Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ

ସରଯୂ ନଦୀର ତୀରେ

4 mins
360



ବିରାଧ ରାକ୍ଷସଙ୍କୁ ମୃତ୍ୟୁଦଣ୍ଡ ଦେଇ ସୀତାଙ୍କ ପାଖକୁ ଫେରି ଆସିଲେ ଶ୍ରୀରାମ ଓ ଲକ୍ଷ୍ମଣ। ସେଠାରେ ଭୟଭୀତା ଜାନକୀ ଅଶ୍ରୁଳ ନେତ୍ରରେ ଅପେକ୍ଷା କରିଥିଲେ।ମନରେ ଅନେକ ଆଶା ଓ ଆଶଙ୍କା, କୁଆଡେ ଗଲେ ରାମ ଲକ୍ଷ୍ମଣ ! ଶ୍ରୀରାମଙ୍କ ଶକ୍ତି ଉପରେ ତାଙ୍କର ଭରସା ଥିଲା, କିନ୍ତୁ ସେମାନଙ୍କ ଅନୁପସ୍ଥିତିରେ ଅନ୍ୟ କୌଣସି ରାକ୍ଷସ ଆକ୍ରମଣ କଲେ କ'ଣ କରିବେ ସେ ?

ଏପରି ଚିନ୍ତାରେ ଥିବା ସମୟରେ ରାମ ଲକ୍ଷ୍ମଣଙ୍କୁ ଫେରିବା ଦେଖି ତାଙ୍କର ପିଣ୍ଡରେ ପ୍ରାଣ ପଶିଲା।ବିରାଧ ରାକ୍ଷସର ମୃତ୍ୟୁ ସମ୍ବାଦ ପାଇ ଆଶ୍ବସ୍ତ ହେଲେ ସୀତା।ବିରୋଧ ସହିତ ଯୁଦ୍ଧ ସମୟରେ ଯାହା ସବୁ ଘଟିଯାଇଥିଲା ବର୍ଣ୍ଣନା କରି ମନରୁ ସବୁ ଦୁଶ୍ଚିନ୍ତା ଦୂର କରିବାପାଇଁ ସୀତାଙ୍କୁ ଆଶ୍ଵାସନା ଦେଲେ ରାମଚନ୍ଦ୍ର।


ସେଠାରୁ ଶରଭଙ୍ଗ ମୁନିଙ୍କ ଆଶ୍ରମ ଅଭିମୁଖେ ଯାତ୍ରା କଲେ ତ୍ରିମୂର୍ତ୍ତି।ମୁନିଙ୍କ ଆଶ୍ରମରେ ପହଞ୍ଚିବା ସମୟରେ ଇନ୍ଦ୍ରାଦି କିଛି ଦେବତା ‌ମୁନିଙ୍କ ସହିତ କଥୋପକଥନରେ ବ୍ୟସ୍ତଥିଲେ। ଶ୍ରୀରାମଙ୍କୁ ଦୂରରୁ ଆସୁଥିବା ଦେଖି ଦେବଗଣ ସନ୍ତର୍ପଣରେ ସେ ସ୍ଥାନ ତ୍ୟାଗକରି ଚାଲିଗଲେ।ରାକ୍ଷସ ମାନଙ୍କୁ ବିଶେଷତଃ ରାବଣକୁ ବଧ କରିବା ପୂର୍ବରୁ ଶ୍ରୀବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ସହିତ ଭେଟ ହେବାପାଇଁ ଚାହୁଁ ନଥିଲେ ଇନ୍ଦ୍ରାଦି ଦେବଗଣ।ଇନ୍ଦ୍ର ଅନ୍ୟ ଦେବତା ମାନଙ୍କୁ କହିଲେ..ଦେଖ, ଶ୍ରୀବିଷ୍ଣୁଙ୍କ ଅବତାର ଶ୍ରୀରାମ,ଏବଂ ଲକ୍ଷ୍ମୀଙ୍କ ଅବତାର ଶ୍ରୀଲକ୍ଷ୍ମୀ ଏହି ଦିଗକୁ ଆସୁଛନ୍ତି।ମାନବ ଭାବରେ ରାବଣକୁ ବିନାଶ କରିବା ପାଇଁ ସେ ଧରାବତରଣ କରିଛନ୍ତି। ଆମ୍ଭମାନଙ୍କୁ ଦେଖିଲେ ବିସ୍ମୃତ ଅତୀତ ତାଙ୍କର ସ୍ମୃତି ଗୋଚର ହୋଇପାରେ। ଦେବତ୍ବ ଆସିଲେ ସେ ରାବଣକୁ ବିନାଶ କରିପାରିବେ ନାହିଁ। ତେଣୁ ରାବଣକୁ ବିନାଶ କରିବା ପୂର୍ବରୁ ଆମ୍ଭେମାନେ ତାଙ୍କ ସହିତ ସାକ୍ଷାତ କରିବା ନାହିଁ। 


ଶରଭଙ୍ଗ ମହର୍ଷିଙ୍କ ଆଶ୍ରମରେ ପହଞ୍ଚି ରାମ,ଲକ୍ଷ୍ମଣ ଓ ସୀତା ମୁନିଙ୍କ ପାଦତଳେ ମଥା ଲଗାଇ ପ୍ରଣିପାତ କଲେ।ସେ ସମୟରେ 'ଅଗ୍ନିହୋତ୍ର' ଗୃହରେ ଯଜ୍ଞକୁଣ୍ଡ ଆଗରେ ବସିଥିଲେ ମହର୍ଷି ଶରଭଙ୍ଗ।ତ୍ରିମୂର୍ତ୍ତିଙ୍କୁ ଆଶୀର୍ବାଦ ଦେଇ ଶରଭଙ୍ଗ କହିଲେ ମୁଁ ଜାଣିଥିଲି ଶ୍ରୀରାମ ! ତୁମେ ଏଠାକୁ ଆସିବ।ଶ୍ରୀରାମ ପଚାରିଲେ ହେ ମହାତ୍ମା ! ଆପଣଙ୍କ ଆଶ୍ରମରୁ ବାହାରି କିଛି ବ୍ୟକ୍ତି ରଥ ଆରୋହଣ କରି ଏଠାରୁ ଚାଲିଗଲେ,କିଏ ସେମାନେ ?


ଶରଭଙ୍ଗ କହିଲେ ଘୋର ତପସ୍ୟା ବଳରେ ମୁଁ ବ୍ରହ୍ମଲୋକ ପ୍ରାପ୍ତ ହୋଇଛି। ସେହି ବ୍ରହ୍ମଲୋକକୁ ସ୍ବଦେହରେ ମୋତେ ନେବାପାଇଁ ଇନ୍ଦ୍ରାଦି ଦେବତାମାନେ ଏଠାକୁ ଆଗମନ କରିଥିଲେ। କିନ୍ତୁ ଏଠାକୁ ଆପଣଙ୍କ ଆଗମନ ସମ୍ବାଦ ପାଇ ମୁଁ ସେମାନଙ୍କ ସହିତ ଯିବାପାଇଁ ପ୍ରତ୍ୟାଖ୍ୟାନ କଲି।ଆପଣଙ୍କ ଦର୍ଶନ ବିନା ମୁଁ କିପରି ବ୍ରହ୍ମଲୋକକୁ ଯାଇପାରିବି ଶ୍ରୀରାମ ! ଆପଣଙ୍କ ସହିତ ସାକ୍ଷାତ ମୋ ହୃଦୟରେ ଅସୀମ ଆନନ୍ଦ ଭରି ଦେଇଛି। ମୁଁ ଏବେ ଯଜ୍ଞକୁଣ୍ଡରେ ପ୍ରବେଶ କରି ଆତ୍ମାହୁତି ଦେଇ ବ୍ରହ୍ମ ଲୋକକୁ ଯାତ୍ରା କରିବି।ବହୁକାଳ ତପସ୍ୟା କରି ମୁଁ ଯେଉଁ ଅସୀମ,ଅଲୌକିକ ତପୋଶକ୍ତି ଲାଭ କରିଛି ତାହା ଆପଣଙ୍କୁ ଦାନ କରି ଦେହତ୍ୟାଗ କରିବା ଇଚ୍ଛା ଅଛି।ମୋର ସେହି ତପୋଶକ୍ତିକୁ ଆପଣ ଗ୍ରହଣ କରନ୍ତୁ ଏବଂ ଶେଷ ସମୟରେ ମୋତେ ଦର୍ଶନ ଦେଇ ମୋକ୍ଷ ଦାନ କରନ୍ତୁ।


ଶ୍ରୀରାମ କହିଲେ ହେ ମହାତ୍ମା ! ଆପଣ ଅର୍ଜନ କରିଥିବା ତପୋଶକ୍ତି ମୋର ଲୋଡା ନାହି।ତାହା ଆପଣଙ୍କର ଇହକାଳ, ପରକାଳ ପାଇଁ ଆବଶ୍ୟକ ପଡିବ।ଦାନରେ ମିଳୁଥିବା ତପୋଶକ୍ତି ଗ୍ରହଣୀୟ ନୁହେଁ।ନିଜେ ତପସ୍ୟା କରିବାକୁ ପଡେ। ଯାହା କିଛି ଶକ୍ତି ମୋର ଆବଶ୍ୟକ ମୁଁ ନିଜ ଅଧ୍ୟବସାୟରେ ତାହା ଅର୍ଜନ କରିବି। ଏହି ଅରଣ୍ୟରେ ମୋତେ କେବଳ ଏକ ନିରାପଦ, ଶୁଦ୍ଧପୂତ ସ୍ଥାନ ବତାଇ ଦିଅନ୍ତୁ ଯେଉଁଠାରେ ମୁଁ ଏକ କୁଟୀର ନିର୍ମାଣ କରି ବନବାସ ସମୟ ବ୍ୟତୀତ କରିବି।


ଶରଭଙ୍ଗ କହିଲେ..ମୋର ଏହି ଆଶ୍ରମଠାରୁ ଅଧିକ ଦିବ୍ୟ ଓ ପବିତ୍ର ସ୍ଥାନ ଆଉ କ'ଣ ଥାଇପାରେ ! ଏଠାରେ ଅନେକ ସୁସ୍ବାଦୁ ଫଳମୂଳ ଉପଲବ୍ଧ।ଆଶ୍ରମ ଚାରିପାଖରେ ନାନା ପ୍ରକାର ପଶୁପକ୍ଷୀ ଆନନ୍ଦରେ ବୁଲୁଛନ୍ତି। ନିକଟରେ ସ୍ୱଚ୍ଛ ମନ୍ଦାକିନୀ କୁଳୁ କୁଳୁ ନାଦରେ ପ୍ରବାହିତ। ଏହି ଆଶ୍ରମରେ ଅବସ୍ଥାନ କରି ଚଉଦବର୍ଷ ବନବାସର ଅବଧି କଟାଇ ଦିଅନ୍ତୁ।


ଶରଭଙ୍ଗଙ୍କ ପ୍ରସ୍ତାବ ଅତି ବିନୟ ଭାବରେ ପ୍ରତ୍ୟାଖ୍ୟାନ କରି ରଘୁବଂଶୀ କହିଲେ..ଆପଣଙ୍କ ଆଶ୍ରମରେ ରହିବା ଅଭିପ୍ରାୟ ମୋର ନାହିଁ। ତାହା ମୋ ପାଇଁ ବାସସ୍ଥାନ ନୁହେଁ, ବରଂ ଅତିଥି ଗୃହ ସହିତ ସମାନ ହେବ। ସଂସାରରେ ମନୁଷ୍ୟ, ଅନ୍ୟମାନଙ୍କ ଦ୍ଵାରା ସଂଗୃହିତ ଓ ସହଜ ଉପଲବ୍ଧ ପଦାର୍ଥକୁ ଗ୍ରହଣ କରି ଆରାମରେ ଜୀବନ ବିତାଇବା ଅନୁଚିତ। ତାହା ତା'ର ଆଳସ୍ୟ ଓ କର୍ତ୍ତବ୍ୟ ବିମୁଖତାର କାରଣ ହେବ। ମୋତେ ମୋ ନିଜ କୁଟୀର ନିଜ ହାତରେ ନିର୍ମାଣ କରିବାକୁ ଦିଅନ୍ତୁ। ସେହି ଉପଲବ୍ଧିରେ ହିଁ ମୋର ଆତ୍ମସନ୍ତୋଷ।ଆପଣ କେବଳ ଏକ ପବିତ୍ର ନିରାପଦ ସ୍ଥାନର ଠିକଣା ଦିଅନ୍ତୁ, ମୁଁ ସେଠାରେ ମୋର ପରିକଳ୍ପିତ ପର୍ଣ୍ଣକୁଟୀର ନିର୍ମାଣ କରି ଆତ୍ମସନ୍ତୋଷ ସହିତ ଭାଇ,ଭାର୍ଯ୍ୟାଙ୍କ ସହିତ ଅବସ୍ଥାନ କରିବି।"


ଶରଭଙ୍ଗଙ୍କ ପ୍ରସ୍ତାବ ରାମଚନ୍ଦ୍ର ଗ୍ରହଣ ନ କରିବାରୁ ମହର୍ଷି କହିଲେ.. ଯେପରି ଆପଣଙ୍କର ଇଚ୍ଛା। ମନ୍ଦାକିନୀ କୂଳେ କୂଳେଏଠାରୁ କିଛି ଦୂର ଗଲେ ନଦୀକୂଳରେ ମହାତେଜା ତପସ୍ୱୀ ସୁତୀକ୍ଷ୍ଣଙ୍କ ଆଶ୍ରମ ରହିଛି। ତାହା ଏକ ପବିତ୍ର ସ୍ଥାନ। ମୁନିଙ୍କୁ ସାକ୍ଷାତ କଲେ ସେ ତୁମ୍ଭକୁ କୁଟୀର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ବତାଇଦେବେ।

 

ଅଳ୍ପ ନିରବତା ପରେ ଶରଭଙ୍ଗ କହିଲେ.. ବର୍ତ୍ତମାନ ମୋର ଦେହତ୍ୟାଗ କରି ବ୍ରହ୍ମଲୋକ ଯିବା ସମୟ ଉପସ୍ଥିତ। ମୋର ଇଚ୍ଛା ସେହି ମହାପ୍ରୟାଣ ସମୟରେ ଆପଣଙ୍କ ଦର୍ଶନ କରି ମୁଁ ବ୍ରହ୍ମଲୋକ ପ୍ରାପ୍ତ ହୁଏ। ମହାପ୍ରୟାଣ ସମୟରେ ମୁଖରେ ମୋର ରହିଥିବ ରାମନାମ,ଆଖି ଆଗରେ ପୁରୁଷୋତ୍ତମଙ୍କ ଅଭିରାମ ରୂପ।ମୋତେ ନିରାଶ କରନ୍ତୁ ନାହିଁ ଶ୍ରୀରାମ।"


ଋଷିଙ୍କ ଅନୁରୋଧକୁ ଅତିକ୍ରମ କରି ପାରିଲେ ନାହିଁ ଶ୍ରୀରାମ।ଭାଇ ଏବଂ ଭାର୍ଯ୍ୟାଙ୍କ ସହିତ ଅପେକ୍ଷା କଲେ ଶରଭଙ୍ଗଙ୍କ ମହାପ୍ରୟାଣ ଦର୍ଶନ କରିବା ପାଇଁ।


ଅତୀବ ଅଦ୍ଭୁତ ସେ ଦୃଶ୍ୟ।ଅଗୁରୁ ଚନ୍ଦନରେ ଅଗ୍ନି ପ୍ରସ୍ତୁତ କରି, ମନ୍ତ୍ରପାଠ କରି ଆହୂତି ଦେବାପରେ ଅଗ୍ନି ପ୍ରବଳ ଜିହ୍ୱା ବ୍ୟାଦାନ କରି ଜଳିଉଠିଲେ। ଚାହୁଁ ଚାହୁଁ ସେହି ଅଗ୍ନି ଭିତରେ ସଶରୀରେ ପ୍ରବେଶ କଲେ ଶରଭଙ୍ଗ।କ୍ଷଣକ ମଧ୍ୟରେ ଭସ୍ମୀଭୂତ ହୋଇଗଲା ତାଙ୍କ ମରଶରୀର।ଅନଳ ଭିତରୁ ଏକ ଦିବ୍ୟ ରୂପଧାରୀ ବାଳକ ବାହାରି ବିଦ୍ୟୁତ ବେଗରେ ଆକାଶରେ ମିଶିଗଲା। ଆଶ୍ଚର୍ଯ୍ୟ ହୋଇ ଏହି ଅଦ୍ଭୁତ ଦୃଶ୍ୟ ଦେଖୁଥିଲେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା।


ସେଠାରୁ ସୁତୀକ୍ଷ୍ଣ ତପୋଧନଙ୍କ ଆଶ୍ରମକୁ ଯିବାପାଇଁ ପ୍ରସ୍ତୁତ ହେଲେ ଶ୍ରୀରାମ,ଲକ୍ଷ୍ମଣ ଓ ସୀତା। ଶ୍ରୀରାମ ସେ ସ୍ଥାନ ତ୍ୟାଗକରିବା ଦେଖି ସେଠାରେ ଥିବା ମୁନିଋଷିମାନେ ଏକତ୍ରିତ ହୋଇ ଶ୍ରୀରାମଙ୍କ ପାଖରେ ପହଞ୍ଚି ବିନୟତା ପୂର୍ବକ କହିଲେ...ହେ ରଘୁବଂଶୀ ! ଅସୀମ ଆପଣଙ୍କ ବଂଶର କୀର୍ତ୍ତି ଏବଂ ଆପଣଙ୍କ ବୀରତାର କାହାଣୀ।ତାଡକୀ ରାକ୍ଷସୀ ଏବଂ ସୁବାହୁକୁ ବଧ କରି ବିଶ୍ଵାମିତ୍ରଙ୍କ ଯଜ୍ଞ ରକ୍ଷା କରିବା ସମୟରେ ଆମ୍ଭମାନଙ୍କ ମଧ୍ୟରୁ ଅନେକ ସେ ଅଲୌକିକତାର ପ୍ରତ୍ୟକ୍ଷଦର୍ଶୀ। ଶିବଧନୁ ଭଙ୍ଗ ଏବଂ ଭାର୍ଗବ ପର୍ଶୁରାମଙ୍କ ଦର୍ପଦଳନ ଆଦି ଘଟଣା ଆପଣଙ୍କ ଅସୀମ ଶକ୍ତିର ପରିଚାୟକ।ହେ ମହାନୁଭବ ! ରାକ୍ଷସ ମାନଙ୍କ କବଳରୁ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ।ଏଠାରୁ କିଛି ଦୂର ଯିବାପରେ ପଥରେ ଆପଣ ଦେଖିବେ ମୁନିଋଷି ମାନଙ୍କ ଶରୀରର କୁଢ଼ କୁଢ଼ ହାଡ଼। ରାକ୍ଷସମାନେ ସେମାନଙ୍କୁ ହତ୍ୟାକରି ଭକ୍ଷଣ କରିଛନ୍ତି। ଯଜ୍ଞକୁଣ୍ଡରେ ଅମେଧ୍ୟ ପକାଇ ଏବଂ ପରିସ୍ରା କରି ଅପବିତ୍ର କରୁଛନ୍ତି ଏହି ରାକ୍ଷସ ମାନେ। ସନାତନ ଆର୍ଯ୍ୟ ଧର୍ମକୁ ନଷ୍ଟ କରୁଥିବା ଏହି ରାକ୍ଷସ ମାନଙ୍କୁ ବଧ କରି ଆପଣ ଆମର ସଂସ୍କୃତି ଓ ସଂସ୍କାରକୁ ରକ୍ଷା କରନ୍ତୁ; ନଚେତ୍ ମୁନିଋଷି ମାନଙ୍କ ବିନାଶ ସହିତ ଆର୍ଯ୍ୟ ସନାତନ ଧର୍ମ ମଧ୍ୟ ଲୋପ ପାଇଯିବ।


ମୁନିଋଷିମାନଙ୍କୁ ଆଶ୍ଵାସନା ଦେଇ ରାମଚନ୍ଦ୍ର କହିଲେ.. ଆପଣମାନେ ଚିନ୍ତା କରନ୍ତୁ ନାହିଁ।ଯେତେ ବାଧାବିଘ୍ନ ଆସୁପଛେ ରାକ୍ଷସ ମାନଙ୍କୁ ବିନାଶକରି ଅରଣ୍ୟ ପ୍ରଦେଶରେ ଯଜ୍ଞ ରକ୍ଷା କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ଆଜିଠାରୁ ମୋ ଜୀବନର ବ୍ରତ।

ମୁନିଋଷି ମାନଙ୍କଠାରୁ ବିଦାୟ ନେଇ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ସୁତୀକ୍ଷ୍ଣଙ୍କ ଆଶ୍ରମ ଦିଗରେ ଯାତ୍ରା ଆରମ୍ଭ କରିଦେଲେ।ବଡ଼ ଉତ୍ସୁକତା ସହିତ ଶ୍ରୀରାମଙ୍କ ବାଟକୁ ଚାହିଁ ରହିଥିଲେ ମୁନିଶ୍ରେଷ୍ଠ ସୁତୀକ୍ଷ୍ଣ।


କ୍ରମଶଃ


Rate this content
Log in

Similar oriya story from Classics