Kulamani Sarangi

Classics Others

3  

Kulamani Sarangi

Classics Others

ସରଯୂ ନଦୀର ତୀରେ (୬)

ସରଯୂ ନଦୀର ତୀରେ (୬)

5 mins
951


(ରାମାୟଣର ଅମର କାହାଣୀ - ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ)


ଦଶରଥଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ଅତ୍ୟନ୍ତ ଦୁଃଖରେ ସେ କାଳାତିପାତ କରୁଥିଲେ। ଜ୍ୟେଷ୍ଠ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଜାତ ରାଜାଙ୍କର ଏକମାତ୍ର କନ୍ୟାର ନାମ ଥିଲା ଶାନ୍ତା।ଦଶରଥଙ୍କ ପରମ ମିତ୍ର ଅଙ୍ଗ-ରାଜ ରୋମପାଦ ନିଃସନ୍ତାନ ଥିବାରୁ ଏହି କନ୍ୟାକୁ ସେ ପୋଷ୍ୟପୁତ୍ରୀ ଭାବେ ଗ୍ରହଣ କରିଥିଲେ।


 ବିଶାଳ ଉତ୍ତର କୋଶଳ ରାଜ୍ୟର ଉତ୍ତରାଧିକାରୀ କିଏ ହେବ ଏହି ଚିନ୍ତା ଦଶରଥଙ୍କୁ ଦିବାରାତ୍ରି ବ୍ୟଥିତ କରୁଥିଲା।ରାଜାଙ୍କର ତିନି ରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା ପୁତ୍ରଲାଭ ପାଇଁ ଅନେକ ପୂଜା ପାଠ ପରେ ନିରାଶ ହୋଇ ରହିଥିଲେ। ଏହି ସମୟରେ ଦଶରଥ ଶୁଣିବାକୁ ପାଇଲେ ତାଙ୍କ ମିତ୍ର ରୋମପାଦ ନିଜ ରାଜ୍ୟରେ ଅନାବୃଷ୍ଟି ଦୂର କରିବା ପାଇଁ ବ୍ରହ୍ମଚାରୀ ଋଷ଼୍ୟଶୃଙ୍ଗଙ୍କୁ ଆଣି ଯଜ୍ଞ ଅନୁଷ୍ଠାନ କରିବା ଫଳରେ ତାଙ୍କ ଦେଶରେ ପ୍ରଚୁର ପରିମାଣରେ ବୃଷ୍ଟିପାତ ହୋଇଛି।ମିତ୍ର ରୋମପାଦ ଏବଂ ନିଜ ରାଜସଭାରେ ଥିବା ମହର୍ଷିମାନଙ୍କ ପରାମର୍ଶକ୍ରମେ ଋଷ଼୍ୟଶୃଙ୍ଗଙ୍କ ପୌରହିତ୍ୟରେ ପୁତ୍ରେଷ୍ଟି ଯଜ୍ଞ କରାଇବା ପାଇଁ ରାଜା ଦଶରଥ ମନସ୍ଥ କଲେ। 


ଋଷ଼୍ୟଶୃଙ୍ଗଙ୍କ ସମ୍ବନ୍ଧରେ ଏକ ରୋଚକ ଉପାଖ୍ୟାନ ରହିଛି।ଦଶରଥଙ୍କ କନ୍ୟା ଶାନ୍ତାଙ୍କୁ ସେ କିପରି ବିବାହ କଲେ ତାହାର ଅବତାରଣା ଉଭୟ ମହାଭାରତ ଓ ରାମାୟଣରେ ରହିଛି।ଆସନ୍ତୁ ସେହି ଉପାଖ୍ୟାନ ଉପରେ ବିହଙ୍ଗାବଲୋକନ କରିବା।


 ତ୍ରେତୟା ଯୁଗରେ "ବିଦର୍ଭ" ନାମକ ଜଣେ ଯାଦବ ରାଜା ଥିଲେ। ଈଶ୍ୱରଙ୍କ ଦୟାରୁ ସେ ଅନେକ ପୁତ୍ର ସନ୍ତାନର ଜନକ ଥିଲେ କିନ୍ତୁ ତାଙ୍କ ପ୍ରିୟତମ ବନ୍ଧୁ ଅଙ୍ଗରାଜ "ଧର୍ମରଥ" ସନ୍ତାନହୀନ ଥିଲେ।ଧର୍ମରଥ,ବିଦର୍ଭଙ୍କ ପୁତ୍ର "ରୋମପାଦ"ଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲେ। ବଶିଷ୍ଠଙ୍କ ଗୁରୁକୁଳରେ ରୋମପାଦଙ୍କ ସହିତ ଅଯୋଧ୍ୟା ରାଜକୁମାର ଦଶରଥ ମଧ୍ୟ ଶିକ୍ଷା ନେଉଥିଲେ।ଉଭୟଙ୍କ ମଧ୍ୟରେ ବନ୍ଧୁଭାବ ଗଢିଉଠିଲା।ଧର୍ମରଥ ରୋମପାଦଙ୍କୁ ଅଙ୍ଗ ରାଜ୍ୟର ସିଂହାସନରେ ଅଭିଷିକ୍ତ କରି ବାନପ୍ରସ୍ଥ ପାଇଁ ଯାତ୍ରା କଲେ;ଏଣେ ଅଯୋଧ୍ୟାର ରାଜମୁକୁଟ ମଧ୍ୟ ଦଶରଥ ଧାରଣ କଲେ।


ଯୋଗକୁ ଦକ୍ଷିଣ-କୋଶଳ ରାଜ୍ୟର ଦୁଇ ରାଜକନ୍ୟା କୌଶଲ୍ୟା ଏବଂ ବର୍ଷିନୀ ଦୁଇବନ୍ଧୁଙ୍କୁ ବିବାହ କଲେ। କୌଶଲ୍ୟା, ଦଶରଥଙ୍କ ରାଣୀ ଅନ୍ତଃପୁର ମଣ୍ଡନ କଲେ ଏବଂ ତାଙ୍କ ଭଗିନୀ ବର୍ଷିନୀ ରୋମପାଦ'ଙ୍କ ପାଣି ଗ୍ରହଣ କଲେ। କିଛି ବର୍ଷପରେ କୌଶଲ୍ୟାଙ୍କ କୋଳ ମଣ୍ଡନ କଲେ ଗୋଟିଏ କନ୍ୟା ସନ୍ତାନ;ରାଜ-ଦମ୍ପତି କନ୍ୟାର ନାମ ରଖିଲେ ଶାନ୍ତା।ଅଙ୍ଗରାଜ ରୋମପାଦଙ୍କର ଅନେକ ବର୍ଷଧରି କୌଣସି ସନ୍ତାନ ସନ୍ତତିନହେବାରୁ,ଦରରଥଙ୍କ ପୁତ୍ରୀ ଶାନ୍ତାଙ୍କୁ ସେ ପୋଷ୍ୟପୁତ୍ରୀ କରିନେଲେ।


ଶାନ୍ତାଙ୍କୁ ଜୀବନରୁ ବଳି ଭଲ ପାଉଥିଲେ ରୋମପାଦ। ଦିନେ ଶାନ୍ତା ସହିତ ହସ ଖୁସିରେ ମଜ୍ଜିଯାଇଥିବା ସମୟରେ,ଶୁଭତୀର୍ଥ ନାମକ ଜଣେ ବ୍ରାହ୍ମଣ-ପ୍ରଜା,ଜଳ ସମ୍ବନ୍ଧୀୟ ସମସ୍ୟା ଏବଂ ଇନ୍ଦ୍ରପୂଜା ବିଷୟରେ ଆଲୋଚନା କରିବାପାଇଁ ରୋମପାଦଙ୍କ ପାଖରେ ପହଞ୍ଚିଲେ। ବ୍ରାହ୍ମଣଙ୍କୁ ସନ୍ଧ୍ୟା ସମୟରେ ଆସିବାପାଇଁ କହି ରୋମପାଦ କନ୍ୟା ଶାନ୍ତା ସହିତ ହସଖୁସିରେ ମଜ୍ଜିଗଲେ। ସନ୍ଧ୍ୟା ସମୟରେ ବ୍ରାହ୍ମଣ ପୁଣି ଥରେ ଆସିଲେ ଆଲୋଚନା ପାଇଁ।ଏଥର ମଧ୍ୟ ରୋମପାଦ ବ୍ରାହ୍ମଣଙ୍କ ଅଭିଯୋଗ ଶୁଣିଲେ ନାହିଁ।ବିରକ୍ତ ହୋଇ ବ୍ରାହ୍ମଣ ରାଜ୍ୟତ୍ୟାଗକରି ଚାଲିଗଲେ।


ରୋମପାଦଙ୍କର ଏଭଳି ମନୋଭାବରେ ଇନ୍ଦ୍ରଦେବ କ୍ରୋଧାନ୍ୱିତ ହୋଇ ସେ'ବର୍ଷ ଅଙ୍ଗ ଦେଶରେ ବୃଷ୍ଟିପାତ ବନ୍ଦ୍ କରିଦେଲେ।ଫଳରେ‌ ସାରା ଅଙ୍ଗଦେଶରେ ମରୁଡ଼ିର ଭୟଙ୍କର ଛାୟା ଖେଳିଗଲା।


ପ୍ରଜାଙ୍କ କଷ୍ଟ ଦେଖି ରୋମପାଦ ବିବ୍ରତ ହୋଇପଡିଲେ।ଋଷି ଓ ବ୍ରାହ୍ମଣମାନଙ୍କ ସହିତ ଆଲୋଚନା କରି ଜାଣିଲେ ଯେ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିଥିବା ଋଷି ଋଷ୍ୟଶୃଙ୍ଗ, ଅନେକ ଅଲୌକିକ ଶକ୍ତିର ଅଧିକାରୀ;ସେ ଯେବେ ଅଙ୍ଗ ଦେଶରେ ପାଦ ରଖିବେ ତେବେ ନିଶ୍ଚିତ ଭାବରେ ବୃଷ୍ଟିପାତ ହେବ।


ଋଷ୍ୟଶୃଙ୍ଗ, ମହର୍ଷି ବିଭାଣ୍ଡକଙ୍କ ପୁତ୍ର ଥିଲେ।ବିଭାଣ୍ଡକ, ପୁତ୍ର ଋଷ୍ୟଶୃଙ୍ଗଙ୍କୁ କୌଣସି ନାରୀ ସମ୍ପର୍କରେ ଆସିବାକୁ ଦେଉନଥିଲେ।ଜନ୍ମ ସମୟରୁ ଋଷ୍ୟଶୃଙ୍ଗ ଶାସ୍ତ୍ରଜ୍ଞାନ ବ୍ୟତୀତ ଆଉ କିଛି ଜାଣିନଥିଲେ ଏବଂ ପିତାଙ୍କ ବ୍ୟତୀତ କୌଣସି ନର ବା ନାରୀ ସଂସ୍ପର୍ଶରେ ସେ ଆସି ନଥିଲେ।


ମହର୍ଷି ବିଭାଣ୍ଡକଙ୍କର ନାରୀ ଜାତି ପ୍ରତି ଏପରି ବିତୃଷ୍ଣା ରହିବାର କାରଣ ଅଛି। ଏକଦା ତାଙ୍କ କଠୋର ତପ ସାଧନା ଦେଖି ,କାଳେ ସେ ଇନ୍ଦ୍ରପଦ ଅଧିକାର କରିନେବେ,ସେହି ଭୟରେ,ଇନ୍ଦ୍ର ସ୍ବର୍ଗଗଣିକା ଉର୍ବଶୀଙ୍କୁ ତାଙ୍କ ତପ ଭଙ୍ଗ କରିବା ପାଇଁ ଆଦେଶ ଦେଲେ।ବିଭାଣ୍ଡକଙ୍କର ତପଭଙ୍ଗ ହେଲା। ଉର୍ବଶୀଙ୍କ ରୂପରେ ମୁଗ୍ଧ ହୋଇ ସେ ତାଙ୍କୁ ପ୍ରେମ କରିବସିଲେ। ପରିଣାମ ସ୍ବରୂପ ଜନ୍ମଲାଭ କଲେ‌ ପୁତ୍ର ଋଷ୍ୟଶୃଙ୍ଗ। କିନ୍ତୁ ଉଦ୍ଦେଶ୍ୟ ସାଧିତ ହେବାପରେ ପୁତ୍ର ଋଷ୍ୟଶୃଙ୍ଗଙ୍କୁ ପରିତ୍ୟାଗ କରି ସ୍ବର୍ଗକୁ ଫେରିଗଲେ ଉର୍ବଶୀ। ସେହି ଦିନଠାରୁ ନାରୀଜାତି ପ୍ରତି ଗଭୀର ଘୃଣାରେ ପୂର୍ଣ୍ଣ ହୋଇଗଲା ମହର୍ଷି ବିଭାଣ୍ଡକଙ୍କ ମନ।ପୁତ୍ର ଋଷ୍ୟଶୃଙ୍ଗ କେଉଁ ନାରୀ ସାନ୍ନିଧ୍ୟରେ ଆସୁ ବୋଲି ସେ ଚାହୁଁନଥିଲେ।


ଏ' ପରିସ୍ଥିତିରେ ଅଙ୍ଗରାଜ ରୋମପାଦ ଚିନ୍ତା କଲେ କିପରି ଋଷ୍ୟଶୃଙ୍ଗଙ୍କୁ ଅଙ୍ଗଦେଶକୁ ଅଣାଯାଇ ପାରିବ। ଯେଉଁ ବିଭାଣ୍ଡକ ନାରୀର ଛାୟା ମଧ୍ୟ ପୁତ୍ର ଉପରେ ପଡ଼ିବା ଚାହାଁନ୍ତି ନାହିଁ,ସେ କଣ ଅନୁମତି ଦେବେ ତାଙ୍କୁ ଅଙ୍ଗଦେଶ ଆସିବା ପାଇଁ ! ତଥାପି ପ୍ରଜାଙ୍କ ମଙ୍ଗଳ ଦୃଷ୍ଟିରୁ ଋଷ୍ୟଶୃଙ୍ଗଙ୍କୁ କୌଣସିପ୍ରକାରେ ଅଙ୍ଗଦେଶକୁ ଆଣିବାପାଇଁ ପଡ଼ିବ।ରୋମପାଦ ଭାବିଲେ..ପ୍ରେମ ମନୁଷ୍ୟର ଚରମ ଦୁର୍ବଳତା,ଜଗତରେ ଫୁଲ-ଧନୁ ଶାସନ କେହି ଲଘିଂ ପାରି ନାହାନ୍ତି।ମୁନିଋଷି ମାନଙ୍କର ତପସ୍ୟା ଭାଙ୍ଗିବା ପାଇଁ ଦେବତାମାନେ ମଧ୍ୟ ଅପ୍ସରାମାନଙ୍କ ସାହାଯ୍ୟ ନିଅନ୍ତି।ଇନ୍ଦ୍ରିୟ ସୁଖରୁ ଏ ପର୍ଯ୍ୟନ୍ତ ବଞ୍ଚିତ ରହିଥିବା ଋଷ୍ୟଶୃଙ୍ଗ ନିଶ୍ଚିତ ଭାବରେ କାମିନୀ ରୂପଲାବଣ୍ୟ ମୋହରେ ଅରଣ୍ୟତ୍ୟାଗକରି ଅଙ୍ଗଦେଶକୁ ଚାଲି ଆସିବେ।ରୋମପାଦ, ଋଷ୍ୟଶୃଙ୍ଗଙ୍କୁ ପ୍ରଲୋଭିତ କରି ଆଣିବା ଦାୟିତ୍ବ, ଜରତା ନାମ୍ନୀ ଏକ ଗଣିକା ଏବଂ ରାଜପ୍ରସାଦର କିଛି ସୁନ୍ଦରୀ ଲଳନାଙ୍କ ଉପରେ ନ୍ୟସ୍ତ କଲେ ।


ଏହା ଏକ ବିପଦପୂର୍ଣ୍ଣ କାର୍ଯ୍ୟ ଥିଲା।ବିଭାଣ୍ଡକଙ୍କ ଦୃଷ୍ଟିରେ ପଡିଲେ ଅଭିଶାପ ଦେଇ ଭଷ୍ମ କରିଦେବେ।ରୂପଲାବଣ୍ୟରେ ଋଷ୍ୟଶୃଙ୍ଗଙ୍କୁ ପ୍ରଲୋଭିତ କରିବାରେ ଅସମର୍ଥ ହୋଇ ଅଭିଯାନରେ ବିଫଳ ହେଲେ ରାଜାଙ୍କ କୋପଦୃଷ୍ଟିର ଶିକାର ହେବାକୁ ପଡିବ। ଜରତା, ସଙ୍ଗିନୀ ମାନଙ୍କ ସହିତ, ସମୟ ସୁଯୋଗ ଦେଖି,ବିଭାଣ୍ଡକ ଅନୁପସ୍ଥିତ ଥିବାସମୟରେ,ସାଙ୍ଗରେ କିଛି ମିଷ୍ଟାନ୍ନ ନେଇ ତପସ୍ୱିନୀ ବେଶରେ ଋଷ୍ୟଶୃଙ୍ଗଙ୍କ ନିକଟରେ ପହଞ୍ଚିଲେ। ସେମାନଙ୍କ ରୂପ ଲାବଣ୍ୟରେ ପ୍ରଲୁବ୍ଧ ଋଷ୍ୟଶୃଙ୍ଗ ଏକ ଅଦ୍ଭୁତ ଆକର୍ଷଣରେ ଘାରିହେଲେ,ନ'ହୁଅନ୍ତେ କିପରି;କଥାରେ ଅଛି"ରମଣୀ ଅପାଙ୍ଗଲୀଳା ବିଲୋଳ ଦୃଷ୍ଟିରେ/ତୁଚ୍ଛ ତୁଳା ପରି ଉଡିଯାନ୍ତି ମହାବୀରେ"।ଆଗରୁ, ପିତାଙ୍କ ବ୍ୟତୀତ କୌଣସିି ନର ବା ନାରୀ ଦେଖିନଥିବା ଋଷ୍ୟଶୃଙ୍ଗ ପଚାରିଲେ.. ତୁମେମାନେ କଣ ତପସ୍ୱୀ ? କେଉଁଠାରେ ତୁମର ଆଶ୍ରମ ?


ଜରତା, ଋଷ୍ୟଶୃଙ୍ଗଙ୍କୁ ଆଶ୍ରମ ଏବଂ ପିତା ବିଭାଣ୍ଡକଙ୍କ କୁଶଳ ଜିଜ୍ଞାସା କରିବା ପରେ କହିଲେ .... ଆମେ ସମସ୍ତେ ତପସ୍ୱିନୀ,ଆମର ଆଶ୍ରମ ତିନି ଯୋଜନ ଦୂରରେ।ଆମେ ଆପଣଙ୍କୁ ଆମ ଆଶ୍ରମକୁ ନିମନ୍ତ୍ରଣ କରୁଛୁ, ଦୟାକରି ଆସିବେ।"ଏହିପରି କଥୋପକଥନ ପରେ ଜରତା ସାଙ୍ଗରେ ନେଇଥିବା ମିଷ୍ଟାନ୍ନ ଋଷ୍ୟଶୃଙ୍ଗଙ୍କୁ ଖୁଆଇ ଦେଲେ।ଅରଣ୍ୟରେ ସର୍ବଦା ଫଳମୂଳ ଖାଇ ବଞ୍ଚିଥିବା ଋଷିପୁତ୍ରଙ୍କୁ ଅତିଥିଙ୍କ ଖାଦ୍ୟ ଅମୃତ ଭଳି ଲାଗିଲା। ବିଦାୟ ସମୟରେ ଆଲିଙ୍ଗନ କରି, ଆଉଥରେ ଆସିବା ପ୍ରତିଶ୍ରୁତି ଦେଲେ ଜରତା। ଜରତା'ଙ୍କ ଆଲିଙ୍ଗନ ଋଷ୍ୟଶୃଙ୍ଗଙ୍କ ଦେହରେ ଅପୂର୍ବ ଶିହରଣ ଆଣିଦେଲା;ଜଡ କାମ-ଚେତନା ସ୍ପୁଲିଙ୍ଗରେ ପରିଣତ ହେଲା। ଏଭଳି ଅନୁଭବର କାରଣ ନିଜେ ଋଷ଼୍ୟଶୃଙ୍ଗ ଜାଣି ପାରୁନଥାନ୍ତି। ଅତିଥି ମାନଙ୍କୁ ବିଦାୟ ଦେବାକୁ ଚାହୁଁ ନଥିଲେ ମଧ୍ୟ ବାଧ୍ୟହୋଇ ବିଦାୟ ଦେଲେ।


ଅଙ୍ଗଦେଶର ଲଳନାମାନେ ଏଭଳି ନାଟକ କରି ଫେରିଯିବା ପରେ ବିଭାଣ୍ଡକ ଆଶ୍ରମକୁ ଆସି ଋଷ୍ୟଶୃଙ୍ଗଙ୍କର ମାନସିକ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ଆଶ୍ରମର ସବୁ ପଦାର୍ଥ ଇତସ୍ତତ ହୋଇ ପଡ଼ିଛି,ଯଜ୍ଞପାଇଁ ସମିଧ,ଶାକଲ୍ୟ ଆଦି ଯୋଗାଡ କରିନାହାନ୍ତି ଋଷ୍ୟଶୃଙ୍ଗ।ନିଜ ଭିତରେ ହଜି ଯାଇଛନ୍ତି ସେ। ଅତିଥି ମାନଙ୍କର ଶରୀର ଗଠନ କିପରି ଭିନ୍ନ ଏବଂ ଆକର୍ଷଣୀୟ ତଥା ସେମାନଙ୍କ ପ୍ରଦତ୍ତ ଖାଦ୍ୟ କିପରି ସ୍ବାଦପୂର୍ଣ୍ଣ, ସେକଥା ସେ ପିତାଙ୍କ ଆଗରେ ବର୍ଣ୍ତନା କରି ସେମାନଙ୍କ ପ୍ରଶଂସାରେ ସେ ଶତମୁଖ ହୋଇଗଲେ ।


ବିଭାଣ୍ଡକ ବୁଝିପାରିଲେ ଯେ ଏହା କୌଣସି ନାରୀର କାର୍ଯ୍ୟ। ପୁତ୍ରକୁ ସତର୍କ କରାଇ ବିଭାଣ୍ଡକ କହିଲେ..ସେମାନେ କୌଣସି ମୁନିଋଷି ନୁହନ୍ତି , ବରଂ ରାକ୍ଷସୀ ଏବଂ ସେମାନଙ୍କଠାରୁ ଦୂରେଇ ରହିବା ଭଲ।


କିଛି ଦିନ ପରେ ବିଭାଣ୍ଡକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜରତା, ସୁନ୍ଦରୀ କନ୍ୟାଙ୍କ ଗହଣରେ,ଆଉଥରେ ଋଷ୍ୟଶୃଙ୍ଗଙ୍କ ପାଖରେ ପହଞ୍ଚିଲେ।ଏଥର ଋଷ୍ୟଶୃଙ୍ଗ ଅତିଥି ମାନଙ୍କୁ ଦେଖି ଆନନ୍ଦରେ ଗଦ୍ଗଦ ହୋଇ କହିଲେ ..ତୁମ୍ଭମାନଙ୍କର ସାନ୍ନିଧ୍ୟ ମୋତେ ବହୁତ ଭଲ ଲାଗୁଛି। ଜରତା କହିଲେ...ତାହେଲେ ଆମ ଆଶ୍ରମକୁ ଆସନ୍ତୁ,ବୁଲି ଆସିବା"; ଋଷ୍ୟଶୃଙ୍ଗ କହିଲେ ... ଠିକ୍ କଥା,ପିତାଙ୍କ ଫେରିବା ପୂର୍ବରୁ ଆମେ ଫେରି ଆସିବା"।

ଜରତା ଏବଂ ତାଙ୍କ ସଙ୍ଗିନୀମାନଙ୍କର ଆନନ୍ଦ କହିଲେ ନସରେ। ଯୋଜନା ସଫଳ ହୋଇଛି। ଋଷ୍ୟଶୃଙ୍ଗଙ୍କୁ ସେମାନେ ଏକ ବିଶାଳ ନୌକା ଭିତରେ ନେଇ ବସାଇଲେ। ନୌକା ଗୋଟିଏ ସୁନ୍ଦର ପୁଷ୍ପବନର ଆଶ୍ରମ ଭଳି ପରି ସଜ୍ଜିତ ହୋଇଥାଏ। ସୁନ୍ଦରୀ କନ୍ୟା ମାନଙ୍କ ଗହଣରେ ଅଙ୍ଗ ଦେଶରେ ପହଞ୍ଚିଲେ ଋଷ୍ୟଶୃଙ୍ଗ। ଋଷ୍ୟଶୃଙ୍ଗଙ୍କ ଆଗମନରେ ସଙ୍ଗେ ସଙ୍ଗେ ଆକାଶ ମେଘାଚ୍ଛନ୍ନ ହୋଇ ବର୍ଷା ଅଜାଡି ହୋଇପଡ଼ିଲା। ନଦୀ ନାଳ ପୂର୍ଣ୍ଣ ହୋଇଗଲା। ପ୍ରଜାମାନଙ୍କ ଆନନ୍ଦ କହିଲେ ନସରେ। ଆନନ୍ଦରେ ବିଭୋର ହେଲେ ଅଙ୍ଗରାଜ ରୋମପାଦ।


ଋଷ୍ୟଶୃଙ୍ଗ, ରାଜାଙ୍କ ସୁନ୍ଦରୀ କନ୍ୟା ଶାନ୍ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲେ। ଅଲୌକିକ ଶକ୍ତିର ଅଧିକାରୀ ଋଷ୍ୟଶୃଙ୍ଗଙ୍କ ପ୍ରସ୍ତାବରେ ସମ୍ମତ ହୋଇ କନ୍ୟାକୁ ତାଙ୍କ ସହିତ ବିବାହ ଦେଲେ ରୋମପାଦ।

ମହର୍ଷି ବିଭାଣ୍ଡକ, ଋଷ୍ୟଶୃଙ୍ଗଙ୍କ ଅନୁପସ୍ଥିତିରେ କ୍ରୋଧରେ ହତଜ୍ଞାନ ହୋଇ ପୁତ୍ରକୁ ଖୋଜିବା ଉଦ୍ଦେଶ୍ୟରେ ଅଙ୍ଗ ଦେଶରେ ପହଞ୍ଚିଲେ। ପଥ ମଧ୍ୟରେ ବିଭାଣ୍ଡକଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିଥିଲେ ରୋମପାଦ। ତେଣୁ ରାଜପ୍ରାସାଦରେ ପହଞ୍ଚିଲା ବେଳକୁ ଋଷିଙ୍କର କ୍ରୋଧ ଦୂର ହୋଇ ଯାଇଥିଲା।ସେ ଦେଖିଲେ, ପୁତ୍ର ଋଷ୍ୟଶୃଙ୍ଗ ରାଜ-ଜାମାତା ହୋଇ,ଶିରରେ ମୁକୁଟ ଧାରଣ କରି ଐଶ୍ୱର୍ଯ୍ୟ ଭୋଗ କରି ପ୍ରାସାଦରେ ଆନନ୍ଦରେ ଶାନ୍ତାଙ୍କୁ ବିବାହ କରି ରହିଛନ୍ତି।ବିଭାଣ୍ଡକଙ୍କ ପାଦତଳେ ନତମସ୍ତକ ହୋଇ, ପୁତ୍ର ଏବଂ ପୁତ୍ରବଧୂ ଶାନ୍ତା ଯେତେବେଳେ ଆଶୀର୍ବାଦ ଭିକ୍ଷା କଲେ ବିଭାଣ୍ଡକଙ୍କର ସମସ୍ତ କ୍ରୋଧ ନିମିଷକେ ଶୂନ୍ୟରେ ମିଳେଇଗଲା। ଆନନ୍ଦ ଗଦ୍ଗଦ ହୋଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇ ବିଭାଣ୍ଡକ ନିଜ ଆଶ୍ରମକୁ ଫେରିଗଲେ।


ପୁତ୍ରଲାଭ ଆଶାରେ ପୁତ୍ରେଷ୍ଟି ଯଜ୍ଞ କରାଇବାର ସମସ୍ତ ଆୟୋଜନ କରି ରାଜା ଦଶରଥ ଜାମାତା ଋଷ଼୍ୟଶୃଙ୍ଗଙ୍କୁ ଯଜ୍ଞରେ ପୌରାହିତ୍ୟ କରିବାପାଇଁ ନିମନ୍ତ୍ରଣ କଲେ।


କ୍ରମଶଃ....


Rate this content
Log in

Similar oriya story from Classics