ସରଯୂ ନଦୀର ତୀରେ ରାମାୟଣର ଅମର କଥା
ସରଯୂ ନଦୀର ତୀରେ ରାମାୟଣର ଅମର କଥା
ବ୍ରହ୍ମାଙ୍କର ଚାରୋଟି ମାନସ ସନ୍ତାନ ଥିଲେ। ସେମାନଙ୍କ ନାମ ଥିଲା ସନକ,ସନନ୍ଦନ,ସନାତନ ଏବଂ ସନତ କୁମାର। ବ୍ରହ୍ମାଣ୍ଡ ସୃଷ୍ଟି କରିବା ପୂର୍ବରୁ ବ୍ରହ୍ମା ପ୍ରଥମେ ଏହି ଚାରି ଜଣ ମାନସ ସନ୍ତାନଙ୍କୁ ସୃଷ୍ଟି କରିଥିଲେ। ବିବାହ କରି ସୃଷ୍ଟି କାର୍ଯ୍ୟରେ ପିତାଙ୍କୁ ସାହାଯ୍ୟ କରିବାକୁ ବ୍ରହ୍ମା ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। କିନ୍ତୁ ସେମାନେ ପିତାଙ୍କ କଥା ନମାନି ଚିର କୌମାର୍ଯ୍ୟ ବରଣ କଲେ।ବେଦ, ବେଦାନ୍ତ, ଉପନିଷଦ ଏବଂ ପୁରାଣାଦିରେ ବ୍ୟୂତ୍ପତି ଲାଭକରି ସେମାନେ ଜଗତରେ ଜ୍ଞାନ ବାଣ୍ଟିବାରେ ନିଜକୁ ନିୟୋଜିତ କଲେ। ସେମାନେ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ସେମାନେ ଅଦ୍ୱିତୀୟ ଜ୍ଞାନବାନ ଥିଲେ ଏବଂ ତପୋବଳ ଯୋଗୁଁ ସର୍ବଦା ପାଞ୍ଚ ବର୍ଷର ବାଳକଭଳି ଦେଖା ଯାଉଥିଲେ।ଥରେ ସେମାନେ ବିଷ୍ଣୁଙ୍କ ଦର୍ଶନ ଏବଂ ଆରାଧନା ପାଇଁ ବୈକୁଣ୍ଠ ପୁରରେ ପହଞ୍ଚିଲେ। ତାହା ବିଷ୍ଣୁଙ୍କର ବିଶ୍ରାମ ସମୟ ଥିଲା। ବୈକୁଣ୍ଠର ଦ୍ବାର ରକ୍ଷା ଦାୟିତ୍ଵରେ ଥିଲେ ବିଷ୍ଣୁଙ୍କ ପରମ ଭକ୍ତ ଜୟ ଏବଂ ବିଜୟ।
ଜୟ ଏବଂ ବିଜୟ ବିଷ୍ଣୁଙ୍କ ଦ୍ଵାରପାଳ ଦାୟିତ୍ଵରେ ଥିବାରୁ ଦୁହିଁଙ୍କ ମନରେ ଅସୀମ ଗର୍ବ ଥାଏ।ପାଳନକର୍ତ୍ତା ବିଷ୍ଣୁଙ୍କଭଳି ସେ ଦୁହେଁ ଦିବ୍ୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ଚତୁର୍ଭୁଜ ଥିବା ଜୟର ଉପର ଦକ୍ଷିଣ ହାତରେ ଥିଲା ଶଙ୍ଖ,ଉପର ବାମ ହାତରେ ଚକ୍ର,ତଳ ଦକ୍ଷିଣ ହାତରେ ଖଡ୍ଗ ଏବଂ ତଳ ବାମ ହାତରେ ଗଦା। ସେହି ପ୍ରକାର ମଧ୍ୟ ଥିଲା ବିଜୟର ଅସ୍ତ୍ରଶସ୍ତ୍ର।ଫରକ ଏତିକି ଯେ ବିଜୟ ଉପର ଦକ୍ଷିଣ ହାତରେ ଚକ୍ର ଧାରଣ କରିଥିଲା ଏବଂ ତଳ ଦକ୍ଷିଣ ହସ୍ତରେ ଗଦା ଧାରଣ କରିଥିଲା।
ବ୍ରହ୍ମାଙ୍କ ମାନସ ପୁତ୍ରମାନଙ୍କୁ ଜୟ ଏବଂ ବିଜୟ ଚିହ୍ନି ପାରିଲେ ନାହିଁ। ସେମାନେ ଚାରି କୁମାରଙ୍କୁ ବୈକୁଣ୍ଠର ଦ୍ବାର ଅତିକ୍ରମ କରି ଭିତରେ ପ୍ରବେଶ କରିବାକୁ ଦେଲେ ନାହିଁ। ଦ୍ଵାରପାଳ ଦ୍ବୟ କହିଲେ ଏହା ବିଷ୍ଣୁଙ୍କର ବିଶ୍ରାମ ସମୟ;ତେଣୁ କାହାକୁ ମଧ୍ୟ ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ।ଚାରି କୁମାରଙ୍କର ଯୁକ୍ତି ଥିଲା,ସେମାନେ ବିଷ୍ଣୁଙ୍କର ପରମ ଭକ୍ତ ଏବଂ ଭକ୍ତମାନଙ୍କ ପାଇଁ ପ୍ରଭୁଙ୍କର ଦ୍ବାର ସଦା ସର୍ବଦା ଉନ୍ମୁକ୍ତ।
ଚାରି ବ୍ରହ୍ମଚାରୀଙ୍କର ଏହି ଯୁକ୍ତି ଜୟ ଏବଂ ବିଜୟଙ୍କୁ ପ୍ରଭାବିତ କରିପାରିଲା ନାହିଁ। ସେମାନେ ଚାରି କୁମାରଙ୍କୁ ବୈକୁଣ୍ଠ ଦ୍ବାର ଅତିକ୍ରମ କରିବାକୁ ଦେଲେ ନାହିଁ।ଏଥର ଚାରି କୁମାରଙ୍କର କ୍ରୋଧିତ ହେବାର ପାଳି।ପ୍ରଚଣ୍ଡ କ୍ରୋଧରେ ଚାରି ବ୍ରହ୍ମଚାରୀ ଅଭିଶାପ ଦେଲେ ଅହଂକାରୀ ଦ୍ଵାରପାଳ ଦ୍ବୟ ! ଯେଉଁ କ୍ଷମତା ନିଶାରେ ତୁମ୍ଭେମାନେ ନିଜର କ୍ଷମତାର ଅପବ୍ୟବହାର କରୁଛ, ତାହା ତୁମ ପାଖରେ ରହିବ ନାହିଁ।ସାତ ଜନ୍ମ ପର୍ଯ୍ୟନ୍ତ ତୁମେ ଦୁହିଁଙ୍କ ପାଖରେ ଦେବତା ପଣିଆ ରହିବ ନାହିଁ। ମନୁଷ୍ୟ ଲୋକରେ ତୁମେ ଦୁହେଁ ଜନ୍ମନେବ ଏବଂ ସାତ ଜନ୍ମ ପର୍ଯ୍ୟନ୍ତ ବୈକୁଣ୍ଠପୁରୀର ଦ୍ଵାରପାଳ ପଦବୀ ହରାଇ ବସିବ।
ଜୟ ବିଜୟ କଣ ଜାଣିଥିଲେ ସେମାନେ ବ୍ରହ୍ମାଙ୍କର ମାନସ ପୁତ୍ର ଏବଂ ଅସୀମ ଶକ୍ତିର ଅଧିକାରୀ ବୋଲି ! ତାହା ଜାଣିବାପରେ ସେମାନଙ୍କୁ ଚିନ୍ତା ମାଡ଼ି ବସିଲା ଋଷି କୁମାର ମାନଙ୍କର ଅଭିଶାପ ନିଶ୍ଚୟ ଫଳିବ। କାହିଁ ବୈକୁଣ୍ଠ ପୁରର ଦେବତ୍ବ ଏବଂ ସୁଖ ,କାହିଁ ମର୍ତ୍ତ୍ୟର ଯନ୍ତ୍ରଣାପୂର୍ଣ୍ଣ ଜୀବନ !
ବଡ଼ ଅନୁନୟ ବିନୟ ହୋଇ ଜୟ ଏବଂ ବିଜୟ ମୁନିକୁମାର ମାନଙ୍କୁ ଅଭିଶାପ ଫେରାଇ ନେବାପାଇଁ ଅନୁରୋଧ କଲେ। କିନ୍ତୁ ତାହା ସମ୍ଭବ ନଥିଲା।ଧନୁରୁ ଖସି ଯାଇଥିବା ତୀର ସମାନ ଥିଲା ଋଷି କୁମାର ମାନଙ୍କର ବାକ୍ୟ।
ବିଷ୍ଣୁଙ୍କ ପାଖରେ ଏହି ବାଦବିବାଦ ସମ୍ବାଦ ପହଞ୍ଚିବା ପାଇଁ ଡେରି ହେଲାନାହିଁ। ସମାଧାନ ପାଇଁ ବିଷ୍ଣୁ ବୈକୁଣ୍ଠର ଦ୍ବାର ନିକଟରେ ପହଞ୍ଚିଲେ।ଜୟ ଏବଂ ବିଜୟଙ୍କର ମାନସିକ ଅବସ୍ଥା ଦେଖି ମନେ ମନେ ହସୁଥିଲେ ବିଷ୍ଣୁ। ଅହଂକାରର ପରଣାମ ଏପରି ହେବ ବୋଲି କଣ ଜାଣିଥିଲେ ବିଚାରା ଜୟ ଓ ବିଜୟ !କଥାରେ ତ ଅଛି."ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ,ସେ ଯେଣୁ ଅଟନ୍ତି ଶିବଙ୍କର ସାପ"।
ଜୟ ବିଜୟ ବିଷ୍ଣୁଙ୍କ ପାଦତଳେ ପଡିଯାଇ ଅନୁନୟ ବିନୟ ହୋଇ କହିଲେ କିଛି ପ୍ରତିକାର କରନ୍ତୁ ପ୍ରଭୁ ! ଆପଣଙ୍କ ପାଖରୁ ସାତ ଜନ୍ମ ପର୍ଯ୍ୟନ୍ତ କିପରି ଦୂରେଇ ରହିପାରିବୁ ଆମ୍ଭେମାନେ ! ଆପଣଙ୍କ ବିନା ଦର୍ଶନରେ କ୍ଷଣେ ମାତ୍ର ରହିବା ସମ୍ଭବ ନୁହେଁ।ଆପଣ ମୁନି କୁମାର ମାନଙ୍କୁ କହି ଅଭିଶାପ ଖଣ୍ଡନ କରନ୍ତୁ ପ୍ରଭୁ।
ବିଷ୍ଣୁ କହିଲେ ସନକାଦି କୁମାର ମାନଙ୍କ ଅଭିଶାପ ତ ନିଶ୍ଚୟ ଫଳିବ , ସନ୍ଦେହ ନାହିଁ; କିନ୍ତୁ ସେ ଅଭିଶାପର ବିକଳ୍ପ ମୋ ପାଖରେ ଅଛି।ତୁମେ ଦୁହେଁ ମର୍ତ୍ତ୍ୟମଣ୍ଡଳରେ ସାତ ଜନ୍ମ ପାଇଁ ମୋର ମିତ୍ର ଭାବରେ ବ୍ୟତୀତ କରିପାରିବ। ଯଦି ତାହା ନ ଚାହୁଁଛ ମୋର ଶତ୍ରୁ ଭାବରେ ତିନି ଜନ୍ମ ମର୍ତ୍ତ୍ୟରେ କଟାଇ ପୁଣି ଥରେ ବୈକୁଣ୍ଠ ଲୋକରେ ଦ୍ବାରପାଳ ହେବାପାଇଁ ଫେରିଆସି ପାରିବ। ଏତିକି ମୁଁ ତୁମ ପାଇଁ କରିପାରିବି।
ଜୟ ଓ ବିଜୟ ଶୀଘ୍ରାତିଶୀଘ୍ର ମର୍ତ୍ତ୍ୟମଣ୍ଡଳରେ ଅଭିଶାପ କାଳ ଶେଷକରି ବୈକୁଣ୍ଠକୁ ଫେରି ଆସିବାପାଇଁ ଚାହୁଁଥିଲେ।ତେଣୁ ସେ ଦୁହେଁ ତିନି ଯୁଗ ପାଇଁ ବିଷ୍ଣୁଙ୍କର ଶତ୍ରୁ ହୋଇ ଶୀଘ୍ର ବୈକୁଣ୍ଠକୁ ଫେରି ଆସିବା ବିକଳ୍ପକୁ ବାଛି ନେଲେ। ବିଷ୍ଣୁ କହିଲେ..ମୋ ସହିତ ଶତ୍ରୁତାର ଅର୍ଥ ଓ ପରିଣାମ ତୁମେ ଦୁହେଁ ଭଲ ଭାବରେ ଜାଣିଛ।
ଖଳ,ଖଣ୍ଟ,ଧପାବାଜ,ପ୍ରତାରକ,ପ୍ରପୀଡକ ଏବଂ ଅସାମାଜିକ ବ୍ୟକ୍ତିଙ୍କ ସହିତ ମିତ୍ରତା କରି ତୁମେ ସାଧୁ ସନ୍ଥମାନଙ୍କ ସହିତ ଶତ୍ରୁତା ଆଚରଣ କରିବ। ତୁମ୍ଭମାନଙ୍କପରି ଦେବଗୁଣ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ଏପରି ଜୀବନ କେତେ କଷ୍ଟକର ହେବ ଜାଣି ପାରୁଥିବ। ବରଂ ମୋର ମିତ୍ର ଭାବରେ ସାତ ଜନ୍ମ ମର୍ତ୍ତ୍ୟରେ କଟାଇ ବୈକୁଣ୍ଠକୁ ଫେରି ଆସ।
ଜୟ, ବିଜୟ କହିଲେ.. ଏତେ ଦୀର୍ଘ କାଳ ଆମେ ଆପଣଙ୍କୁ ଛାଡି ରହି ପାରିବୁ ନାହିଁ ଭଗବନ୍। ତିନି ଜନ୍ମ ପାଇଁ ଆପଣଙ୍କ ସହିତ ଶତ୍ରୁତା ଓ ପରିଣତିରେ ଆପଣଙ୍କ ହାତରେ ନିଧନ ବରଂ ଆମପାଇଁ ଶ୍ରେୟସ୍କର।
ବିଷ୍ଣୁ କହିଲେ ତଥାସ୍ତୁ।
ଭାଗବତ ପୁରାଣ ଅନୁଯାୟୀ ସତ୍ୟ ଯୁଗରେ ଜୟ ଓ ବିଜୟ ଯଥାକ୍ରମେ ହିରଣାକ୍ଷ ଓ ହିରଣ୍ୟକଶିପୁ ନାମକ ଅସୁର ଯୋନିରେ ଜନ୍ମ ନେଇଥିଲେ। ବିଷ୍ଣୁ ହିରଣାକ୍ଷକୁ ବରାହ ଅବତାର ଧାରଣ କରି ବିନାଶ କରିଥିଲେ।ହିରଣାକ୍ଷର ଭ୍ରାତା ହିରଣ୍ୟକଶିପୁକୁ ବିଷ୍ଣୁ ନୃସିଂହ ଅବତାର ଧାରଣ କରି ବିନାଶ କରିଥିଲେ।
ତ୍ରେତୟା ଯୁଗରେ ଜୟ ଏବଂ ବିଜୟ,ରାକ୍ଷସ ଯୋନିରେ ଦୁଇଭାଇ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଜନ୍ମ ନେଇଥିଲେ। ସେ ଦୁହିଁଙ୍କୁ ଶ୍ରୀରାମ ଲଙ୍କା-ଯୁଦ୍ଧରେ ବିନାଶ କରିଥିଲେ। ତାହା ଥିଲା ରାମାୟଣର କଥାବସ୍ତୁ।
ଦ୍ଵାପର ଯୁଗରେ ଜୟ ଶିଶୁପାଳ ଏବଂ ବିଜୟ ଦନ୍ତବକ୍ର ରୂପେ ମନୁଷ୍ୟ ଯୋନିରେ ଜନ୍ମଗ୍ରହଣ କରି ବିଷ୍ଣୁଙ୍କ ସହିତ ଦ୍ରୋହ ଆଚରଣ କରିଥିଲେ। ବିଷ୍ଣୁ-ଅବତାରୀ ଶ୍ରୀକୃଷ୍ଣ ସେ ଦୁହିଁଙ୍କୁ ବଧ କରିବା ପରେ ଜୟ ଏବଂ ବିଜୟ ଅଭିଶାପରୁ ମୁକ୍ତିଲାଭ କରି ବୈକୁଣ୍ଠକୁ ଫେରିଯାଇ ବିଷ୍ଣୁଙ୍କ ଦ୍ଵାରପାଳ ରୂପେ ପୁନଃ ଅବସ୍ଥାପିତ ହୋଇଥିଲେ।
ପୁରାଣ ଭିତରେ ଅନେକ ସାମାଜିକ ଚେତନା ମୂଳକ ବାର୍ତ୍ତା ରହିଛି।ଋଷି କୁମାରଙ୍କର ଜୟ ବିଜୟଙ୍କୁ ଅଭିଶାପ ସେହିପରି ଏକ ବାର୍ତ୍ତା।ପଦ ପଦବୀର ଅହଂକାରର ପରିଣତି କିପରି ଭୟଙ୍କର ହୋଇପାରେ ତାହା ସାଙ୍କେତିକ ଭାବରେ ଜୟ ବିଜୟଙ୍କର ଅଭିଶାପ ଉପାଖ୍ୟାନରୁ ସ୍ପଷ୍ଟ। ପୁନଶ୍ଚ ଚାରି ମୁନି କୁମାରଙ୍କ କ୍ରୋଧ ସେମାନଙ୍କ ଅସୀମ ଜ୍ଞାନକୁ ମଳିନ କରିବା ଅନୁଧ୍ୟାନ ଯୋଗ୍ୟ। ବ୍ରହ୍ମାଣ୍ଡ ପୁରାଣରୁ ଜଣାଯାଏ,ବ୍ରହ୍ମା ଏହି ଚାରି ମାନସ ପୁତ୍ରଙ୍କୁ ଜନ୍ମ ଦେବା ପରେ ସୃଷ୍ଟି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ପିତାଙ୍କ ନିର୍ଦ୍ଦେଶକୁ ଅବମାନନା କରି କୌଣସି ସାହାଯ୍ୟ କରିନଥିଲେ। ପିତାଙ୍କ ଆଜ୍ଞାକୁ ଅବମାନନା କରିବା କେବଳ ଆଧୁନିକ ସମାଜରେ ଦାନ ନୁହେଁ;ଏହା ସୃଷ୍ଟି ପୂର୍ବରୁ ବ୍ରହ୍ମାଙ୍କ ଚାରି ମାନସ ପୁତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା। ଏହି ବାଳଯୋଗୀ ମାନଙ୍କର ପିତ୍ରାଜ୍ଞା ଅବମାନନା ଗୁଣ ସହିତ କ୍ଷଣକୋପ ଗୁଣ ଯୋଗୁଁ , ସୃଷ୍ଟି ଆରମ୍ଭ ପୂର୍ବରୁ ସେମାନେ ସୃଷ୍ଟ ହୋଇଥିଲେ ମଧ୍ୟ,ସେମାନଙ୍କୁ ଦେବତା ଆସନ ଦିଆଯାଇନାହିଁ; ସେମାନେ ଅନ୍ୟ ଦେବତାଙ୍କ ଭଳି ପୂଜା ପାଆନ୍ତି ନାହିଁ। ପିତାଙ୍କ ଆଜ୍ଞା ଅବଜ୍ଞା କରିଥିଲେ ମଧ୍ୟ ଜଗତକୁ ଜ୍ଞାନ ଆଲୋକରେ ଉଦ୍ଭାସିତ କରୁଥିବାରୁ ଅବଶ୍ୟ ଏହି "ସନକାଦି" କୁମାରମାନେ ସମାଜରେ ସମ୍ମାନନୀୟ ଥିଲେ।
ଆମର ଏହି ଗୌରଚନ୍ଦ୍ରିକା ତ୍ରେତୟା ଯୁଗରେ ଜନ୍ମ ନେଇଥିବା ବିଷ୍ଣୁଙ୍କ ସପ୍ତମ ଅବତାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଅଲୌକିକ କଥା ବର୍ଣ୍ଣନା କରିବାର ଉପକ୍ରମଣିକା ମାତ୍ର।
କ୍ରମଶଃ
