Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୫୪)

ସରଯୂ ନଦୀର ତୀରେ (୫୪)

4 mins
208



ବିରାଧ ବଧ

===

ରାମ ଲକ୍ଷ୍ମଣଙ୍କ ଆଗରେ ଠିଆ ହୋଇଥିଲା ପର୍ବତ ଭଳି ଦେଖାଯାଉଥିବା ବିରାଧ ରାକ୍ଷସ।କୁତ୍ସିତ କଦାକାର ମୁହଁରୁ ବାହାରୁଥିବା ହସ ମେଘ ଘଡ଼ଘଡ଼ି ପରି ଶୁଣା ଯାଉଥିଲା।ସୀତାଙ୍କୁ ଧରିନେଇ ବିରାଧ କହିଲା.. ଏପରି ସୁନ୍ଦରୀ ଯୁବତୀ ଆଜିଯାଏ ମୁଁ ଦେଖିନାହିଁ।ତୁମ ଦୁହିଁଙ୍କର ମସ୍ତକରେ ଜଟା,କଟିରେ ବଳ୍କଳ-ବସ୍ତ୍ର ,ହାତରେ ଧନୁଶର,ସଙ୍ଗରେ ଗୋଟାଏ ସୁନ୍ଦରୀ ନାରୀ;ସନ୍ୟାସୀ ଭଳି ଦେଖାଯାଉଥିବା କୋମଳାଙ୍ଗ ଯୁବକଦ୍ବୟ,ତୁମେ କିଏ?,ତୁମେ ଦୁହେଁ ଢୋଙ୍ଗୀ ସନ୍ୟାସୀ ଭଳି ଦେଖାଯାଉଛ ! ସନ୍ୟାସୀମାନଙ୍କ ନାମକୁ ତୁମେ କଳଙ୍କିତ କରୁଛ। ବାବାଜୀମାନେ କେଉଁଠି ଅସ୍ତ୍ର ଧରିଲେଣି ?ଧନୁଶର ଏବଂ ଖଡ୍ଗ ଧରି କାହାକୁ ଡରାଇବାକୁ ଆସିଛ,ବିରାଧକୁ ?କସି କାକୁଡି ଭଳି ତୁମ ଦୁହିଁଙ୍କୁ ଚୋବାଇବି। ତାପରେ ଏହି ସୁନ୍ଦରୀ ଯୁବତୀକୁ ମୋର ଘରଣୀ କରି ରଖିବି।"


ବିରାଧ'ର କବଳରେ ପଡ଼ି ସୀତା ଭୟରେ ଥରିବାକୁ ଲାଗିଲେ।ରାକ୍ଷସ ସୀତାଙ୍କୁ ଏଭଳି ହଠାତ୍ ଉଠାଇନେବ ବୋଲି ଶ୍ରୀରାମ ଭାବିନଥିଲେ। କିଂକର୍ତ୍ତବ୍ୟ ବିମୂଢ ରାମଚନ୍ଦ୍ର ଜାଣି ପାରୁନଥିଲେ ଭୟଙ୍କର ରାକ୍ଷସ କବଳରୁ ସୀତାଙ୍କୁ କିପରି ଉଦ୍ଧାର କରିବେ। କ୍ରୋଧରେ ଅତିଷ୍ଠ ଶ୍ରୀରାମ କହିଲେ..ଲକ୍ଷ୍ମଣ ! ଏହି ଦାନବର ବ୍ୟବହାର ଅସହ୍ୟ। ଜାଣି ପାରୁନାହିଁ କିପରି ଏ ରାକ୍ଷସ କବଳରୁ ଜାନକୀଙ୍କୁ ଉଦ୍ଧାର କରିବି ?" ଉତ୍ଫଣ ସର୍ପ ପରି ଭୟଙ୍କର କ୍ରୋଧରେ କମ୍ପିଗଲେ ଲକ୍ଷ୍ମଣ,କହିଲେ..ଅଗ୍ରଜ! ଏହି ସାମାନ୍ୟ ରାକ୍ଷସ ଆଗରେ ଆପଣ ପୁଣି ବିବଶ ! ଯେଉଁ ରାମଚନ୍ଦ୍ରଙ୍କ ଶକ୍ତିକୁ ଦେଖି ଦାନବଶ୍ରେଣୀ ଭୟରେ ପ୍ରକମ୍ପିତ, ଯାହାଙ୍କ ପାଖରେ ରହିଛି ଇନ୍ଦ୍ରଙ୍କୁ ପରାସ୍ତ କରିବାର ଶକ୍ତି ଏବଂ ମୋଭଳି ପରାକ୍ରାନ୍ତ ବୀର ଯାହାର ସହାୟକ,ସେ ପୁଣି ସାମାନ୍ୟ ଗୋଟାଏ ଦାନବ ଆଗରେ କିଂକର୍ତ୍ତଵ୍ୟ ବିମୂଢ ! ସୁବାହୁ ଭଳି ରାକ୍ଷସକୁ ଆପଣ ବଧ କରିଛନ୍ତି ଏବଂ ମାରିଚକୁ ବାଣମୁନରେ ଯୋଜନ ଯୋଜନ ଦୂରକୁ ଉଡ଼ାଇ ଦେଇଛନ୍ତି।ଆପଣଙ୍କୁ ଏ ନଗଣ୍ୟ ରାକ୍ଷସ ଅଜେୟ ମନେ ହେଉଛି ? ଆସନ୍ତୁ,ଏ ରାକ୍ଷସକୁ ବଧକରି ଦେବୀ ସୀତାଙ୍କୁ ତା କବଳରୁ ଉଦ୍ଧାର କରିବା।

ମୋ ବାଣର ଶକ୍ତି ଆଜି ଏ ରାକ୍ଷସ ଦେଖିବ; ଏହାର ରକ୍ତ ପାନକରି ଧରିତ୍ରୀ ଆଜି ତୃଷା ମେଣ୍ଟାଇବ। ଅତୀତରେ ଦେବରାଜ ଇନ୍ଦ୍ର ଯେଉଁପରି ଉଡ୍ଡୀୟାନମାନ ପର୍ବତ ମାନଙ୍କର ପକ୍ଷ ଛେଦନ କରି ସେମାନଙ୍କୁ ସ୍ଥାଣୁ କରିଦେଇଥିଲେ, ଆଜି ସେହିପରି ଏହି ରାକ୍ଷସର ଦୁଇବାହୁ ଛେଦନ କରି ତାକୁ ମୁଁ ଏକ କବନ୍ଧରେ ପରିଣତ କରିବି।"


ଅଟ୍ଟହାସ କରି ବିରାଧ କହିଲା.. ନିଜକୁ ଇନ୍ଦ୍ର ମନେକରି ଫଟା ଢୋଲ ବଜାଉଥିବା ପାଖଣ୍ଡି,କିଏ ତୁମେ ,କଣ ତୁମର ପରିଚୟ ! କେଉଁ ପିତାମାତାଙ୍କୁ ପୁତ୍ରଶୋକ ଦେବାପାଇଁ ମୋ ନିକଟକୁ, ଅଗ୍ନିରେ ନିପତିତ ହେବାକୁ ଯାଉଥିବା ପତଙ୍ଗ ଭଳି ଧାଇଁ ଆସିଛ ?


ଧୈର୍ଯ୍ୟର ସହିତ ଧୀର କଣ୍ଠରେ ଶ୍ରୀରାମ କହିଲେ..ରାକ୍ଷସଭଳି ଦେଖା ଯାଉଥିବା ପ୍ରାଣୀ,ନିରପରାଧକୁ ବଧ କରିବା ଆମ୍ଭ ରଘୁବଂଶୀ ମାନଙ୍କ ଚରିତ୍ର ଅନୁରୂପ ନୁହେଁ।ମୋ ପତ୍ନୀ ସୀତାଙ୍କୁ ଶୀଘ୍ର ମୁକ୍ତି ଦିଅ, ନଚେତ୍ ଅନୁଜ ଲକ୍ଷ୍ମଣ ଓ ମୋର ଶରାଘାତରେ ତୁମର ମୃତ୍ୟୁ ସୁନିଶ୍ଚିତ।"


ବିରାଧ କହିଲା.. ଓଃ,ତାହେଲେ ତୁମେ ଦଶରଥଙ୍କ ପୁତ୍ର ! ଏ ଘୋର ଅରଣ୍ୟରେ, ହାତରେ ସାମାନ୍ୟ ଧନୁଶର ଧରି, ଗୋଟିଏ ସୁନ୍ଦରୀ ନାରୀକୁ ସଙ୍ଗରେ ନେଇ ବୁଲିବାର ଅଭିପ୍ରାୟ କଣ ?


ଶ୍ରୀରାମ ତଥାପି କ୍ରୋଧ ସମ୍ବରଣ କରି କହିଲେ.. ପିତୃସତ୍ୟ ପାଳନ ପାଇଁ ମୁଁ ଚଉଦଵର୍ଷ ନିମନ୍ତେ ବନବାସ ପାଇଁ ଅରଣ୍ୟକୁ ଆସିଛି।ସଙ୍ଗରେ ଅଛନ୍ତି ମୋର ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣ।ଆମେ ତୁମର କୌଣସି କ୍ଷତି କରିନାହୁଁ ରାକ୍ଷସ।ତୁମେ ମୋ ପତ୍ନୀଙ୍କୁ ମୁକ୍ତି ଦେଇ ଶୀଘ୍ର ଚାଲିଯାଅ । ନଚେତ୍ ଅତି ଶୀଘ୍ର ତୁମର ଯମରାଜାଙ୍କ ସହିତ ସାକ୍ଷାତ ହେବ। 


ଅଟ୍ଟହାସ କରି ରାକ୍ଷସ କହିଲା.. ତୁମେ ମୋର ଶକ୍ତି ବିଷୟରେ ବୋଧହୁଏ ଅନଭିଜ୍ଞ।ମୋ ପିତାଙ୍କ ନାମ ଜୟ ଏବଂ ବ୍ରହ୍ମଦେବଙ୍କ ବରଦାନରେ ବଳୀୟାନ ମୋ ନାମ ବିରାଧ।ତୁମର ଏ ସାମାନ୍ୟ ଧନୁଶର ମୋର କିଛି କ୍ଷତି କରିପାରିବେ ନାହିଁ। କୌଣସି ଅସ୍ତ୍ରଶସ୍ତ୍ରରେ ମୃତ୍ୟୁ ହେବନାହିଁ ବୋଲି ମୁଁ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇଛି।ତୁମ ଭାର୍ଯ୍ୟା କଥା ଭୁଲିଯାଇ ଏଠାରୁ ଚାଲିଯାଅ।ସେ ଆଜିଠାରୁ ମୋର ପତ୍ନୀ।


ଶ୍ରୀରାମ କହିଲେ..ବିରାଧ ! ଯେଉଁ ବର ବ୍ରହ୍ମାଙ୍କ ଠାରୁ ଲାଭକରି ତୁମ ମନରେ ଏତେ ଗର୍ବ ତାର ସଦୁପଯୋଗ କର। ଦେବତାମାନଙ୍କ ଦ୍ଵାରା ପ୍ରଦତ୍ତ ବରର ଉଦ୍ଦେଶ୍ୟ ସଂସାରର ମଙ୍ଗଳ ପାଇଁ।ତାର ଉପଯୋଗ ନକରି ଅପଯୋଗ କଲେ ସେହି ବର ତୁମର ବିନାଶର କାରଣ ହେବ। ନାରୀ ହରଣ ଭଳି କାର୍ଯ୍ୟ ପାଇଁ ବ୍ରହ୍ମାଙ୍କଠାରୁ ପାଇଥିବା ଏହି ବର ତୁମକୁ ସାହାଯ୍ୟ କରିପାରିବ ନାହିଁ ବିରାଧ। ପୁଣି ଥରେ କହୁଛି,ଦେବୀ ସୀତାଙ୍କୁ ମୁକ୍ତି ଦେଇ ଏଠାରୁ ଶୀଘ୍ର ଚାଲିଯାଅ, ନଚେତ୍ ତୁମ ପିତୃଦତ୍ତ ପ୍ରାଣ ଅଯଥାରେ ହରାଇବସିବ।


ପୁଣି ଘୋର ଅଟ୍ଟହାସ କରି ବିରାଧ କହିଲା..ମୂର୍ଖ ସନ୍ୟାସୀ ! ତୋ ପରିଚୟ ପାଇ ମୁଁ ଏବେ ଜାଣୁଛି ତୁ ବିଶ୍ୱାମିତ୍ର ବାବାଜୀ ସଙ୍ଗରେ ଆସି ଏହି ଦଣ୍ଡକାରଣ୍ୟରେ ତାଡକୀ ରାକ୍ଷସୀ ଏବଂ ତା ପୁତ୍ର ସୁବାହୁକୁ ବଧ କରିଛୁ।ଆରେ ମୂର୍ଖ ! ତାଡକୀ ଗୋଟାଏ ବୃଦ୍ଧା ରାକ୍ଷସୀ ଥିଲା ଏବଂ ତା ପୁତ୍ର ସୁବାହୁ ଥିଲା ଗୋଟାଏ ଡରୁଆ ବଳହୀନ ରାକ୍ଷସ।ତୁ ମୋତେ ସେମାନଙ୍କ ଭଳି ମନେ କରୁଛୁ?ମୁଁ ତୋ ପତ୍ନୀକୁ ନେଇଯାଉଛି,ତୁ ମୋର କଣ କରିବୁ କର।


ବିରାଧ କବଳରେ ପଡ଼ି ଜାନକୀ ଭୟରେ କ୍ରନ୍ଦନ କରିବାରେ ଲାଗିଲେ। କ୍ରୋଧରେ ଶ୍ରୀରାମଙ୍କ ନେତ୍ର ରକ୍ତାଭ ହେଲା।ପର ମୁହୂର୍ତ୍ତରେ ତାଙ୍କ ଧନୁରୁ ନିର୍ଗତ ବାଣ ରାକ୍ଷସର ବକ୍ଷ ଭେଦକରି ନିର୍ଗତ ହେଲା।ରକ୍ତର ବନ୍ୟା ଛୁଟିଲା ରାକ୍ଷସର ଶରୀରରୁ। ଯନ୍ତ୍ରଣାରେ ଛଟପଟ ହୋଇ ଘୋର ଗର୍ଜନ କଲା ଦାନବ। କିନ୍ତୁ ବ୍ରହ୍ମାଙ୍କ ବର ଯୋଗୁଁ ଏଭଳି ଭୟଙ୍କର ଅସ୍ତ୍ରରେ ମଧ୍ୟ ତାର ମୃତ୍ୟୁ ହେଲାନାହିଁ। ଶ୍ରୀରାମ ଆହୁରି ଅନେକ ଦିବ୍ୟାସ୍ତ୍ର ପ୍ରୟୋଗ କଲେ।ବାଣ ଆଘାତରେ ତଳେ ପଡି ରକ୍ତାକ୍ତ-ଶରୀର ବିରାଧ ଲାଲ୍ ରଙ୍ଗର ଏକ ବିଶାଳ ପର୍ବତ ଭଳି ଦେଖାଗଲା। କିନ୍ତୁ ବ୍ରହ୍ମାଙ୍କ ବର ଯୋଗୁଁ ମୃତ୍ୟୁ ତାଠାରୁ ଥିଲା ବହୁତ ଦୂରରେ।


ଶରୀର ଝାଡିଝୁଡି ଉଭାହେଲା ଦାନବ।ଦେହରୁ ତା'ର ଇତସ୍ତତ ହୋଇ ଝଡିପଡିଲା ସବୁ ବାଣ। କିନ୍ତୁ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଏକ ଭୟଙ୍କର ଗର୍ଜନ କରି ବିରାଧ ସୀତାଙ୍କୁ ଛାଡ଼ିଦେଇ ରାମ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ଘୋର ଅରଣ୍ୟ ଭିତରେ ଅଦୃଶ୍ୟ ହୋଇଗଲା ;ଏକାକୀ ଠିଆହୋଇ କ୍ରନ୍ଦନ କରିବାକୁ ଲାଗିଲେ ଜାନକୀ।


ରାକ୍ଷସର ଦୁର୍ଭାଗ୍ୟ,ଅସ୍ତ୍ରରେ ମୃତ୍ୟୁ ହେବନାହିଁ ବୋଲି ସେ ବ୍ରହ୍ମାଙ୍କଠାରୁ ବର ପାଇଥିଲା, ଯନ୍ତ୍ରଣା ଯୋଗୁଁ ନୁହେଁ। ଅସ୍ତ୍ରାଘାତ ଜନୀତ ଭୟଙ୍କର ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ବିରାଧ। ଶ୍ରୀରାମ ଏବଂ ଲକ୍ଷ୍ମଣ ରାକ୍ଷସର କାନ୍ଧରେ ବସି ଖଡ୍ଗରେ ବାରମ୍ବାର ଆଘାତ କରିବାକୁ ଲାଗିଲେ।ବିରାଧର ଦୁଇ ବାହୁକୁ ଉତ୍ପାଟନ କରି ଦୂରକୁ ଫିଙ୍ଗିଦେଲେ ରଘୁବଂଶୀ। ରାମ ଲକ୍ଷ୍ମଣଙ୍କୁ ତଳେ ପକାଇ ଦେଇ ଘୋର ଗର୍ଜନ କରି ତଳେ ପଡ଼ିଗଲା ରାକ୍ଷସ। ଶ୍ରୀରାମ ରାକ୍ଷସର ଗଳାରେ ପାଦ ରଖି ତାକୁ ଅଣନିଃଶ୍ବାସୀ କରିବାରେ ଲାଗିଲେ।


ରାକ୍ଷସର ଚୈତନ୍ୟ ଉଦୟ ହେଲା।ଅତୀତ ତା ଆଗରେ ସ୍ପଷ୍ଟ ଦେଖାଗଲା।କରୁଣ କଣ୍ଠରେ କହିଲା..ହେ ପ୍ରଭୁ ! ମୁଁ ଜାଣିଲିଣି ଆପଣ କିଏ । ଆପଣଙ୍କ ପାଦ ସ୍ପର୍ଶ ପାଇ ମୋ ମୁକ୍ତି ପଥ ସ୍ପଷ୍ଟ ଦେଖାଗଲାଣି।ମୋର ରାକ୍ଷସ ଯୋନିରେ ଜନ୍ମ ନୁହେଁ;ବାସ୍ତବରେ ମୁଁ ଗୋଟାଏ ଅଭିଶପ୍ତ ଗନ୍ଧର୍ବ।ରାକ୍ଷସ ଯୋନିରୁ ମୁକ୍ତି ପାଇବା ମାର୍ଗରେ ବ୍ରହ୍ମାଙ୍କ ବର ମୋର ଅନ୍ତରାୟ ହୋଇଥିଲା।ଅସ୍ତ୍ରରେ ସିନା ନୁହେଁ କିନ୍ତୁ ଯନ୍ତ୍ରଣାରେ ମୋର ମୃତ୍ୟୁ ସମ୍ଭବ।ମୋ ଗଳାରେ ପାଦ ଚାପି ଆପଣ ମୋତେ ଅଣନିଃଶ୍ବାସୀ କରି ହତ୍ୟା କରନ୍ତୁ ଏବଂ ରାକ୍ଷସ ଯୋନିରୁ ମୁକ୍ତି ଦିଅନ୍ତୁ।


ଶ୍ରୀରାମ ଏବଂ ଲକ୍ଷ୍ମଣ,ବିନା ଅସ୍ତ୍ରରେ ରାକ୍ଷସର ଶରୀରକୁ ଦଳନ କରି ତାକୁ ମୃତ୍ୟୁ ଓ ମୁକ୍ତି ଦେଇ ,ଏକ ବିଶାଳ ଗର୍ତ୍ତରେ ମୃତ ଶରୀରକୁ ସମାଧି ଦେଇ ଜାନକୀଙ୍କ ପାଖକୁ ଫେରି ଆସିଲେ।

କ୍ରମଶଃ...



Rate this content
Log in

Similar oriya story from Classics