ତିଳ ସୁନ୍ଦରୀ
ତିଳ ସୁନ୍ଦରୀ
ଅନେକ ବର୍ଷ ପରେ ଟ୍ରେନ୍ ରେ ଦେଖା ହୋଇଗଲା ସୀତାଂଶୁ। ମୋତେ ଦେଖି ତାର ଖୁସି କହିଲେ ନ ସରେ। କରମର୍ଦ୍ଦନ ଓ ଆଲିଙ୍ଗନ ପରେ ବସିଲା ମୋତେ ଲାଗି। କହିଲା - ଆଉ କଣ ସବୁ ଖବର ସାଙ୍ଗ, ତୋର ତ ଆଉ ଦେଖା ନାହିଁ ଯେ। ରହୁଛୁ କେଉଁଠି ଆଜିକାଲି?
- ମୁଁ ତ ସେଇ ଭୁବନେଶ୍ୱରରେ। ବରଂ ତୁ ଦେଖାଯାଉନୁ। ପଢ଼ାପଢ଼ି ପରେ ସତେ ଯେମିତି ଗାଏବ୍।
ସୀତାଂଶୁ ହସି ଦେଇ କହିଲା, ପୁନେରେ ଅଛି। ଆଇ ଟି କମ୍ପାନୀରେ ଜବ୍ ଖଣ୍ଡେ ପାଇଛି ଯେ ଶଳେ ରାତିଦିନ ଖଟୋଉଛନ୍ତି। ନିଶ୍ୱାସ ମାରିବାକୁ ଫୁରୁସତ୍ ନାହିଁ। କେତେଥର ଭାବିଲି ଜବ୍ ଛାଡ଼ିଦେବି। ହେଲେ ଭଉଣୀଟାର ମୁହଁକୁ ଦେଖିଦେଲେ ଜବ୍ ର ମୋହ ବେଳକୁ ବେଳ ବଢ଼ିଯାଉଛି। ଆଉ ତୁ କହ, ତୋ କଥା କଣ?
- ମୋ କଥା କଣ ଶୁଣିବୁ। ସେଇ ଚିରାଚରିତ।
- ଶୁଣିଲି ତୁ ବାହା ହେଇ ସାରିଲୁଣି?
- ହଁ ରେ ଭାଇ, ଆଉ କହନି। ବାହା ହେଇ ନାମ ନେଉଛି। ପତ୍ନୀ ମୋ ଘରେ କମ୍ ତା ବାପ ଘରେ ବେଶୀ ଦିନ ରହୁଛି।
- ଏବେ ଭାଉଜ ତାହେଲେ କେଉଁଠି?
- ତାରି ପାଖକୁ ଯାଉଛି ପରା ବ୍ରହ୍ମପୁର। ଆସନ୍ତାକାଲି ପୁଅର ଚୁଳ ପକାଇବାର ଅଛି ତାରାତାରିଣୀରେ। ଗଞ୍ଜାମବାସୀଙ୍କ ନାହିଁ ନ ଥିବା ପଟୁଆରରେ ଭାଇ। ତୋତେ ମୁଁ ମୁଫତ୍ ରେ ଉପଦେଶଟିଏ ଦେବି। ଆଉ ଯାହା ପଛେ କରିବୁ ଗଞ୍ଜାମ ଝିଅକୁ କେବେ ବାହା ହେବୁ ନାହିଁ।
- କାହିଁକି?
- ଭାଇ, ସେମାନଙ୍କର ଧର୍ମଭାବନାରେ ତୋ ମୁଣ୍ଡ ଖରାପ ହେଇଯିବ। ସଂସାର କରିବାଠୁ ଆଶ୍ରମ ଖୋଲିଦେବା ଭଲ।
- ମାନେ?
- ତାଙ୍କର ଗୁଡ଼ାଏ ମାନସିକ। ବାହାପୂର୍ବରୁ ଦଣ୍ଡନାଚ ହେବ। ପୁଅ ଜନ୍ମ ହେଲେ ସତ୍ୟନାରାୟଣ ବ୍ରତ ହେବ। ପୁଅର ବର୍ଷପୁରାଣିରେ ତାରାତାରିଣୀରେ ଚୁଳ ପକାହେବ। ଝିଅ ହେଲେ ଠାକୁରାଣୀ ଯାତ୍ରାରେ ରାଧା ବେଶ ହେବ। ଭାଇ, ସେ ହଜାରେ ସିଷ୍ଟମ୍ ଆଉ କଷ୍ଟମ୍।
ସୀତାଂଶୁ ହସିଲା ଖୁବ୍ ଜୋର୍ ରେ।
- ହରଡ଼ ଘଣାରେ ପଡ଼ିଛୁ ତାହେଲେ? ଦେଲୁ ଦେଲୁ ତୋ ନମ୍ବରଟା? କଥାବାର୍ତ୍ତାରେ ଭୁଲିଯିବି। ପୁଣି କେବେ ଦେଖାହେବ କିଏ ଜାଣେ? ସୀତାଂଶୁ ପକେଟ୍ ରୁ କାଗଜଟିଏ ବାହାର କଲା। ମୁଁ ପକେଟ୍ ରୁ କଲମ ବାହାର କରି ତା ହାତକୁ ବଢ଼ାଇ ଦେଇ ନମ୍ବରଟା ଡାକିଲି। ଆଉ ମୁଁ ମଧ୍ୟ ସୀତାଂଶୁର ନମ୍ବର ମାଗି ଲେଖିଲି।
ସୀତାଂଶୁ ମୋ କଲମ ଧରିଥିବା ହାତକୁ ହଠାତ୍ ଟାଣି ନେଇ କହିଲା, ସାଙ୍ଗ ତୋ ବିଶି ଆଙ୍ଗୁଠିରେ ତିଳ! ମୁଁ ନଜର କଲି। ବିଶି ଆଙ୍ଗୁଠି ନଖର ଠିକ୍ ଉପରକୁ କଳାରଙ୍ଗର ତିଳଟିଏ ଅଛି।
- ହଁ କଣ ହେଲା କି?
- ତୋତେ କେହି କହିନାହିଁ, ଏ ଜାଗାରେ ତିଳ ରହିଲେ ତାର ମହତ୍ୱ କଣ?
- ନା, ମୁଁ ମଧ୍ୟ କେବେ ଲକ୍ଷ୍ୟ କରିନି ସେଠି ତିଳଟିଏ ଅଛି ବୋଲି।
- ସାଙ୍ଗ, ଜୀବନରେ ତୁ ଜଣେ ପ୍ରତିଷ୍ଠିତ ଲେଖକ ହେବୁ। ମନେ ରଖିଥା ମୋ କଥା।
- ଛାଡ଼, ସେସବୁ ବେକାର କଥା। ଲେଖକ ହେବାର ଇଚ୍ଛାଟେ ମୋର ପ୍ରବଳ। ହେଲେ କଣ ହେବ? ଯୋଉ ପତ୍ରପତ୍ରିକାକୁ ଲେଖାଟିଏ ପଠେଇଲି କିଛି ଉତ୍ତର ନାହିଁ। ଏବେ ଆଉ ଲେଖା ଲେଖି ଛାଡ଼ି ଦେଇଛି।
- ତୋତେ ବିଶ୍ୱାସ ହେଉନି ନା କହି ସୀତାଂଶୁ ଆରମ୍ଭ କଲା ତାର ତିଳ ମାହାତ୍ମ୍ୟ। କେଉଁ ଜାଗାରେ କେଉଁ ରଙ୍ଗର ତିଳ କେତେ ଛୋଟ ବା ବଡ଼ ରହିଲେ କଣ ହେବ। ସାଙ୍ଗ, ମୋ ଅନୁଭୁତିରୁ କହୁଛି ଗୋଟେ କଥା। ସେତେବେଳେ ହାଇଦେରାବାଦ୍ ରେ ସଫ୍ଟୱେର୍ କୋର୍ସ୍ କରୁଥାଏ। ଗୋଟିଏ ଝିଅ ପାଲରେ ପଡ଼ିଗଲି। ଦେଖିବାକୁ ଖୁବ୍ ସୁନ୍ଦର। ତାର ଉପର ଉଠକୁ ଲାଗି ଡାହାଣ ପଟେ ତିଳଟିଏ ଥାଏ। ସେଇ ତିଳ ତା ମୁହଁଟାକୁ ଆହୁରି ସୁନ୍ଦର କରି ତୋଳୁଥାଏ। ମୁଁ ତା ଭାବନାରେ ଦିନରାତି ଉବୁଟୁବୁ, ହେଲେ ଦେଖା ହେଲେ କିଛି କହିପାରେନା। ଏମିତିରେ କିଏ ଜଣେ ମୋତେ କହିଲା, ଯାହାର ଓଠରେ ତିଳ ଥାଏ, ସେ ଝିଅ ଖୁବ୍ ଶୀଘ୍ର ପ୍ରେମରେ ପଡ଼ନ୍ତି। ମୁଁ ଖୁବ୍ ସାହସ କରି ଦିନେ ତାକୁ ମୋ ମନକଥା ଜଣେଇଲି। ସାଙ୍ଗ, ମୁଁ ଖାଲି ପ୍ରସ୍ତାବ ଦେବାଟା ବାକି, ସେ ଝିଅ ଆଇ ଲଭ୍ ୟୁ ଠୁ କହି ମୁରୁକି ହସିଲା ମୋ ଆଡ଼େ ଚାହିଁ। ପରେ ଶୁଣିଲି, ମୋ ପୂର୍ବରୁ ସାତୋଟି ପ୍ରେମିକ ତା ଜୀବନରୁ ବିଦାୟ ନେଲେଣି।
ପରେ ପରେ ତିଳ ଚିହ୍ନକୁ ନେଇ ସୀତାଂଶୁ ଆହୁରି ଏମିତି ମଜା ମଜା କଥା କହିଲା, ଯାହା ସର୍ବ ସମକ୍ଷରେ କହି ହେବନି। ମୁଁ ସେଦିନ ଲାଜ ଲାଜ ହୋଇ ସୀତାଂଶୁକୁ ଅନେଇଥିଲି। ଶରୀରର ପ୍ରତ୍ୟେକଟି ଅଙ୍ଗରେ ତିଳର ଅବସ୍ଥିତିରେ କେଉଁ ଭାଗ୍ୟ ଅବା ଦୁର୍ଭାଗ୍ୟ ମାଡ଼ି ବସିବ ଗୋଟି ଗୋଟି କହି ଚାଲିଥିଲା ସୀତାଂଶୁ।
- ତୁ ଏଗୁଡ଼ା ବିଶ୍ୱାସ କରୁ?
- ହଁ, କିଛି କିଛି। ତେବେ ତୋ ବିଷୟରେ ମୋର ଭବିଷ୍ୟବାଣୀ ଦେଖ୍ ନିଶ୍ଚୟ ସତ ହେବ। ସେତେବେଳେ ମୋତେ ଭୁଲି ଯିବୁନି ତ?
ମୋ ଷ୍ଟେସନ୍ ଆସି ସାରିଥିଲା। ମୁଁ ସୀତାଂଶୁକୁ ଅନୁରୋଧ କଲି ଓହ୍ଲେଇଯିବା ପାଇଁ। ସେ ଆଉଦିନେ କହି ମୋ କଥା ଟାଳିଦେଲା।
ସୀତାଂଶୁର ତିଳ ମାହାତ୍ମ୍ୟ ମୋ ମୁଣ୍ଡଟାକୁ ଭୁତ ମାଡ଼ି ବସିଲା ପରି ଆଚ୍ଛନ୍ନ କରି ରଖିଥିଲା। ତା କଥାର ସତ୍ୟାସତ୍ୟ ଜାଣିବା ପାଇଁ ଷ୍ଟେସନ୍ ର ବୁକ୍ ଷ୍ଟଲ୍ ରୁ “ହ୍ୱାଟ୍ ସେସ୍ ୟୋର୍ ମୋଲ୍” ବହିଟିଏ କିଣି ବ୍ୟାଗ୍ ରେ ପୁରେଇଲି।
ଶ୍ୱଶୁର ଘରେ ମୋ ପାଇଁ ବିଶେଷ କିଛି କାମ ନ ଥିଲା। ପହଞ୍ଚିବା ପରଠାରୁ ମୋର ଧ୍ୟାନ ବହି ପଢ଼ାରେ ଲାଗି ଯାଇଥିଲା।
ଡିନର୍ ପରେ ପତ୍ନୀ ଓ ମୁଁ ଉଠି ଯାଇଥିଲୁ ଉପର ମହଲା ବେଡ୍ ରୁମ୍ କୁ।
- ଆରେ, ଆରେ କଣ କରୁଛ? ଲାଇଟ୍ ଅଫ୍ ନ କରି ଦୁଇ ଘଣ୍ଟା ହେଲା ମୋ ଶରୀରଟାରେ କଣ ଏତେ ଖୋଜୁଛ?
- ଆହା, ପାଟି ନ କରି ଟିକେ ଚୁପ୍ ରୁହ ଭଲା। ଖଗୋଳ ବିଜ୍ଞାନୀ ଦୂରବୀକ୍ଷଣରେ ଆକାଶରେ ଗୋଟି ଗୋଟି ତାରା ଆବିଷ୍କାର କଲା ପରି ମୁଁ ଆବିଷ୍କାର କରି ଚାଲିଥିଲି ପତ୍ନୀଙ୍କ ଶରୀରରେ ଗୋଟିଏ ପରେ ଗୋଟିଏ ତିଳ। କେତେବେଳେ ହସୁଥିଲି ଖୁସିରେ ତ କେତେବେଳେ ମୁହଁଟା ନିରାଶାରେ ଭରି ଯାଉଥିଲା। ପତ୍ନୀଙ୍କ ଶରୀରର ମୁହଁ ପାଖରୁ ଧୀରେ ଧୀରେ ମୁଁ ଖସୁଥିଲି ତଳକୁ। ବେକ କାନ୍ଧ ଛାତି ନାଭି ହଠାତ୍ ମୁଁ ପାଟି କରି ଉଠିଲି,
- ପାଇଛି, ପାଇଛି
- କଣ ପାଇଛ? ପତ୍ନୀ ଆଚମ୍ବିତ ହୋଇ ଉଠି ପଡ଼ୁଥିଲେ।
- ଆହା, ମୋ ତିଳ ସୁନ୍ଦରୀ, ଉଠିବାକୁ ତୁମକୁ କିଏ କହିଲା? ଶୋଇରୁହ।
ପତ୍ନୀଙ୍କ ଅଣ୍ଟାର ଠିକ୍ ତଳକୁ ନିତମ୍ବ ଉପରେ ଟିକିଲି ପ୍ରମାଣେ ତିଳ ଚିହ୍ନଟିଏ ମୋତେ ସୀତାଂଶୁର ତିଳ ମାହାତ୍ମ୍ୟକୁ ସତ୍ୟ ବୋଲି ଧରିନେବାକୁ ବାଧ୍ୟ କରୁଥିଲା। ଗବେଷଣାରତ ମୋର ଚକ୍ଷୁ ହାମୁଡ଼ି ପଡ଼ିଥିଲା ସେଇ ତିଳ ଉପରେ ତାର ଦୈର୍ଘ୍ୟ ପ୍ରସ୍ଥ ଅନୁମାନ କରି ଭବିଷ୍ୟବାଣୀ କରିବାକୁ।
- ହେଇ ଦେଖ। କିଛି ଦେଖି ପାରୁଛ? ମୁଁ ମୋ ପତ୍ନୀଙ୍କ ଉଦ୍ଦେଶ୍ୟରେ ପଚାରିଲି।
- କଣ ଦେଖିବି? ତୁମେ ଯେଉଁ ପାଖରେ ହାତ ରଖିଛ, ସେଇଟା ମୋ ଆଖିର ଅପହଞ୍ଚରେ। କଣ କିଛି ବ୍ରଣ ଫ୍ରଣ ଉଠିଛି କି ହେ? କାହିଁ କିଛି ବଥା ତ ନାହିଁ?
- ଆରେ ନା ମ, ବ୍ରଣ ନୁହେଁ, ଆଉ କିଛି। ଚେଷ୍ଟା କର। ମୁହଁଟାକୁ ଏପଟକୁ କର। ଅଣ୍ଟା ଅଣ୍ଟାଟାକୁ ଟିକେ ମୋଡ଼ିଲେ ସିନା ଦିଶିବ। ଦିନକୁ ଦିନ ଅଣ୍ଟାର ସାଇଜ୍ ଯାହା ହେଲାଣି ଆଉ ମୋଡ଼ିବ କୁଆଡ଼ୁ। ରୁହ ରୁହ ମୁଁ ଦର୍ପଣଟା ଆଣେ। ଡ୍ରେସିଂ ଟେବୁଲ୍ ପାଖରୁ ଛୋଟ ଦର୍ପଣଟା ତାଙ୍କ ହାତକୁ ବଢ଼େଇ ଦେଲି।
- ଦିଶିଲା?
- କାହିଁ, କେଉଁଠି କିଛି ଦେଖା ଯାଉନି ତ?
- କଣ ଦେଖାଯାଉନି? ଏତେ ବଡ଼ ତିଳଟା ତୁମକୁ ଦିଶୁନି?
- ଓ, ତିଳ କି ହେ, ସେକଥା କହୁନ? କଣ ହେଲା ସେଇଠୁ?
- ଏ ତିଳ ଏଠି ରହିବାର ଅର୍ଥ କଣ ଜାଣିଛ?
- ମଲା, କଣ ଜାଣିଛ କହୁନ? ଏ ରାତି ଅଧଟାରେ ନ ଶୋଇ ଗୋଟେ ତାମସା ଲଗେଇଛ।
- ଏ ତିଳର ଅର୍ଥ ହେଲା, ତୁମ ଚାଲି ଖୁବ୍ ସୁନ୍ଦର। ଠିକ୍ ରାଜହଂସୀଟିଏ ପରି। ନିତମ୍ବ ଦୋହଲାଇ ତୁମେ ଯେତେବେଳେ ଚାଲିଯିବ ନା, ମୁନିଟିଏ ମଧ୍ୟ ତୁମକୁ ଘଡ଼ିଏ ଚାହିଁ ରହିବେ। ମୁଁ ପରା ତୁମର ଚାଲି ଦେଖି ତୁମ ପଛପଟରୁ ତୁମକୁ ପସନ୍ଦ କରି ପ୍ରେମରେ ପଡ଼ି ଯାଇଥିଲି। ତୁମେ କଣ ଜାଣିନା ସେକଥା?
- ହଁ, କେତେଥର ଶୁଣେଇବ ସେ କାହାଣୀ?
- ଆରେ ମୁଁ ତୁମକୁ କାହାଣୀ ଶୁଣୋଉନି। ତୁମ ଆଚାର, ବ୍ୟବହାର ଆଉ ଗୁଣାବଳୀ ସହ ତୁମ ଶରୀରର ତିଳଗୁଡ଼ାକ କେତେ ମେଳ ଖାଉଛି ପରଖି ଦେଖୁଥିଲି।
- ଆଚ୍ଛା, ସତ କହିଲ, ମୋ ମୁହଁଟା ଯଦି ଅସୁନ୍ଦର ହୋଇଥାଆନ୍ତା, ସେଇ ପଛପଟ ଚାଲିର ମୋହରେ ମୋତେ ବାହା ହେଇ ଯାଇଥାନ୍ତ? ଯେତେସବୁ ବାଜେ କଥା। ଶୋଇଲ, ଶୋଇଲ। କାଲି ପୁଣି ସକାଳୁ ଉଠି ତାରାତାରିଣୀ ଯିବାର ଅଛି।
ପତ୍ନୀଙ୍କ ଜ୍ଞାତି କୁଟୁମ୍ବ ସାଇ ପଡ଼ିଶା ହୋଇ ପାଖାପାଖି ପନ୍ଦର ଜଣ ପହଞ୍ଚିଲୁ ଯାଇ ତାରାତାରିଣୀ ମନ୍ଦିରରେ। ରୋଷେଇବାସର ବ୍ୟବସ୍ଥା ହେଲା। ପୁଅର ଚୁଳ କଟା ହେଲା। ଖାଇବା ପାଖରେ ପତ୍ନୀ ମୋତେ ପାଖକୁ ଡାକି ଗୋଟିଏ ଛୋଟ ଝିଅଟିକୁ ଦେଖେଇ କହିଲେ, ୟାର ଜିଭ ଅଗରେ ତିଳଟିଏ ଅଛି। କହିଲ ଦେଖି ୟାର ଖବର। ମୁଁ ଝିଅଟିର ତିଳ ଚିହ୍ନ ଦେଖି କହିଲି, ୟେ ଝିଅ ସ୍ୱାଦିଷ୍ଟ ଭୋଜନରେ ଲାଳାୟିତ ରହିବ। ବାକ୍ ପଟୁ ହେବ। ନିଜର ତୀକ୍ଷ୍ ଣ ବୁଦ୍ଧିରେ ଅନ୍ୟମାନଙ୍କୁ ଖୁବ୍ ସହଜରେ ସମ୍ମୋହିତ କରି ପାରିବ।
ପତ୍ନୀ ହସିଲେ ଜୋର୍ ଜୋର୍ ରେ।
- ବାକ୍ ପଟୁ କହି ପୁଣି ହସିଲେ ଜୋର୍ ରେ। କହିଲେ, ରୁହ ମୁଁ ଦେଖୋଉଛି ସେ କେତେ ବାକ୍ ପଟୁ।
ପତ୍ନୀ ଧୀରେ ଝିଅଟିର ପଛପଟକୁ ଯାଇ ତାର କାନ ପାଖରେ ତାଳି ମାରିଲେ। ଝିଅଟି ମୋଟେ ଚଙ୍କୁନଥିଲା। ତାପରେ ତା ସାମ୍ନାକୁ ଆସି ତାକୁ ତାର ନାଁ ପଚାରିଲେ। ଝିଅଟି ଖାଲି ଜୁଳୁ ଜୁଳୁ କରି ଚାହିଁଲା। ପତ୍ନୀ ମୋ ଆଡ଼େ ଚାହିଁ ପଚାରିଲେ, କିଛି ବୁଝି ପାରିଲ? ଝିଅଟି ଜନ୍ମରୁ ମୁକ ଓ ବଧିର। ତୁମର ତିଳ ବିଦ୍ୟା ପୁରାପୁରି ଫେଲ୍।
- ବାକ୍ ପଟୁ ଆହା ଆହା ପତ୍ନୀ ମୋତେ ଚିଡ଼େଇ ଚାଲିଥିଲେ ରାସ୍ତାଯାକ।
ମୁଁ ରାଗି ଅସ୍ତବ୍ୟସ୍ତ। ପାଟି ଚୁପ୍ ରଖି ଭିତରେ ଭିତରେ ପାଚି ଯାଉଥାଏ। ଏ ତିଳ ଭୁତ ମୋ ମୁଣ୍ଡରେ ପୁରେଇ ଥିବାରୁ ସୀତାଂଶୁକୁ ମନେ ମନେ ଶୋଧିଲି ବହେ। ଘରେ ପହଞ୍ଚିଲା ପରେ ସବୁ ରାଗତକ ବହି ଉପରେ ଶୁଝାଇ, ତାକୁ ଟିକି ଟିକି କରି ଚିରି ଶୂନ୍ୟରେ ଫୋପାଡ଼ିଦେଲି।
ଟି ଦୁର୍ଗା ପ୍ରସାଦ ରାଓ