କ୍ରୋଧାଗ୍ନି
କ୍ରୋଧାଗ୍ନି
ଅନିଲ ବାବୁଙ୍କ ସଂସାର କହିଲେ ସ୍ତ୍ରୀ ରୂପା,ଦୁଇ ପୁଅ ଅଜିତ ଓ ଅମିତ୍। ଅନିଲ ବାବୁ ବୃତ୍ତି ରେ ଜଣେ ଶିକ୍ଷକ।ତାଙ୍କ ସ୍ତ୍ରୀ ରୂପା ସୁଦୂର ଫୁଲବାଣୀରେ କାର୍ଯ୍ୟରତ।
ଘରେ ସଦସ୍ୟ କହିଲେ ବାପା ଓ ପୁଅ ଦୁଇ ଜଣ।
ବଡ ପୁଅ ଅଜିତ ଅଷ୍ଟମ ଓ ସାନପୁଅ ଅମିତ୍ ଷଷ୍ଠ ରେ ପଢନ୍ତି।ପାଠ ରେ ଦୁଇ ଜଣ ଯାକ ଏକକୁ ଆରେକ ବଳି।ଖୁବ୍ ଭଲ ଛାତ୍ର।କିନ୍ତୁ ସାନ ପୁଅ ଅମିତ୍ ଟିକେ ଦୁଷ୍ଟ।କୋଉ ଦିନ କାହା ସହ ଝଗଡ଼ା କରି ଆସିଥିବା ତୋ କୋଉ ଦିନ ନିଜେ ଖଣ୍ଡିଆ ଖାବରା ହୋଇ।
କେବେ ଘର ର କଉ ଜିନିଷ ଖୋଲିକି ଅଲଗା ଅଲଗା କରି ପକେଇଥିବ ତୋ କୋଉ ଦିନ କାଗଜ କାଟି କଣ ଗୋଟିଏ ତିଆରି କରୁଥିବ।କେବେ utyube ଦେଖି କିଛି ଗୋଟିଏ ବନାଉଥିବ ତୋ ଆଉ କେବେ କଣ।କିଛି ନା କିଛି କରୁଥିବ।
ଛୋଟ ବେଳୁ ଖୁବ୍ ଅଭାବ ଅନଟନ ରେ ବଢିଥିବାରୁି ଅଭାବ ଟା କଣ ଭଲ ଭାବେ ଜାଣିଥିଲେ ସେ।
ତେଣୁ ପିଲାମାନଙ୍କର କୌଣସି ଜିନିଷ ରେ କେବେ ଯେମିତି କିଛି ଅସୁବିଧା ନ ହୁଏ ସେ ଦିଗରେ ଖୁବ୍ ଯତ୍ନବାନ ଥାଆନ୍ତି ସେ। ପିଲାଏ କହିବା ପୂର୍ବରୁ ପିଲାଙ୍କ ମନ ଜାଣି ସବୁ ଜିନିଷ ସେମାନେ କହିବା ପୂର୍ବରୁ ସେ ଆଣି ଦିଅନ୍ତି।
ସେମାନଙ୍କ ମା ଦୂରରେ ରହୁଥିବା ଯୋଗୁଁ ସେ ବାପା ଓ ମା ଉଭୟଙ୍କ ସ୍ନେହ ଦେବାରେ କେବେ କାର୍ପଣ୍ୟ କରି ନାହାନ୍ତି ସେ।
କିନ୍ତୁ ସ୍ନେହ ଭିତରେ ମଧ୍ୟ ଅନୁଶାସନ ରହିବା ନିହାତି ଆବଶ୍ୟକ ବୋଲି ସେ ସଦା ସର୍ବଦା ଭାବନ୍ତି।
ଗଲା କିଛିଦିନ ହେଲା ଅନିଲ ବାବୁ ଲକ୍ଷ୍ୟ କରୁଥିଲେ କେବେ ତକିଆ ଖୋଳ ରୁ ଟିକେ କ ଟାହେଉଛି ତୋ କେବେ ବେଡ଼ ଶିଟ୍ ରୁ।କେବେ କାଗଜ କଟା ହୋଇ ଖଟ ତଳେ ପଡ଼ୁଚି ତୋ କେବେ ଖାତା ପତ୍ର ।କିନ୍ତୁ ସେ ଚୁପ୍ ରହୁଥାନ୍ତି।
ସେଦିନ ରବିବାର।ପିଲା ୨ଜଣ ଟିଉ ସନ ଯାଇଥାନ୍ତି। ସେ ଘରେ ଥାଆନ୍ତି।ଭାବିଲେ ଆଜି ଛୁଆ ଦୁଇ ଜଣ ଆସିଲେ ସେମାନଙ୍କୁ ବାହାରକୁ ନେଇ ଲଞ୍ଚ କରି ଆସିବେ। ଥାକରୁ ନିଜ ପ୍ରିୟ ଧଳା ଶାର୍ଟ୍ ଟା ବାହାର୍ କଲେ।
ଆରେ ଏ କଣ?
ଶାର୍ଟ୍ ଟା ର ଦୁଇ ତିନି ଜାଗାରେ କଟା ଯାଇଛି।ତାଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା।
ଏ କାମ ନିଶ୍ଚେ ଅମିତ୍ ର।ଦିନ କୁ ଦିନ ବେଶୀ ଦୁଷ୍ଟ ହେଉଛି।ଆଜି ନିଶ୍ଚୟ ଦଣ୍ଡ ଦରକାର।
ଦୁଇ ଭାଇ ଟିଉସନ ରୁ ଫେରି ଦେଖିଲେ ବାପା କେମିତି ଗମ୍ଭୀର ଦେଖାଯାଉଛନ୍ତି। କଣ ହୋଇଥାଇପାରେ କାରଣ।
ଅମିତ୍ ଆସିଲୁ।କଣ ହେଲା ବାପା। ଏ ଶାର୍ଟ୍ ଟା କିଏ କାଟିଛି?ମୁଁ ଜାଣିନି ବାପା।
ସତ କହ।ସତ କହୁଛି ବାପା ।ମୁଁ ଏ ଶାର୍ଟ୍ କାଟି ନି।
ଅମିତ ମିଛ କହୁଛି ଜାଣି ତାଙ୍କ ରାଗ ପଞ୍ଚମ କୁ ଉଠିଗଲା।
ବାଡ଼ି ଟିଏ ଆଣି ନିର୍ଘାତିଆ ପିଟି ଚାଲିଲେ।ହାତ ଗୋଡରେ ଏଡେ ଏଡେ ନୋଳା ବସିଗଲା।କାନ୍ଦି କାନ୍ଦି କହୁଥାଏ ମୁଁ କାଟିନି ବାପା। ବଡ଼ପୁଅ ଆସି ଅନିଲ ବାବୁଙ୍କୁ ନେହୁରା ହେଲା ଭାଇକୁ ନ ପିଟିବା ପାଇଁ।ସେତେବେଳକୁ ରାଗ ଟିକେ ଥଣ୍ଡା ହୋଇଯାଇଥାଏ।
ରାଗିକି ରୋଷେଇ ଘରକୁ ଚାଲିଗଲେ ଅନିଲ ବାବୁ। ରୋଷେଇ ବାସ କରି ଛୁଆ ଦୁଇ ଜଣଙ୍କୁ ଖାଇବାକୁ ଦେଲେ।ପିଲାମାନେ ଖାଇ ସାରି ଶୋଇପଡ଼ିଲେ।
ସେ ମଧ୍ୟ ଖାଇ ଶୋଇ ଶୋଇ ସକାଳ ର ଘଟଣା ପାଇଁ ଅନୁତାପ କରୁଥିଲେ ଗୋଟିଏ ସାମାନ୍ୟ୍ ଶାର୍ଟ୍ ଟା ପାଇଁ ଏତେ ମାଡ଼ ମାରିଲି।
ବାପା ର କୋଠର୍ ଖୋଳପା ତଳେ ଥିବା ତାଙ୍କ କଁଅ ଳିଆ ମନଟା ବିଳାପ କରି ଉଠିଲା।
ଆସ୍ତେ କିନା ଯାଇ ପୁଅ ର ଗୋଡ ପାଖରେ ବସିଲେ।ନା ମାଡ଼ ର ଦାଗ୍ ଏଜାୟେଁ ଲିଭିନି।ଅମିତ୍ ସୁଁ ଶୁଁ ହୋଇ କାନ୍ଦ ଥାଏ ।pain balm ଟା ଆଣି ତା ହାତ ଗୋଡରେ ଲଗାଇ ଦେଉଥିଲେ।ତାଙ୍କର ପଥର ହୃଦୟ ଟା ତରଳି ଯାଇଥିଲା।ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥିଲା।ହଠାତ୍ ବଡ ପୁଅ ଅଜିତ ଉଠି ପଡ଼ି ବାରୁ ଆସ୍ତେ କିନା ଲୁହ ପୋଛି ବାହାରକୁ ଚାଲିଗଲେ ସେ।
ତା ପରଦିନ ସୋମବାର। ଇଦ୍ ଉଲ୍ ଯୋହା ଉପଲକ୍ଷେ ସ୍କୁଲ ଛୁଟି ଥାଏ।ଭାବିଲେ ଆଜି ଘର ଟାକୁ ଟିକେ ସଫା କରିବେ। ଉପର ଥାକରୁ ବହିପତ୍ର କଢ଼ିଲା ବେଳକୁ ଦେଖିଲେ ମେଞ୍ଚେ କାଗଜ କଟା ହୋଇ ଥୁଆ ହୋଇଛି।
ଆରେ ଏ କଣ?ହଠାତ୍ ଦେଖିଲେ ଆଖି ଫିଟିିନଥିବା ୪-୫ ଟି ଚୁଟିଆ ମୂଷା ଛୁଆ। ମା ମୂଷା ଟି ଖପ୍ କିନା ଡେଇଁ ପଳେଇଲା।
ଓହୋ କେତେବଡ ଭୁଲ୍ ହୋଇଗଲା।ମୂଷା ସବୁ କିଛି କାଟୁ ଥିଲା।ଅଥଚ ଅମିତ୍ ବାରମ୍ବାର ମନା କରିବା ସତ୍ତ୍ୱେ ଖୁବ୍ ଦଣ୍ଡ ଦେଲେ।ଦୋଷ କଲା କିଏ ଦଣ୍ଡ ପାଇଲା କିଏ ?
କ୍ରୋଧ ବଶତଃ ସେ କେତେବଡ ଭୂଲ ଟିଏ କରି ପକେଇଲେ।କ୍ରୋଧ ର ନିଆଁ ସବୁବେଳେ ଖରାପ ହୋଇଥାଏ ସେ ସେକଥା ହୃଦୟଙ୍ଗମ କରି ସାରିଥିଲେ।
ଖୁବ୍ ଅନୁତାପ କରୁଥିଲେ ଅନିଲ ବାବୁ।ମନେ ମନେ ଭାବୁଥିଲେ ଶହେ ଦୋଷୀ ଦୋଷ କରି ନିର୍ଦ୍ଦୋଷ ରେ ଖଲାସ ହେଲେ ଚଳିବ କିନ୍ତୁ ଜଣେ ନିର୍ଦ୍ଧୋଷୀ କୁ ଦଣ୍ଡ ଦେବା ଗୁରୁତର ଅପରାଧ।
ସେଦିନ ଠାରୁ ସେ ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବା ଶିଖିଗଲେ।କୌଣସି କଥା ର ସତ୍ୟାସତ୍ୟ ନ ଜାଣି ସେ ଆଉ ଏପରି ଭୁଲ କେବେ ନ କରିବା ପାଇଁ ମନେ ମନେ ଶପଥ ନେଇଥିଲେ।
