ବିଗତ ଦିନର ଗାଁର ଅଭୁଲା ସ୍ମୃତି
ବିଗତ ଦିନର ଗାଁର ଅଭୁଲା ସ୍ମୃତି
ସମୟଟା ଏପାଖରୁ ସେପାଖକୁ କଡ ଲେଉଟାଇ ପଛ କରିଦିଏ। କାଲି ବି ସେ ଥିଲା, ଆଜି ବି ସେ ଅଛି ଏବଂ ଆସନ୍ତା କାଲି ବି ଥିବ; ନଥିବା ଆମେ ଓ ତୁମେ।
କାଲିଭଳି ଲାଗେ ସେ ଶୈଶବର ସାଶ୍ୱତ ଖିଆଲି ମନର କଥା। ମନରେ ନଥାଏ ରାଗ, ଦ୍ବେଷ, ଗର୍ବ, ଅହଂକାର ବିଦ୍ୱେଷର ଭାବ। ସେତେବେଳେ ନା ମନ ଥକିଯାଏ, ନା ଶରୀର! ସବୁ ଯେମିତି ଚଳ ଚଞ୍ଚଳ ଦୃତଗାମୀ ଟ୍ରେନଟିଏ ପରି ଅବିରତ ନୂତନତ୍ବର ଅନୁସନ୍ଧାନରେ ବ୍ଯସ୍ତ ବିବ୍ରତ। ମନ କେବେ ସ୍ଥିର ହୋଇ ଗୋଟିଏ ଜାଗାରେ ରହେନାହିଁ।
ସ୍କୁଲ ଯିବା, ପାଠ ପଢିବା ସହିତ ଏ ମନ ଖୋଜୁଥାଏ ଆଉ କିଛି ନୂଆ। ମନ କାବୁରେ ନଥାଏ। ଯିଏ ଯେଉଁ କଥା କହିଲା ତାହାରି କଥାରେ ମାତି ଚାଲୁ। ଆଜି ପିକନିକ କରିବା ତ କାଲି ବିଲରେ ପାଣି ବାନ୍ଧି ମାଛ ଧରିବା। ସାଇକେଲ ପଛରେ ଆସବାବପତ୍ର ବାନ୍ଧି ପିକନିକ ସ୍ପଟରେ ପହଞ୍ଚିଯାଉ। ହଦଗଡ ଡେମ, ମାଆ ଗଡଚଣ୍ଡି, ପଞ୍ଚୁ ଲିଙ୍ଗେଶ୍ବର, ଶୂନ୍ଯ ମଣ୍ଡପ, ଏମିତି ଅନେକ ଯାଗା ପିକନିକ କରିବା ପାଇଁ ଯାଇଥାଉ। ସାଙ୍ଗରେ ଟେପ ରେକର୍ଡର ଓ ସାଉଣ୍ଡ ବକ୍ସ। ରବି, ମଣ୍ଟୁ, ହରି, ଭାଗବତ, ଗଣେଷ, ଶିବ, ଶରତ, ସମସ୍ତେ ମିଶିଯାଇ କାମ ବାଣ୍ଟି ନିଅନ୍ତି। କିଏ କୁକୁଡା ବନେଇବାରେ ବ୍ଯସ୍ତ ତ ଆଉ କିଏ ମସଲ ଛେଚିବାରେ,,,,,। ଚୁଲିରେ ଜଙ୍ଗଲ କାଠ ଜାଳି ଝରଣା ପାଣିରେ ରୋଷେଇ କରି ଖାଇବାପିଇବାର ମଜା ଘର ଚୁଲିରେ ରାନ୍ଧିବାଢି ଖାଇବାରେ ନଥାଏ।
ଶନିବାର ଓ ରବିବାର ଦୁଇ ଦିନ ଏକରକମର ଅବକାଶ ଦିନ। ସେ ଦୁଇଦିନ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଯାଏ। କେତେବେଳେ ଗାଁର ରାସ୍ତା ତିଆରି ତ ଆଉ କେଉଁଠି ନଈବନ୍ଧ ବାନ୍ଧିବା। ଗଛ ଡାଳରେ ଓହଳି କାଉକାଠି ଖେଳିବା ମନରୁ କେବେ ଯାଏ ନାହିଁ। ସନ୍ଧ୍ଯାରେ ନଦୀ ବାଲିରେ କବାଡ଼ି, ଦାଣ୍ଡିଆ ଖେଳ। ନଦୀ ଆରପଟ ପଡ଼ିଆରେ ଫୁଟବଲ ଖେଳ ଏକ ନିତ୍ଯ ନୈମିତ୍ତିକ ପ୍ରଥା ପାଲଟି ଯାଇଥାଏ। କୁସ୍ତି, କସରତ ଏସବୁ ବି ମଝିରେ ମଝିରେ ଚାଲିଥାଏ।
