଠ ତୀର୍ଥ ଭାବେ ଗଣନା କରାଯାଇଛି । ଏହାର ସମୁଦ୍ର କୂଳ ଠାରୁ ତିନି କ୍ରୋଶ ପର୍ଯ୍ୟନ୍ତ ଅଞ୍ଚଳ , ଅତ୍ୟନ୍ତ ପାବନ ଓ ସୁନିର୍ମଳ। ସୁନିର୍ମଳର ଅର୍ଥ ଏ ମାଟିର ପ୍ରତିଟି ରେଣୁ ରେଣୁ ପବିତ୍ର ବୋଲି ମହାଲକ୍ଷ୍ମୀ ଧର୍ମରାଜଙ୍କୁ କହିଛନ୍ତି। ସେ'ପରି ଅନେକ ଶାସ୍ତ୍ରରେ ପ୍ରତେକ ଧାମ ଓ ତୀର୍ଥସ୍ଥାନ ମାନଙ୍କର ବିଶେଷତା ମଧ୍ୟ କୁହାଯାଇଛି । ଯେପରି ବାରଣାସୀର ଜଳରେ ସ୍ନାନ ବା ଦେହାବସାନକୁ ବିସର୍ଜନ କରିବା ଦ୍ଵାରା ମନୁଷ୍ୟ ମୁକ୍ତି ପାଇଥାଏ ଏଵଂ ଦ୍ୱାରିକାରେ ଜଳ ଓ ଭୂମି ଉଭୟରେ ଶରୀର ତ୍ୟାଗ କଲେ ଜୀବର ମୁକ୍ତି ଘଟେ ପରନ୍ତୁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଯେ ଏହି ଶ୍ରୀପୁରୁଷୋତ୍ତମ ଧାମର ଜଳ, ଭୂମି ଓ ଆକାଶ ଦେଶରେ ଯା'ର ବି ପ୍ରାଣବାୟୁ ଉଡିଯାଏ , ସେ ମୁକ୍ତି ପଥର ଅଧିକାରୀ ହୋଇଯାଏ। ତେଣୁ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି:
ବାରାଣସ୍ୟାଂ ଜଳେ ମୁକ୍ତିଃ ଦ୍ୱାରିକାୟାଂ ଜଳେ ସ୍ଥଳେ ।
ଜଳେ ସ୍ଥଳେ ଚାନ୍ତରୀକ୍ଷେ ମୁକ୍ତିଃ ଶ୍ରୀପୁରୁଷୋତ୍ତମେ ॥
ଏହି ମର ଜଗତରେ ସମସ୍ତେ ମୃତ୍ୟୁର ନାମ ଶୁଣିଲେ ଭୟ କରନ୍ତି କିନ୍ତୁ ଶ୍ରୀପୁରୁଷୋତ୍ତମ ଧାମରେ ସମସ୍ତେ ପ୍ରଭୁଙ୍କୁ ଭିକ୍ଷା କରିଥାନ୍ତି ପ୍ରଭୁ ଆମର ଶେଷ ନିଶ୍ୱାସ ଏ କ୍ଷେତ୍ରରେ ଘଟୁ। କାରଣ ଏଠାରେ ମୃତ୍ୟୁ ଅତି ସୁଖ ଦାୟକ।
ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଦେଖିବାକୁ ଶଙ୍ଖପରି, ଏଣୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହାର ପରିଧିସ୍ଥ ନାଭି ବା ମଧ୍ୟଭାଗରେ ଶ୍ରୀମନ୍ଦିର ଅବସ୍ଥିତ। ଯହିଁ ଜଗତର ନାଥ ଜଗନ୍ନାଥ ଏକ ଶତ ପାଖୁଡ଼ା ବିଶିଷ୍ଟ ପଦ୍ମ ରୂପି ରତ୍ନବେଦୀର ରତ୍ନସିଂହାସନ ଉପରେ ବିରାଜମାନ କରିଛନ୍ତି। ଏଣୁ ପୁରାଣରେ କୁହାଯାଇଛି:
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ,
ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ ।
ଭଦ୍ରାୟା ବାମପାର୍ଶ୍ୱେ ରଥଚରଣଯୁତଂ ବ୍ରହ୍ମରୁଦ୍ରେନ୍ଦ୍ରବନ୍ଦ୍ୟଂ,
ବେଦାନାଂ ସାରମୀଶଂ ସୁଜନପରିବୃତଂ ବ୍ରହ୍ମଦାରୁଂ ସ୍ମରାମି ।।
ମହାପ୍ରଭୁ ହେଉଛନ୍ତି ବେଶପ୍ରିୟ ଠାକୁର। ସେ ଅନେକ ରତ୍ନଖଚିତ ଅଳଙ୍କାର ଓ ପବିତ୍ର ବେଶରେ ସର୍ବଦା ଶୋଭାପାଆନ୍ତି। ତା'ଙ୍କର ଶରୀରର ଆଭା ନୂତନ କଳା ମେଘ ପରି ସୁନ୍ଦର ଓ ଶ୍ୟାମଳ ସଦୃଶ୍ୟ। କାଳିଆସାନ୍ତ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ସହ ରତ୍ନସିଂହାସନରେ ବିରାଜମାନ ହୋଇଛନ୍ତି। ଯାହାଙ୍କୁ ବ୍ରହ୍ମା, ରୁଦ୍ର ଓ ଇନ୍ଦ୍ରାଦି ଦେବତାମାନେ ସଦା ବନ୍ଦନା କରନ୍ତି । ସେହି "ବ୍ରହ୍ମଦାରୁ" ସମସ୍ତ ବେଦର ସାର ବା ନିଷ୍କର୍ଷ ମଧ୍ୟ ଅଟନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଧର୍ମ, ଅର୍ଥ, କାମ ଓ ମୋକ୍ଷାଦି ଚତୁର୍ବର୍ଗ ଫଳର ପ୍ରଦାନକାରୀ। ଯେ' ଯାହା ପ୍ରଭୁଙ୍କୁ ମାଗିଥାଏ ମହାପ୍ରଭୁ ତାକୁ ତାହା ଦେଇଥାନ୍ତି। ପରନ୍ତୁ ଅନେକଙ୍କର ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇବା ପାଇଁ ଏକ ଅନ୍ତିମ ଇଚ୍ଛା ଥାଏ। ତା'କୁ ମହାବାହୁ ପ୍ରଦାନ କରନ୍ତି। ତେଣୁ ବ୍ରହ୍ମପୁରାଣ କୁହା ଯାଇଛି:
ଆସ୍ତେ ତତ୍ର ସ୍ୱୟଂ ଦେବୋ ମୁକ୍ତିଦଃ ପୁରୁଷୋତ୍ତମଃ ।
ଧନ୍ୟାସ୍ତେ ବିବୁଧପ୍ରେକ୍ଷ୍ୟା ଯେ ବସତ୍ଯୁକୂଳେ ନରଃ ॥
ଏହାର ଅର୍ଥ ହେଉଛି: ପୁରୁଷୋତମ ଧାମରେ ସାକ୍ଷାତ ନାରାୟଣ 'ପୁରୁଷୋତ୍ତମ' ରୂପରେ ଅବସ୍ଥାନ କରିଛନ୍ତି। ତାଙ୍କୁ 'ମୁକ୍ତିଦଃ' ବୋଲି କୁହାଯାଏ । ଏହି ଧାମରେ ମୃତ୍ୟୁବରଣ କଲେ ମନୁଷ୍ୟର ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ତେଣୁ ଏ ଧାମର କୂଳରେ ଯେ ବାସ କରନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟବାନ। କାରଣ ଏଠାକାର ବାୟୁରେ ମଧ୍ୟ ଭକ୍ତିର ସୁଗନ୍ଧ ଭରିରହିଛି। ଅତଃ ଏହି ଭୂମିରେ ବାସ କରିବା ଏବଂ ପ୍ରଭୁଙ୍କ ଦର୍ଶନ କରିବା ଏକ ବଡ଼ ସୌଭାଗ୍ୟର ବିଷୟ ।
ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ।
ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮
