Lopamudra Mishra

Tragedy Drama

3  

Lopamudra Mishra

Tragedy Drama

ଟୁକୁଡ଼ା

ଟୁକୁଡ଼ା

23 mins
625


         

"ଆଜି ଏହି ମଠାରଙ୍ଗର ଶାଢ଼ିଟାର ଶେଷଦିନ l କାଲିଠୁ ଇଏ ବି ମୋର ପର ହେଇଯିବ l କାହିଁକି ଏମିତି ହୁଏ ? ମୋ ସହ କାହିଁକି କେହି ଜଣେ ମଧ୍ୟ ଚିରଦିନ ପାଇଁ ରହିପାରେନାହିଁ ? ଯିଏ ଆସେ କିଛି ସମୟ ରହି ମୁହଁ ଫେରେଇ ଚାଲିଯାଏ, ଆଉ ଲେଉଟି ଥରେ ଦେଖିଯାଏନାହିଁ ମୁଁ ଅଛି କେମିତି l ସତରେ ଦୋଷଟା କ'ଣ ମୋରି ପାଖରେ ? ଯାହାର ସାହାରାରେ ସବୁ ଦୁଃଖ କଷ୍ଟ ଭୁଲି ମୁଁ ଏତେ ବର୍ଷ ଧରି ବଞ୍ଚିଆସିଥିଲି, ସେ ବି ଆଜି ମୋତେ ଦୂରେଇ ଦେଉଛି l ଦେବନି କେମିତି ? ବୟସ ହେଇଗଲାଣି, ଅବସର ତ ନେବାକୁ ପଡିବ l ବୟସ ଥିଲାବେଳେ ତ କିଛି ଲୋକ ମୋତେ ଅଲୋଡ଼ା କରିଦେଲେ l ଆଉ ଇଏ ତ ସରକାରୀ ଚାକିରୀ, ଅବସର ନେବାକୁ ବାଧ୍ୟ ହେବିନି କେମିତି? ",କଳ୍ପନାଦିଦି ସ୍କୁଲ୍ ରୁ ଫେରି ସ୍କୁଲ୍ ଶାଢ଼ିଟା ଭାଙ୍ଗୁ ଭାଙ୍ଗୁ ମନେ ମନେ ଏମିତି କିଛି କହୁଥିଲେ l କାଲି ତାଙ୍କର ସ୍କୁଲ୍ ରେ ଶେଷଦିନ l ଶେଷ କଥା ଭାବିଲେ ହିଁ ତାଙ୍କ ଆଖିରୁ ଲୁହ ଖସି ପଡୁଛି l


     ସ୍କୁଲର ନିରୀହ, ଚପଳମତି ପିଲାଙ୍କ ମେଳରେ ସକାଳ ଦଶ ରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଛଅଘଣ୍ଟା ସମୟ କେମିତି ଯେ କଟିଯାଏ କଳ୍ପନାଙ୍କୁ ଜଣା ହିଁ ପଡ଼େନି l ସ୍କୁଲ୍ ଘଣ୍ଟାରୁ ଆରମ୍ଭ ଓ ସେହି ଘଣ୍ଟାରେ ଶେଷହେଉଥିବା ଦିନଗୁଡା ଏବେ ସରିଯିବ l ଏମିତି ତ ତିରିଶ ବର୍ଷ କଟିଗଲା l ଆଉ ମାତ୍ର ଦିନଟିଏ l 


  ଆଗଦିନ ମାନଙ୍କରେ ପ୍ରତିଦିନ ସ୍କୁଲ୍ ର ଛୁଟି ଘଣ୍ଟାଟା ବାଜିଉଠିଲେ କଳ୍ପନାଙ୍କ ଛାତିଭିତରେ ଛପିଥିବା ଯନ୍ତ୍ରଣାଟା ରୁଗ୍ ରୁଗ୍ ହେବା ଆରମ୍ଭ କରିଦିଏ l ଲାଗେ ଏଇ ଯେମିତି ଏଠୁ ଯାଉ ଯାଉ ତାଙ୍କୁ ପୁଣି ଗୋଟେ ବିରାଟ ଝଡ଼ର ସାମ୍ନା କରିବାକୁ ପଡିବ l ସ୍କୁଲ୍ ରୁ ଚାଲି ଚାଲି ଆସି ଘରେ ପହଞ୍ଚିଲା ବେଳକୁ ସମୟ ସାଢେ ଚାରି ହେଇସାରିଥାଏ l ଲିଜୁନ୍ ସ୍କୁଲରୁ ଫେରି ଟିଭି ଦେଖୁଥାଏ ଆଉ ସିପୁନ୍ ଜେଜେମାଆ କୋଳରେ ବସି ଗପ ଶୁଣୁଥାଏ l କଳ୍ପନା ଲୁଗା ବଦଳା ବଦଳି କରି ଧୁଆ ଧୁଇ ହୁଅନ୍ତି ଆଉ ତାପରେ ରୋଷେଇ ଘରକୁ ଯାଇ ହାଣ୍ଡି ଅଣ୍ଡାଳି ତଳତଳୁଆ ପେଜୁଆ ଭାତରୁ ମୁଠାଏ ଖାଆନ୍ତି ଓ ଛାତ ଉପରେ ଟ୍ୟୁସନ୍ ପାଇଁ ଅପେକ୍ଷା କରିଥିବା ପିଲାଙ୍କ ପାଖକୁ ଚାଲି ଯାଆନ୍ତି l ଏଇଟା ସେହି ସମୟରେ ସେହି ଘରେ ତାଙ୍କର ପ୍ରାୟ ପ୍ରତିଦିନର ଘଟଣା ଥିଲା l 


  ସୁଦିପ୍ ସବୁଦିନ ସଞ୍ଜଗଡି ରାତି ନହେଲା ଯାଏଁ ଘରକୁ ଫେରନ୍ତିନି l ନାଁ, ସେ ବିବାହ ପୂର୍ବରୁ ଓ ବାହାଘର ପରେ ପରେ ବର୍ଷେ ଦୁଇବର୍ଷ ଯାଏଁ ସଞ୍ଜ ପରେ କୁଆଡେ ଯାଉନଥିଲେ l ଏ ଅଭ୍ୟାସଟା ତାଙ୍କର ଲିଜୁନ୍ ଜନ୍ମ ହେବା ପରେ ପରେ ହେଇଛି l ଲିଜୁନ୍ ର ଜନ୍ମ ତା ମାମୁଁଘରେ l କଳ୍ପନାଙ୍କର ଗୁଡ଼ାଏ କମ୍ପ୍ଲିକେସନ୍ ଥିଲା l ପ୍ରଥମ ପ୍ରେଗ୍ନାନ୍ସି l ସୁଦିପ୍ ଡରିଯାଇଥିଲେ l କଳ୍ପନାଙ୍କୁ ନେଇ ତାଙ୍କ ଭାଇ ଭାଉଜଙ୍କ ପାଖରେ ଛାଡ଼ି ଆସିଥିଲେ, ସେଠାରେ ହସ୍ପିଟାଲର ସୁବିଧା ସୁଯୋଗ ଅପେକ୍ଷାକୃତ ଭଲ ହେଇଥିବାରୁ l କଳ୍ପନା ପିଲାବେଳୁ ବାପା,ମାଆ ଉଭୟଙ୍କୁ ହରେଇ ଭାଇ, ଭାଉଜଙ୍କ ପାଖରେ ବଡ଼ ହେଇଛନ୍ତି l ତଥାପି ତାଙ୍କୁ ନିଜ ଭାଇର ଘରଟା ବାହାଘର ପରେ ଭାରି ଅଡୁଆ ଅଡୁଆ ଲାଗେ l ଲାଗେ ଭାଉଜ ଯେମିତି ଭାବୁଛନ୍ତି," ଦାୟିତ୍ୱ ସାରିଦେଲା ପରେ ବି ଇଏ ଆମ ପଛ ଛାଡ଼ୁନି କାହିଁକି ? " l କଳ୍ପନା ନିରୁପାୟ l ସୁଦିପଙ୍କୁ ସେ ନିଜର ସବୁକିଛି ଭାବୁଥିଲେ l ଆଖିବୁଜି ତାଙ୍କ ହଁ ରେ ହଁ ଆଉ ନାଁ ରେ ନାଁ ମିଳେଇବା କଳ୍ପନାଙ୍କର ଅଭ୍ୟାସ ହେଇଯାଇଥିଲା l


  କଲେଜର ତାଙ୍କ ବ୍ୟାଚ୍ ର ଜଣେ ମେଧାବୀ ଛାତ୍ରୀ ଭାବେ କଳ୍ପନା ବେଶ୍ ପରିଚିତା ଥିଲେ l ସେ ସୁଦିପଙ୍କୁ ମନେ ମନେ ଖୁବ୍ ବେଶି ଭଲପାଇବା ସୁଦିପଙ୍କ ପାଇଁ ବହୁତ ବେଶି ଗୌରବର ବିଷୟ ନଥିଲା l ସୁଦିପଙ୍କ ଆକର୍ଷଣୀୟ ଚେହେରା, କଥାବାର୍ତ୍ତାର ସୁନ୍ଦର ଶୈଳୀ, ସୁନ୍ଦର କଣ୍ଠ ଓ ସଭିଙ୍କୁ ସମ୍ମୋହିତ କଲାପରି ବ୍ୟକ୍ତିତ୍ୱ ଆଗରେ କଲେଜର ନବେ ଭାଗ ଝିଅତ ପାଗଳୀ ଥିଲେ l ତଥାପି କାହିଁକି ଯେ ସୁଦିପ୍ କଳ୍ପନାଙ୍କ ପରି ନିହାତି ସାଧାରଣ ବା ସାଧାରଣ ଗଢ଼ଣ ଠାରୁ ମଧ୍ୟ ଆଖିକୁ ଆହୁରି କମ୍ ସୁନ୍ଦର ଦିଶୁଥିବା,ଅନାକର୍ଷକ ପୋଷାକ ପିନ୍ଧୁଥିବା ଓ ବହୁତ ଅଳ୍ପ କଥା କହୁଥିବା ଝିଅଟାକୁ ଜୀବନସାଥୀ ରୂପେ ବାଛିବାକୁ ନିଷ୍ପତ୍ତି ନେଲେ ତାହା ଆଜିମଧ୍ୟ କଳ୍ପନାଙ୍କ ପାଇଁ ଗୋଟେ ପ୍ରଶ୍ନବାଚୀ ହେଇ ରହିଛି l ଆଜି କଳ୍ପନା ଚିନ୍ତା କରନ୍ତି, "ହୁଏତ ସେଦିନ ମୁଁ ମୋର ମନକଥା ପ୍ରକାଶନକରି ମନ ଭିତରେ ହିଁ ରଖିଥିଲେ ଖୁବ୍ ଭଲ ହେଇଥାନ୍ତା l ନହେଲେ ସୁଦିପ୍ ମୋତେ ସେତେବେଳେ ପ୍ରତ୍ୟାଖାନ କରିଥିଲେ ବୋଧେ ଆହୁରି ବେଶି ଭଲ ହେଇଥାନ୍ତା " l


    କଳ୍ପନା ଶୁଣିଥିଲେ କଲେଜରେ ସୁଦିପଙ୍କର ଅନେକ ଝିଅଙ୍କ ସହ ଫ୍ରେଣ୍ଡସିପ୍ ଥିଲା l ସେସବୁ କେବଳ ବନ୍ଧୁତା ବା ତା'ଠାରୁ କିଛି ଅଲଗା ଏକଥା ଚିନ୍ତାକରିବାକୁ କଳ୍ପନା ଆଦୌ ଚାହୁଁନଥିଲେ l ସେ କେବଳ ଗୋଟେ ଆକର୍ଷଣର ବଶବର୍ତ୍ତୀ ହେଇ ସୁଦିପଙ୍କର ଗୋଟିଏ ଝଲକ୍ ପାଇଁ ପାଗଳୀ ପରି ଅନେଇ ରହୁଥିଲେ l କଳ୍ପନା ଜାଣିଥିଲେ ସୁଦିପ୍ ଙ୍କର ସେ କୌଣସି ଦିନ ପସନ୍ଦ ଯୋଗ୍ୟା ହେବେନାହିଁ l ତଥାପି ଦିନେ ନିଜ ମନକଥା ଖୋଲି କହିଦେଲେ ଓ ସୁଦିପ୍ ଟିକେ ହସିଦେଇ ହାତରେ ସାଇକେଲର ଚାବିରିଙ୍ଗ୍ ଟାକୁ ଘୁରେଇ ଘୁରେଇ ଚାଲିଯାଇଥିଲେ l କଳ୍ପନାଙ୍କ ପ୍ରେମନିବେଦନର ପନ୍ଦରଦିନ ପରେ ସୁଦିପ୍ କଳ୍ପନାଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ l କଳ୍ପନାଙ୍କ ପାଇଁ ସେହି ଫେବୃଆରୀ ଆଠ ତାରିଖଟି ଜୀବନର ସବୁଠାରୁ ଖୁସିର ଦିନ ଥିଲା l ଲାଗୁଥିଲା ସାରା ପୃଥିବୀର ସବୁଯାକ ସୁଖ ସୌଭାଗ୍ୟ ଯେମିତି ତାଙ୍କ ହାତ ପାପୁଲିରେ ଅଜାଡି ହେଇପଡିଛି l ବିନା ଡେଣାରେ ବି ସେଦିନ କଳ୍ପନା ନିଜ କଳ୍ପନା ରାଜ୍ୟରେ ଉଡ଼ି ଉଡ଼ି ଖୁବ୍ ଉଚ୍ଚକୁ ଚାଲିଯାଇଥିଲେ l ସେଦିନ ସେ ବୁଝିବାକୁ, ଜାଣିବାକୁ ଚାହୁଁନଥିଲେ ଏହି ଉଡ଼ାଣ ତାଙ୍କୁ ଦିନେ ଭୀଷଣଭାବେ ତଳକୁ କଚାଡ଼ି ଦେଇପାରେ l


       କଳ୍ପନାଙ୍କ ସହ ସୁଦିପଙ୍କର ବାହାଘର ହେଇଗଲା l କଳ୍ପନାଙ୍କ ପରିବାରରେ ବିରୋଧ କରିବାକୁ କେହିନଥିଲେ, ବରଂ ଭାଇ, ଭାଉଜ କଳ୍ପନାଙ୍କଠାରୁ ନିଜକୁ ମୁକ୍ତ କରିବାକୁ ଚାହୁଁଥିଲେ ସେ ପୁଣି ବିନା କୌଣସି ଅର୍ଥବ୍ୟୟ କରି l ସୁଦିପଙ୍କର ସେତେବେଳେ ଚାକିରୀ ନଥିଲା ଓ କଳ୍ପନାଙ୍କୁ ସେ ବିନା ଯୌତୁକରେ ଅଳ୍ପ ସ୍ୱଳ୍ପରେ ବିବାହ କରିନେବାକୁ ଚାହିଁବାର ପ୍ରସ୍ତାବଟା କଳ୍ପନାଙ୍କ ଭାଇ ଓ ଭାଉଜଙ୍କୁ ଖୁବ୍ ସୁହାଇଲା l କଳ୍ପନା ବୋହୂ ହେଇ ଆସିଲେ l ଖୁସି ଥିଲେ l କିନ୍ତୁ ଦୁଃଖଟା ସେତେବେଳେ ଲାଗୁଥିଲା ଯେତେବେଳେ ଶାଶୂଘର ଲୋକେ ତାଙ୍କରି ସାମ୍ନାରେ ତାଙ୍କର ରୂପ ରଙ୍ଗକୁ ନେଇ ଆଲୋଚନା ସମାଲୋଚନା କରୁଥିଲେ l ଅବିବାହିତା ନଣନ୍ଦଟି ଶାଶୁଙ୍କ ଉଦେଶ୍ୟରେ କହୁଥିଲା, "ବୋଉ,ମୋର ଏତେ ହ୍ୟାଣ୍ଡସମ୍ ଭାଇଟା ଏ ଭାଉଜଙ୍କ ପାଖରେ କ'ଣ ଦେଖିଲା ଯେ ବାହାହେବାକୁ ଜିଦ୍ ଧରି ବସିଲା ? " l ତା'ର କଥାରେ ସମସ୍ତେ ହସୁଥିଲେ l ଶାଶୂ ବି କହୁଥିଲେ, "ବୋହୂଟାର ରୂପ ଅବାଗ ହେଲେ କ'ଣ ହେଲା ପାଠରେ ସେ ବେଶ୍ ଭଲ l ସୁଦିପ୍ ପରା କହୁଥିଲା l "


   ଚମ୍ପାଗୋରୀ ସୁନ୍ଦରୀ ନଣନ୍ଦ କଳ୍ପନାଙ୍କ ବିବାହର ବର୍ଷେ ପରେ ଓ.ଏ.ଏସ୍ ଅଫିସର୍ ବରଟେ ବାହାହେଇ ଶାଶୂଘରକୁ ଚାଲିଗଲା l ସୁଦିପଙ୍କର ଚାକିରୀ ହେଇଗଲା l କଳ୍ପନା ଗର୍ଭବତୀ ହେଲେ ଓ ଭାଇଙ୍କ ପାଖକୁ ରହିବାକୁ ଚାଲିଗଲେ l ଫେରିଲା ବେଳକୁ ଖୁସିର ଅସରନ୍ତି ଭଣ୍ଡାର ସଦୃଶ ସାଙ୍ଗରେ ଗୁଲୁଗୁଲିଆ କଣ୍ଢେଇଟେ ଧରି ଫେରିଲେ l ସୁଦିପ୍ ଖୁବ୍ ଖୁସିଥିଲେ l ସେ ଖୁସି କିନ୍ତୁ ବେଶିଦିନ ପାଇଁ ତିଷ୍ଠି ରହିପାରିଲା ନାହିଁ l ଲିଜୁନ୍ କୁ ଜନ୍ମଦେଇ କଳ୍ପନା ଭୀଷଣ ଅସୁସ୍ଥ ହେଇପଡ଼ିଥିଲେ l ଘରକାମରେ ଶାଶୂଙ୍କୁ ବିଶେଷ ସହଯୋଗ କରିପାରୁନଥିଲେ l ଅଳ୍ପ କାମରେ ଖୁବ୍ ବେଶି ଥକ୍କିଯାଉଥିଲେ l ରାତିରେ ଲିଜୁନ୍ ଶୋଉନଥିଲା l ସୁଦିପ୍ ବିରକ୍ତ ହେଉଥିଲେ l ବେଡ୍ ରୁମ୍ ରୁ ବାହାରିଯାଇ ଡ୍ରଇଂରୁମ୍ ରେ ଶୋଉଥିଲେ l କଳ୍ପନାଙ୍କ ଶରୀର ବେଶିରୁ ବେଶି ଦୁର୍ବଳ ଓ କ୍ଷୀଣ ହେଉଥିଲା l ସେ ନିଜ ବୟସଠାରୁ ଟିକେ ବେଶି ବୟସ୍କା ମନେହେଉଥିଲେ l 


    ଲିଜୁନ୍ ଆଠମାସର ହେଇଥିଲା କଳ୍ପନା ପୂର୍ବରୁ ଆବେଦନ କରିଥିବା ବି.ଏଡ୍ ଟ୍ରେନିଙ୍ଗ୍ କୋର୍ସ୍ ର ମନୋନୟନ ତାଲିକା ପ୍ରକାଶ ପାଇଲା l ଲିଷ୍ଟ୍ ରେ କଳ୍ପନାଙ୍କ ନାମ ସର୍ବାଗ୍ରେ ଥିଲା l କିନ୍ତୁ ଏତେ ଛୋଟ ଛୁଆକୁ ଘରେ ଛାଡ଼ି ଦୂରକୁ ପଢିବାକୁ ଯିବାକୁ କଳ୍ପନା ଡରୁଥିଲେ l କିନ୍ତୁ ସୁଦିପ୍ ତାଙ୍କୁ ବୁଝେଇଦେଲେ, 'ପିଲାର କିଛି ଅସୁବିଧା ହେବନି l ବର୍ଷେଟେ କେମିତି କଟିଯିବ ଜଣା ବି ପଡ଼ିବନି l ଏ ସୁଯୋଗ ହାତ ଛଡ଼ା କରିବା ମୂର୍ଖାମୀ l ତୁମେ ତୁମ କ୍ୟାରିୟର୍ ବନାଅ କଳ୍ପନା, ମୁଁ ତୁମ ସାଙ୍ଗରେ ଅଛି " l କଳ୍ପନା ସେଦିନ ସୁଦିପଙ୍କ ପରି ସାଥୀଟିଏ ପାଇ ଗର୍ବ ଅନୁଭବ କରିଆସୁଥିଲାବେଳେ ସେହି ଘଣ୍ଟାଏ ଭିତରେ ଗର୍ବର ଲୁଣା ପାହାଡ଼ଟା ତାଙ୍କର ହଠାତ ତରଳି ଯାଇ ପାଣିପରି ବହିଯାଇଥିଲା l ନିଜର ସବୁ ଡକୁମେଣ୍ଟ୍ ରେଡି କରି ସୁଦିପଙ୍କୁ ଡାକିବାକୁ କଳ୍ପନା ଡ୍ରଇଂରୁମ୍ ଆଡେ ଯାଉଥିଲେ ଶାଶୂଙ୍କ ରୁମରୁ କିଛି ଗୋଟେ 'ହଁ ହଁ, ନାଁ ନାଁ' ଶୁଣି ଅଟକିଗଲେ l ଭିତରେ ଶାଶୂ, ଶ୍ୱଶୁର ଓ ସୁଦିପ୍ ଥିଲେ l ଶାଶୂ ମଧ୍ୟ କଳ୍ପନାଙ୍କର ପାଠ ପଢା ପାଇଁ ଅରାଜି ଥିଲେ l ସୁଦିପ୍ ତାଙ୍କୁ ବୁଝାଉଥିଲେ, "ବୋଉ, ତୁ କ'ଣ ବର୍ଷଟେ ଛୁଆ ସମ୍ଭାଳି ପାରିବୁନାହିଁ ? ଆମକୁ କେମିତି ତାହେଲେ ଛୋଟରୁ ବଡ଼ କଲୁ ? ଶୁଣୁ ଆମେ ବି ତୋତେ ସାହାଯ୍ୟ କରିବୁ ରୋଷେଇ ଆଉ ଘରକାମରେ l ତା' ଛଡ଼ା କଳ୍ପନା ତ ମଝିରେ ମଝିରେ ଆସିବ l ଛୁଟି ହେଲେ ସେ ଏଠିକୁ ନଆସି ଆଉ କ'ଣ ହଷ୍ଟେଲ୍ ରେ ରହିବ? ଜାଣିଛୁ ବୋଉ ଏଇ ବର୍ଷଟେ କଷ୍ଟ କରିଦେଲେ ଆମେ ଜୀବନଯାକ ଆରାମରେ କାଟିପାରିବା l ତାର ଭଲ ମାର୍କ୍ସ୍ ଅଛି, ସେ ସଙ୍ଗେ ସଙ୍ଗେ ପୋଷ୍ଟିଙ୍ଗ୍ ପାଇଯିବ l ତୁ କ'ଣ ଭାବିଛୁ ମୁଁ କିଛି ନବୁଝି ନଶୁଝି କାଳୀଝିଅଟେ ବାହାହେବାକୁ ରାଜି ହେଇଗଲି ? ଆଲୋ ସେ ସରକାରୀ ଚାକିରୀ ପାଇବ l ଯେତେଦିନ ବଞ୍ଚିବ ରୋଜଗାର କରିକି ଆମକୁ ଦେବ l ତୁ ମନାକରନା ବୋଉ l ମୋର ସବୁ ଆଶା ଉପରେ ତୁ ପାଣି ପକେଇଦେନା l "


 ଏତିକି ଶୁଣି କଳ୍ପନାଙ୍କ ପାଦତଳର ଚଟାଣଟା ଦୋହଲିବାକୁ ଲାଗିଲା l ସେ ଆଜି ସୁଦିପଙ୍କର ଆଉ ଗୋଟେ ରୂପକୁ ଦେଖୁଥିଲେ l ନିଜ ପସନ୍ଦ ଉପରେ ନିଜକୁ ଘୃଣା ଆସୁଥିଲା l ଆଖିରୁ ଅଜାଣତରେ ଗଡ଼ିଆସିଲା ଦୁଇଧାର ଲୁହ l ନିଜ ଅପରିପକ୍ଵତାକୁ ଦାୟୀ କରି ସେ ଲୁହ ପୋଛି ପୋଛି ଶୋଇବାଘର ଭିତରକୁ ଚାଲିଆସିଲେ l ଜିନିଷ ପତ୍ର ସଜଡା ସଜଡି କଲେ l ସେହି ଅଳ୍ପଦିନ ଭିତରେ ଲିଜୁନର ସମସ୍ତ ଦାୟିତ୍ୱ ତା ଜେଜେମାଆ ହାତରେ ସମର୍ପିଦେଇ ଟ୍ରେନିଙ୍ଗ୍ କଲେଜକୁ ଚାଲିଗଲେ l 


      କଲେଜ୍ ରେ ଛୁଟିଦିନକୁ କଳ୍ପନା ଅପେକ୍ଷା କରିରହିଥାନ୍ତି l ଲଗାତାର ଦୁଇଦିନ ଛୁଟି ମିଳିଲେ କୁନି ଝିଅଟାକୁ ଦେଖିବାକୁ ବ୍ୟାକୁଳ ହେଇ ଚାଲିଆସନ୍ତି l ସୁଦିପ୍ କିନ୍ତୁ ଖୁ' ରାଗନ୍ତି କଳ୍ପନାଙ୍କର ଏମିତି ବାରମ୍ବାର ଘରକୁ ଚାଲିଆସିବାରେ ବିରକ୍ତହୋଇ l ଦୁଇଦିନ ଦୁଇମିନିଟ୍ ପରି ସରିଯାଏ l ସୁଦିପ୍ ସେ ଭିତରେ ଥରଟେ ବି କଳ୍ପନାଙ୍କ ନିକଟବର୍ତ୍ତୀ ହେବାକୁ ଇଚ୍ଛା ପ୍ରକାଶ କରନ୍ତିନି l ଏସବୁ କଳ୍ପନାଙ୍କୁ ବଡ଼ ଅଡୁଆ ଓ କଷ୍ଟକର ବୋଧହୁଏ l ତଥାପି ନିଜ ସ୍ୱାଭିମାନକୁ ଭୂଲୁଣ୍ଠିତାକରି ସୁଦିପଙ୍କ ସାମ୍ନାରେ ଭିକ୍ଷାଥାଳ ଧରି ଠିଆ ହେବାକୁ କଳ୍ପନାଙ୍କୁ ଉଚିତ ମନେହୁଏନି l ସେ ଚୁପଚାପ୍ ଚାଲିଯାଆନ୍ତି l ଭଲ ନମ୍ବର୍ ରଖି ଉତ୍ତୀର୍ଣ୍ଣ ହୋଇ ଫେରିଆସନ୍ତି l ଚାକିରୀ କରନ୍ତି l ଲିଜୁନର ଯତ୍ନ ନିଅନ୍ତି l ବାକି ସମୟରେ ଘରର ସମସ୍ତ କାମ ଠିକ୍ ଠାକ୍ କରିବାକୁ ଚେଷ୍ଟାକରନ୍ତି l ମାସକୁ ମାସ ପାଉଥିବା ଦରମାଟଙ୍କାରେ ଟଙ୍କାକର ସ୍ୱାର୍ଥ ମଧ୍ୟ ନରଖି ସବୁଯାକ ସୁଦିପଙ୍କ ହାତକୁ ଟେକି ଦିଅନ୍ତି l ସମସ୍ତଙ୍କୁ ସନ୍ତୁଷ୍ଟ ରଖିବାକୁ ପ୍ରାଣ ପଣେ ଚେଷ୍ଟା କରନ୍ତି l କିନ୍ତୁ ସବୁବେଳେ ତାଙ୍କୁ ଲାଗେ ସବୁ ଚେଷ୍ଟା ତାଙ୍କର ବିଫଳ ହେଉଛି l ଏଠି ସଭିଙ୍କର ସେ ଯେମିତି ଦୟାର ପାତ୍ରୀ l ସଭିଏଁ ତାଙ୍କ ଉପରେ ଅସନ୍ତୁଷ୍ଟ l 


    କଳ୍ପନା ସ୍କୁଲ୍ ରେ ଗଣିତ ପଢାଉଥିଲେ l ସ୍କୁଲରେ ସମସ୍ତଙ୍କର ଅତିପ୍ରିୟ ଶିକ୍ଷୟିତ୍ରୀ ଥିଲେ l ସ୍କୁଲ୍ ହିଁ ଥିଲା ତାଙ୍କ ଜୀବନ l ତାଙ୍କ ଜୀବନରୁ ତ ପ୍ରିୟ ମଣିଷ ସୁଦିପ୍ ଧିରେ ଧିରେ ଦୂରେଇବା ଆରମ୍ଭ କରିଦେଇଥିଲେ l କାହାକୁ ଆଉ ଜୀବନର କେନ୍ଦ୍ରବିନ୍ଦୁ କରିଥାନ୍ତେ ? ଲିଜୁନ୍ ଆଉ ସ୍କୁଲ୍ ଏହିଦୁଇଟିକୁ ଜୀବନର ଦୁଇ ସ୍ଥିରବିନ୍ଦୁ ଧରିନେଇ ବିନ୍ଦୁଦ୍ୱୟକୁ ଯୋଡ଼ି ଯୋଡ଼ି ଜୀବନର ସରଳରେଖା ଟାଣି ଟାଣି ଆଗକୁ ଚାଲୁଥିଲେ l ଲିଜୁନ୍ ବଡ଼ ହେଉଥିଲା l ସ୍କୁଲ୍ ଯିବା ଆରମ୍ଭ କରିଦେଇଥିଲା l ସୁଦିପ୍ ପ୍ରତିଦିନ ଅଫିସ୍ ରୁ ବିଳମ୍ବରେ ଫେରୁଥିଲେ l ଡ୍ରଇଂରୁମ୍ ରେ ତାଙ୍କର ଅଧିକାଂଶ ରାତି କଟୁଥିଲା l କଳ୍ପନା ବୁଝିପାରୁନଥିଲେ ସୁଦିପଙ୍କର ଏପରି ପରିବର୍ତ୍ତନର କାରଣ କ'ଣ l ଏସବୁ ବ୍ୟତିକ୍ରମ ପାଇଁ ଶାଶୂ କଳ୍ପନାଙ୍କୁ ହିଁ ଦୋଷ ଦେଇଚାଲିଥିଲେ l  


    ଗୋଟେ ପ୍ରଥମାଅଷ୍ଟମୀର ଦୁଇଦିନ ପୂର୍ବରୁ କଳ୍ପନାଙ୍କର ଭାଇ ଛୋଟ ଭାଣିଜୀ ଲିଜୁନ୍ ପାଇଁ ନୂଆ ଡ୍ରେସ୍ ଟେ ଧରି ଆସିଥିଲେ l କ'ଣ ଗୋଟେ କାଗଜ ମଧ୍ୟ ସାଙ୍ଗରେ ଆଣିଥିଲେ l ସେଇଥିରୁ କଳ୍ପନା ଜାଣିପାରିଲେ ଭାଇଙ୍କ ଆଗମନର ପ୍ରକୃତ ଉଦେଶ୍ୟ କ'ଣ l ବାପା ମୃତ୍ୟୁ ପୂର୍ବରୁ କିଛି ସମ୍ପତ୍ତି କଳ୍ପନାଙ୍କ ପାଇଁ ରଖିଯାଇଥିଲେ l ଯେହେତୁ ଭାଇ କଳ୍ପନାଙ୍କ ପଢାପଢି ଓ ବାହାଘରର ସମସ୍ତ ଦାୟିତ୍ୱ ନେଇଥିଲେ, ଏବେ ସେ କଳ୍ପନାଙ୍କ ଭାଗର ସମ୍ପତ୍ତିକୁ ନିଜ ନାମରେ କରେଇନେବାକୁ ଚାହୁଁଥିଲେ l ସୁଦିପ୍ ଘରେ ନଥିଲେ l କଳ୍ପନା କାହାକୁ ନପଚାରି ଚୁପଚାପ କାଗଜରେ ଦସ୍ତଖତ କରିଦେଲେ l ଶାଶୂ, ଶ୍ୱଶୁର ଜାଣିଲେ l କଳ୍ପନାଙ୍କ ଭାଇଙ୍କୁ କଟୁ ଭର୍ତ୍ସନା କଲେ l ଅପମାନ ଦେଇ ଘରୁ ବାହାର କରିଦେଲେ l ଭାଇଙ୍କର କାମ ସରିଯାଇଥିଲା l ସେ ବି ଆଉ କଳ୍ପନାଙ୍କ ଘରକୁ ଆସିବାକୁ ଚାହୁଁନଥିଲେ l ଏଇଟି ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗଥିଲା ଭଉଣୀ ସହ ସବୁ ସମ୍ପର୍କ କାଟିଦେଇ ଭଉଣୀର ଦାୟିତ୍ୱରୁ ସମ୍ପୂର୍ଣ୍ଣ ମୁକ୍ତ ହେଇଯିବାର l 


      କଳ୍ପନାଙ୍କର ଆଉ ବାପଘର ବୋଲି କିଛି ନଥିଲା l ଶାଶୂଘର ବି ବଡ଼ ଅସହ୍ୟ ବୋଧ ହେଉଥିଲା l ମନେ ମନେ ଭାବୁଥିଲେ, "ଏଇଠୁ ଅନେକ ଦୂରରେ ମୋର ନିଜର ଛୋଟିଆ ଘରଟେ ଥାଆନ୍ତାକି ! ଲିଜୁନ୍ କୁ ନେଇ ସେଇଠିକୁ ପଳାନ୍ତି " l 


  ସୁଦିପଙ୍କର କଳ୍ପନାଙ୍କ ପ୍ରତି ଏମିତି ବିମୁଖତାର କାରଣ କ'ଣ କଳ୍ପନା ମନେ ମନେ ଖୋଜି ହେଉଥିଲା ବେଳେ ଦିନେ ସେହି ସମ୍ବନ୍ଧରେ କିଛି ଗୋଟେ ଶୁଣିବାକୁ ପାଇଲେ l ସୁଦିପଙ୍କ ଅଫିସ୍ ରେ ଷ୍ଟାଫ୍ ପିକନିକ୍ ଥିଲା l ସୁଦିପଙ୍କ ସମସ୍ତ ପୁରୁଷ କର୍ମଚାରୀ ନିଜ ନିଜ ପତ୍ନୀମାନଙ୍କୁ ସାଙ୍ଗରେ ନେଇ ପିକନିକ୍ ବୁଲିବାକୁ ଯାଉଥିଲେ, କେବଳ ସୁଦିପ୍ ହିଁ ଏକା ବିନା ପତ୍ନୀରେ ବାହାରୁଥିଲେ l ଏକଥା କଳ୍ପନା ଜାଣିନଥିଲେ l କଳ୍ପନାଙ୍କ ନଣନ୍ଦ ବାପଘରକୁ ବୁଲିବାକୁ ଆସିଥିଲା l ସେ ଜାଣିଥିଲା ଭାଇ ପିକନିକ୍ ରେ ଏକା ଯାଉଛନ୍ତି, ଭାଉଜଙ୍କୁ ନେଉନାହାଁନ୍ତି l ତା'ର ଜଣେ ବାନ୍ଧବୀଙ୍କ ସ୍ୱାମୀ ସୁଦିପଙ୍କ ଅଫିସ୍ ରେ ସୁଦିପଙ୍କ ସହକର୍ମୀ l ସେ ତା'ରି ଠାରୁ ଶୁଣିଥିଲା l ହସି ହସି ଭାଇଙ୍କୁ ପଚାରିଲା, "ଭାଇ, ତୁ ଏକା ବାହାରୁଛୁ ? ଭାଉଜଙ୍କୁ ନେଲୁନି ? ମୋ ସାଙ୍ଗ ବିନତୀ ଯାଉଛି ତା ସ୍ୱାମୀ ସହ l"

I

 ସୁଦିପ୍ ପାନିଆଁରେ ନିଜ କଳା ମଚମଚ ଚୁଟିକୁ ସୁନ୍ଦର କରି ସଜାଉ ସଜାଉ କହିଲେ, "ସମସ୍ତେ କଣ ବିନତୀ ଭଳି ହେଇଛନ୍ତି ? ଯିଏ ସେମିତି ସେ ଯିବ l ଆଉ ଯିଏ ନୁହେଁ ତାକୁ ସାଙ୍ଗରେ ନେଇ ମୁଁ କ'ଣ ଲୋକହସା ହେବି ? "


--କ'ଣ କହୁଛ ମ ଭାଇ ? 


--ସତରେ ବୁଝିପାରୁନୁ ? ତୋ ଭାଉଜକୁ ଦେଖୁଛୁଟି,ମୋ ଠାରୁ ବୟସରେ ଦଶ ବର୍ଷ ବଡ଼ ପରି ଦେଖାଗଲାଣି l ତା'କୁ ସାଙ୍ଗରେ ନେଇଗଲେ ଅନ୍ୟମାନେ ମୋ ପଛରେ ହସିବେ l ତା' ଛଡ଼ା ମୁଁ ଏକା ଏକା ହିଁ ବୁଲାବୁଲିକୁ ବେଶି ଏନ୍ଜୟ କରେ l


--ତାହେଲେ ଏତେ ଶୀଘ୍ର ବାହାହେଉଥିଲୁ କାହିଁକି ? ଆଉ ବର୍ଷେ କି ଦୁଇବର୍ଷ ଅପେକ୍ଷା କରିଥିଲେ ତ ତତେ କେତେ ସୁନ୍ଦରୀ ଝିଅ ମିଳିଥାନ୍ତେ l ତୋର ତ ଗୁଲୁଗୁଲାରେ ମନ, ରସଗୋଲା ପାଇବୁ କେମିତି ? 


 ଭାଇ,ଭଉଣୀଙ୍କ କଥାବାର୍ତ୍ତା ଓ ହସାହସି ରୋଷେଇଘରୁ ଥାଇ କଳ୍ପନା ସ୍ପଷ୍ଟ ଶୁଣିପାରୁଥିଲେ l ଦୁଃଖରେ, ଲଜ୍ଜାରେ, ଅସହାୟତାରେ ହୃଦୟ ତାଙ୍କରି ଫାଟି ଖଣ୍ଡ ଖଣ୍ଡ ହେଉଯାଉଥିଲା l 


     କଳ୍ପନା ସ୍କୁଲ୍ ପରେ ଘରେ କିଛି ପିଲାଙ୍କୁ ଟ୍ୟୁସନ୍ ପଢେଇବା ଆରମ୍ଭ କରିଦେଇଥିଲେ l ସୁଦିପ୍ ମଧ୍ୟ ଅଫିସ୍ ରେ ଖୁବ୍ ମନ ଲଗାଇ କାମ କରୁଥିଲେ l ତାଙ୍କର ପ୍ରୋମସନ୍ ହେଇଯାଇଥିଲା l ପ୍ରୋମସନ୍ ଖୁସିରେ ଗୋଟିଏ ଛୋଟିଆ ହୋଟେଲ୍ ରେ ସେ ସାଙ୍ଗମାନଙ୍କୁ ପାର୍ଟି ଦେଇଥିଲେ l ମଦ ଠାରୁ ସବୁବେଳେ ଦୂରେଇ ରହୁଥିବା ସୁଦିପ୍ କିନ୍ତୁ ସେଦିନ ସାଙ୍ଗମାନଙ୍କ ପ୍ରରୋଚନାରେ ପ୍ରଥମକରି ମାତ୍ରାଧିକ ଆଲ୍କୋହଲ୍ ନେଇଯାଇଥିଲେ l ବିଳମ୍ବିତ ରାତିରେ ଟଳମଳ ପାଦରେ ଘରକୁ ଫେରିଥିଲେ l କଳ୍ପନା କବାଟ ଖୋଲିଥିଲେ l ସେଦିନ ସୁଦିପ୍ ଡ୍ରଇଂରୁମ୍ ରେ ନଶୋଇ ସିଧା ବେଡରୁମ୍ କୁ ଯାଇଥିଲେ l କଳ୍ପନା ସୁଦିପଙ୍କୁ ବେଡ୍ ଉପରେ ଏକା ଛାଡ଼ିଦେଇ ଡ୍ରଇଂରୁମ୍ କୁ ଯାଉଥିଲେ ବାକିଥିବା ପରୀକ୍ଷା ଖାତା କେତେଟା ଦେଖିଦେବା ପାଇଁ, ସୁଦିପ୍ ତାଙ୍କ ହାତଧରି ଅଟକେଇ ଦେଲେ l କଳ୍ପନା ଅଭିମାନରେ ହାତ ଛାଟିଦେଉଥିଲେ, ସୁଦିପ୍ ତାଙ୍କୁ ଛାତି ପାଖକୁ ଭିଡିନେଲେ l ସେତିକିରେ କଳ୍ପନାଙ୍କର ଅଭିମାନ ଭଙ୍ଗିଗଲା l ସେ ବି ସୁଦିପଙ୍କ ଛାତି ଉପରେ ଆଉଜି ପଡି ମୁହଁ ଗେଞ୍ଜିଦେଲେ l ଆଖିରୁ ଟପଟାପ୍ ଲୁହ ଖସି ପଡୁଥିଲା l ସୁଦିପ୍ କଳ୍ପନାଙ୍କୁ ବେଡ୍ କଡ଼ରେ ବସାଇ ଖୁବ୍ ଗେଲ କଲେ l ଅନେକ ଦିନପରେ ସ୍ୱାମୀଙ୍କ ଠାରୁ ସ୍ନେହଁର ସ୍ପର୍ଶ ପାଇ କଳ୍ପନାଙ୍କ ହୃଦୟରେ ଜମାଟ ବାନ୍ଧିଥିବା ମେଞ୍ଚା ମେଞ୍ଚା କୋହ ତରଳି ବହି ଯାଉଥିଲା l ସେ ଭୁଲିଯାଉଥିଲେ ଆଜି ରାତିର ସୁଦିପ୍ କେବେ କାଲି ସକାଳର ସୁଦିପ୍ ହେଇ ରହିବେନି l ଏ ସୁଦିପ୍ ହୋସ୍ ରେ ଥିବା ସୁଦିପ୍ ନୁହଁନ୍ତି l କଳ୍ପନାଙ୍କର ଏତିକି ଭୁଲିଯିବା ହିଁ ସେହି ରାତିରେ ତାଙ୍କର ପ୍ରଥମ ଭୁଲଥିଲା l ଲିଜୁନ୍ କୁ କାନ୍ଥ ପାଖକୁ ଘୁଞ୍ଚେଇଦେଇ କଳ୍ପନା ଓ ସୁଦିପ୍ ବେଡ୍ ଉପରେ ପ୍ରଶସ୍ଥ ଜାଗାଟିଏ ଅଧିକାର କରିନେଲେ l 


    ପ୍ରାୟ ଅଧାଘଣ୍ଟାଏ ପରେ କଳ୍ପନା ଯେତେବେଳେ କ୍ଳାନ୍ତ ହେଇ ବିଛଣା ଉପରେ ଆଖି ବୁଜିଦେଉଥିଲେ ସୁଦିପ୍ ତାଙ୍କୁ କୁଣ୍ଢେଇ ଧରି କିଛି ବିଳିବିଳାଉଥିବାର ସେ ଶୁଣିବାକୁ ପାଇଲେ l "ଓହଃ ସିପ୍ରା ! ତୁମେ ସତରେ ସୁନ୍ଦରୀ l ବହୁତ ବେଶି ସୁନ୍ଦରୀ l ମୁଁ ତୁମକୁ ଭଲପାଏ ସିପ୍ରା l ତୁମେ ପ୍ଲିଜ୍ ମୋର ହେଇଯାଅ l"


   କଳ୍ପନାଙ୍କ ଛାତିଭିତରେ ବିରାଟ ବୋମା ଗୋଟେ ବିସ୍ଫୋରଣ ହେଲା l ସେ ସୁଦିପଙ୍କ ବାହୁ ବନ୍ଧନୀକୁ ଖୁବ୍ ଜୋରରେ ଠେଲି ନିଜକୁ ତାଙ୍କ ଠାରୁ ଅଲଗା କରିନେଲେ l ସୁଦିପଙ୍କ ନିଶା ତାଙ୍କୁ ଗଭୀର ନିଦ୍ରାକୁ ଟାଣିନେଉଥିଲା l ସେ କେଇ ସେକେଣ୍ଡ୍ ଭିତରେ ଶୋଇଗଲେ l କଳ୍ପନାଙ୍କ ଆଖିରୁ ନିଦ ଉଡିଯାଇ ଲୁହ ଆସିଯାଇଥିଲା l ଦୁଃଖର ପାହାଡ଼ଟେ ତାଙ୍କ ମୁଣ୍ଡ ଉପରେ ଛିଡିପଡୁଥିଲା l କଳ୍ପନା ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହେଇଯାଉଥିଲେ l ବେଡ୍ ରୁ ଖସି ଆସି ତଳେ ଚଟାଣ ଉପରେ କାନ୍ଦି କାନ୍ଦି ଗଡ଼ିଗଲେ l ସେ ଦୁଃଖ, ସେ ଯନ୍ତ୍ରଣା, ସେ ଲୁହକୁ କେହି ଦେଖିଲେନି l ଖାଲିଯାହା ତାଙ୍କର ସେହି ମେଞ୍ଚା ମେଞ୍ଚା ଲୁହ ଗୁଡାକ ରାତିସାରା ଚଟାଣକୁ ହିଁ ଭିଜାଉଥିଲା l


   ସକାଳୁ କଳ୍ପନାଙ୍କ ଆଖି ଫୁଲି ଗେଣ୍ଡା ପରି ହେଇଯାଇଥିଲା l ସୁଦିପ୍ କାହାକୁ କିଛି ନକହି ଜଳଖିଆ କରିସାରି କୁଆଡେ ବାହାରି ଯାଇଥିଲେ l କଳ୍ପନା ସ୍କୁଲ୍ ପାଇଁ ପ୍ରସ୍ତୁତ ହେଲେ l ଲିଜୁନ୍ କୁ ତା ସ୍କୁଲରେ ଛାଡ଼ି ନିଜସ୍କୁଲକୁ ଗଲେ l ଘରକୁ ଫେରି ପିଲାଙ୍କୁ ଟ୍ୟୁସନ୍ ପଢ଼େଇଲେ l ଘରେ କାହାକୁ କିଛି ହେଲେ ପଦେ କହିଲେନାହିଁ l ସିପ୍ରା ବିଷୟରେ ସୁଦିପଙ୍କୁ କିଛି ବି ପଚାରିଲେନି l 


    ଦିନ ଗଡିଗଲା l ମାସ ଗଡ଼ିଗଲା l କଳ୍ପନା ନିଜ ଭିତରେ କିଛି ଗୋଟେ ଅଲଗା ଅନୁଭବ କଲେ l ତାଙ୍କ ଅନୁମାନ ଠିକ୍ ହେଲା l ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହେଇଥିଲେ l ସେ ମନେ ମନେ ଭାବିବାକୁ ଲାଗିଲେ, "ଏ ଗର୍ଭ ମୋ ପାଇଁ ନୁହେଁ l ଭୁଲ ବଶତଃ ମୋର ହେଇଯାଇଛି l ଏ ତ ସିପ୍ରାର ହେବାର ଥିଲା l ତାହେଲେ ଏବେ ମୁଁ କ'ଣ କରିବା ଉଚିତ ହେବ ? ନାଁ ମୁଁ ସିପ୍ରା ଭାଗର ପ୍ରେମକୁ ମୋ ଭିତରେ ରହିବାକୁ ଦେବିନି l କାଢି ଫିଙ୍ଗିଦେବି l "


 --"ନାଁ କଳ୍ପନା ତୁମେ ଭୁଲ କହୁଛ l ଏମିତି କରନା l ତା'କୁ ଆସିବାକୁ ଦିଅ l ଦେଖିବ ସେ ଆସିଲେ ସବୁ ଠିକ୍ ହେଇଯିବ l ଝିଅ ପରେ ପ୍ରାୟତଃ ପୁଅ ହିଁ ହୁଏ l ଆଉ ଯଦି ତୁମର ପୁଅଟିଏ ହେଲା ଜାଣିଥାଅ ତୁମ ଜାଗା କେହି ନେଇପାରିବେନାହିଁ l ଆଉ କେହି ତୁମ ଜାଗାକୁ ଆସିବାକୁ ସାହସ ବି କରିବେନି l ",ସ୍କୁଲ୍ ରେ କଳ୍ପନାଙ୍କୁ ଗାୟତ୍ରୀଦିଦି ବୁଝାଉଥିଲେ ଗର୍ଭନଷ୍ଟ ନକରିବାକୁ l ଗାୟତ୍ରୀଦିଦିଙ୍କ ବ୍ୟତୀତ କଳ୍ପନା ଆଉ କାହା ସହ ନିଜ ଦୁଃଖ ବାଣ୍ଟି ପାରନ୍ତିନି l କେମିତି ବି ବାଣ୍ଟିବେ ? ଯାହାକୁ କହିବେ ସେ ଆଗରେ 'ଆହାଃ, ଚୁଚୁ' କରି ପଛରେ ତାଙ୍କ ରୂପ ରଙ୍ଗକୁ ଉପହାସ କରିବ l ବଡ଼ ଖବରଟେ ପାଇଯାଇଛି ଭାବି ପ୍ରଚାର କରି ଖୁସିହେବ l ଦୁଃଖ ତ କମିବନି ବରଂ ବେଶି ଓଜନିଆ ଲାଗିବ l କଳ୍ପନା ଗାୟତ୍ରୀଙ୍କୁ ଜାଣନ୍ତି, ମାନନ୍ତି, ଭଲପାଆନ୍ତି l ସେ ଭିନ୍ନ l ସେ କଳ୍ପନାଙ୍କୁ ସବୁ ସମୟରେ ସାହସ୍ ଦିଅନ୍ତି , ଭଲ ଉପଦେଶ ଦିଅନ୍ତି l କଳ୍ପନା ତାଙ୍କ କଥା ରଖନ୍ତି, ଏ କଥାଟି ବି ରଖିଲେ l ସୁଦିପ୍ ଦେଇଥିବା ଔଷଧକୁ ଡଷ୍ଟବିନ୍ କୁ ଫିଙ୍ଗିଦେଲେ l ସିପୁନ୍ ଜନ୍ମ ହେଲା ସୁଦିପଙ୍କ ଅନିଚ୍ଛା ସତ୍ୱେ l


   ସିପୁନର ଜନ୍ମରେ ଶାଶୂ, ଶଶୂର ବହୁତ ଖୁସିଥିଲେ l ସୁଦିପଙ୍କୁ ଦେଖିଲେ ଲାଗୁନଥିଲା ସେ ଦୁଃଖୀ ଅଛନ୍ତି କିନ୍ତୁ କିଛି ଖାସ୍ ଖୁସିଥିବାପରି ମଧ୍ୟ ସେ ଲାଗୁନଥିଲେ l ଗାୟତ୍ରୀଦିଦିଙ୍କ କଥା ପରି କିଛି ଘଟିଲାନାହିଁ l ସୁଦିପ୍ ବରଂ କଳ୍ପନାଙ୍କୁ ଆହୁରି ବେଶି ବେଶି ରୁକ୍ଷ ବ୍ୟବହାର ଦେଖେଇବା ଆରମ୍ଭ କରିଦେଇଥିଲେ l 


    କଳ୍ପନା ସିପୁନକୁ ଶାଶୂଙ୍କ ପାଖରେ ଛାଡ଼ି ସ୍କୁଲ୍ ଯାଆନ୍ତି l ଶାଶୂ କଳ୍ପନାଙ୍କୁ ଟ୍ୟୁସନ୍ କ୍ଲାସେସ୍ ବନ୍ଦ୍ କରିଦେବାକୁ କହୁଥିଲେ l ସେ ସାରାଦିନ ଛୋଟ ପିଲାକୁ ଆଉ ସମ୍ଭାଳିବାକୁ ରାଜି ନଥିଲେ l ଦଶମ ପରୀକ୍ଷା ପାଖେଇ ଆସୁଥିଲା, ସେଥିପାଇଁ କଳ୍ପନା ଟ୍ୟୁସନ୍ ବନ୍ଦ କରିବାକୁ ରାଜି ହେଲେନାହିଁ l ଶାଶୂ ବିରକ୍ତ ହେଉଥିଲେ l କଳ୍ପନା ନାଚାର ଥିଲେ l ଟ୍ୟୁସନ୍ ଟାଇମ୍ ବଦଳେଇ ଦେଇଥିଲେ l ସନ୍ଧ୍ୟାରେ ପଢାଉଥିଲେ l ସେଦିନ ସନ୍ଧ୍ୟା ପୂର୍ବରୁ କଳ୍ପନା ଛାତଉପରକୁ ଯାଇଥିଲେ ଲିଜୁନ୍,ସିପୁନଙ୍କ ଶୁଖିଲା ଡ୍ରେସ୍ ସବୁ ଆଣିଆସିବା ପାଇଁ l ପାହାଚ ଓହ୍ଲାଉ ଓହ୍ଲାଉ କରେଣ୍ଟ୍ କଟିଗଲା l ସେ କାହାକୁ ଡାକିବେ କିଛି ସ୍ଥିର କରିପାରୁନଥିଲେ l ବାଲ୍କୋନିରୁ ଦୁଇଟା ସ୍ୱର ଶୁଭାଗଲା l ସେ କାନ ଡେରିଲେ l ସୁଦିପ୍ କହୁଥିଲେ, "ନେ ଅପାକୁ ଏଇଟା ଦେଇଦେବୁ l କହିବୁ କାଲି ସକାଳୁ ରେଡି ହେଇକିଥିବ l ଆଉ ଶୁଣୁ ଅପାକୁ କହିବୁ ସେ ଜମା ବ୍ୟସ୍ତ ହେବନି l ହଉ ଏବେ ଯାଆ, ତୁମ ଦିଦି ଆସିଯିବେଣି l ସେଇଟା ନେଇକି ଜଲ୍ଦି ବ୍ୟାଗ୍ ରେ ରଖିଦେ l"


  କଳ୍ପନା ତରବରରେ ଟ୍ୟୁସନ୍ ରୁମ୍ ଭିତରକୁ ପଶିଗଲେ l କରେଣ୍ଟ୍ ଆସିଯାଇଥିଲା l ସେ ଦେଖିଲେ ପ୍ରଜ୍ଞା ତା ବ୍ୟାଗ୍ ଖୋଲି କ'ଣ ଗୋଟେ ଭର୍ତ୍ତି କରୁଛି l ସେ ହାତରେ ଧରିଥିବା ଲୁଗାପଟା ଗୁଡାକ ଝୁନା ହାତରେ ତଳକୁ ପଠେଇଦେଲେ l ପ୍ରଜ୍ଞାକୁ ସିଧା ଦେଖିଲେ l ତାଙ୍କ ନଜରରେ କ୍ରୋଧ ଓ ସନ୍ଦେହ ଉଭୟ ବାରି ହେଇପଡୁଥିଲା l ପ୍ରଜ୍ଞା କଳ୍ପନାଙ୍କ ଆଡକୁ ଅନେଇଲାରୁ କଳ୍ପନା ତାକୁ ପଚାରିଲେ, "ତୁମ ଘରଟା କୋଉଠି ? "


--ପ୍ରୀତିପୁର ମାର୍କେଟ୍ ଉପରେ l


--କ'ଣ ସେହି ତହସିଲ ଅଫିସ୍ ପାଖରେ ? 


--ହଁ ଦିଦି l


--ଆଚ୍ଛା, ବାପା କ'ଣ କରନ୍ତି ? 


--ବାପା ନାହାଁନ୍ତି l


--ଓହୋଃ l କ'ଣ ହେଇଥିଲା ? 


--ବୁଢା ହେଇଯାଇଥିଲେ l


--ମାନେ ? ତୁ ତ ଏତେ ଛୋଟ ଅଛୁ l


--ବାପା ମୋ ବୋଉକୁ ଡେରିରେ ବାହା ହେଇଥିଲେ, ଆମ ଆଗ ମାଆ ମରିଗଲା ପରେ l


--ଓହଃ ଆଚ୍ଛା l ଆଉ କିଏ ଅଛି ଘରେ l


--ବୋଉ ଆଉ ଅପା l


--ଅପାର ନାଁ କ'ଣ ? କ'ଣ କରେ ସେ ? 


--ସିପ୍ରା l କଲେଜ୍ ରେ ପଢେ l ବୋଉ ପାଖରେ ବେଶି ପଇସା ନାହିଁ l ସେ ଆଉ ପଢିବନି l


   'ସିପ୍ରା' ନାଁ ଟା ଶୁଣି କଳ୍ପନାଙ୍କ ମୁଣ୍ଡଟା ଘୁରେଇଦେଲା l ସେ ଆଉ ପିଲାଙ୍କୁ ପଢେଇବାରେ ଧ୍ୟାନ ଦେଇପାରିଲେନି l ଇଚ୍ଛା ହେଉଥିଲା ଦୌଡ଼ିଯାଇ ସୁଦିପଙ୍କ ଗାଲରେ ଖୁବ୍ ଜୋରରେ ଚଟକଣାଟେ ମାରିବାକୁ l ପ୍ରଜ୍ଞା କଳ୍ପନାଙ୍କ ସ୍କୁଲ୍ ର ଛାତ୍ରୀ ନୁହେଁ l ସୁଦିପ୍ ହିଁ ତାକୁ କଳ୍ପନାଙ୍କ ପାଖକୁ ଆଣିଥିଲେ ସାଙ୍ଗର ଭଉଣୀ କହି l କଳ୍ପନା ସେଦିନ ଜଲ୍ଦି ଛୁଟି କରିଦେଲେ l ରାତି ଖାଇବାପରେ ନୂଆକରି ଫିନିସିଙ୍ଗ୍ ହେଇଥିବା ଉପର ଘର ବଡ଼ ରୁମ୍ ଟାକୁ ସୁଦିପ୍ ଶୋଇବାକୁ ଆସିଲେ l ପଛେ ପଛେ କଳ୍ପନା ବି ଆସିଲେ l


--ତୁମେ କୁଆଡେ ଆସିଲ ? ଯାଅ ତଳେ ପିଲାମାନେ ଏକା ଅଛନ୍ତି l


--ବାପା ବୋଉ ଶୋଇନାହାଁନ୍ତି, ଜଗିଥିବେ l 


--ଆରେ କି କଥା, ମୋତେ ଶାନ୍ତିରେ ଶୁଆଇଦେବନି ନାଁ କ'ଣ? ସେଠି ପିଲାମାନେ କେଁ କାଁ ହେଉଛନ୍ତି ବୋଲି ଏଠିକି ଆସିଲି ଶୋଇବାକୁ l ତୁମେ ଏଠି ବି ମୋ ପିଛା ଛାଡ଼ୁନ ? କୁହ କଣ ଦରକାର ? 


--ମୋର ଦୋଷ କ'ଣ ସୁଦିପ୍ ? 


--କୋଉ ବିଷୟରେ ? 


--ତୁମେ କାଲି ସକାଳୁ କୁଆଡେ ଯାଉଛ ସିପ୍ରା ସାଙ୍ଗରେ ? 


--ସିପ୍ରା ? ତୁମକୁ କିଏ କହିଲା ? 


--ମୁଁ ସବୁଜାଣେ ସୁଦିପ୍ l କୁହ ମୋର ଦୋଷ କ'ଣ ? 


--ତୁମେ ପ୍ଳିଜ୍ ଯାଅ ଏଠୁ l ମୋତେ ବହୁତ ନିଦ ଲାଗୁଛି l


--ଆଚ୍ଛା, ଏମିତି ତାହେଲେ l ମୋର ଉପସ୍ଥିତି ବି ତୁମକୁ ଏତେ ଅସହ୍ୟ ହେଉଛି ? 


   କଳ୍ପନା କାନ୍ଦୁଥିଲେ l ସୁଦିପଙ୍କ ଗୋଡ଼ ପାଖରେ ଲୋଟିପଡି କାନ୍ଦୁଥିଲେ l ସୁଦିପ୍ କଳ୍ପନାଙ୍କୁ ଆସ୍ତେ କରି ନିଜ ଗୋଡ଼ ପାଖରୁ ଅଲଗା କରି ଦ୍ୱାର ସେପଟେ ଛାଡିଦେଲେ ଓ ଧଡ୍ କରି କବାଟଟା ଭିତରୁ ବନ୍ଦ କରିଦେଲେ l


   କଳ୍ପନା କାନ୍ଦି କାନ୍ଦି ପିଲାମାନଙ୍କ ପାଖକୁ ଫେରିଆସିଲେ l ସେଦିନ ରାତିସାରା ବି ଶୋଇପାରିଲେନି l ପିଲାଙ୍କୁ ଶୁଆଇଦେଇ ସେମାନଙ୍କ ମୁଣ୍ଡ ଆଉଁସି ଆଉଁସି ରାତି ପାହିବାକୁ ଅପେକ୍ଷାକରି ରହିଲେ l ମନ ଭିତରେ ଅନେକ କିଛି ତାଙ୍କର ଚାଲୁଥିଲା l ଭାବୁଥିଲେ ଏ ଘର ଛାଡ଼ି ପିଲାଙ୍କୁ ନେଇ ଚାଲିଯିବେ l ସୁଦିପଙ୍କୁ ଛାଡ଼ପତ୍ର ଦେଇଦେବେ l ପୁଣି ଭାବିଲେ, "ଏଠୁ ଚାଲିଗଲେ ରହିବି କୋଉଠି ? ମୁଁ କ'ଣ ଏକା ଏକା ସବୁ ପାରିବି ? ଏଇ ଟିକି ଟିକି ଛୁଆଦୁଇଟାଙ୍କୁ ଛାଡ଼ି ଆଉ ମୋର ଅଛି କିଏ ? ଭାଇଙ୍କ ସହ ତ ଅନେକ ଆଗରୁ ଅପଡ l ନାଁ ମୁଁ ଚାକିରୀ କରୁଛି, ସବୁ ପାରିବି l ମୋର କାହାରି ସାହାଯ୍ୟ ଦରକାର ନାହିଁ l ମୋର ସ୍ୱାମୀ ଦରକାର ନାହାଁନ୍ତି l ମୁଁ ମୋ ନିଜର ସ୍ଵାମିନୀ l"


କଳ୍ପନା ରାତିସାରା ଚାହିଁବସି ଏପରି ସବୁ ଭାଵିଚାଲିଥିଲେ କିନ୍ତୁ ସେ କୌଣସି ଗୋଟିଏ ନିଷ୍ପତ୍ତିରେ ପହଞ୍ଚି ପାରୁନଥିଲେ l ସୁଦିପଙ୍କର କଳ୍ପନାଙ୍କ ପ୍ରତି ଏତେ ରୁକ୍ଷ ବ୍ୟବହାର ସତ୍ୱେ ଓ କଳ୍ପନା ସିପ୍ରା ବିଷୟରେ ବହୁତ କିଛି ଅବଗତ ହେଇଯିବା ପରେ ମଧ୍ୟ ସେ ସୁଦିପ୍ ଙ୍କୁ ଛାଡ଼ିଯିବାକୁ, ଶାଶୂଘରୁ ଚାଲିଯିବାକୁ ଚାହୁଁନଥିଲେ l ତା'ର କାରଣ ବୋଧେ ନିଜେ କଳ୍ପନା ବି ଜାଣିନଥିବେ l ମଣିଷର ମନ ବଡ଼ ଅଜବ ଗୋଟେ ଜିନିଷ l ଯିଏ ପ୍ରତ୍ୟାଖାନ କରେ ମଣିଷ ତା'କୁ ହିଁ ବେଶିରୁ ବେଶି ଝୁରିହୁଏ l ତା' ଠାରୁ କାଣିଚାଏ ପ୍ରେମପାଇବା ପାଇଁ ନିଜ ଜୀବନକୁ ବି ବାଜି ଲଗେଇ ଦିଏ l ସବୁକିଛି ଛାଡ଼ି ସେହି ଲୋକକୁ ସବୁପ୍ରକାରେ ସନ୍ତୁଷ୍ଟ କରିବାରେ ସବୁଯାକ ସମୟ ବର୍ବାଦ କରେ l ପ୍ରତ୍ୟାଖାନକୁ ପ୍ରେମରେ ପରିଣତ କରେଇନେବାର ବୃଥା ଚେଷ୍ଟାରେ ଲାଗିପଡେ l କଳ୍ପନା ମଧ୍ୟ ନିଜ ଅଜାଣତରେ ସେହି କାମ କରିବା ଆରମ୍ଭ କରିଦେଇଥିଲେ l


    ଏବେ ସବୁଦିନ ସକାଳୁ ସିପ୍ରା, ସୁଦିପଙ୍କ ସ୍କୁଟର୍ ପଛରେ ବସି ସୁଦିପଙ୍କ ଘରକୁ ଆସେ l ସୁଦିପ୍ ନିଜ ବାପା,ମାଆଙ୍କୁ ବୁଝେଇ ଦେଇଛନ୍ତି, "କଳ୍ପନା ନିଜ ସ୍କୁଲ୍ ଓ ଟ୍ୟୁସନ୍ ପାଇଁ ଏତେ ବ୍ୟସ୍ତ ରହୁଛି ଯେ ପିଲାଙ୍କ କଥା ବୁଝିପାରୁନି ଓ ଘର କାମରେ ବୋଉକୁ ସାହାଯ୍ୟ କରିପାରୁନି l ସେଥିପାଇଁ ମୁଁ ମୋ ସାଙ୍ଗର ମାଉସୀଝିଅ ଭଉଣୀକୁ ଆଣି ଏଠି ଛାଡ଼ିଯାଉଛି l ଗରିବ ଝିଅଟେ l ପାଠପଢା ସାରି ଘରେ ବସିଛି l ଘରେ ବସି ବସି ବୋର୍ ହେଉଛି l ଏଠି ବୋଉକୁ ସାହାଯ୍ୟ କରିବ ଆଉ ପିଲାଙ୍କ ମେଳରେ ରହି ତା'ର ବି ଭଲରେ ଭଲରେ ସମୟ କଟିଯିବ l ସନ୍ଧ୍ୟାରେ ତା' ସାନଭଉଣୀ ଆସୁଛି କଳ୍ପନା ପାଖକୁ ପଢିବାକୁ, ସେ ତା' ସାଙ୍ଗରେ ରାତିକାମ ସାରି ଫେରିଯିବ l"


  ବାପା,ବୋଉ କୌଣସି ଆପତ୍ତି କଲେନାହିଁ l ବୁଝିବାକୁ ମଧ୍ୟ ଚେଷ୍ଟା କଲେନାହିଁ କାହିଁକି କିଏ ନିଜ ବଢିଲା ଝିଅକୁ ପରଘରେ କାମ କରିବାକୁ ଛାଡୁଛି ? ବରଂ ସେମାନଙ୍କୁ ଏଇ ସିପ୍ରା ଭାରି ଭଲ ଲାଗିଥିଲା l ସଜ ଫୁଟା ଫୁଲ ପରି ସୁନ୍ଦର ଝିଅଟା l ସବୁ କାମରେ ମଧ୍ୟ ବେଶ୍ ପାରଙ୍ଗମ l ସେମାନେ ମନେ ମନେ ଭାବୁଥିଲେ, " ଏଇ ଝିଅଟି ଯଦି ଆମ ବୋହୂ ହେଇଥାନ୍ତା.. !! " l 


  ସିପ୍ରା ଖୁବ୍ କମଦିନ ଭିତରେ ସମସ୍ତଙ୍କ ପ୍ରିୟଭାଜନ ହେଇଯାଇଥିଲା l କଳ୍ପନା ସ୍କୁଲରୁ ଆସିଲେ ତାଙ୍କ ପାଇଁ ଖାଇବା ବାଢ଼ିଦେଉଥିଲା l କଳ୍ପନା ଖାଉ ଖାଉ ଝିଅଟାକୁ ଦେଖୁଥିଲେ l ତାଙ୍କ ଠାରୁ ଆଠ ନଅ ବର୍ଷ ସାନ ଝିଅଟା l ମୁହଁର ଗଢ଼ଣ ବହୁତ ସୁନ୍ଦର l ତା' ବଡ଼ ବଡ଼ ଆଖି, ତୀକ୍ଷ୍ଣ ନାକ, ଗୋଲାପୀ ଓଠକୁ ଥରେ ଦେଖିଲେ ଆଖି ଫେରେଇ ହୁଏନି l ସିପ୍ରାକୁ ଦେଖୁ ଦେଖୁ କଳ୍ପନାଙ୍କର ସେହି ରାତିର କଥା ମନେପଡ଼ିଯାଏ l ସେ ଖାଇବା ଥାଳି ପାଖରୁ ଉଠି ଚାଲିଯାଆନ୍ତି l ନିଜ ରୁମ୍ ରେ କବାଟ ବନ୍ଦକରି କାନ୍ଦନ୍ତି l ଭୋ ଭୋ ହେଇ କାନ୍ଦନ୍ତି l ସିପ୍ରାର ବୟସ ଓ ରୂପକୁ ଖୁବ୍ ଇର୍ଷା କରନ୍ତି l ଝିଅଟାକୁ ବରଦାସ୍ତ କରିପାରନ୍ତିନି l ତାକୁ କେମିତି ଘରକୁ ଆସିବାକୁ ବାରଣ କରିବେ ମନେ ମନେ ଗୁଡ଼ାଏ ଉପାୟ ପାଞ୍ଚନ୍ତି l ସଫଳ ହେଇପାରନ୍ତିନି l 


      ସିପ୍ରା ସୁଦିପ୍ ଙ୍କର ସେହି ସମସ୍ତ ଦାୟିତ୍ୱ ନିଏ ଯାହା କେବେ କଳ୍ପନା ନେଇନଥିଲେ l ତାଙ୍କ ସାର୍ଟ୍, ପ୍ୟାଣ୍ଟ୍ ଭଲକରି ସଫାକରି ଇସ୍ତ୍ରୀ ଦେଇ ରଖେ l ସୁଦିପ୍ ଙ୍କ ପସନ୍ଦର ଖାଇବା ବନେଇ ରଖେ l କେବେ କେବେ ଘରୁ ରାନ୍ଧିକରି ଆଣିଥାଏ l ପିଲାମାନଙ୍କୁ ବି ବହୁତ ସ୍ନେହଁ କରେ l ଏତେ ସବୁ ଶ୍ରଦ୍ଧା ଓ ଯତ୍ନର କାରଣ କଳ୍ପନାଙ୍କ ବ୍ୟତୀତ ଘରେ ଆଉ କେହି(ଶାଶୂ, ଶଶୂର ) ବୁଝିପାରନ୍ତିନି l କିମ୍ବା ହେଇପାରେ ବୁଝିକି ବି ପ୍ରଶ୍ରୟ ଦିଅନ୍ତି l କଳ୍ପନା ଶାଶୂଙ୍କୁ ଯେତେ କହିଲେ ବି ଶାଶୂ ବିଶ୍ୱାସ କରିବାକୁ ଅମଙ୍ଗହୁଅନ୍ତି ଯେ ତାଙ୍କ ପୁଅର ସିପ୍ରା ସହ କୌଣସି ପ୍ରକାର ପ୍ରେମ ସମ୍ବନ୍ଧ ଥାଇପାରେ l କଳ୍ପନା ଭାବନ୍ତି ଶାଶୂ ଜାଣିଶୁଣି ଏସବୁକୁ ହେବାକୁ ଦେଉଛନ୍ତି l କାରଣ ଦିନେ ସନ୍ଧ୍ୟାରେ କଳ୍ପନା ଛାତ ଉପରେ ବୁଲୁଥିଲା ବେଳେ ପଡୋଶୀଘର ଜଣେ ମହିଳା ତାଙ୍କ ଛାତ ଉପରୁ ଥାଇ କଳ୍ପନାଙ୍କୁ ହାତଠାରି ଡାକିଲେ l କଳ୍ପନା ଛାତ ପାଚେରୀ ପାଖକୁ ଗଲେ l ସେ ବି ପାଖା ପାଖି ଆସି ଠିଆ ହେଲେ l ଖୁବ୍ ଧିରେ ଧିରେ କହିଲେ, "କଳ୍ପନା, ଯେବେଠୁଁ ସେଇ ଝିଅଟି ମାନେ ତୁମ ପିଲାଙ୍କ କେୟାର୍ ଟେକର୍ ତୁମଘରକୁ ଆସିଲାଣି ତୁମକୁ ଟିକେ ରିଲାକ୍ସେସନ୍ ମିଳୁଛି, ନାହିଁ ? ଆଉ ଆଜିକାଲି ତ ସୁଦିପ୍ ବି ଦିନରେ ପ୍ରାୟ ତିନି ଚାରିଥର ଅଫିସ୍ ରୁ ଘରକୁ ଚାଲିଆସୁଛନ୍ତି l ଲାଗୁଛି ଝିଅଟି ସମସ୍ତଙ୍କର ଭଲ କେୟାର୍ ନେଉଛି l ଦିନରେ ତୁମ ଉପର ଘରୁ ବେଶ୍ କିଛି ହସ ଖୁସିର ଶବ୍ଦ ଆମଘର ପର୍ଯ୍ୟନ୍ତ ଶୁଭୁଛି ପରା " l କଳ୍ପନା କିଛି କହିଲେନି l ଟ୍ୟୁସନ୍ ପାଇଁ ପିଲା ଆସିଲେଣି ଆଉ ସେ ପରେ କଥା ହେବେ କହି ତାଙ୍କଠାରୁ ବିଦାୟ ନେଇ ଚାଲିଆସିଲେ l 


   ଦିନ ପରେ ଦିନ ବିତିଯାଉଥିଲା l ସୁଦିପ୍ ଖୁସି ଖୁସି ରହୁଥିଲେ ଆଉ କଳ୍ପନା ବିବ୍ରତ l ସେ ସିପ୍ରାକୁ ଘରୁ ତଡି ପାରୁନଥିଲେ l ଗଭୀର ମାନସିକ ଅଶାନ୍ତି ଭିତରେ ରହୁଥିଲେ l କେବେ କେବେ ରାତିରେ ଉପରଘରକୁ ଜବରଦସ୍ତିଆ ପଶିଯାଇ ସୁଦିପଙ୍କ ଗୋଡ଼ ମାଲିସ୍ ପାଇଁ ବସିଯାଉଥିଲେ l ସୁଦିପ୍ ଉଁ ଚୁଁ କିଛି ନକହି ଶୋଇପଡ଼ିବାର ଅଭିନୟ କରୁଥିଲେ l କଳ୍ପନାଙ୍କୁ ଏ ଉପେକ୍ଷା ଅସହ୍ୟ ହେଉଥିଲା l ସେ ଅଶାନ୍ତ ହେଇଉଠୁଥିଲେ l ଆଉ ଏସବୁର କୁପ୍ରଭାବ ବେଶି ପଡୁଥିଲା ଲିଜୁନ୍,ସିପୁନଙ୍କ ଉପରେ l 


  କଳ୍ପନା ଗାୟତ୍ରୀଦିଦିଙ୍କ ପରାମର୍ଶ କ୍ରମେ ଦିନେ ସ୍କୁଲ୍ ରେ ଦରଖାସ୍ତ ଦେଇ ସିପ୍ରାର ଘରକୁ ଗଲେ l ସିପ୍ରାର ମାଆ କେବଳ ଘରେ ଥିଲେ l ତାଙ୍କୁ ହାତଯୋଡ଼ି ଅନୁରୋଧ କଲେ ସିପ୍ରାର ବାହାଘର କୋଉଠି ବୁଝି ଶୀଘ୍ର କରେଇଦେବା ପାଇଁ l ସିପ୍ରାର ମାଆ କଳ୍ପନାଙ୍କୁ ବସିବାକୁ କହିଲେ, ପାଣି ଆଣିଦେଲେ ଆଉ ସେ ଯାହା କହିଲେ କଳ୍ପନାଙ୍କର ଇଚ୍ଛା ହେଉଥିଲା ରାଗରେ ସେହି କ୍ଷଣି ଦୁଇଟା ଖୁନ୍ କରିଦେବାକୁ l ସିପ୍ରାର ମାଆ ଭଦ୍ର ଜଣାପଡୁଥିଲେ l ସେ ନରମ ଗଳାରେ କହିଲେ, "ଝିଅ, ତୁମେ ତ ଶିକ୍ଷିତା l ଏତିକି ବୁଝିସାରିବଣି ସିପ୍ରା ଓ ସୁଦିପ୍ ବାବୁ ପରସ୍ପରକୁ ଭଲ ପାଉଛନ୍ତି l ମୁଁ କେମିତି ସିପ୍ରାକୁ ଆଉ କୋଉଠି ବାହାକରେଇ ଦେବି ? ବରଂ ଭଲହେବ ତୁମେ ସେମାନଙ୍କ ଠାରୁ ଦୂରେଇ ଯାଅ l ସେଇଥିରେ ତୁମର ମଙ୍ଗଳ l ତୁମ ପିଲାଙ୍କର ମଙ୍ଗଳ l ନହେଲେ ଅକାରଣେ ଗୁଡ଼ାଏ ଜୀବନ ନଷ୍ଟ ହେବ l ସୁଦିପ୍ ବାବୁ ସିପ୍ରାକୁ ନପାଇଲେ ଆତ୍ମହତ୍ୟା କରିଦେବେ କହୁଛନ୍ତି l"


   କଳ୍ପନାଙ୍କ ପାଇଁ ଏକଥା ଗୁଡାକ ଯେ କେତେ ଅପମାନ ଜନକ ସେ କଥା ଜଣେ ସ୍ତ୍ରୀଲୋକ ହିସାବରେ ସେ ବୁଝିବାରଥିଲା l ସେ କିନ୍ତୁ ସିପ୍ରାର ମାଆ ହିସାବରେ ବୋଧେ କହିବାକୁ ଗର୍ବ ଅନୁଭବ କରୁଥିଲେ,ସେଥିପାଇଁ ଏତେସବୁ ସହଜରେ ଉଦ୍ଗାରୀ ଦେଲେ l କଳ୍ପନା ଫେରିଆସିଲେ l ସ୍କୁଲରୁ ଅଧାଛୁଟି ନେଇଥିଲେ l ଆଉ ସ୍କୁଲକୁ ଗଲେ ନାହିଁ l ଘରକୁ ଫେରିଲେ l ଘରେ ଆସି ଦେଖିଲେ ସିପୁନ୍ ପୋର୍ଟିକୋରେ ଏକା ଏକା ଖେଳୁଛି, ଶାଶୂ, ଶଶୂର ଟିଭି ଦେଖୁଛନ୍ତି ଆଉ ସିପ୍ରା ରୋଷେଇ କରୁଛି l କଳ୍ପନା ଲୁଗା ବଦଳେଇଲେ l ଧୁଆ ଧୋଇ ହେଇଆସି ସିପୁନକୁ କାଖକୁନେଲେ l ପୋର୍ଟିକୋ ତଳକୁ ଦେଖିଲେ ସୁଦିପଙ୍କ ସ୍କୁଟର୍ ଡେରା ହେଇଛି l ବୁଝିଗଲେ ବାବୁ ଉପରଘରେ ଅଛନ୍ତି l ସିପୁନକୁ ଶାଶୂଙ୍କ କୋଳରେ ବସେଇ ରୋଷେଇ ଘରକୁ ଗଲେ l ସିପ୍ରାକୁ ପଚାରିଲେ ସୁଦିପ୍ ଖାଇଛନ୍ତି କି ନାହିଁ l ସିପ୍ରା ମନାକଲାରୁ ସୁଦିପଙ୍କ ପାଇଁ ବଢ଼ାବଢ଼ି କଲେ l ଥାଳିଟା ଧରି ରୋଷେଇ ଘରୁ ବାହାରୁଥିଲେ ସିପ୍ରା ଅଟକାଇ ଦେଲା l " ଦିଦି ମୋତେ ଦିଅ l ମୁଁ ତାଙ୍କ ରୁମ୍ କୁ ଖାଇବା ନେଇଯିବି l ସେ ସେଇଠି ଖାଇବେ କହିଛନ୍ତି ",ଏତକ କହି ସିପ୍ରା ଥାଳିଟା ଛଡେଇନେଇ ଡେଇଁ ଡେଇଁ ଉପରକୁ ପଳେଇଲା l କଳ୍ପନା ଆଶ୍ଚର୍ଯ୍ୟ ହେଇ କିଛି ସମୟ ତା'କୁ ଚାହିଁରହିଲେ ଓ ନିଜମୁଣ୍ଡକୁ ଚାପି ଧରି ଲଥ୍ କରି ସେଇଠି ତଳେ ବସି ପଡିଲେ l 


   କଳ୍ପନା ସିପୁନ୍ ପାଖକୁ ଫେରିଗଲେ l ତା'କୁ ବହୁତ ଗେଲ କଲେ l ଭାତ,ଡାଲି ଗୋଳେଇ ଖୁଆଇଲେ l ଅନେକ ସମୟ ଗଡ଼ିଗଲା ସିପ୍ରା ତଳକୁ ଆସୁନଥିଲା l ଘଣ୍ଟାଏ ପରେ ସୁଦିପ୍ ଯେତେବେଳେ ଦାଣ୍ଡ କବାଟ ପାଖକୁ ସ୍କୁଟର୍ ଚାବି ଧରି ବାହାରି ଆସିଲେ ସେତିକିବେଳେ କଳ୍ପନା ଦେଖିଲେ ସିପ୍ରା ନିଜ ଓଢଣୀ ଓ ଚୁଟି ସଜଡା ସଜଡି କରି ବାଡ଼ି ଆଡକୁ ଯାଉଛି l କଳ୍ପନା ସେଦିନ ଶାଶୂ,ଶଶୂରଙ୍କୁ ପ୍ରଥମ କରି ଖୁବ୍ କଟୁ କଥା କହି ଗାଳିକଲେ l ସେ ସେମାନଙ୍କୁ ନିଜ ଛୁଆଙ୍କୁ ମାରି ନିଜେ ଆତ୍ମହତ୍ୟା କରିଦେବାର ଧମକ୍ ଦେଲେ l ସେମାନେ ଆଜି ନୀରବ ରହିଲେ l ଏତେ ପାଟିତୁଣ୍ଡ ଭିତରେ ବି ସିପ୍ରା ସମସ୍ତଙ୍କ ପାଇଁ ଖାଇବା ବାଢ଼ିଦେଇ ଉପର ଘରକୁ ବିଶ୍ରାମ ନେବା ପାଇଁ ପଳେଇ ଗଲା l କଳ୍ପନା ସେବେଯାଏଁ ଜାଣିନଥିଲେ ଉପରଘରଟା ସିପ୍ରାର ହେଇସାରିଥିଲା ବୋଲି l କଳ୍ପନା ନିଜ ଥାଳିଟା ଉଠେଇ ନେଇ ବାଡ଼ି ଆଡକୁ ଛାଟିଦେଲେ l ସିପୁନ୍ କୁ ଧରି ନିଜ କୋଠରିରେ କବାଟ କିଳିଦେଲେ l ଶାଶୂ,ଶ୍ୱଶୁର ଭୟ ପାଇଯାଇଥିଲେ l ନଖାଇ ଉଠି ଆସିଲେ l ଖୁବ୍ ଜୋରରେ କବାଟ ପିଟିଲେ l କଳ୍ପନା ରାଗରେ ତାତି ଯାଇଥିଲେ l କବାଟଟା ଖୋଲିଦେଇ ବଡ଼ ପାଟିରେ କହିଲେ, "ଶାନ୍ତିରେ ଟିକେ ଶୋଇବାକୁ ଦିଅନ୍ତୁ ମୋତେ " l କିଛି ବୁଝୁନଥିବା ସିପୁନ୍ ରାହା ଛାଡ଼ି କାନ୍ଦୁଥିଲା l କଳ୍ପନା ଏଥର ଆଉ କବାଟ ବନ୍ଦ୍ ନକରି ଖୋଲାରଖି ପୁଅକୁ ଶୋଇପକାଇଲେ l 


      ସେଦିନ ସନ୍ଧ୍ୟାରେ କଳ୍ପନା ଟ୍ୟୁସନ୍ ପିଲାଙ୍କୁ ଛୁଟିଦେଇଦେଲେ l ପ୍ରଜ୍ଞାକୁ ଆଉ କେବେ ବି ନଆସିବା ପାଇଁ କହିଦେଲେ l ସିପ୍ରା ପ୍ରଜ୍ଞା ସହ ଚାଲିଗଲା l ରାତି ରୋଷେଇ କିଛି ହେଇନଥିଲା l ଲିଜୁନ୍ କୁ ଭୋକ ହେବାରୁ କଳ୍ପନା ତା'କୁ ବିସ୍କିଟ୍ ଖୁଆଇଲେ l ସୁଦିପ୍ ସେଦିନ ରାତିରେ ଘରକୁ ଫେରିଲେନି ଆଉ ସକାଳୁ ସକାଳୁ ସମସ୍ତେ ଦେଖିଲେ ସେ ଘରୁ କଳ୍ପନା ଓ ତାଙ୍କ ପିଲାମାନେ ଫେରାର୍ ହେଇଯାଇଛନ୍ତି l 


     ଗାୟତ୍ରୀଦିଦିଙ୍କ ସ୍ୱାମୀ ଖୁବ୍ ପାରିବାର ଲୋକ l କଳ୍ପନା ଗାୟତ୍ରୀଙ୍କ ଘରେ ଅଳ୍ପଦିନ ରହିବା ଭିତରେ ତାଙ୍କରି ସ୍ୱାମୀ ଚେଷ୍ଟାକରି କଳ୍ପନାଙ୍କ ବଦଳି ଭଦ୍ରକକୁ କରେଇଦେଲେ l କଳ୍ପନାଙ୍କ ମାମୁଁଘର ଭଦ୍ରକ l ସେଇଠି ପାଖାପାଖି ଭଲ ଭଡ଼ାଘରଟେ ବି ସହଜରେ କଳ୍ପନାଙ୍କୁ ମିଳିଗଲା l ସବୁ ଠିକ୍ ଚାଲୁଥିଲା l ପିଲାମାନେ ସେଇଠି ବଡ ହେଉଥିଲେ l ଯେତେ ବଡ଼ ହେଉଥିଲେ ମାଆକୁ ସେମାନଙ୍କ ଦୁର୍ଭାଗ୍ୟର କାରଣ ବୋଲି ସେତେ ବେଶି ଭାବିବାକୁ ଲାଗୁଥିଲେ l କଳ୍ପନା ସେମାନଙ୍କ ପାଖରେ ସବୁଯାକ ଖୁସି ଅଜାଡି ଦେବାର ଚେଷ୍ଟାରେ ଲାଗିପଡିଥିବା ବେଳେ ସେମାନେ 'ବାପାଙ୍କୁ ଛାଡ଼ି କାହିଁକି ଆସିଲ ',ପଚାରି ପଚାରି କଳ୍ପନାଙ୍କୁ କ୍ଷତାକ୍ତ କରିପକାଉଥିଲେ l କଳ୍ପନା ନିଜକୁ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା କରି ସେମାନଙ୍କୁ ଗଢୁଥିଲା ବେଳେ ସମୟେ ସମୟେ ସେମାନେ ସେହି ଟୁକୁଡ଼ା ଗୁଡାକ କଳ୍ପନାଙ୍କ ଉପରକୁ ଫିଙ୍ଗି ତାଙ୍କୁ ଆଘାତ ଦେଉଥିଲେ l


   ଲିଜୁନ୍ ବହୁତ ଭଲଛାତ୍ରୀ l ସେ କେବେ କୌଣସି ପରୀକ୍ଷାରେ ସେକେଣ୍ଡ୍ ହେଇନି l ବହୁତ ଭଲ ପଢ଼ିଲା l ଭଲ ଚାକିରୀ କଲା l ଗୌରବ୍ କୁ ଜୀବନ ସାଥୀ ରୂପେ ବାଛିଲା l ଗୌରବ୍ ଭଲପିଲା l କଳ୍ପନା ତାକୁ ପସନ୍ଦ କରନ୍ତି l ସେମାନଙ୍କ ସମ୍ପର୍କ ବିଷୟରେ ଜାଣି ଖୁବ୍ ଖୁସି ହେଲେ l ଲିଜୁନର ଜବ୍ ଦିଲ୍ଲୀକୁ ସିଫ୍ଟ୍ ହେଇଯାଇଥିଲା l ଅନେକ ଦିନପରେ ଲିଜୁନ୍ ଦିଲ୍ଲୀରୁ ଘରକୁ ଆସିଥିଲା l କଳ୍ପନା ତା'କୁ ଗୌରବ୍ ବିଷୟରେ ପଚାରିଲେ l ସେମାନେ କେବେ ବାହାହେବେ ଜାଣିବାକୁ ଚାହିଁଲେ l ଲିଜୁନ୍ କିଛି ସମୟ ଚୁପ୍ ରହିଲା ପରେ କହିଲା, "ମାଆ ଗୌରବ୍ ସହ ମୁଁ ବ୍ରେକ୍ ଅପ୍ କରିଦେଇଛି l ଏଇ ଫୋଟୋ ଟା ଦେଖ l ଇଏ ଡକ୍ଟର୍ ଆଦିତ୍ୟ ଦାସ୍ l ୟାଙ୍କ ବାପା ଜଣେ ବଡ଼ ଶିଳ୍ପପତି l ନାରାୟଣ ଦାସ, ନାଁ ଶୁଣିଥିବ l ଆଦିତ୍ୟ ଓ ମୁଁ ବିବାହ କରିବାକୁ ନିଷ୍ପତ୍ତି ନେଇଛୁ l" 


--କିନ୍ତୁ ଗୌରବ୍ ସହ କ'ଣ ଅସୁବିଧା ହେଲା ଲିଜୁ ? 


--ମାଆ ତୁମେ ଆଦିତ୍ୟଙ୍କ ପ୍ରସ୍ତାବରେ ଖୁସି ନୁହଁ ? ତୁମେ କ'ଣ ଚାହୁଁନ ତୁମ ଝିଅ ଜଣେ ପ୍ରତିପତ୍ତିଶାଳୀ ଶିଳ୍ପପତିଙ୍କ ଘରର ବୋହୂ ହେଉ ? ଜଣେ ବଡ଼ ସ୍ପେସାଲିଷ୍ଟ୍ ଡାକ୍ତରର ପତ୍ନୀ ହେଉ ? 


--ସେକଥା ନୁହେଁ ଲିଜୁ l ଗୌରବ୍ ପିଲାଟା ବହୁତ ଭଲ l ସେ ତୋତେ ପ୍ରାଣଭରି ଭଲପାଏ, ମୁଁ ତା' ଆଖିରେ ଦେଖିଛି l


--ବେକାର କଥା କୁହନି l ଯିଏ ନିଜ ସ୍ୱମୀକୁ ଛାଡ଼ି ଆସିଛି ସେ କ'ଣ ବୁଝିବ ଭଲପାଇବା କ'ଣ ? ଗୌରବ୍ ଗୋଟେ ଲୁଜର୍ l ସାମାନ୍ୟ ଗୋଟେ କ୍ଲର୍କ୍ l ତା'ପରି ପିଲାର ପଦୋନ୍ନତ୍ତୀ ହେବା ଅସମ୍ଭବ l ମୁଁ ତା' ସହ ଜୀବନ ବିତେଇ ପାରିବିନି ମାଆ l


  କଳ୍ପନାଙ୍କୁ ଲିଜୁନର କଥା ବେଶ୍ ବାଧିଲା l ସେ ଆଜି ଲିଜୁନ୍ ଭିତରେ ସୁଦିପ୍ ଙ୍କୁ ଦେଖୁଥିଲେ l ଲିଜୁନ୍ ଅମାନିଆ l ଆଦିତ୍ୟକୁ ବାହାହେଲା l ଆଦିତ୍ୟଙ୍କ ସହ ଦିଲ୍ଲୀ ଚାଲିଗଲା l କଳ୍ପନାଙ୍କୁ ଆଉ ବେଶି ଫୋନ୍ ବି କରେନି l ଓଡିଶା ବହୁତ୍ କମ୍ ଆସେ l 


   ସିପୁନ୍ ଆଭରେଜ୍ ସ୍ଟୁଡେଣ୍ଟ୍ l ପ୍ଲସ୍ ଟୁ ପରେ ଆର୍ମି ଜଏନ୍ କରିଥିଲା l କଳ୍ପନା ରାଜିନଥିଲେ l ସେ କିନ୍ତୁ ଆଉ ପଢିବନି ବୋଲି ରୋକଠୋକ୍ ମନାକରିଦେଇଥିଲା l ଚାକିରୀର ଛଅବର୍ଷ ଯାଏଁ ମାଆକୁ ରୀତିମତ ଫୋନ୍ କରୁଥିଲା, ଘରକୁ ଆସୁଥିଲା l ପରେ ପରେ ତାର ଫୋନ୍ ଆସିବା କମିଗଲା l ଘରକୁ ଆସିଲେ ମିନଟ୍ ଟିଏ ବି ବସି ମାଆ ସହ କଥା ହେଉନଥିଲା l ସବୁବେଳେ କାନରେ ଇୟର୍ କର୍ଡ୍, ହାତରେ ମୋବାଇଲ୍ l ଗୋଟେ ଥର ଘରକୁ ଆସିଲା ସୁନ୍ଦରୀ ଝିଅଟେ ସାଙ୍ଗରେ ଧରି l "ମାଆ ଇଏ ମୋ ସାଙ୍ଗର ଭଉଣୀ, ରୀତା l ଆମେ ବାହା ହେଇଯାଇଛୁ l ରୀତା ଘରେ କେହି ରାଜି ନଥିଲେ, ଆମେ କୋର୍ଟ୍ ରେ ମ୍ୟାରେଜ୍ ରେଜିଷ୍ଟ୍ରେସନ୍ କରିଦେଇଛୁ l ",ସିପୁନ୍ ବିକଳ ହେଇ କହିଲା l କଳ୍ପନା ସମାଜକୁ ଆଉ ଖାତିର୍ କରୁନଥିଲେ l ରୀତାକୁ ଆପଣେଇ ନେଲେ ଖୁସି ଖୁସି l କିନ୍ତୁ ରୀତା ପାରିଲାନି l ସିପୁନ୍ ଆଉ ରୀତା ଉଭୟ କଳ୍ପନାଙ୍କଠାରୁ ଦୂରେଇଗଲେ l କଳ୍ପନା ସମ୍ପୂର୍ଣ୍ଣ ଏକା ହେଉଯାଉଥିଲେ l ତାଙ୍କ ସ୍କୁଲ୍ ହିଁ ତାଙ୍କର ନିଜର ହେଇରହିଥିଲା l ପୁଣି ଆଉ ଗୋଟେ ବିଚ୍ଛେଦର ଦୁଃଖ ନେଇଆସିଲା ଏଇ ଅବସର l କଳ୍ପନାଙ୍କୁ ଅନୁଭବ ହେଲା ସେ ଆଉ ପାରିବେନି l ଅବସରର ଦୁଃଖକୁ ସମ୍ଭାଳିବାକୁ ଆଉ ବୋଧେ ତାଙ୍କ ଭିତରେ ଶକ୍ତି ନାହିଁ l 


   କଳ୍ପନା ଭଦ୍ରକରେ ଗଢ଼ିଥିବା ସେହି ଛୋଟିଆ ଘରଟାରେ ଭଲକରି ବଡ଼ ତାଲାଟାଏ ଲଗେଇଲେ l କାଠିଟା ତାଙ୍କ ମାମୁଁଙ୍କ ନାତିର ହାତରେ ଦେଇ ଟ୍ରଲିବ୍ୟାଗ୍ ଟା ଘୋଷାରି ନେଇ ବସ୍ ଷ୍ଟାଣ୍ଡ୍ ପାଇଁ ଅଟୋରେ ବସିଲେ l 


    ଜରାନିବାସରେ ପ୍ରଥମ ରାତି, କଳ୍ପନାଙ୍କୁ ନିଦ ହେଲାନାହିଁ l ଭୋର ହେବାଯାଏଁ ବିଛଣାରେ ପଡିରହିଲେ l ଖୁବ୍ ସକାଳୁ ଚଢେଇଙ୍କ କିଚିରି ମିଚିରି ସ୍ୱର କାନରେ ବାଜୁ ବାଜୁ କଳ୍ପନା ବିଛଣାରୁ ଉଠି ଆସିଲେ l ଆଶ୍ରମ ପଛ ବଗିଚାରେ ଏପଟ ସେପଟ ହେଲେ l ଆଶ୍ରମର ଅନେକ ଅନ୍ତେବାସୀ ଉଠି ଚଳପ୍ରଚଳ କଲେଣି l କେହି କେହି ଯୋଗ, ପ୍ରାଣାୟାମ କରୁଥାନ୍ତି, କିଛି ଜଣ ହାତକୁ ହଲେଇ ହଲେଇ ଚାଲୁଥାନ୍ତି ଓ କେହି କେହି ଫୁଲ ତୋଳି ମାଳ ଗୁନ୍ଥିବାରେ ବ୍ୟସ୍ତଥାନ୍ତି l କଳ୍ପନା ଟିକେ ଦୂରରେ ଗୋଟେ ବେଞ୍ଚ୍ ଉପରେ ଯାଇ ବସିଲେ l ଅଳ୍ପ ସମୟ ବସିଛନ୍ତି ଦେଖିଲେ କେହିଜଣେ ବୃଦ୍ଧବ୍ୟକ୍ତି ହାପ୍ ପ୍ୟାଣ୍ଟ୍ ଓ ଟି-ସାର୍ଟ୍ ପିନ୍ଧି ଦୌଡି ଦୌଡି ତାଙ୍କରି ଆଡକୁ ଆସୁଛି l ଲୋକଟାକୁ ପାଖରୁ ଦେଖି କଳ୍ପନା ଆଶ୍ଚର୍ଯ୍ୟ ହେଲେ l


--"କଳ୍ପନା, ମୁଁ କାଲି ନାୟକବାବୁଙ୍କ ଠାରୁ ଶୁଣିଥିଲି ତୁମେ ଆସିଛ",ସୁଦିପ୍ କହିଲେ l


--କିନ୍ତୁ ତୁମେ ଏଠି କେମିତି ? 


--ଏବେ ଏଇଟା ମୋର ଠିକଣା l


--ସିପ୍ରା ? 


--ସିପ୍ରା ତା' ଘରେ ଅଛି, ତା ସ୍ୱାମୀ ସହ l


--ମାନେ ? ଗାୟତ୍ରୀଦିଦି ତ କହୁଥିଲେ ତୁମେମାନେ ବାହାହେଇଥିଲ ! ପୁଣି କ'ଣ ହେଲା ? 


-- ହଁ ହେଇଥିଲୁ l ମୋର ସୁନ୍ଦରଗଡ଼ ବଦଳି ହେଲାପରର ଘଟଣା ଆଉ ଗାୟତ୍ରୀମ୍ୟାଡ଼ାମ୍ ଜାଣନ୍ତିନି l


--ବଦଳି ହେଲାପରେ କ'ଣ ହେଲା ? 


--ପୁଅଟିଏ ହେଲା l ସ୍ୱରାଜ୍ l 


--ଶୁଣିଥିଲି l କିନ୍ତୁ ସିପ୍ରା କେମିତି ତା' ସ୍ୱାମୀ ପାଖରେ ? ସେ ବି କ'ଣ ଏଇଠି ? 


--ନାଁ l ତୁମେ କଣ ସତରେ ଜାଣିନ ? ଛାଡ଼ ତା' କଥା l ତୁମ କଥା କୁହ l


--ନାଁ ମୁଁ ଜାଣିନି l କିନ୍ତୁ ଏବେ ଜାଣିବାକୁ ଚାହୁଁଛି l 


--ଆରେ ସେ ଆମ ବାହାଘରର ପାଞ୍ଚବର୍ଷ ପରେ ସ୍ୱରାଜ୍ କୁ ମୋ ପାଖରେ ଏକା ଛାଡ଼ି ଗୋଟେ ହୋମିଓପାଥି ଡାକ୍ତର ସାଙ୍ଗରେ ପଳେଇଲା l ତାକୁ ହିଁ ବାହାହେଇ ଅଛି l ତିନିଟା ଝିଅକୁ ବାହା କରିସାରିଲାଣି, ତଥାପି ଆଗଭଳି ସୁନ୍ଦରୀ ଅଛି l


--ଏତେ ସବୁ ହେଇଯାଇଛି ? ଆଉ ଏବେବି ତୁମେ ତା'ର ସବୁ ଖବର ରଖିଛ ? ବାଃ ! କିନ୍ତୁ ସେ ଗଲା କାହିଁକି ? 


--ମୁଁ ତା' ପାଇଁ ବୁଢା ହେଇଯାଇଥିଲି l ହଉ ତୁମେ ଆଉ ତା' କଥା ମୋତେ ପଚାରନା l କ'ଣ ନକରିଥିଲି ତା ପାଇଁ l ତାଙ୍କ ପରିବାର ପାଇଁ l ମୋ ସୁନା ପରିବାରକୁ ଭାଙ୍ଗି...ବଦଳରେ ସେ ମୋତେ ଦେଲା କଣ ? 


-- ତୁମେ ଆଉଥରେ ବାହାହେଇଗଲନି ? 


--ତୁମେ ହେଇପାରିଲ ? ନାଁ,କାରଣ ତୁମେ ତୁମ ପ୍ରଥମପ୍ରେମକୁ ଭୁଲିପାରିଲନି l ଆଉ ମୁଁ ବି l ଆଜିଯାଏଁ ଭୁଲିପାରୁନି l ଠିକ ନାଁ ? 


--ନାଁ ଭୁଲ କହିଲ l ପ୍ରଥମପ୍ରେମ ନୁହେଁ, ପ୍ରଥମ ପ୍ରତ୍ୟାଖାନ l


   ସୁଦିପ୍ ମୁହଁ ଓହଳେଇଦେଲେ l କଳ୍ପନାଙ୍କୁ ସରି କହିଲେ l କ୍ଷମା ଭିକ୍ଷାକଲେ l କଳ୍ପନା ହସିଲେ l ହସି ହସି କହିଲେ, "ସୁଦିପ୍ ମୁଁ ବାପାମାଆ ଛେଉଣ୍ଡ ଅନାଥ ଝିଅଟେ, ସ୍ୱାମୀ ପରିତ୍ୟକ୍ତା ଅଭାଗିନୀଟେ l ତୁମକୁ କଣ ବା ଦେଇପାରିବି ? କ୍ଷମା ବି ଦେବାପାଇଁ ମୁଁ ବୋଧେ ସକ୍ଷମ ନୁହେଁ l ତଥାପି କିଛି ଗୋଟେ ଦେବାକୁ ସ୍ଥିର କରିଛି l ବହୁତ ଆଗରୁ ସ୍ଥିର କରିରଖିଛି l ଆସ ମୋ ପାଖକୁ l ଏଇଠିକୁ ଆସ " l


  ସୁଦିପ୍ ପାଖେଇ ଆସିଲେ l କଳ୍ପନା ନିଜର ସମସ୍ତ ଶକ୍ତି ଲଗେଇ ତିରିଶ ବର୍ଷତଳୁ ସାଇତି ରଖିଥିବା ଶକ୍ତ ଚାପୁଡ଼ାଟା ସୁଦିପ୍ ଙ୍କ ଗାଲରେ ବସେଇଦେଲେ l ଶବ୍ଦଟା ଏତେ ଜୋର ଥିଲା ଯେ ଶାନ୍ତ ସ୍ନିଗ୍ଧ, ସକାଳର ନୀରବତାଟାକୁ ଭାଙ୍ଗିଦେଲା ଓ ସେହି ଶବ୍ଦ ବି କଳ୍ପନାଙ୍କୁ ମୁହଁରେ ଅଦ୍ଭୁତ ଗୋଟେ ଆତ୍ମତୃପ୍ତି ଭରିଦେଲା l



Rate this content
Log in

Similar oriya story from Tragedy