Sunita Kumari Pradhan

Inspirational

3  

Sunita Kumari Pradhan

Inspirational

ଏକାକୀ ଏ ଜୀବନେ

ଏକାକୀ ଏ ଜୀବନେ

5 mins
208


ଜୀବନର ମୋଡ଼ କାହା ପାଇଁ କେଉଁଠି ବଦଳିଯାଏ ସେକଥା କିଏ ବା ଜାଣିଛି???

କାହା ପାଇଁ କାହା ଜୀବନର ଗତିପଥ କେବେଅଟକି ଯାଏନି। ସମୟ ଅନୁସାରେ ତାଳ ଦେଇ ମଣିଷ ବଞ୍ଚିବା ଶିଖିଯାଏ।

ଏଇ ଯେମିତି ଲତିକା ବି ବଞ୍ଚିବା ଶିଖିଯାଇଥିଲା ଧୀରେ ଧୀରେ।

ଅନିଶ୍ଚିତତା ମଧ୍ୟରେ,ଜୀବନର ଧାଁ ଧଉଡ ଭିତରେ ଗତି କରୁ କରୁ ତା ଲକ୍ଷ୍ୟ ହୀନ ଜୀବନକୁ ମିଳିଯାଇଥିଲା ଏକ ଦିଶା।ଏକ ନୂଆ ଦିଗ।

ଏକାକୀ ଏ ଜୀବନେ ,ଅନେକ ସଂଘର୍ଷ ପରେ ଆଜି ଏ ସଫଳତାର ମୁହଁ ତାକୁ ଦେଖିବାକୁ ମିଳିଛି। ତା ପୁଅକୁ ସମ୍ବର୍ଦ୍ଧନା ଦେବା ଲାଗି ଆଜି ଏହି ଉତ୍ସବ ଯେ ଆୟୋଜିତ ଏହା ସେ ସ୍ବପ୍ନରେ ମଧ୍ୟ କଳ୍ପନା କରି ପାରୁନଥିଲା।ସେ ଏକୁଟିଆ ସ୍ତ୍ରୀଟିଏ ହୋଇ ପୁଅ ଆର୍ଯ୍ୟନ୍ କୁ ଯେ ସେ ମଣିଷ ଭଳି ମଣିଷଟିଏ କରି ଗଢି ତୋଳି ପାରିଛି ଏହାଠାରୁ ବଳି ବଡ଼ ଗର୍ବର ବିଷୟ କଣ ହୋଇପାରେ!!!!

ଏକୁଟିଆ ନାରୀଟିଏ ଗୋଟିଏ ତା ଜୀବନରେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢେ ତାର ଏକ ନିଚ୍ଛକ ଉଦାହରଣ ସେ ନିଜେ।

ଆର୍ଯ୍ୟନକୁ ମଞ୍ଚ ଉପରେ ଦେଖି ଭାବ ବିହ୍ୱଳ ହୋଇପଡ଼ୁଥିଲା ସେ।

ଆଖିରୁ ବୋହି ଚାଲିଥିଲା ଅଶ୍ରୁଧାର।ଆଉ ସେ ଫେରିଯାଇଥିଲେ ଅତୀତକୁ ଧୀରେ ଧୀରେ......


ଲତିକା ମାତ୍ର ୨୦ ବର୍ଷୀୟା ସୁନ୍ଦରୀ ଯୁବତୀ।ଚଳ ଚଞ୍ଚଳ ହରିଣୀ ଭଳି କନ କନ ଚାହାଣୀ।

+୩ ସରିଥାଏ ଅଳ୍ପଦିନ ତଳେ।

ଏବଂ ମାତ୍ର ୨୦ ବର୍ଷରେ ବିବାହପାଇଁ ଘରେ ଆରମ୍ଭ କରିଦେଇଥିଲେ ସମସ୍ତ ପ୍ରସ୍ତୁତି ପର୍ବ।

ସୁନ୍ଦର୍ ଘର ସୁନ୍ଦର୍ ବର ଓ ଚାକିରିଆ ଜ୍ବାଇଁ ଦେଖି ତର ତର ହୋଇ ବାହାକରିଦେଲେ ତା ଘର ଲୋକ।

ବିବାହର ଦିନେ ଦୁଇଦିନ ପରେ ହିଁ ତା ବରର ଅସଲ ଚେହେରା ଆସିଥିଲା ତା ସାମ୍ନାକୁ।

ଗୋଟିଏ ସୁନ୍ଦର୍ ଚେହେରା ପଛରେ ଥିବା ଗୋଟିଏ କଦାକାର ବିକୃତ ମାନସିକତାର ମୁଖା ଖୋଲୁ ଥିଲା ଧୀରେ ଧୀରେ।

ଜଣେ ସନ୍ଦେହୀ,ଅବିଶ୍ବାସ ଅଂହ ପୂର୍ଣ୍ଣ ,ସ୍ବାର୍ଥପର

ବ୍ୟକ୍ତି ସହିତ ଯୋଡ଼ି ହୋଇଯାଇଥିଲା ତା ଜୀବନ। ସାଧରତଃ ନାରୀଟିଏ ସାତ କଳସ ଆଠ ଦୀପକୁ ଯଦି ସାକ୍ଷୀ ରଖି ଜଣକ ହାତ ଧରି ନେଇ ଥାଏ ତାକୁ ହିଁ ତା ଇହ କାଳ ପର କାଳର ଦେବତା ବୋଲି ମାନି ନେଇଥାଏ।

ସ୍ବାମୀର ମଙ୍ଗଳ ନିମନ୍ତେ ସେ ଅଜାଡ଼ି ଦିଏ ନିଜର ସର୍ବସ୍ବ।ଜଳାଞ୍ଜଳି ଦେଇଦିଏ ତା ସମସ୍ତ ଆଶା ଆକାଂକ୍ଷା ଖୁସି ଇଛା।ସମସ୍ତଙ୍କୁ ଖୁସି ଦେବା ନିମନ୍ତେ ତା ଖୁସି ଟି ନେଇଯାଏ ସମାଧି।

ମରିଯାଏ ତା ସମସ୍ତ ସ୍ବପ୍ନ,ଆକାଂକ୍ଷା।

ସ୍ବାମୀ ଖୁସିରେ ନିଜ ଖୁସି ଏକଥା ତାକୁ ତା ସମାଜ ବୁଝେଇ ଦେଇଥାଏ। ତେଣୁ ସ୍ବାମୀ ବୋଲି ମାନି ନେଇଥିବା ଲୋକଟି ଭଲ ହେଉ କି ଖରାପ୍ ହେଉ ସ୍ତ୍ରୀ ନାମ୍ନୀ ଧାରି ମହିଳାଟି ତା ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଅନ୍ୟାୟ ମୁଣ୍ଡପାତି ସହି ଯାଏ।ଠିକ୍ ସେମିତି ଲତିକା ମଧ୍ୟ ସ୍ବାମୀଙ୍କ ସବୁ ଆକ୍ଷେପ,ସବୁ କଟାକ୍ଷକୁ ମୁଣ୍ଡ ପାତି ସହ୍ୟ କରୁଥିଲା କିନ୍ତୁ ପ୍ରତି ବଦଳରେ ସେ ପାଉଥିଲା କଣ?

ସେମାନଙ୍କ ବିବାହକୁ ବର୍ଷେ ବିତିସାରିଥିଲା।ଏକ ନୂଆ ଅତିଥି ଆସିବାର ସଂକେତ ବି ମିଳି ସାରିଥିଲା। ଖୁସିରେ ଗଦ୍ ଗଦ ହୋଇ ଖୁସି ଖବରଟି ଜଣେଇଥିଲା ସେ ତା ସ୍ବାମୀ ରୂପୀ ଅମଣିଷଟାକୁ।

ସେ ଖୁସି ହେବ କଣ ଅଲଟି ଆରୋପ ଲଗେଇଲା ଯେ ଏ ଛୁଆ ମୋର ନୁହଁ।ଏଇଟା ଆଉ କାହା ପାପ ତୁ ମୋ ମୁଣ୍ଡରେ ଲଦି ଦେଉଚୁ।

ଏକଥା ଶୁଣି ତା ପାଦ ତଳ ମାଟି ଟାଯେମିତି ଧସି ଯାଉଥିଲା ତଳକୁ ତଳକୁ ଆଉ ଆକାଶଟା ଯେମିତି ମୁଣ୍ଡ ଉପରେ ଛିଡି ପଡ଼ିବ।

ଛୁଆଟିକୁ ଅବୋରସନ୍ କରିବା ପାଇଁ ଚାପ ପଡ଼ିଲା ସ୍ବାମୀ ରୂପୀ ଦାନବ ପାଖରୁ।

କେମିତି ସେ ନିଜ ଅଂଶକୁ ନିଜ ହାତରେ ନଷ୍ଟ କରିଦେବ।ନା ଯାହା ହେଇଯାଉ ପଛେ ସେ ଛୁଆଟିର କିଛି ହେବାକୁ ଦେବନି।ସେ ଏକୁଟିଆ ବଞ୍ଚିବ ତା ପିଲା ପାଇଁ।ଆଉ ତାକୁ ଆଣିବ ଏ ଦୁନିଆକୁ।

ହତ ଚକିତ ହେଉଥିଲା ସେ ଲୋକଟିର ନୃଶଂସତା, ନିର୍ଦ୍ଧୟତା ଉପରେ।

ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେ ନିଜ ଛୁଆକୁ ନିଜର କହିବାକୁ କୁଣ୍ଠା ପ୍ରକାଶ କରନ୍ତି।

କେମିତିକା ମଣିଷ ଇୟେ।ଏହାର କାରଣ କଣ ହୋଇପାରେ?

ମନ ଭିତରେ ଅନେକ ସଂଶୟ ଓ ଦ୍ୱନ୍ଦ। ଦୁଶ୍ଚିନ୍ତା ଓ ନାନା ପ୍ରକାର ଚିନ୍ତାର ବୁଢ଼ୀ ଆଣି ଜାଲ ଭିତରେ ଛନ୍ଦି ହେଇଯାଉ ଥିଲା ଲତିକା।

ବଢୁଥିଲା ଲତିକା ଉପରେ ଅତ୍ୟାଚାର ଆଉ ନିଜକୁ ଆହୁରି ଦୃଢ଼ କରିଥିଲା ସେ।ଦୃଢ଼ କରିଥିଲା ନିଜ ମନୋବଳ।ଯେମିତି ହେଉ ଆଣିବ ତା ସନ୍ତାନକୁ ଏ ଦୁନିଆକୁ। କିନ୍ତୁ ଦିନେ ରାତିରେ ହଠାତ୍ ନିଦ ଭାଙ୍ଗି ଯାଇଥିଲା ତାର ! ଆଖି ଖୋଲି ଦେଖିଲା ବେଳକୁ ସ୍ବାମୀ ନଥାନ୍ତି ପାଖରେ! କୁଆଡେ ଗଲେ ବୋଲି ଏଣେ ତେଣେ ଚାହିଁଲା ସେ।

ବାଥ ରୁମ୍ କୁ ଯିବାବେଳେ ହଠାତ୍ କାହାର ଫୁସୁରୁ ଫାସୁରୁ ଶବ୍ଦ ଶୁଭିଲା।ବଡ଼ ଯାଆଙ୍କ ରୁମ୍ ରୁ ଶବ୍ଦ ଆସୁଛି।ଦେଢ଼ଶୁର ତ ବାହାରେ ରୁହନ୍ତି।ତେବେ ଏ କଣ୍ଠ ସ୍ୱର କାହାର?

ଭଲ ଭାବେ କାନେଇଲା ସେ।

ଆରେ ଇୟେ ତ ତା ସ୍ବାମୀ ଓ ଯାଆଙ୍କ ସ୍ୱର।ଅଧ୍ ରାତିରେ ନିଜ ସ୍ବାମୀ ଥାଉ ଥାଉ ଆଉ ଜଣେ ପର ପୁରୁଷ ଆଉ ସ୍ତ୍ରୀ ଭିତରେ କିଭଳି ସମ୍ପର୍କ ଥାଏ ବୁଝିବାକୁ ଡେରି ହୋଇନଥିଲା ଲତିକାର।

ତା ପର ଠାରୁ ସେ ଦୁହିଁଙ୍କ ହାବଭାବରୁ ସେ ଜାଣି ପାରିଲା ଦିଅର ଭାଉଜ ଭଳି ପବିତ୍ର ସମ୍ପର୍କରେ ଭରି ରହିଛି ପାପର କଳୁଷ,କଳଙ୍କ। ଭାଙ୍ଗି ଯାଇଥିଲା ତାର ସମସ୍ତ ମନୋବଳ।ସେ ଭାଙ୍ଗି ପଡ଼ିଥିଲା ଭୀଷଣ ଭାବେ।

ସ୍ତ୍ରୀଟିଏ ସବୁ ସହ୍ୟ କରି ପାରିବ ସିନା ନିଜ ସ୍ବାମୀକୁ ଆଉ କାହା ସହ କେବେ ବି ଦେଖି ପାରିବନି।ଏଇଟା ଖୁବ୍ ଅସହ୍ୟ ସବୁ ନାରୀଙ୍କ ପାଇଁ।

ଖୁବ୍ ପ୍ରତିବାଦ କରିଥିଲା ସେ।କିନ୍ତୁ ତା ପ୍ରତିବାଦ ସ୍ୱରୂପ ପାଇଥିଲା ଅନେକ ଯନ୍ତ୍ରଣା। ଦେହ ସାରା ଲାତ, ବିଧା ଗୋଇଠାର ଅସଂଖ୍ୟ ଦାଗ।

ଲୁହ ସବୁ ତାର ଚିର ସାଥି ହୋଇ ଯାଇଥିଲେ ଯେମିତି।

ସେଦିନ ବାପା ଆସିଥାନ୍ତି ତା ଶାଶୁ ଘରକୁ।

ତାପରେ ଘରକୁ ବୁଲି ଆସିବା ବାହାନାରେ ସେ ଆସି ରହି ଯାଇଥିଲା ବାପା ଘରେ।ଆଉ ଆଦୌ ପାଦ ପକେଇ ନଥିଲା ଶାଶୁ ଘରେ।

ସେମାନେ ବି ତାକୁ ଡାକିବା ନିମନ୍ତେ ଆଗ୍ରହ ପ୍ରକାଶ କରିନଥିଲେ।

ଏମିତିରେ ବିତିଗଲା କିଛି ମାସ।

ଏହାପରେ ତା ପୁଅର ଜନ୍ମ। ତା ପୁଅକୁ ପାଖାପାଖି ବର୍ଷେ ହୋଇଯାଇଥିଲା କିନ୍ତୁ କେହି ବି ଆସିନଥିଲେ ଶାଶୁ ଘରୁ।

ୟାରି ଭିତରେ ଲତିକା ସାରିଥିଲା ତା ବିଇ ଡି ପରୀକ୍ଷା। ଆଉ ଶିକ୍ଷୟତ୍ରୀ ରୂପେ ଯୋଗ ଦେଇଥିଲା ଘର ନିକଟସ୍ଥ ଏକ ବିଦ୍ୟାଳୟରେ।

ଏକ ପ୍ରକାର ଚାଲିଥିଲା ତା ଜୀବନ ଗାଡ଼ି।

ବଡ଼ ଭାଇ ବାହା ହୋଇ ଭାଉଜ ଆସିବା ପରେ ପୁଣି ବଢ଼ି ଯାଇଥିଲା ତା ଦୁଃଖ।

ପ୍ରତି ମୁହୂର୍ତ୍ତରେ କ୍ଷତ ବିକ୍ଷତ ହେଉଥିଲା ଭାଉଜଙ୍କ ତାତ୍ସଲ୍ୟ ଭରା ବାକ୍ୟ ବାଣରେ।

ନିଜେ ରୋଜଗାର କ୍ଷମ ଥାଇ ସୁଦ୍ଧା ବାପା ଘର ସେ ଏଇଥି ପାଇଁ ଛାଡ଼ି ପାରୁନଥିଲା ଯେ ଜଣେ ଅଳ୍ପ ବୟସି ସ୍ବାମୀ ପରିତ୍ୟକ୍ତା ସ୍ତ୍ରୀକୁ ଦୁନିଆ ଯେଉଁ ନଜରରେ ଦେଖେ ସେଇଟା ତା ପାଇଁ ଅଛପା ନଥିଲା।

ନିଜ ପରିଶ୍ରମର ସମସ୍ତ ଅର୍ଥ ବୁହାଇ ଦେଉଥିଲା ଭାଇ ଭଉଣୀଙ୍କୁ ନିଜ ଗୋଡ଼ରେ ଠିଆ କରେଇବା ନିମନ୍ତେ।ନିଜ ଘରେ ଏକ ଚାକରାଣୀ ଠାରୁ ମଧ୍ୟ ଆହୁରି ଦୟନୀୟ ଅବସ୍ଥା ଥିଲା ତାର।

ସମସ୍ତଙ୍କ ଭଲ କରିବାକୁ ଯାଇ ସେ ପାଲଟି ଯାଏ ସମସ୍ତଙ୍କ ଆଖିରେ ଖରାପ୍। ସମସ୍ତେ ଶୁଣନ୍ତି ନାନା କଥା।

ପୁଅଟି ମୁହଁକୁ ଚାହିଁ ଭୁଲି ବାକୁ ଚେଷ୍ଟା କରେ ସବୁ ଦୁଃଖ।

ଦିନକୁ ଦିନ ଅସହ୍ୟ ହେଉଥିଲା ଭାଇ ଭାଉଜଙ୍କ ବ୍ୟବହାର ଆଉ ବଡ ହେଉଥିଲା ପୁଅ।

ୟାରୀ ମଧ୍ୟରେ ଦୁଇ ନମ୍ବର ଭାଇ ବାହାଘର ପାଇଁ ଝିଅ ଦେଖା ଆରମ୍ଭ ହୋଇସାରିଥିଲା।କିନ୍ତୁ ତା ଶାଶୁ ଘର ଲୋକଙ୍କ ସର୍ତ୍ତ ଥିଲା ଯେ ଯଦି ତା ଭଉଣୀ ଘରେ ରୁହେ ଆମେ ସେ ଘରେ ଆମ ଝିଅକୁ ବିବାହ ଦେବୁ ନାହିଁ।

ଅନ୍ୟ ଭାଇ ମାନେ ଓ ଭାଉଜ ଶୁଣେଇ ଥିଲେ ଅନେକ କଥା। ତା ପରଦିନ ସେ ଛାଡିଥିଲା ନିଜ ବାପା ଘର।ଆଉ ଗୋଟିଏ ଭଡ଼ାଘର ନେଇ ରହିବାକୁ ଲାଗିଲେ ମାଆ ପୁଅ।

ଦିନ ବଢ଼ି ଚାଲିଲା। ଶଶିକଳା ଭଳି ବଢ଼ି ଚାଲୁ ଥିଲା ତା ପୁଅ।

ଲତିକା ନିଜ ଛୁଆକୁ ଉତ୍ତମ ସଂସ୍କାର ଆଉ ଶିକ୍ଷା ଦିକ୍ଷା ଦେବାରେ ହେଳା କରି ନଥିଲା।ପୁଅକୁ ମଣିଷ କରିବା ନିମନ୍ତେ ଦିନରାତି ଏକ କରି ଦେଇଥିଲା ସେ।

ସମାଜ ସହ ଲଢିଥିଲା ସେ ଏକୁଟିଆ।

ଏକୁଟିଆ ନାରୀଟିଏ ହୋଇ ମଧ୍ୟ ସେ କେବେ ଭାଙ୍ଗିଯାଇନଥିଲା।ଆହୁରି ଅଧିକରୁ ଅଧିକ ଦୃଢ଼ ହୋଇ ସେ ତା ଜୀବନ ରାସ୍ତାର ସମସ୍ତ ଖାଲ ଖମା , ଉଠାଣି ଗଡାଣିକୁ ସଫଳ ଭାବେ ଅତିକ୍ରମ କରି ଚାଲିଥିଲା ଆଗକୁ ଆଗକୁ।

ଆଜି ତା ପୁଅ ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛି।ଖୁବ୍ ଗର୍ବିତ ସେ ନିଜ ପୁଅ ପାଇଁ।

ଡାକ ବାଜି ଯନ୍ତ୍ରରେ ତା ନାଆଟି ଘୋଷିତ ହେଉଥିଲା ବାରମ୍ବାର। କାହାରି କଅଁଳ ସ୍ପର୍ଶରେ ପ୍ରକୃସ୍ଥିତ ହେଲା ସେ।ଆଖି ଉଠେଇ ଦେଖିଲା ବେଳକୁ ପାଦ ଛୁଇଁ ପ୍ରଣାମ କରୁଥିଲା ତା ପୁଅ ଆର୍ଯ୍ୟନ୍।

ଆଉ ଆର୍ଯ୍ୟନ୍ ତା ମାଆ ହାତକୁ ବଢେଇ ଦେଉ ଥିଲା ତା ମାନପତ୍ରଟି ଆଉ ଗର୍ବର ସହ କହୁଥିଲା "ମୋର ଏ ସମସ୍ତ ସଫଳତାର ଅଧିକାରିଣୀ ପ୍ରକୃତରେ ମୋ ମାଆ"।



Rate this content
Log in

Similar oriya story from Inspirational