ଶ୍ରୀବଳଭଦ୍ରଙ୍କ ଜନ୍ମ
ଶ୍ରୀବଳଭଦ୍ରଙ୍କ ଜନ୍ମ
ଓଁ ହଳଧରାୟ ବିଦ୍ମହେ ବଳଦେବାୟ ଧିମହି, ତନ୍ନୋ ହଳୀ ପ୍ରଚୋଦୟାତ୍ ।
*ବନ୍ଦଇ ରୋହିଣୀ ସୁତ ପ୍ରଭୁ ହଳଧର ବଳରାମ।*
*ଶ୍ରୀକୃଷ୍ଣ ଅଗ୍ରଜ ହଳୀ କାମପାଳ ବଳେ ଅନୁପମ।।*
🙏🙏🙏
ଶ୍ରାବଣ ପୂର୍ଣ୍ଣିମା ଦିନ ହଳାୟୁଧ, ଭଗବାନ ଶ୍ରୀବଳଦେବଙ୍କ ଜନ୍ମ ଦିନ ବା ଜନ୍ମୋତ୍ସଵ ପାଳନ କରାଯାଇଥାଏ।
ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ର ଦଶମ ସ୍କନ୍ଧରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିନା କରି କୁହାଯାଇଛି :-
ଅସୁରଙ୍କ ଉତ୍ପାତରେ ପୃଥିବୀ ପ୍ରକମ୍ପିତ ହେବାରୁ ପୃଥ୍ବୀଦେବୀ ମାୟା-ସୁରଭି ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ। ଫଳରେ ଜଗତକର୍ତ୍ତା ବ୍ରହ୍ମା, ମହାଦେବ ଓ ଅନ୍ୟ ଦେବତାମାନଙ୍କୁ ନେଇ, କ୍ଷୀରସାଗରରେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ।
ଅସୁର ମାନଙ୍କ ଉତ୍ପାତ କଥା ଶୁଣି ବିଷ୍ଣୁ ଯାହା କହିଲେ, ସେହି ପ୍ରସଙ୍ଗରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ଭାବତରେ ବର୍ଣ୍ଣିତ ହୋଇଛି।
ବ୍ରହ୍ମା ଦେବଗଣଙ୍କୁ କହିଲେ -
ହେ ଦେବଗଣ! ନାରାୟଣ କହିଲେ, ଶ୍ରୀବଳଭଦ୍ରଙ୍କର ଜନ୍ମ ଯାଦବ ବସୁଦେବଙ୍କ ଘରେ, ଦେବକୀଙ୍କ ପୁତ୍ର ରୂପେ ହେବ। କିନ୍ତୁ ତାଙ୍କର କଳାରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ମଥୁରା ନଗରୀରେ ଦେବକୀଙ୍କର ଗର୍ଭଗତ ହେବେ। ମହାମାୟା ଯୋଗ ବଳରେ ସେହି ଗର୍ଭକୁ ହରଣ କରିନେଇ, ଗୋପ ନଗରୀରେ ନନ୍ଦରାଜାଙ୍କ ଘରେ ଥିବା ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ। ଯଦ୍ବାରା ରୋହିଣୀଙ୍କ ଗର୍ଭରୁ ସଂକର୍ଷଣ ଶ୍ରୀବଳଭଦ୍ର ଜନ୍ମନେବେ।
ପୁନହଃ, ଭାଗବତ ଅନୁସାର, ଶ୍ରୀବିଷ୍ଣୁଙ୍କ ପରାମର୍ଶରେ, ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କର ଗର୍ଭକୁ ହରିନେଇ ଗୋପ ନଗରରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ଫଳତଃ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ର ଜନ୍ମ ନେଲେ।
ବଳରେ ନୋହଁଇ କେହି ସମ ନାମ ତାଙ୍କ ବଳରାମ
ହଳାୟୁଧ କୃଷିର ଦେବତା ସର୍ବ ମୁଖେ ତାଙ୍କ ନାମ।
