Sanjeeb Kumar Nag

Drama

4.2  

Sanjeeb Kumar Nag

Drama

ଟୁ-ନଟ୍-ଥ୍ରୀ

ଟୁ-ନଟ୍-ଥ୍ରୀ

15 mins
570



ନିସ୍ତେଜ ରଜନୀର ଗ୍ରାସରେ ଜଡ ପାଲଟି କଡମଡ଼ ହେଇଯାଇଥିବା ଅଳସ ଶରୀରକୁ କଡଲେଉଟି ଲେଉଟି ନରମ କରିବାକୁ ଯେତେବେଳେ ଗଞ୍ଜା କୁକୁଡ଼ାର ରାଵ ଆଲାର୍ମ ସଦୃଶ କର୍ଣ୍ଣଗୋଚର ହୁଏ, ତାର ଅନେକ ସମୟ ପୂର୍ବରୁ ମାଧୁରୀ କର୍ମଚଞ୍ଚଳ ହେଇସାରିଥାଏ। ଛୁଆଙ୍କ ଉଠିବା ଆଗରୁ ନିତ୍ୟକର୍ମ ସାରି ଘର ଦୁଆର ଝାଡୁମାରି, ବାସନ କୁସନ ମାଜି ବାହାରିଯାଏ ତହସିଲଦାର ସାହେବଙ୍କ ଘରକୁ। ମେଦଗ୍ରସ୍ତ ତଥା ସ୍ୱାସ୍ଥ୍ୟ ସଚେତନ ପଡୋଶୀଙ୍କ ପାଇଁ ମାଧୁରୀର ଢୁଣଢ଼ାଣ ଶବ୍ଦ ଏକ ପ୍ରକାର ଆଲାର୍ମ ସଦୃଶ। ସେଇ ଶବ୍ଦରେ ଉଠି ସେମାନେ ନିଇତି ମର୍ଣ୍ଣିୱାକରେ ବାହାରିଥାନ୍ତି। ସେଦିନ ସକାଳୁ ସକାଳୁ ମାଧୁରୀ ଭାରୀ ବ୍ୟସ୍ତ ଥାଏ। ତରବରରେ ସବୁକାମ ସାରି ୨ ଟଙ୍କିଆ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାର ଥାଏ ତାର। ତହସିଲଦାରଙ୍କ ସ୍ତ୍ରୀ, ମିସେସ ଷଡଙ୍ଗୀ ପଚାରିଲେ, "କଣ ମାଧୁରୀ, ଏତେ ତରବର କାଇଁ ହଉଛୁ, କୁଆଡେ ଯିବୁ କି?" ମାଧୁରୀ ଉତ୍ତର ଦେଲା, "ପଞ୍ଚାୟତ କୁ ଚାଉଳ ଆଣିବା ପାଇଁ ଯିବି ମ୍ୟାଡମ, ସେଥିପାଇଁ ତରବର ହେଉଛି। ଆଗରୁ ଟିକେ ନଗଲେ ଚାଉଳ ମିଳୁ ମିଳୁ ୨/୩ ବାଜିଯାଏ। ଆଗରୁ ଟିକେ ଯାଇ କାର୍ଡ ପକେଇଥିଲେ ୧୨ଟା ଭିତରେ ପାଇଯିବି।" "କାଇଁ, ସବୁଥର ତୁ ହିଁ ଯାଉଛୁ, ତୋ ବର ଘରେ ନାଇଁ କି?", ପଚାରିଲେ ଷଡ଼ଙ୍ଗୀ ମ୍ୟାଡ଼ମ। ମାଧୁରୀ କାନ୍ଦ କାନ୍ଦ ହେଇ କହିଲା, "କଣ କହିବି ମ୍ୟାଡ଼ମ, ଚାରିଦିନ ହେଲା ତାଙ୍କ ଦେହ ଭଲ ନାହିଁ।" ମାଧୁରୀକୁ ଯେବେଠୁ ଷଡଙ୍ଗୀ ମ୍ୟାଡାମ ଜାଣିଛନ୍ତି, ସେବେଠାରୁ ଦୁହିଁଙ୍କର ଭଲପଡ଼େ। ମ୍ୟାଡାମଙ୍କର ଗୋଟିଏ ବୋଲି ପୁଅ, କିଡ୍ସ ୱାର୍ଲଡ଼ ପବ୍ଲିକ ସ୍କୁଲରେ ପଢେ। ସେ ସ୍କୁଲ ଗଲାପରେ ମ୍ୟାଡାମ ବୋର ହେଇ ଯାଆନ୍ତି। ସେଥିପାଇଁ ଘରକାମ ଶୀଘ୍ର ସାରି ମାଧୁରୀ ପଳେଇ ଆସେ ତାଙ୍କ ଘରକୁ। ଦୁହିଙ୍କ ମଧ୍ୟରେ ମାଲିକାଣୀ ଆଉ ଚାକରାଣୀର ସମ୍ପର୍କ ନଥିଲା, ଦୁଇ ସାଙ୍ଗଭଳି ଦୁହେଁ ପ୍ରତିଦିନ ବସି ଗପସପ କରନ୍ତି। ମିସେସ ଷଡଙ୍ଗୀ, ମାଧୁରୀର ବର ମଦୁଆ ଅକର୍ମା ବୋଲି ଜାଣିଛନ୍ତି, ତାଙ୍କ କ୍ୱାର୍ଟରକୁ ଲାଗିକି ରହିଥିବା ବି.ଡି.ଓ ଘରର କାମବାଲୀ ମଥୁରା ଠାରୁ, ହେଲେ ସେ କିଛି ପଚାରନ୍ତି ନାହିଁ ତାକୁ।

ମାଧୁରୀର ପରିବାର କହିଲେ, ତା ବର ଓ ଛୁଆ ଦୁଇ ଜଣ ସାଙ୍ଗକୁ ଶାଶୁ ବୁଢ଼ୀଟିଏ। ଶ୍ୱଶୁର ଏଇ ବର୍ଷ ପ୍ରାରମ୍ଭରେ ହିଁ ଯାଇଛନ୍ତି ଆରପାରିକୁ। ବୁଢ଼ାବୁଢ଼ୀ ଦୁହେଁ ମଜୁରୀ କରି ପରିବାର ଚଳାଉଥିଲେ କିନ୍ତୁ ବୁଢା ଯିବାଦିନଠୁ ବୁଢ଼ୀ ଆଉ କିଛି କରିପାରୁନି। ଦୁର୍ବଳ ଜରାଜୀର୍ଣ୍ଣ ହେଇଗଲାଣି ସେ, ମଦୁଆ ପୁଅର ଭବିଷ୍ୟତ ଚିନ୍ତାରେ। ତା ପୁଅ କାମଧନ୍ଦା କିଛି କରେନି, ପୁରା ଅଳସୁଆଟେ। ଅଳସୁଆଟେ ବୋଲି କହିବା କେତେଦୂର ଠିକ ହେବ କେଜାଣି, କାହିଁକିନା ପ୍ରତ୍ୟହ ସକାଳୁ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠି ମଦକୋଠିକୁ ଯିବା ଆଲସୀ ବ୍ୟକ୍ତି ପକ୍ଷେ ସମ୍ଭବ ନୁହେଁ। ଗୋଟିଏ ଝଟକାରେ ଧନୀ ହେବାର ସ୍ୱପ୍ନ ଦେଖି ଦିନସାରା କାଗଜ କଲମ ଧରି ସଟା ନମ୍ୱର ଲେଖିବା ପାଇଁ ବି ଏକାଗ୍ରତା ଆବଶ୍ୟକ। ଦିନର ପ୍ରାୟ ଅଧିକାଂଶ ସମୟ ସେ ମାତାଳ ଥାଏ। ଯଦିଓ ସେ କାହାର କିଛି କ୍ଷତି କରେନି ତଥାପି ପଡୋଶୀ ମହିଳା ମାନେ ତାକୁ ଭୟକରି ଦୂରରୁ ବାଟ ଦିଅନ୍ତି।

ଜଣକୁ ଭଲପାଇ ଅନ୍ୟଜଣକ ସହ ଜୀବନ ଜୀଇଁବା ଭାରି ମୁସ୍କିଲ। ଦିଲ୍ଲୀପ ଓ ମାଧୁରୀ କ୍ଷେତ୍ରରେ ବି ସେଇଆ ହେଇଥିଲା। ଏବେ କିନ୍ତୁ ଆଗଭଳି ମାଧୁରୀ ଉପରେ ସେତେ କ୍ରୁର ହୁଏନି ଦିଲ୍ଲୀପ। କଥାରେ କଥାରେ ରାଗି ଯାଏନି କି ରାଗିକି ହାତ ଉଠାଏନି। ଚାରିପାଞ୍ଚ ବର୍ଷର ବୈବାହିକ ଜୀବନରେ ଅନେକ ପରିବର୍ତ୍ତନ ଆସିଛି, ମାଧୁରୀ ପାଇଁ ଦିଲ୍ଲୀପର ହୃଦୟରେ ପ୍ରେମ ସୃଷ୍ଟି ହେଇଛି କି ନା କେଜାଣି, କିନ୍ତୁ ମାଧୁରୀକୁ ଆଗଭଳି କିଛି କଡା କଥା କହେନି। ସଦାବେଳେ ନିଜର ଏକ ଅଲଗା ଦୁନିଆ ଭିତରେ ଘୁରିବୁଲୁଥାଏ। ମନେ ମନେ ହସେ, ଗୀତ ଗାଏ। ହଠାତ ବିରକ୍ତ ହୋଇ ଉଠି ଚାଲିଯାଏ ମଦ କୋଠିକୁ। ଦୁଇ ଚାରିଟା ଦେଶୀ ପାଉଚ ମାରି ଆସିକି ଶୋଇପଡ଼େ। ଲୋକେ କହନ୍ତି, ଦିଲ୍ଲୀପ ଆଗରୁ କୋଉ ଗୋଟେ ଝିଅକୁ ଭଲ ପାଉଥିଲା। ସେ ହିଁ ତାର ଜୀବନ ଥିଲା, ସେ ହିଁ ତାର ଦୁନିଆ ଥିଲା। ସେ ଚାଲିଯିବା ଦିନଠୁ ତାର ଏଇ ଅବସ୍ଥା। ଆଜି ପର୍ଯ୍ୟନ୍ତ ସେଇ ଝିଅକୁ ଭୁଲି ପାରିନି ସେ।

ସେଦିନ ରାତି ପ୍ରାୟ ୧୧ଟାରେ ରୋଷେଇ ଘର ଭିତରୁ ପାଣି ପିଇ ବାହାରୁ ବାହାରୁ ଷଡ଼ଙ୍ଗୀ ମ୍ୟାଡମଙ୍କର ନଜର ପଡିଗଲା ଚାର୍ଜରେ ବସିଥିବା ଏକ ମୋବାଇଲ ଉପରେ। ମୋବାଇଲ କୁ ହାତରେ ଧରି ମନେ ମନେ ଭାବିଲେ, "ଏଇ ମାଧୁରୀ ବି ନା, ଦିନକୁ ଦିନ ବେଶୀ ଭୁଲକ୍କଡ ହେବାରେ ଲାଗିଛି। କାଲି ତା ବରର ମେଡ଼ିସିନ ଛାଡିକି ଯାଇଥିଲା, ଆଜି ମୋବାଇଲ ଛାଡିକି ଯାଇଛି।" ଦିଲ୍ଲୀପକୁ ସମସ୍ତେ ମଦୁଆ କହନ୍ତି, ବେକାରୀ କହନ୍ତି, କିନ୍ତୁ ମାଧୁରୀ ତ କେବେ ତା ସ୍ବାମୀ ବିଷୟରେ କିଛି ବି ଖରାପ କଥା କହିନି। ମାଧୁରୀ ଭଳି ସୁନ୍ଦରୀ ସ୍ତ୍ରୀକୁ ବି ହତାଦର କରି ମଦ ପଛରେ ଯିଏ ଦିନ ରାତି ପଡିଛି, ସେ କେମିତି ଲୋକ ହେଇନ ଥିବ। ଏମିତି ଭାବି ଭାବି ଷଡ଼ଙ୍ଗୀ ମ୍ୟାଡମ ଆଙ୍ଗୁଳି ଚାଳନା କରୁଥାନ୍ତି ମୋବାଇଲ ସ୍କ୍ରିନ ଉପରେ। ଗ୍ୟାଲେରୀ ଭିତରେ ମାଧୁରୀର ଫଟୋ ଦେଖୁ ଦେଖୁ ନଜର ପଡିଗଲା ମ୍ୟାଡମଙ୍କର ମାଧୁରୀର ବିବାହ ସମୟର ଫଟୋ ଉପରେ । କିଛି ସମୟ ଚୁପଚାପ ନିରୀକ୍ଷଣ କଲାପରେ ସେ ମୋବାଇଲକୁ ପୁନର୍ବାର ଚାର୍ଜରେ ଲଗେଇ ଚାଲିଗଲେ ବେଡ଼ ରୁମକୁ।

ସକାଳୁ ମାଧୁରୀ ଆସୁ ଆସୁ କହିଲା, "ମ୍ୟାଡମ କାଲି ମୋବାଇଲ ଛାଡ଼ିଦେଇଥିଲି"। ମ୍ୟାଡମ କହିଲେ, " ହଁ ରଖିଦେଇଛି, ଟେବୁଲ ଉପରେ ଅଛି"। ମାଧୁରୀ କାମ କରୁଥାଏ, ମ୍ୟାଡମ ତାକୁ ଏକଲୟରେ ଅନେଇଥାନ୍ତି। ମନେ ମନେ କଣ ଭାବୁଥାନ୍ତି କେଜାଣି। କାମ ସବୁ ସାରିଲା ପରେ ମାଧୁରୀ ସବୁଦିନ ପରି ଆସି ବସି ପଡ଼ିଲା ମ୍ୟାଡମଙ୍କର ପାଖରେ। ମ୍ୟାଡମ କିଛି ସମୟ ଚୁପ ରହି ତା ସ୍ବାମୀର ସ୍ୱାସ୍ଥ୍ୟ କଥା ପଚାରିଲା ପରେ ପୁନର୍ବାର ସାଇଲେଣ୍ଟ ମୋଡ଼କୁ ଚାଲିଗଲେ। ମ୍ୟାଡମ ଗୁମସୁମ ଥିବା ଦେଖି ମାଧୁରୀ ପଚାରିଲା, "କଣ ହେଲା ମ୍ୟାଡମ ଗୁମସୁମ କାହିଁକି ଅଛନ୍ତି? ମନ ଭଲ ନାହିଁ କି?" "କିଛି ନାହିଁ ଲୋ, ତତେ ଦେଖିଲେ କାନ୍ଦ ମାଡୁଛି" ମ୍ୟାଡମ ଉତ୍ତର ଦେଲେ। "କାହିଁ, କଣ ହେଲାକି ମ୍ୟାଡମ?" ପଚାରିଲା ମାଧୁରୀ। "କିଛି ନାଇଁ, ଏମିତି; ତୁ ଯା କାଲି କଥା ହେବା, ମୋର ମୁଣ୍ଡ ଜୋରରେ ବିନ୍ଧୁଛି, ମୁଁ ଟିକିଏ ରେଷ୍ଟ ନେବି।" ଏତିକି କହି ମ୍ୟାଡମ ବେଡ଼ରୁମ ଭିତରକୁ ଚାଲିଗଲେ। ରବିବାର ଛୁଟି ଥିବାରୁ ପୁଅଟା ବାହାରେ ଖେଳୁଥାଏ। ମାଧୁରୀ କିଛି ବୁଝିପାରିଲାନି। ଧିରେ ଧିରେ କବାଟ ଆଉଜେଇ ଦେଇ ପଳେଇଲା ଘରକୁ।

ଦିନସାରା ମାଧୁରୀ କେବଳ ସେଇ କଥାରେ ହିଁ ଘାରି ହେଉଥାଏ। ଷଡଙ୍ଗୀ ମ୍ୟାଡମ କାହିଁକି ସେମିତି କହିଲେ ସେ କିଛି ବି ବୁଝିପାରୁନଥାଏ। ମନେ ମନେ ଭାବୁଥାଏ ୩ଟା ବେଳେ ତାଙ୍କ ଘରକୁ ତ ପୁଣିଥରେ ଯିବାର ଅଛି, ସେତେବେଳେ ପଚାରିବି ବୋଲି। ଠିକ୍ ଏହି ସମୟରେ ମାଧୁରୀର ମୋବାଇଲ ବାଜି ଉଠିଲା। ମାଧୁରୀ କଲ ରିସିଭ କରି କଣ ଶୁଣିଲା କେଜାଣି ଜୋର ଜୋରରେ କାନ୍ଦିବାକୁ ଲାଗିଲା।

ରାତିରେ ତହସିଲଦାର ସାହେବଙ୍କ ଠାରୁ ତାଙ୍କୁ ଅନ୍ୟତ୍ର ବଦଳି ହେଇଥିବା କଥା ଶୁଣିବା ପରଠୁ ମ୍ୟାଡମ ମାଧୁରୀର ଆସିବା ବାଟକୁ ଚାହିଁ ରହିଥାନ୍ତି। କାଲି ଉପରଓଳି ବି ସେ ଆସିନଥିଲା। ଆଜି ବି ଏତେ ଡେରି ହେଲାଣି ତଥାପି ସେ ଆସିନି। ତାର ମୋବାଇଲ ବି ଲାଗୁନି। ଏମିତି ଭାବି ଭାବି ବାରଣ୍ଡାରେ ଚୌକି ଉପରେ ବସିଥାନ୍ତି ମ୍ୟାଡମ। ଏତିକି ବେଳେ ମଥୁରା ଆସି ପହଞ୍ଚିଗଲା ଆଉ କହିଲା, "ମ୍ୟାଡ଼ମ, ଆଜି ମାଧୁରୀ ଆସିବନି, କାଲି ତା ବାପା ମରିଗଲେ ସେଥିପାଇଁ ବାପ ଘରକୁ ଯାଇଛି। ତିନିଦିନ ପରେ ଆସିବ। କାଲି ଗଲାବେଳେ ମୋତେ କହି ଦେଇ ଯାଇଛି ଆପଣଙ୍କ ଘର କାମ କରିଦେବା ପାଇଁ। ଆପଣଙ୍କ ନମ୍ବରକୁ ଅନେକ ଥର କଲ ଲଗେଇଲା କାଲି, ମୋବାଇଲ ବନ୍ଦ ଥିଲା ବୋଧେ, ସେଥିପାଇଁ କଲ ଲାଗିଲାନି। ସେଦିନ ମଥୁରା କାମସାରି ମାଧୁରୀ ଓ ଦିଲ୍ଲୀପ ବିଷୟରେ ଯାହାକିଛି କହିବାର ବାକିଥିଲା ସବୁ ଓଗାଳି ଦେଇଥିଲା। ଷଡଙ୍ଗୀ ମ୍ୟାଡମ ସେଦିନ ଠିକ୍ ଭାବରେ ଜାଣିଲେ ଯେ ମାଧୁରୀ ଓ ଦିଲ୍ଲୀପର ବୈବାହିକ ଜୀବନ ସେତେ ସୁଖମୟ ନଥିଲା। ଦୁଇଟା ଛୁଆର ବାପା ହେଲାପରେ ବି ଦିଲ୍ଲୀପ ମାଧୁରୀକୁ ସମ୍ପୂର୍ଣ୍ଣ ଭାବେ ନିଜ ହୃଦୟ ଦେଇ ପାରିନଥିଲା। ସପନ ରାଇଜରେ ସଦାବେଳେ ବୁଡିରହି ଅପେକ୍ଷା କରିରହିଥିଲା କେହି ଜଣେ ସପନ ସୁନ୍ଦରୀକୁ।

ତିନିଚାରି ଦିନ ପରେ ମାଧୁରୀ ବାପ ଘରୁ ଫେରି ପୁଣି ତା କାମରେ ଯୋଗଦେଲା ତହସିଲଦାରଙ୍କ ଘରେ। ମ୍ୟାଡମ ତାକୁ ତାଙ୍କର ଅନ୍ୟତ୍ର ବଦଳି ହେଇଥିବା ବିଷୟରେ କହିଲେ। ଦୁହେଁ କିଛି ସମୟ ଚୁପଚାପ ରହିଲା ପରେ, ଦୁହିଁଙ୍କ ଆଖିରୁ ଲୁହ ଝରି ଆସିଲା। ସେଇଦିନ ମାଧୁରୀ ତାର ବୈବାହିକ ଜୀବନ ବିଷୟରେ କହିଥିଲା ମ୍ୟାଡମଙ୍କୁ। ବିବାହର ଏତେ ବର୍ଷ ପରେ ବି, ଦୁଇଟି ଛୁଆର ମାଆ ହେଲା ପରେ ବି ସେ କେମିତି, ତା ସ୍ବାମୀର ପ୍ରେମ ଟିକକ ପାଇଁ ତରସିଥାଏ, କେମିତି ସେ ଏତେ ବର୍ଷ ଭିତରେ ସ୍ୱାମୀ ହୃଦୟରେ ନିଜପାଇଁ ଟିକିଏ ସ୍ଥାନ ସୃଷ୍ଟି କରିପାରି ନାହିଁ, ଏମିତି ଅନେକ କଥା କାନ୍ଦି କାନ୍ଦି କହିଥିଲା ମାଧୁରୀ। ଷଡଙ୍ଗୀ ମ୍ୟାଡ଼ମ ମଧ୍ୟ ମାଧୁରୀକୁ ସ୍ୱାନ୍ତନା ଦେବା ପାଇଁ ନିଜ ବୈବାହିକ ଜୀବନର କିଛି ଅନୁଭୂତି ବାଣ୍ଟିଥିଲେ। ଦୁହିଁଙ୍କ ଆଖିରୁ ଲୁହ ଝରୁଥିଲା।

ସେଦିନ ଫେରିଲା ବେଳକୁ ଡେରି ହେବ ବହୁତ କାମ ଅଛି କହି ମାଧୁରୀ ଘରୁ ଶୀଘ୍ର ବାହାରି ଆସିଥିଲା। ସତକୁ ସତ ମାଧୁରୀ ଫେରୁ ଫେରୁ ସମୟ ଅପରାହ୍ନ ପ୍ରାୟ ୩ଟା ହେଇଯାଇଥିଲା। ଷଡଙ୍ଗୀ ମ୍ୟାଡମ ଦେଇଥିବା କିଛି ସାମଗ୍ରୀ ଖଟ ଉପରେ ଥୋଇଦେଇ ଘରକାମରେ ଲାଗିପଡ଼ିଲା ମାଧୁରୀ। ଖଟରେ ବସି ମନେ ମନେ ହସୁଥିବା ଦିଲ୍ଲୀପ ବ୍ୟାଗ ଖୋଲି ଦେଖିଲାବେଳକୁ, ସେଥିରେ ଥିଲା ତା ଦୁଇ ଛୁଆ ପାଇଁ ଦୁଇ ହଳ ନୂଆ ପୋଷାକ, ମାଧୁରୀ ପାଇଁ ନୂଆଶାଢ଼ୀ ଓ ଏକ ଟି-ସାର୍ଟ। ମାଧୁରୀ କହିଲା, "ଏଇ ସାର୍ଟଟି ତମପାଇଁ ଦେଇଛନ୍ତି ମ୍ୟାଡ଼ମ।" ସାର୍ଟଟିକୁ ହାତରେ ଧରି ଭଲକରି ଦେଖିଲା ବେଳକୁ ମାଧୁରୀର ଆଙ୍ଗୁଳିରେ ଥିବା ମୁଦି ଉପରେ ନଜର ପଡିଗଲା ଦିଲ୍ଲୀପର। ସଙ୍ଗେ ସଙ୍ଗେ ସାର୍ଟଟିକୁ ଖଟ ଉପରେ ଥୋଇଦେଇ ମାଧୁରୀର ଆଙ୍ଗୁଳିକୁ ଧରିପକେଇ ନିରୀକ୍ଷଣ କଲା ସେ ମୁଦିଟିକୁ। ପଚାରିଲା, "କୋଉଠୁ ପାଇଲ ଏଇ ମୁଦି?" ମାଧୁରୀ କହିଲା, "ମ୍ୟାଡମ ଦେଇଛନ୍ତି, ଏଇଟା ଖାସ ମୋ ପାଇଁ ତିଆରି କରିଛନ୍ତି ସେ, ଏଇ ଦେଖ ଏଥିରେ ଏମ.ଡି ଲେଖା ହେଇଛି। ଏମ.ଡି ମାନେ ମାଧୁରୀ ଓ ଦିଲ୍ଲୀପ। ସତରେ ମ୍ୟାଡମ କେତେ ଭଲ!" ଏତିକି କହି ଘର ଭିତରକୁ ଚାଲିଗଲା ମାଧୁରୀ। ଦିଲ୍ଲୀପ ଥପକିନା ବସି ପଡ଼ିଲା ଖଟ ଉପରେ। କିଛି ସମୟର ନୀରବତା ଭଙ୍ଗକରି ଏକାମୁହାଁ ହେଇ ଦୌଡ଼ିଲା ସେ ତହସିଲଦାର ସାହେବଙ୍କ କ୍ୱାର୍ଟରକୁ। ଗେଟରେ ତାଲା ଝୁଲୁଥିଲା। ତହସିଲଦାର ସାହେବ ସପରିବାର ନିଜର ନୂଆ କର୍ମକ୍ଷେତ୍ରକୁ ଚାଲିଯାଇଥାନ୍ତି। ଘରକୁ ଫେରିଲା ପରେ ମାଧୁରୀ କହିଲା, "ଏଇ କାଗଜ ନିଅ, ଏଥିରେ କିଛି ମନ୍ତ୍ର ଲେଖାଅଛି। ଏଇଟାକୁ ପକେଟରେ ରଖିଥିଲେ ମଦ ପିଇବାକୁ ଇଚ୍ଛା ହୁଏନି, ସ୍ୱାମୀ ସ୍ତ୍ରୀ ଭିତରେ ପ୍ରେମ ବଢେ। ତହସିଲଦାର ସାହେବ ଆଗରୁ ପ୍ରତିଦିନ ମଦ ପିଉଥିଲେ, ମ୍ୟାଡ଼ମଙ୍କ ସହିତ ଝଗଡା କରୁଥିଲେ। ସେତେବେଳେ ଜଣେ ସିଦ୍ଧ ବାବା ମ୍ୟାଡ଼ମଙ୍କୁ ଏହି କାଗଜ ଦେଇଥିଲେ।" ଦିଲ୍ଲୀପ ମାଧୁରୀ ହାତରୁ କାଗଜ ଖଣ୍ଡିକ ନେଇ ଦେଖିଲା। ସେଥିରେ ଓଡ଼ିଆ ଅକ୍ଷରରେ ଲେଖାଥିଲା, "ନାନ ଇନ କାନାୱରୁଦନ ମକିଲସିୟାକ ଇରୁକିରେନ, ......................................."। ଏକ ଦୀର୍ଘନିଃଶ୍ବାସ ନେଇ ଅତୀତକୁ ଫେରିଗଲା ଦିଲ୍ଲୀପ।

    ଚେନ୍ନାଇର ଦୁରାଇ ଆପାର୍ଟମେଣ୍ଟରେ ନୂଆ ନୂଆ କାମ କରୁଥାଏ ଦିଲ୍ଲୀପ। ବାର ଜଣ ସିକ୍ୟୁରିଟି ଗାର୍ଡ ମଧ୍ୟରେ ଥିବା ତିନିଜଣ ଓଡ଼ିଆ ପିଲାଙ୍କ ମଧ୍ୟରୁ ସେ ଜଣେ। ସୁପରଭାଇଜର ତେଜସ ସାହୁ ମଧ୍ୟ ଓଡ଼ିଆ ପିଲା। ଦିଲ୍ଲୀପ ନୂଆ ନୂଆ ଯାଇଥିବାରୁ ତେଜସ ତାକୁ ନିଜ ରୁମରେ ରଖିଥାଏ। ଦୁହେଁ ଏକାଠି ରହନ୍ତି। ସେଦିନ ସକାଳେ ଗେଟ ପାଖରେ ଥିବା ସିକ୍ୟୁରିଟି କେବିନ୍ ଭିତରୁ କେହିଜଣେ ସିକ୍ୟୁରିଟି ଗାର୍ଡ କହିଲା, "ଟୁ-ନଟ-ଥ୍ରୀ ମେ ପାନୀ କା କୁଛ ପ୍ରୋବ୍ଲେମ ହୈ, କୋଇ ଜା କର ଦେଖୋ"। ଛାତ ଉପରେ ଥିବା ପାଣି ଟାଙ୍କି ଚୋକ ହେଇଥିବାରୁ ପାଣିଆସୁନଥିଲା ସେଇ ରୁମକୁ। ଦିଲ୍ଲୀପ, ତେଜସକୁ ପଚାରିଲା, "ଏଇ 'ଟୁ-ନଟ-ଥ୍ରୀ' ମାନେ କଣ?" ତେଜସ ଟିକିଏ ମୁରୁକି ହସି ବୁଝେଇ ଦେଲା ଦିଲ୍ଲୀପକୁ, ଟୁ-ନଟ-ଥ୍ରୀ ମାନେ ଦୁଇ ଶହ ତିନି ବୋଲି। ଅନ୍ୟ ଗାର୍ଡମାନେ ବ୍ୟସ୍ତ ଥିବାରୁ ତେଜସ ସେଦିନ ଦିଲ୍ଲୀପକୁ ପଠେଇଲା ଟାଙ୍କି ଚେକ୍ କରିବାକୁ। ଦିଲ୍ଲୀପ ପାଣିଟାଙ୍କି ସଜାଡି ୨୦୩ ନମ୍ୱରର କଲିଂ ବେଲ ବଜାଇବାରୁ କବାଟ ଖୋଲି ଝିଅଟେ କହିଲା, "ଏନ୍ନା ନଟନତତୁ"? କିଛି ବୁଝିପାରିଲାନି ଦିଲ୍ଲୀପ। ତଥାପି ଯାହା ପଦେ ତେଜସ ପାଖରୁ ଶିଖିଥିଲା, ସେଇଆ କହିଲା। କହିଲା, "ତାମିଲ ତେରିୟାତେ"। ଅର୍ଥାତ "ତାମିଲ ଜାଣିନି"। ତାମିଲ ଭାଷାରେ ଏତିକି କହି ଦିଲ୍ଲୀପ ହିନ୍ଦୀରେ କହିଲା, "ମ୍ୟାଡ଼ମ, ମୁଝେ ତାମିଲ ନହିଁ ଆତା, ହିନ୍ଦୀ ମେ ବୋଲିୟେ"। ଝିଅଟି ମୁରୁକି ହସି କହିଲା, "କ୍ୟା ହୁଆ?" ଦିଲ୍ଲୀପ କହିଲା, "ଥୋଡା ଚେକ କିଜିଏ ମ୍ୟାଡ଼ମ, ପାନି ଆ ରହା ହୈ କି ନହିଁ"। ଭିତରକୁ ଯାଇ ଚେକ କଲାପରେ ଝିଅଟି କହିଲା, "ସବ ଠିକ ହୈ, ଅଵ କୋଇ ଦିକ୍କତ ନହିଁ"। "ଠିକ ହୈ ମେଡମ" କହି ପଳେଇ ଆସିଲା ଦିଲ୍ଲୀପ।

ଡ୍ୟୁଟିରୁ ଫେରି ରୋଷେଇ କରିବା କେତେଯେ କଷ୍ଟକର ତାହା ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣନ୍ତି। ସକାଳ ଆଠଟାରୁ ସନ୍ଧ୍ୟା ଆଠ, ଦୀର୍ଘ ବାର ଘଣ୍ଟାର ଡ୍ୟୁଟି ପରେ ପୁଣି ରୋଷେଇ। ନାଇଟ ଡ୍ୟୁଟି କରୁଥିବା ରୁମମେଟ ଥିଲେ ଅସୁବିଧା ହୁଏନି। ସେମାନେ ରୋଷେଇ ସାରି ଡ୍ୟୁଟିକୁ ବାହାରନ୍ତି ଆଉ ଡେ ଡ୍ୟୁଟିବାଲା ଟିକେ ରିଲାକ୍ସ ହେଇଯାଆନ୍ତି। କିନ୍ତୁ ତେଜସ ଓ ଦିଲ୍ଲୀପ ଦୁହେଁ ଡେ ଡ୍ୟୁଟିରେ ଅଛନ୍ତି। ଆଜି ପୁଣି ତେଜସର ଓଭର ଟାଇମ ଅଛି। ସେ ଖାଲି ଦଶଟାରେ ଖାଇବାକୁ ଆସିବ। ରୋଷେଇ କରିବା ପୂର୍ବରୁ ଟିକେ ବିଛଣାରେ ଗଡୁ ଗଡୁ ଆଖିଲାଗିଗଲା ଦିଲ୍ଲୀପର। ରାତି ଦଶଟାରେ ରୁମକୁ ଯାଇ ଦିଲ୍ଲୀପ ଶୋଇଥିବା ଦେଖି, ତାକୁ ଉଠେଇ ତେଜସ ପଚାରିଲା, "ରାନ୍ଧିନୁ କି? ଠିକ କରିଛୁ, ଆଜି ଆମ ସିକ୍ୟୁରିଟି କେବିନକୁ ଦଶ ପ୍ୟାକେଟ ମିଲସ ଆସିଛି, ତିନି ନମ୍ବର ଫ୍ଲାଟରେ କାହାର ବର୍ଥଡେ ଥିଲା ବୋଧେ। ସମସ୍ତ ଗାର୍ଡଙ୍କ ପାଇଁ ମିଲସ ପ୍ୟାକେଟ ଆସିଛି।

ସକାଳୁ ସକାଳୁ ଆସିଥିବା ପାରସଲଟିକୁ ନେଇ ପହଞ୍ଚି ଗଲା ଦିଲ୍ଲୀପ ୨୦୩ ନମ୍ବରକୁ। ଝିଅଟି ୪/୫ ବର୍ଷର ଛୁଆ ଦିଟାକୁ ନେଇ ବାହାରୁଥିଲା ସ୍କୁଲ ବସରେ ଛାଡିବା ପାଇଁ। ଦିଲ୍ଲୀପ ଠାରୁ ପାରସଲ ନେଇ ତରବରରେ ଘରେ ରଖିଦେଇ ବାହାରିଲା ସେ। ପ୍ରତିଦିନ ସକାଳ ଆଠଟାରେ ସେ ଛୁଆ ଦି'ଟା କୁ ଦୁରାଇ ଆପାର୍ଟମେଣ୍ଟର ମେନ ଗେଟକୁ ସ୍କୁଲ ବସରେ ଛାଡିବାକୁ ଆସେ ଓ ଅପରାହ୍ନ ୨ ଟାରେ ପୁଣିଥରେ ନେବାକୁ ଆସେ। ସେଦିନ ଲିଫ୍ଟ ଖରାପ ଥିବାରୁ, ସିଡିରେ ତଳକୁ ଆସୁଥିଲେ ତିନିଜଣ। ହଠାତ ଗୋଡ ଖସିଗଲା ଝିଅଟିର। ଛୋଟ ଛୁଆ ଦି ଜଣ କହିଲେ, "ନିଶା ଦି..."। 

ପଛେ ପଛେ ଆସୁଥିବା ଦିଲ୍ଲୀପ ଦୌଡ଼ିଆସି କହିଲା, "ମ୍ୟାଡ଼ମ, କ୍ୟା ହୁଆ"। ଉଠି ପାରୁନଥିଲା ମନୀଷା। ମନରେ ସଙ୍କୋଚ ଥିଲା, କାଳେ ନିଶା ମେମ ଖରାପ ଭାବିବେ! ତଥାପି ମନୀଷାର ହାତଧରି ଦିଲ୍ଲୀପ ଉଠେଇବାକୁ ଚେଷ୍ଟା କଲା। ଝିଅଟି ଉଠି ସିନା ପଡିଲା, ହେଲେ ଚାଲିବା ତା ପକ୍ଷେ ସମ୍ଭବ ନଥିଲା। ପାଦଗଣ୍ଠି ମଚକି ଯାଇ ଅସହ୍ୟ ଯନ୍ତ୍ରଣା ହେଉଥିଲା। କାନ୍ଦକାନ୍ଦ ହେଇ କହିଲା, " ମୈ ଚଲ ନହିଁ ପାଉଙ୍ଗି, ପ୍ଲିଜ଼ ମୁଝେ ରୁମ ମେ ଛୋଡ ଦୋ।" ସେଦିନ ମନୀଷାକୁ ରୁମରେ ଛାଡିଲା ପରେ ଦିଲ୍ଲୀପ, ଛୁଆ ଦି'ଟାକୁ ନେଇ ବସରେ ଛାଡ଼ିଦେଇ ଆସିଲା। ଦିନସାରା ଦିଲ୍ଲୀପର ମନରେ କେବଳ ମନୀଷାର କାନ୍ଦକାନ୍ଦ ଚେହେରା ଝଲସି ଉଠୁଥାଏ। ଶରୀର ଗେଟ ସାମ୍ନା କେବିନରେ ଡ୍ୟୁଟି କରୁଥିଲେ ବି, ମନ ଥାଏ ୨୦୩ ନମ୍ୱର ଭିତରେ। ରୁମରେ ଏକାଥିବ ମନୀଷା, ଭାଇ ତ ରହନ୍ତି ଦିଲ୍ଲୀରେ, ଭାଉଜ ହସପିଟାଲରୁ ସନ୍ଧ୍ୟା ୮ଟାରେ ଫେରନ୍ତି। ଦରଜ ବଢିଥିବ ନା କମିଥିବ, ଆୟୋଡ଼େକ୍ସ କିମ୍ବା ମୂଭ ଲଗେଇ ଟିକିଏ ରିଲାକ୍ସ ହେଇବସିଥିବ ବୋଧେ, କେମିତି ଲଗେଇବ, ସେ ତ ଛିଡାହେଇ ପାରୁନଥିଲା। ମୁଁ ତାକୁ ସୋଫାରେ ବସେଇଦେଇ ଆସିଥିଲି। ଏମିତି ଅନେକ ଚିନ୍ତା ଘାରୁଥାଏ ଦିଲ୍ଲୀପକୁ। ଥରେ ଥରେ ଭାବେ, "୨୦୩ କୁ ଯାଇ ଦେଖି ଆସିବି କି", ପୁଣି ଭାବେ, "ନା, ମୁଁ ତ ସାମାନ୍ୟ ସିକ୍ୟୁରିଟି ଗାର୍ଡଟିଏ, ମୁଁ ମୋର ଔକାତରେ ରହିବା ଉଚିତ"। ଦିନ ୨ଟା ରେ ଛୁଆ ଦିଟା ଓଲ୍ହେଇଲେ ଗେଟ ସାମ୍ନାରେ, ସେମାନଙ୍କୁ ନେଇ ପହଞ୍ଚିଗଲା ଦିଲ୍ଲୀପ ୨୦୩ ନମ୍ବରକୁ। କଲିଂ ବେଲ ଶବ୍ଦରେ ନିଦ ଭାଙ୍ଗିଗଲା ମନୀଷାର। ବିଚାରୀ ଗୋଡ ଦରଜରେ କାନ୍ଦି କାନ୍ଦି ଶୋଇପଡିଥିଲା। କବାଟ ଖୋଲି ଦେଖିଲାବେଳକୁ ଛୁଆ ଦିଟା ଛିଡାହେଇଥାନ୍ତି। ଦିଲ୍ଲୀପକୁ ଥାଙ୍କ ୟୁ କହି କବାଟ ବନ୍ଦ କରିଦେଲା ମନୀଷା। ଗୋଡ କେମିତି ଅଛି ବୋଲି ପଚାରିବା ପାଇଁ ଚାହୁଁଥିଲା ଦିଲ୍ଲୀପ, ହେଲେ ସେତକ ବି ହେଇପାରିଲାନି।

କିଛିଦିନ ହେଲା ମନୀଷା ଆଉ ଛୁଆ ମାନଙ୍କୁ ଛାଡିବା ପାଇଁ ଗେଟ ପାଖକୁ ଆସୁନାହିଁ। ତାର ବଡ ଭାଇ ଦିଲ୍ଲୀରୁ ଆସିଛନ୍ତି ବୋଧେ ଛୁଟିରେ, ସେଥିପାଇଁ ଏଇ କିଛିଦିନ ହେଲା ସେ ହିଁ, ଛୁଆ ଦି'ଟା କୁ ଛାଡିବାକୁ ଆସୁଛନ୍ତି। ଦିଲ୍ଲୀରେ ସଫ୍ଟଓୟାର ଇଂଜିନିୟର ଅଛନ୍ତି ସେ, ଦୁଇ ତିନି ମାସରେ ଥରେ ଲେଖାଏଁ ଆସନ୍ତି। ଏଠି ଚେନ୍ନାଇରେ ତାଙ୍କ ସ୍ତ୍ରୀ ଡାକ୍ତର ଅଛନ୍ତି। ଛୁଆ ଦୁଇଟାକୁ ଆବଶ୍ୟକୀୟ ସମୟ ଦେଇପାରନ୍ତି ନାହିଁ । ତେଣୁ ଯେବେ ବି ସେମାନେ ଛୁଟିରେ ଆସନ୍ତି, ପୂରା ସମୟ ଛୁଆମାନଙ୍କ ସହ ଅତିବାହିତ କରନ୍ତି। ପାଣିଟାଙ୍କି ଦେଖିବା ବାହାନାରେ ଦିଲ୍ଲୀପ ଛାତ ଉପରକୁ ଗଲାବେଳେ ଛାତ ଉପରୁ ଶୁଖିଲା ଲୁଗାସବୁ ଧରି ତଳକୁ ଆସୁଥାଏ ମନୀଷା। ସାହସ କରି ପଚାରିଲା ଦିଲ୍ଲୀପ, "ମ୍ୟାଡ଼ମ, ଆପକା ପୈର କା ମୋଚ ଠିକ ହୁଆ କି ନହିଁ?" ସ୍ମିତହାସ୍ୟ ବଦନରେ ଉତ୍ତର ଦେଲା ମନୀଷା, "ହାଁ ଠିକ୍ ହୈ"। ଏତିକି ଉତ୍ତରରେ ଖୁସିରେ ଗଦଗଦ ହେଇ ପଳେଇ ଆସିଲା ଦିଲ୍ଲୀପ। କେବିନ୍ ଭିତରେ ଚୁପଚାପ ବସି ମନେ ମନେ ହସୁଥିଲା ଆଉ ଭାବୁଥିଲା ମନୀଷା ଏତେ କମ କଥା କାହିଁକି ହୁଏ ବୋଲି। ପୁଣି ଭାବୁଥିଲା ମୁଁ ଜଣେ ସିକ୍ୟୁରିଟି ଗାର୍ଡ, ସେଥିପାଇଁ ବୋଧେ କଥାହେବାକୁ ସଙ୍କୋଚ କରୁଥିବ।

ଶୀତୁଆ ସକାଳ, ସହରୀ ବାୟୁମଣ୍ଡଳର ଧୂମ ମିଶ୍ରିତ କୁହୁଡିର ଘନତ୍ଵ ସେଦିନ ସାମାନ୍ୟ ବୃଦ୍ଧି ପାଇଥାଏ। ତଥାପି ତାର ବକ୍ଷଭେଦ କରି ତୀକ୍ଷ୍ଣ ବର୍ଚ୍ଛା ସମ ଆପତିତ କଅଁଳିଆ ସୁନେଲି ସୂର୍ଯ୍ୟ କିରଣରେ ଶିଶିର ବିନ୍ଦୁ ସମୂହ ମୋତି ସଦୃଶ ଝିଲମିଲ ଚମକୁଥାନ୍ତି। ପାଞ୍ଚଦିନର ଅକ୍ଲାନ୍ତ ସେବାରୁ ବିରତି ନେଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ନିଶିରାଣୀର ଶୀତଳ ଛାୟା ତଳେ ବେସରକାରୀ କର୍ମସଂସ୍ଥାନ ଗୁଡିକ ଦ୍ୱାରା ଦୈନିକ ବାର ଘଣ୍ଟାର ନିର୍ଯ୍ୟାତିତ ଶରୀର ବିଶ୍ରାମ ନେଇ ଶନିବାର ସକାଳେ ବିଳମ୍ବରେ ଶଯ୍ୟାତ୍ୟାଗ କରେ। ସେଥିପାଇଁ ପ୍ରତି ଶନିବାର ଦୁରାଇ ଆପାର୍ଟମେଣ୍ଟ ଅନ୍ତେବାସୀଙ୍କ ପ୍ରଭାତର ଆଲସୀ ଅଙ୍ଗଭଙ୍ଗୀର କ୍ରିୟାକଳାପ ବିଳମ୍ବରେ ଦୃଶ୍ୟମାନ ହୁଏ। କିନ୍ତୁ ଘଣ୍ଟାକଣ୍ଟା ଓ ମିନିଟକଣ୍ଟା ପରସ୍ପର ବିପରୀତ ମୂଖୀ ହେବା ପୂର୍ବରୁ ଶଯ୍ୟାତ୍ୟାଗ କରିବା ମନୀଷାର ଅଭ୍ୟାସ। ସେଦିନ ବି ସେ ସବୁଦିନ ପରି ଛୁଆ ଦୁଇଟିକୁ ନେଇ ସକାଳୁ ସକାଳୁ ପହଞ୍ଚିଗଲା ଗାର୍ଡେନକୁ ପୂଜା ପାଇଁ ଫୁଲ ତୋଳିବାକୁ। ନାଇଟ ସିଫ୍ଟରେ ଥିବା ଦିଲ୍ଲୀପର ଅନ୍ତିମ ଡ୍ୟୁଟି ଥିଲା ବଗିଚାରେ ପାଣିଦେବା। ଗୁଣୁଗୁଣୁ ହେଇ ଗୀତ ଗାଇ ଗାଇ ସେ ଫୁଲଗଛ ଗୁଡିକରେ ପାଣି ଦେଉଥାଏ। "ତୁମକୁ ପାଇ ମୁଁ ଖୁସିରେ ପାଗଳ ଆଜି, ମନ ହୁଏ....", ଗୁଣୁଗୁଣଉ ଥାଏ ଦିଲ୍ଲୀପ। ଠିକ ଏତିକି ବେଳକୁ ତା ମୁହଁର ପଦ ଛଡେଇ ନେଇ କେହିଜଣେ ଗାଇଦେଲା, "ହୁକୁ ହୁକୁ ହାଏ"। ଦିଲ୍ଲୀପ ପଛକୁ ଚାହିଁ ଦେଖେ ତ ଟୁ-ନଟ-ଥ୍ରୀ ର ଛୁଆ ଦୁଇଟା ଖେଳୁଛନ୍ତି, ପାଖରେ ଛିଡାହେଇଛି ମନୀଷା। ଦୁଷ୍ଟାମୀ ଭରା ମୁରୁକି ହସ ସହ ମନୀଷାର ଚାହାଣୀ କୋଉ ଗୋଟେ ଅପସରାର ଉପସ୍ଥିତିଠୁ କମ ଲାଗୁନଥିଲା ସେତେବେଳେ। ଦିଲ୍ଲୀପ ହତବାକ! ମନୀଷା ଓଡ଼ିଆ ଝିଅ! ତା ପାଖଦେଇ ଗଲାବେଳେ ମୁଁ ଓଡ଼ିଆରେ ଯୋଉ ପ୍ରେମ ନିବେଦନ କରୁଥିଲି, ତାହା ସବୁ ସେ ବୁଝୁଥିଲା! ଯଦି ବୁଝୁଥିଲା, ତାହେଲେ ରାଗୁନଥିଲା କାହିଁକି? ଏମିତି ଏକ ପ୍ରଶ୍ନଗୁଚ୍ଛର ଆକ୍ରମଣରେ ଲଜ୍ଜିତ ଦିଲ୍ଲୀପ ଜଡ ପାଲଟି ଗଲା କିଛି ମୁହୂର୍ତ୍ତ ପାଇଁ। ଚୁପଚାପ ପାଣିଦିଆ ବନ୍ଦକରି ପଳେଇଲା ସେ ତା କ୍ୱାର୍ଟରକୁ।

ଦୀର୍ଘ ସାତଦିନର ବ୍ୟବଧାନ ପରେ ଅନିଚ୍ଛା ସତ୍ତ୍ୱେ ଆମାଜନ ଶପିଂରୁ ଆସିଥିବା ଏକ ପାରସଲ ନେଇ ପହଞ୍ଚିଲା ଦିଲ୍ଲୀପ ଟୁ-ନଟ-ଥ୍ରୀକୁ। କବାଟ ଖୋଲି ପାରସଲ ରିସିଭ କଲା ମନୀଷା। ଦିଲ୍ଲୀପ ଚୁପଚାପ ଥାଏ। ମନୀଷା ପଚାରିଲା, "ଆଜିକାଲି ଆଉ ତମେ ଏପଟେ ଜମାରୁ ଆସୁନ, ଗେଟ ସାମନାରେ ବି ରହୁନ, କଣ କିଛି ଅସୁବିଧା ହେଲାକି? ନା ଆମକୁ ଓଡ଼ିଆ ବୋଲି ଜାଣିଲା ପରେ ଆଭଏଡ଼ କରୁଛ? ଓଡ଼ିଆ ମାନେ କଣ ଏତେ ଖରାପ? ଦିଲ୍ଲୀପ ନିରୁତ୍ତର ରହିଲା। ମନୀଷା ପୁନର୍ବାର କହିଲା, "ତମେ ଏପଟେ ନଆସିଲେ ଭଲ ଲାଗେନି"। ଦିଲ୍ଲୀପ ପାଟିରୁ ବାହାରି ପଡିଲା, "ମତେ ବି"। ସେଇଠୁ ଆରମ୍ଭ ହେଲା ଦିଲ୍ଲୀପ ଓ ମନୀଷାର ପ୍ରେମ କାହାଣୀ। 

ସେଦିନ ବିଜୟ ହସ୍ପିଟାଲରେ ଥିବା ବାର୍ଷିକ ଉତ୍ସବକୁ ଯାଇଥାନ୍ତି ଡାକ୍ତରାଣୀ ମ୍ୟାଡ଼ମ ନିଜ ଦୁଇଛୁଆଙ୍କୁ ନେଇ। ପୂର୍ବ ଯୋଜନା ମୁତାବକ ମୁଣ୍ଡବ୍ୟଥା ବାହାନା କରି ମନୀଷା ଘରେ ରହିଥାଏ। ମ୍ୟାଟିନି ସୋ ଯିବାରଅଛି ପ୍ରେମିକ ସହିତ। ନୂଆ ରିଲିଜ ହେଇଛି "ଓକେ ଜାନୁ" ଚଳଚ୍ଚିତ୍ର। ମଲ୍ଟିପ୍ଲେକ୍ସ ସିନେମାର ଏ.ସି ହଲରେ ପ୍ରେମିକର କାନ୍ଧରେ ମୁଣ୍ଡ ରଖି ରୋମାଣ୍ଟିକ ଦୃଶ୍ୟର ଆନନ୍ଦ ନେବାକୁ ବ୍ୟାକୁଳ ଷୋଳ ବୟସୀ କୁଆଁରୀ ମନ। ତା ସାଙ୍ଗକୁ ନୂଆ ନୂଆ ପ୍ରେମର ପାଗଳପଣ ମନୀଷାକୁ ଅସ୍ଥିର କରିପକାଉଥାଏ। କେତେବେଳ ୧ ବାଜିବ! ଏଇ ଘଣ୍ଟା ଆଜି ଏତେ ଧିମେଇ ଯାଇଛି କାହିଁକି? ବାକିଦିନ ତ ଘୋଡାଭଳି ଦୌଡୁଥିଲା। ଆଜି କାହିଁକି କଚ୍ଛପ ଗତିରେ ଚାଲିଛି? ଏମିତି ଭାବି ଭାବି ସେ ଅଧର୍ଯ୍ୟ ହେଇ ପଡୁଥାଏ। ଏପଟେ ଦିଲ୍ଲୀପର ବି ସେଇ ଅବସ୍ଥା। ପ୍ରଥମଥର ପାଇଁ ପ୍ରେମିକା ସହ ସିନେମା ଯିବାର ଅନୁଭୂତି ପାଇଁ ତତ୍ପର ପ୍ରେମିକ ମନ ମଧ୍ୟଆକାଶରେ ବିହଙ୍ଗସମ ଉଡ଼ିବୁଲୁଥାଏ। ୧ ବାଜିବାର ଠିକ ୧୫ ମିନିଟ ପୂର୍ବରୁ ଟୁ-ନଟ-ଥ୍ରୀ କୁ କଲକରି ଚେଙ୍ଗାଲପେଟ୍ଟୁର ସିରୁସେରି ବସଷ୍ଟପ ନିକଟକୁ ଆସିବାକୁ କହିଲା ଦିଲ୍ଲୀପ। ଆଗରୁ ସଜହେଇ ଦିଲ୍ଲୀପର କଲ ଅପେକ୍ଷାରେ ଥିବା ମନୀଷା ଯଥାଶୀଘ୍ର ପହଞ୍ଚି ଗଲା। ଦୁହେଁ ସେଠୁ ବସରେ ଆନ୍ନା ନଗର ପି.ଭି.ଆର ମଲ ସିନେମାକୁ ଗଲେ ଯୋଉଠି ହିନ୍ଦୀ ସିନେମା ରିଲିଜ ହୁଏ। ସେଦିନ ସିନେମା ହଲ ସାମନାରେ "ଓକେ ଜାନୁ" ଲେଖାଥିବା ଟି-ସାର୍ଟ ଗୁଡିକ ବିକ୍ରି ହେଉଥାଏ। ଦିଲ୍ଲୀପ ଦୁଇଟି ଟି-ସାର୍ଟ ଆଣିବାରୁ ଦୁହେଁ ନିଜ ନିଜ ପୋଷାକ ଉପରେ ଗଳେଇ ପରସ୍ପରର ହାତଧରି ତରବରରେ ପଶିଗଲେ ହଲ ଭିତରକୁ।

ସିନେମା ଦେଖି ଫେରିଲା ବେଳକୁ କେତେବେଳେ ସିରୁସେରି ବସଷ୍ଟପ ଆସିଗଲା ଦୁହେଁ ଜାଣିପାରିଲେନି। ଅନିଚ୍ଛା ସତ୍ତ୍ୱେ ଦୁହେଁ ପରସ୍ପରଠୁ ଅଲଗା ହେଇ ସୁନାପିଲା ପରି ଘରକୁ ଫେରିଲେ। 

ସମୟ ଗଡି ଚାଲିଥାଏ। ପ୍ରେମର ଗଭୀରତା ବି ବଢିଚାଲିଥାଏ। ଡାକ୍ତରାଣୀ ମ୍ୟାଡ଼ମ ସକାଳ ୮ଟା ରେ ଯାଇ ସନ୍ଧ୍ୟା ୮ ଟା ରେ ଫେରନ୍ତି। ନାଇଟ ଡ୍ୟୁଟି କରୁଥିବା ଦିଲ୍ଲୀପର ଡ୍ୟୁଟି ସକାଳ ଆଠଟାରେ ସରେ। ସେଦିନ ଭାଲେଣ୍ଟାଇନ ଦିବସ ଥାଏ। ମନୀଷା ଛୁଆ ଦିଟାକୁ ବସରେ ଛାଡି ଗଲାବେଳେ ଆଖିରେ ଆଖିରେ ଇସାରା କରିଦେଲା। ସିଧା ଚାଲିଗଲା ଦିଲ୍ଲୀପ ଟୁ-ନଟ-ଥ୍ରୀକୁ। ସେଦିନ ସେଇଠି ମନୀଷା ଓ ଦିଲ୍ଲୀପ ସାଥିରେ ବ୍ରେକଫାଷ୍ଟ ଓ ଲଞ୍ଚ କଲେ। ଗପସପ ଚାଲିଥାଏ, ଏତିକିବେଳେ ଦିଲ୍ଲୀପ ପକେଟରୁ ସୁନା ମୁଦିଟିଏ କାଢ଼ି ପିନ୍ଧେଇ ଦେଲା ମନୀଷାକୁ। ଦୁହେଁ ଦୁହିଁଙ୍କୁ ଅପଲକ ନୟନରେ ଅନେଇଥାନ୍ତି, ଏକ ଅଦୃଶ୍ୟ ଶକ୍ତି ଦୁହିଁଙ୍କୁ ପରସ୍ପର ଆଡକୁ ଟାଣୁଥାଏ। ହଠାତ ଦୁହେଁ ପରସ୍ପରକୁ ଆଲିଙ୍ଗନ କରନ୍ତି। ପରସ୍ପରର ଉଷ୍ଣ ସ୍ପର୍ଶରେ ଅନଭିଜ୍ଞ ଯୁବାଶରୀରଦ୍ୱୟରେ ଶ୍ଵାସକ୍ରିୟା ତତ୍ କ୍ଷଣାତ ତ୍ବରାନ୍ବିତ ହୁଏ, ଉତ୍ତେଜିତ ପ୍ରାଣୀଦ୍ବୟ ପରସ୍ପର ଭିତରେ ବିଲୀନ ହେବାକୁ ବ୍ୟାକୁଳ ହୋଇ ଉଠନ୍ତି। ହଠାତ ତତ୍କାଳୀନ ପରିବେଶର ନୀରବତା ଭଙ୍ଗହେଇଯାଏ। କେତେବେଳେ ନିର୍ଜୀବ ସୋଫା ତ କେତେବେଳେ ନିର୍ଜୀବ ପଲଙ୍କ ଜୀବନ୍ତ ହେଇ ଉଠନ୍ତି। ତିତିଲି ଝଡର ପ୍ରଳୟ କିଛି ସମୟ ପରେ ପୁନର୍ବାର ଶାନ୍ତ ହେଇଯାଏ। କିଛି ସମୟର ନିରବତା ପରେ ଦୁହେଁ ନିଜ ନିଜକୁ ଅସଂଯତ ଅବସ୍ଥାରେ ଆବିଷ୍କାର କରନ୍ତି। ନିଜ ନିଜ ପୋଷାକ ସଜାଡ଼ି ନେଲାପରେ ସେମାନଙ୍କ ସାହସ ନଥାଏ ପୁନର୍ବାର ଆଖିରେ ଆଖି ମିଶେଇବାକୁ। ଦୁଇଜଣ ନିଜ ନିଜ ସ୍ଥାନରେ ଜଡ଼ ପାଲଟି ଯାଇଥାନ୍ତି। ଠିକ ଏତିକିବେଳେ ଦୁଇଥର ଢ଼ଣ ଢଣ ଶବ୍ଦକରି ବାଜି ଉଠିଲା ଘଣ୍ଟା। ସ୍କୁଲ ବସର ସମୟ ହେଇଯାଇଥିଲା ମନୀଷା ତରବରରେ ବାହାରିଲା ଗେଟ ପାଖକୁ ଯିବାପାଇଁ। ଦିଲ୍ଲୀପ ଫେରି ଆସିଲା ନିଜ କ୍ୱାର୍ଟରକୁ।

ଏସ.ଏସ.ଏ ସିକ୍ୟୁରିଟି ଏଜେନ୍ସିର କଲ ଏଟେଣ୍ଡ କଲାପରେ ସୁପରଭାଇଜର ତେଜସ ସେଦିନ ଭାରୀ ବ୍ୟସ୍ତ ବିବ୍ରତ ଥିଲା। ଦିଲ୍ଲୀପକୁ ବରଖାସ୍ତ କରାଯିବା କଥା ଶୁଣି ସେ କିଛି ବୁଝିପାରିଲାନି। ସେଦିନ ସନ୍ଧ୍ୟାରେ ଦିଲ୍ଲୀପକୁ ନେଇ ପହଞ୍ଚିଗଲା ତେଜସ ସିକ୍ୟୁରିଟି ଏଜେନ୍ସି ର ହେଡ ଅଫିସକୁ। ସେଠି ଦିଲ୍ଲୀପ ଆଉ ମନୀଷାର ପ୍ରେମ ଉପାଖ୍ୟାନ ଶୁଣିଲା ପରେ ନିଜକୁ ନିଜେ ଲଜ୍ଜିତ ମନେକଲା, କାରଣ ସେ ହିଁ ଦିଲ୍ଲୀପକୁ ନିଜ ଗ୍ୟାରେଣ୍ଟିରେ ସେଇ ସିକ୍ୟୁରିଟି ଏଜେନ୍ସିରେ ନିଯୁକ୍ତି ପାଇଁ ଅନୁରୋଧ କରିଥିଲା। ଯୋଉଦିନ ଦିଲ୍ଲୀପ ଓ ମନୀଷା ସିନେମା ଯାଇଥିଲେ, ସେଦିନ ଆପାର୍ଟମେଣ୍ଟର ମିସେସ ଚତୁର୍ବେଦୀ ଯିଏକି ଡାକ୍ତରାଣୀ ମ୍ୟାଡ଼ମଙ୍କ ଜଣେ ଭଲ ସାଙ୍ଗ ତଥା ପଡୋଶୀ ସେ ମଧ୍ୟ ନିଜ ପରିବାର ସହ ସିନେମା ଯାଇଥିଲେ। ଦିଲ୍ଲୀପ ଆଉ ମନୀଷାର ପଛ ଧାଡିରେ ବସିଥିବା ମହିଳା ଜଣକ ସେଦିନ ପ୍ରେମୀଯୁଗଳଙ୍କ ଭାବରଙ୍ଗ ସବୁ ଦେଖିଥିଲେ। ଶନିବାର ସକାଳେ ଡାକ୍ତରାଣୀ ମ୍ୟାଡ଼ମଙ୍କୁ ସେ କଫି ଶପରେ ସବୁ ବଖାଣି ଥିଲେ। ସେଇଦିନଠୁ ମ୍ୟାଡ଼ମ ଦିଲ୍ଲୀପ ଓ ମନୀଷା ଉପରେ ନଜର ରଖିବା ପାଇଁ ମିସେସ ଚତୁର୍ବେଦୀଙ୍କୁ କହିଥିଲେ। ଯୋଉଦିନ ଦିଲ୍ଲୀପ ଟୁ-ନଟ-ଥ୍ରୀରେ ବ୍ରେକ ଫାଷ୍ଟ ଓ ଲଞ୍ଚ କରିଥିଲା ସେଦିନ ବିଭିନ୍ନ ବାହାନା କରି ଦୁଇ ତିନି ଥର ଟୁ-ନ-ଟଥ୍ରୀ ଆସି କଲିଂ ବେଲ ମଧ୍ୟ ବଜେଇଥିଲେ। ସେଇ ଦିନଠୁ ତେଜସ ପ୍ରତିଜ୍ଞା କଲା, ଯେତେ ଆତ୍ମୀୟ ହେଉ ପଛେ ଆଉ କେବେ କାହାକୁ ନିଜ ଜିମାରେ କାମରେ ଲଗେଇବନି। କିଛିଦିନ ତା ଗାଁ ର ପିଲାମାନଙ୍କ କ୍ୱାର୍ଟରରେ ରହି ଦିଲ୍ଲୀପ ଦୁରାଇ ଆପାର୍ଟମେଣ୍ଟର ବାହାରେ ଘୁରିବୁଲୁଥାଏ। କାଳେ କେତେବେଳେ ମନୀଷା ସହ ଦେଖା ହେଇଯିବ। ଆପାର୍ଟମେଣ୍ଟ ସାମନାରେ ଥିବା ବସ ଷ୍ଟପରେ ସକାଳ ଆଠଟାରେ ଓ ଦିନ ଦିଟା ସମୟରେ ଅପେକ୍ଷା କରି କରି ଦୀର୍ଘ ଏକମାସ ପର୍ଯ୍ୟନ୍ତ କେମିତି କଟିଗଲା ଜାଣିପାରିଲାନି ଦିଲ୍ଲୀପ। ସେଇ ସମୟ ଭିତରେ ଅନ୍ୟ ଏକ ଜାଗାରେ ନିଜ ପାଇଁ କାମଟିଏ ମଧ୍ୟ ଯୋଗାଡ଼ କରିସାରିଥିଲା ସେ। ତେଜସକୁ ସେ ପ୍ରତିଦିନ କଲ କରୁଥିଲା, ମନୀଷା ବିଷୟରେ ବୁଝିବା ପାଇଁ, ହେଲେ ତେଜସ ତା ନମ୍ବରକୁ ବ୍ଲକ କରିଦେଇଥିଲା, ଅଲଗା ନମ୍ବରରୁ କଲ କଲେ ରିସିଭ କରି କଲ କାଟି ଦେଉଥିଲା। କିନ୍ତୁ ଦୁରାଇ ଆପାର୍ଟମେଣ୍ଟରେ କାମ କରୁଥିବା ତାର ଅନ୍ୟଜଣେ ସାଙ୍ଗଠାରୁ ଦୁରାଇ ଆପାର୍ଟମେଣ୍ଟ ରେ ଆଉ ମନୀଷା ନାହିଁ ବୋଲି ଜାଣିଲାପରେ ମନ ଭାଙ୍ଗିଗଲା ତାର। ସିଧା ଘରକୁ ପଳେଇ ଆସିଲା ସେ। ମୋବାଇଲ ନମ୍ବର ବି ସେଇ ଦିନଠୁ ବଦଳେଇନଥିଲା। କାଳେ ମନୀଷା କଲ କରିବ, ଏମିତି ଭାବିଭାବି ସଦାବେଳେ ସପନ ରାଇଜରେ ବୁଡି ରହୁଥିଲା। 

କାମଧନ୍ଦା ନକରି ଦିନସାରା ମଦ ପିଇପିଇ ଘରର ଭେଣ୍ଡିଆ ଟୋକା ଯେତେବେଳେ ଏଣେ ତେଣେ ଘୁରିବୁଲୁଥାଏ ସେତେବେଳେ ବାପା ମାଆଙ୍କ ଅବସ୍ଥା ଯେ କଣ ହୁଏ ସେକଥା ନକହିବା ଭଲ। ଦିଲ୍ଲୀପର ବାପା ମାଆଙ୍କର ଅବସ୍ଥା ଠିକ ସେମିତି ଥିଲା। ବାହାଘର କରିଦେଲେ ପୁଅ ସୁଧୁରିଯିବ ଭାବି ସେମାନେ ଦିଲ୍ଲୀପ ପାଇଁ ଝିଅ ଖୋଜୁଥିଲେ କିନ୍ତୁ ଆଖପାଖ ଅଞ୍ଚଳରେ କେହି ବି ତାକୁ ଝିଅ ଦେବାକୁ ରାଜିନଥିଲେ। ଘୋଡା ମଦୁଆଟାକୁ କିଏ ଅବା କାହିଁକି ଝିଅ ଦେବ। ଶେଷରେ ମାଧୁରୀ ପାଇଁ ପ୍ରସ୍ତାବ ରଖିଲେ ଦିଲ୍ଲୀପର ବାପା ମାଆ। ମାଧୁରୀର ବାପା ଦିଲ୍ଲୀପର ମାମୁଁ ହେଲେ ବି ପ୍ରସ୍ତାବରେ ରାଜି ହେଲେନି। କେମିତି ରାଜି ହେଇଥାନ୍ତେ ସବୁ କଥା ଜାଣି। କିନ୍ତୁ ଦିଲ୍ଲୀପକୁ ଛୋଟବେଳୁ ଏକତରଫା ଭଲପାଉଥିବା ମାଧୁରୀ ନିଜ ଆଡୁ ସମ୍ମତି ପ୍ରଦାନ କରି ବାପା ମାଆଙ୍କ ପାଖରେ ଅଳି କଲା ଦିଲ୍ଲୀପକୁ ବାହାହେବାପାଇଁ। ବାପା ମାଆ ତାକୁ ବହୁତ ବୁଝେଇବା ସତ୍ତ୍ୱେ ମାଧୁରୀ ଜିଦ ଧରିବସିଲା। ଯାହାକୁ ସେ ଛୋଟ ବେଳୁ ଏତେ ଭଲ ପାଇ ଆସିଛି ତାକୁ ଏବେ କେମିତି ହତାଦର କରିଥାନ୍ତା। ଏବେ ବି ମନେ ଅଛି ତାର, ମାଟ୍ରିକ ପରୀକ୍ଷା ବେଳର କଥା। ବାପାଙ୍କ ଦେହ ଖରାପ ଥିବାରୁ ଦିଲ୍ଲୀପ ହିଁ ତାକୁ ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରୁଥିଲା। ବାପି ହୋଟେଲରେ ପ୍ରତିଦିନ ପରୀକ୍ଷା ସରିଲା ପରେ ସେମାନେ ମାଧୁରୀର ଫେଭରାଇଟ ମାଲପୁଆ ଖାଉଥିଲେ। ପରୀକ୍ଷା ଶେଷ ଦିନ ଦିଲ୍ଲୀପକୁ ସେ ନିଜ ହାତରେ ମାଲପୁଆ ଖୁଏଇ ଦେଇଥିଲା। ଗଣିତ ପରୀକ୍ଷା ଦିନ, ସେଣ୍ଟରରୁ ବାହାରିଲା ବେଳେ ମୁଣ୍ଡ ବୁଲେଇବାରୁ ସେ ଗେଟ ସାମ୍ନାରେ ବସି ପଡ଼ିଥିଲା। ସେତେବେଳେ ଦିଲ୍ଲୀପ ତାର କେତେ ଯତ୍ନ ନେଇଥିଲା। ସେଇ ସ୍ମୃତିରେ ନିଜକୁ ହଜେଇ ଦେଇଥିଲା ମାଧୁରୀ। ଶେଷରେ ବାହାହେଇ ବୋହୁ ହେଇ ଆସିଲା ସେ ଦିଲ୍ଲୀପ ଘରକୁ।

ମାଧୁରୀର ହାଲୁକା ସ୍ପର୍ଶରେ ପ୍ରକୃତିସ୍ଥ ହେଇ ହାତରେ ଧରିଥିବା କାଗଜଟିରେ ପୁନଃ ଦୃଷ୍ଟିପାତ କଲା ଦିଲ୍ଲୀପ। ତାମିଲ ଭାଷାରେ ଯାହା ଲେଖାଥିଲା ତାହାର ମର୍ମଥିଲା, " ମୁଁ ମୋ ସ୍ୱାମୀ ସହିତ ଖୁସିରେ ଅଛି। ସୁନ୍ଦର ପରିବାର ଟିଏ ଗଢ଼ିଛି, ତମେ ବି ଖୁସିରେ ରୁହ, ମାଧୁରୀ ତମକୁ ବହୁତ ଭଲପାଏ, ତା ପ୍ରେମ ତୁଳନାରେ ମୋର ପ୍ରେମ କାଣିଚାଏ ମାତ୍ର, ଆମେ ସାଥିରେ ବିତେଇଥିବା ମଧୁର ମୁହୂର୍ତ୍ତ ଗୁଡିକ ଏକ ସୁନେଲି ସ୍ୱପ୍ନ କିନ୍ତୁ ମାଧୁରୀ ହେଉଛି ତମର ବାସ୍ତବତା। ଇତି ତୁମର "ଟୁ-ନଟ-ଥ୍ରୀ"। ଦିଲ୍ଲୀପର ଆଖି ଛଳ ଛଳ ହୋଇ ଉଠିଲା। ଜୋରରେ ଜାବୁଡ଼ି ଧରିଲା ସେ ମାଧୁରୀକୁ। କହିଲା, "ତମେ ମୋ ପ୍ରକୃତ ଜୀବନ ସାଥୀ, ମୋ ଜୀବନର ପ୍ରତି ମୁହୂର୍ତ୍ତରେ ତମେ ମୋର ସାଥ ଦେଇଛ। ମୁଁ ତମ ପ୍ରତି ବହୁତ ଅନ୍ୟାୟ କରିଛି ମାଧୁରୀ। ବହୁତ ଅନ୍ୟାୟ କରିଛି। ଆଜିଠୁ ମୁଁ ଜମାରୁ ମଦ ପିଇବିନି। ତମେ ଯେମିତି କହିବ ସେମିତି ବଞ୍ଚିବି"। ମାଧୁରୀକୁ ସବୁ ସ୍ୱପ୍ନସମ ମନେହେଉଥିଲା। ଛାତିର କୋହ ଏକା ଥରକେ ସୁନାମି ଭଳି ମାଡି ଆସିଲା ତାର ନୟନ ଯୁଗଳରୁ। ଦିଲ୍ଲୀପର ଛାତି ଉପରେ ମୁଣ୍ଡ ଗୁଞ୍ଜି କାନ୍ଦୁଥିଲା ସେ। ମନେହେଉଥିଲା ସତେ ଯେମିତି ମହାବାତ୍ୟା ପରବର୍ତ୍ତୀ ନୀରବତା ମଧ୍ୟରେ ପ୍ରକୃତିର ପ୍ରଳୟରୁ ବର୍ତ୍ତି ଯାଇଥିବା ପ୍ରାଣୀଦ୍ବୟ ପରସ୍ପରକୁ କୁଣ୍ଢେଇ ଧରିଥିଲେ। ବାବାଙ୍କ ମନ୍ତ୍ରର ପ୍ରଭାବ ଏତେ ଶୀଘ୍ର ପଡିଲା ଦିଲ୍ଲୀପ ଉପରେ! ମନେ ମନେ ବାବାଜୀଙ୍କୁ ତଥା ମିସେସ ଷଡଙ୍ଗୀଙ୍କୁ ନିଜର କୃତଜ୍ଞତା ଜଣାଉଥିଲା ମାଧୁରୀ।



Rate this content
Log in

Similar oriya story from Drama