STORYMIRROR

Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୯)

ସରଯୂ ନଦୀର ତୀରେ (୯)

3 mins
144


ଚାରି ପୁତ୍ର ରାମ, ଲକ୍ଷ୍ମଣ,ଭରତ ଏବଂ ଶତ୍ରୁଘ୍ନଙ୍କୁ ପାଇ ଦଶରଥଙ୍କ ସଂସାର ପୂରି ଉଠିଲା। ଚାରି ପୁତ୍ରଙ୍କୁ ଏକ ସମୟରେ କୋଳରେ ଧରି ସ୍ବର୍ଗସୁଖକୁ ତୁଚ୍ଛ ମନେ କଲେ ରାଜା ଦଶରଥ।ବାତ୍ସଲ୍ୟର ଝରଣାରେ ସିକ୍ତ ହୋଇଗଲା ରାଜପରିବାର। ରାଣୀମାନେ ବାଛ ବିଚାର ନରଖି ସବୁ ପୁତ୍ର ମାନଙ୍କୁ ସମ ଭାବରେ ଭଲ ପାଉଥିଲେ।ରାମଚନ୍ଦ୍ର ମାତା କୈକେୟୀଙ୍କର ଅତି ପ୍ରିୟ ଥିଲେ ତ ଭରତ ମାତା କୌଶଲ୍ୟାଙ୍କର ମଧ୍ୟ ପ୍ରିୟ ଥିଲେ।ଭାଇ ମାନଙ୍କ ଭିତରେ ରାମ ଏବଂ ଲକ୍ଷ୍ମଣଙ୍କର ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନୁଗତ୍ୟ ବାରି ହୋଇ ଯାଉଥିଲା।ଭରତ ଏବଂ ଶତ୍ରୁଘ୍ନଙ୍କ ଯୋଡ଼ି ମଧ୍ୟ ସେହିପରି ସ୍ବତନ୍ତ୍ର ଥିଲା। 


ପଦ୍ମପୁରାଣ ଅନୁଯାୟୀ ଯେତେବେଳେ ବିଷ୍ଣୁ ରାମ ଅବତାର ନେଇ ଧରାବତରଣ କରିବାକୁ ଚାହିଁଲେ ସେସମୟରେ ଅନନ୍ତ (ଶେଷନାଗ) ,ବିଷ୍ଣୁଙ୍କ ହାତରେ ଥିବା ଶଙ୍ଖ ଏବଂ ଆୟୂଧ ଚକ୍ର ମଧ୍ୟ ଅବତାରୀଙ୍କ ସହିତ ଧରାପୃଷ୍ଠକୁ ଆସିବା ପାଇଁ ଚାହିଁଲେ।ଶେଷନାଗ ଲକ୍ଷ୍ମଣ ରୂପରେ,ଭରତ ଶଙ୍ଖ ରୂପରେ ଏବଂ ଶତ୍ରୁଘ୍ନ ଚକ୍ର ରୂପରେ ପ୍ରଭୁଙ୍କ ସହିତ ଦଶରଥଙ୍କ ଗୃହରେ ଜନ୍ମ ନେଇଥିଲେ।ଅବଶ୍ୟ ମହାକବି ବାଲ୍ମୀକିଙ୍କ ବର୍ଣ୍ଣନା ଅନୁଯାୟୀ ଚାରିଭାଇ ବିଷ୍ଣୁଙ୍କ ଅବତାର ହିଁ ଥିଲେ।ରାମାୟଣ ଏକ ମହାନ୍ ଗ୍ରନ୍ଥ।ସମୟ କ୍ରମେ ମୂଳ କଥାବସ୍ତୁରେ ନିଜ ନିଜର କଳ୍ପନା ଯୋଡି ଲେଖକ ଓ ପୁରାଣକାରମାନେ ଭିନ୍ନ ରୂପ ଦେଇଥାନ୍ତି। ତାହା ପାଠକର ଗ୍ରହଣୀୟତା ଉପରେ ନିର୍ଭର କରେ।


ଅତି ଅଳ୍ପ ଦିନ ଭିତରେ,କୁଳଗୁରୁ ବଶିଷ୍ଠଙ୍କ ଗୁରୁକୁଳରେ ଶିକ୍ଷା ଲାଭକରି ଶସ୍ତ୍ର ଓ ଶାସ୍ତ୍ର ବିଦ୍ୟାରେ ଚାରି ରାଜପୁତ୍ର ପାରଙ୍ଗମ ହୋଇ ଉଠିଲେ। ସେମାନଙ୍କ ବିବାହ ସମୟ ପାଖେଇ ଆସିଲା। ରାଜା ଦଶରଥ ପୁତ୍ର ମାନଙ୍କର ବିବାହ ବିଷୟ ଚିନ୍ତା କରୁଥିଲେ; ଏହି ସମୟରେ ହଠାତ୍ ଦିନେ ଝଡବେଗରେ ମହର୍ଷି ବିଶ୍ଵାମିତ୍ର ଦଶରଥଙ୍କ ଦରଵାରରେ ପହଞ୍ଚିଲେ।


ଦ୍ଵାରପାଳ ଯେତେବେଳେ ବିଶ୍ବାମିତ୍ରଙ୍କ ଆଗମନ ସମ୍ବାଦ ରାଜାଙ୍କୁ ଜଣାଇଲା,ରାଜା ଭୟଭୀତ ହୋଇପଡିଲେ ।ସେ ସମୟରେ ବିଶ୍ବାମିତ୍ରଙ୍କ ବ୍ୟକ୍ତିତ୍ବ ସେପରି ଥିଲା।କ୍ଷଣକୋପୀ ଥିଲେ ବିଶ୍ଵାମିତ୍ର ଏବଂ ସାମାନ୍ୟତମ ବିଶୃଙ୍ଖଳା ପାଇଁ ଘୋର ଦଣ୍ଡବିଧାନ କରିବାପାଇଁ ସଙ୍କୋଚ କରୁ ନଥିଲେ।ବିଶ୍ବାମିତ୍ରଙ୍କ ଆଗମନ ଅପ୍ରତ୍ୟାଶିତ ଥିଲା।ଦଶରଥ ନିଜ ସିଂହାସନରୁ ଅବତରଣ କରି ଦରବାରର ଦ୍ବାର ଦେଶକୁ ଆସି ବିଶ୍ବାମିତ୍ରଙ୍କୁ ପାଛୋଟି ନେଇ ଦିବ୍ୟ ଆସନରେ ବସାଇ ପାଦପୂଜା କଲେ।


ରାଜର୍ଷିରୁ ବ୍ରହ୍ମର୍ଷିରେ ପରିଣତ ହୋଇଥିବା ଏହି ମହାନ ଚରିତ୍ରଙ୍କ ବିଷୟରେ ନଜଣିଲେ ପୁରାଣ ଅସମ୍ପୂର୍ଣ୍ଣ ରହିଯିବ।ଆସନ୍ତୁ ତାଙ୍କ ଜୀବନୀ ଉପରେ ବିହଙ୍ଗାବଲୋକନ କରିବା।


କାନ୍ୟକୁବ୍ଜ ରାଜ୍ୟରେ ଗାଧି ନାମକ ଜଣେ ରାଜା ଥିଲେ।ତାଙ୍କପରେ ତାଙ୍କ ପୁତ୍ର ବିଶ୍ଵାମିତ୍ର ସିଂହାସନ ଆରୋହଣ କଲେ।ସିଂହାସନରେ ବସିବା ସମୟରେ ତାଙ୍କ ନାମ ଥିଲା କୌଶିକ।ପୂର୍ବଜ କୁଶଙ୍କର ବଂଶଧର ଥିବାରୁ ସେ ଏହି ନାମରେ ପରିଚିତ ଥିଲେ।ସେ ମହାପରାକ୍ରମୀ ହେବା ସଙ୍ଗେ ସଙ୍ଗେ ଜଣେ ମହାଉଦ୍ଧତ ଓ ଅବିନୟୀ ରାଜା ମଧ୍ୟ ଥିଲେ।


ଏକଦା ବିଶ୍ଵାମିତ୍ର ନିଜ ସୈନ୍ୟସାମନ୍ତଙ୍କ ସହିତ ଦିଗବିଜୟରୁ ଫେରିବା ସମୟରେ ମହର୍ଷି ବଶିଷ୍ଠଙ୍କ ଆଶ୍ରମରେ ବିଶ୍ରାମ ନେଲେ। ବଶିଷ୍ଠ ଅତିଥିଙ୍କ ସତ୍କାରରେ କୌଣସି କାର୍ପଣ୍ୟ ନଦେଖାଇ ବିଶାଳ ସୈନ୍ୟ ବାହିନୀର ଖାଦ୍ୟପେୟ ଚାହିଦା ମେଣ୍ଟାଇବା ସହିତ ଅନ୍ୟ ସବୁ ସୁଖସୁବିଧା ଅନାୟାସରେ ଯୋଗାଇ ଦେଲେ। ଯେତେବେଳେ ବିଶ୍ଵାମିତ୍ର ଜାଣିବାକୁ ପାଇଲେ ଯେ ଆଶ୍ରମରେ ଥିବା କାମଧେନୁ ତାର ଅଲୌକିକ ଶକ୍ତି ବଳରେ ସବୁ ଚାହିଦା ପୂରଣ କରିପାରୁଛି,ସେ ସେହି ଗାଈଟିକୁ ନିଜ ସହିତ ନେବାପାଇଁ ଇଚ୍ଛା ପ୍ରକାଶ କଲେ। ବଶିଷ୍ଠ ଏଥିପାଇଁ ସମ୍ମତ ହେଲେ ନାହିଁ।


କ୍ରୋଧାନ୍ୱିତ ହୋଇ ବିଶ୍ଵାମିତ୍ର ସୈନ୍ୟମାନଙ୍କ ଦ୍ବାରା ଆଶ୍ରମର ପ୍ରଭୂତ କ୍ଷତିସାଧନ କରି ବଳାତ୍କାରେ କାମଧେନୁକୁ ନେଇଯିବା ପାଇଁ ପ୍ରୟାସ କଲେ।ଏହାଦେଖି ବଶିଷ୍ଠ ନିଜର ଇଚ୍ଛା ବ୍ୟକ୍ତ କରି କାମଧେନୁକୁ ଅସଂଖ୍ୟ ସୈନ୍ୟ ସୃଷ୍ଟି କରିବା ପାଇଁ ଆଦେଶ ଦେଲେ।କାମ ଧେନୁ ଦ୍ବାରା ସୃଷ୍ଟ ସୈନ୍ୟବାହିନୀ ବିଶ୍ଵାମିତ୍ରଙ୍କ ସୈନ୍ୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲେ।


ବିଶ୍ବାମିତ୍ରଙ୍କର ଅନେକ ପୁତ୍ର ଥିଲେ।ସେମାନଙ୍କ ମଧ୍ୟରୁ ଅନେକ ବଶିଷ୍ଠଙ୍କ ଉପରେ ଆକ୍ରମଣ କରିଦେଲେ। ବଶିଷ୍ଠ ସେମାନଙ୍କୁ ଭସ୍ମରେ ପରିଣତ କରିଦେଲେ।ଘୋର ଅପମାନରେ ଜର୍ଜରିତ ବିଶ୍ଵାମିତ୍ର ନିଜର ଏକ ପୁତ୍ରକୁ ସିଂହାସନରେ ବସାଇ ଘୋର ତପସ୍ୟା ପାଇଁ ହିମାଳୟକୁ ଚାଲିଗଲେ।ସିଦ୍ଧି ଲାଭକରି ତପ ବଳରେ ବଶିଷ୍ଠଙ୍କୁ ପରାସ୍ତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


ହିମାଳୟରେ ଆଶୁତୋଷଙ୍କୁ ବହୁକାଳ ତପସ୍ୟା କରିବା ପରେ ଶିବ ସନ୍ତୁଷ୍ଟ ହୋଇ ବ୍ରହ୍ମାସ୍ତ୍ର ସହିତ ତାଙ୍କୁ ପାଞ୍ଚଟି ଅମୋଘବାଣ ପ୍ରଦାନ କଲେ।ଦେବ,ଦାନବ,ଯକ୍ଷ, ଋଷି,ଗନ୍ଧର୍ବ ମାନଙ୍କୁ ହରାଇବାର ଶକ୍ତି ସେହି ପାଞ୍ଚଟି ବାଣରେ ରହିଥିଲା।ତପୋବଳରେ ବଳିୟାନ ହୋଇ ବିଶ୍ବାମିତ୍ର ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚି ସେଠାରେ ଘୋର ବିତ୍ପାତ ସୃଷ୍ଟିକଲେ ଏବଂ ଆଶ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିଦେଲେ।ଆଶ୍ରମର ଅନ୍ତେବାସୀ ବଶିଷ୍ଠଙ୍କ ପାଖରେ ଶରଣ ପଶି ସବୁ ଜଣାଇଲେ। ବଶିଷ୍ଠ ନିଜେ ଆସିଲେ ବିଶ୍ବାମିତ୍ରଙ୍କ ଅସ୍ତ୍ରଶସ୍ତ୍ରର ସାମ୍ନା କରିବାପାଇଁ।ହାତରେ ତାଙ୍କର ଥାଏ ଯଷ୍ଟି ଯାହାକୁ କୁହାଯାଏ ବ୍ରହ୍ମଦଣ୍ଡ। ତପସ୍ୟାର ସକଳ ଶକ୍ତି କେନ୍ଦ୍ରିଭୂତ ସେହି ଦଣ୍ଡରେ।ବିଶ୍ଵାମିତ୍ର ଯେତେ ବାଣ ପ୍ରୟୋଗ କଲେ ସବୁ ନିରର୍ଥକ ହେଲା ବିଶିଷ୍ଠଙ୍କ ବ୍ରହ୍ମଦଣ୍ଡ ଆଗରେ। ଶେଷରେ ଶିବଙ୍କ ଅମୋଘ ଅସ୍ତ୍ର "ବ୍ରହ୍ମାସ୍ତ୍ର"ପ୍ରୟୋଗ କଲେ ବିଶ୍ଵାମିତ୍ର।ସେ ଅସ୍ତ୍ର ପ୍ରହାର ସମୟରେ ପ୍ରକମ୍ପିତ ହୋଇଗଲା ତିନିପୁର। ଆଧୁନିକ ଯୁଗର ପରମାଣୁ ଅସ୍ତ୍ର ସହିତ ସମାନ ସେହି ବ୍ରହ୍ମାସ୍ତ୍ର।ଭୟରେ ଶିହରୀ ଉଠିଲେ ତ୍ରିଲୋକର ସମସ୍ତ ପ୍ରାଣୀ।


କିନ୍ତୁ ଭୟଙ୍କର ବେଗରେ ଆସି ସେହି ଅସ୍ତ୍ର ବଶିଷ୍ଠଙ୍କ ବ୍ରହ୍ମଦଣ୍ଡ ଭିତରେ ସମାହିତ ହୋଇଗଲା।ବିଷକୁ ବିଷ କାଟିବା ଭଳି ବ୍ରହ୍ମଦଣ୍ଡ ଆଗରେ ଶକ୍ତିହୀନ ହୋଇଗଲା ବ୍ରହ୍ମାସ୍ତ୍ର।ଶେଷରେ ପରାଜୟ ସ୍ବୀକାର କରି ଫେରି ଯାଉ ଯାଉ ଭାବୁଥିଲେ ବିଶ୍ଵାମିତ୍ର...କି ଲାଭ ଏ ଧ୍ବଂସକାରୀ ଅସ୍ତ୍ରଶସ୍ତ୍ରରେ, ଯାହା ଏକ ବ୍ରହ୍ମର୍ଷିର ଯଷ୍ଟି ଆଗରେ ଶକ୍ତିହୀନ ! ମୋତେ ଠକିଦେଲେ ସଦାଶିବ।ମୋର ବଶିଷ୍ଠଙ୍କ ଭଳି ବ୍ରହ୍ମର୍ଷିର ଶକ୍ତି ଆବଶ୍ଯକ।"


ତା'ପରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ଲାଭ କରିବାପାଇଁ ଘୋର ତପସ୍ୟାରେ ମଜ୍ଜିଗଲେ ବିଶ୍ବମିତ୍ର। ବହୁ ବର୍ଷର ତପସ୍ୟା ପରେ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ବ୍ରହ୍ମଦେବ କହିଲେ ଧନ୍ୟ ତୁମେ ବିଶ୍ଵାମିତ୍ର ! ଧନ୍ୟ ତୁମର ସାଧନା ! ତୁମେ ଋଷିମାନଙ୍କ ମଧ୍ୟରେ ରାଜା, ଆଜିଠାରୁ ତୁମେ ରାଜର୍ଷି ଭାବରେ ପରିଗଣିତ ହେବ ।ଆଶ୍ଚର୍ଯ୍ୟ ହେଲେ ବିଶ୍ଵାମିତ୍ର ଏତେ କୃଚ୍ଛ୍ର ସାଧନା ପରେ କେବଳ ରାଜର୍ଷି ! ବ୍ରହ୍ମର୍ଷି ମୁଁ କେବେ ହେବି !



రచనకు రేటింగ్ ఇవ్వండి
లాగిన్

Similar oriya story from Classics