Suchismita Sahoo

Drama Romance

4.5  

Suchismita Sahoo

Drama Romance

ତୁମକୁ ପାରୁନି ତ ଭୁଲି (ଭାଗ-୧୯)

ତୁମକୁ ପାରୁନି ତ ଭୁଲି (ଭାଗ-୧୯)

5 mins
176



ପ୍ରିୟାର କଥା ମତେ ବଡ଼ ଝଟକା ଦେଲା। ମୁଁ ଗୁମ କରି ଖଟ ଉପରେ ବସିପଡ଼ିଲି। ପ୍ରିୟା ଏ ସବୁ କେମିତି ଜାଣିଲା? ଏମିତି କାହିଁକି କହୁଛି ସେ? ସେ ଆଉ ମୋ ଉପରେ ରାଗିନି ତ? ଏମିତି ଇଆଡୁ ସିଆଡୁ ଅନେକ ଭାବନା ପଶୁଥିଲା। ପ୍ରେମ କରିବାଟା କଣ ସତରେ ଏତେ ବଡ଼ ଭୁଲ? ଏତେ ବଡ଼ ପାପ? ଆକାଶଙ୍କୁ ଏକତରଫା ଭାବେ ପ୍ରେମ କରିବା ଦିନଠୁ ଖାଲି ପାଇଛି ଯନ୍ତ୍ରଣା, ବିରହର ନିଆଁ ରେ ଖାଲି ଜଳିଛି। ତଥାପି ମୋର ଦୁଃଖ ନାହିଁ। କାରଣ ପ୍ରେମର ପ୍ରଥମ ସୋପାନ ବିରହ। ତେଣୁ ଆଖି ବୁଜି ମୁଁ ଆପଣେଇ ନେଲି ବିରହ ରାସ୍ତାକୁ, ବିରହ ନ ଥିଲେ ବେଦନା ଜଣାପଡେ ନାହିଁ ଆଉ ବେଦନା ନ ଭରିଲେ ଜଣେ ପ୍ରେମର ସଂଜ୍ଞା ବୁଝିବ ବା କିପରି? ଏଇ ସମୟରେ ତଳୁ ପଡୋଶୀ ଘର ଭାଉଜଙ୍କର ଡାକରା ଆସିଲା, ସୀମା! ସୀମା! ଜଲଦି ପ୍ରିୟାକୁ ନେଇ ତଳକୁ ଆସ। ମଙ୍ଗୁଳା ସରିଲେ ପରା ଆହୁରି କେତେ କଣ ବିଧି ବାକି ଅଛି। ତାଙ୍କ ଡାକରେ ମୁଁ ଭାବନା ରାଇଜରୁ ବାସ୍ତବକୁ ଫେରିଲି। ଆଖିରୁ ଲୁହ ପୋଛି, ତଳକୁ ଯିବାକୁ ବାହାରିବା ସମୟରେ ମୋର ନଜର ପଡିଲା ପ୍ରିୟା ବହିଥାକର ଗୋଟେ ନିଳରଙ୍ଗର ଡାଏରି ଉପରେ। ଡାଏରି ତା ଭାରି ଚିହ୍ନା ଚିହ୍ନା ଲାଗୁଥିଲା। ଭାବିଲି, ଡେରି ହେଉ ପଛେ ଟିକେ ଡାଏରିଟା ଉପରେ ନଜର ପକେଇଦିଏ। ବହିଥାକରୁ ଡାଏରିଟା କାଢ଼ିବା ମାତ୍ରେ ଜାଣିଗଲି ଯେ ଏଇଟା ମୋର ହଜି ଯାଇଥିବା ସେଇ ଡାଏରି। ପ୍ରିୟା ଅସୁସ୍ଥ ଥିବା ବେଳେ ଥରେ ମୁଁ ତା ରୁମରେ ବସି ଡାଏରି ଲେଖୁଥିଲି, ସେବେକୋଉଠି ରଖିଦେଲି ଆଉ ମିଳିଲାନି ମତେ। ଏଇ ସମୟରେ ପ୍ରିୟା ହଠାତ୍ ରୁମ ଭିତରକୁ ପଶି ଆସି କହିଲା, ମୁଁ କଣ ଏକା ଯିବି ମଙ୍ଗୁଳି ହେବାକୁ, କେତେବେଳୁ ତତେ ବାହାରେ ଅପେକ୍ଷା କରିଛି ଆଉ ତୁ? ପ୍ରିୟା କୁ ଦେଖି ମୁଁ ଡାଏରିକୁ ଲୁଚେଇବାକୁ ଚେଷ୍ଟା କରୁଥାଏ, ପ୍ରିୟା କହିଲା, ଲୁଚେଇବା ଦରକାର ନାହିଁ, ଏଇଟା ତୋ ଡାଏରି ଆଉ ଏଥିରୁ ହିଁ ମୁଁ ଆକାଶଙ୍କ ବିଷୟରେ ଜାଣିବାକୁ ପାଇଲି। ତୋ ଅନୁମତି ବିନା ମୁଁ ତୋ ବ୍ୟକ୍ତିଗତ ଡାଏରି ପଢିଥିବାରୁ ଦୁଃଖିତ। ତୁ ବ୍ୟସ୍ତ ହଅନି, ମତେ କିଛି ବି ଖରାପ ଲାଗିନି। ଆକାଶ ଯେତେବେଳେ ଆଉ ନାହାନ୍ତି, ତେବେ... ପ୍ରିୟା ଆଉ କିଛି କହି ପାରିଲାନି, ମତେ କୁଣ୍ଡାଇ କାନ୍ଦିବାକୁ ଲାଗିଲା। ମୁଁ ବି ବହୁତ କାନ୍ଦିଲି। ମନେ ମନେ କହୁଥିଲି, ଫେରିଆସ ଆକାଶ, ତୁମ ବିନା ଆମେ ଅଧୁରା। ଚେଷ୍ଟା କରିବି ତୁମକୁ ପାରିବୁନି ଭୁଲି। ମୁଁ ତୁମକୁ ପାରୁନି ତ ଭୁଲି।


ତହିଁ ଆରଦିନ ବହୁତ ଧୁମ ଧାମ ରେ ପ୍ରିୟା ଆଉ ଅମନଙ୍କର ବିବାହ ସମ୍ପର୍ଣ୍ଣ ହେଲା। ବିବାହର ସବୁଠୁ ଆକର୍ଷଣ ଥିଲା ଭୋଜି। ଗୁପଚୁପ, ଚାଟ, ଦହିବରା, ଆଇସ୍କ୍ରିମଠୁ ନେଇ ଆମିଷରେ ରେ ଚିକେନ୍ ବିରିୟାନି, ଚିକେନ୍ ଲଲିପପ, ମଟନ ଝୋଳ, ଚିଙ୍ଗୁଡ଼ି ପକୁଡି, ନିରାମିଷ ରେ ପନିର ବିରିୟାନି, ଆଚାରି ପନିର, ପନିର ଟୀକା, ପୋଟଳ ରସା, ମିକ୍ସ ତରକାରୀ, ଅଙ୍ଗୁର ଚଟଣି, ଖିରି, ରସଗୋଲା, ଗୁଲାପ ଜାମୁ ଆହୁରି କେତେ କଣ। ବିନୋଦ ମଉସାଙ୍କୁ ଏ ବାହାଘରରେ ଯୋଗ ଦେବାକୁ ଅନୁମତି ମିଳିଥିଲା ହେଲେ ପୋଲିସଙ୍କ କଡା ନଜରବନ୍ଦି ଭିତରେ। ବିବାହ ପରେ ଅମନ ଆଉ ପ୍ରିୟା ଯେବେ ବିନୋଦ ମଉସାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ, ସେବେ ବିନୋଦ ମଉସା ପ୍ରିୟା ର ହାତ ଧରି ବହୁତ କାନ୍ଦିଲେ। ସେ ଲୁହ ଥିଲା ଅନୁତାପର ଲୁହ। ତା ପରେ ପୋଲିସ ତାଙ୍କୁ ପୁଣି ଜେଲର ସେ ଅନ୍ଧାରି କୋଠରୀ ଭିତରକୁ ନେଇଗଲେ। ପ୍ରିୟା ଆମଠୁ ବିଦାୟ ନେଇ ଅମନ ଓ ଶାନ୍ତି ମାଉସୀଙ୍କ ସହ ତାଙ୍କ ଘରକୁ ଚାଲିଗଲା। ତାପରେ ସମସ୍ତେ ନିଜ ନିଜ ରୁମକୁ ବିଶ୍ରାମ କରିବାକୁ ଗଲେ। 


ଭଲରେ ଭଲରେ ପ୍ରିୟା ର ବାହାଘର ହେଇଗଲା, ପ୍ରିୟା ଆଉ ଆକାଶଙ୍କୁ ନ୍ୟାୟ ମିଳିଲା, ଏ ସବୁ କଥା ପାଇଁ ସେଦିନ ବହୁତ ଆଶ୍ୱସ୍ତି ଥିଲି। ରୁମ ଭିତରକୁ ଯିବା ପୂର୍ବରୁ, ହଠାତ ମୁଁ ମୁଣ୍ଡ ବୁଲେଇ ଦେବାରୁ ତଳେ ପଡ଼ିଗଲି। ସଙ୍ଗେ ସଙ୍ଗେ ମତେ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଙ୍କ ପରୀକ୍ଷା ପରେ ଜାଣିବାକୁ ପାଇଲି ଯେ ମୁଁ ଗର୍ଭବତୀ। ଏକଥା ଶୁଣି ସମସ୍ତେ ଖୁସିରେ ନାଚି ଉଠିଲେ। ଶାଶୁ ଆସି ମୋ ମୁଣ୍ଡ ଆଉଁସି ଦେଇ ଗେହ୍ଲ କରି କହିଲେ, ବହୁତ ଖୁସି ଖବର ଶୁଣେଇଲୁ ଲୋ ମା। କଣ କହି ତତେ ମୁଁ ଧନ୍ୟବାଦ ଦେବି କିଛି ଜାଣିପାରୁନି। ମୋ ଭାସି ଯାଉଥିବା ସଂସାରକୁ ତୁ କୂଳରେ ଲଗେଇ ଦେଲୁ। ମୋ ଆଶୀର୍ବାଦ ତୋ ସହ ଅଛି, ତୁ ଖୁସିରେ ତୋର ନୂଆ ଜୀବନ, ନୂଆ ପରିବାର ନେଇ ରହ। ଶ୍ୱଶୁର କହିଲେ, ମୁଁ ଯାଏ ବଜାରରୁ ମିଠା କିଣିଆଣେ। ଆଜି ସମସ୍ତଙ୍କ ମୁହଁ ମିଠା କରିବି ମୁଁ। ସତରେ ମା ହେବାର ଖୁସି ସବୁଠୁ ନିଆରା, ନାରୀ ଜୀବନର ପୂର୍ଣ୍ଣତା। ସେଥିପାଇଁ, ମୁଁ ବହୁତ ଖୁସି ଥିଲି, ସମସ୍ତଙ୍କ ମୁହଁରେ ଖୁସି ଦେଖି ଆହୁରି ଅଧିକା ଭଲ ଲାଗୁଥିଲା। ବାପା ବୋଉ ବି ଗେହ୍ଲ କରି ଆଶୀର୍ବାଦ ଦେଲେ। ବାପା କହିଲେ ମୋର ନାତି କି ନାତୁଣୀ ଯାହାବି ହେଲେ ମୁଁ ଖୁସି, ଅତି ଯତ୍ନରେ ତାକୁ ବଢ଼େଇବି, ସବୁ ସୁଖ ଦେବାକୁ ଚେଷ୍ଟା କରିବି। ବାପାଙ୍କ କଥା ଶୁଣି ଖୁସି ଲାଗିଲା ହେଲେ ଗୋଟିଏ ଡର ପଶିଗଲା ମନରେ। ସୁରଭି ମାଉସୀଙ୍କ ପ୍ରତାରଣା ପାଇଁ, ବାପା ବୋଉ କିମ୍ବା ମତେ ଆପଣେଇ ପାରିଲେନି, ଶାନ୍ତି ମାଉସୀଙ୍କ ଠୁ ସମୟ ନପାଇ ଏକାକି ଅନୁଭବ କରି ବିନୋଦ ମଉସା ଏତେ ବଡ଼ ଭୁଲ କରି ବସିଲେ। ମୁଁ କେବେ ସମୀରଙ୍କୁ ସମୟ ଦେଇନି, ସ୍ୱାମୀର ଅଧିକାର କିମ୍ବା ସମ୍ମାନ ଦେଇନି, ମୋର ଯଦି ଝିଅ ହୁଏ, ସେ କାଳେ ମୋ ଭଳି ପ୍ରକୃତିର ହେବ ଭାବି ସମୀର ଆଉ ତାକୁ ହଇରାଣ କରିବେନି ତ! ଏମିତି ଇଆଡୁ ସିଆଡୁ ଅନେକ କଥା ଭାବୁଛି, ହଠାତ ସମୀର ଗୋଟେ ଫୁଲତୋଡା ମୋ ହାତକୁ ବଢ଼େଇ ଦେଇ କହିଲେ, ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ। ମୁଁ ଆଜି ବହୁତ ଖୁସି, ବହୁତ ସୁନ୍ଦର ଉପହାରଟିଏ ତମେ ମତେ ଦେବାକୁ ଯାଉଛ, ଏତକ କହି ମୋ କପାଳରେ ଗୋଟେ ଚୁମା ଦେଲେ। ମୁଁ ଛେପ ଢ଼ୋକି ଢ଼ୋକି ପଚାରିଲି, ତମକୁ କଣ ଦରକାର? ପୁଅ ନା ଝିଅ? ଝିଅ ହେଲେ ଚଳିବ ନା? ତମେ ତା ପ୍ରତି ଜଣେ ଦାୟିତ୍ୱବାନ ବାପାର କର୍ତ୍ତବ୍ୟ କରିବନା? ସମୀର ମୋ ହାତକୁ ଭିଡି ଧରି କହିଲେ, କାହ୍ନା ଆମକୁ ଯାହା ଦେବେ ମୁଁ ସେଥିରେ ଖୁସି, କିନ୍ତୁ ମୁଁ ଚାହୁଁଛି ଆମର ଗୋଟିଏ ପୁଅ ହେଉ, ଆଉ ମୁଁ ତା ନାଁ ଦେବି ଆକାଶ, ମାନେ ଆମର ଗୋଟିଏ କୁନି ଆକାଶ ଜନ୍ମ ନେଉ। ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, ଆକାଶ? ସମୀର କହିଲେ, ମୁଁ ସବୁ ଜାଣେ, ତମ ବୋଉଙ୍କ ଠୁ ସବୁ ଶୁଣିଛି ଅକାଶଙ୍କ ବିଷୟରେ। ତମେ ଏକତରଫା ଭାବେ ବହୁତ ଭଲ ପାଉଥିଲ ଆକାଶଙ୍କୁ, ନା ନା ଏବେବି ଭଲପାଅ ଆକାଶଙ୍କୁ। ମୁଁ ଯେତେ ଚେଷ୍ଟା କଲେ ବି ଆକାଶଙ୍କୁ ତମ ମନରୁ ଦୁରେଇ ଦେଇ ପାରିବିନି, ପୋଛି ପାରିବିନି ଆକାଶଙ୍କୁ। ମୁଁ ସେ ବୃଥା ଚେଷ୍ଟା କରିବିନି ମଧ୍ୟ। ତମର ଆକାଶଙ୍କୁ ଭୁଲିବା ଦରକାର ନାହିଁ। ମୁଁ ଶୁଣିଛି, ଗର୍ଭବତୀ ମହିଳା, ଯେଉଁ ବିଷୟରେ ଅଧିକା ଭାବେ, ଯାହା ବିଷୟରେ ଅଧିକା ଭାବେ, ପିଲା ପାଖେ ତାର କାର୍ଯ୍ୟ କଳାପ ଦେଖିବାକୁ ମିଳେ। ମୁଁ ଜାଣେ ତୁମ ଭାବନାରେ କେବଳ ଆକାଶ ଅଛନ୍ତି, ମାନେ ଆମ କୁନି ଆକାଶ ପୁରା ତୁମ ହଜିଲା ଆକାଶଙ୍କ ପରି ହେବ। ଆମ କୁନି ଆକାଶ ଭିତରେ ତମେ ଫେରିପାଇବ ତମ ଆକାଶକୁ। ତୁମେ ନିଜର ଯତ୍ନନିଅ ଆଉ ମତେ ଗୋଟେ ସୁସ୍ଥ ଆକାଶ ଟିଏ ଦିଅ। ମୁଁ ଅପେକ୍ଷାରେ ରହିଲି। ଏସବୁ ଶୁଣି ମୁଁ ଭାବୁଥିଲି, ସତରେ ସମୀର, ତୁମେ ମଣିଷ ନୁହେଁ, ତୁମେ ଦେବତା। ସ୍ୱୟଂ ରାମଚନ୍ଦ୍ର। ସମିରଙ୍କୁ କୁଣ୍ଡାଇ ଧରି ବହୁତ ଧନ୍ୟବାଦ ଜ୍ଞାପନ କରି ମନେ ମନେ କହୁଥିଲି ତମେ ଠିକ କହୁଛ ସମୀର, ମୁଁ ଆକାଶଙ୍କୁ ଭୁଲି ପାରିବିନି, ଭୁଲିବା ଦରକାର ନାହିଁ ମଧ୍ୟ, ମୋ ଆକାଶ ମୋ ପାଖକୁ ଫେରି ଆସିବେ। ଧନ୍ୟବାଦ କାହ୍ନା, ମୋ ଆକାଶଙ୍କୁ ଜଳଦି ଫେରେଇ ଦେଇଥିବାରୁ। ସତରେ ଆକାଶ, ମୁଁ ତୁମକୁ ପାରିବିନି ଭୁଲି। ତମେ ମୋ ପ୍ରଥମ ଆଉ ଶେଷ ପ୍ରେମ। ମୁଁ ନିଶ୍ଵାସ ଥିବା ଯାଏ ତମେ ମୋ ଭାବନାରେ ବଞ୍ଚିବ। ମୁଁ ତୁମକୁ ପାରିବିନି ଭୁଲି। ମୁଁ ତୁମକୁ ପାରୁନି ତ ଭୁଲି।


-ସମାପ୍ତ-


Rate this content
Log in

Similar oriya story from Drama