STORYMIRROR

Sunita Kumari Pradhan

Romance

4  

Sunita Kumari Pradhan

Romance

ତୋ ପାଇଁ ଗପଟିଏ

ତୋ ପାଇଁ ଗପଟିଏ

9 mins
253


ଗପ ଲେଖିବା କେବେ ଠାରୁ ଆରମ୍ଭ କଲି ଓ ଶେଷ ଗଳ୍ପ କେବେ ଲେଖିଥିଲି ମୋର ମନେ ନାହିଁ।କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ !ଏଇଟା କିନ୍ତୁ ତୋ ପାଇଁ ମୋର ପ୍ରଥମ ଓ ଶେଷଗପ,ଏକଥା ତୁ ବେଶ ଭଲ ଭାବେ ବୁଝିପାରୁଥିବୁ।ତୋ ଅନୁରୋଧ ରେ ମୋର ଏ ଗପ।ହୁଏତ ତୋତେ ଗପ ପଢି ହସ ମାଡ଼ିବ,ହୁଏତ ତୁ କହିପାରୁ ଏଇଟା କି ପ୍ରକାର ପ୍ରେମ ଗଳ୍ପ ସ୍ମାରକ ?

ସ୍ମାରକ ୟାକୁ କ'ଣ ଗପ କୁହନ୍ତି?ଏହା କୋଉ ପାଗଳ ର ପ୍ରଳାପ ପରି ମନେ ହେଉଛି ମୋର।

-ତୋତେ ଏଇଟା ପାଗଳାମି କି ଅନ୍ୟ କିଛି ଲାଗିପାରେ କିନ୍ତୁ ମୁଁ କହିବି ଏଇଟା ମୋ ଜୀବନ ର ସର୍ବୋତ୍ତମ ଗଳ୍ପ ଗୁଡ଼ିକ ମଧ୍ୟ ରୁ ଏଇଟି ଗୋଟିଏ।ତୋତେ ଏଇଟା କେବଳ ଗପ ଲାଗିପାରେ କିନ୍ତୁ ଏଇଟା ତୋ ପ୍ରତି ମୋ ହୁଦୟ ର କଥା।ମୋ ମନର ଭାବନା।ତୋ ପ୍ରତି ଥିବା ମୋ ପ୍ରେମର ଏକ ନିଚ୍ଛକ ପ୍ରତିଫଳନ।ତୁ ଏଇ ଗପ ଟି ପଢି ସାରିବା ପରେ ,ଜୀବନ ର ଏହି ବୟସ ରେ ତୁ ମୋତେ ଘୃଣା କରିବୁ କିମ୍ବା ପରିତ୍ୟାଗ କରିବୁ ସେ ଭୟ ଆଉ ନାହିଁ ମୋର ।

କାରଣ ଯେଉଁ ଦିନ ତୁ ଆମ ସହର ଛାଡ଼ି ଚାଲିଗଲୁ ସେଦିନ ଯେତିକି କଷ୍ଟ ପାଇଥିଲି ତା ଠାରୁ ହୁଏ ତ ଆଉ ଅଧିକା କଷ୍ଟ ଲାଗିବ ନାହିଁ।ଦୁଃଖ ,ଲୁହ ,ବିରହ ବିଚ୍ଛେଦ ଭିତରେ ବଂଚିବା ଶିଖି ଯାଇଚି ମୁଁ।ସେଦିନ ଅଚାନକ ତୁ ଛାଡ଼ି ଦେଲୁ ଆମ ସହର ! ଥରୁ ଟିଏ ଭାବିଲୁ ନାହିଁ କେମିତି ରହିବି ତୋ ବିନା !

ତୋ କଥା ଭାବି ଦେଲେ ମନ ଭିତରେ ସୁପ୍ତ ଥିବା ପ୍ରେମ ପକ୍ଷୀ ଟି ଏବେ ବି ଜାଗ୍ରତ ହୋଇ ଉଠୁଛି ଅଚାନକ।ମୋ ନିରୁଦ୍ଧିଷ୍ଠ କିଶୋର ମନ ଟି ର ପ୍ରେମ ପକ୍ଷୀ ଟି ଡେଣା ଝାଡି ଖୋଜି ବୁଲୁଛି ତୋ ଠିକଣା।

ପ୍ରେମ ଶବ୍ଦ ଟି ଶୁଣିବା ମାତ୍ରେ ମୋ ଦେହରେ,ମୋ ମନରେ କେମିତି ଏକ ଭିନ୍ନ ଶିହରଣ ଖେଳିଯାଉଛି।ତୁ ହିଁ ସିଖେଇଥିଲୁ ମୋତେ ପ୍ରେମ ର ବର୍ଣ୍ଣବୋଧ।ତୋ ପାଖରୁ ଶିଖି ଥିଲି ମୁଁ ପ୍ରେମ ର ମାନସାଙ୍କ।ଅବଶ୍ୟ ତୁ ମୋତେ କେବେ କିଛି କହି ନଥିଲୁ କିନ୍ତୁ ତୋ ଠାରୁ ହିଁ ଆରମ୍ଭ ହୋଇଥିଲା ଏହି ପ୍ରେମ ପାଠ ର ଶୁଭାରମ୍ଭ।ହଁ ଏକଥା ସତ ଯେ ପ୍ରେମ ଓ ପ୍ରେମ ର ପରିଭାଷା ମୁଁ ବୁଝି ପାରିନଥିଲି ସେହି କିଶୋର ବୟସରେ।

 ତୁ ମାନସୀ ରାୟ।ମାନୀ,ମାନୁ ମନି

କିଏ କଣ ଡାକେ ତୋତେ।କିନ୍ତୁ ତୁ ମୋ ମନର ମାନସୀ ହୋଇ ରହିଗଲୁ ଚିରଦିନ ପାଇଁ।

ମନେ ଅଛି, "ତୁ ଯେବେ ଆମ ସହର କୁ ଆସିଥିଲୁ ତୁ ଆଉ ମୁଁ ଅଷ୍ଟମ ଶ୍ରେଣୀ ର ପଢୁଥିଲେ"।ତୁ ସୁଦୂର କଟକ ରୁ ଚାଲି ଆସିଥିଲୁ ତୋ ମାମୁଁ ଘର ଏହି କୋରାପୁଟ କୁ ପଢ଼ିବା ପାଇଁ।ତୋ ମାମୁଁ ଥିଲେ ଆମ ଇଂରାଜୀ ସାର୍।ତୁ ସାର୍ ଙ୍କ ଭାଣିଜି ବୋଲି ଖୁବ୍ ଖାତିର ଥିଲା ତୋର।ସ୍କୁଲ୍ ର ସବୁ ପିଲାଠାରୁ ତୋର ସବୁଠୁ ଭଲ ପାଠ ହୁଏ ବୋଲି ତୁ ଟିକେ ଭାରୀ ଫୁଲେଇ ହେଉ।ସବୁ ଝିଅ ଙ୍କୁ ଠାରୁ ଟିକେ ଅଧିକା ସୁନ୍ଦରୀ ବୋଲି ତୋର ଖୁବ୍ ଭାଉ।ତୁ ଟିକେ ବଡ଼ ଘର ର ଝିଅ ଥିଲୁ।ତେଣୁ ତୋ ବେଶଭୂଷା ରେ ଆଭିଯାତ୍ୟ ବେଶ୍ ବାରି ହୋଇ ପଡୁଥିଲା।ସେତେବେଳେ ୟୁନିଫର୍ମ ନଥିଲା।ତେଣୁ ତୁ ସବୁବେଳେ ଭିନ୍ନ ଭିନ୍ନ ରଙ୍ଗର ଭିନ୍ନ ଭିନ୍ନ ଫ୍ରକ ପିନ୍ଧିଆସୁ।ତୋ ରଙ୍ଗ ରୂପ ,ଚାଲି ଚଳନ ଆମ ସମସ୍ତଙ୍କ ଠାରୁ ଖୁବ୍ ଭିନ୍ନ ଥିଲା।ତେଣୁ ସେଇ ପ୍ରଥମ ଦେଖାରେ ତୋ ପାଇଁ ମୋ ମନରେ ଏକ ଅଦ୍ଭୁତ ଆକର୍ଷଣ ସୃଷ୍ଟି ହୋଇଥିଲା।କେବଳ ମୁଁ ନୁହଁ ଆମ ସ୍କୁଲ ର ସବୁ ପୁଅ ତୋ ପାଇଁ ପାଗଳ ଥିଲେ।ତୋର ସେଇ ଶ୍ୟାମଳ ଗୋଲ ମୁହଁ କୁ ସେ ଢଳ ଢଳ ବଡ ଆଖି ଦୁଇଟି ଖୁବ ମାନୁଥିଲା।ତୁ ହସିଦେଲେ ତୋ ଗାଲରେ ଖେଳି ଯାଉଥିବା ଭଉଁରୀ ରେ ଆମେ ସବୁ ପୁଅ ଯେମିତି ବୁଡି ଯାଉଥିଲୁ।ସେତେବେଳେ ତୋ ବୟସ ର ସବୁ ଝିଅ ୟୁ କଟ, ବବ୍ କଟ କରି ଚୁଟି ରଖୁଥିବାବେଳେ ତୁ କିନ୍ତୁ ଦୁଇଟି ଲମ୍ବା ବେଣୀ ପାରୁଥିଲୁ।ତୋ ଅଣ୍ଟା କୁ ଯାଏଁ ପଡୁଥିବା କଳାଘୁମର୍ ଚୁଟି ର ପ୍ରେମରେ ଯେ କେହି ପଡ଼ିଯିବା  ସ୍ଵାଭାବିକ।ତୋ ମିଠା ମିଠା ସ୍ୱର ରେ କି କିମିଆଁ ଥିଲା କେଜାଣି ଆମେ ସମସ୍ତେ ତୋ କଥା ରେ ହଜି ଯାଉଥିଲୁ।କାରଣ ତୁ ଗୋଟିଏ କଥା କୁହା କଣ୍ଢେଇ ଥିଲୁ ଆମ ସମସ୍ତଙ୍କ ପାଇଁ। ଆଖି କୁ ନଚେଇ ହସି ହସି କଥା କହିବା ବେଳେଆମେ ସବୁ କେବଳ ବୋକା ଙ୍କ ପରି ତୋ ମୁହଁ କୁ ଚାହିଁ ରହୁଥିଲୁ।

ଯେତେବେଳେ ଆମେ ସବୁ 'ତୁଇ', 'ମୁଇ', 'ଇଟା' ,'ଶିଟା', 'କିନ୍ତି ','ଇନ୍ତି' ଆମ କୋରାପୁଟିଆ ଭାଷା କହୁଥିଲୁ ,ତୁ ତୋ ମିଠା ମିଠା ସ୍ୱର ରେ 'କଣ', 'କାହିଁକି' ,'ଏମିତି' ,'ସେମିତି' କହିଲା ବେଳକୁ ଆମେ ସମସ୍ତେ ତୋତେ ବୋକା ଙ୍କ ପରି ହାଁ କରି ଚାହିଁ ରହୁଥିଲୁ।ତୋ କଥାରୁ ମହୁ ଝରୁଥିଲା କି କଣ କେଜାଣି ଆମେ ସବୁ ପାଗଳ ମହୁମାଛି ପରି ତୋ ଆଖ ପାଖରେ ଘେରି ରହୁଥିଲୁ।ସ୍କୁଲ୍ ଯାକ ର ସମସ୍ତ ପୁଅ ଓ ଝିଅଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜି ଯାଇ ଥିଲୁ ତୁ।ତୋ ହସ ଥିଲା ଲକ୍ଷେ ଟଙ୍କିଆ ହସ।ତୋ କଥା ନିର୍ଜୀବ ଶରୀର ରେ ପ୍ରାଣ ଭରିଦେବା ଭଳି। କାହିଁକି କେଜାଣି ତୁ ସବୁ ଝିଅଙ୍କ ଠାରୁ ଟିକେ ଅଲଗା ଥିଲୁ।ତୋ କଥାବାର୍ତ୍ତା, ଚାଲି ବୋଲି ସବୁ କିଛି ଥିଲା ନିଆରା।

ସେଦିନ କଥା ମନେ ଅଛିକି ତୋର,ଯେଉଁ ଦିନ ଇଂରାଜୀ ପିରିୟଡ ରେ ଆସେପ୍ଟ କୁ ମୁଁ ଏକସେପ୍ଟ୍ ବୋଲି ପଢ଼ୁଥିଲି ।ସାର୍ ବାରମ୍ବାର କହିବା ସତ୍ୱେ ମୁଁ ଏକସେପ୍ଟ୍ ବୋଲି ହିଁ କହୁଥିଲି।ଯେତେବେଳେ ସାର ତୋତେ ପଢିବା ପାଇଁ କହିଲେ,"ତୁ ଚଟାପଟ ଠିଆ ହୋଇ ଆସେପଟ ବୋଲି ପଢିଦେଲୁ। ସାର ଙ୍କ କହିବା ଅନୁସାରେ ତୁ ମୋତେ କାନ ମୋଡ଼ି ମାରିଥିଲୁ।" କ୍ଲାସ୍ ର ପୁଅ ମାନେ ସେଦିନ ମୋତେ ଖୁବ ଚିଡାଇ ଥିଲେ,"ତୁ ମାଇଚିଆ ଟା କିରେ ,ଝିଅ ଟେ ହାତରୁ ମାଡ ଖାଇଲୁ"!!

ଓଃ!!! କି ଅପମାନ!!!

ସେଦିନ ପ୍ରଥମ ଥର ପାଇଁ ତୋ ହସ ମୋତେ ବିଷ ପରି ଲାଗିଥିଲା।ତୋ କଥା ସବୁ ମୋ ଦେହରେ କଣ୍ଟା ପରି ଫୋଡି ହୋଇ ଯାଉଥିଲା।ସେଦିନ ତୋତେ ଦେଖିବା ମାତ୍ରେ ମୋ ଦେହ ରାଗରେ ଜଳି ଯାଉଥିଲା। ଘୃଣା ଲାଗୁଥିଲା ମୋତେ।ତୋତେ ହସିବା ଦେଖିଲେ ମୋତେ ଲାଗୁଥିଲା ତୁ ମୋତେ ଯେମିତି ତାତ୍ସଲ୍ୟ କରୁଥିଲୁ। ମୁଁ ଅନେକ ଦିନ ଯାଏଁ ସେହି ଅପମାନ କୁ ଭୁଲି ନଥିଲି।

ଏହି ଅପମାନ ର ପ୍ରତିଶୋଧ ନେବା ପାଇଁ ମୁଁ ସେଦିନ ଜାଣିଶୁଣି ତୋ ଗଣିତ ଖାତାରେ ଲୁଚେଇକି ଗୋଟେ ପାନ ପତ୍ର ଆଙ୍କି ଦେଇଥିଲି।ୟାର ମାନେ କଣ ସେତେବେଳେ ଜାଣି ନଥିଲି।କିନ୍ତୁ ଦଶମ ଶ୍ରେଣୀ ର ଜଣେବଡ଼ ଭାଇ ଙ୍କ ଖାତାରୁ ଏ ପାନପତ୍ର ଚିତ୍ର ବାହାରିବା ଦେଖି ସାର ଙ୍କ ଠାରୁ ଖୁବ୍ ମାଡ ଖାଇଥିଲେ ସେ।ତେଣୁ ମୁଁ ଭାବିଲି ତୁ ବି ମାଡ ଖାଇବୁ!!!ସମସ୍ତଙ୍କ ସାମ୍ନା ରେ ମାଡ଼ ଖାଇବା ଯେ କେତେ ଅପମାନ ଜନକ ଏକଥା ସେତେବେଳେ ତୋର ହୃଦବୋଧ ହେବ।

କିନ୍ତୁ ତୁ ସେକଥା କେମିତି ଜାଣିଦେଲୁ କେଜାଣି???

ତୁମ ମାମୁଙ୍କ ଘର କୁ ଆମେ କେତେଜଣ ଟିଉସନ୍ ପଢିବାକୁ ଯାଉ।ତୁ ବି ଆମ ସାଙ୍ଗରେ ବସି ପଢୁ।ସେଦିନ ମୁଁ ଟିକିଏ ଜଲ୍ଦୀ ଆସି ଯାଇଥିଲି। ସେତେବେଳକୁ ଅନ୍ୟ ପିଲାମାନେ କେହି ଆସିନଥିଲେ।

ସେତିକିବେଳେ ତୁ ମୋତେ ଆସ୍ତେ କରି କହିଥିଲୁ, "ଏମିତି କାହା ଖାତା ପତ୍ର ରେ କିଛି ଲେଖିବା ଉଚିତ୍ ନୁହେଁ"।ମୁଁ କଣ ମୋ ନିଜ ଇଚ୍ଛା ରେ ତୋତେ ବାଡେଇଛି???ମାମୁଁ କହିଲେ ବୋଲି ସିନା।ନହେଲେ କହିଲୁ,"ମୋ ହାତ କେମିତି ଯାଆନ୍ତା ତୋତେ ମାରିବାକୁ!!!ସତରେ ତୋର ଏହି ପଦିଏ କଥା ରେ ମୋର ସବୁ ରାଗ,ଅପମାନ ସବୁ କୁଆଡେ ପାଣି ଫଟୋକା ଭଳି ମିଳେଇ ଗଲା।

ବାସ୍ ସେହିଦିନ ଠାରୁ ତୋ ପ୍ରତି ମୋର କେମିତି ଗୋଟିଏ ଅଲଗା ଅନୁରାଗ ସୃଷ୍ଟି ହେଲା।ସେଦିନ ଠାରୁ କାହିଁକି କେଜାଣି ତୁ ଆଗ ଅପେକ୍ଷା ମୋତେ ଆହୁରି ଅଧିକା ଭଲ ଲାଗିଲୁ।ତୁ ଦିନେ ସ୍କୁଲ୍ ନ ଆସିଲେ ମୋ ମନ ଆଦୌ ପଢା ରେ ଲାଗୁନଥିଲା।କାହିଁକି କେଜାଣି ସମସ୍ତଙ୍କ ଠାରୁ ତୁ ମୋତେ ବେଶୀ ମନେ ପଡ଼ୁଥିଲୁ।ତୋ ମୁହଁ, ତୋ ହସ ତୋ ଆକଟ ସବୁ କିଛି ସବୁ କିଛି ମୋ ଆଖି ଆଗରେ ନାଚି ଉଠୁଥିଲା।ମୋର କଣ ହେଉଥିଲା ମୁଁ ନିଜେ ବି ଜାଣି ପାରୁ ନଥିଲି।କିନ୍ତୁ ମୋ ମନ ଚାହୁଁ ଥିଲା ତୁ ସବୁବେଳେ ମୋ ପାଖେ ପାଖେ ରହୁଥା ବୋଲି।ମୁଁ ଜାଣି ନଥିଲି ଏଇଟା ପ୍ରେମ କି ଭଲ ପାଇବା କି ଆକର୍ଷଣ।କିନ୍ତୁ ତୁ ମୋତେ ଅନ୍ୟ ମାନଙ୍କ ତୁଳନା ରେ ଅଧିକ ଭଲ ଲାଗୁଥିଲୁ।

"ଆଇ ଲଭ୍ ୟୁ "ବୋଲି କେବେ କିଏ କାହାକୁ କହିନଥିଲୁ କି କେବେ କେହି କାହାକୁ ଛୁଇଁ ନଥିଲୁ ତଥାପି ତୁ ମୋ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ସାରିଥିଲୁୂ।

ମୋ ମନରେ ସେଇ କଅଁଳ ବୟସରେ ତୋ ପାଇଁ ଫୁଟିଥିବା ପ୍ରେମ ର ପାରିଜାତଟି ଆଜି ବି ଏକ ସତେଜ ଫୁଲ ଅବସ୍ଥା ରେ ଅଛି।ସେଇଥିପାଇଁ ତ ଆଜି ଯାଏ ତୋ ପ୍ରେମ ର ସୁରଭି ଏବେବି ତାଜା ହୋଇ ମୋର ମନ ପ୍ରାଣ ହୃଦୟ କୁ ବାସ୍ନାମୟ କରି ରଖିଛି!!

ସେହି ବର୍ଷ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ସରିବା ପରେ ପରେ ହଠାତ୍ ଦିନେ ଆମ ସମସ୍ତଙ୍କୁ ଚମକେଇ ଚାଲିଗଲୁ ନିଜ ଗାଁ କୁ।ନା ପୂର୍ବରୁ କିଛି ଜଣେଇ ଥିଲୁ ନା ପରେ କିଛି ଖବର ଦେଲୁ।

ତାପରେ ବେଶ୍ କିଛିଦିନ ମୁଁ ତୋତେ ଝୁରି ହେଲି ଅନେକ।ତୋ ଅନୁପସ୍ଥିତି ମୋ ପାଇଁ ଅସହ୍ୟ ଥିଲା।ମୁଁ ଜାଣି ନଥିଲି ଏଇଟା ପ୍ରେମ ନା ତୋ ପାଇଁ ମୋ ଆକର୍ଷଣ।ତା ପରଠାରୁ ଆଜି ଯାଏ ତୋତେ ଖୋଜିଛି ସବୁଠି ଏକ ପାଗଳ ଭଅଁର ପରି।ତୋ ଆଖି,ତୋ ହସ ଲମ୍ବା ବେଣୀ ମୋଆଖି ଆଗରେ ଘୁରି ବୁଲୁଛି ଏକ ଚଳ ଚଞ୍ଚଳ ପ୍ରଜାପତି ପରି।

**************************

ତା ପରେ ମୋ ପାଠ ପଢା ,ଚାକିରୀ ଏହାରି ଭିତରେ ଅନେକ ଖୋଜିଛି ତୋତେ କିନ୍ତୁ ପାଇନି । ଈଂଲିଶ୍ ସାର୍ ଙ୍କ କେମିତି ପଚାରି ପାରିଥାନ୍ତି ମାନସୀ କୋଉଠି??? ନା ସାହସ ହୁଏନି କି ପଚାରିଲେ ଅସଭ୍ୟ ବୋଲି ଭାବି ନେବେ ସେ ଭୟ ରେ କେବେ ପଚାରି ପାରେନି।ତାପରେ ମୋ ବିବାହ ହୋଇଗଲା।ତୁ ଏଇଟା ସଂଯୋଗ କହିପାରୁ କି ଆଉ କଣ କିନ୍ତୁ ମୋ ସ୍ତ୍ରୀ ର ନାଆ ବି ମାନସୀ ଥିଲା।ସିଏ ତୋ ଭଳି ଶ୍ୟାମଳୀ ନଥିଲା , ଫରେନର ଙ୍କ ଭଳି ଗୋରା ।ତୋ ଭଳି ଅଣ୍ଟା ଯାଏ ଲମ୍ବି ନଥିଲା ତା ଚୁଟି।ବେକ ଜାୟେ ପଡ଼ିଥିବା ଚୁଟି କୁ ସଯତ୍ନ ରେ ବେକ୍ କ୍ଲିପ୍ ଦ୍ଵାରା ବାନ୍ଧି ରଖିଥାଏ ସେ।ତୋ ଭଳି ବଡ଼ବଡ଼ ଆଖି ନଥିଲା କି ସେ ଆଖିରେ ସେ ଚାହାଣି ନଥିଲା। ସେ ସୁନ୍ଦରୀ ଥିଲା କିନ୍ତୁ ତୋ ଭଳି ନୁହଁ।ସେ ହସେ କିନ୍ତୁ ତୋ ଭଳିଆ କ୍ଲୋଜଅପ ସ୍ମାଇଲ ନୁହଁ।

 ମୁଁ ତାକୁ ସ୍ତ୍ରୀ ର ସମସ୍ତ ଅଧିକାର, ଭଲ ପାଇବା ସବୁ ଅଜାଡ଼ି ଦେଇଥିଲି।ତାକୁ କେବେ କୌଣସି ଅଭିଯୋଗ ର ସୁଯୋଗ ଦେଇନି।ସ୍ବାମୀ ର ସମସ୍ତ କର୍ତ୍ତବ୍ୟ କରିବାରେ କେବେ ଅବହେଳା କରିନି।କିନ୍ତୁ କେବେ ପ୍ରେମିକ ଟିଏ ଭଳି ଭଲ ପାଇ ପାରିନି।କିନ୍ତୁ ମୁଁ ତାକୁ ମାନସୀ ବୋଲି କେବେ ଡାକି ପାରେନା।କାରଣ କଣ ଜାଣୁ!!!!ଖାଲି ତୋ ଚେହେରା ମନେ ପଡ଼ିଯାଏ ବୋଲି।

 କାହିଁକି ନା ,"ଆଜି ବି ମୋ ମନର ନିଭୃତ କୋଣ ରେ ତୋ ପାଇଁ ସେହି ଟିକକ ଭଲ ପାଇବା ଏବେ ବି ସେମିତି ସାଇତି ହୋଇ ରହିଛି"।ତୋ ପ୍ରେମ ଏକ ସୁଗନ୍ଧିତ ଫୁଲ ପରି ମୋତେ ଆଜି ବି ମତୁଆଲା କରୁଛି ।ଆଜି ବି ମୁଁ ଖୋଜିବୁଲୁଚି ତୋ ପ୍ରେମ ର ସୁଗନ୍ଧ କୁ ଏଠି ସେଠି ସବୁଠି!!!

ବାପା,ବୋଉ ଚାଲିଯିବା ପରେ ମୁଁ କେବେ ବି ଆଉ ଗାଁକୁ ଯାଇ ନଥିଲି।ଏଇଠି ମୋ ଚାକିରୀ କରୁଥିବା ସହର ରେ ରହିଯାଇଥିଲି ସବୁଦିନ ପାଇଁ।

ଯେବେଠାରୁ ଫେସବୁକ ଆରମ୍ଭ ହେଲାଣି ସେଦିନ ଠାରୁ ତୋତେ କେତେ ନ ଖୋଜିଛି ଫେସବୁକ ରେ!!!।କିନ୍ତୁ ପାଇଲି ନାହିଁ।ତୋତେ ଏ ଜନ୍ମ ରେ ଦେଖିବାର ଆଶା ଟିକକ ମରି ଯାଉଥିଲା ଧୀରେ ଧୀରେ।

ଏବେ କିଛି ଦିନ ତଳେ ଆମ କ୍ଲାସମେଟ ରବି ଫୋନ କରିଥିଲା।କହିଲା," ସ୍ମାରକ ଏହିବର୍ଷ୍ ଆମ ବ୍ୟାଚ ର ଏକ ବନ୍ଧୁ ମିଳନ କରିବା"।ଖୁବ୍ ଖୁସି ରେ ହଁ ଭରିଥିଲି ମୁଁ।କାହିଁକି ଜାଣୁ???କେବଳ ତୋତେ ଦେଖିବି ବୋଲି।

 ଆମ ୧୯୯୯ ବ୍ୟାଚ ର ବନ୍ଧୁ ମିଳନ ରେ ଆମେ ସମସ୍ତେ ମାନେ ରିଙ୍କି,ସସ୍ମିତା,ଟିକି ,ରେଣୁ,ସ୍ୱପ୍ନା,ଅଳକା,ରବି ,ଟୁଲୁ,ଗୋପୀ,ପ୍ରଦୀପ,ସୀମା ,ଦାଶରଥି,ଗଣେଶ,ଯୋଗ ଦେଇଥିଲୁ।ସମସ୍ତଙ୍କ ମଧ୍ୟ ରେ ମୋ ଆଖି କିନ୍ତୁ ଖୋଜିବୁଲୁଥିଲା ତୋତେ। ଶେଷ ଯାଏ ଅପେକ୍ଷା କଲି କିନ୍ତୁ ତୁ ଆସିଲୁ ନାହିଁ!!!

ତୋତେ ଥରୁଟେ ଦେଖା କରିବାର ଏହି ଆଶା ଟିକକମଧ୍ୟ ମୋର ନିଷ୍ଫଳ ହୋଇଗଲା।।କିନ୍ତୁ ତୋତେ ଦେଖା କରିବା ର ଅସମ୍ଭବ ଜିଦ୍ ଯୋଗୁଁ ମୁଁବାଧ୍ୟ ହୋଇ ତୋ ମାମୁଁ ପୁଅ ଭାଇ ବିକାଶ ଭାଇ ଙ୍କୁ ତୋ ନମ୍ୱର୍ ଟି ମାଗିଥିଲି।

ଆଊ ଘରକୁ ଆସି ଅତିଉତ୍କଣ୍ଠା ର ସହ ତୋତେ ମେସେଜ କରିଥିଲି।ପ୍ରଥମେ ଫୋନ କରି ତୋତେ ଚମକେଇ ଦେବି ଭାବିଥିଲି କିନ୍ତୁପ୍ରଥମେ ତୋତେ ମେସେଜ କରି ତାପରେ ତୋତେ କଲ୍ କରିବି ଭାବି ମେସେଜ କଲି।ତୁ ସାଙ୍ଗେ ସଙ୍ଗେ ମେସେଜ ର ରୀପ୍ଳୟ ଦେଲୁ।ଏଥର ମୋ ଖୁସି କହିଲେ ନସରେ।ବାସ୍ ମୁଁ କଥା ହେଲି ତୋ ସହ।ତୁ ବି ଖୁବ୍ ଖୁସି ରେ କଥା ହେଉଥିଲୁ ମୋ ସହ।ଆମେ ମନେ ପକାଉ ଥିଲେ ସେହି ପୁରୁଣା ଦିନ ଗୁଡ଼ିକୁ।ତୁ କହୁ ଥିଲୁ,"ସ୍ମାରକ ,ବାଃ!!!!କେତେ ଭଲ ଥିଲା ସେ ଦିନ ସବୁ।ପୁଣି ଫେରି ଆସନ୍ତା ନାହିଁ କି ସେ ଦିନ ସବୁ"!!!!

ତୋ ସ୍ୱର ଶୁଣିବା ମାତ୍ରେ ମୋ ଭିତରେ କେମିତି ଏକ ଅଲଗା ଅନୁଭବ ହେଉଥିଲା।ମୁଁ ପୁଣି ଥରେ ଫେରି ଯାଉଥିଲି ସେହି ସ୍କୁଲ୍ ଦିନ ର ତୋ ସହ ବିତାଇ ଥିବା ମୁହୂର୍ତ୍ତ ପାଖକୁ।ସେମିତି ବୀଣା ଜିଣା କଣ୍ଠ ରେ ଗପି ଚାଲି ଥିଲୁ ତୁ ତୋ ଓ .ଏ .ସ .ଅଫିସର୍ ସ୍ବାମୀ, ତୋ ଝିଅ ପୁଅ ଙ୍କ କଥା ଖୁବ୍ ଗପିଲୁ।ମୋ ଖୁସି ବି ବନ୍ଧ ବାଡ ମାନୁ ନଥାଏ।ଏତେ ବର୍ଷ ପରେ ତୋ ସ୍ୱର ଶୁଣି।ମୁଁ କହିଲି ମୁଁ ଭିଡିଓ କଲ୍ କରୁଛି ତୋତେ ଦେଖିବି ଥରେ।କାହିଁକି କେଜାଣି ତୋର ବାର ବାର ମନା କରିବା ସତ୍ତ୍ବେ ମୁଁ କରିଥିଲି ଭିଡିଓ କଲ୍।

 କିନ୍ତୁ ଏ କଣ!!!ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁନଥିଲି!!!ତୁ ସମ୍ପୂର୍ଣ ବଦଳି ଯାଇଥିଲୁ!!!ଏ କି ବିବଣ୍ଣିଆ ରୂପ ତୋର!!!କୁଆଡେ ଗଲା ତୋର ସେହି ଘଞ୍ଚ ଲମ୍ବା ବେଣୀ ଯାହା ପାଇଁ ସଭିଏଁ ପାଗଳ ଥିଲେ, ତା ବଦଳ ରେ ତୁ ଯେ ଥିଲୁ ଆଜି ସମ୍ପୂର୍ଣ୍ଣ କେଶ ରହିତ।ଗୋଟିଏ ବି କେଶ ନଥିଲା ତୋ ମୁଣ୍ଡ ରେ। ସମ୍ପୂର୍ଣ୍ଣ ଲାଣ୍ଡି ଥିଲୁ ତୁ!!!ତୋ କଥା କୁହା ଆଖି ଯୋଡ଼ିକଆଜି ଅତିଶୟ ଯନ୍ତ୍ରଣା ର ଗାଥା ଶୁଣାଉ ଥିଲା।ସେହି ଆଖି ରେ ନଥିଲା ସେହି ଚପଳାମୀ,ସେଇ ଚାହାଣୀ।

ଯଦିଓ ତୁ ଶ୍ୟାମଳୀ ଥିଲୁ ,ତଥାପି ଏକ ଆକର୍ଷଣୀୟ ସୌନ୍ଦର୍ଯ୍ୟ ଥିଲା ତୋ ରଙ୍ଗ ରେ।କିନ୍ତୁ ଆଜି ତୁ ପାଲଟି ଯାଇଥିଲୁ ଏକ କଳା ଅଙ୍ଗାର ।ତୋ ହାତ ଗୋଡ ଦେହ ମୁଣ୍ଡ ଯେମିତି ପାଲଟି ଯାଇଥିଲା ଏକ କଳା ଅନ୍ଧକାର ମୟ ଅରଣ୍ୟ।ଯେଉଁଠି ନଥିଲା ଆଶାର କୌଣସି ଆଲୋକ।

ଏତେ ପରେ ବି ତୋ ମୁଖ ମଣ୍ଡଳ ରେ ଥିଲା ସେଇ ସ୍ମିତ ହାସ୍ୟ।ତୋର ଏ ବିବତ୍ସ ରୂପ ଦେଖି ମୋ ମନ ଭିତର ଟା କାନ୍ଦି ଉଠିଲା।

ତୁ କହିଥିଲୁ ,"ଆଜ କୁ ପ୍ରାୟ ଦୁଇ ବର୍ଷ ହେଲା ତୁ ବ୍ଲଡ଼ କ୍ୟାନ୍ସରରେ ଆକ୍ରାନ୍ତ।କ୍ୟାନସର ର ସମସ୍ତ ଜୀବାଣୁ ତୋ ଦେହ ର ସମସ୍ତ କୋଷିକା କୁ ଆକ୍ରାନ୍ତ କରି ସାରିଛି।ତୁ ମାତ୍ର ଆଉ କିଛି ଦିନର ଅତିଥି"!!!ଡକ୍ଟର ମଧ୍ୟ କହି ସାରିଛନ୍ତି ଯେ ତୁ ମାତ୍ର କେଇ ଦିନ ର ଅତିଥି!!!ହୁଏ ତ ମାସେ ଦୁଇମାସ କି ଦିନେ ଦୁଇ ଦିନ!!!


ଆଗକୁ ଶୁଣି ପାରୁନଥିଲି ମୁଁ କିଛି।ମୁଁ ଆଜି ନିଜକୁ ଧିକାରୁ ଥିଲି, "କାହିଁକି ତୋତେ ଆଜି ଯାଏ ଖୋଜୁ ଥିଲି!!!ତୁ ହୁଏତ ଦେଖା ନ ହୋଇଥିଲେ ଭଲ ହୋଇଥାନ୍ତା"।କାରଣ ତୋତେ ଏମିତି ତିଳ ତିଳ ହୋଇ ମରିବା ଅବସ୍ଥା ରେ ଦେଖି ପାରୁ ନଥିଲି ମୁଁ।

 ଶେଷ ରେ ତୁ କହିଲୁ,"ସ୍ମାରକ ମୋର ଗୋଟେ ଛୋଟିଆ ଅନୁରୋଧଟେ ରଖିବୁ"।ତୁ ୟାରି ଭିତରେ ଏକ ସୁଲେଖକ ହୋଇ ସାରିଛୁୁ ମୁଁ ଜାଣେ।ତୋ ଲେଖା ମୁଁ ଅନେକ ପଢିଛି।ମୋର ଭାରୀ ଇଚ୍ଛା ଥିଲା ତୋର ଗୋଟିଏ ପ୍ରେମ ଗଳ୍ପ ପଢିବାକୁ।କିନ୍ତୁ ତୁ ସବୁବେଳେ ସେହି ସାମାଜିକ ପାରିବାରିକ ସ୍ଥିତି କୁ ନେଇ ହିଁ ଗପଲେଖୁ।ଏଇଟା ତୋତେ ମୋର ଗୋଟିଏ ଶେଷ ଅନୁରୋଧ।"କେବଳ ଥରେ ଗୋଟେ ପ୍ରେମ ଗଳ୍ପ ଲେଖେ କେବଳ ଓ କେବଳ ମୋ ପାଇଁ"।

ତୋ କଥା ଶୁଣି ମୁଁ ମୋ ମନ କୁ ଦୃଢ଼ କଲି।ଆଉ ସ୍ଥିର କଲି ତୋ ପାଇଁ ଲେଖିବି ଏକ କାହାଣୀ।ମୁଁ ଜାଣେ,"ତୋ ପାଇଁ ମୋ ମନରେ ଅଙ୍କୁରି ଥିବା ସେହି ପ୍ରେମ ଆଜି ସ୍ଥିତି ହୀନ,ବେସାହାରା,ସ୍ମୃତି ଟିଏ ହୋଇ ରହିଯିବ ଚିର କାଳ ପାଇଁ"।କିନ୍ତୁ ଏତେ ସବୁ ପରେ ବି ତୁ ମୋ ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ ରେ ରହିଆସିଥିଲୁ, ରହିଛୁ ଆଉ ରହିଥିବୁ ମଧ୍ୟ।

ଜାଣେନା ଏଇଟା ପଢ଼ିବା ପରେ ତୋ ମନରେ କି ପ୍ରକାର ଭାବାନ୍ତର ହେବ ?ତୁ ମୋତେ ଘୃଣା କରିବୁ ନା ଭଲ ପାଇବୁ ଜାଣେନା!ତୋତେ ଦେଖିବା ଦିନରୁ ହୃଦୟ ସ୍ରାବରୁ ଝରିପଡୁଥିଲା ପ୍ରୀତି ରସ ଟୋପାଏ, କାହିଁ କେଉଁ ଛୋଟ ବେଳୁ , ଯେବେଠୁଁ ତତେ ଆପଣାରକରି ନେଇଥିଲି। ଅଜାଣତରେ କେମିତି ମୁଁ ତୋ ଆଡ଼କୁ ଟାଣି ହୋଇ ଯାଉଥିଲି।ମୁଁ କି ଜାଣିଥିଲି , "ଭଲପାଇବାର ସେ ଅବୋଧ୍ୟ ସଂଳାପଟି ଲାଖି ରହିବ ମୋ ହୃଦ ପଦକରେ ସ୍ମୃତି ଟିଏ ହୋଇ "।ମନର ଅତଳେ ଜଳେଇ ରଖିଛି ତୋ ନାଆଁ ର ଶ୍ରଦ୍ଧା ଓ ପ୍ରେମର ଦୀପଟିଏ ସବୁ ବେଳେ ।ଯାହା ଆଲୁଅରେ ,ଅନ୍ଧାର ବି ମତେ ଫର୍ଚ୍ଚା ଫର୍ଚ୍ଚା ଦିଶିବ ସବୁ ସମୟ ରେ।ପ୍ରତି ମୂହୁର୍ତ୍ତରେ ଅନୁଭବୁ ଥିବି ତୋ ଥିବା ଥିବା ପଣର ସ୍ପର୍ଶ ।ତୋତେ ପାଇ ପାରିଲି ନାହିଁ ସିନା ହେଲେ ମୋ ଶୂନ୍ୟ ଆଂଜୁଳିରେ ତୁ ପ୍ରେମ କୁସୁମ ଟେ ହୋଇ ,ମୋ ଓଠରେ କେବଳ ତୋ ନାମ,ଆଉ ମୋ ହୃଦୟ ରେ କେବଳ ତୁ ହିଁ ସ୍ପନ୍ଦନ ହୋଇ ରହିବୁ ଚିର କାଳ।

ମୁଁ ଆଉ ଆଗକୁଲେଖି ପାରୁନି କିଛି।ମୋ ଆଖି ଝାପସା ହେଇଯାଉଛିି ଲୁହ ରେ.....ଏଇ ଗଳ୍ପ ଟିକୁ ତୁ ଥରେ ପଢ଼ିଦେଲେ ମୋ ଲେଖା ସାର୍ଥକ ହୋଇଯିବ ଓ ମୋ ପ୍ରେମିକ ପଣିଆ ଧନ୍ୟ ହୋଇଯିବ।

ତୋ ପାଇଁ ,"କେବଳ ତୋ ପାଇଁ ଆଉ ମୋ ପ୍ରେମ ପାଇଁ ଉତ୍ସର୍ଗ ଏ ଶେଷ ଗପ ।



Rate this content
Log in

Similar oriya story from Romance