ମାଆ ଭଳି କେହି ନାହିଁ ଜଗତେ
ମାଆ ଭଳି କେହି ନାହିଁ ଜଗତେ
ମୋ ମାଆ ପାଠୋଇ ନୁହେଁ ସତ, କିନ୍ତୁ ସେ ଅପାଠୋଇ ନୁହେଁ। ସେ ବେଶୀ ପାଠ ପଢିନଥିଲା। କିନ୍ତୁ, ତାର ପାଞ୍ଚଟି ପିଲାଙ୍କୁ ସେ ହିଁ ପାଠ ପଢ଼ାଇଥିଲା। ଅବଶ୍ୟ ବାପା ସେତେବେଳର ପଞ୍ଚମ ଶ୍ରେଣୀ ପାସ କରିଥିଲେ। ଏହା ସତ୍ୟ ଯେ, ସେ ଆମକୁ ପାଠ ପଢ଼ିବାରେ ସବୁ ପ୍ରକାର ସାହାଯ୍ଯ କରୁଥିଲେ ଓ ଭଲ କରି ଉତ୍ତମ ମଧ୍ୟ୍ୟମ ଦେଇଥିବା ହେତୁ ଆମେ ସମସ୍ତେ ଆଜି ମଣିଷ ପରି ମଣିଷ ହେଲୁ। ସମସ୍ତେ ଚାକିରି ବାକିରି କରି ନିଜ ଗୋଡରେ ଠିଆ ହୋଇଛୁ। ମାତ୍ର, ଅକ୍ଷର ଓ ପଣିକିଆ ଶିଖାଇଥିଲା ମାଆ। ତାହାରି ପାଇଁ ଆମେ ଆଜି ସବୁକିଛି।
ମାଆ ଯେଉଁ ଶିକ୍ଷା ଦିଏ ଆଉ କେହି ଦେଇ ପାରିବେ ନାହିଁ। ମାଆ ହିଁ ପ୍ରଥମ ଗୁରୁ। ମାଆ ହିଁ ଆମକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କୁ ଦର୍ଶନ କରେଇଛି। ମାଆ ଭିତରେ ଏହି ତ୍ରିଦେବ ବିରାଜିତ। *ମାଆ ସୃଷ୍ଟିକାରିଣୀ, ପାଳନକାରିଣୀ, ମୋକ୍ଷ ପ୍ରଦାୟିନି ରୂପେ ବ୍ରହ୍ମା, ବିଷ୍ଣୁ, ମହେଶଙ୍କ ସ୍ବରୂପ।* ମାଆ ସତ୍ତ୍ବ, ତମ, ରଜ ଗୁଣର ଅଧିକାରୀ। ସେଥିପାଇଁ ମାଆ ସର୍ବଂସହା, ଶକ୍ତି ରୂପିଣି, ବିଶ୍ବମୋହିନୀ, ସଂସାର ସଂରକ୍ଷଣୀ, ସନ୍ତାନବତ୍ସଳ, ଶାନ୍ତି, ମୁକ୍ତି ପ୍ରଦାୟିନୀ। ମାଆ କର୍ତ୍ତବ୍ଯ ସାଧନାରେ ସିଦ୍ଧହସ୍ତ। ସ୍ଥାନ, କାଳ, ପାତ୍ର ଅନୁସାର ସେ ଜନନୀ, ଭଗିନୀ ଓ ରମଣୀ ରୂପେ ସ୍ବୟଂସମ୍ପୂର୍ଣ୍ଣ।
ମାଆ କେବେ କାହାକୁ ପିଟିବା, ବାଡେଇବା ଘଟଣା ମୋର ଏବେ ବି ମନେ ପଡୁନି। ଅବଶ୍ୟ, ଆମର ପରୀକ୍ଷାରେ ଖରାପ ହେଲେ ବାପାଙ୍କଠୁଁ ଗାଳି ଶୁଣୁଥିଲା ମାଆ। ଏହି ମୂର୍ଖଟାକୁ ବାହା ହୋଇ ମୋର ସବୁ ପିଲା ମୂର୍ଖ ହୋଇଗଲେ। ଏହା ଥିଲା ବାପାଙ୍କର ନିତିଦିନିଆ ଗାଳି ଓ *ସବୁ ଗାଳିକୁ ମୁଣ୍ଡପାତି ସହିନିଏ ମୋ ମାଆ, କେବେବି ପ୍ରତିବାଦ କରେନି ସେ।* କାରଣ ସେ ବି ଜାଣିଥିଲା ରାଗ ତମ ତମ ହୋଇ କହିଦିଅନ୍ତି ସତ କିନ୍ତୁ ମନରେ ଧରି ବସନ୍ତି ନାହିଁ।
ଆମ ପିଲାଦିନ ସମୟରେ ଗ୍ୟାସ ଚୁଲି ନ ଥିଲା। ଆମର ସବୁଯାକ ରୋଷେଇ କାଠ ଚୁଲିରେ ହୁଏ। ପ୍ରଥମେ ଦିଆସିଲି ମାରି କାଠରେ ନିଆଁ ଲଗାଏ ମାଆ। ଚୁଲି ଫୁଙ୍କା ନଳୀ ସାହାଯ୍ଯ ରେ ଫୁଙ୍କି ଫୁଙ୍କି ସେ କାଠ ଜଳାଏ। ଆମକୁ ପୁଙ୍କ ନଳିରେ ଫୁଙ୍କିବାକୁ ଭାରି ଭଲ ଲାଗେ ସେ ସମୟରେ। ଅବଶ୍ୟ ସେହି ନଳିରେ ଫୁଙ୍କୁଥିବା ଯୋଗୁ ଦିନେ ଦିନେ ଧୂଆଁ ଯୋଗୁ ଆଖି ପୋଡେ ଓ ବାପାଙ୍କଠୁ ସେଥିରେ ମାଡ ବି ଖାଇବାକୁ ପଡିଛି।
ନଦୀକୁ ଗାଧୋଇବାକୁ ଯାଇ ଘଣ୍ଟା ଘଣ୍ଟା ସମୟ ବିତେଇ ନଦୀରେ ପହଁରି ଆସୁ। ଦେହ ହାତ ସବୁ ସେତା ପଡିଯାଇଥାଏ। ବାପା ରାଗିଯାଇ ବେଳେ ବେଳେ ପାଟି କରନ୍ତି କିନ୍ତୁ ମାଆ ସବୁ ସମ୍ଭାଳି ନିଏ।
ଏବେ ସିନା ଘରେ ଘରେ ଦେଶୀ ବିଦେଶୀ ଲାଟ୍ରିନ ହୋଇଗଲା, କିନ୍ତୁ ଆମ ପିଲାବେଳେ ଆମେ ନଦୀକୁ ଯାଉ ଏବଂ ସ୍ନାନ, ଶୌଚ ସାରି ମାଆ ସାଥିରେ ଘରକୁ ଫେରୁ।
କୋଇଲା ଚୁଲିରେ ଆମର ଭାତ, ଡାଲି ବସେ ଓ ମାଆ ପାଉଁଶରେ ବାସନ ମାଜେ। ଅଙ୍ଗାରରେ ବି ସେ ଦାନ୍ତ ଘଷେ। *ପ୍ରତ୍ୟେକ ଦିନ ମାଆ ବଢିଭୋରରୁ ଉଠି ଗୋବର ପାଣି ଅଗଣାରେ ଛିଞ୍ଚି ଝାଡୁ ଲଗେଇ ପରିସ୍କାର କରିଥାଏ।* ପକ୍ଷୀଙ୍କୁ ମୁଢି ଏବଂ ଗୋରୁଗାଈଙ୍କ ପାଇଁ ପାଣି ଦାଣ୍ଡ ଦୁଆର ସାମ୍ନା ଅଗଣାରେ ରଖିଦିଏ।
ଗୁରୁବାର, ସଂକ୍ରାନ୍ତି, ଚତୁର୍ଦ୍ଦଶୀ, ପୂର୍ଣ୍ଣିମାରେ ଗୋବରରେ ଦୁଆର, ପିଣ୍ଡା ଲିପି ପୋଛି ଝୋଟି ପକାଏ। ମାଆ କୌଣଷି ତାଲିମ ପ୍ରାପ୍ତ କଳାକାର ନହେଲେବି ତା ହାତର ଝୋଟିଚିତ୍ର ଅନ୍ଯମାନଙ୍କ ଠାରୁ କିଛି କମ ନୁହେଁ।
ମାଆ ସକାଳର ସବୁ ବାସି କାମ ସାରି ନଦୀକୁ ଗାଧୋଇବା ପାଇଁ ଯାଏ। ନଦୀରୁ ଫେରିଲାବେଳେ ବାଡିରୁ ଆମ୍ବ, ପଣସ, କମଳା ଲେମ୍ବୁ, କଇଥ, ପିଜୁଳି, ଇତ୍ଯାଦି ଯାହା ଗଛରୁ ପାଚି ପଡିଥାଏ ତାକୁ ସାଙ୍ଗରେ ନେଇ ଆସେ।
ମାଆ ତରତର ହୋଇ ଜେଜେଙ୍କ ପାଇଁ ଚାହା ଜଳଖିଆ ସଜାଡି ଗୋଟେ ହାତରେ ଖାଦ୍ଯ ଅନ୍ଯ ହାତରେ ପାଣି ଲୋଟା ନେଇ ଜେଜେଙ୍କ ଦୁଆରେ ପହଞ୍ଚି ତାଙ୍କୁ ଡାକିଥାଏ। ଜେଜେ ନିଜର ସକାଳର ନିତିଦିନିଆ କର୍ମ - ଯୋଗ, ପ୍ରାଣାୟାମ, ଠାକୁରଙ୍କୁ ଆରାଧନା ସାରି ଟିକିଏ ବିଶ୍ରାମ କରୁ କରୁ ଜେଜେବାପା ଉଠି ବସନ୍ତି। ମାଆ ଚଟାଇ ବିଛେଇ ପାଣି ଲୋଟା ଓ ଜଳଖିଆ ବାଢ଼ି ଦିଏ। ପ୍ରଥମେ ଜେଜେଙ୍କ ପାଦରୁ ପାଦୁକା ପାଇସାରି ପ୍ରଣାମ କରିସାରିବା ପରେ ଖାଇବାକୁ ଦିଏ।
ଅତିଥିମାନଙ୍କ ସେବା କରିବାରେ ମାଆ ଆଗଭର। *ଦୁଖୀରଙ୍କି କେହି କେବେ ମାଆ ଘରେ ଥିବାବେଳେ ଦୁଆର ମୁହଁରୁ ଖାଲି ହାତରେ ଫେରି ଯାଏନାହିଁ।* ମାଆ ନିଜ ସକ୍ଷମ ଅନୁସାର ତାଙ୍କୁ ଆତିଥ୍ଯ ରେ ନିଜକୁ ସମର୍ପି ଦିଏ।
ଘରର ଯାବତୀୟ ଘଟଣା, ଖର୍ଚ୍ଚ ବାର୍ଚ୍ଚ, କାମ କାର୍ଯ୍ଯ ଇତ୍ଯାଦି ମାଆ ବାପାଙ୍କ ସହିତ ଆଲୋଚନା କରି ମେଣ୍ଟାଇ ଥାଏ। ଅଭାବ ତ ସବୁବେଳେ ଲାଗିରହିଥାଏ ତଥାପି ସେମାନେ କେମିତି ଆମ ପାଞ୍ଚ ପାଞ୍ଚ ଜଣଙ୍କୁ ପାଠ ପଢେଇ ଘର ଚଳାଉଥିଲେ ଏବେ ମୁଁ ଭାବିଲେ ମୁଣ୍ଡ ଘୂରିଯାଏ।
ମାଆର ହାତ ତିଆରି ଡାଲମା, ସାଗଭଜା, ସନ୍ତୁଳା, ଆମ୍ବୁଲ ସଙ୍ଗେ ମାଛ ତରକାରୀ ଥିଲା ଭାରି ସୁଆଦିଆ। *ସଙ୍ଗେ ସଙ୍ଗେ ମାଆ ନ' ତିଅଣ, ଛ' ଭଜା କରିଦିଏ।* ପର୍ବ ପର୍ବାଣି ଦିନ ମାଆ ଚାଉଳ ଚୁନାରେ ମଣ୍ଡା, କାକରା, ଆରିସା ପିଠା ତିଆରି କରେ। ଏତେ ସୁଆଦ ଲାଗେ ଯେ, ଏବେ ଭାବିଲେ ପାଟିରୁ ଆପେ ଆପେ ଲାଳ ଆସିଯାଏ।
ରଜ ତିନିଦିନ ମାଆକୁ ଫୁରୁଷତ ନଥାଏ। ସବୁଦିନ ପିଠା। ରଜରେ ମାଆ ହାତ ତିଆରି ପୋଡି-ପିଠା, ଦହି-ବରା ଥିଲା ଅତ୍ୟନ୍ତ ନିଆରା। ରଜ ପର୍ବରେ ବନ୍ଧୁବାନ୍ଧବ ସମସ୍ତେ ଆସନ୍ତି। ସେମାନଙ୍କ ଖାଇବା ପିଇବା ଠାରୁ ଯାବତୀୟ କାମ ମାଆ ହିଁ କରେ। ମାଆ ଚିକେନ, ମଟନ ଖାଏ ନାହିଁ ସତ, କିନ୍ତୁ ସମସ୍ତଙ୍କ ପାଇଁ ରାନ୍ଧିଥାଏ।
ସମସ୍ତେ ଖାଇ ସାରିଲା ପରେ ସବୁଦିନ ଶେଷରେ ସେ ଖାଏ। ବେଳେବେଳେ ତରକାରୀ ସରିଗଲେ ମାଆ ଖାଇଥାଏ କେବଳ ଭାତ ଓ ଆଳୁ ପୋଡା। ବହୁବାର ମାଆ ସାଙ୍ଗରେ ଖାଇବାକୁ ଆମେ ଭାଇ ଭଉଣୀ ବାଡିଆ-ବାଡ଼ି ହେଉ। ମାଆ ହାତରୁ ଥରୁଟିଏ ଖାଇଦେଲେ ଆତ୍ମା ତୃପ୍ତି ହୋଇଯାଏ। *ସବୁ ନାଁ,ନାଁ, ସତ୍ତ୍ବେ ମାଆ କାହାଣୀ ଶୁଣେଇ କେତେବେଳେ ଖୁଆଇ ଦିଏ ବୋଧହୁଏ ଦୁନିଆର ଆଉ କହାରିକୁ ଏହି କଳା ଜଣା ନଥିବ!!!*
ମାଆ ତୋ ଆକଟ, ମାଡ ଗାଳିରେ ଯେଉଁ ଆତ୍ମୀୟତା ଥାଏ ଆଜି ମୋ ପାଇଁ ସେ ସବୁ ବିରଳ। ବେଳେ ଅଧେ ଚାପୁଡେ ମାରିଥିଲେ ତୁ ଦିନଯାକ ନଖାଇ ନପିଇ ଅବଶୋଷ କରୁଥାଉ। ମୁଁ ନଖାଇବା ଯାଏ ତୁ ଖାଇ ନଥାଉ। ଆମ ପାଇଁ ତୁ କେତେ ଉଜାଗର ରହିଛୁ, କେତେ ଭୋକ ଉପାସରେ ରହିଛୁ ତାହା ତୁ ହିଁ କେବଳ ଜାଣୁ। ଏମିତିକି, ବାପାଙ୍କୁ ବି ତୁ ଜଣାଉ ନାହିଁ।
ସତରେ, ମାଆର ସ୍ଥାନ କେହିବି ନେଇ ପାରିବ ନାହିଁ। ମାଆ, ତୁ ଆଜି ଗାଁରେ, ମୁଁ ହତଭାଗା ତୋ ଠାରୁ ବହୁତ ଦୂରରେ। ହେଲେ, ତୋ ସ୍ମୃତି ମୋର ମନେ ପଡେ ବାରମ୍ବାର। ମୁଁ ସେ ସ୍ମୃତି ସବୁ ସାଇତି ରଖିଛି। କେବେ ଭୁଲିଛି, ନାଁ, କେବେ ଭୁଲିପାରିବି?? ତୁ ପାଖରେ ନଥିଲେ କଣ ହେବ, ତୁ ତ ମୋ ହୃଦୟରେ ଅଛୁ, ନା!!!
🌺🪷🌸
