STORYMIRROR

Suchismita Sahoo

Drama Romance

2  

Suchismita Sahoo

Drama Romance

ତୁମକୁ ପାରୁନି ତ ଭୁଲି (ଭାଗ-୮)

ତୁମକୁ ପାରୁନି ତ ଭୁଲି (ଭାଗ-୮)

4 mins
120


ବାପା ବଜାରକୁ ଗଲା ପରେ ମୁଁ ମୋ ରୁମକୁ ଆସିଲି। ସେତେବେଳଠୁ ଗୋଟେ କଥା ମୋ ଭାବନାରେ ଚାଲିଥାଏ। ସେ ଝିଅ କିଏ? କାହାର ଆକ୍ସିଡେଣ୍ଟ ହେଇଥିଲା? ମନରେ ଗୋଟେ ଅଜଣା ଭୟ ବସା ବାନ୍ଧି ଉଠିଲା। ସେ ଝିଅ ଆଉ ଆମ ପ୍ରିୟା ନ ଥିଲା ତ? ନା ନା, ସେ ପ୍ରିୟା କେମିତି ହେବ?, ସେ ଖଣ୍ଡଗିରି ଆଡେ କାହିଁକି ଯିବ? ସମୀରଙ୍କ କହିବା ଅନୁଯାୟୀ, ଯଦିଓ ସେଦିନ ସେ ଘରୁ ଭୁବନେଶ୍ୱରକୁ ଫେରିଥିଲା, କିନ୍ତୁ ସେ ତ ବାଣୀବିହାର ଛକରେ ଓହ୍ଲେଇ ଥିବ। ବାଣୀବିହାରରୁ କିଛି ବାଟ ଚାଲିଗଲେ ଆମ ରମାଦେବୀ କଲେଜ। ମୁଁ ତ ପୁରା ନିଶ୍ଚିତ ଯେ, ସେ ଝିଅ ଆମ ପ୍ରିୟା ନୁହେଁ। ତେବେ ବାପା ମତେ ସେ ଝିଅ ବିଷୟରେ କାହିଁକି କହୁଥିଲେ। ବୋଧେ ଏମିତି ହେଇଥିବ, ସେ ଝିଅକୁ ବାପା ହସ୍ପିଟାଲ ନେଇକି ଯାଇଥିବେ। ଆଉ ତା ପରଦିନ ପ୍ରିୟା କାହାଠୁ ଶୁଣି ସେ ଝିଅକୁ ରକ୍ତ ଦେବାକୁ ଯାଇଥିବ, ଆଉ ସେଇଠି ବାପାଙ୍କ ସହ ଭେଟ ହେଇଥିବ। ପ୍ରିୟା କଥା ଆଉ କଣ କହିବି! ମହାନ ନାରୀ ସେ, ଦେହରେ ଟିକେ ମାଂସ ନଥିଲା, ହେଲେ କାହାର କଣ ହେଲେ ରକ୍ତ ଦେବାକୁ ଚାଲିଯିବ। କେତେ ଥର ରକ୍ତ ଦାନ ଶିବିରକୁ ବି ଯାଇ ରକ୍ତ ଦେଇ ଆସିଛି। ହେଲେ ପ୍ରିୟା ସହ ବାପାଙ୍କ ଏତିକି ପରିଚୟ ହେଇଥିଲେ ବାପା ମୋ ସହ ନିରଳାରେ କଥା ହେବାକୁ କାହିଁକି କହିଥାନ୍ତେ! ସେଦିନ ରୋଷେଇ ଘରେ ହିଁ ତ ଏଇ କଥା କହିଦେଇଥାନ୍ତେ। ନା ନା, ଆଉକିଛି କଥା ନିଶ୍ଚୟ ଅଛି। ଯେମିତି ବି ହେଉ ଆଜି ବାପାଙ୍କୁ ଅଟକେଇବାକୁ ପଡିବ। ହେଲେ କେମିତି ଯେ? କାହ୍ନା ରେ କିଛି ଗୋଟେ କର। ଠିକ ଏତିକି ବେଳେ ଶାଶୁଙ୍କ ଡାକ ଶୁଭିଲା, ସୀମା! ମା ସୀମା!, କୋଉଠି ଅଛୁ? କିଛି କୁଆଡୁ ନଥିଲା, ଦେଖିଲୁ କେମିତି ଅନ୍ଧାରିଆ କରି ଆସିଲାଣି, ଲାଗୁଛି ଆଜି ରାତି ସାରା ଭଲସେ କାଚିବ। ତୁ ମା ଟିକେ ଛାତ ଉପରକୁ ଦୌଡ଼ିଯାଇ ସବୁ ଜାମାପଟା ଆଣିଦେଲୁ, ନହେଲେ ସବୁ ଭିଜିଯିବ। ଶାଶୁଙ୍କ କଥା ଶୁଣି ମୁଁ ବାହାରକୁ ଆସି ଦେଖିଲି, ସତରେ କଳାମେଘ ଘୋଟିଗଲାଣି ଆକାଶ ସାରା, ଏଇନେ ବରଷିବ ଲାଗୁଛି। ମୋ ଶାଶୁ ଘରଠୁ ଆମ ଘର ବହୁତ ଦୂର, ବର୍ଷା ହେଲେ ବାପା ବୋଉ ଏତେ ଦୂର କେମିତି ଯିବେ ଭାବି ଭାରି ଖୁସି ହେଇଗଲି। ଆରେ ବାଃ, ବାପାଙ୍କୁ ଅଟକେଇ ବାର ରାସ୍ତା ତ ମିଳିଗଲା। ସତରେ କାହ୍ନା, ମାନିଗଲି ତତେ, କରି କରାଉ ଥାଉ ତୁହି, ତୋ ବିନୁ ଅନ୍ୟ ଗତି ନାହିଁ କହି ଖୁସିରେ ଛାତକୁ ଧାଇଁଲି ଲୁଗା ତୋଳିବାକୁ। ସେତେବେଳକୁ ବର୍ଷା ପ୍ରାୟ ଆରମ୍ଭ ହେଇଗଲାଣି। ଲୁଗା ତୋଳିବି କଣ ଆଉ, ବର୍ଷାରେ ମୁଁ

ମେଘ ବରସିଲା ଟୁପୁରୁ ଟୁପୁରୁ 

କେଶୁଅ ମାଇଲା ଗଜା

କେଉଁ ରାଇଜେ ରହିଲେ ମୋ ରାଜା

ତେଲିଙ୍ଗି ବାଇଦ ବଜା।

ଗୀତ ଗାଇ ମୟୂରୀ ସାଜି ନାଚି ଉଠିଲି। ହଜିଗଲି ଆକାଶଙ୍କ ଭାବନାରେ କାରଣ ତାଙ୍କୁ ବର୍ଷା ଭାରି ପସନ୍ଦ ଆଉ ଏମିତି ଏକ ବର୍ଷା ପାଗରେ ଆକାଶଙ୍କ ସହ ମୋର ପ୍ରଥମ ମିଳନ ହେଇଥିଲା। ସେଦିନ ବର୍ଷାରେ ଭିଜି ଭିଜି ଆକାଶ ହଷ୍ଟେଲ ସାମ୍ନାକୁ ଆସିଥିଲେ, ହେଲେ ପ୍ରିୟା ବ୍ୟାଙ୍କିଙ୍ଗ ପରୀକ୍ଷା ଦେବାକୁ ଯାଇଥିଲା। ତେଣୁ ମୁଁ ବାଧ୍ୟ ହେଇ ଆକାଶଙ୍କୁ ଜଣେଇବାକୁ ତାଙ୍କ ପାଖକୁ ଗଲି। ପ୍ରିୟା ନାହିଁ ଶୁଣି ତାଙ୍କ ମୁଁହ ମଉଳି ଗଲା। ମତେ ପଚାରିଲେ ତମେ ବର୍ଷାରେ ଭିଜିବାକୁ ଭଲପାଅ? ମତେ ଭାରି ଭଲଲାଗେ ଭିଜିବାକୁ, ତମେ ମୋ ସହ ଭିଜିବ? ପ୍ରକୃତରେ ମତେ ବର୍ଷାରେ ଭିଜିବାକୁ ଜମା ବି ଭଲ ଲାଗେନି, ହେଲେ ଆକାଶ ପାଇଁ ମିଛରେ ହଁ ଭରିଲି। ତାପରେ ତାଙ୍କ ଗାଡି ପଛେ ବସି ବହୁତ ମଜା ନେଲି ବର୍ଷାର। ବର୍ଷାରେ ଭିଜି ଭିଜି ice-cream ଖାଇଲୁ। ଆକାଶଙ୍କର ସବୁ ଏମିତି ଓଲଟା କାମ, ବୋଧେ ସେଥିପାଇଁ ମୁଁ ତାଙ୍କୁ ଅଧିକା ଭଲପାଏ। ice-cream ଖାଇ ଫେରୁଥିବା ବେଳେ, ଗୋଟେ ଦୁର୍ଘଟଣାରୁ ବଞ୍ଚେଇବାକୁ ଯାଇ, ଆକାଶ ମୋ ହାତ ଧରି ମତେ ଭିଡି ଆଣିଲେ ନିଜ ଆଡକୁ। ଆଉ ମୁଁ ଛନ୍ଦି ହେଇଗଲି ତାଙ୍କ ବାହୁ ବନ୍ଧନରେ। ସେଦିନ ପ୍ରଥମ ଥର ପାଇଁ ମୁଁ ଆକାଶଙ୍କର ସ୍ପର୍ଶ ପାଇଥିଲି ଆଉ ସେ ପ୍ରଥମ ଛୁଆଁକୁ ମୁଁ ଆଜି ବି ଭୁଲିନି, ଆଜିବି ଭାବିଲେ ମୋ ଦେହରେ ବିଜୁଳି ପ୍ରାୟ ଶିହରଣ ଖେଳିଯାଏ।

ଆଜି ବର୍ଷାର ପ୍ରତି ବିନ୍ଦୁରେ ମୁଁ ଅନୁଭବ କରୁଥିଲି ସେଦିନର ଆକାଶଙ୍କ ପ୍ରଥମ ଛୁଆଁକୁ। ବର୍ଷା ବିନ୍ଦୁ ମୋ ଗାଲ ଦେଇ ଯେବେ ମୋ ଓଠକୁ ଚୁମୁଥିଲା, ମୁଁ ଲାଜରେ ଝାଉଁଳି ଯାଉଥିଲି। ବର୍ଷାର ଧାରା ଯେବେ ମୋ ଦେହକୁ ଭିଜୋଉଥିଲା, ମତେ ଲାଗୁଥିଲା ଯେମିତି ଆକାଶ ଚିତି ସାପ ପରି ଗୁଡେଇ ହେଇଯାଇଛନ୍ତି ମୋ ଦେହରେ ଆଉ ବାରମ୍ବାର ଦଂଶି ଚାଲିଛନ୍ତି ମୋ ଦେହ ଆଉ ମନକୁ। ତାଙ୍କ ଦଂଶନରେ ମୁଁ ରକ୍ତାକ୍ତ ହେଉନଥିଲି ବରଂ ତୃପ୍ତ ହେଉଥିଲି ଆଉ ପାଉଥିଲି ନାରୀ ଜୀବନର ପୂର୍ଣ୍ଣତା। ଲାଗୁଥିଲା ଯେମିତି ଏ ଛାତ ଉପରେ ଖାଲି ମୁଁ ଆଉ ଆକାଶ ଅଛୁ, ମନ ଭରି ବର୍ଷା କୁ ଉପଭୋଗ କରୁଛୁ। ଏମିତି ଭାବନାରେ ବୁଡି ଖୁସିରେ ନାଚୁ ଥିବା ବେଳେ, ହଠାତ ଛାତ ରେ ଥିବା ଏକ ରଡ଼ ରେ ମୋ ପିନ୍ଧା ଶାଢ଼ୀ ବାଜି ଚିରିଗଲା। ଶାଢ଼ୀ! ଶାଢ଼ୀରୁ ମନେ ପଡ଼ିଲା, ସେଦିନ ଆକାଶ ମତେ ଗୋଟେ ସୂତି ଶାଢ଼ୀ ଉପହାର କରିଥିଲେ। ନା, ନା, ଉପହାର କରି ନଥିଲେ, ମୁଁ ଜବରଦସ୍ତି ନେଇଥିଲି। ଆପଣ ମାନେ ମୋ କଥା ବିଶ୍ୱାସ କରୁନାହାନ୍ତି ନା? ମୋ ପରି ଲାଜକୁଳୀ, ଶାନ୍ତ ସ୍ଵଭାଵର ଝିଅ ମାଗିକି ଉପହାର ନେବା କଥା ହଜମ ହେଉନଥିବ ନିଶ୍ଚୟ। ହେଲେ ମୋ ପରି ଝିଅ ହିଁ ଅଧିକା ଏମିତି କରନ୍ତି, ଯାହାଙ୍କୁ କୁହନ୍ତି ପୋତାମୁହିଁ। ହେ ହେ। ସେଦିନ ମୋ ଅନୁରୋଧ କ୍ରମେ ଆମେ ପାଖ ଦୋକାନରେ ଚା ଓ ପକୁଡି ଖାଉଥିଲୁ। ହଠାତ ମୁଁ କହି ଉଠିଲି, ଆଜିର ଦିନକୁ ମନେ ରଖିବାକୁ ତମେ ମତେ କିଛି ଗୋଟେ ଉପହାର କର। ଆକାଶ ହସିଦେଇ କହିଲେ, ଠିକ ଅଛି, କଣ ଦରକାର କୁହ। ମୁଁ ଲାଜେଇ ଯାଇ କହିଲି, ଶାଢ଼ୀ। ଆକାଶ ଆଶ୍ଚର୍ଯ୍ୟ ହେଇ କହିଲେ, ଶାଢ଼ୀ! ସତ କହୁଛ? ମୁଁ ଫୁଲେଇ ହେଇ କହିଲି, ହଁ ସତ। ଆକାଶ ଟିକେ ମନଦୁଃଖ କରି କହିଲେ, ଶାଢ଼ୀ କିଣିବା ପାଇଁ ମୋ ପାଖେ ଏତେ ପଇସା ନାହିଁ, ମୋ ପାଖେ ଜମା ୫୦୦/- ଅଛି। ମୁଁ କହିଲି, ଏତକ ପଇସା ଧେର, ୩୦୦/- ରେ ଭଲ ସୂତି ଶାଢ଼ୀ ମିଳିଯିବ। ଜିଦି କରି ଆଣିଥିବା ସେ ପ୍ରଥମ ଆଉ ଶେଷ ଉପହାରକୁ ଆଜି ଯାଏ ସାଇତି ରଖିଛି। ମୁଁ ସଙ୍ଗେ ସଙ୍ଗେ ମୋ ଭାବନାରୁ ଫେରି ମୋ ରୁମକୁ ଧାଇଁଲି, ସେ ଶାଢ଼ୀ ପିନ୍ଧିବାକୁ। ଗଡ଼ରେଜରୁ ସବୁ ଶାଢ଼ୀ ଫିଙ୍ଗି, ଶେଷରେ ସବା ତଳୁ ସେ ଶାଢ଼ୀ ବାହାର କରି ପିନ୍ଧିଲି। ନାଲି ରଙ୍ଗର ସେ ଶାଢ଼ୀ ସାଙ୍ଗକୁ ଭିଜା ଭିଜା ଖୋଲା ବାଳ, ଆଇନାରେ ମୋ ଚେହେରା ଦେଖି ମୁଁ ଲାଜେଇଗଲି, ସତରେ ମୁଁ କେତେ ସୁନ୍ଦର ଦେଖାଯାଉଛି। ଆଇନାରେ ନିଜକୁ ଦେଖି ଖୁସି ହେଉଥିବା ବେଳେ ହଠାତ ଆଇନାରେ ଦେଖିଲି ବୋଉର ପ୍ରତିବିମ୍ବ। ଚମକି ପଡି ପଛକୁ ବୁଲି ଦେଖିଲି ଯେ, ବୋଉ କବାଟ ପାଖେ ଛିଡା ହେଇଛି। ବୋଉ କେତେବେଳେ ଆସିଲା, ମୋ ପାଗଳାମି ସେ ଆଉ ଦେଖିନିତ ? ଡରି ଡରି ପଚାରିଲି, ବୋଉ, ତୁ! ତୁ କେତେ ବେଳେ ଆସିଲୁ?


ଆଉ ତା ପରେ....



Rate this content
Log in

Similar oriya story from Drama