ତଥାପି
ତଥାପି
ଶୁଣିପାରେ ସେ ବେଶ , ଝିଅଟାର ଯିବା ଆସିବା ଗତି । ସକାଳ ,ସଞ୍ଜ,ଅର୍ଦ୍ଧ ରାତି। ହଁ ସେ କେବେବି ଯାଇପାରେ କୁଆଡେ ,ମୁକ୍ତ ଝିଅ ଆଧୁନିକା । ଚାଲିଗଲେ ସ୍ପଷ୍ଟ ଶୁଭେ ପଏଣ୍ଟେଡ଼ ହିଲ୍ ର କୋଳାହଳ । ହେଲେ ସେଇତକ କିନ୍ତୁ ଭାରି ସଂଗୀତମୟ ତା' ପାଇଁ । କେମିତି ଗୋଟେ ଛାତିର ଧକ ଧକ ବଢ଼େଇ ଦିଏ ବେଶ ପ୍ରାକୃତିକ ଭାବରେ ।
ଅବୋଧ୍ୟ ଲାଗେ ସବୁବେଳେ ଝିଅଟାର ମତି ଗତି । ବେଳେବେଳେ ଟଳମଳ ହୁଏ ତା' ହିଲ୍ ର
ସଙ୍ଗୀତ ପୁଣି କେବେ ସାଥିରେ ଥାଏ ମଚ ମଚ ଜୋତାର ଶବ୍ଦ । ଥାନ୍ତି ହୁଏତ ଏକ ରୁ ଏକାଧିକ ପ୍ରେମ ବଣିକ । ରୁହନ୍ତି ନାହିଁ ସବୁବେଳେ ଆୟୁଷ ସେଗୁଡ଼ିଙ୍କର
କ୍ଷଣିକ ।
ତଥାପି ଭଲ ଲାଗେ ଝିଅଟା , ତଥାପି ସେ ଜଗେ ତା' ହିଲ୍ ର ହଲଚଲ । ତଥାପି କାନ ଖୋଜେ ତା ଆତ ଜାତର ସଙ୍ଗୀତ । ସୁନ୍ଦରୀ ମାନେ ଅମ୍ଳଜାନ ଭଳି ଭାରି ଜରୁରୀ ହଜାରେ ପ୍ରଦୂଷଣ ପରେବି।
ବଲକୋନିରୁ ଝାଙ୍କେ ସେ ବେଳ ଅବେଳରେ ଦେଖିବାକୁ : ଶୁଖୁ ଥିବା ୟାନାର କହରା କେଶର ଉଜ୍ଜ୍ୱଳତା , ଗମଲାରେ ଫୁଟିଥିବା ଆର୍କିଡ଼ର ସୌନ୍ଦର୍ଯ୍ୟତା , କଫି ଧରା ବ୍ରେସଲେଟ୍ ପିନ୍ଧା ହାତର ମସୃଣତା , ଆବଶ୍ୟକ ଠାରୁ ଅଧିକ ଆକର୍ଷିତ କରୁଥିବା ଟାଟୁର ବିଚିତ୍ରତା । ତଥାପି ଭାବିବାକୁ ଭଲ ଲାଗେ ତାକୁ ଏମିତି ଯେ : ଘଟୁଛି କିଛି ହଁ ହଁ ,ଘଟୁଛି କିଛି ।
ତଥାପି ଝିଅଟି ସହ କିଛି କଥା ହେବା କଥା ଭୁଲି ଯାଉଥିଲା ସେ ରୋଜ କେଜାଣି କେମିତି !.......
ରବିବାର ସକାଳୁ କଲିଂ ବେଲ ଶୁଣିଲେ ଭାରି ଭଲ ଲାଗେ । ନିଜର କେହି ଆସିଥାଉ , ଘର ଟିକେ ଭରିଯାଉ , ଅଳ୍ପ ସମୟ ପାଇଁ ହେଉ ପଛେ ଉଷ୍ମତା ଛାଇ ଯାଉ । ଏକୁଟିଆ ମଣିଷ ପାଇଁ ସେଇତକ ଖୁସି ।
ସେ ଦୌଡ଼ିକି କବାଟ ପାଖକୁ ଗଲା ,କିନ୍ତୁ ଖୋଲି ପାରିଲା ନାହିଁ । ରୋକ ଅଛି , ମନରେ । ଭୟ ସେ ରୋକର ନାଁ । 'କି ହୋଲ୍ ' ସେଇ ଭୟର ସମାଧାନ । ଦେଖିବାକୁ ହୁଏ । କେଜାଣି କିଏ , ହୁଏତ ଆତତତାୟୀ , ଅସାମାଜିକ , ଦଗାଦିଆ , ଚୋର , ଚଣ୍ଡାଳ । ଜାଣିବା ମୁସ୍କିଲ , ତେଣୁ ଦେଖିବା ଜରୁରୀ । ଅଚିହ୍ନା ମୁହଁକୁ ଦର୍ଜା ଖୋଲିବା ମନା । ପଚାରି ନେବାକୁ ପଡେ , କିଏ ? କାହାକୁ ଖୋଜୁଛ ? କି କାମ ?
ଏଇ ଯେଉଁ ଅନ୍ ଲାଇନ୍ ବେପାରୀ ଦଳ ଫ୍ଲିପକାର୍ଟ , ଅମାଜନ୍ , ସ୍ୱିଗି , ଜମାଟୋ । ବିଶ୍ୱାସ ନାହିଁ ଏମାନଙ୍କୁ ମଧ୍ୟ । ଘଟିପାରେ କିଛି ଅଘଟଣ । ତେଣୁ ସେ କେବେ ପଡେନା ସେଗୁଡିଙ୍କ ପାଲରେ । ଭୟର ପରିସର ଭିତରୁ ନିଜକୁ ମୁକ୍ତ ରଖେ ।
ସୁରକ୍ଷା ନାହିଁ ଆଉ କେଉଁଠି !.......
ଧେତ୍ 'କି ହୋଲ୍ ' ପାଖରୁ ଆମାଜନ୍ ଯାଏଁ ଚାଲିଗଲାଣି ସେ। ମନ ବଡ଼ ଦ୍ରୁତ । କୁଆଡେ ମଧ୍ୟ ଯାଇପାରେ ।
ଆଖିକୁ ବିଶ୍ୱାସ ଆସିଲା ନାହିଁ । ସେ ମଳି କି ଦେଖିଲା ପୁଣି ଥରେ । ଚିମୁଟି ମଧ୍ୟ ନେଲା ନିଜକୁ ଜୋରରେ । ଅଭାମୟ ଦିଶୁଛି ମୁହଁ । ଯେମିତି ଏଇ ନିଦରୁ ଉଠିଛି ଅଳସୀ । ଛାଡିନି ନିଦର ବହଳ ମାଦକତା , ସରିନି ଥକାପଣ , ଉତୁରି ଯାଇନି ରାତିର କଜଳ । ଆଃ ! ୟାନା !............
କୁଆଡେ ଆସିଥିବ ଝିଅଟା ଏମିତି ଅସଜଡ଼ା ଅଥଚ ଅନନ୍ୟା ରୂପ ଧରି ରାତି ଗାଉନ୍ ରେ । କେମିତି ଟିକେ ଅଶ୍ଳୀଳ ଆମନ୍ତ୍ରଣ ଧରି ଦେହ ମନରେ । ଭାବିବାକୁ ବେଳ ନାହିଁ, ଖୋଲିବାକୁ ଡେରି ହେଲାଣି
ଦର୍ଜା ।
ସେ ଖୋଲିଦେଲା ଦର୍ଜା ଆଉ ଅନେଇଲା ବୋକା ଆଖିରେ । କିନ୍ତୁ ତାକୁ ଏକଦମ ଠେଲି ଦେଇ ଘର ଭିତରକୁ ପଶି ଆସିଲା ଝିଅଟା ଯେମିତି ସେଇଟା ତା' ନିଜ ଘର ।ହାତରେ ଧରିଥିବା ଅତିକାୟ ବ୍ୟାଗ୍ ଟାକୁ କଚାଡି ଦେଲା ସୋଫା ଉପରେ। ଆଉବସିଗଲା ଲଥ କରି ଡିଭାନ୍ ଉପରେ ।
ବେଶ ସହଜ ହେଇ କହିଲା , '' ବ୍ଲାକ୍ କଫି ପ୍ଲିଜ !"
ସେ କିଛି ବୁଝିଲା ନାହିଁ । କେବଳ ଗଲା କିଚେନ୍ , ବନେଇଲା ବ୍ଲାକ୍ କଫି ଆଉ ଧରି ଆସିଲା ବାଧ୍ୟ ମଣିଷ ଭଳି । ଧରେଇ ଦେଲା ସେତକ ଝିଅଟିକୁ । ଆଉ ପିଇଲା ତା' ଓଠର ମସୃଣତାକୁ ଆଖିର ପିଆଲାରେ ଧୀରେ ଧୀରେ । ୟାନା କଫି ଶେଷ କଲା ଆଉ ବାଥରୁମ ଚାଲିଗଲା । ଏକା ପ୍ଲାନ୍ ର ଫ୍ଲାଟରେ ଖୋଜିବାକୁ ଅଡୁଆ ହୁଏନି କିଛି ।
ଝିଅଟା ଆଖିରୁ ହଟିବା ପରେ , ସେ ବୁଝିଲା ଯାହା ଘଟୁଛି ସେତକ ଫିଲ୍ମ ନୁହେଁ ସତ । ଏଇ ଏବେ ୟାନା ଭିଜୁଛି ଫେନିଳ ବଡ଼ି ୱାଶ୍ ର ଧଳା ଚାଦର ଭିତରେ । ବାସ୍ନା ଭରୁଛି ତା' ଦେହର ଘରର ପବନରେ । ବେପରୁଆ ଝିଅଟା କଣ ନିଦରେ ଚାଲୁଛିକି ଆଉ ?.....
ନା' ସେମିତି ଘଟିବା ସମ୍ଭବ ନୁହେଁ ! ନିଦରେ କେହି ବ୍ୟାଗ୍ ଧରି , କଲିଂ ବେଲ୍ ମାରି , ବ୍ଲାକ୍ କଫି ପିଇ , ବାଧରୁମ୍ ରେ ସାୱାର ନିଏନି ବୋଧେ । ସେ ବୁଝେଇଲା ନିଜକୁ ତା' ବାଗରେ , ଜଣେଇଲା ମନକୁ ତା'ହିସାବରେ , ଭାବିଲା ଖୁବ୍ ଭିତରେ ଭିତରେ , " ଘଟୁଛି କିଛି ହଁ ହଁ ,ଘଟୁଛି କିଛି ତା ' ସହ ନାଟକୀୟ ଭାବରେ !"
ୟାନା ନିଜ ଚିରାଚରିତ ପରିପାଟିରେ ଆସି ହାଜର ହେଲା ଆଉ କିଛି ଏମିତି କହିଲା ,
'' ସରି , ତୁମକୁ ଟିକେ ଡିଷ୍ଟର୍ବ କଲି । ମୋ ମମି ଆସୁଛି ତ । ସେଥିପାଇଁ ।"
ତା' କଥାର ଅଗ ମୂଳ ଧରି ପାରିଲା ନାହିଁ ସେ। ମମି ଆସିବା ସହ ଝିଅଟାର ତା' ଘରେ ଆବିର୍ଭୂତ ହେବା ଭିତରେ ଥିବା ଲିଙ୍କ ବୁଝା ପଡିଲା ନାହିଁ । ସେ କେବଳ ବୋକା ଭଳିଆ ଅନେଇଲା ।
ଝିଅଟା ଏବେ ଡିମା ଡିମା ଆଖିରେ ତାକୁ ଚାହିଁଲା ଆଉ ଚିହିଁକି ଉଠି କହିଲା , '' ଝିଅ ଦେଖିନ କି ଆଗରୁ କେବେ ହାଁ !''
ସେ ଏକଦମ ଚମକି ଗଲା ଆଉ କହିଲା,
'' ନା ମାନେ , ମୁଁ କିଛି ବୁଝି ପାରୁନି ତୁମ କଥା । ମାନେ ଏଇ ତୁମ ମମି , ତୁମେ , ମୁଁ , ମୋ ଘର , ବାଥରୁମ୍ , କଫି : ମାନେ ଏଇ ଏଇ ବ୍ଲା ବ୍ଲା ବ୍ଲା ..... । "
ଝିଅଟା ହସିଲା , ନା' ନା' ଜୋରରେ ହସିଲା ଖିଲ ଖିଲ ହେଇ । ଚମତ୍କାର ଭଉଁରୀ ଖେଳିଗଲା ତା' ଗୋଲାପୀ ଗାଲରେ । ପ୍ରୀତି ଜିଣ୍ଟା , ତା ଫାଭ୍ ହିରୋଇନ୍ ଇସ୍ !............
ସେ ବି ହସିଲା ଆଉ ତା' ଗାଲକୁ ଦେଖିଲା ଟିକେ ଅଭଦ୍ର ଆଖିରେ । ଝିଅଟା ସେମିତି ହସି ହସି କହିଲା ,
'' ସୋ କ୍ୟୁଟ୍ " । ଆଉ ଏକଦମ କୁଣ୍ଢେଇ ପକେଇଲା ତାକୁ ଜୋରରେ ନିଜ ବାହୁରେ । ସେ ରୋମାଂଚିତ ହେଲା , ଗଭୀର ଭାବେ ଭୂମିକମ୍ପର ଅନୁଭବ ପାଇଲା , ଭିତରେ ଭିତରେ ଚୁରମାର ହେଇଗଲା ।
ଝିଅଟା ବସିଗଲା ପୁଣି ତାକୁ ଛାଡ଼ି ସେଇ ସୋଫାରେ । ଇସାରା କଲା ତାକୁ ବସିବାକୁ ତା ପାଖରେ । ସେ କିନ୍ତୁ ବସିପାରିଲା ନାହିଁ । ତା'ର ନିଜ ଉପରେ ଭରଷା ପାଇଲା ନାହିଁ । ଦୁରେଇକି ବସିଲି ସେ ଡିଭାନ୍ ଉପର ।
ଝିଅଟା ଆରମ୍ଭ କଲା , '' ମମି ଜାଣେ ମୁଁ ଲିଭଇନ୍ ରେ ରହୁଛି ରାଜୀବ ସହ ।
ମୁଁ ଭଲକି ଜାଣେ ରାଜୀବକୁ ମମି ପସନ୍ଦ କରିବନି । ମମିଙ୍କ ପସନ୍ଦ ଝିଅଙ୍କୁ , ଆଉ ଝିଅଙ୍କ ପସନ୍ଦ ମମିଙ୍କୁ ଖୁବ୍ ଅଡୁଆ । "
- ''ତେବେ ?''
- ଆପଣ ଟିକେ ରାଜୀବ ହୋଇଯାନ୍ତୁ , ମମିର ପସନ୍ଦ ପରି ପ୍ଲିଜ ! ବାସ ଦୁଇଦିନ ପାଇଁ । '' ......
ସେ ହଁ କହିବ ନା' ନା ଭାବୁଥିଲା। କିନ୍ତୁ ତଥାପି ଦୁଇଦିନର ମୋହ ତାକୁ । ହେଉ ପଛେ ଅଭିନୟ ତଥାପି ।
ଝିଅଟା ତା' ଉତ୍ତରର ଅପେକ୍ଷା ନକରି ବେଡ଼ରୁମ ଆଡ଼କୁ ଚାଲିଗଲା ବେଶ ସାବଲୀଳ ଭାବରେ ତାକୁ ତା' ନିଜ ଘରେ କୁଣିଆ ସଜେଇ ।