Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୫୩)

ସରଯୂ ନଦୀର ତୀରେ (୫୩)

4 mins
242



ଚିତ୍ରକୂଟ ତ୍ୟାଗକରି ରାମଚନ୍ଦ୍ର,ଅନୁଜ ଲକ୍ଷ୍ମଣ ଏବଂ ପତ୍ନୀ ସୀତାଙ୍କ ସହିତ ଦଣ୍ଡକାରଣ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କଲେ।ସେମାନଙ୍କୁ ଚିତ୍ରକୂଟ ଛାଡିବାର ଦେଖି ଆଶ୍ରମର ମୃଗମୃଗୁଣୀ ଏବଂ ଅରଣ୍ୟର ପଶୁପକ୍ଷୀମାନେ ନିରବରେ ଲୋତକ ଝରାଇଲେ। ସୀତାଙ୍କ କୋଳରେ ଶୋଇରହି ଆଶ୍ରମର ମୃଗଶିଶୁ କରୁଣ ଦୃଷ୍ଟିରେ ମୁହଁକୁ ଚାହିଁ ରହିଥିଲା।ତାର ଆଖି କହୁଥିଲା ଆମକୁ ଛାଡି ଚାଲି ଯାଅନାହିଁ ମା। 

ଆଶ୍ରମ ଚାରିପାଖରେ ଥିବା ବୃକ୍ଷଲତା ଶିଶିରବିନ୍ଦୁ ଛଳରେ ଅଶ୍ରୁପାତ କରୁଥିଲେ।ଗଛରେ ଶୁକ,ଶାରୀ, କପୋତ, କପୋତୀ ଆଦି ପକ୍ଷୀମାନେ ଡାଳରୁ ଡାଳକୁ ଡେଇଁ ଏମିତି କିଚିରି ମିଚିରି ଶବ୍ଦ କରୁଥିଲେ,ସତେ ଯେମିତି ସୀତାଙ୍କ ସହିତ ଝଗଡ଼ା କରି କହୁଛନ୍ତି.. ଏପରି କିପରି ଆମକୁ ଛାଡି ତୁମେ ଚାଲିଯିବ?ଯିବାର ଯଦି ଥିଲା ଏତେ ମାୟା ଲଗାଉଥିଲ କାହିଁକି ? ସବୁଦିନ ଫଳମୂଳ ଖାଇବାକୁ ଦେଇ ସ୍ନେହର ରଜ୍ଜୁରେ ବାନ୍ଧିରଖୁଥିଲ କାହିଁକି ତୁମେ ଜନନୀ ! ନାଁ,ଆମେ ତୁମକୁ ଯିବାକୁ ଦେବୁନାହିଁ।"

ସମସ୍ତଙ୍କଠାରୁ ବିଦାୟ ନେଇ ଜାନକୀ ପତି ଏବଂ ଦେବରଙ୍କ ସହିତ ଦଣ୍ଡକ ଅରଣ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କଲେ।କୁଟୀର ଚାରିପାଖରେ ସଯତ୍ନରେ ବଢାଇଥିବା ଫୁଲ ବଗିଚାକୁ ଚାହିଁ ସୀତାଙ୍କ ଆଖିରେ ଅଶ୍ରୁ ଝଲକିଗଲା।ପଶୁପକ୍ଷୀ ହୁଅନ୍ତୁ ବା ମନୁଷ୍ୟ କିମ୍ବା ବୃକ୍ଷଲତା,ସ୍ନେହର ଗାରକୁ ଅତିକ୍ରମ କରି ଚାଲିଯିବା ସହଜ ନୁହେଁ।

କିଛି ପଥ ଅତିକ୍ରମ କରିବା ପରେ ସେମାନେ ଅତ୍ରି ମହର୍ଷିଙ୍କ ଆଶ୍ରମରେ ପହଞ୍ଚିଲେ।ଅତ୍ରି ମହର୍ଷିଙ୍କୁ ସମଗ୍ର ବନପ୍ରଦେଶର ଭୁଗୋଳ ଜଣାଥିଲା। କେଉଁ ସ୍ଥାନରେ ବସତି ସ୍ଥାପନ କଲେ ବନବାସ ଦିନ ଗୁଡ଼ିକ ଆନନ୍ଦରେ କଟିଯିବ ତାହା ଜାଣିବା ପାଇଁ ଅତ୍ରିଙ୍କ ଆଶ୍ରମରେ ପହଞ୍ଚିଲେ ରଘୁବଂଶୀ। ମହର୍ଷିଙ୍କ ଆଶ୍ରମକୁ ଉଜ୍ଜଳ କରୁଥିଲେ ତାଙ୍କ ପତ୍ନୀ ମହାସତୀ ଅନସୂୟା।

ମହାସତୀ ଅନସୂୟାଙ୍କ ସତୀତ୍ଵ ପରାକାଷ୍ଠାର ବର୍ଣ୍ଣନାରେ ଭାରତୀୟ ପୁରାଣପୃଷ୍ଠା ସମୁଜ୍ବଳ। ମହର୍ଷି କର୍ଦ୍ଦମ ଏବଂ ସ୍ବୟମ୍ଭୂ-ମନୁଙ୍କ ପୁତ୍ରୀ ଦେବଭୂତୀଙ୍କ କନ୍ୟା ଥିଲେ ଅନସୂୟା। ଗଙ୍ଗାଙ୍କୁ ଏକଦା ଚଳୁ କରିଦେଇଥିବା ମହର୍ଷି କପିଳ ଥିଲେ ଅନସୂୟାଙ୍କ ଭ୍ରାତା। ଅନସୂୟା ମହର୍ଷି କର୍ଦ୍ଦମଙ୍କର ନଅଟି କନ୍ୟାଙ୍କ ମଧ୍ୟରୁ ଅନ୍ୟତମ ଥିଲେ।ରୂପ,ଗୁଣ ଓ ସତୀତ୍ଵରେ ସେ ଚଉଦ ବ୍ରହ୍ମାଣ୍ଡରେ ପ୍ରସିଦ୍ଧ ଥିଲେ। ମହାଲକ୍ଷ୍ମୀ,ଦେବୀ ପାର୍ବତୀ ଓ ସରସ୍ବତୀ ଦିନେ ଦେବର୍ଷି ନାରଦଙ୍କ ମୁଖରୁ ତାଙ୍କ ସତୀତ୍ବର ପରାକାଷ୍ଠା ଶୁଣି ଏପରି ଈର୍ଷାନ୍ବିତ ହୋଇଗଲେ ଯେ ସେମାନେ ନିଜ ନିଜ ସ୍ବାମୀମାନଙ୍କୁ ଅନସୂୟାଙ୍କ ସତୀତ୍ଵ ପରୀକ୍ଷା କରିବା ପାଇଁ ଅନୁରୋଧ କଲେ। ଅତ୍ରିଙ୍କ ଆଶ୍ରମରେ ଛଦ୍ମବେଶୀ ବ୍ରାହ୍ମଣ ରୂପରେ ପହଞ୍ଚି ତ୍ରିଦେବ ବ୍ରହ୍ମା,ବିଷ୍ଣୁ ଓ ଶିବ ଅନସୂୟାଙ୍କ ହାତରୁ ଯେପରି ଭିକ୍ଷା ମାଗିଲେ ତାହା ଶୁଣି ଅନସୂୟା ଆଶ୍ଚର୍ଯ୍ୟ ହୋଇ ଗଲେ। ଅନସୂୟା ଉଲଗ୍ନ ଶରୀରରେ ଭିକ୍ଷା ନଦେଲେ ତିନି ବ୍ରାହ୍ମଣ ଫେରିଯିବେ ବୋଲି ଧମକ ଦେଲେ।ସତୀତ୍ବର ପରାକାଷ୍ଠା ବଳରେ ଅନସୂୟା ଏହା ତ୍ରିଦେବ ଓ ତ୍ରିମାତାଙ୍କ ଷଡଯନ୍ତ୍ର ବୋଲି ଜାଣି ପାରିଲେ। ସତୀତ୍ଵ ବଳରେ ସେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଛଅ ମାସର ଶିଶୁରେ ପରିଣତ କରି ବସ୍ତ୍ରବିହୀନା ହୋଇ ସ୍ତନ୍ୟ ପାନ କରାଇଲେ। ଅନସୂୟାଙ୍କ ବାତ୍ସଲ୍ୟ,ବକ୍ଷୋଜରୁ ଅମୃତ ହୋଇ ଝରିପଡିଲା ଏବଂ ତ୍ରିଦେବ ମାତା ଅନସୂୟାଙ୍କ ମମତାରେ ବର୍ଷ ବର୍ଷ ଧରି ଭିଜିଗଲେ।

ଏହିପରି ତିନିବର୍ଷ ବିତିଗଲା। ଲକ୍ଷ୍ମୀ ପାର୍ବତୀ ଓ ସରସ୍ବତୀ ନିଜ ନିଜର ଅହଙ୍କାର ପାଇଁ ଲଜ୍ଜିତ ହୋଇ ସ୍ବାମୀ ମାନଙ୍କୁ ଶିଶୁତ୍ବରୁ ମୁକ୍ତି ଦେବାପାଇଁ ଅତ୍ରିଙ୍କ ଆଶ୍ରମରେ ପହଞ୍ଚି ଅନସୂୟାଙ୍କୁ ଅନୁରୋଧ କଲେ।ତାପରେ ହିଁ ତ୍ରିଦେବ ନିଜ ନିଜର ରୂପ ଫେରିପାଇଲେ।ପୁରାଣର ଏହି ବର୍ଣ୍ଣନା ଭିତରେ ଲୁଚି ରହିଛି ଭାରତୀୟ ନାରୀଧର୍ମର ପରାକାଷ୍ଠା।ସତୀ ନାରୀର ଶକ୍ତି ଆଗରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ମଧ୍ୟ ହାରମାନନ୍ତି।

ଆଜି ସେହି ପୁରାଣ ପ୍ରସିଦ୍ଧ ମାତାଙ୍କ ସହିତ ସୀତାଙ୍କର ଭେଟ।ମହାଲକ୍ଷ୍ମୀ ସୀତା ଓ ମହାସତୀ ଅନସୂୟାଙ୍କର ଏହି ମିଳନର ଶାଶ୍ବତ ମୁହୂର୍ତ୍ତ ଦର୍ଶନ କରିବା ପାଇଁ ସ୍ବର୍ଗରେ ଦେବତାମାନେ ମଧ୍ୟ ଉତ୍ସୁକତାର ସହିତ ଅନାଇଁ ରହିଲେ। ପ୍ରଥମ ଦର୍ଶନରେ ସୀତା ଅନସୂୟାଙ୍କ ହୃଦୟ କିଣିନେଲେ।ଆଚାରଶ୍ରେଷ୍ଠା ଅନସୂୟା ସୀତାଙ୍କ ଭିତରେ ସମ୍ପୂର୍ଣ୍ଣ ନାରୀତ୍ବ ଥିବା ଏକ ଆଦର୍ଶ ପତିବ୍ରତାଙ୍କୁ ଦେଖିପାରିଲେ।ସୀତାଙ୍କୁ ଅମ୍ଳାନ ବସ୍ତ୍ର ଦାନକରି ଅନସୂୟା କହିଲେ..ମାଆ ସୀତା ! ଚଉଦବର୍ଷର ବନବାସ ପରେ ମଧ୍ୟି ଏହି ବସ୍ତ୍ରର ଔଜଲ୍ୟ ହ୍ରାସ ପାଇବନାହିଁ।ସୀତାଙ୍କୁ ଏକ ସୁବାସିତ ପ୍ରଲେପ ଦେଇ ଦେବୀ କହିଲେ..ଏହା ବ୍ୟବହାର କଲେ ଶରୀରର ଜ୍ୟୋତି କଦାପି ମଳିନ ହେବନାହିଁ। ଆଦର୍ଶ ନାରୀର ଗୁଣ କିପରି ପରିବାର ଓ ସମାଜକୁ ପବିତ୍ର କରେ ତା'ର ବର୍ଣ୍ଣନା ଶୁଣି ସୀତାଙ୍କ ଦେହ ଓ ମନରେ ଅପୂର୍ବ ଭାବ ଓ ଶକ୍ତି ସଞ୍ଚାର ହେଲା। ଅନସୂୟାଙ୍କ ସାନ୍ନିଧ୍ୟ ପାଇ ମମତାର ପବିତ୍ର ଗଙ୍ଗାରେ ଅବଗାହନ କଲେ ମହାଲକ୍ଷ୍ମୀ ସୀତା।

ଅତ୍ରିଙ୍କଠାରୁ ଅରଣ୍ୟର ଭୂଗୋଳ ସମ୍ବନ୍ଧୀୟ ଜ୍ଞାନ ଆହରଣ କରି ଶ୍ରୀରାମ ,ଲକ୍ଷ୍ମଣ ଓ ସୀତା ବିପୁଳ ଦଣ୍ଡକାରଣ୍ୟରେ ପ୍ରବେଶ କଲେ। ବହୁଦୂର ଅତିକ୍ରମ କରିବା ପରେ ସେମାନେ ଯେଉଁ ସ୍ଥାନରେ ପହଞ୍ଚିଲେ ତାହା ବହୁ ମୁନିଋଷି ମାନଙ୍କ ଦ୍ବାରା ଅଧ୍ୟୁଷିତ ଅଞ୍ଚଳ ଥିଲା। ସେଠାରେ ଅପୂର୍ବ ଶାନ୍ତି ବିରାଜମାନ କରୁଥିଲା।ବେଦର ଶାଶ୍ବତ ଧ୍ବନିରେ ମୁଖରିତ ହେଉଥିଲା ବାୟୁମଣ୍ଡଳ।ହୋମର ପବିତ୍ର ଅଗ୍ନିରୁ ନିର୍ଗତ ଘୃତ ଓ ଶାକଲ୍ୟର ସୁଗନ୍ଧ ଆତ୍ମା,ମନ ଓ ଶରୀରକୁ ପବିତ୍ର କରିଦେଉଥିଲା। ଋଷିମାନଙ୍କର ଶରୀରର ଔଜଲ୍ୟ ସେମାନଙ୍କ ତପୋଶକ୍ତିର ପରିଚୟ ଦେଉଥିଲେ। ରାମଚନ୍ଦ୍ରଙ୍କୁ ଦେଖି ଋଷିମାନେ ପରମ ଆନନ୍ଦରେ ସ୍ବାଗତ ଜଣାଇ କହିଲେ..ଯଜ୍ଞ ରକ୍ଷାକାରୀ ହେ ରଘୁବଂଶୀ ରାଜକୁମାର ! ଏହି ଅରଣ୍ୟରେ ରାକ୍ଷସଙ୍କ କବଳରୁ  ତୁମେ ହିଁ ଆମକୁ ରକ୍ଷା କରିପାରିବ।

ମୁନିଋଷି ମାନଙ୍କଠାରୁ ଭବ୍ୟ ଆତିଥ୍ୟ ପାଇ ଦୁଇଭାଇ ଏବଂ ସୀତା ସେଠାରେ ରାତ୍ରୀଯାପନ କଲେ।ପ୍ରଭାତରେ ସମସ୍ତ ନିତ୍ୟକର୍ମ ଶେଷକରି, ସେମାନଙ୍କଠାରୁ ବିଦାୟ ନେଇ ନିଘଞ୍ଚ ଦଣ୍ଡକାରଣ୍ୟ ଭିତରକୁ ପ୍ରବେଶ କଲେ ତ୍ରିମୂର୍ତ୍ତି।

ଭୟଙ୍କର ଦେଖାଯାଉଥିଲା ନିଘଞ୍ଚ ଦଣ୍ଡକାରଣ୍ୟ।ଲତା ଗୁଳ୍ମ ଓ ବିଶାଳ ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ଅରଣ୍ୟରେ ସୂର୍ଯ୍ୟ କିରଣ ତଳେ ପଡୁନଥିଲା। ସୂର୍ଯ୍ୟ କିରଣ ପାଇବାପାଇଁ ବୃକ୍ଷମାନଙ୍କ ଭିତରେ ପ୍ରତିଯୋଗିତା ଲାଗି ରହିଥିଲା। ହିଂସ୍ରଜନ୍ତୁମାନଙ୍କର ଗର୍ଜନରେ ଥରି ଉଠୁଥିଲା ବନଭୂମି। ସତର୍କତା ସହିତ ଧୀରେ ଧୀରେ ଆଗେଇ ଯାଉଥିଲେ ରାମ,ଲକ୍ଷ୍ମଣ ଓ ସୀତା। ହଠାତ୍ ଏକ ଭୟଙ୍କର ପ୍ରାଣୀ ସେମାନଙ୍କ ଆଗରେ ଉଭା ହେଲା।ଦେଖାଯାଉଥିଲା ଏକ ବିଶାଳ କଦାକାର କୃଷ୍ଣବର୍ଣ୍ଣର ପାହାଡ ଭଳି। ବିଶାଳ ଶାଳବୃକ୍ଷରୁ ଅଧିକ ଉଚ୍ଚ ଶରୀର ବିଶିଷ୍ଟ ଏହି ପ୍ରାଣୀର ମସ୍ତକ ଦେଖାଯାଉଥିଲା ଏକ ବିଶାଳ ବଟବୃକ୍ଷ ଭଳି।ହାତୀ ଛାଲରେ ଆବୃତ ଥିଲା ତାର କଟିଦେଶ।ହାତରେ ଧରିଥିବା ଭାଲରେ ଗୁନ୍ଥା ହୋଇ ରହିଥିଲା ଦୁଇଟି ହାତୀ ଓ ଦୁଇଟି ବାଘର କଟାମୁଣ୍ଡ।ସେଥିରୁ ଝରିପଡୁଥିବା କଞ୍ଚା ରକ୍ତକୁ ଚାଟୁଥିଲା ସେହି ରାକ୍ଷସ।ରାମ ଲକ୍ଷ୍ମଣ ଓ ସୀତାଙ୍କ ଆଗରେ ଠିଆହୋଇ ମେଘ ଘଡଘଡି କଣ୍ଠରେ କହିଲା କିଏ ରେ ତୁମେ ବନବାସୀ ଭଳି ଦେଖାଯାଉଥିବା ମୂର୍ଖ ! ବିରାଧ ରାକ୍ଷସର ଅଞ୍ଚଳରେ ପ୍ରବେଶ କରିବା ସମୟରେ ତୁମକୁ ମୃତ୍ୟୁଭୟ ଲାଗିଲା ନାହିଁ ?


କ୍ରମଶଃ


Rate this content
Log in

Similar oriya story from Classics