ସୁନା ବୋହୂ ଭାଗ-୧୫
ସୁନା ବୋହୂ ଭାଗ-୧୫
【ଭାଗ -୧୫】
【ପୂର୍ଵ ଭାଗ ରେ ଆପଣ ମାନେ ପଢିଥିଲେ , ରାମ ପୁରୀ ଅଭିମୁଖେ ବାପା ବୋଉ ଙ୍କୁ ବସରେ ବସେଇ ଫେରି ଆସେ। ... ଆଉ ତା ପରେ 】
ଜେଜେ ମାଆ":- କେହି ଟିକେ ବୁଢ଼ୀର ଦୁଃଖ ବୁଝିବାକୁ ନାହାନ୍ତି। ସକାଳୁ ବୁଢ଼ୀ ଟା ଦାନ୍ତ ଘଷି ବସିଛି ଯେ , ବୋହୂ ରାଣୀ ର ଜଳଖିଆ ଖାଇବା କୁ ଦେବା ପାଇଁ ଦେଖା ନାହିଁ।
କି ଯୁଗ ହେଲା ଲୋ ମା , ପେଟ ପାଇଁ ନିଜ ଘର ଭିତରେ ଖାଇବା କୁ ସବୁ ଥାଇ କିଛି ଖାଇବା କୁ ମିଳୁନାହିଁ । ଭାବିଥିଲି ନାତୁଣୀ ବୋହୂ ଆସିଲା ପରେ ,ମୋ କଥା ଟିକେ ଭଲ ସେ ବୁଝିବ । ହେଲେ ଯାହା ଦେଖିଲେଣି , ମତେ ନିଜେ ହିଁ ଖାଇବା ବନେଇବା କୁ ପଡିବ ।
ରାମ ତ କାହିଁ ଦେଖାଯାଉନି କେଉଁଠି । ବୋଧ ହୁଏ ଗାଧେଇ ଯାଇଛି । ଏଇଟା ଠିକ ସମୟ ।
ରୋଷେଇ ଘର ଭିତରେ କିଛି ପଡିବା ର ଶବ୍ଦ ଶୁଣି ରାମ ଦେଖିବା ପାଇଁ ଦୌଡ଼ି ଯାଇଛି ।
ମରି ଗଲି ଲୋ ମା , ଓଃ ଆହାଃ .......... ମରି ଗଲି ।
ରାମ:- ଜେଜେ ମାଆ" ତୁମେ ଏଠି କଣ କରୁଥିଲ । ହାତରେ ଧରି ଉପରକୁ ଉଠାଇ ବସାଏ ।
ଜେଜେ ମାଆ:- କଣ କହିବି କହ ! ସକାଳ ଆସି ନଅ ଟା ବାଜିଲାଣି , ମତେ କଣ ଭୋକ ହେଉ ନଥିବ କି ?? ତୁମ ମାନଙ୍କ ପରି ମୁଁ କଣ ଆଗ ଭଳି ଆଉ ଖାଇ ପାରୁଛି କି ,ସେଥିପାଇଁ ଭୋକ ସହି ହେଉ ନାହିଁ । କେତେବେଳ ରୁ ଜଗି ବସିଥିଲି , ହେଲେ କେହି ବି ମୋ କଥା ବୁଝିଲ ନାହିଁ । ସେଥିପାଇଁ ନିଜ ଭାଗ୍ୟ କୁ ଆଦରି ରୋଷେଇ ଘରୁ କଣ ଟିକେ ନେଇ ଖାଇବା ପାଇଁ ଆସିଥିଲି । ସେ ଚୁଡା ଡ଼ବା କୁ ଏତେ ଉପରେ ରଖିଛ ଯେ ମୋ ହାତ ପାଇଲା ନାହିଁ । ତାକୁ ଆଣିବା ପାଇଁ ଚେଷ୍ଟା କଲା ବେଳ କୁ ପଡ଼ିଗଲି ।
ରାମ:- ତୁ ମତେ ଡାକିଲୁ ନି , ମୁଁ ଆସି ବନେଇ ଦେଇ ଥାନ୍ତି ।
ଜେଜେ ମାଆ:- ତୁ ମରଦ ପୁଅ ଟା , ବାହା ନ ହୋଇଥିଲେ ହୁଏତ ମୁଁ ତତେ କହି ପାରି ଥାନ୍ତି । ହେଲେ ଘରେ ତୋ ମାଇକିନା ଅଛି , ମୁଁ ଡାକିଲେ ତତେ , ସେ ମତେ ଖରାପ ଭାବିବ ନାହିଁ । ତା ଛଡା ତା"ର ବି ମାନ ସମ୍ମାନ ଅଛି ନା !!
ଦେହ ଟା ତା'ର ଭଲ ଥାଉ ଥାଉ , ତୁ ରୋଷେଇ କରି ଖାଇବା କୁ ଦେବୁ , ଏ ଶାଇପଡିଶା ଜାଣିଲେ ତୋ ମାଇପ ଇଜ୍ଜତ ଆଉ ରହିବ ତ ??
ରାମ:- ହଉ ,ସେ କଥା ତୁମେ ଛାଡ , ମୁଁ ଚୁଡା କଦଳୀ କ୍ଷୀର ଗୁଣ୍ଡ ପକେଇ ବନେଇ ଦଉଛି । ତୁମେ ଏଇଠି ବସ , ମୁଁ ଖାଇବା କୁ ଦଉଛି ।
ଅନୁ:- କଣ ହେଲା , ଏତେ ବଡ ଶବ୍ଦ ଶୁଣା ଗଲା ।
ଜେଜେ ମାଆ:- ଆକାଶ ରୁ ବଜ୍ର ଖସି ପଡ଼ିଲା ମୋ ମୁଣ୍ଡ ଉପରେ ।
"ଓଢଣା ପଡିଛି ନାକ ସିରିକି
ତୁଣ୍ଡ ଶୁଭୁଅଛି ଚଉପାଢ଼ିକି"।।
ଯାହା ହେଉ ମହାରାଣୀ ଙ୍କର ଶେଷ ରେ ଜାଣିବା କୁ ଇଛା ହେଲା । ହାଏରେ ବିଧାତା , ଶେଷ ରେ ଏଇ ଦିନ ଦେଖେଇବାର ଥିଲା ମତେ ।
ରାମ :- ଅନୁ ତୁମର ଟିକେ ସାଧାରଣ ଜ୍ଞାନ ନାହିଁ । ଜେଜେ ମାଆ କେତେବେଳୁ ବସିଛନ୍ତି ଭୋକ ରେ ଆଉଟି ପାଉଟି ହେଇ । ତାଙ୍କୁ ଠିକ ସମୟ ରେ ଜଳଖିଆ ଖାଇବା କୁ ଦେବା ତୁମର କର୍ତ୍ତବ୍ୟ ନୁହେଁ କି ।
ଜେଜେ ମାଆ:- କିଛି ଲାଭ ନାହିଁ ରେ ବାବୁ , ଯାହାର ସ୍ଵଭାବ ଯେମିତି , ସେ କେମିତି ବା ତାକୁ ବଦଳେଇ ଦେବ । ଯିଏ କୂଳ ର ସଂସ୍କାର ଆଉ ରୀତିନୀତି କୁ ଜାଣି ନାହିଁ , ତା" ଠାରୁ ଆଉ ବେଶି କିଛି ଆଶା କରିବା ଉଚିତ ନୁହେଁ ।
କଥା ରେ ଅଛି :-
"କ୍ଷୀରରେ ଧୋଇଲେ ଖଣ୍ଡରେ ମୋହିଲେ ,
ନିମ୍ବ କି ମଧୁର ହୋଇବ ।।
ଯେତେ ପରକାରେ ବୁଝାଇ କହିଲେ ,
ପର କି ଆପଣା ହୋଇବ" ।।
ବୁଢ଼ୀ ଟା କେତେ ଆଶା କରିଥିଲା , ପାଖରେ ବସେଇ କେତେ କଣ ନ ବୁଝେଇ କହିଛି । ହେଲେ କଣ ହେବ ଶେଷରେ ସବୁ ଫଳ ଶୂନ୍ୟ ହୋଇଗଲା ।
ମୋ ଘରେ ଆଉ ଲକ୍ଷ୍ମୀ ଅଵସ୍ଥାନ କରିବେ କି ନାହିଁ , ମୁଁ ଠିକ ସେ କହି ପାରୁ ନାହିଁ । ପ୍ରଭାତ ରୁ ଘର ର ପରିଷ୍କାର କରାଯାଉ ନାହିଁ । ଘରେ ବୋହୂ ଯଦି ଅଳସୁଆ ହୋଇ , ଗର୍ବ କରି ବିଛଣାରେ ଡେରି ଯାଇ ଶୋଇ ରହିବ ଚାକିରୀ ଖଣ୍ଡେ କରିଛି ବୋଲି , ତାହା ହେଲେ ପେଟ କୁ ମୁଠେ ଖାଇବା କୁ ତ ମିଳିଯିବ ହେଲେ ସେ ଘରେ ଖାଲି ଧନ ଦେଖି ଲକ୍ଷ୍ମୀ ରହିବେ ନାହିଁ , ତାହା ସହ ଶାନ୍ତ ପରିବେଶ ବି ଆବଶ୍ୟକ ହୋଇଥାଏ । ସେଥିପାଇଁ ଅନ୍ନଦାତା ମାଆ , ନିଜର କୋପ ରେ ଘର ଭିତରେ ଅଶାନ୍ତି ଭରି ଦିଅନ୍ତି ।
ମା" ଅନୁ , ପାଠ ଶାଠ ପଢି ଉଚ୍ଚ ଶିକ୍ଷିତା ହେବା ଭୂଲ ନୁହେଁ , ତାହା ବି ଜୀବନରେ ନିତ୍ୟାନ୍ତ ଆବଶ୍ୟକ । ସେହିପରି ମଣିଷ ନିଜର ସ୍ଵଭାଵ ଆଉ କଥାବାର୍ତ୍ତା ରେ ମଧୁରତା ର କହିବା ସହ , ଘର ର ସମସ୍ତ କାର୍ଯ୍ୟ ସମୟ ସହ ତାଳ ଦେଇ ପୂର୍ଵ ପ୍ରଚଳିତ ପରମ୍ପରା କୁ ମାନି ଚାଲିଲେ । ତା"ର ର ନିଜର ପରିବାର ସୁଖ ସମ୍ପଦ ରେ ଭରି ଯିବ ।
ଥରେ ଝିଅ ଟିଏ ବିବାହ କରିଲା ପରେ , ନିଜର ଶାଶୁଘର କୁ ନିଜ ଘର ଭାବି ସମସ୍ତ କାର୍ଯ୍ୟ ଦାୟିତ୍ୱ ର ସହ ସମ୍ପାଦନ କରିବା ଉଚିତ । ବିଧିର ବିଧାନ ରେ ଏହା ହିଁ ଲେଖା ଅଛି। ନାରୀ ର ଭୂଷଣ ଲଜ୍ୟା , କଥାରେ ଶାଳୀନତା , ମଧୁର ଭାଷୀ , ପତି ପରାୟଣ , ପରିବାର ସମସ୍ତ ସଦସ୍ୟ ଙ୍କର ମନ ନେଇ ଚଳିବା ଆଦି ନାରୀ କୁ ସମାଜରେ ଆତ୍ମୀୟ ଙ୍କର ନିକଟରେ ଉଚ୍ଚ ପ୍ରତିଷ୍ଠା କରାଇଥାଏ ।
ଏ ସବୁ କୁ ଛାଡି ଯଦି ଗର୍ବୀ , ଅହଙ୍କାରୀ , ଉଦଣ୍ଡି , ବ୍ୟବହାର ରେ ମର୍ଯ୍ୟାଦା ନ ରଖିବା ଆଦି କାର୍ଯ୍ୟ କଲେ , ସେ ନାରୀ କେବେ ବି ଜୀବନ ରେ ସୁଖ ରେ ରହି ପାରେ ନାହିଁ ।
ଛାଡ଼ ଏ ସବୁ ତତେ କହି କି ଲାଭ !!, ତୁ ତ ପାଠ ଶାଠ ପଢିଲା ପିଲା । ତତେ ଏ ସବୁ କି ଅଛପା ।
" ଏମିତି ସଜରେ ବସି ଯାଇଥିବ ,
କେହି ନ କହିବେ ଉଠ ।
ଏମିତି ମଜାରେ କହି ଯାଉଥିବ ,
କେହି ନ କହିବେ ଝୁଟ" ।।
ସବୁବେଳେ ନିଜର କଥାରେ ଆଉ କାମ ରେ ସତର୍କତା ଅବଲମ୍ବନ କଲେ ଅନ୍ୟକୁ କହିବା କୁ ସୁଯୋଗ ମିଳେ ନାହିଁ ।
ଅନୁ:- ଜେଜେ ମାଆ " ମୋର ଭୂଲ ହୋଇଯାଇଛି । ଆଗରୁ ଏ ସବୁ କାର୍ଯ୍ୟ କିଛି କରି ନ ଥିଲି । ସେଥିପାଇଁ ମୋର ଅଭ୍ୟାସ ନାହିଁ । ଆଗକୁ ଆପଣଙ୍କର ମନ ଦୁଃଖ ଆଉ କରିବି ନାହିଁ । ମୁଁ ଆପଣଙ୍କୁ କଥା ଦଉଛି ।
ଜେଜେମାଆ:- ମତେ ତୋ କଥାର ଆବଶ୍ୟକ ନାହିଁ । କାମ ରେ କରେଇ ଦେଖା । କଥାରେ କଥାରେ ମତେ ତୁ ମନେଇ ପାରିବୁ ନାହିଁ ।
"ଶୁଖିଲା ପାନ କୁ ଶୁଖିଲା ଚୂନ,
ମୋଡି ମାଡି ହୋଇ ରହରେ ଧନ"।।
ଏ କଥା କୁ ମୋର ମନେ ରଖିଥାଆ । ନିଜର ପରିସୀମା ଯେମିତି ଭୂଲି ନ ଯାଉ । ତାହା ନ ହେଲେ ମୋ ବୋହୂ( ନିହାରିକା) ତତେ ଘଣ୍ଟ ଘୋଡେଇ ରଖି ପାରେ କିନ୍ତୁ ମୁଁ ଛାଡ଼ିବି ନାହିଁ ।
ହଉ ଯା, ରାମ କେତେବେଳ ରୁ ଗାଧେଇ ବସିଛି , କିଛି ଖାଇବା ବନେଇ ତାକୁ ଦେ ଆଉ ତୁ ଖା" ।
ରାମ:- ଆରମ୍ଭରୁ କହିଥିଲି ତୁମକୁ , ଘରେ କାହାରି ମନ ଦୁଃଖ କରେଇବ ନାହିଁ । ତୁମେ ବା ମୋ କଥା କାହିଁ ଶୁଣିବ । ମତେ ଭୋକ ନାହିଁ ,ତୁମେ କଣ ଖାଇ ନିଅ ।( ରାଗିକି ରାମ ଚାଲିଯାଇଛି )
ଅନୁ :- ନା"ବେଶି ହେଇଗଲା ଆଉ ନୁହେଁ । କିଛି ତ ମତେ କରିବା କୁ ପଡିବ । ତାହା ନ ହେଲେ ଏ ଜଙ୍ଗଲ ରେ ମୋର କିଏ ରହିବ । ଅଫିସ ଯିବା କୁ ଆଉ ଦୁଇ ଦିନ ବାକି ଅଛି । ଠିକ ସମୟ ଦେଖି , କିଛି ଗୋଟେ ବଡ଼ କଠୋର ନିଷ୍ପତ୍ତି ମତେ ନେବା କୁ ହେବ ।
ବୁଢ଼ୀ ଖଣ୍ଡ କ ନ ମରି କି ବଂଚି ରହିଛି ମତେ ନାଲି ଆଖି ଦେଖେଇବା ପାଇଁ । ଦେହ ରେ ହାଡ଼ ଚାରି ଖଣ୍ଡ ପଡିଛି ,ହେଲେ କଥାରେ ରାଗ ଏ ଯାଏ କମିନି । ବୁଢ଼ୀ କଥା ଆଗ ବୁଝିଦେଲେ , ମୋ ରାସ୍ତା ବି ପରିଷ୍କାର ହୋଇଯିବ । ଏମାନଙ୍କ ମଧ୍ୟରେ ବେଶି ଦିନ ରହିଲେ ମଣିଷ ପାଗଳ ହୋଇଯିବ । ଇଏ ବି କୁଆଡେ ଚାଲିଗଲେ ନ ଖାଇ କିଛି , ଜେଜେ ମାଆ ଜାଣିଲେ ଆହୁରି କିଛି ଗୋଟେ କାଣ୍ଡ ନିଶ୍ଚିତ କରିବେ , ମଲା ମଣିଷ । ମାଆ(ନିହାରିକା) ଥିଲେ , ମତେ ଆଜି ଏମିତି ଦିନ ଦେଖିବା କୁ ପଡି ନଥାନ୍ତା । ତାଙ୍କୁ(ନିହାରିକା) ବା କଣ କହିବି , ନୂଆ ବୋହୂ କୁ ଛାଡି , ବାପା ଙ୍କ ସହ ଏ ବୟସରେ ବୁଲିଯିବା କୁ ଚାଲିଯାଉଛନ୍ତି । ମତେ ତ ଗୋଟେ ପୋଇଲି ଭାବି ଘରକୁ ଆଣିଛନ୍ତି । ବୁଲିବେ ନାହିଁ ବା କେମିତି ???
ଯାଏ , ବୋଉ( ହୀରା ମଣି ) ସହ କଥା ହୁଏ , ସେ ନିଶ୍ଚିତ କିଛି ଭଲ ଉପାୟ କହିବ ।
( କିଛି ସମୟ ପରେ )
ମରିଗଲି ଲୋ ମରିଗଲି , ଆରେ କିଏ କେଉଁଠି ଅଛ , ଶୀଘ୍ର ଆସ ରେ.......।
ସମସ୍ତେ ଦୌଡ଼ି ଆସିଲା ବେଳ କୁ ଜେଜେ ମାଆ" ସିଡ଼ିଘର ପାହାଚ ରୁ ଖସି ତଳେ ପଡି ଯାଇଛନ୍ତି ।
ରାମ ଆଉ ଡେରି ନ କରି ଆମ୍ବୁଲାନ୍ସ ଡାକି , ଜେଜେ ମାଆ ଙ୍କୁ ମେଡିକାଲ କୁ ନେଇ ଯାଇଛି । ଅନୁ ଏ କଣ ହୋଇଗଲା କହି ଆମ୍ବୁଲାନ୍ସ ଭିତରେ ଜେଜେ ମାଆ ଙ୍କ ପାଖରେ ବସି କାନ୍ଦୁଥାଏ ।
କ୍ରମଶଃ............
