ତୁମକୁ ପାରୁନି ତ ଭୁଲି (ଭାଗ-୧୩)
ତୁମକୁ ପାରୁନି ତ ଭୁଲି (ଭାଗ-୧୩)
ସେଦିନ ଶାନ୍ତି ମାଉସୀ ଘରକୁ ଆସିବା ପରେ ପ୍ରିୟା ଆଉ ତାଙ୍କ ପୁଅ (ଅମନ) ର ବାହାଘର ପ୍ରସଙ୍ଗ ନେଇ ଧୁମ ଚର୍ଚ୍ଚା ହେଲା। ମୁଁ ବି କଥାରେ ଏତେ ମଜି ଯାଇଥିଲି ଯେ, ରୋଷେଇ ବେଳ ମତେ ଜଣା ପଡ଼ିଲାନି। ତେଣୁ ଜଲଦି ଜଲଦି ମଧ୍ୟାନ ଭୋଜନ ରେ ଭାତ, ଡାଲି, ଆଳୁଭର୍ତ୍ତା, ଭେଣ୍ଡି ଭଜା ସହ ପାମ୍ପଡ଼ ଛାଣିଦେଲି, ବାଦାମ ଦେଇ ବଡି ଚୁରି ଦେଲି। ହେଲେ ମୋ ଶ୍ୱଶୁର ଙ୍କୁ ଜମା ବି ପସନ୍ଦ ଗଲାନି। ମତେ ପାଖକୁ ଡାକି କହିଲେ, ବୋହୁ ମା! ଏତେ ଦିନ ପରେ ତମ ଶାନ୍ତି ମାଉସୀ ଆସିଛନ୍ତି, ଆଉ ଟିକେ କଣ କରିଥାନ୍ତ ନା। ଶାଶୁ ମା କହି ଉଠିଲେ, "ତୁମକୁ ଟିକେ ଇଲିସି ମାଛ କି ଖାସି ମାଂସ ଝୋଳ ଦରକାର, ଏ ସାଧା ଖାଇବା ତୁମ ପାଟିକୁ ରୁଚୁନି, ସିଧା ତ କହିବ, ମିଛ ଟାରେ ଶାନ୍ତିକୁ କାହିଁ ଭିତରକୁ ଟାଣୁଛ?" ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ। ଶ୍ୱଶୁର ମୋର ଟିକେ ଆଇଁଷିଣିଆ ଲୋକ, ନିରାମିଷ ଖାଇବା ଦେଖିଲେ, ତାଙ୍କର ଏମିତି ସବୁ କଥା ବାହାରେ। ଶାଶୁଙ୍କୁ ଡରି ସୋମବାର ରେ ନିଜକୁ ଟିକେ ସମ୍ଭାଳି ନିଅନ୍ତି, କୁହନ୍ତି ସପ୍ତାହକ ସାତ ଦିନ ନହେଇ, ଛଅ ଦିନ ହୋଇଥିଲେ ହୋଇ ନଥାନ୍ତା? ମାନେ ସୋମବାର ଟା ଯମା ଆସନ୍ତାନି କିମ୍ୱା ଅଧିବର୍ଷ ପରି ଚାରି ବର୍ଷରେ ଥରେ ପଡ଼ନ୍ତା। ସମୀର କହିଲେ, ତମେ ବ୍ୟସ୍ତ ହୁଅନି ବାପା, ଆଜି ସନ୍ଧ୍ୟାରେ ବଜାରକୁ ଯାଇ ନେଇଆସିବି, ରାତିରେ ଆମର ଆଜି ମଟନ ଝୋଳ ହେବ। ସତକୁ ସତ, ସମୀର ସନ୍ଧ୍ୟା ସୁଧା ମଟନ ଧରି ଘରେ ହାଜର। ମୁଁ ତ ନିରାମିଷାଶି ମାତା ଲୋକ, ମଟନ ର ବାସ୍ନା ରେ ମତେ ବାନ୍ତି ଲାଗେ, ଆଜି ଯାଏଁ ଶାଶୁ ସବୁ ଆମିଷ ରୋଷେଇ କରିଛନ୍ତି, ହେଲେ ଆଜି ସେ ଶାନ୍ତି ମାଉସୀଙ୍କ ସହ ଗପିବାରେ ବ୍ୟସ୍ତ। ଶ୍ୱଶୁର ଙ୍କ ମନ ହୋଇଛି ଯେତେବେଳେ, ଆଉ କଣ କହିବି ? ରାତିକୁ ରୁଟି ଆଉ ମଟନ ଝୋଳ ପରସି ଦେଲି, ଖୁସି ମନରେ ଶ୍ୱଶୁର ମୋର ପେଟେ ଖାଇ ବିଶ୍ରାମ ନେବାକୁ ଗଲେ। ଅନ୍ୟମାନେ ବି ନିଜ ନିଜ ରୁମକୁ ଶୋଇବାକୁ ଗଲେ ଆଉ ମୁଁ ମୋ ରୁମକୁ। ଆଜି ରାତିଟା ମତେ ସମୀରଙ୍କ ସହ ଏଇ ବନ୍ଦ କୋଠରୀ ଭିତରେ କାଟିବାର ଅଛି ଭାବି ଛାତିର ସ୍ପନ୍ଦନ ବଢି ଯାଉଥାଏ। ବେଡ଼ ଉପରେ ଦୁହେଁ ଚୁପଚାପ ହୋଇ ବସିଥାଉ। ନୀରବତା ଭାଙ୍ଗି ସମୀର ପଚାରିଲେ, ପ୍ରିୟାକୁ କେମିତି ବାହାଘର ପାଇଁ ରାଜି କରେଇବା, ସେ ବିଷୟରେ କିଛି ଭାବିଲ? ତାପରେ ଆମେ ଦୁହେଁ ମିଶି ଯୋଜନା ଆରମ୍ଭ କରିଦେଲୁ, କୋଉ କଥା କହି ପ୍ରିୟା ମନକୁ ବୁଝାହେବ ଆଉ କୋଉ ପ୍ରସଙ୍ଗ ତା ଆଗେ ଉଠାହେବନି ଇତ୍ୟାଦି। କଥା ହେବା ଭିତରେ ସମୀର ଆସି ମୋ କୋଳରେ ଶୋଇପଡିଲେ। ସମୀରଙ୍କୁ ଏମିତି କରିବାକୁ କେବେ ପ୍ରଶ୍ରୟ ଦେଇନି, ହେଲେ ଜାଣେନା କାହିଁକି ସେଦିନ ତାଙ୍କୁ ରୋକିବାକୁ ଇଚ୍ଛା ହେଲାନି, ବରଂ ଇଚ୍ଛା ହେଉଥିଲା ତାଙ୍କ ମୁଣ୍ଡକୁ ଆଉଁସି ଦେଇ, ତାଙ୍କ ମଥାରେ ଏକ ଚୁମ୍ବନ ଆଙ୍କି ଦେବାକୁ। ହେଲେ ମୁଁ ସେମିତି କଲିନି। କଥା ହେଉ ହେଉ ରାତି ଅନେକ ହେଇଗଲା, ତେଣୁ ଦୁହେଁ ଶୋଇବାକୁ ବାହାରିଲୁ। ଶାଶୁଙ୍କଠୁ ଶୁଣିଥିଲି, ଶୋଇବା ବେଳେ ପାଖ ଲୋକ ଉପରେ ହାତ ଗୋଡ ଲଦିବା ସମୀରଙ୍କର ଛୋଟ ବେଳର ଅଭ୍ୟାସ। ଆଉ ସତକୁ ସତ କିଛି ସମୟ ଭିତରେ, ସେ ମୋ ଉପରେ ହାତ ଗୋଡ ଲଦିଦେଲେ। ଏତେ ପାଖରୁ ସମୀରଙ୍କୁ ଦେଖି ବହୁତ ଖୁସି ଲାଗୁଥାଏ, ଶୋଇଲାବେଳେ ସେ ପୁରା ଛୋଟ ପିଲାଟିଏ ପରି ନିରୀହ ଦେଖାଯାଉଥାନ୍ତି। ତାଙ୍କ ବାହୁ ବନ୍ଧନରେ ନିଜକୁ ଛନ୍ଦି ଦେଇ ତାଙ୍କ କପାଳରେ ଚୁମାଟିଏ ଦେଇଦେଲି । ପରଦିନ ଯୋଜନା ମୁତାବକ ପ୍ରିୟାକୁ ରାଜି କରାଇବାକୁ, ସମୀର ଆଉ ମୁଁ ପ୍ରିୟା ରୁମରେ ପହଞ୍ଚିଲୁ। ବହୁତ ବୁଝାମଣା, ରାଗରୁଷା, ହସ କାନ୍ଦ ପରେ, ପ୍ରିୟା ସମୀରଙ୍କ କଥା କାଟି ପାରିଲାନି, ବାହାଘର ପାଇଁ ରାଜି ହୋଇଗଲା। ସେଦିନ ସମୀରଙ୍କର ପ୍ରିୟା ପ୍ରତି ସ୍ନେହ, ଯତ୍ନ ଆଉ ଭଲପାଇବା ଦେଖି ବହୁତ ଖୁସି ଲାଗୁଥିଲା, ସମୀରଙ୍କ ପ୍ରତି ମୋ ସମ୍ମାନ ଆହୁରି ବଢ଼ିଗଲା। ଠିକ ଏହି ସମୟରେ ଘର ଫୋନ୍ ବାଜି ଉଠିଲା। ଇନ୍ସପେକ୍ଟର ସାର ଥାନାରୁ ଫୋନ କରିଥିଲେ, ମାମୁଁଙ୍କ ସହ ଆଉ କିଛି ଲୋକଙ୍କୁ ସେ ଆରେଷ୍ଟ୍ କରିଛନ୍ତି (ଯଦିଓ ସମସ୍ତେ ଧରା ପଡିନଥିଲେ)। ବାପାଙ୍କ ସହ ତାଙ୍କୁ ତୁରନ୍ତ ଥାନାରେ ଦେଖା କରିବାକୁ କହିଲେ। ଏକଥା ଶୁଣି, ସମୀର ଆଉ ପ୍ରିୟାବି ଯିବା ପାଇଁ ଇଚ୍ଛା କଲେ। ମୁଁ, ବାପା, ପ୍ରିୟା ଆଉ ସମୀର ଯଥାଶୀଘ୍ର ଯାଇ ଥାନାରେ ପହଞ୍ଚିଲୁ। ଥାନାରେ ପହଞ୍ଚି ଦେଖିଲୁ ୪ ଜଣ ବନ୍ଦୀ ହେଇ ମୁଣ୍ଡ ତଳକୁ କରି ଛିଡାହୋଇଛନ୍ତି। ମୁଁ ମାମୁଁଙ୍କୁ କେବେ ଦେଖିନି। ଏମାନଙ୍କ ଭିତରୁ ମାମୁଁ କିଏ ବୋଲି ପଚାରିବାକୁ ବାପାଙ୍କୁ ଚାହିଁଲା ବେଳକୁ ଲକ୍ଷ୍ୟ କଲି, ବାପା ଆଶ୍ଚର୍ଯ୍ୟ ହୋଇ ଜଣଙ୍କୁ ଚାହିଁଛନ୍ତି। ବାପା ହଠାତ୍ ଜଣଙ୍କ ଆଡକୁ ହାତ ବଢ଼େଇ କହିଲେ, ଅଟୋବାଲା!
ଆଉ ତା ପରେ....

