ବାଘର ଫାଗକୁ ଡର
ବାଘର ଫାଗକୁ ଡର
ଦିନରେ ବି ଡର ଲାଗେ ସେ ଜାଗାକୁ ଯିବାପାଇଁ। ଯଦିଓ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତିୟ ଅଭୟାରଣ୍ୟ କିମ୍ବା ବ୍ଯାଘ୍ର ସଂରକ୍ଷଣ ଉଦ୍ଯାନ ନୁହେଁ ତଥାପି ସେ ନିଘଞ୍ଚ ସ୍ଥାନର ଡର ସାରା ରାଜ୍ଯରେ ବ୍ଯାପିଥାଏ। ସଞ ହେଲେ ତ ସେ ସ୍ଥାନର ପାଖ ମାଡିବା ଅସମ୍ଭବ କାରଣ ଅନେକ ପ୍ରକାରର ଭୟଙ୍କର ସ୍ବର ସେ ଅନ୍ଧାରିଆ ନିର୍ଜନ ସ୍ଥାନ ଭିତରୁ ଶୁଣିବାକୁ ମିଳେ। ବହୁତ ବିଷଧର ସାପ ମାନଙ୍କର ଆଶ୍ରୟ ସ୍ଥଳୀ ସେ ଜଙ୍ଗଲ।
ତିନି ପାର୍ଶ୍ବ ଗାଆଁର ଜନବସତି। ଗୋଟିଏ ପାଖ ନଦୀଟିଏ ପ୍ରବାହିତ ହୋଇ କେଉଁ କାଳରୁ ବହିଚାଲିଛି। ସେହି ଚିରସ୍ରୋତା ନଦୀର ନାମ ସାଳନ୍ଦୀ। ବୋଧହୁଏ ସେହି ନଦୀ ହିଁ ସେ ଜଙ୍ଗଲୀ ପ୍ରାଣିଙ୍କର ଜୀବନ ପ୍ରବାହକୁ ସହଜ କରିଛି। ଚିରସ୍ରୋତା ନଦୀ ହୋଇଥିବାରୁ ସମସ୍ତଙ୍କ ପାଇଁ ସେ ବରଦାନ। ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ବି ସେ ନଦୀରୁ ପାଣି କେବେ ସୁଖେ ନାହିଁ। ତେଣୁ ପିଲା ଠାରୁ ବୁଢା ଯାଏ ସମସ୍ତେ ତା ଉପରେ ନିର୍ଭର କରି ଚଳନ୍ତି। ବନ୍ୟଜନ୍ତୁଙ୍କ ପାଇଁ ସେ ନଦୀ ତ ଅମୂଲ୍ଯ ସମ୍ପଦ। ଅନେକ ସମୟରେ ନଦୀରୁ ପାଣି ପିଉଥିବାର ବନ୍ୟଜନ୍ତୁଙ୍କୁ ଦେଖାଯାଇଛି।
ବାଘ, ଭାଲୁ, ଠେକୁଆ, ନେଉଳ, ମାଙ୍କଡ, ଶିଆଳ, ଗଧିଆ, ଜଙ୍ଗଲୀ ଘୁଷୁରୀ, ବିଲେଇ, କଟାସ, ଅଗଣିତ ସାପ ମାନଙ୍କ ମଧ୍ଯରୁ ଅଜଗର ବି ସେଠାରେ ଦେଖାଯାଏ। ପାଖ ଗାଆଁର ଛେଳି, କୁକୁଡା, ବତଖ, ଏମିତିକି ଗୋରୁ ଗାଈ ଉଭେଇ ଯାଉଥିବାର ଅନେକ ନଜିର ଅଛି। ଗୃହପାଳିତ ପଶୁ ବନ୍ୟଜନ୍ତୁଙ୍କ ଶିକାର ହେବାର ଦେଖାଯାଇଛି। କିଏ ନେଇଯାଉଛି ଭାବି ଖୋଜାଖୋଜି କରି ନିଜ କାର୍ଯ୍ଯରେ ପୁଣି ଲୋକମାନେ ବ୍ଯସ୍ତ ହୋଇଯାଆନ୍ତି। କିନ୍ତୁ ଏବେବି ସେ କଥା ରହସ୍ୟାବୃତ୍ତ।
ପୁଣ୍ଟିଆ, ଅର୍ଜୁନ, ଜାମ, ତେନ୍ତୁଳି, କମଳା, କରମଙ୍ଗା, ନିମ୍ବ, କରଞ୍ଜ, ଆମ୍ବ, ବେଲ, କଇଥ, କୃଷ୍ଣଚୂଡ, କଦମ୍ବ, ପିଜୁଳି, ତାଳ, ଖଜୁରି, ନଡିଆ, ଜାମରୋଳ, ସଫେତା, ବେତ, ବରକୋଳି, ବର, ଓସ୍ତ, ଦେବଦାରୁ, ଡିମ୍ବିରି, ସାହାଡା, ପଣସ, ସପୁରୀ, ବାଉଁଶ, ପିଠାଆଳୁ, ବଇଁଚ କୋଳି, କାନକୋଳି, ବଉଳ କୋଳି, କନିଅର, ଅରଖ, ବିଭିନ୍ନ ପ୍ରକାରର ଫୁଲ ସହିତ ନାନା ଜାତିର ସିଝୁ ଗଛ ଇତ୍ୟାଦି ସେ ଜଙ୍ଗଲରେ ଏମିତି ଭାବେ ଭରପୁର ଯେ କାହାରିଙ୍କର ଖାଦ୍ଯ, ବାସଗୃହର ଅଭାବ ହୁଏନାହିଁ।
କହ୍ନେଇ ମଉସା ସେଦିନ ଆମ୍ବ ତୋଳିବା ପାଇଁ ସେ ଜଙ୍ଗଲକୁ ଯାଇଥାନ୍ତି। ଛୋଟ ମୋଟ ଗଛରୁ ଆମ୍ବ ତୋଳିସାରି ଆଉ ଟିକିଏ ଭିତରକୁ ଚାଲିଗଲେ ବଡ ବଡ ଗଛରୁ ଆମ୍ବ ତୋଳିବା ପାଇଁ। ସେତେବେଲକୁ ସଞ୍ଜ ହୋଇସାରିଥାଏ। ବିଲୁଆ ଶିଆଳ ଈତ୍ଯାଦି ନିଜ ନିଜର ଖାଦ୍ଯ ଅନୁସନ୍ଧାନ କରିବା ସହିତ ଯାହା ମିଳୁଥାଏ ଖାଉଥାନ୍ତି। ସେମାନେ ଭୋକିବା ବି ଆରମ୍ଭ କରିଦେଲେଣି। କହ୍ନେଇ ମଉସା ପୁରା ଶରୀରଟାକୁ ଏମିତି ଭାବେ ଘୋଡେଇ ରଖିଥାନ୍ତି ଯେ ପାଖରୁ ନଦେଖିଲେ ଜାଣି ହେବନାହିଁ ସେ କିଏ ବୋଲି।
ଆମ୍ବ ଗଛକୁ ଚଢି ଆମ୍ବ ତୋଳୁଥାନ୍ତି। କିଛି ଆମ୍ବ ତଳେ ପତ୍ର ଉପରେ ପଡି ଅଜବ ଗଜବ ଶବ୍ଦ ଶୁଭୁଥାଏ। ତାଙ୍କୁ ବି ଅଳ୍ପ ଅଳ୍ପ ଭୟ ଲାଗୁଥାଏ।
ସେ ଗଛକୁ ଯେତେବେଳେ ହଲେଇବାକୁ ଲାଗିଲେ ଏକ ଅଜବ ଶବ୍ଦ ଶୁଣିବାକୁ ପାଇଲେ। କିଛି ମାଙ୍କଡ ମାନଙ୍କର ଶବ୍ଦ ସହିତ ହେଟାବାଘର ଶବ୍ଦ ବି ଶୁଭୁଥାଏ। ସେ ଆହୁରି ଡରିଗଲେ। ସେମାନେ ବି ଭୟଭୀତ ହୋଇ ଅଜବ ଅଜବ ଶବ୍ଦ କରିବାକୁ ଲାଗିଲେ।
ଧୀରେ ଧୀରେ ସେ ଓହ୍ଲାଇବାକୁ ଚେଷ୍ଟାକଲେ। କିନ୍ତୁ ଦେହ ହାତ ଥରୁଥିବାରୁ ଠିକ ଭାବେ ଓହ୍ଲାଇ ପାରୁନଥାନ୍ତି। ରାତ୍ରିଚର ଜୀବଜନ୍ତୁଙ୍କ ଯାତାୟତ ଆରମ୍ଭ ହୋଇ ଆସିଲାଣି। ସେ ଓହ୍ଲାଇବା ସମୟରେ ଟିକିଏ ଗଛ ଉପରକୁ ଚାହିଁଦେଲେ। ତାଙ୍କର ହୃତପିଣ୍ଡର ସ୍ପନ୍ଦନ ବଢିବାକୁ ଲାଗିଲା। ସେ ବିଶ୍ୱାସ କରିପାରିଲେ ନାହିଁ ଯେ ସେ ଗଛରେ ହେଟାବାଘଟାଏ ବି ତାଙ୍କୁ ଅନେଇ ବସିଛି। ସେ ନିଜର ଭାରସାମ୍ଯ ହରେଇ ତଳକୁ ଖସି ପଡିଲେ। କିନ୍ତୁ ଅଳ୍ପକେ ଗୋଟିଏ ଡାଳ ଧରି ଅଟକୁ ଥିବା ବେଳେ ସେ ଡାଳଟି ଭାଙ୍ଗିଗଲା। ସେ ଭାଙ୍ଗିବା ଶବ୍ଦ ଶୁଣି ବାଘଟା ଗଛ ଉପରୁ ତଳକୁ ଡେଇଁ ପଡିଲା। ଛାନିଆରେ କହ୍ନେଇ ମଉସା ଦୁଇଗୋଡ ଦୁଇହାତ ଭରା ଦେଇ ଦୌଡିବାକୁ ଲାଗିଲେ। କିଛି ପାଦ ଦୌଡିବା ପରେ ଦେଖିଲେ ଯେ ବାଘଟା ତାଙ୍କ ଆଗରେ ଦୌଡୁଛି। ସେ ଆଶ୍ବସ୍ତ ହୋଇ ନିଜର ଦିଗ ପରିବର୍ତ୍ତନ କଲେ ଏବଂ ଏକମୁହାଁ ହୋଇ ଘର ଆଡକୁ ଚାଲିଲେ। ମଉସା ବାଘକୁ ଡରୁଥିବା ବେଳେ ବାଘ ମଉସାକୁ ଡରି ପଳାଇ ଯାଇଥିଲା। ସେଦିନ ତାଙ୍କର ବେଶଭୁଷା ତାଙ୍କ ପ୍ରାଣ ରଖିଦେଲା। କଥାରେ ଅଛି, ବାଘର ଫାଗକୁ ଡର। ମଉସାର ବେଶଭୁସାକୁ ଦେଖି ବାଘ ଡରିଯାଇଥିଲା। ମଉସା ଅଳ୍ପରେ ବଞ୍ଚିଗଲେ।
