STORYMIRROR

Kumar Mrutyunjay

Classics

2  

Kumar Mrutyunjay

Classics

ତୈଳ ଚିତ୍ର

ତୈଳ ଚିତ୍ର

3 mins
395

   ସୁନ୍ଦର ବନାନୀ,ଫୁଲ ଫଳ ପରିବେଷ୍ଟିତ ସବୁଜିମା ଭରା ଚତୁର୍ଦିଗ,କେତେବେଳେ ଭାସି ଆସୁଛି ନଭ ରେ ସଚରେ ବିଚରଣ କରୁଥିବା ପକ୍ଷୀ ମାନଙ୍କ ସୁମଧୁର ସ୍ୱର ପୁଣି କେତେବେଳେ ଭାସି ଆସୁଛି ଝରଣାର କୁଳୁକୁଳୁ ନାଦ, କେତେବେଳେ ପୁଣି ସୁଲୁସୁଲିଆ ପବନ ତନୁ ମନେ ଖେଳାଉଛି ଅପୂର୍ବ ଏକ ଶିହରଣ. 


      କାହିଁକି କେଜାଣି ବାରମ୍ବାର ମନ ଟାଣି ନେଉଛି ସେଇ ଅପୂର୍ବ ଚିତ୍ତାକର୍ଷକ ଛବି ଅଭିମୁଖେ.ଯେତେଥର ଦେଖିଲେ ବି ତାହା ସ୍ୱୀୟ ପ୍ରତୀୟମାନ ହେଉଛି ପ୍ରାଣ ଶକ୍ତି ରେ ପରିପୂର୍ଣ୍ଣ ଓ ଜୀବନ୍ତ. 


    ଅଦ୍ଭୁତ ଏଇ ସୃଜନ,ସତେ ଅବା ବ୍ରହ୍ମା ଙ୍କ ନିର୍ଦେଶ ରେ ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ସଚରାଚର ଆତ୍ମିକ ଅଭିବ୍ୟକ୍ତି ପ୍ରକାଶ ପାଉଛି କାନଭାସ ରେ ସଜ୍ଜିତ ତୈଳଚିତ୍ର ଟି.


      ଅବଶ୍ୟ ସେଠାରେ ଥିବା ଅନ୍ୟ ଛବି ଗୁଡିକ ଯେ ତାହାଠୁଁ ସ୍ୱଳ୍ପ ଗୁଣବତ୍ତାସମ୍ପନ୍ନ ଥିଲେ ତାହା ଭାବିବା ମଧ୍ୟ ଭୁଲ,ପ୍ରତ୍ୟେକ ଟି ଛବି ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରୁଥିଲେ,ଏହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଥିଲା ତୈଳଚିତ୍ର ପ୍ରଦର୍ଶନୀ କୁ ଆସିଥିବା ପାତ୍ର ବାବୁ ଙ୍କ ମନରେ,କିନ୍ତୁ କଣ ପାଇଁ ସେ ଛବି ପ୍ରତି ଏତେ ଆକର୍ଷଣ? ବାରମ୍ବାର ଏହି ଗୋଟିଏ ପ୍ରଶ୍ନ ଆଲୋଡନ ସୃଷ୍ଟି କରିଥିଲା ତାଙ୍କ ମାନସପଟ୍ଟ ରେ. 


    ନିଜର ଜିଜ୍ଞାସୁ ସତ୍ତା କୁ ଜୀବନ୍ୟାସ ଦେଇ ସେ ଖୋଜି ଚାଲିଲେ ଏହା ପଶ୍ଚାତ ରେ ଥିବା ରହସ୍ୟ ଅଭିମୁଖେ.ପ୍ରଥମେ ସନ୍ଧାନ କଲେ କିଏ ଏଇ ସୃଜନୀ ର ସ୍ରଷ୍ଟା,ଯାହା ତୁଳୀ ର ଯାଦୁଗରୀ ରେ ଆଜି ତାଙ୍କ ହୃଦୟ ଶିହରୀ ଉଠିଛି.ସତେ ଅବା ସୁଦକ୍ଷ ଧନୁର୍ଦ୍ଧାରୀ ଟେ ନିଜ ତୁଣୀର ରୁ ବାଣ କାଢି ବିନ୍ଧି ଦେଇଛି ଅପର ପକ୍ଷ ର ବକ୍ଷ ଦେଶ କୁ. 


    ଶେଷରେ ପାତ୍ର ବାବୁ ସନ୍ଧାନ ପାଇଲେ ଯେ ସେଇ ଦେବତୁଲ୍ୟ ଶିଳ୍ପୀ ଙ୍କ ନାମ ଦେବଦତ୍ତ ଓ ତାଙ୍କ ସମ୍ପୂର୍ଣ୍ଣ ଠିକଣା କୌଣସି ମତେ ସଂଗ୍ରହ କରିନେଲେ.


ଇତିଉତ୍ତାରୁ ନଦୀ ସାଗର ର ସନ୍ଧାନ ରେ ଭ୍ରମର ଫୁଲ ର ସନ୍ଧାନ ରେ ତୃଷାର୍ତ୍ତ ଜଳ ର ସନ୍ଧାନ ରେ ଯିବା ପରି ଖୋଜି ଖୋଜି ପହଞ୍ଚିଲେ ବୌଦ୍ଧ ଜିଲ୍ଲାର ଏକ ଇଲାକା ରେ ଜନବହୁଳ ସହର ଠୁ ଟିକେ ଦୂରେ ବଣ ପାହାଡ଼ ତଥା ନିଶ୍ୱାସ ନେବା ପାଇଁ ବିଶୁଦ୍ଧ ବାୟୁମଣ୍ଡଳ ପରିବେଷ୍ଟ ଏକ ଆଶ୍ରମ ରେ.

 

    ବିଶେଷ ରୂପେ ବାହ୍ୟ ଚାକଚକ୍ୟ ଦୃଷ୍ଟି ରୁ ବଡ ନହେଲେ ମଧ୍ୟ ଆଶ୍ରମ ଟି ରେ ନିର୍ଜନ ନିକାଞ୍ଚନ ଅରଣ୍ୟ ରାଜି ମଧ୍ୟରେ ସୁନ୍ଦର ଏକ ମହତ୍ୱ ବହନ କରୁଛି. 

ସହରୀ ସଭ୍ୟତା ରେ ଅଣନିଶ୍ୱାସୀ ହୋଇପଡିଥିବା ପାତ୍ର ବାବୁ ଏପରି ଏକ ସ୍ଥାନ ରେ ପହଞ୍ଚି ଆତ୍ମୋଲ୍ଲାସ ହୃଦୟଙ୍ଗମ କଲେ.ଏବଂ ଦେବଦତ୍ତ ଙ୍କ ସନ୍ଧାନ ରେ ଏଠାକୁ ଆସିବାର ଅଭିପ୍ରାୟ ଟିକୁ କହିଲେ.ଆତିଥେୟତା ରେ କିଞ୍ଚିତ ମାତ୍ର ବି ହେଳା ନକରି ଅନ୍ତେବାସୀ ମାନେ ତାଙ୍କ ସେବା ରେ ଲାଗିପଡ଼ିଲେ ଓ ଦେବଦତ୍ତ ଙ୍କୁ ଆସିବା ପାଇଁ ବାର୍ତ୍ତା ଦିଆଗଲା. 


     କିଛି ସମୟ ଉତ୍ତାରୁ ପାତ୍ର ବାବୁ ଦେଖିଲେ ଯୋଡିଏ ମଣିଷ.ଜଣକର ଚାଲିବାର କ୍ଷମତା ନାହିଁ ଓ ଆଉ ଜଣେ ଜନ୍ମାନ୍ଧ. 

ଦୁଇ ଜଣ ପରସ୍ପର ସହାୟତା ରେ ଆସି ପହଞ୍ଚିଲେ ତାଙ୍କଠିଁ ଓ ଅପୂର୍ବ ସହାସ୍ୟ ବଦନେ ନମସ୍କାର କରି ନିଜ ପରିଚୟ ଦେଇ କହିଲେ ମୁଁ ଦେବ ଯିଏ ଚାଲିପାରନ୍ତି ନାହିଁ ଓ ଅନ୍ଧ ଜଣଙ୍କ ପରିଚୟ ଦେଇ କହିଲେ ମୁଁ ଦତ୍ତ. 

ପାତ୍ର ବାବୁ ଙ୍କ ଭୂମିତଳୁ ସତେକି ମାଟି ଖସି ଗଲା ପରି ଲାଗିଲା,ଚତୁର୍ଦିଗ ତାଙ୍କୁ ଘୁର୍ଣନମୟ ଲାଗିଲା.କଣ ସେ ଭାବିଥିଲେ ଆଉ କଣ ଦେଖୁଛନ୍ତି.

ସାହସ ସଞ୍ଚୟ କରି ପଚାରିଲେ ସେ କାନଭାସ ର ଚିତ୍ର ଯାହା ପ୍ରଦର୍ଶନୀ ରେ ସ୍ଥାନ ପାଇଥିଲା.... 

କଥା ନସରୁଣୁ ଦେବ କହିଲେ,"ମୋ ପକ୍ଷେ ଚାଲିବା କଷ୍ଟକର ତେଣୁ ମୁଁ ଆଶ୍ରମ ଛାଡି ଯାଏନି କୁଆଡେ କିନ୍ତୁ ଦତ୍ତ ଏଇ ପାଖେ ଥିବା ଏକ ଝରଣା କୂଳ କୁ ପ୍ରାୟ ଯାଏ". 

ଦତ୍ତ କହିଲେ,"କାହିଁକି କେଜାଣି ସେ ସ୍ଥାନ ଟି ପ୍ରତି ଏକ ଆକର୍ଷଣ ରହିଛି ମୁଁ ଅନୁଭବ କରେ ଶବ୍ଦ କୁ ଶୁଣେ ଓ ଅନୁଧ୍ୟାନ କରେ, ଧିରେ ଧିରେ ମୋ ମାନସପଟ୍ଟ ରେ ଏହା ରେଖାଙ୍କିତ ହେଇଯାଏ". 

"ଆଉ ତାର ବର୍ଣ୍ଣିତ ରେଖାଙ୍କିତ ସେଇ ଚିତ୍ର କୁ ମୁଁ ଏଇଠି ବାସ୍ତବରୂପ ଦେଇ ରଙ୍ଗ ଭରିଦିଏ",ଦେବ ଏହା କହିବାକୁ ଲାଗିଲେ. 

ପାତ୍ର ବାବୁ ତ ଆଉ କିଛି କହିବା ପରିସ୍ଥିତି ରେ ନଥିଲେ.ତାଙ୍କ ଦୁଇ ଆଖି ରୁ କାହିଁକି କେଜାଣି ଅଶ୍ରୁ ବହି ଚାଲୁଥିଲା. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics