~~~ସୁମି~~~
~~~ସୁମି~~~
ଭାଗ-୧
ଫୋନ୍ ନାହିଁ ହ୍ବାଟସ ଆପରେ ମେସେଜ ନାହିଁ ହଠାତ୍ ସୁମିତକୁ ଦେଖି କିଛି କହିବା ଆଗରୁ ସୁମିତର ହାତ ଧରି ଛିଡା ହେଇଥିବା ତିନି କି ଚାରି ବର୍ଷର ଝିଅକୁ ଦେଖି ସଙ୍ଗୀତା ପୂରା ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଥାଏ। କେତେବେଳୁ ସେ ଏମିତି ଛିଡ଼ା ହେଇଚି ଦୁଆର ବନ୍ଧ ପାଖରେ ସେ ନିଜେ ବି ଜାଣି ପାରି ନଥାନ୍ତା ଶଶୁର ଯଦି ପଛ ଆଡ଼ୁ ଡାକି ନଥାନ୍ତେ ।
ଆରେ ମା ସଙ୍ଗୀତା କହିଲୁନି ତ କିଏ ଡାକୁଛି ବୋଲି? ସୁମିତ ଆସିଛି କହି ତାଙ୍କ ନଜରଟା ଯେମିତି ସେ ଝିଅ ଉପରେ ପଡ଼ିଛି, କିଛି ସମୟ ପାଇଁ ସ୍ଥାଣୁ ପାଲଟି ଗଲେ। ମୁଣ୍ଡ ବୁଲେଇ ଦେଲା ତାଙ୍କର ତଳେ ପଡ଼ି ଯାଇଥାନ୍ତେ ହେଲେ ସୁମିତ ଠିକ୍ ସମୟରେ ତାଙ୍କୁ ଧରି ପକେଇଲେ। ଜୋର୍ ଶବ୍ଦଟା ଶୁଣିକି ସୁନୀଲ ଭିତରୁ ଦୈାଡି ଆସିଲେ। ଶ୍ୱଶୁରଙ୍କୁ ଧରିଲା ବେଳକୁ ତାଙ୍କ ନଜର ବି ପଡିଗଲା ଛୁଆଟା ଉପରେ।
ସୁନୀଲ କଣ କହିବେ ବୋଲି ହେଲା ବେଳକୁ ସଙ୍ଗୀତା ତା ଆଗରୁ କହିଲା " ଆରେ ଦେଖୁଛ କଣ ବାପାଙ୍କୁ ଆଗ ଘର ଭିତରକୁ ନେଇ ବେଡ଼ରେ ଶୁଆଇ ଦିଅ । ସୁନୀଲ ଆଉ ସୁମିତ ଶଶୁରଙ୍କୁ ବେଡ଼ରେ ଶୁଆଇଲା ବେଳକୁ ସଙ୍ଗୀତା ପାଣି ଗ୍ଲାସ୍ ଟେ ଧରି ହାଜର।
ସୁନୀଲ ଡାକ୍ତର ଅଙ୍କଲଙ୍କୁ କଲ୍ କରି ଡାକିଲେ। ଡାକ୍ତର ନାୟକ ମେଡିସିନ ବିଶେଷଜ୍ଞ ଆମ ଘରର ପୁରୁଣା ଡାକ୍ତର। ସେ ଆସି ଚେକ୍ କଲେ ବିପି ଟିକେ ବଢ଼ି ଯାଇଛି ସୁଗର ଠିକ୍ ଅଛି କହି ମେଡିସିନ ଲେଖି ଦେଲେ ଆଉ କହିଗଲେ କିଛି ଏର୍ମଜେନସି ହେଲେ ତାଙ୍କୁ କଲ୍ କରିବାକୁ। କିଛି ସମୟ ପରେ ଶଶୁର ଉଠି ବସିଲେ ହେଲେ ସୁନୀଲ କାଲି ସକାଳେ କଥା ହେବା କହି ତାଙ୍କୁ ଖୁଆଇ ଦେଇ ମେଡିସିନ ଦେଇ ଶୁଆଇ ଦେଲେ। ବହୁତ ସମୟ ଧରି ଘର ଭିତରଟା ପୁରା ପୁରି ନିସ୍ତବ୍ଧ ନୀରବ ଯେମିତି ବାତ୍ୟା ଝଡ ପରେ ଚାରିଆଡ଼େ ଶୂନଶାନ ହେଇଯାଏ।
ଡାକ୍ତର ଅଙ୍କଲଙ୍କ ଯିବା ପରଠୁ ସୁମିତ ସିଧା ତା ବେଡ଼ରୁମରେ ପସି ଯାଇଥିଲା। ସେ ଯାହା ନିଷ୍ପତ୍ତି ନେଲା ଠିକ୍ କଲା କି ଭୂଲ ଜାଣି ପାରୁ ନ ଥିଲା।ଆଜି ଯଦି ବାପାଙ୍କର କିଛି ହେଇ ଯାଇଥାନ୍ତା ସେ ନିଜକୁ କେବେ କ୍ଷମା କରି ପାରିନଥାନ୍ତା। କିଛି ଭି ନିଷ୍ପତ୍ତି ନେବା ଆଗରୁ ଘରେ କଥା ହେଇ ଥାନ୍ତା କି ଭାଇ ଭାଉଜଙ୍କୁ କହି ଥିଲେ ହେଇ ଥାନ୍ତା କି, ହେଲେ ସେ ଭଲ ଭାବରେ ଜାଣି ଥିଲା ସେତେବେଳେ କହି ଥିଲେ ସେମାନେ ତା କଥାକୁ ଶୁଣି ନ ଥାନ୍ତେ। କାହାକୁ କହିବ କ'ଣ କହିବ ତା ମୁଣ୍ଡ କାମ କରୁ ନ ଥିଲା।
ହଠାତ୍ ସଙ୍ଗିତାର ସେ ଛୁଆ କଥା ମନେ ପଡ଼ିଲା; ବାରଣ୍ଡା ଆଡେ ଯାଇ ଦେଖେ ତ ଚଗଲା ତା ପୁଅ ସେ ଝିଅଟା ସାଙ୍ଗରେ ଖେଳୁଛି। କ'ଣ ତମ ଦିଟା ଭୋକ ନିଦ ନାହିଁ ରାତି ହେଲାଣି ଆସ ଖାଇବ।ଝିଅଟା ସେମିତି
ସେଠି ଛିଡ଼ା ହେଇ ସଙ୍ଗିତାକୁ ବଲ ବଲ କରି ଚାହିଁ ରହିଥାଏ। ତା ଆଖି ଦିଟାରେ କ'ଣ ଯାଦୁ ଥିଲା କେଜାଣି ସଙ୍ଗୀତା ତାକୁ କୋଳେଇ ନେଲା। ଧୁଆ ଧୋଇ କରି ନିଜେ କୋଳରେ ବସେଇ ଖୁଆଇ ଦେଲା। ଚଗଲା ଖାଉ ଖାଉ କହୁଛି ଜାଣିଛ ମମି ସେ ବଢିଆ ଗୀତ ଗାଉଛି; କ'ଣ ସେମାନେ ବାରଣ୍ଡାରେ କରୁଥିଲେ ସବୁ ଗପି ଚାଲି ଥାଏ,ଆଉ ଚଗଲା କଥା ଶୁଣି ଝିଅଟି ଖୁସି ହେଇଯାଉଥାଏ; ଏଥର ଛୁଆଟା ଟିକେ ଆଶ୍ବସ୍ତ ହେଲା। ହେଲେ ସଙ୍ଗୀତା ଭାବୁଥିଲା ଇଏ କାହା ଝିଅ? ଛୁଆଟାକୁ ଦେଖି ସେ ବି ଆଶ୍ଚର୍ଯ୍ୟ ହେଇ ଥିଲା ହେଲେ ଶ୍ୱଶୁର ଆଉ ସୁନୀଲ ଏତେ ବେଶୀ ଚିନ୍ତିତ ହେଲା ଭଳିଆ ଲାଗୁଥିଲେ ଯେମିତି ସାମ୍ନାରେ ଛୁଆଟା ନୁହେଁ କୋଉ ଭୂତ କି ରାକ୍ଷସ ଦେଖି ଦେଲେ।
ସଙ୍ଗୀତା ତାକୁ ଚଗଲା ସାଙ୍ଗରେ ଶୁଆଇ ଦେଉ ଦେଉ ପଚାରିଲା ମା ତୋ ନାଁ କ'ଣ?
ତା ଆଖିରେ ଏକ ରକମର ଅଦ୍ଭୁତ ଚମକ ଥିଲା; ତା କୁନି ଓଠରେ ଛୋଟ ହସଟେ ଫୁଟେଇ ଦେଇ କହିଲା "ମୋ ନାଁ ସୁମି" !!!!
(କ୍ରମଶଃ)