STORYMIRROR

Hemant Kumar Gantayat

Classics

4  

Hemant Kumar Gantayat

Classics

ଉତ୍କଳର ସନ୍ଥ ଶିରୋମଣି

ଉତ୍କଳର ସନ୍ଥ ଶିରୋମଣି

3 mins
10

ତ୍କଳ ପ୍ରଦେଶକୁ ଇତିହାସକାରମାନେ ବୀରପ୍ରସବିନୀର ଆଖ୍ୟା ଦେଇ ଯାଇଛନ୍ତି। ପରନ୍ତୁ ଏ ମାଟି କେବଳ ବୀର ପୁଙ୍ଗବଙ୍କ ମାଟି ନୁହେଁ, ଅପିତୁ ଭକ୍ତ, କବି, ଦାର୍ଶନିକ, ଜ୍ୟୋତିର୍ବିଦ ଓ ସାଧୁ-ସନ୍ଥଙ୍କ ଜନ୍ମଭୂମି। ଏହି ମାଟି ମାଆର ମହାପୁରୁଷମାନେ କାଳ କାଳ ଧରି ସମଗ୍ର ସଂସାରକୁ ଦିଗ୍ଦର୍ଶନ ଦେଇଛନ୍ତି। ସେହି ମହାପୁରୁଷମାନଙ୍କ ମଧ୍ୟରୁ ଜଣେ ଥିଲେ ଯୋଗଜନ୍ମା, ସିଦ୍ଧ ପୁରୁଷ ତଥା ସନ୍ଥ ଶିରୋମଣି କବି ଭୀମଭୋଇ। ସେ ୧୮୫୦ ମସିହାରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ମଧୁପୁର ଗ୍ରାମରେ ଏକ କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଭୀମଭୋଇ ନିଜ ଜନ୍ମ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସ୍ୱରଚିତ ସ୍ତୁତି ଚିନ୍ତାମଣିରେ ଉଲ୍ଲେଖ କରିଛନ୍ତି:

ଜନନୀ ଉଦର ଗୋପ ମଧୁପୁର ପାଶୋରି ନ ଯାଏ ଚିତ୍ତୁ

ମାତୃଗର୍ଭେଗତେ ପାଠ ପଢ଼ୁଥିଲି ଟିକେ ଟିକେ ଅଛି ହେତୁ ।।

ସନ୍ଥକବିଙ୍କ ବିଷୟରେ ଜନଶ୍ରୁତି ରହିଛି ଯେ, ସେ ବାଲ୍ୟବେଳେ ବସନ୍ତ ରୋଗରେ ପୀଡ଼ିତହୋଇ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ତଥାପି ସେ ନିଜ ରଚନାରେ କେବେବି ନିଜକୁ ଅନ୍ଧ ବୋଲି ପ୍ରଘଟ କରିନାହାନ୍ତି। ସେହି ଦୃଷ୍ଟିହୀନ ସିନା ତା'ଙ୍କୁ ନିରକ୍ଷର କରାଇଥିଲା, ପରନ୍ତୁ ଦିବ୍ୟଜ୍ଞାନରୁ ବଞ୍ଚିତ କରାଇ ପାରିଲା ନାହିଁ। ତେଣୁ କୁହା ଯାଇଛି:

ଚର୍ମ ଚକ୍ଷୁ ସଦା ଉପୁଯାଏ ବାଧା 

ପିଣ୍ଡ ବ୍ରହ୍ମାଣ୍ଡର ସ୍ଥିତି 

ଅନ୍ତଃ ଦୃଷ୍ଟି ସଦା ସତ୍ୟ ଜ୍ଞାତକରେ 

କହଇ ହେମନ୍ତ ମତି ।।

ଅର୍ଥାତ୍ ଯାର ଅନ୍ତଃ ଦୃଷ୍ଟି ଖୋଲିଯାଏ ସେ ପ୍ରକୃତ ସତ୍ୟକୁ ବୁଝିପାରେ। ଯାହା ଭୀମଭୋଇଙ୍କ କ୍ଷେତ୍ରରେ ଦେଖିବକୁ ମିଳିଥିଲା।

   ଭୀମଭୋଇଙ୍କ ବାଲ୍ୟାବସ୍ଥାରୁ ବୈବାହିକ ଜୀବନ ପର୍ଯ୍ୟନ୍ତ ଅତ୍ୟନ୍ତ କଷ୍ଟଦାୟକ ଥିଲା। ସେହି ସମୟରେ ସେ , ଜାତିପ୍ରଥାର ବିରୋଧ କରିବା ହେତୁ ତତ୍କାଳୀନ ରାଜା ତାଙ୍କ ସହିତ ପରିବାର ବର୍ଗଙ୍କୁ ମଧ୍ଯ ଦେଶାନ୍ତର ଆଦେଶ ଦେଇଥିଲେ। ତେଣୁ ସେ ଗ୍ରାମକୁ ଗ୍ରାମ ଯାଇ ଭିକ୍ଷା ବୃତ୍ତି ଓ ଗୋରୁ-ଗାଈମାନଙ୍କୁ ସେବା କରି ନିଜର ଜୀବନ ଜୀଵିକା ନିର୍ବାହ କରୁଥିଲେ। କାଳକ୍ରମେ ଦିନେ ମହିମା ଧର୍ମର ଗୁରୁଙ୍କ କୃପାରୁ ଭୀମ ଭୋଇଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ସେ ସାଧାରଣ ମଣିଷରରୁ ଜଣେ ସିଦ୍ଧ ପୁରୁଷ ହୋଇପାରିଥିଲେ। ତାଙ୍କ ଭିତରେ ଥିବା ଈଶ୍ୱରଙ୍କ ପ୍ରତି ଅପାର ଭକ୍ତି ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କୁ ଜଣେ ମହାନ୍ କବି ଭାବରେ ଗଢ଼ି ତୋଳିପାରିଥିଲା। ସେହି ଦିନଠାରୁ ଭୀମଭୋଇ ମହିମା ଗୋସାଇଁଙ୍କୁ ନିଜର ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରି ନେଇଥିଲେ। 

    ତତ୍କାଳୀନ ସମୟରେ ଜାତିଭେଦ, ଛୁଆଁ-ଅଛୁଆଁ, ମୂର୍ତ୍ତିପୂଜା ଏବଂ ନାରୀମାନଙ୍କ ପ୍ରତି ଅତ୍ୟାଚାର ବହୁଳ ଭାବରେ ପରିଲକ୍ଷିତ ହେଉଥିଲା ଆମ ଓଡ଼ିଶା ପ୍ରଦେଶରେ। ତେଣୁ ଭୀମଭୋଇ ଏହି ସବୁ କୁସଂସ୍କାର ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ସମସ୍ତ ମଣିଷ ସମାନ ଏବଂ ସେହି, ଏକ ହିଁ ଈଶ୍ୱର ସମସ୍ତଙ୍କ ଭିତରେ ବିଦ୍ୟମାନ। ଏହି ଚିନ୍ତାଧାରା ମାଧ୍ୟମରେ ସେ , ସମାଜରେ ଏକତା, ସମାନତା ଏବଂ ପ୍ରେମର ବାର୍ତ୍ତା ପ୍ରଚାର କରିଚାଲିଲେ। ତତ୍ ସହିତ ମହିମା ଧର୍ମର ମୂଳ ଉଦ୍ଦେଶ୍ୟ ଏକେଶ୍ୱରବାଦ ଏବଂ ନିରାକାର ପରମବ୍ରହ୍ମ (ଅଲେଖ) ଓ "ପିଣ୍ଡେ ବ୍ରହ୍ମାଣ୍ଡ, ବ୍ରହ୍ମାଣ୍ଡେ ପିଣ୍ଡ" ରହସ୍ୟକୁ ଶିକ୍ଷା ଦେବାକୁ ଯାଇ ନିଜର ଅନୁଗାମୀମାନଙ୍କୁ କହୁଥିଲେ ଯେ, ଯାହା ଆମର ଶରୀର ବା ପିଣ୍ଡ ମଧ୍ୟରେ ରହିଛି, ତାହା ହିଁ ସମଗ୍ର ସୃଷ୍ଟି ବା ବିଶ୍ୱ ବ୍ରହ୍ମାଣ୍ଡରେ ବିଦ୍ୟମାନ। କାରଣ ମନୁଷ୍ୟ ଶରୀର ହେଉଛି ବିଶ୍ୱ ବ୍ରହ୍ମାଣ୍ଡର ଏକ କ୍ଷୁଦ୍ର ସ୍ୱରୂପ। ପରମବ୍ରହ୍ମଙ୍କ ଦ୍ଵାରା ସୃଷ୍ଟ ବାହ୍ୟ ଜଗତରେ ଥିବା ସ୍ଥୂଳ ପଞ୍ଚଭୂତ ଯଥା: କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମ ଇତ୍ଯାଦିକୁ ଆମେ ଯେ'ପରି ଦେଖୁଛେ ତାହା ଆମ ଶରୀର ଭିତରେ ହିଁ ସୂକ୍ଷ୍ମ ରୂପରେ ବିଦ୍ୟମାନ। ତେଣୁ ଭଗବାନଙ୍କୁ ଖୋଜିବା ପାଇଁ କୌଣସି ମନ୍ଦିର, ମସଜିଦ୍ ବା ତୀର୍ଥସ୍ଥାନକୁ ଯିବାର ଆବଶ୍ୟକତା ନାହିଁ। ନିଜ ଭିତରରେ ଅନୁଧ୍ୟାନ କଲେ ହିଁ ସେହି ଶୂନ୍ୟବ୍ରହ୍ମଙ୍କ ସନ୍ଧାନ ପାଇପାରିବା। ଏହା ଆମକୁ ଶିକ୍ଷା ଦିଏ ଯେ, ସେ ହିଁ ସମସ୍ତ ଚରାଚରରେ ଶୂନ୍ୟ ରୂପରେ ରହିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ନିଜକୁ ଚିହ୍ନିବା ହିଁ ବ୍ରହ୍ମାଣ୍ଡକୁ ଚିହ୍ନିବା ସହ ସମାନ। ତେଣୁ ସେ କହିଛନ୍ତି:

ଏହି ପିଣ୍ଡ ଗୋଟି ଦେଉଳ ହୋଇଛି

ଏଥିରେ ବିଜେ ଅଲେଖ...

ଅର୍ଥାତ୍: ଆମ ଶରୀର ହିଁ ପ୍ରକୃତ ମନ୍ଦିର ଏବଂ ଏହା ଭିତରେ ହିଁ ନିରାକାର ପ୍ରଭୁ ବିରାଜମାନ କରିଛନ୍ତି। ସେ'ପରି କହିଛନ୍ତି "ରୂପରେଖା ନାହିଁ ହେ ଶୂନ୍ୟ ଦେହୀ"। ଏହି ବାଣୀରେ ସର୍ବଶକ୍ତିମାନ 'ଅଲେଖ' ବା 'ଶୂନ୍ୟପୁରୁଷ'ଙ୍କୁ ପରମବ୍ରହ୍ମ ବୋଲି ଉଲ୍ଲେଖ କରିଛନ୍ତି। ଭୀମଭୋଇଙ୍କ ମତରେ ପରମବ୍ରହ୍ମଙ୍କର କୌଣସି ନିର୍ଦ୍ଦିଷ୍ଟ ଶାରୀରିକ ଆକାର କିମ୍ବା ରୂପ ନଥାଏ । ସେ ହେଉଛନ୍ତି ନିରାକାର ଏବଂ ସମଗ୍ର ବିଶ୍ୱରେ ପୂର୍ଣ୍ଣରୂପେ ବ୍ୟାପୀ ରହିଛନ୍ତି । ଏପରି ତତ୍ତ୍ଵଙ୍କୁ ହିଁ ଉପାସନା କରିବା ପାଇଁ ନିଜର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ। ଯେହେତୁ ଭୀମଭୋଇ ଜଣେ ପ୍ରକୃତ ସନ୍ଥ ଥିଲେ, ଅତଃ ସେ କୌଣସି ଜୀବର କଷ୍ଟକୁ ସହ୍ୟ କରିପାରୁନଥିଲେ। ତେଣୁ ପ୍ରାଣୀମାନଙ୍କ ଆରତ ଓ ଦୁଃଖକୁ ପ୍ରଶମିତ କରିବା ନିମନ୍ତେ ସ୍ୱୟଂ ନର୍କ ଯନ୍ତ୍ରଣାକୁ ଭୋଗିବା ପାଇଁ ପ୍ରସ୍ତୁତ ଥିଲେ। ଏଥିପାଇଁ ସେ କହିଛନ୍ତି:

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ 

ଦେଖୁ ଦେଖୁ କେବା ସହୁ 

ମୋ ଜୀବନ ପଛେ ନର୍କେ ପଡ଼ିଥାଉ 

ଜଗତ ଉଦ୍ଧାର ହେଉ।।

     ଉପରୋକ୍ତ କାଳଜୟୀ ଉକ୍ତିଟି ହେଉଛି ସର୍ବଶ୍ରେଷ୍ଠ ଓ ଲୋକପ୍ରିୟ ଆଧ୍ୟାତ୍ମିକ ସ୍ତୁତିଚିନ୍ତାମଣି ଗ୍ରନ୍ଥର । ଏଥିରେ ମହିମା ଧର୍ମର ଦର୍ଶନ ଏବଂ ଭକ୍ତି ଭାବକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏହା ବ୍ୟତୀତ ଭୀମଭୋଇ ଅନେକ ଉଚ୍ଚକୋଟୀର ଗ୍ରନ୍ଥ, ଭଜନ ଓ ରଚନା ନିଜର ମୁଖରୁ ଧାଡ଼ି ଧାଡ଼ି କବିତା ଡାକି, ତାଙ୍କ ଶିଷ୍ୟ ଏବଂ ଭକ୍ତମାନଙ୍କ ଦ୍ୱାରା ଲେଖାଇଥିଲେ। ଏହି ରଚନାଗୁଡ଼ିକ ଖୁବ୍ ସରଳ ଓ ଗ୍ରାମୀଣ ଭାଷାରେ ହୋଇଥିବାରୁ, ସାଧାରଣ ଲୋକଙ୍କ ହୃଦୟକୁ ସହଜରେ ସ୍ପର୍ଶ କରି ପାରୁଥିଲା। ସେଥି ମଧ୍ୟରୁ କିଛି ପ୍ରମୁଖ ରଚନା ହେଉଛି: ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଏବଂ ଚଉତିଶା ମାନ ଅନ୍ୟତମ। ଏପରି ଗ୍ରନ୍ଥ ଏବଂ ଏପରି ସନ୍ଥ ଆଜିର ସମୟରେ ଦେଖିବାକୁ ବିରଳ। ଏଣୁ କୁହାଯାଇଛି,ସନ୍ଥକବି ଭୀମଭୋଇଙ୍କ କୃତି ଓ ପ୍ରବର୍ତ୍ତିତ ମାର୍ଗ ଜନ ସମାଜର ପଥ ପ୍ରଦର୍ଶକ ହୋଇ ରହିଛି ଏଵଂ ଆଗକୁ ମଧ୍ୟ ରହିଥିବ।

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ 

ଦର୍ଶନ ଅଧ୍ୟାପକ 

ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ 

 କବିସୂର୍ଯ୍ୟ ନଗର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics