ସୁନା ବୋହୂ ଭାଗ-୧୩
ସୁନା ବୋହୂ ଭାଗ-୧୩
【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଅନୁସୟାକୁ ବୋହୂ ରୂପରେ ପାଇ ନିହାରିକା ଯେତିକି ଖୁସି ଥିଲେ ଆଜି ସେତିକି ଉଦାସ ବି , ବୁଝିପାରୁ ନଥିଲେ ନୂଆଁ ବୋହୂର ମନକୁ କାହିଁକି ପ୍ରଥମ ଥର କରି ତାଙ୍କର ସଂସାରରେ ଅନେକ ଦିନ ପରେ ଝଡ଼ର ଆଭାସ ଅନୁଭଵ କରୁଛନ୍ତି । ..... ଆଉ ତା ପରେ 】
ନିହାରିକା:- ରାମ , କଣ କିଛି ମତେ କହିବାକୁ ଆସିଥିଲୁ କି ବାବୁ ?
ରାମ:- ପୁଅ ହୋଇ ମୋ ପାଖରେ ଆଉ ସାହସ ନାହିଁ ନିଜର ମୁହଁକୁ ତୁମ ପାଖରେ ଦେଖେଇବା ପାଇଁ । ମୋର ଭଲପାଇବା ପାଇଁ ଆଜି ତୁମେ ଯେଉଁ କଷ୍ଟ କରୁଅଛ ମାଆ" ସତ କହୁଛି ମୁଁ ଦେଖି ଆଉ ସହି ପାରୁନି ।
ଅନୁକୁ ନେଇ ଅନେକ ଦିନରୁ ମୋ ମନରେ ଡର ଥିଲା । ଭଲପାଇବାରେ ହୁଏ ତ ମୁଁ ଭୁଲ କି ଠିକ କରିଛି ଜାଣିନି କିନ୍ତୁ ମୋ ଭଲପାଇବା ଆଜି ମତେ ଭୂଲ ପ୍ରମାଣ କରିବାକୁ ବସିଛି ଆଉ ତୁମମାନଙ୍କର ଭଲ ପାଇବା ପାଖରେ ମୁଁ ହାର ମାନି ନେଇଛି ।
ମୋ ମନର ସମସ୍ତ ବେଦନାକୁ ଜାଣି ସେଦିନ କାହିଁକି ମାଆ ମତେ ଶାସନ କଲ ନାହିଁ !! ଦୁନିଆଁର ଅନ୍ୟ ବାପା ମାଆଙ୍କ ପରି ଅନ୍ୟତ୍ର କଣ ପାଇଁ ମୋର ବିବାହ ଠିକ କଲ ନାହିଁ ?
ସେମିତି ହୋଇଥିଲେ ହୁଏ ତ ମୋର ଟିକେ ମନ ଦୁଃଖ ହୋଇଥାନ୍ତା କିନ୍ତୁ ତୁମ ମନରେ ଆଜି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଅନୁକୁ ନେଇ ତାହା ଆଉ ଜଣେ କିଏ ଆସିଥିଲେ ବୋଧ ହୁଏ ଦେଖିବାକୁ ମିଳିନଥାନ୍ତା ।
ମତେ କ୍ଷମା କରିଦେ ବୋଉ । ମୁଁ ଆଜି ଯେଉଁ ପୁଅ ହୋଇ ଅଦେଖା ଦାଗ ମନରେ ଭରି ଦେଇଛି ସେ ପାପର କେମିତି ପ୍ରାୟଶ୍ଚିତ କରିବି ବୁଝି ପାରୁନି ?
ନିହାରିକା:- ବାଇଆରେ , ମଣିଷ କେବେ କଣ ଜାଣି ଜାଣି ଭୂଲ କରିଥାଏ କି ? ତୁ ଆଜି ଯେଉଁ ଭୂଲ କଥା କହୁଛୁ ସେ ପରା ତୋର ଭଲ ପାଇବା । ଥରେ ମନ ହଜେଇ ଭଲପାଇ ବସିଲେ ହୃଦୟରେ ଯେ ଥରେ ରହିଯାଏ ନା ତାକୁ ଭୁଲିବା ଭାରି କଷ୍ଟ ହୋଇଥାଏ ।
ଦୁନିଆଁରେ କେଉଁ ବାପା ମାଆ ନିଜର ସନ୍ତାନଙ୍କର ମନ ଉଣା କରିବାକୁ ଭଲ ପାଆନ୍ତି ନାହିଁ । ଆମେ ବି ଠିକ ସେଇଆ କରିଛୁ । ବାକି ରହିଲା ଅନୁର କଥା ଏତେ ଛୋଟ ବୟସରେ ପାଠ ଶାଠରେ ମନ ଦେଇ ହୁଏତ ବେଶି ସମୟ ପାଇ ନାହିଁ ଘରର ଭଲ ମନ୍ଦ କାମ କରିବାକୁ । ଧୀରେ ଧୀରେ ସମୟ ଆସିଲେ ସେ ସବୁ ବୁଝି କି କରିଦେବ ନି ?? ତା ଛଡା ମୁଁ ଥାଉ ଥାଉ ତୋର ଚିନ୍ତା କରିବାର କିଛି ନାହିଁ । ଆଗରୁ ତ ମୁଁ ଏ ଘରର ସବୁ କାମ କରୁଥିଲି । ଏବେ କଣ ବୋହୂ ଆସିଲା ପରେ ବୁଢ଼ୀ ହୋଇଗଲି କି ? ତୁ ଜମା ବ୍ୟସ୍ତ ହୁଅନା । ଅନୁ ମୋ ପାଖରେ ରହିଲେ ଧୀରେ ଧୀରେ ସବୁ ଶିଖି ଯିବ ନି !
ମୋ ଧନ ଟା ପରା' ସେ ନୂଆଁ କରି ଏ ଘରକୁ ଆସିଛି । ତାକୁ କଣ ସବୁ କଥାରେ ଏବେ ଠାରୁ ଭଲମନ୍ଦ କହିଲେ ହୁଏତ ସେ ଖରାପ ଭାବି ପାରେ । ମୋ ରାଣ ତାକୁ ତୁ କିଛି ବି କହିବୁ ନାହିଁ । ବାକି ଯାହା ହେବ ମୁଁ ସମ୍ଭାଳି ନେବି । ବୁଝିଲୁ ତ ?
ରାମ:- ତୁମର ଭଲପାଇବାକୁ ଯଦି ଅନୁ ଆଜି ବୁଝି ପାରିଥାନ୍ତେ ତା ହେଲେ ହୁଏତ ମୁଁ ଖୁସି ହୋଇଥାନ୍ତି । କିନ୍ତୁ ନିଜ ଆଖିରେ ମୋର ମାଆକୁ ଘର ସବୁ କାମ କରିବାର ଦେଖିଲା ପରେ ଏ ଛାତି ଭିତରଟା ଆଜି ବିଚଳିତ ହୋଇ ଉଠୁଛି । ତୁମର ରାଣକୁ ଭାଙ୍ଗି ପାରିବିନି ମାଆ" କିନ୍ତୁ ସତ କହୁଛି ଯଦି ଅନୁଙ୍କର ଆଗକୁ କିଛି ବି ପରିବର୍ତ୍ତନ ନ ହୁଏ ତେବେ ମୋ ହାତରେ ରାଣର ହାତକଡୀ ଆଉ ପିନ୍ଧେଇବ ନାହିଁ।
ନିହାରିକା :- ତୁ ପୁରା ପାଗଳଟା !! ଆଉ ବେଶି କିଛି ଚିନ୍ତା କରନି ସବୁ ସମୟ ସହ ଠିକ ହୋଇଯିବ ।
ରାମ:- ମନକୁ ଟିକେ ହଲକା କରି ଏଇ ନିଅ ମାଆ, ବାପା ଆଉ ତୁମର ପୁରୀ ଯିବାର ବସ ଟିକେଟ । କାଲି ପରା ତୁମର ପଚିଶ ତମ ବିବାହ ବାର୍ଷିକ । ସବୁ ଭୁଲି ଗଲ ନା କଣ ??
ନିହାରିକା:- ଆରେ ହଁ ତ !! ମୁଁ ପୁରା ଭୁଲିଯାଇଛି । ହେଲେ ଏ ଥରକ ଯିବାଟା ଭାବୁଛି ଠିକ ହେବନି !! ଆମେ ଚାଲିଗଲେ ନୂଆ ବୋହୂ ଆଉ ତୁମେ ସବୁ କେମିତି ଚଳିବ !!
ରାମ:- ତୁମେ ଜମା ବ୍ୟସ୍ତ ହୁଅନି । ଆଗରୁ ତ ଆମେ ଚଳି ଆସୁଥିଲୁ ଯେମିତି ଏବେ ଠିକ ତୁମ ଅନୁପସ୍ଥିତରେ ମଧ୍ୟ ସେମିତି ଚଳିଯିବୁ।
ନିହାରିକା:- ବାପାଙ୍କୁ ଜଣେଇଛୁ , "ନା ନ' ଜଣେଇ ନିଜ ଇଛାରେ ସବୁ ଥର ପରି ଟିକେଟ କରି ଦେଇ ଆସିଲୁ "।
ରାମ:- ତୁମେ ଯାଇ ଜଣେଇ ଦିଅ । ବାକି ସବୁ ବ୍ୟବସ୍ଥା କରିଦେଇଛି । ପୁରୀରେ ରହିବାର କୌଣସି ଅସୁବିଧା ହେବ ନାହିଁ ।
ନିହାରିକା:- ଆଛା ହଉ । ଯାଏ , ତୋ ବାପା କଣ କହୁଛନ୍ତି ଦେଖେ ?
ଦୂରରୁ ଥାଇ ଜେଜେ ମା' ପାଖ ଘରେ ଚେୟାର ପକେଇ ବସି ସବୁ ଶୁଣୁଥିଲେ ।
ଜେଜେ ମା':- କଣ ହେଲା ନୂଆଁ ବୋହୂର ଏତେ ସାହସ । ଆସୁ ଆସୁ ଘରେ ମାଲିକିଆଣି ହେବାକୁ ବସିଲାଣି ! କଣ ଦି ଅକ୍ଷର ତା' ବାପା ପଢେଇଲା ଯେ ଘରର ସଂସ୍କାର ଆଉ ରୀତିନୀତି କିଛି ମାନିବ ନାହିଁ । ନିହାରିକା ଚା, ଜଳଖିଆ , ଆଉ ସମସ୍ତ ରୋଷେଇ କରିବ ଆଉ ମୁଁ କିଛି ନ ଜାଣି ତାକୁ( ଅନୁ) ପ୍ରଶଂସାରେ ପୋତି ପକଉଥିଲି ।
ହଉ ଲୋ ମା ଦେଖିବା ! କାଲି ମୋ ପୁଅ ବୋହୂ ପୁରୀ ଖାଲି ଚାଲି ଯାଆନ୍ତୁ । ରହ ମୁଁ ବୁଝୁଛି ତୋ ରାଣୀ ପଣିଆକୁ ?
ନିଜକୁ କଣ ଭାବୁଛୁ କି ?
କ୍ରମଶଃ........
