ଟ୍ରେନରେ ଦିନେ
ଟ୍ରେନରେ ଦିନେ
ସମୟ ଅପରାହ୍ନ। ଉଦୁଉଦିଆ ଖରାବେଳଟା। ଚାରିଆଡେ ଶୂନଶାନ। ତତଲା ପବନ ମୁହଁ ଶୁଖି ଯାଉଛି। ପାଟି ଓଠ ଅଠା ଅଠା। ତାଳୁରୁ ତଳିପା ଯାଏ ସରମ ଝାଳ ବହିଚାଲିଛି। କାନ ମୁଣ୍ଡ ଝାଏଁ ଝାଏଁ। ଝାଞ୍ଜି ପବନର ତୀବ୍ରତାରେ ଗଛ ପତ୍ର ବି ଶୁଖିଯାଇଛି। ବହୁତ ଦୂରରୁ ଜଣେ ଅଧେ କେହି ଦେଖା ଯାଉଥାନ୍ତି। ବୁଲା କୁକୁରଟେ ବି ନଜର ପଡୁନଥାଏ। ଗ୍ରୀଷ୍ମ ପ୍ରବାହ ଏତେ ଅସହ୍ଯ ନିଦାଘ ଥିଲା ଯେ ଦଣ୍ଡେ ଘଡିଏ ଛିଡା ହେବା ଅସମ୍ଭବ। ଚତୁର୍ଦ୍ଦିଗ ମରୁ ମରୀଚକା ପ୍ରାୟ। ସତେ ଯେମିତି ଆଉ କିଛି ସମୟ ପରେ ଫାକାସ ଉଡିଯିବ।
ଗାଆଁରୁ ଯେନତେନ ପ୍ରକାରେଣ ସାଇକେଲରେ ଦାଦା ଚାଉଳ ଦଶ କିଲୋ, ମୁଢି ବେଗଟେ, କିଛି ଖାଇବା ଜିନିଷ ସହିତ ମୋତେ ଆଣି ଆଗରପଡା ଥାନା ଛକରେ ଛାଡିଦେଇଗଲେ। ଖରାବେଳଟାର ଗାଡି ଘୋଡା ଏତେ ବା କେଉଁଠୁ ଆସିବ? ମୁଁ ତାଙ୍କୁ ବାଧ୍ଯ କରି ଘରକୁ ପଠେଇଦେଲି। ଅପେକ୍ଷିତ ଭାବେ ଚାହିଁ ରହାଥିଲି ବସ ହେଉକି ଟ୍ରେକର ହେଉ କିଛି ଗୋଟେ ମିଳିଗଲେ ମୁଁ ଚରମ୍ପା ଷ୍ଟେସନ ପର୍ଯ୍ୟନ୍ତ ସେଥିରେ ନହେଲେ ବି ବନ୍ତ ଛକ ତକ ଚାଲିଯିବି। କିନ୍ତୁ କେହି ବି ଦେଖାଯାଉ ନଥାନ୍ତି। ଟୋଟିଏ ଟେମ୍ପୁ ଆସିଲା ଯେ ସେ ଆମ ଗାଆଁ ଆଡକୁ ପଳେଇଗଲା ତାର ଏଡଭାନସ ଭଡା ଅଛି ବୋଲି କହି।
ଅଧଘଣ୍ଟା ପରେ ଗୋପିଏ ଟ୍ରେକର କଲେଜ ଛକ ଆଡୁ ଆସିଲା। ସେଥିରେ ଶୋରିଷ ପକେଇବାକୁ ରାସ୍ତା ନଥାଏ। ଯାହେଉ ବହୁତ କଷ୍ଟ ର ସହିତ ସେ ଅଟକିଲା। ମୁଁ ବନ୍ଧୁର ପାହାଡ ଚଢିଲା ଭଳି ତା ଭିତରକୁ ଠେଲିପେଲି ପଶିବାକୁ ଚେଷ୍ଟା କଲି। ଚାଉଳ ବସ୍ତା, ମୁଢି ସହିତ ମୋ ଖାଇବା ବେଗଟା ବି ଭିତରକୁ ପୂରେଇବାକୁ ଚେଷ୍ଟାକଲି କିନ୍ତୁ ହେଲାନାହିଁ। ଶେଷରେ ଚାଉଳ ବସ୍ତାଟାକୁ ଗାଡି ଛାତ ଉପରକୁ ତା କଣ୍ଡକ୍ଟର ଉଠେଇଦେଲା ଏବଂ ମୋତେ ଟ୍ରେକର ସାଇଡରେ ଛିଡା ହୋଇ ବସ୍ତାଟା ଉପରେ ହାତ ପକେଇବାକୁ କହିଲା। କଣ କରିବି! ମୋର ତ ଯେମିତି ହେଉ ଯିବାର ଅଛି। ନହେଲେ ଟ୍ରେନ ଧରିପାରିବି ନାହିଁ। ଯାହାହେଉ ଅତର୍କିତ ଭାବେ ୧୪୪ଧାରା ଯାରି ହୋଇଥିଲେ ପୋଲିସବାଲା ଯେମିତି ଓହଳି ଆହାଳି ଆସି ସେ ସ୍ଥାନରେ ପହଞ୍ଚି ଯାଆନ୍ତି ଠିକ୍ ସେହିପରି ମୁଁ ଗୋଟିଏ ହାତରେ ଟ୍ରେକର ଭିତର ପାଖରୁ ରଡକୁ ଧରିଛି ଆଉ ଗୋଟିଏ ହାତ ଛାତ ଉପରେ ଚାଉଳ ବସ୍ତା ଉପରେ ରଖିଛି। ମଝିରେ ମଝିରେ ବଉଳା ମାଇନ୍ସ ରୁ ଲୁହାପଥର ବୋଝେଇ ଟ୍ରକ ଗୁଡାକ ସାଇଟ ମାରିକି ଯାଉଥାନ୍ତି। ଭୟ ବି ଲାଗୁଥାଏ, କାଳେ ବାଜି ଯିବକି।
ଯାହାହେଉ ଗାଡି ଆଗକୁ ମାଡି ଚାଲିଥାଏ। ମଝିରେ ମଝିରେ ଲୋକ ଓହ୍ଲାଇ ପୁଣି ଲୋକ ଭର୍ତ୍ତି କରୁଥାଏ। ମୋ ପାଖରେ ମାତ୍ର ୪୫ମିନିଟ ଥାଏ ଟ୍ରେନ ଧରିବା ପାଇଁ। ମୁଁ ଠାକୁରଙ୍କୁ ଡାକି ଚାଲୁଥାଏ କେମିତି ମୋତେ ନେଇ ଷ୍ଟେସନ ପହଞ୍ଚାଇ ଦିଅନ୍ତୁ ଜଲଦି। ଜଣେ ମଉସାର ଚପଲ ଖସି ପଡିଲା, ତାକୁ ଆଣିବା ପାଇଁ ଦଶ ମିନିଟ ଅପେକ୍ଷା କରିଲୁ। ଆମେ ପାଖାପାଖି ରାଞିଆ ଚାର୍ଜକ୍ରୋମ ଫେକର ଗେଟ କ୍ରସ କରିଯାଇଛୁ ଟ୍ରେକର ର ଗୋଟିଏ ଚକା ପେଞ୍ଚର ହୋଇଗଲା। ମୁଁ ନିର୍ବାକ୍ ପ୍ରାୟ । ଆଉ କୌଣସି ଉପାୟରେ ପହଞ୍ଚିବା ସମ୍ଭବ ନୁହେଁ । ମାତ୍ର ୨୦୫ ମିନିଟ ମୋ ହାତରେ । ସେଠାରୁ ବନ୍ତ ଛକ ପାଖାପାଖି ୧୫ ମିନିଟ ର ରାସ୍ତା । ଏଠି ଯଦି କିଛି ହୋଇପାରେ କେବଳ ଭଗବାନଙ୍କର କୃପା ଦ୍ବାରା ହିଁ ସମ୍ଭବ ।
"ରଖେ ହରି ମାରେ କିଏ ।
ଯାହାକୁ ରଖିବ ଅନନ୍ତ କି କରିପାରେ ବଳବନ୍ତ।
ଅରକ୍ଷିତକୁ ଦୈବ ସାହା ।"
ସବୁ ସତ୍ତେ ମୋର ପ୍ରଗାଢ ବିଶ୍ବାସ ସେହି ପରଂବ୍ରହ୍ମ ପରମେଶ୍ବର ପରମାତ୍ମାଙ୍କ ପଦାରବିନ୍ଦରେ ଥାଏ । ଆଖି ଖୋଜୁଥାଏ ଜଣେ ପରିଚିତ ଅଥବା ସାହାଯ୍ଯକାରି ଦରଦି ବନ୍ଧୁକୁ । କିନ୍ତୁ ମନ ସେହି ପ୍ରଭୁଙ୍କ ଚରଣ କମଳରେ । ମହିମା ସ୍ବାମୀଙ୍କ ଅପାର କରୁଣା । ମୋର ଏ ଦୟନୀୟ ଅବସ୍ଥାକୁ ପ୍ରଭୁ ପରଖୁଥିଲେ ବୋଧହୁଏ । ଶେଷରେ ସବୁ ଭରସା ଛାଡି ଚାଉଳ ବେଗଟିକୁ ଧରି ଦୁଇ ମିନିଟ ସ୍ତବ୍ଧ ହୋଇ ଛିଡା ହୋଇପଡିଲି । ଦୀର୍ଘ ନିଶ୍ବାସଟିଏ ନେବାପରେ ପୁଣି ବେଗ ଉଠେଇ ଚାଲିବାକୁ ଲାଗିଲି ।
ସ୍ବୟଂ ଭଗବାନ ମୋର ଅତି ଅନ୍ତରଙ୍ଗ ପଡୋଶି ଏବଂ ସିନିୟର ରବି ଭାଇ ରୂପରେ ଉଭା ହୋଇଗଲେ । ସେ ଗୋଟିଏ ସ୍କୁଟିରେ ମୋ ପଛରୁ ଆସି ମୋତେ କ୍ରସ କରୁଥିବା ବେଳେ ମୁଁ ତାଙ୍କୁ ଯେତେ ଜଲଦି ଦେଖି ରବିଭାଇ ବୋଲି ସମ୍ବୋଧନ କରିଛି ସେ ବି ଠିକ୍ ଆଶ୍ଚର୍ଯ୍ୟଜନକ ଭାବେ ମୋତେ ଏମିତି ଅବସ୍ଥାର ଦେଖି ଡାକଟିଏ ଦେଇଥିଲେ - ପ୍ରହ୍ଲାଦ,,,,,,!
ସବୁ ସେହି ସଚ୍ଚିଦାନନ୍ଦ ପ୍ରଭୁଙ୍କର ଲୀଳା । ସେ ମୋତେ ତାଙ୍କ ଗାଡିରେ ବସେଇ ମୋ ବେଗ ପତ୍ର ସହିତ ଷ୍ଟେସନ ରେ ପହଞ୍ଚାଇବା ବେଳକୁ ଟ୍ରେନ ପ୍ଲାଟଫର୍ମରେ ଲାଗିସାରିଥିଲା । ଗୋଟିଏ ନିଶ୍ବାସରେ ମୁଁ ଓଭରବ୍ରିଜ ଅତିକ୍ରମ କରି ଟ୍ରେନ ପାଖରେ ପହଞ୍ଚି ଯାଇଥିଲି । କିନ୍ତୁ ଦୁର୍ଭାଗ୍ୟ ଯେ, ମୋ କମ୍ପାର୍ଟମେଣ୍ଟ ବହୁତ ଆଗରେ ରହିଯାଇଥିଲା । ନିରୁପାୟ ହୋଇ ମୁଁ ମୋ ସାମନାରେ ଥିବା ଡବା ଭିତରକୁ ଧକେଇ ପଶିଗଲି । ମୋ ସିଟ୍ ନଂ ଖୋଜି ଖୋଜି ୮ଟି ଡବା ପରେ ପହଞ୍ଚିଗଲି ନିର୍ଦ୍ଦିଷ୍ଟ ସିଟରେ ।
ଏତିକିରେ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତ ହୋଇ ନଥିଲା । ମୋ ସିଟରେ ଜଣେ ବୟସ୍କ ବୃଦ୍ଧ ବ୍ଯକ୍ତି ବସିଥାନ୍ତି । ତାଙ୍କୁ ଦେଖିବାପରେ ମୁଁ ମୋତେ ଦେଖୁଥାଏ ଘରୁ ଆସୁଥିବା ବେଳେ ଗାଡି ପେଂଚର ହେବା ପରର ମୋର କି ଅବସ୍ଥା ଥିଲା । ଈଶ୍ବର ବି ଏତେ ସସ୍ତାରେ କାହାର ଉପକାରର ମହତ୍ତ୍ବ କ୍ଷୁର୍ଣ୍ଣ କରନ୍ତି ନାହିଁ । କଥାରେ ଅଛି - "ଦେଇଥିଲେ ପାଇ । " ମୁଁ ଯେଉଁ ସାହାଯ୍ଯ ପାଇଥିଲି କେମିତି ଭୁଲିଯିବି ? ସେ ବ୍ଯକ୍ତି ଜଣକ ମୋତେ କିଛି କହିବା ଆଗରୁ ମୁଁ ତାଙ୍କ ଠାରୁ ବୁଝିନେଇଥିଲି ତାଙ୍କ ସିଟ ନଂ କେତେ ।
ସମୟ ବଢିଚାଲିଥାଏ । ରାତି ହେଲା । ଖାଇବା ପାଇଁ ମୁଁ ମୋ ସଙ୍ଗରେ ଆଣିଥିବା ରୁଟି, ଭାଜି, ଛେନା ମୁଡକି ଖୋଲିଲି । ତାଙ୍କୁ ମଧ୍ଯ ପ୍ରଦାନ କଲି । ସେ ଖାଇସାରି ବହୁତ ଖୁସି ହେଲେ । ପ୍ରତିବଦଳରେ ଅମାପ ଜ୍ଞାନର ଅଧିକାରୀ ସେ ମଉସା ଭଗବାନଙ୍କ ମୁଖ ନିଶୃତ ଗୀତା ବାଣୀ ଶୁଣାଇଲେ । ଗୀତାର ଜ୍ଞାନଯୋଗ, ଭକ୍ତିଯୋଗ, କର୍ମଯୋଗ ସହିତ ତାଙ୍କ ଦ୍ବାରା ପ୍ରସ୍ତୁତ ଧର୍ମଯୋଗ ବି ଶୁଣିବାକୁ ମିଳିଲା । ଯାହାର ଯେଉଁଥିରେ ଆସକ୍ତି ତାକୁ ସେହି ଜିନିଷ ମିଳିଗଲେ ସେ କେତେ ଖୁସି ହେବ ଆପଣମାନେ ଜାଣିପାରୁଥିବେ ।
ସମ୍ପୂର୍ଣ୍ଣ ଟ୍ରେନ ଯାତ୍ରା ମହାନନ୍ଦରେ ବିତିଗଲା । ସକାଳର ସୂର୍ଯ୍ୟ ଉଇଁବା ବେଳକୁ ଆମେ ଦିଲ୍ଲୀ ପହଞ୍ଚି ସାରିଥିଲୁ ।
