Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୮)

ସରଯୂ ନଦୀର ତୀରେ (୮)

4 mins
122



ଯେଉଁ ସମୟରେ ଅଯୋଧ୍ୟାରେ ରାଜା ଦଶରଥ ପୁତ୍ରେଷ୍ଟି ଯଜ୍ଞ କରିବାପାଇଁ କୁଳଗୁରୁ ବଶିଷ୍ଠଙ୍କ ସହିତ ଆଲୋଚନାରତ ଥିଲେ ସେ ସମୟରେ ସ୍ବର୍ଗପୁରୀରେ ସମସ୍ତ ଦେବଗଣ,ରାବଣର ଅତ୍ୟାଚାରରେ ତ୍ରାହି ତ୍ରାହି ଡାକ ଛାଡି, ପ୍ରତିକାର ପାଇଁ ବ୍ରହ୍ମାଙ୍କ ଶରଣାପନ୍ନ ହୋଇଥିଲେ।ଦେବରାଜ ଇନ୍ଦ୍ର କହିଲେ..ହେ ବ୍ରହ୍ମଦେବ ! ଆପଣଙ୍କ ଚତୁର୍ମୁଖ ନିଶ୍ରୁତ ବରଦାନ ବଳରେ ଛପନଗଣ୍ଡା ଯୁଗକୁ ଆୟୁଷ ପାଇଥିବା ଅତ୍ୟାଚାରୀ ରାବଣ ମାତ୍ର ଚଉଦ ଗଣ୍ଡା ଯୁଗରେ ପଦାର୍ପଣ କରିଛି।ତାର ଅତ୍ୟାଚାରରେ ସମସ୍ତ ଦେବଗଣ ମହା ସନ୍ତାପରେ କାଳାତିପାତ କରୁଛନ୍ତି।

ଇନ୍ଦ୍ର,ଅଗ୍ନି,ବାୟୁ,ବରୁଣ,କୁବେର ଆଦି ସମସ୍ତ ଦେବତାଙ୍କୁ ସେ ଭୃତ୍ୟ ଭଳି ବ୍ୟବହାର କରୁଛି ଏବଂ ଅପମାନିତ କରୁଛି।ସ୍ବର୍ଗ, ମର୍ତ୍ତ୍ୟ ଏବଂ ପାତାଳ ତା ଅତ୍ୟାଚାରରେ ଥରହର। ତପସ୍ୟାରେ ଭୋଳାନାଥଙ୍କୁ ସନ୍ତୁଷ୍ଟ କରି ସେ ପାଇଛି ଜଗତ ଜୟକାରୀ ଚନ୍ଦ୍ରହାସ ଖଡ୍'ଗ।ଆପଣଙ୍କ ବଳରେ ବଳୀୟାନ ହୋଇ ସେ ଆପଣଙ୍କୁ ମଧ୍ୟ ଅବଜ୍ଞା କରୁଛି।ଆପଣ ଏବଂ ଭୋଳାନାଥ,ଆଗତ ଭବିଷ୍ୟତ କଥା ଚିନ୍ତା ନକରି ଦାନବ ମାନଙ୍କୁ ମୁକ୍ତ ହୃଦୟରେ ଏଭଳି ବରଦାନ କାହିଁକି ଦିଅନ୍ତି ମହାଭାଗ !


ଦେବତାମାନଙ୍କର ଦୁଃଖ ଶୁଣି ସନ୍ତାପିତ ଏବଂ ଅଭିଯୋଗ ଶୁଣି ଲଜ୍ଜିତ ହେଲେ ବ୍ରହ୍ମଦେବ।ଚିନ୍ତିତ ହୋଇକହିଲେ..ଆପଣମାନେ ଏହି ସମସ୍ୟାର ସମାଧାନର ସୂତ୍ର କୁହନ୍ତୁ ଦେବଗଣ; ଆପଣମାନଙ୍କ କହିବା ଅନୁଯାୟୀ ମୁଁ ସାହାଯ୍ୟ କରିବି।ବ୍ରହ୍ମାଣ୍ଡକୁ ଧ୍ବଂସ ମୁଖରୁ ରକ୍ଷା କରିବା ମୋର ସର୍ବାଦୌ କର୍ତ୍ତବ୍ୟ।ଏହା ଶୁଣି ଦେବର୍ଷି ନାରଦ କହିଲେ ଉପାୟ ଅଛି ପିତାଶ୍ରୀ ! ଆପଣଙ୍କର ମନେଥିବ ରାବଣ ବର ମାଗିବା ସମୟରେ କହିଥିଲା ଦେବ,ଦାନବ, ଗନ୍ଧର୍ବ,କିନ୍ନର କାହା ହାତରେ ମଧ୍ୟ ତାର ମୃତ୍ୟୁ ହେବନାହିଁ।ମାନବ ଏବଂ ମର୍କଟ ମାନଙ୍କୁ ହେୟଜ୍ଞାନ କରି ସେମାନଙ୍କ ନାମ ନେଇନଥିଲା ଦଶାନନ। ତେଣୁ ଜଣେ ମାନବ କିମ୍ବା ମର୍କଟ ହସ୍ତରେ ମୃତ୍ୟୁ ବରଣ କରିବ ଦୁଷ୍ଟ ଦଶଶିର ।


ଏହାଶୁଣି ବ୍ରହ୍ମା କହିଲେ କିଏ ଏପରି ମାନବ କିମ୍ବା ମର୍କଟ ଅଛି ଯିଏ ପରାକ୍ରମଶାଳୀ ରାବଣକୁ ମୃତ୍ୟୁ ମୁଖରେ ପକାଇ ପାରିବ ?" ନାରଦ କହିଲେ ବିଷ୍ଣୁ ମନୁଷ୍ୟ ଲୋକରେ ନର ଅବତାର ନେଇ ଏହି ଅସମ୍ଭବକୁ ସମ୍ଭବ କରିପାରିବେ। ବିଷ୍ଣୁ ମହାଲକ୍ଷ୍ମୀଙ୍କୁ ଏକଥା ସୂଚନା ଦେବାକଥା ମୁଁ ନିଜେ ଅବଗତ ଅଛି। ବର୍ତ୍ତମାନ ସମୟ ଆସିଛି ଶ୍ରୀବିଷ୍ଣୁଙ୍କୁ ଏହି ମହାନ କାର୍ଯ୍ୟ କରି ତ୍ରିଲୋକକୁ ଶାନ୍ତି ପ୍ରଦାନ କରିବାପାଇଁ ଗୁହାରି କରିବା ।ଆସନ୍ତୁ ସମସ୍ତେ ବୈକୁଣ୍ଠ ପୁରକୁ ଯାଇ ଶ୍ରୀବିଷ୍ଣୁଙ୍କୁ ଅନୁରୋଧ କରିବା ନର ଅବତାର ନେଇ ଧରାର ପାପଭାର ନିବାରଣ କରିବା ପାଇଁ।


ଏହା ଶୁଣି ବ୍ରହ୍ମା କହିଲେ ସାଧୁ ପୁତ୍ର ନାରଦ ! କାଳବିଳମ୍ବ ନକରି ଚାଲ ସମସ୍ତେ ବିଷ୍ଣୁଙ୍କ ପାଖରେ ଆମ୍ଭମାନଙ୍କର ଦୁଃଖ ଓ ଅନୁରୋଧ ଜଣାଇବା ।ଦେବତାମାନେ ବିଷ୍ଣୁଙ୍କ ପାଖରେ ପହଞ୍ଚି ନର ରୂପ ନେଇ ରାବଣଙ୍କୁ ବଧ କରିବାପାଇଁ ଅନୁରୋଧ କଲେ। ଶ୍ରୀବିଷ୍ଣୁ ଦେବତା ମାନଙ୍କ ଅନୁରୋଧ ରକ୍ଷାକରି ,ଅଚିରେ ସେମାନଙ୍କ ଦୁଃଖ ଲାଘବ ହେବ ବୋଲି ପ୍ରତିଶ୍ରୁତି ଦେଲେ।


କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ରାଜା ଦଶରଥ ଅଙ୍ଗ ଦେଶର ଚମ୍ପାବତୀ ନଗ୍ରରେ ପହଞ୍ଚିଲେ।ପରମ ମିତ୍ରଙ୍କ ଆଗମନର ସୂଚନା ପାଇଁ ଅଙ୍ଗରାଜ ରୋମପାଦ ଦଶରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ରାଜପୁରକୁ ପାଛୋଟି ନେଲେ। ମହର୍ଷି ଋଷ୍ୟଶୃଙ୍ଗଙ୍କୁ ଯଥାମାନ୍ୟ ସମ୍ମାନ ପ୍ରଦର୍ଶନ ପରେ ରୋମପାଦ କହିଲେ ହେ ମୁନିଶ୍ରେଷ୍ଠ ! ଏ ହେଉଛନ୍ତି ମୋର ପରମ ମିତ୍ର ଅଯୋଧ୍ୟା ନରେଶ ମହାରାଜା ଦଶରଥ।ମୋର ପାଳିତା କନ୍ୟା ଶାନ୍ତା ଏହାଙ୍କର ପୁତ୍ରୀ।ସେ ଦୃଷ୍ଟିରୁ ଏ ଆପଣଙ୍କର ଶ୍ବଶୁର। ପୁତ୍ର ସନ୍ତାନ ନଥିବାରୁ ମହାରାଜା ପରମ କଷ୍ଟରେ ଦିନ ଅତିବାହିତ କରୁଛନ୍ତି।ଆପଣଙ୍କୁ ନିଜ ରାଜ୍ୟକୁ ନେଇ ପୁତ୍ରେଷ୍ଟି ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଏସ୍ଥାନକୁ ତାଙ୍କର ଆଗମନ।ଯଜ୍ଞରେ ପୂର୍ଣ୍ଣାହୂତି ଦେଇ ତାଙ୍କର ମନୋକାମନା ପୂର୍ଣ୍ଣ କରନ୍ତୁ ମହାମୁନି।ଆପଣଙ୍କ କୃପାର ପଟାନ୍ତର ନାହିଁ। ଯେଉଁପରି ଅନାବୃଷ୍ଟ ଶୁଷ୍କ ଅଙ୍ଗଦେଶକୁ ଆପଣ କୃପାବାରିଧିରେ ଜଳସିକ୍ତ କରିଦେଲେ ସେହିପରି ମହାରାଜା ଦଶରଥଙ୍କୁ ପୁତ୍ରକଷ୍ଟରୁ ମୁକ୍ତକରି ତାଙ୍କ ଶୁଷ୍କ ହୃଦୟ କେଦାରକୁ ବାତ୍ସଲ୍ୟ ବାରିରେ ସିକ୍ତ କରନ୍ତୁ ମୁନିଶ୍ରେଷ୍ଠ !


ରୋମପାଦଙ୍କଠାରୁ ଦଶରଥଙ୍କ ଆଗମନର ଉଦ୍ଦେଶ୍ୟ ଜାଣି ଅଯୋଧ୍ୟାକୁ ଯିବାପାଇଁ ସମ୍ମତି ପ୍ରକାଶ କଲେ ଋଷ୍ୟଶୃଙ୍ଗ।ଋଷିଙ୍କୁ ସସମ୍ମାନ ନିଜ ସଜ୍ଜିତ ସ୍ୟନ୍ଦନରେ ବସାଇ ନିଜେ ରାଜା ଦଶରଥ ଅଶ୍ବଚାଳନା କରି ଅଯୋଧ୍ୟା କଟକରେ ପହଞ୍ଚିଲେ।ଋଷିଙ୍କ ଆଗମନରେ ଅଯୋଧ୍ୟାର ଆନନ୍ଦ ସାଗରରେ ଉତ୍ତାଳ ଲହରୀ ମୁଣ୍ଡ ପିଟିଲା।


ରାଜା ଦଶରଥ ପୁତ୍ରେଷ୍ଟି ଯଜ୍ଞ ଆୟୋଜନ ପାଇଁ ମନ୍ତ୍ରୀ ଏବଂ ପାରିଷଦ ମାନଙ୍କୁ ନିର୍ଦ୍ଦେଶ ଦେଲେ। ପୃଥିବୀର ସମସ୍ତ ନରପତି, ମୁନି, ଋଷି ଓ ଶ୍ରେଷ୍ଠ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କରାଗଲା।ସ୍ଵର୍ଗରୁ ଇନ୍ଦ୍ର ଏବଂ ଅନ୍ୟ ଦେବତା ମାନଙ୍କୁ ସସମ୍ମାନେ ନିମନ୍ତ୍ରଣ କରାଗଲା।ଏକ ସୁସଜ୍ଜିତ ଅଶ୍ବକୁ ବିଶ୍ବର ବିଭିନ୍ନ ଦେଶକୁ ପ୍ରେରଣ କରାଗଲା; ଅଶ୍ଵ ଗଳାରେ ଗୋଟିଏ ଚିଟାଉ ଝୁଲୁଥାଏ। ସେଥିରେ ଲେଖା ହୋଇଥିଲା ମହାରାଜା ଦଶରଥଙ୍କର ଏହି ଅଶ୍ଵ ତାଙ୍କ ଶକ୍ତି ଓ ସାମର୍ଥ୍ୟର ପ୍ରତୀକ।ଯେଉଁ ବ୍ୟକ୍ତି ଏହାର ପଥରୋଧ କରିବ ସେ ମହାରାଜାଙ୍କର ତଥା ଯଜ୍ଞ ଅନୁଷ୍ଠାନର ବିରୋଧୀ ଭାବରେ ପରିଗଣିତ ହେବ।


ବିନା ପ୍ରତିରୋଧରେ ଅଶ୍ଵ ବିଭିନ୍ନ ଦେଶ ପରିକ୍ରମଣ କରି ଅଯୋଧ୍ୟା ଫେରି ଆସିଲା।ମହାସମାରୋହରେ ସମ୍ପୂର୍ଣ୍ଣ ହେଲା ମହାରାଜା ଦଶରଥଙ୍କର ପୁତ୍ରେଷ୍ଟି ଯଜ୍ଞ। ଋଷ଼୍ୟଶୃଙ୍ଗଙ୍କ ପରାମର୍ଶ ଅନୁଯାୟୀ କୁଳଗୁରୁ ବଶିଷ୍ଠଙ୍କୁ ଯଜ୍ଞରେ ଅଗ୍ରପୂଜ୍ୟ ସମ୍ମାନ ଅର୍ପଣ କରାଯାଇଥିଲା।ଯଜ୍ଞରେ ପୂର୍ଣ୍ଣାହୁତି ଦେଲେ ମହର୍ଷି ଋଷ୍ୟଶୃଙ୍ଗ। ପୂର୍ଣ୍ଣାହୁତି ସମୟରେ ଯଜ୍ଞକୁଣ୍ଡରୁ ଜଣେ ଦିବ୍ୟ ଜ୍ୟୋତିର୍ମୟ ପୁରୁଷ ଲେଲିହାନ ଅଗ୍ନିଶିଖା ସହିତ ଆବିର୍ଭାବ ହେଲେ।ହାତରେ ତାଙ୍କର ଥିଲା ଏକ ସୁବର୍ଣ୍ଣ କଳସ।କଳସ ଭିତରେ ଥିଲା ଚରୁ।ତାକୁ ଗ୍ରହଣ କରି ଋଷ଼୍ୟଶୃଙ୍ଗ ରାଜା ଦଶରଥଙ୍କ ହାତକୁ ବଢାଇ ଦେଇ ତିନି ରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କୁ ସେବନ କରାଇବା ପାଇଁ ନିର୍ଦ୍ଦେଶ ଦେଲେ।


 ନିର୍ଦ୍ଦେଶ ଅନୁଯାୟୀ ଦଶରଥ ଯଜ୍ଞ ଚରୁରୁ ଅର୍ଦ୍ଧେକ ରାଣୀ କୌଶଲ୍ୟାଙ୍କୁ ସେବନ କରିବାକୁଦେଲେ।ବାକି ଅଧା ସମଭାବରେ କୈକେୟୀ ଏବଂ ସୁମିତ୍ରାଙ୍କ ମଧ୍ୟରେ ବାଣ୍ଟି ଦେଲେ।କୈକେୟୀ ନିଜ ଭାଗର ଚରୁରୁ ଅଧା ଦେଲେ ସୁମିତ୍ରାଙ୍କୁ।ଯଥା ସମୟରେ ରାଣୀମାନେ ଗର୍ଭ ଧାରଣ କଲେ ଏବଂ ଯଥା ସମୟରେ ପୁତ୍ରମାନେ ଭୂମିଷ୍ଠ ହେଲେ।ଦଶରଥଙ୍କ ରାଣୀମାନଙ୍କ କୋଳ ମଣ୍ଡନକଲେ କନ୍ଦର୍ପ ରୂପ ବିନିନ୍ଦିତ ଚାରୋଟି ପୁତ୍ର ସନ୍ତାନ। ରାଣୀ କୌଶଲ୍ୟାଙ୍କ କୋଳ ମଣ୍ଡନ କଲେ ପୂର୍ଣ୍ଣବ୍ରହ୍ମ ଅଭିରାମ ଶ୍ରୀରାମ। କୈକେୟୀଙ୍କ କୋଳକୁ ଆସିଲେ ଭରତ ଏବଂ ସୁମିତ୍ରାଙ୍କ କୋଳ ମଣ୍ଡନ କଲେ ଲକ୍ଷ୍ମଣ ଓ ଶତ୍ରୁଘ୍ନ। ସୁମିତ୍ରା ଦୁଇଥର ତରୁ ସେବନ କରିଥିବାରୁ ଏହି ଦୁଇ ଜମଜ ପୁତ୍ରଙ୍କର ସେ ଜନନୀ ହୋଇଥିଲେ।


କୁହାଯାଏ ଚରୁ'ର ଅନୁପାତ ଅନୁଯାୟୀ ଚାରି କୁମାରଙ୍କଠାରେ ବିଷ୍ଣୁ କଳା ରହିଥିଲା।ରାମଚନ୍ଦ୍ର ଥିଲେ ପୂର୍ଣ୍ଣବ୍ରହ୍ମ ଏବଂ ଅନ୍ୟ ଭାଇମାନଙ୍କ ଠାରେ ବିଷ୍ଣୁ କଳା ଅନୁପାତିକ ଭାବେ ରହିଥିଲା।କିନ୍ତୁ ତତ୍ତ୍ଵତଃ ଦେଖିବାକୁ ଗଲେ ବ୍ରହ୍ମ ଏକ;ତାଙ୍କୁ ଏଭଳି ଭାବେ ଭାଗ କରିବା କଣ ସମ୍ଭବ ?ବେଦରେ ସ୍ଥାନିତ ସର୍ବୋତ୍ତମ ଶ୍ଳୋକ ଅନୁଯାୟୀ ବ୍ରହ୍ମଙ୍କୁ ବିଭକ୍ତ କରାଯାଇ ନପାରେ।


"ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ, ପୂର୍ଣ୍ଣତ୍ୟୁ ପୂର୍ଣ୍ଣମୁଦଚ୍ୟତେ,

ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ, ପୂର୍ଣ୍ଣମେବାବଶିଷ୍ୟତେ"।


ବ୍ରହ୍ମ ଅନନ୍ତ ଅଟନ୍ତି।ବ୍ରହ୍ମର ଅଂଶ ହୋଇଥିବା ପ୍ରତ୍ୟେକ ପ୍ରାଣୀ ମଧ୍ୟ ଅନନ୍ତ ସତ୍ତାର ଏକ ଅଂଶ।ବ୍ରହ୍ମ ବିଭକ୍ତ ହୋଇ ମଧ୍ୟ ଅବିଭକ୍ତ, ଅପର୍ଯ୍ୟାପ୍ତ ଏବଂ ଅପରିବର୍ତ୍ତିତ।ଶ୍ରୀମଦ୍ଭାଗବତ୍ ଗୀତାର ସପ୍ତମ ଅଧ୍ୟାୟ ୨୪ତମ ଶ୍ଳୋକରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ଏକ ଏବଂ ଅଭିନ୍ନ। ଅଜ୍ଞାନତା ବଶତଃ ମନୁଷ୍ୟ ତାଙ୍କୁ ବିଭିନ୍ନ ରୂପରେ ପୂଜାକରେ।


ପ୍ରତ୍ୟେକ ପ୍ରାଣୀ ଭଗବତ୍ ସତ୍ତାର ଅଧିକାରୀ।ତଥାପି ଯେଉଁମାନଙ୍କଠାରେ ବିଲକ୍ଷଣ ପ୍ରତିଭା ଦେଖାଯାଏ ସେମାନଙ୍କୁ ଅବତାର ବୋଲି ମନୁଷ୍ୟ ସମାଜ ବିଶ୍ବାସ କରେ। ଶ୍ରୀରାମଚନ୍ଦ୍ର ଏବଂ ସେମାନଙ୍କ ଭାଇମାନଙ୍କଠାରେ ବିଲକ୍ଷଣ ପ୍ରତିଭାର ଝଲକ ଥିବାରୁ ଗୁଣ ଅନୁଯାୟୀ ଅନୁପାତିକ ଭାବରେ ସେମାନେ ବିଷ୍ଣୁ-କଳାର ଅଧିକାରୀ ଥିଲେ ବୋଲି ବିଶ୍ବାସ କରାଯାଏ।



Rate this content
Log in

Similar oriya story from Classics