ଉତ୍କଳର ଗର୍ବ ଅତିବଡି ଜଗନ୍ନାଥ ଦାସ ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ।
ଉତ୍କଳର ଗର୍ବ ଅତିବଡି ଜଗନ୍ନାଥ ଦାସ ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ।
ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ, ଯୋଗଜନ୍ମା ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଥିଲେ ଅତିବଡ଼ି ଜଗନ୍ନାଥ ଦାସ। ସେ କେବଳ ଜଣେ ଭକ୍ତ, କବି ତଥା ସୁସାହିତ୍ୟିକ ନଥିଲେ, ଅପିତୁ ସେ ଜଣେ ଥିଲେ ବିଜ୍ଞ ପୌରାଣିକ ଏବଂ ଦାର୍ଶନିକ। ଅନେକ ଗବେଷକଙ୍କ ମତ ଅନୁଯାୟୀ ଜଗନ୍ନାଥ ଦାସ ୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ ପୁରୀ ଜିଲ୍ଲା କପିଳେଶ୍ୱରପୁର ଶାସନର ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଯେଉଁ ଶୁଭ ଯୋଗରେ ଜନ୍ମଗ୍ରହଣ କରିଥିଲେ, ତାହା ଥିଲା ବୃଷଭାନୁ ନନ୍ଦିନୀ ଶ୍ରୀରାଧା ଦେବୀଙ୍କ ଶୁଭ ଜନ୍ମମୁହୁର୍ତ୍ତ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । ତେଣୁ ଜଗନ୍ନାଥ ଦାସଙ୍କୁ ରାଧାଙ୍କର ଅଂଶାବତାର ବୋଲି ବିଶ୍ୱାସ କରାଯାଏ। ତାଙ୍କର ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ଥିଲା ପଦ୍ମାବତୀ। ତାଙ୍କର ପିତା ଜଣେ ଧର୍ମପରାୟଣ ବ୍ୟକ୍ତି ଏବଂ ବିଜ୍ଞ ସଂସ୍କୃତି ସମ୍ପନ୍ନ ତଥା ପୁରାଣ ପାଠାଦିରେ ସୁଦକ୍ଷଥିଲେ। ତେଣୁ ତାଙ୍କର ପୁରାଣ ପାଠ ଶୈଳୀରେ ପ୍ରଭାବିତ ହୋଇ ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବ ଭଗବାନ ଦାସଙ୍କୁ ‘ପୁରାଣ ପଣ୍ଡା’ ଉପାଧିରେ ସମ୍ମାନିତ କରିଥିଲେ।
ଭଗବାନ ଦାସଙ୍କ ଶିଶୁପୁତ୍ରଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦରୁ ଜନ୍ମଗ୍ରହଣ କରିଥିବା ହେତୁ , ପଣ୍ଡିତମାନଙ୍କ ପରାମର୍ଶକ୍ରମେ ପିତା ତା'ର ନାମକରଣ ଜଗନ୍ନାଥ ରଖିଥିଲେ । ବାଳ ଜଗନ୍ନାଥ ଚାରିବର୍ଷରେ ପଦାର୍ପଣ ବେଳକୁ ପିତା ତାଙ୍କର ଚୂଡ଼ାକର୍ମ ଓ ବର୍ଣ୍ଣବୋଧ ଆଦି ଶେଷକରି ପାଞ୍ଚବର୍ଷ ବୟସରେ ବିଦ୍ୟାରମ୍ଭ କରାଇଥିଲେ ।ଉପନୟନ ଉପରାନ୍ତେ ପିତାଙ୍କ ନିକଟରୁ ସେ ଅମରକୋଷ, ଅଭିଧାନ , କଳାପ ଏବଂ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣରୂପେ କଣ୍ଠସ୍ଥ କରିପାରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ଅଧ୍ୟୟନ ଓ କଣ୍ଠସ୍ଥ କରିବାରେ ସକ୍ଷମ ହୋଇଥିଲେ। ନ୍ୟାୟ, ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ,ରାମାୟଣ ଓ ଧର୍ମଶାସ୍ତ୍ର ଆଦି ପଢ଼ିବା ପରେ ଜଗନ୍ନାଥ ଦାସଙ୍କ ସଂସ୍କୃତ ଭାଗବତ ଅଧ୍ୟୟନ ପ୍ରତି ରୁଚି ବଢ଼ିଥିଲା। ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତ୍ୟ ଆସି ଶ୍ରୀମନ୍ଦିର ଭିତର ବେଢ଼ା ସ୍ଥିତ ବଟଗଣେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆରେ ବ୍ୟାଖ୍ୟାକରି ନିତି ଶୁଣାଉଥିଲେ। ସେହି ସମୟରେ ଭକ୍ତି ଆନ୍ଦୋଳନର ମହାନାୟକ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପୁରୀ ଆଗମନ ହୋଇଥିଲା। ସେ (ଶ୍ରୀଚୈତନ୍ୟ) ଜଗନ୍ନାଥ ଦାସଙ୍କ ଭକ୍ତିଭାବ ଏବଂ ପ୍ରତିଭାରେ ମୁଗ୍ଧହୋଇ ତାଙ୍କୁ "ଅତିବଡ଼ି" ଆଖ୍ୟାରେ ଭୂଷିତ କରିଥିଲେ। ସେହି ଦିନଠାରୁ ସେ "ଅତିବଡ଼ୀ" ଜଗନ୍ନାଥ ଦାସ" ଭାବେ ସର୍ବତ୍ର ପୂଜିତ ହେବାକୁ ଲାଗିଲେ।
ଉତ୍କଳ ପ୍ରଦେଶରେ ସେତେବେଳେ ପ୍ରମୁଖ ଧର୍ମ ଗ୍ରନ୍ଥମାନ ସଂସ୍କୃତ ଭାଷାରେ ଲିପିବଦ୍ଧ ଥିଲା। ଯାହାକୁ ସାଧାରଣ ସ୍ୱଳ୍ପଵିଦ୍ୟା ସମ୍ପନ୍ନ ବ୍ୟକ୍ତି ବିଶେଷମାନେ ବୁଝିବାକୁ ସକ୍ଷମ ନଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜଗନ୍ନାଥ ଦାସଙ୍କ ମାତା ପଦ୍ମାବତୀ ଦେବୀ । ସେ ସଂସ୍କୃତ ଭାଗବତ ଶୁଣିବାକୁ ଇଚ୍ଛାଥିଲେ ମଧ୍ୟ ଭାଷାଗତ ଅବୋଧ୍ୟ ଯୋଗୁଁ ତାହା ବୁଝିବା ପାଇଁ ତାଙ୍କ'ପକ୍ଷେ ସମ୍ଭବପର ନଥିଲା। ମାତାଙ୍କର ଏହି ଆଧ୍ୟାତ୍ମିକ ପିପାସା ମେଣ୍ଟାଇବା ଏବଂ ଉତ୍କଳର ସାଧାରଣ ଜନତାଙ୍କ ପାଖରେ ଜ୍ଞାନର ଆଲୋକ ପହଞ୍ଚାଇବା ନିମନ୍ତେ ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ସରଳ ଓଡ଼ିଆ ଭାଷାରେ ରୂପାନ୍ତରିତ କରିବାକୁ ସଂକଳ୍ପ ନେଇଥିଲେ। ସେ ଶ୍ରୀବ୍ୟାସଦେବଙ୍କ ବିରଚିତ ସଂସ୍କୃତ ଭାଗବତକୁ ଓଡ଼ିଆ ନବାକ୍ଷରୀ ଛନ୍ଦରେ ଭାବାନୁବାଦ କରି ପ୍ରସିଦ୍ଧି ଲାଭକଲେ। ଏହିପରି ଭାବେ ଜନ୍ମ ନେଇଥିଲା କାଳଜୟୀ ଗ୍ରନ୍ଥ "ଓଡ଼ିଆ ଭାଗବତ"। ଯାହା ଆଜି ପ୍ରତ୍ୟେକ ସଂସାରୀଙ୍କ ସଂସାର ମଳକୁ ନାଶ କରିବାରେ ସମର୍ଥ ହୋଇପାରିଛି। ଏହି ଭାଗବତର ପ୍ରତିଟି ପଦ ଅତ୍ୟନ୍ତ ସରଳ ବୋଧ ହେଉଥିଲେ ମଧ୍ୟ, ଏହାର ତାତ୍ତ୍ୱିକ ଅର୍ଥ ଅତୀବ ଗହନ। ଏଠାରେ ଅତିବଡି ବେଦ, ବେଦାନ୍ତ, ବ୍ରହ୍ମସୂତ୍ର ଓ ଅନେକ ଦର୍ଶନର ସାରତତ୍ତ୍ୱକୁ ସନ୍ନିହିତ କରିଛନ୍ତି। ସେଥି ମଧ୍ୟରୁ କିଛି ପଂକ୍ତି ହେଉଛି:"ସ୍ୱତନ୍ତ୍ର ସୁତ୍ରେ ଊର୍ଣ୍ଣନାଭି । କ୍ରୀଡଇ ଯେହ୍ନେ ମନେ ଭାବି"।। ଅର୍ଥାତ୍ ଊର୍ଣ୍ଣନାଭ ବା ବୁଢିଆଣୀ ଜାଲ ନିର୍ମାଣ ସକାଶେ ନିଜେ ହିଁ ସ୍ୱତନ୍ତ୍ରଭାବେ ନିଜ ମୁଖରୁ ସୁତ୍ର ନିର୍ଗତକରି ଜାଲ ସୃଷ୍ଟି କରିଥାଏ ଏବଂ ସେଥିରେ ହିଁ ସେ ନିଜ ମନପସନ୍ଦର ବିଭିନ୍ନ ପ୍ରକାର ଖେଳ ଖେଳିଥାଏ। ପରନ୍ତୁ ଏଠାରେ ଊର୍ଣ୍ଣନାଭର ଦୃଷ୍ଟାନ୍ତ ମାଧ୍ଯମରେ ପରମାତ୍ମାଙ୍କ ସୃଷ୍ଟି, ସ୍ଥିତି ଓ ଲୟ ବା ପ୍ରଳୟକୁ ସୂଚିତ କରାଯାଇଛି। ଯେପରି ସାଧାରଣ ମାଙ୍କଡ଼ସା କୌଣସି ଦ୍ରବ୍ୟର ସାହାଯ୍ୟ ନ ନେଇ ସ୍ଵତଃ ସ୍ଵ ମୁଖରୁ ସୁତ୍ର ନିର୍ମାଣକରେ ଏବଂ ପୁନର୍ବାର ତାକୁ ଭକ୍ଷଣ କରିଥାଏ, ସେପରି ପାରମାର୍ଥିକ ଦୃଷ୍ଟିରେ ପରମାତ୍ମା କୌଣସି ଦ୍ରବ୍ୟର ସାହାଯ୍ୟ ବିନା ଏହି ସଂସାରକୁ ସୃଷ୍ଟି କରନ୍ତି। ସେପରି "ସଂସାର ସଂଯୋଗ ବିୟୋଗେ। ଶୋକ ହରଷ ବେନି ମାର୍ଗେ ।।" ଏହାର ଅର୍ଥ ସଂସାରରେ ସଂଯୋଗ ଅର୍ଥାତ୍ ଜନ୍ମ ଓ ପ୍ରାପ୍ତି ; ବିୟୋଗ ମାନେ ମୃତ୍ୟୁ ବା ଅଭାବ । ଉଭୟ ମଧ୍ୟରେ ହିଁ ମନୁଷ୍ୟର ଜୀବନପଥ ଗତି କରିଥାଏ ଏବଂ ସେଥିରୁ ହିଁ ସେ ସୁଖ ଓ ଦୁଃଖ ଲାଭକରେ । ଏହି ସୁଖ ଓ ଦୁଃଖର ସ୍ଥାନକୁ :- "ଏକଇ ବୃକ୍ଷେ ବେନି ଫଳ । ଚତୁର ରସ ତିନି ମୂଳ"।। ଏପରି ବର୍ଣ୍ଣନା କରା ଯାଇଛି। ଅର୍ଥାତ୍ ସଂସାର ହେଉଛି ଏକ ବୃକ୍ଷ ସଦୃଶ। ଏହି ବୃକ୍ଷରେ ଦୁଇଗୋଟି ଫଳ ଫଳିଥାଏ। ପ୍ରଥମ ଫଳଟି ସୁଖ ଏବଂ ଦ୍ବିତୀୟଟି ଦୁଃଖ। ଉଭୟ ଫଳକୁ ଜୀବ ଜୀବଦଶାରେ ଅର୍ଥାତ୍ ଜୀବନର ଚାରୋଟି ମୁଖ୍ୟ ଅବସ୍ଥାରେ ଯଥା - ଶୈଶବ, ଯୁବା, ପ୍ରୌଢ଼ ଓ ବାର୍ଦ୍ଧକ୍ୟରେ ଭକ୍ଷଣ ( ଭୋଗ) କରିଥାଏ। ତତ୍ ବ୍ୟତୀତ ସେହି ବୃକ୍ଷର ତିନି ଗୋଟି ମୂଳ ରହିଛି ବୋଲି କୁହାଯାଇଛି। ଯା'ର ଅର୍ଥ ଅନ୍ତକରଣ ବା ଚିତ୍ତ ଅଟେ। ଏହି ଚିତ୍ତ ହେଉଛି ସତ୍ତ୍ୱ,ରଜ ଓ ତମ ତ୍ରିଗୁଣ ଆତ୍ମିକ।
ଓଡ଼ିଆ ଭାଗବତ ହେଉଛି ଜଗନ୍ନାଥ ଦାସଙ୍କ ସମସ୍ତ ସାରସ୍ୱତ ସୃଷ୍ଟି ମଧ୍ୟରେ ଶ୍ରେଷ୍ଠତମ। ଯାହା ଆଜି ସମଗ୍ର ମାନବ ସମାଜ ପାଇଁ ପଥ ପ୍ରଦର୍ଶକ ହୋଇପାରିଛି। ଅତିବଡି ଭାଗବତ ବ୍ୟତୀତ ସେ ଗୁପ୍ତଭାଗବତ, ଦାରୁବ୍ରହ୍ମ ଗୀତା, ଅର୍ଥ କୋଇଲି ଓ ତୁଳାଭିଣା ଭଳି ଅନେକ ଗ୍ରନ୍ଥ ରଚନା କରି ଯାଇଛନ୍ତି। ସେ ଶ୍ରୀଚୈତନ୍ୟଦେବଙ୍କ ଠାରୁ ମଧ୍ଯ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ ବୋଲି କୁହାଯାଏ। ଏତଦ୍ ବ୍ୟତୀତ ପୁରୀର ସିଦ୍ଧ ଜଗନ୍ନାଥ ଆଶ୍ରମରେ ରହି ସେ ରାଧାକୃଷ୍ଣଙ୍କ ଉପାସନା ଓ ଭକ୍ତିମାର୍ଗର ପ୍ରଚାର ସହ ପୁରୀର ବଡ଼ ଓଡ଼ିଆ ମଠକୁ ଅତିବଡ଼ି ନିଜେ ପ୍ରତିଷ୍ଠା କରିଥିଲେ। ସେଠାରେ ପୂଜିତ ବିଗ୍ରହ ଜଗନ୍ନାଥ ଦାସଙ୍କ ଅଳ୍ପସଂଖ୍ୟକ ପୁରାତନ ପ୍ରତିକୃତିଙ୍କ ମଧ୍ୟରୁ ପ୍ରମୁଖ ବୋଲି କୁହାଯାଏ। ଅତିବଡ଼ି ନିଜର ସମଗ୍ର ଜୀବନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା, ସାଧନା ଏବଂ ସାହିତ୍ୟ ରଚନାରେ ଅତିବାହିତ କରି ଯାଇଛନ୍ତି। ପ୍ରାୟ ୧୫୫୦ ଖ୍ରୀଷ୍ଟାବ୍ଦରେ ଏହି ମହାନ ସନ୍ଥଙ୍କ ମହାପ୍ରୟାଣ ହୋଇଥିଲା। ପୁରୀର ସମୁଦ୍ର କୂଳରେ ଥିବା 'ସାତଲହଡ଼ି ମଠ' ଓ 'ବଡ଼ ଓଡ଼ିଆ ମଠ' ତାଙ୍କର ସାଧନା ପୀଠ, ଯେଉଁଠାରେ ଆଜି ମଧ୍ୟ ତାଙ୍କର ସ୍ମୃତି ପୂଜା ପାଉଛି। ଅତିବଡି ଜଗନ୍ନାଥ ଦାସଙ୍କ ନାମ ଓ ତାଙ୍କ ସାହିତ୍ୟ, ସାହିତ୍ୟିକ ଆକାଶରେ ଏକ ଅମ୍ଳାନ କୀର୍ତ୍ତି ।ଯାହା ସଦାସର୍ବଦା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ପୂଜ୍ୟ ତଥା ଅମର ହୋଇ ରହିବ ।
ଖମ୍ବେଶ୍ୱରୀ ପାଟଣା
ଆସିକା, ଗଞ୍ଜାମ।
