Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୫୨)

ସରଯୂ ନଦୀର ତୀରେ (୫୨)

4 mins
421



ଅନୁଗାମୀମାନଙ୍କ ସହିତ ଭରତ ଅଯୋଧ୍ୟା ଫେରିଲେ।ମଥାରେ ଅଗ୍ରଜଙ୍କ କଠାଉ,ଆଖିରେ ଲୁହର ବନ୍ୟା ଏବଂ ବାଷ୍ପରୁଦ୍ଧ କଣ୍ଠରେ ଥିଲା ଦୁଇଟି ଶବ୍ଦ "ଜୟ ଶ୍ରୀରାମ"।ବିଦାୟ ସମୟରେ ଭରତ ଶ୍ରୀରାମଙ୍କୁ କହିଲେ ଏହା ସାଧାରଣ କଠାଉ ନୁହେଁ ଅଗ୍ରଜ,ନିଜେ ସ୍ବୟଂ ଆପଣ। ଅଯୋଧ୍ୟାର ସିଂହାସନରେ ଏହାଙ୍କୁ ସ୍ଥାପନକରି ଆପଣଙ୍କ ପ୍ରତିନିଧି ଭାବରେ ଚଉଦବର୍ଷ ଅଯୋଧ୍ୟା ଶାସନ କରିବି ଏବଂ ଆପଣ ଫେରିଲେ ଆପଣଙ୍କ ରାଜ୍ୟ ମୁଁ ଆପଣଙ୍କୁ ଫେରାଇ ଦେବି। ଚଉଦବର୍ଷ ପରେ ଆପଣ ଫେରିବାରେ ଗୋଟିଏ ଦିନ ମଧ୍ୟ ବିଳମ୍ବ ହେଲେ ଏ ଭାଇର ମରଶରୀରକୁ ଆପଣ ପାଇବେ ନାହିଁ ଅଗ୍ରଜ।"

 ଅଶ୍ରୁତପୂର୍ବ ଏଭଳି ଭ୍ରାତୃଭକ୍ତି। ଦୃଷ୍ଟିପଥରୁ ଅନ୍ତର ହେବା ପର୍ଯ୍ୟନ୍ତ ଅଶ୍ରୁଳ ନେତ୍ରରେ ଚାହିଁ ରହିଥିଲେ ଦାସରଥି।କୋହ ସମ୍ବରଣ କରି ପାରୁନଥିଲେ ଲକ୍ଷ୍ମଣ। ଝାଉଁଳି ଯାଇଥିବା ପଦ୍ମଫୁଲଟିଏ ପରି ଦେଖା ଯାଉଥିଲେ ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତା।ରାଜମାତାମାନଙ୍କ ଆଖିଲୁହରେ ପ୍ଲାବିତ ହୋଇଗଲା ଚିତ୍ରକୂଟ ଅରଣ୍ୟର ମାଟି।ବନପ୍ରକୃତିରେ ଅଦ୍ଭୁତ ନିରବତା। କାନ୍ଦି କାନ୍ଦି ଦୁଃଖରେ ଫେରି ଯାଉଥିବା ଅଯୋଧ୍ୟାବାସୀଙ୍କ ଦୁଃଖ ଦେଖି ସମ୍ପୂର୍ଣ୍ଣ ନିରବି ଯାଇଥିଲେ ଅରଣ୍ୟର ପଶୁ ପକ୍ଷୀ ବୃକ୍ଷଲତାମାନେ।

ବିଦାୟ ନେବା ସମୟରେ ଜାନକୀଙ୍କୁ କୋଳରେ ଭିଡ଼ିଧରି କୌଶଲ୍ୟା ବିଳାପରେ ବନଭୂମି ସ୍ତବ୍ଧ କରିଦେଲେ। କହୁଥିଲେ..ମୋ କୁଳଲକ୍ଷ୍ମୀ, ସୁବର୍ଣ୍ଣପ୍ରତିମା ଜାନକୀ ! ତୋତେ ଅରଣ୍ୟରେ ଛାଡି ହୃଦୟ ବିଦୀର୍ଣ୍ଣ ହୋଇଯାଉଛି। ମାୟାବୀ ରାକ୍ଷସରେ ପରିପୂର୍ଣ୍ଣ ଏହି ଅରଣ୍ୟରେ ସତର୍କତା ସହିତ ସ୍ବାମୀ ଓ ଦେବରଙ୍କ ସହିତ ରହିଥିବୁ ଧନ ! ତୋ ଫେରିବା ବାଟକୁ ଚାହିଁ ରହିଲି। କେବଳ ତୁମମାନଙ୍କୁ ଦେଖିବା ପାଇଁ ହିଁ ଏ ନିର୍ଲଜ ପ୍ରାଣ ପିଣ୍ଡରେ ରହିଥିବ।"

ସୁମିତ୍ରା ସୀତାଙ୍କୁ କୋଳେଇ ନେଇ ମଥାରେ ଚୁମ୍ବନ ଦେଇ କହିଲେ..ତୁ ଆସିବାପରେ ଉଆସ ଶ୍ରୀହୀନ ହୋଇ ଯାଇଛି ସୀତା ! ତୋ ଭଉଣୀମାନେ ସବୁବେଳେ ତୋ କଥା ଝୁରୁଛନ୍ତି। ଅଯୋଧ୍ୟା ରାଜପ୍ରସାଦ ପ୍ରାଣହୀନ ହୋଇଯାଇଛି।ତୁ ଫେରିଲେ ସେଥିରେ ପ୍ରାଣସଞ୍ଚାର ହେବ।ତୋ ଫେରିବା ବାଟକୁ ଅନାଇଁ ରହିବି।"

ଅନୁତାପାନଳରେ ଦଗ୍ଧ କୈକେୟୀ ନିର୍ଜିବ ମୂର୍ତ୍ତିଟିଏ ଭଳି ବସିଥାନ୍ତି। ମାତା କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ପାଦ ବନ୍ଦନା କରି ସେମାନଙ୍କ ଆଶୀର୍ବାଦ ନେବା ସମୟରେ କୈକେୟୀଙ୍କ ଆଖିରୁ ଦୁଇଟୋପା ତପ୍ତ ଅଶ୍ରୁ ଝରିପଡିଲା ସୀତାଙ୍କ ମଥାରେ।ସୀତାଙ୍କୁ ଆଲିଙ୍ଗନ କରି ଗଭୀର ଆଶ୍ଳେଷରେ କୋଳରେ ଭିଡ଼ି ଧରିଲେ କୈକେୟୀ।ମନର ଅବ୍ୟକ୍ତ ବେଦନା ଅଶ୍ରୁ ଆକାରରେ କୈକେୟୀଙ୍କ ଦୁଇ ଆଖିରୁ ବହି ଯାଉଥିଲା ଧାର ଧାର ହୋଇ।ସେ ବେଦନାରେ ଭିଜିଗଲା ଜାନକୀଙ୍କ ହୃଦୟ।

 କୈକେୟୀଙ୍କ ପାଦରେ ମଥା ରଖି ଆଶୀର୍ବାଦ ନେଲାବେଳେ ରଘୁବଂଶୀ ଶ୍ରୀରାମ କହିଲେ ଆପଣଙ୍କ ପ୍ରିୟତମ ପୁତ୍ର ରାମକୁ ଆଶୀର୍ବାଦ ଦିଅନ୍ତୁ ଜନନୀ!ମନରୁ ସବୁ ଗ୍ଲାନି ଦୂରକରିଦିଅନ୍ତୁ। ଯାହା ଘଟିଯାଇଛି ତାହା ବିଧି ନିର୍ଦ୍ଦେଶିତ, ସେଥିରେ କାହାର ହାତ ନାହିଁ ବା ନିୟନ୍ତ୍ରଣ ନାହିଁ। ଖୁସି ଖୁସି ଅଯୋଧ୍ୟା ଫେରିଯାଆନ୍ତୁ। ନିର୍ଦ୍ଦିଷ୍ଟ ବନବାସ ଅବଧି ବିତାଇ ଆପଣଙ୍କ ପ୍ରିୟପୁତ୍ର ରାମ ଆପଣଙ୍କ କୋଳକୁ ଫେରିଆସିବ।"

ବାଟରେ ମହର୍ଷି ଭରଦ୍ୱାଜଙ୍କ ଆଶ୍ରମରେ ଅଟକିଲେ ଭରତ। ମହର୍ଷିଙ୍କ ଆଗରେ ଚିତ୍ରକୂଟରେ ଘଟିଯାଇଥିବା ସବୁ କଥା ବର୍ଣ୍ଣନା କଲେ। ଭରଦ୍ବାଜ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ ବାଃ ଭରତ ! ଅପୂର୍ବ ତୁମର ବଳିଦାନ !ତୁମେ ଚାରିଭାଇ ଇକ୍ଷ୍ବାକୁ ବଂଶର ଉଜ୍ଜ୍ୱଳ ମଣି। ଯୁଗ ଯୁଗ ପାଇଁ ଜଗତ ତୁମର ଯଶଗାନ କରିବ ଭରତ !ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ତୁମର ଅସୀମ ବଳିଦାନ ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସତ୍ୟନିଷ୍ଠ ଚରିତ୍ର।ସମୟ ଫର୍ଦ୍ଦରେ ଲେଖା ହୋଇ ରହିବ ରାମ-ଭରତଙ୍କ ଭ୍ରାତୃପ୍ରେମ।ଅତୀତରେ ସୂର୍ଯ୍ୟବଂଶୀମାନେ ଅସୀମ କୀର୍ତ୍ତି ସ୍ଥାପିତ କରିଯାଇଛନ୍ତି।ସେ ସମସ୍ତ କୀର୍ତ୍ତିଠାରୁ ଉର୍ଦ୍ଧ୍ବରେ ରହିବ ତୁମର କୀର୍ତ୍ତି।ସ୍ବର୍ଗରେ ଥାଇ ତୁମର ପିତା ଦଶରଥ ତୁମକୁ ଆଶୀର୍ବାଦ ଦେଉଥିବେ।ନିଷ୍ପାପ ସରଳତାର ପ୍ରତିମୂର୍ତ୍ତି ହେ ଭରତ ! ଅଯୋଧ୍ୟା ଫେରିଯାଇ କୁଶଳତା ସହିତ ରାଜ୍ୟ ଶାସନ କର।" ଭରଦ୍ୱାଜଙ୍କ ଆଶୀର୍ବାଦ ନେଇ,ମଥାରେ ଅଗ୍ରଜଙ୍କ ପାଦୁକା ବହନକରି ସେଠାରୁ ଆଗକୁ ଯାଇ ନିଷାଦରାଜ ଗୁହକଙ୍କ ସହାୟତାରେ ଗଙ୍ଗାନଦୀ ପାର ହେଲେ ଭରତ ଏବଂ ତାଙ୍କ ଅନୁଗାମୀ ଅଯୋଧ୍ୟାର ପ୍ରଜାପୁଞ୍ଜ।

ଅଯୋଧ୍ୟାର ରାଜପଥରେ ପ୍ରବେଶ କଲେ ଭରତ।ସବୁ ତାଙ୍କୁ ଶ୍ରୀହୀନ ଜଣାଗଲା। ସଦାସର୍ବଦା ଉତ୍ସବମୁଖର ଅଯୋଧ୍ୟା ତାର ଅତୀତର ପ୍ରେତଛାୟା ଭଳି ଦେଖାଯାଉଥିଲା। ଜ୍ୟେଷ୍ଠରାଜପୁତ୍ର ଶ୍ରୀରାମ,ଅନୁଜ ଲକ୍ଷ୍ମଣ ଓ ରାଜଲକ୍ଷ୍ମୀ ସୀତାଙ୍କୁ ବନକୁ ପଠାଇ ଅଯୋଧ୍ୟା ଶୋକରେ ମଗ୍ନ ହୋଇ ରହିଥିଲା।ମାତୁଳାଳୟରୁ ଫେରିବା ସମୟରେ ଭରତଙ୍କୁ ଅଯୋଧ୍ୟା ଏହିପରି ଜଣାଯାଇଥିଲା।ସେ ସମୟରେ ତାଙ୍କ ମନରେ ଅଜ୍ଞାତ ଆଶଙ୍କା ଓ ଦୁଶ୍ଚିନ୍ତା ଥିଲା।ଏବେ କିନ୍ତୁ ତାଙ୍କ ଆଗରେ ଦିବାଲୋକ ଭଳି ସବୁ ସ୍ପଷ୍ଟ। ଅଯୋଧ୍ୟା ଉପରେ ବହିଯାଇଥିବା ଝଡକୁ ଭୁଲିବାକୁ ପଡ଼ିବ, ବର୍ତ୍ତମାନର ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡିବ ଏବଂ ଭବିଷ୍ୟତର ଗୁରୁଦାୟିତ୍ଵ ବହନ କରି ଅଗ୍ରଜଙ୍କ ରାଜ୍ୟକୁ ସକୁଶଳ ଶାସନ କରିବାକୁ ପଡ଼ିବ;କର୍ତ୍ତବ୍ୟପଥ ଭରତଙ୍କୁ ସ୍ପଷ୍ଟ ଦେଖାଗଲା। ରାଜପ୍ରାସାଦରେ ପ୍ରବେଶ କରି ପ୍ରଥମେ ସେ ମାତା ମାନଙ୍କୁ ନିଜ ନିଜର ଅନ୍ତଃପୁରକୁ ପଠାଇ ଦେଲେ ଏବଂ ରାଜଦରବାରର ଆୟୋଜନ କଲେ। ଦରବାରରେ ପ୍ରବେଶ କରି ଶ୍ରୀରାମଙ୍କ ପାଦୁକା ଦ୍ବୟଙ୍କୁ ସିଂହାସନରେ ସ୍ଥାପିତ କରି ଦୁଖଭରା କଣ୍ଠରେ ଭରତ କହିଲେ..ସଭାସଦ ଗଣ ! ଅସୀମ ଦୁଃଖରେ ପରିପୂର୍ଣ୍ଣ ମୋ ଜୀବନ; କିନ୍ତୁ ମୁଁ ଧୈର୍ଯ୍ୟର ସହିତ ପରିସ୍ଥିତିର ସମ୍ମୁଖୀନ ହେବି। ଅଯୋଧ୍ୟା ଉପକଣ୍ଠରେ ଥିବା ନନ୍ଦିଗ୍ରାମରେ ମୁଁ ମୋ ଅଗ୍ରଜଙ୍କ ଭଳି ସନ୍ୟାସୀ-ଜୀବନ ଅତିବାହିତ କରିବି ଏବଂ ଶ୍ରୀରାମଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ତାଙ୍କ ପ୍ରତିନିଧି ଭାବେ ରାଜ୍ୟ ଶାସନ କରିବି। ଅଯୋଧ୍ୟା ଶ୍ରୀରାମଙ୍କର ଏବଂ ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ହିଁ ଅଭିଷିକ୍ତ ହେବେ। ନନ୍ଦିଗ୍ରାମରେ ମୋର ଅବସ୍ଥାନ ପାଇଁ ବ୍ୟବସ୍ଥା କରାଯାଉ।"

ଭରତଙ୍କ ପ୍ରସ୍ଥାନ ପରେ ଚିତ୍ରକୂଟରେ ରାମଚନ୍ଦ୍ରଙ୍କ ପାଇଁ ଜୀବନ ଦୁର୍ବିସହ ଜଣାଗଲା। ସବୁବେଳେ ଭରତଙ୍କ ଅଶ୍ରୁଳନେତ୍ର, ମାତା ମାନଙ୍କର ଦୁଃଖପୂର୍ଣ୍ଣମୁଖ ଏବଂଫେରିଯିବାପାଇଁ ପ୍ରଜାମାନଙ୍କର କାକୁତିପୂର୍ଣ୍ଣ ଅନୁରୋଧ ଶ୍ରୀରାମଙ୍କ ଆଖି ଆଗରେ ଭାସି ଉଠିଲା। ଅଯୋଧ୍ୟାର ବିଶାଳ ସେନାବାହିନୀ ଏବଂ ପ୍ରଜାମାନଙ୍କ ଆଗମନ ଯୋଗୁଁ ବନପ୍ରଦେଶର ଶାନ୍ତି ମଧ୍ୟ ଭାଙ୍ଗି ଯାଇଥିଲା।ଚାରିଆଡେ ଅଶ୍ଵ ଓ ଗଜମାନଙ୍କର ପୁରିଷ,ରଥ ଚକରେ ବିଧ୍ବସ୍ତ ବୃକ୍ଷଲତା ଏବଂ ଜନସମାଗମ ଯୋଗୁଁ ଭୟଭୀତ ହୋଇଥିବା ପଶୁପକ୍ଷୀ ମାନଙ୍କୁ ଦେଖି ରାମଚନ୍ଦ୍ର ଭାବିଲେ ସତେ ଯେପରି ଏହି ଅଶାନ୍ତ ବାତାବରଣ ପାଇଁ ସେ ନିଜେ ଦାୟୀ। ବାରମ୍ବାର ଯେବେ ଅଯୋଧ୍ୟା ବାସୀ ତାଙ୍କ ପାଖକୁ ଆସିବେ ତାହେଲେ ଚିତ୍ରକଚର ପ୍ରାକୃତିକ ସନ୍ତୁଳନ ଅସ୍ଥିର ହୋଇଯିବ। ସେଥିପାଇଁ ପଞ୍ଚବଟୀ ଛାଡି ଦଣ୍ଡକାରଣ୍ୟକୁ ଯିବାପାଇଁ ମନେ ମନେ ସ୍ଥିର କଲେ ଦାସରଥୀ।

ଚିତ୍ରକୂଟ ଛାଡ଼ିବା ପଛରେ ଅନ୍ୟ ଏକ କାରଣ ଥିଲା। ଚିତ୍ରକୂଟ ଠାରୁ ଅନତି ଦୂରରେ ଜନ୍ମସ୍ଥାନ ବୋଲି ଗୋଟିଏ ରାକ୍ଷସ ବସତି ଥିଲା। ତାହା ଲଙ୍କେଶ୍ବର ରାବଣର ଜ୍ଞାତିଭାଇ ଖର'ର ଏକ ବସତି ଥିଲା।ଖର ଏବଂ ତା'ର ସହଚର ରାକ୍ଷସମାନେ ଚିତ୍ରକୂଟରେ ଅବସ୍ଥାନ କରୁଥିବା ମୁନିଋଷି ମାନଙ୍କ ଜୀବନକୁ ଦୁର୍ବିସହ କରି ରଖିଥିଲେ।ଯଜ୍ଞ ଓ ହୋମ ସମୟରେ ଆଶ୍ରମକୁ ଆକ୍ରମଣ କରି ଧ୍ବସ୍ତ ବିଧ୍ବସ୍ତ କରୁଥିଲେ ଏବଂ ଯଜ୍ଞକୁଣ୍ଡ ମାନଙ୍କରେ ପରିସ୍ରା ଓ ମଳତ୍ୟାଗ କରୁଥିଲେ।

ରାକ୍ଷସ ମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ମୁନିଋଷି ମାନେ ଚିତ୍ରକୂଟ ତ୍ୟାଗକରି ଅନ୍ୟ ଅରଣ୍ୟକୁ ଚାଲିଗଲେ।ଯେତେ ବୁଝାଇଶୁଝାଇ ମଧ୍ୟ ରଘୁବଂଶୀ ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ସେମାନଙ୍କ ସହିତ ଅରଣ୍ୟ-ଜୀବନ ରାମ,ଲକ୍ଷ୍ମଣ ଓ ସୀତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ସେମାନେ ଚାଲିଯିବା ପରେ ପଞ୍ଚବଟୀରେ ଏକାନ୍ତ ଜୀବନ ରଘୁବଂଶୀଙ୍କ ପାଇଁ ଦୁର୍ବିସହ ମନେହେଲା। ଦିନେ ଶ୍ରୀରାମ କହିଲେ ସୀତେ ! ଆଉ ଚିତ୍ରକୂଟ ଭଲ ଲାଗୁନାହିଁ;ଚାଲ ଦଣ୍ଡକାରଣ୍ୟକୁ ଚାଲିଯିବା।"


କ୍ରମଶଃ


Rate this content
Log in

Similar oriya story from Classics