STORYMIRROR

Prahallad Sahoo

Abstract Classics Inspirational

4.5  

Prahallad Sahoo

Abstract Classics Inspirational

ପ୍ରଥମାଷ୍ଟମୀ ଓ ମାମୁଁଘର

ପ୍ରଥମାଷ୍ଟମୀ ଓ ମାମୁଁଘର

2 mins
37

ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପ୍ରଥମାଷ୍ଟମୀ ପାଳନ କରାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ। ଏହା ଆମ ରାଜ୍ୟର ଏକ ପାରମ୍ପାରିକ ପର୍ବ। ପୂର୍ବରୁ ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ ଏହି ମାସ ଠାରୁ ବର୍ଷାରମ୍ଭ ହେଉଥିଲା। ତେଣୁ ସେହି ଦିନ ଠାରୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଆମେ କହିଆସିଛନ୍ତି। 

ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ, କନ୍ୟା ହେଉ କିମ୍ବା ପୁତ୍ର ହେଉ ତାଙ୍କୁ ସ୍ନାନ, ଶୌଚାଦି ପରେ ନୂତନ ବସ୍ତ୍ର ପିନ୍ଧିବାକୁ ଦିଆଯାଏ। ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମାଆ ମାନେ ତାଙ୍କୁ ବନ୍ଦାପନା କରନ୍ତି। ତାପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରିଥାନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ "ପଢୁଆଁ ହେବା" କୁହାଯାଏ। ‘ପଢୁଆଁ’ ଅର୍ଥ ‘ପ୍ରଥମା’ ବା 'ପ୍ରଥମ'।

ଆଜିର ଦିନରେ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ, ସମୃଦ୍ଧି ଓ ଦୀର୍ଘ ଜୀବନ କାମନା କରି ପୂଜାବିଧି ଅନୁଷ୍ଠିତ କରାଯାଏ। ଏହି ଦିନ ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା କରାଯାଏ। 

ପାରମ୍ପରିକ ରୀତି ଅନୁଯାୟୀ ଏହି ଦିନ ମାମୁଁମାନେ ନୂଆଲୁଗା, ମିଠା ଓ ପିଠା ସହ ଭଣଜା ଭାଣିଜୀ ଘରକୁ ଯାଇ ଜ୍ଯେଷ୍ଠ ସନ୍ତାନକୁ ପଢୁଆଁ କରନ୍ତି। ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ହସ ଖୁସିରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ। 

ପ୍ରଥମାଷ୍ଟମୀର ବିଶେଷତଃ ହଳଦୀପତ୍ର ବ୍ୟବହାର କରି ମାଆମାନେ ଏଣ୍ଡୁରି ପିଠା ତିଆରି କରିଥାନ୍ତି। *ଏହା ପଛରେ ଅନେକ ବିଜ୍ଞାନ ସମ୍ମତ କାରଣ ମଧ୍ଯ ରହିଛି। ହଳଦୀ ଏକ ମସଲା ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଏ। ପିଠାରେ ଗୁଡ ବ୍ଯବହୃତ ହୁଏ। ଶୀତଦିନେ ପ୍ରଦୂଷଣରୁ ରକ୍ଷା ପାଇବା ତଥା ହଜମ ଶକ୍ତି ବୃଦ୍ଧି କରିବା ପାଇଁ ଗୁଡ ଖାଇବାର ଏହା ଆଉ ଏକ ସହଜ ଉପାୟ* ଯାହାକି ଖାଲିଟାରେ କେହି ଗୁଡ ଖାଇବାକୁ ପସନ୍ଦ କରନ୍ତି ନାହିଁ। 

ପ୍ରଥମାଷ୍ଟମୀ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧର ଏକ ନିଦର୍ଶନ। ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ। ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ଭାଇ ଭଉଣୀମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରକୁ ଆସିଥାଏ। ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବା ସହିତ ନୂତନ ବସ୍ତ୍ର ପରିଧାନର ବିଧି ଆମ ସମାଜରେ ଏକ ନିଆରାପଣ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract