ଫେରିଚାଲ ମନ ଗାଁର ଧାନକ୍ଷେତକୁ
ଫେରିଚାଲ ମନ ଗାଁର ଧାନକ୍ଷେତକୁ
ବର୍ଷା ହେଲେ ବିଲବାଡି କାମ ଆରମ୍ଭ ହୋଇଯାଏ। ବିଲବାଡି କାମ ଆସିଲେ ସେଥିରେ ଲାଗିଯିବା ଏକ ଅଲଗା ଅନୁଭୂତିର କଥା। ଖତ ବୁହା ସମୟରେ ଗୋବର ଗାଡିଆରୁ ଖତ ବସ୍ତାରେ ଭରି ସାଇକେଲ ରେ ଲଦି ପଛରୁ ପେଲିଲେ ମଜୁରିଆ ନେଇଯାଏ ବିଲକୁ। ଖତ ସବୁ ଢାଙ୍କିବା ପାଇଁ କ୍ଷେତକୁ ଯିବାକୁ ପଡେ। ଏହି ସମୟରେ କାହାରି ସାଇକେଲ ପଛରେ ବସି କ୍ଷେତକୁ ପଳାଉ। ଖତ ଉପରେ ମାଟି ଢାଙ୍କିଦେଇ ଫେରିଆସୁ ଯେମିତି ବର୍ଷାପାଣିରେ ଖତ ଧୋଇ ନଯିବ।
ଅଖିତୃତିଆରେ ଅଖିମୁଠି ନେଇ ବାପା, ଦାଦା ଯେତେବେଳେ କ୍ଷେତକୁ ଯାଆନ୍ତି ତାଙ୍କ ସହିତ ପଛରେ ଧାଇଁ ଧାଇଁ ବିଲରେ ପହଞ୍ଚିଯାଉଁ। ତାଳମଞକୁ କାଟି ତାର ଶସ ଭୋଗ କରାଯାଇଥାଏ। ସେ ଭୋଗକୁ ନିଆର ଭୋଗ କହିଲେ ଅତ୍ୟୁକ୍ତି ହେବନାହିଁ।
ଧୀରେ ଧୀରେ ଚାଷକାର୍ଯ୍ଯ ଅନୁକୂଳ ହୋଇ ହଳ କରିବା, ବିହନ ବୁଣିବା, ତଳା ଉପାଡିବା, ଧାନ ରୋଇବା, ବଛାବଛି, ବିହିଡା, ଜାଆଁଳା, ମହୀ ଚଲେଇବା, ବାଟିଆ ପକେଇବା, ବାଳୁଙ୍ଗା ବାଛିବା, ସାର ଦେବା ଇତ୍ୟାଦି ନାନା ପ୍ରକାରର କାମ କ୍ଷେତରେ ଆରମ୍ଭ ହୋଇଯାଏ।
ହଳ ସମୟରେ ବିଲକୁ ହଳିଆଙ୍କ ପାଇଁ ପଖାଳ ଭାତ, ଶୁଖୁଆ ପୋଡା, କଞ୍ଚା ଲଙ୍କା, ଆମ୍ବୁଲ, ରସୁଣ ସଙ୍ଗେ ସାଗ ଭଜା ନେଇ ଯିବା ସେ ସମୟର ବଡ ଖୁସିର କଥା। ବେଳେବେଳେ ବାପା କି ଦାଦା ହୋଇଥିଲେ ଲୋଭ ସମ୍ଭାଳି ନପାରି ତାଙ୍କ ସହିତ ଖାଇବାରେ ଲାଗିଯାଉଁ। ବଳଦ ପଛରେ ଧାଇଁ ଧାଇଁ ବଳଦ ଗୋଡେଇବା ଆଉ ଏକ ଅନୁଭୂତି। ବଳଦ ଗୋଡରେ ବେଳେବେଳେ ଫାଳ ଲାଗିଯାଏ, ବଳ ଫିଟେଇ ଘରକୁ ବାପା ଫେରନ୍ତି ମନ ଦୁଃଖ କରି। କାରଣ ଦୁଇଦିନ ବର୍ତ୍ତମାନ ହଳ ବନ୍ଦ ହୋଇଯିବ, ଯେପର୍ଯ୍ୟନ୍ତ ବଳଦ ଗୋଡ଼ର ଘାଆ ନଶୁଖିଛି। ଆଉ କେତେବେଳେ ବଳଦଙ୍କୁ ଫାଟୁଆ ହୋଇଯାଏ। ବଳଦ ଚାଲିପାରନ୍ତି ନାହିଁ କାମ କଣ କରିବେଯେ?
ଶୀତ ଦିନ ଆରମ୍ଭରୁ ଧାନ ପାଚିବା ଆରମ୍ଭ ହୋଇଯାଏ। ସକାଳୁ ସକାଳୁ ଧାନ କାଟିବାକୁ ଘର ଲୋକ ଗଲେ ତାଙ୍କ ପାଇଁ ଭାତ ନେଇ ବିଲକୁ ଯିବାହୁଏ। ଅଳ୍ପ ବହୁତ ଧାନ କେରାଏ କାଟି ହାତ ଗୋଡ ଖଣ୍ଡିଆ ଖାବରା କରି ଘରକୁ ଫେରିବାରେ ଅଫୁରନ୍ତ ଆନନ୍ଦ। ଧାନ ବନ୍ଧା ହୁଏ ବଡିଭୋରୁ ନହେଲେ ଧାନ ଶୁଖିଯାଇ ଛିଡିପଡିବ। କାକର ସମୟରେ ଭୋରୁ ବାନ୍ଧିଲେ ଧାନ ନଷ୍ଟ ହୁଏନାହିଁ।
ଧାନ କଟା ପରେ ଧାନ ବୁହା ହୁଏ। ଗୋଟିଏ ଜାଗାରେ ଧାନ ଗଦା କରାଯାଏ। ସେହିଠାରୁ ଧାନ ବୋହିବା ସୁବିଧା ହୁଏ। ଗୋଟିଏ ଲେଖା ବିଡା ବାହୁଙ୍ଗିର ଦୁଇପଟେ ଦୁଇବିଡା ବାନ୍ଧି କାନ୍ଧରେ ରଖି ବିଲରୁ ଘରକୁ ଆଣିବା ବହୁତ ମଜା ଲାଗେ। ତାପର ଦିନ କାନ୍ଧ ସବୁ ବଥା ହୋଇଯାଇଥାଏ।
ବଳଦ ଉପରେ ପଲ୍ହାଣ ପାରି ପାଣ୍ଠିରେ ଧାନ ବାନ୍ଧି ବଳଦ କାନ୍ଧ ଉପରେ ଦୁଇଭାଗ କରି ରଖି ଦିଆଯାଏ। ତାପରେ ବଳଦକୁ ଚାଲ ବୋଲି କହିଲେ ସେ ଧଡପଡ ହୋଇ ଦୌଡିବା ଆରମ୍ଭ କରିଦିଏ। ତାକୁ ଟିକିଏ ନିଘା ରଖିବା ପାଇଁ ତା ପଛରେ ଦୌଡୁଥାଉଁ। ହେ, କାଳିଆ ଚାଲ; ହେ ନାଲୁ ଚାଲ ଚାଲ,,,,।
ଘରେ ପହଞ୍ଚି ପାଣ୍ଠି ଖୋଲି ଧାନକୁ ବଦାଡି ଦିଆଯାଏ। ବଦାଡି ଦେବାବେଳେ ଛଣ ଉପରକୁ ଛାଟିଲେ ବଦାଡି ଦେବା ଲୋକ ବଦାଡି ଦିଏ। ସେ ବି ଆଉ ଏକ ପ୍ରକାରର ମଜା। ସବୁ ଧାନ କ୍ଷେତରୁ ଉଠିସାରିବା ପରେ ଶେଷଦିନ କ୍ଷେତ ବଢ଼ାଯାଏ। ସେଦିନ କ୍ଷେତରେ ଖଇ, ନଡିଆ ଭୋଗ ଲଗାଯାଏ। ରାସ୍ତା ସାରା ସମସ୍ତଙ୍କୁ ବାଣ୍ଟି ବାଣ୍ଟି ଘରକୁ ଆସୁ।
ଧାନ ପିଟା ବା ଝଡେଇବା ସମୟରେ ଝଡାଉଥିବା ଲୋକଙ୍କ ସହିତ ଠିଆ ହୋଇ ଧାନ ଝଡେଇବାରେ ଅନେକ ଖୁସି ମିଳେ। ଧାନ ଉଡା ସମୟରେ କୁଲେଇ ଧରି ଧାନ ଉଡାଯାଉଥିବା ବେଳେ ଆମେ ଏପଟ ସେପଟ ହେଲେ ଘରଲୋକ ବିରକ୍ତ ହୁଅନ୍ତି। ବେଳେବେଳେ ଧାନ ଉଡେଇ ଧାନରୁ ଅଗାଡି ବି ବାହାର କରୁ। ପୁଣି ଧାନ ଅମାର ବା ମରେଇରେ ଢଳାଯାଏ। ଧାନ ବସ୍ତାରେ ଭରିବା ସମୟରେ ବସ୍ତା ଧରିଥାଉ, ସେ ବେଳେବେଳେ ହାତରୁ ଖସିପଡିଲେ, ଗାଳି ଶୁଣିବାକୁ ପଡେ।
ଅନାବନା ଧାନମିଶା ଛଣକୁ ପୁଣି ବେଙ୍ଗଳା ବା ପତୁଳି ପକାଯାଏ। ସବୁଠୁ ସୁନ୍ଦର ଓ ନିଆରା ଅନୁଭବ ସେହି ବେଙ୍ଗଳାରେ ଚାଲୁଥିବା ବଳଦଙ୍କୁ ଗୋଡେଇବା। ମଝିରେ ମଝିରେ କେଳାବାଜି ଖେଳି ବଳଦ ଲାଞ୍ଜ ଧରି ଓହଳି ପଡିବା ଏବଂ ସେମାନେ ଗୋବର କରିଦେଲେ ତାକୁ ଧରୁ ଧରୁ ହାତରେ ଲାଗିଗଲେ ଶୀତଦିନିଆ ଉଷୁମ ଲାଗେ ଏବଂ ଏକ ଅଲଗା ଅନୁଭୂତିର କଥା ମନ ଭିତରେ ଉଙ୍କିମାରେ।
ଏମିତି ଅନେକ ନିଆରା ଅନୁଭୂତିରେ ଗାଁ ଧାନକ୍ଷେତ କଥା କହିଲେ ସରିବ ନାହିଁ।
